Unknown

 

 

 

 

 

 

 

 

 

 

ଚଲାପଥର ଦାବୀ

ଶରତ୍‌ଚନ୍ଦ୍ର ଚଟ୍ଟୋପାଧ୍ୟାୟ

ଅନୁବାଦକ : ଅଧ୍ୟାପକ ମଦନ ମୋହନ ମିଶ୍ର

 

‘ଚଲାପଥର ଦାବୀ’ ପୁସ୍ତକର ଦ୍ଵିତୀୟ ସଂସ୍କରଣ ବର୍ତ୍ତମାନ ପ୍ରକାଶ ଅପେକ୍ଷାରେ । ଏହି ସଂସ୍କରଣରେ ସାମାନ୍ୟ ସଂଶୋଧନ କରାଯାଇଛି । ବହୁ ହିତୈଷୀ ବନ୍ଧୁ ପ୍ରଥମ ସଂସ୍କରଣର ବହିଟି ପଢ଼ି ଶୁଭେଚ୍ଛା ଜଣାଇଛନ୍ତି । ଆଶା ଏଥର ମଧ୍ୟ ବହିଟି ପାଠକଙ୍କଦ୍ଵାରା ଆଦୃତହେବ ।

 

ଏ ପୁସ୍ତକଟି ବନ୍ଧୁ ରମାକାନ୍ତ ରଥଙ୍କୁ ଉତ୍ସର୍ଗୀକୃତ । ବନ୍ଧୁ ଅଭିରାମ ମହାପାତ୍ରଙ୍କୁ କୃତଜ୍ଞତା ଜଣାଉଛି । ତାଙ୍କର ନିରବଚ୍ଛିନ୍ନ ଚେଷ୍ଟା ଓ ଏଷଣା ବିନା ଦ୍ଵିତୀୟ ସଂସ୍କରଣର ପ୍ରକାଶନ ସମ୍ଭବ ହୋଇପାରି ନ ଥାନ୍ତା ।

 

ବାହୁଡ଼ା ଦଶମୀ

 

୨୨ ଜୁଲାଇ, ୮୦

ମଦନମୋହନ ମିଶ୍ର

Image

 

ଏକ

 

ଅପୂର୍ବ ସଙ୍ଗେ ତାର ବନ୍ଧୁମାନଙ୍କର ନିମ୍ନଲିଖିତ ରୀତିରେ ପ୍ରାୟ ଆଲୋଚନା ହୁଏ ।

ବନ୍ଧୁମାନେ କହନ୍ତି–ଅପୁ ! ତୋର ବଡ଼ଭାଇମାନେ ପ୍ରାୟ କିଛି ମାନନ୍ତି ନାହିଁ । ଆଉ ତୁ ନମାନିବା ବିଷୟ ସଂସାରରେ ବୋଧହୁଏ ନାହିଁ ।

ଅପୂର୍ବ କହେ–ଅଛି ନିଶ୍ଚୟ । ଏଇ ଧର-ଯେମିତି ବଡ଼ ଭାଇମାନଙ୍କ କଥା ନ ମାନବା ଏବଂ ତୁମମାନଙ୍କର ପରାମର୍ଶ ନ ଶୁଣିବା ।

ବନ୍ଧୁମାନେ ସ୍ଵାଭାବିକ ରସିକତାର ପୁନରାବୃତ୍ତି କରି କହନ୍ତି–ତୁ କଲେଜରେ ପଢ଼ି ଏମ୍‌.ଏସ୍‌ସି. ପାଶ୍‌ କଲୁ; ଅଥଚ ଏପର୍ଯ୍ୟନ୍ତ ମୁଣ୍ଡରେ ଚନ୍ଦନଟୋପି ଲଗାଉଛୁ । କଣ ଏଇ ତିଳକ ମାଧ୍ୟମରେ ମସ୍ତିସ୍କ ସହ ବିଦ୍ୟୁତ୍‌ ଚଳାଚଳ ହୁଏ ନା କଣ ?

ଅସଲ କଥା, ଅପୂର୍ବର ଡେପୁଟୀ ମାଜିଷ୍ଟ୍ରେଟ ପିତାଙ୍କ କଥା ଶୁଣି ବ୍ୟବହାରରେ ଉତ୍ସାହିତ ହୋଇ ତାର ବଡ଼ ଓ ମଝିଆଁ ଭାଇ ବେଳେ ବେଳେ ପ୍ରକାଶ୍ୟରେ ହୋଟେଲରୁ ରୁଟି ଓ କୁକୁଡ଼ାମାଂସ ଆଣି ଖାଆନ୍ତି ଏବଂ ଗାଧୋଇବା ପୂର୍ବରୁ କାନ୍ଧର ପଇତାଟାକୁ ରାକ୍‌ରେ ଟାଙ୍ଗି ଦେଇ ପୁନରାୟ ପିନ୍ଧିବା ପାଇଁ ପ୍ରାୟ ଭୁଲିଯାଆନ୍ତି । ଏପରି କି, ମଝିରେ ମଝିରେ ଧୋବାଘରେ ଦେଇ ଇସ୍ତ୍ରୀକରି ଆଣିଲେ ସୁବିଧା ହେବ କି ନା, ସେ ସମ୍ପର୍କରେ ବି ଥଟ୍ଟା ତାମସା କରନ୍ତି । ବୟସରେ ଛୋଟ ହେଲେ ମଧ୍ୟ ଅପୂର୍ବ ମା’ଙ୍କ ମନର ଗଭୀର ବେଦନା ଓ ନୀରବ ଅଶ୍ରୁପାତ ବହୁ ଦିନ ଲକ୍ଷ୍ୟ କରିଛି । ସ୍ଵାମୀ ତାଙ୍କ ଶ୍ଵଶୁରକୁଳର ପୌରୋହିତ୍ୟ କାର୍ଯ୍ୟ ପ୍ରତି ନିଷ୍ଠୁର ଇଙ୍ଗିତ କରି କହନ୍ତି–ପିଲାମାନେ ଯଦି ସେମାନଙ୍କ ମାମୁଁମାନଙ୍କ ପରି ନ ହୋଇ ବାପ ପରି ହେଲେ, ଆଉ କ’ଣ କରାଯାଇପାରେ ! ମୁଣ୍ଡରେ ଚିତା ନ ଲଗାଇ ଟୋପି ପିନ୍ଧିଲେ ଯେ ମୁଣ୍ଡଟା କାଟିଦେବା ଉଚିତ, ମୋର ତା ମନେ ହୁଏନା ।

ସେଇଦିନରୁ କରୁଣାମୟୀ ପିଲାମାନଙ୍କ ସମ୍ପର୍କରେ ନିର୍ବାକ୍‌ ହୋଇଯାଇଥିଲେ-କେବଳ ନିଜର ଆଚାର, ରୀତି ନିଜେ ନୀରବ ଓ ନିରାଡ଼ମ୍ବରଭାବେ ପାଳନ କରିଯାଉଥିଲେ । ସ୍ଵାମୀଙ୍କ ମୃତ୍ୟୁପରେ ଘରେ ଥିଲେ ମଧ୍ୟ ସେ ଏକପ୍ରକାର ଘରୁ ସ୍ଵତନ୍ତ୍ର ହୋଇ ଚଳୁଥିଲେ । ଉପରେ ଯେଉଁ ଘରେ ସେ ରହନ୍ତି, ତା ପାଖ ବାରଣ୍ଡାର କିଛି ଅଂଶ ଘେରାଇ ଦେଇ ଜଳ ହାତରେ ରୋଷେଇ କରନ୍ତି । ବୋହୂମାନଙ୍କ ହାତରେ ବି ସେ ଖାଆନ୍ତି ନାହିଁ ।

ଏଣେ ଅପୂର୍ବ ମୁଣ୍ଡରେ ଚିତାତିଳକ କାଟି କଲେଜ ଯାଏ । କଲେଜରେ ବୃତ୍ତି ଓ ପଦକସହ ସେ ପାସ୍‌ ଯେମିତି କରୁଥିଲା, ଘରେ ଏକାଦଶୀ, ପୂର୍ଣ୍ଣିମା, ସନ୍ଧ୍ୟା-ଆହ୍ନିକ ମଧ୍ୟ ସେପରି ବାଦ୍‌ ଦେଉ ନଥିଲା । ଖେଳପଡ଼ିଆରେ ଫୁଟ୍‌ବଲ୍‌, କ୍ରିକେଟ୍‌ ଓ ହକି ଖେଳିବାରେ ତାର ଯେପରି ଉତ୍ସାହ, ସକାଳେ ମା’ଙ୍କ ସାଙ୍ଗେ ରଙ୍ଗାସ୍ନାନକୁ ଯିବାପାଇଁ ସେଇପରି ଆଗ୍ରହ । ମଝିରେ ମଝିରେ ଥଟ୍ଟା କରି ଭାଉଜମାନେ କହନ୍ତି–ଅପୁ, ପଢ଼ାଶୁଣା ତ ସରିଲା, ଏଥର ଡୋରକୌପୁନୀ ଧରି ରୀତିମତ ବାବାଜିଗୋସେଇଁ ସାଜ । ଏ ତ ଯାହା ଦେଖାଗଲାଣି, ତମେ ବିଧବା ବ୍ରାହ୍ମଣଠାରୁ ବି ବଳିଲଣି ।

ଅପୂର୍ବ ହସି ହସି ଜବାବ୍‌ଦିଏ–ବଳିଲଣି କୋଉଠି ମ ଭାଉଜ ! ମା’ର ଝିଅ ନାହିଁ, ବୟସ ହେଲାଣି, ଅସମର୍ଥ ହେଲେ ମୁଠାଏ ହବିଷ୍ୟ ତ ରାନ୍ଧିଦେଇ ପାରିବ । ଆଉ ଡୋର-କୌପୁନୀ ଯିବ କୁଆଡ଼େ ! ତମମାନଙ୍କ ଦାଉରୁ ଶେଷକୁ ତାକୁ ଇ ସମ୍ବଳ କରିବାକୁ ପଡ଼ିବ ।

 

ବଡ଼ବୋହୂ ମୁହଁ ଶୁଖାଇ କହନ୍ତି–କଣ କରିବା ଅପୁ ! ସେ ଆମ କପାଳ !

 

‘ନିଶ୍ଚୟ’ କହି ଅପୂର୍ବ ଚାଲିଯାଏ; କିନ୍ତୁ ମା’ଙ୍କୁ ଯାଇ କହେ–ମା’ ! ଏ ତୋର ବଡ଼ ଅନ୍ୟାୟ । ଭାଇମାନେ ଯାହା କରନ୍ତୁ ନା କାହିଁକି, ଭାଉଜମାନେ ତ ଆଉ କୁକୁଡ଼ାମାଂସ ଖାଉନାହାନ୍ତି, ହୋଟେଲରେ ବି ଯାଇ ଡିନର୍‌ ଖାଉନାହାନ୍ତି । ତୁ କ’ଣ ଚିରଦିନ ଏମିତି ହାତରେ ରାନ୍ଧି ଖାଉଥିବୁ ?

 

ମା’ କହନ୍ତି–ଗୋଟାଏ ବେଳା ମୁଠାଏ ଚାଉଳ ଫୁଟାଇନେବାପାଇଁ ମୋର ତ କଷ୍ଟ ହେଉନି ବାପା ! ଆଉ ଯେତେବେଳେ ବା ନିତାନ୍ତ ଅସମର୍ଥ ହୋଇପଡ଼ିବି, ସାନବୋହୂ କ’ଣ ଆସିଯାଇ ନଥିବ !

 

ଅପୂର୍ବ କହେ–ତା ହେଲେ ମା’ ! ଗୋଟାଏ ବ୍ରାହ୍ମଣ ପଣ୍ଡିତ ଘର ଝିଅ ନେଇ ଆସୁନୁ ! ଅବଶ୍ୟ ଖାଇବାକୁ ଦେବାର ସାମର୍ଥ୍ୟ ମୋର ନାହିଁ; କିନ୍ତୁ ତୋର ଏ କଷ୍ଟ ଦେଖିଲେ ମନହଉଛି-ବରଂ ଭାଇମାନଙ୍କର ଗଳଗ୍ରହ ହୋଇ କାମ ଚଳେଇ ନେବି ।

 

ମାତୃଗର୍ବରେ ଗର୍ବୋଦ୍ଦୀପ୍ତା ମା’ କହନ୍ତି–ଏମିତି କଥା ତୁ ମୁହଁରେ ଧରନା ଅପୁ ! ବୋହୂକୁ ଖାଇବାକୁ ଦବାର ସାମର୍ଥ୍ୟ କ’ଣ ତୋର ନାହିଁ ? ତୁ ଇଚ୍ଛାକଲେ ତ ଘରର ସମସ୍ତଙ୍କୁ ବସେଇ ଖାଇବାକୁ ଦେଇପାରିବୁ ।

 

‘‘ତୋର ସେମିତି କଥା ମା’ ! ତୋର ଧାରଣା-ତୋ ପୁଅ ପରି ପୁଅ ସାରା ଭାରତରେ ଯେମିତି କାହାର ନାହିଁ ।’’ କହି ଆଖି ଛଳଛଳ କରି ଅପୂର୍ବ ସେଠାରୁ ଖସି ଚାଲିଯାଏ ।

 

ନିଜ ଶକ୍ତି ସାମର୍ଥ୍ୟ ସମ୍ପର୍କରେ ଅପୂର୍ବ ଯାହା କହୁନା କାହିଁକି, କନ୍ୟାଭାରଗ୍ରସ୍ତ ଦଳ କିନ୍ତୁ ନିଶ୍ଚେଷ୍ଟ ନ ଥିଲେ । କରୁଣାମୟୀ ବି ମନେ ମନେ ଚିନ୍ତା କରନ୍ତି । ଗାଧୁଆ-ତୋଠରେ ଗୋଟିଏ ସୁଲକ୍ଷଣୀ କନ୍ୟା କେତେଦିନ ହେଲା ତାଙ୍କ ଆଖିରେ ପଡ଼ୁଥିଲା । ଝିଅଟି ତା ମା’ସଙ୍ଗେ ଗଙ୍ଗାରେ ସ୍ନାନ କରିବାପାଇଁ ଆସେ ! ଏମାନେ ଯେ ସ୍ଵ-ଜାତି, ଏ ସମ୍ବାଦ ସେ ଗୋପନରେ ସଂଗ୍ରହ କରିଥିଲେ । ଗାଧୋଇ ସାରି ଝିଅଟି ଶିବପୂଜା କରେ । କୋଉଠି ଭୁଲ୍‌କରୁଛି କି ନାହିଁ, କରୁଣାମୟୀ ତାର ଅଲକ୍ଷ୍ୟରେ ଦେଖନ୍ତି । ତାଙ୍କର ବାକୀ ଯାହା ଜାଣିବାର କଥା, ସେଥିପାଇଁ ବି ସେ ନିଶ୍ଚେଷ୍ଟ ନଥିଲେ । ତାଙ୍କର ଇଚ୍ଛାଥିଲା ସବୁକଥା ଯଦି ଅନୁକୂଳ ହୁଏ, ଆସନ୍ତା ବୈଶାଖ ମାସରେ ପୁଅର ସେଇଠି ବିବାହ କରିବେ ।

 

ଏଇ ସମୟରେ ଦିନେ ଅପୂର୍ବ ଆସି ଅକସ୍ମାତ୍‌ ସମ୍ବାଦ ଦେଲା-ମା’ ! ମୁଁ ଗୋଟିଏ ଭଲ ଚାକିରି ପାଇଛି ।

 

ମା’ ଖୁସି ହୋଇ କହିଲା–ଏଇ ତ ସେଦିନ ପାସ୍‌କଲୁ, ଏତେ ଅଳ୍ପ ଦିନ ଭିତରେ ତତେ ଚାକିରି କିଏ ଦେଲା ?

 

ଅପୂର୍ବ ହସି ହସି କହିଲା–ଯା’ର ଦରକାର । ଏହାପରେ ସେ ସମସ୍ତ ଘଟଣାର ବିବରଣୀ ଦେଇ କହିଲା ଯେ, ତାଙ୍କ କଲେଜର ପ୍ରିନ୍‌ସିପାଲ ତା’ପାଇଁ ଏଇ ଚାକିରି ଯୋଗାଡ଼ କରି ଦେଇଛନ୍ତି । ବୋଥା, କମ୍ପାନୀର ବର୍ମାସ୍ଥ ରେଙ୍ଗୁନ୍‌ ସହରରେ ଗୋଟାଏ ନୂଆ ଅଫିସ ଖୋଲିଛି । ସେମାନେ ଜଣେ ବିଦ୍ଵାନ୍‌, ବୁଦ୍ଧିମାନ୍‌ ଓ ସଚ୍ଚରିତ୍ର ଭାରତୀୟ ଯୁବକଙ୍କୁ ସମସ୍ତ କର୍ତ୍ତୃତ୍ଵ ଦେଇ ପଠାଇବାକୁ ଚାହାଁନ୍ତି । ବସାଘର ଭଡ଼ା ବ୍ୟତୀତ ଦରମା ଚାରିଶହ ଟଙ୍କା ଏବଂ ମୁଁ ଚେଷ୍ଟାକରି ମଧ୍ୟ ଯଦି କମ୍ପାନୀର ଲାଲ୍‌ବତି ନ ଜଳେ, ତେବେ ଛଅ ମାସ ପରେ ଆଉ ଦୁଇଶହ ଟଙ୍କା ଅଧିକା ଦେବେ । ଏହା କହି ସେ ହସିବାକୁ ଲାଗିଲା; କିନ୍ତୁ ବର୍ମା କଥା ଶୁଣି ମା’ଙ୍କ ମୁହଁ କଳାପଡ଼ିଗଲା । ସେ ଆଗ୍ରହ ନ ଦେଖାଇ କହିଲେ–ତୁ କଣ ପାଗଳ ହେଲୁ ଅପୁ ? ସେଠିକି କଣ ମଣିଷ ଯାଆନ୍ତି ! ଯେଉଁଠି ଜାତି, କୁଳ, ଆଚାର ବିଚାର କିଛି ନାହିଁ, ସେଠିକି ତତେ ମୁଁ କୋଉ ସାହସରେ ପଠାଇବି-? ଏମିତିକା ଟଙ୍କା ମୋର ଲୋଡ଼ା ନାହିଁ ।

 

ମା’ଙ୍କ ଆପତ୍ତି ଶୁଣି ଅପୂର୍ବ ଭୟରେ କହିଲା–ତୋର ସିନା ଲୋଡ଼ାନାହିଁ, କିନ୍ତୁ ମୋର ତ ଲୋଡ଼ା ମା’ ! ଅବଶ୍ୟ ତୁ ଯଦି ବାଧ୍ୟ କରିବୁ, ମୁଁ ଜୀବନ ସାରା ଭିଖାରୀ ହୋଇ ରହିବାକୁ ରାଜି ଅଛି; କିନ୍ତୁ ଏମିତି ସୁଯୋଗ କଣ ଆଉ ମିଳିବ ?

 

ମା’ କହିଲେ–କିନ୍ତୁ ମୁଁ ତ ଶୁଣିଛି ସେଇଟା ଏକାବେଳକେ ମ୍ଳେଚ୍ଛ ରାଜ୍ୟ ।

 

ଅପୂର୍ବ କହିଲା–କିଏ ତତେ ଏ ସବୁ ବାଜେକଥା କହିଲା ? ଏଇଟା ତ ଆମର ମ୍ଳେଚ୍ଛ ଦେଶ ନୁହେଁ; କିନ୍ତୁ ଯିଏ ମ୍ଳେଚ୍ଛ ହେବାକୁ ଚାହିଁବ, ତା ପାଇଁ ତ ବାଧା ନାହିଁ ?

 

ମା’ କିଛି ସମୟ ଛାଡ଼ି କହିଲେ–କିନ୍ତୁ ଏଇ ବୈଶାଖ ମାସରେ ତୋର ବାହାଘର କରିବି ବୋଲି ଭାବିଛି ।

 

ଅପୂର୍ବ କହିଲା–ତୁ କ’ଣ ଏକାବେଳେ ଠିକ୍‌ କରି ଦେଇଛୁ ମା ? ଆଚ୍ଛା, ମାସେ ଦି’ ମାସ ଘୁଞ୍ଚେଇ ଦେବାର ବ୍ୟବସ୍ଥା କର, ମୁଁ ଛୁଟିରେ ଆସିଲେ ଦେଖିଯିବି ।

 

କରୁଣାମୟୀ ବାହାରକୁ ପୁରୁଣାକାଳିଆ ହେଲେ ମଧ୍ୟ ଅତ୍ୟନ୍ତ ବୁଦ୍ଧିମତୀ । ସେ ଅନେକ ସମୟ ଚିନ୍ତାକରି କହିଲେ–ନିହାତି ଯଦି ଯିବୁ ବୋଲି କହୁଚୁ, ତେବେ ଯା । କିନ୍ତୁ ବଡ଼ଭାଇମାନଙ୍କୁ ପଚାର ।

 

ଏଇ ବର୍ମାଯାତ୍ରା ସମ୍ପର୍କରେ ଆଉ ଦୁଇଟି ସନ୍ତାନଙ୍କ ମତ ସମ୍ପର୍କରେ କହିଲାବେଳେ କରୁଣାମୟୀଙ୍କର ଅତୀତ ଓ ବର୍ତ୍ତମାନର ସମସ୍ତ ପ୍ରଚ୍ଛନ୍ନ ବେଦନା ଯେପରି ଏକାବେଳକେ ଆଲୋଡ଼ିତ ହୋଇଉଠିଲା । ସେ କିନ୍ତୁ ତାକୁ ପ୍ରକାଶ କଲେନାହିଁ । ତାଙ୍କର ବାପଘର ଗୌଡ଼ପୋଖରୀର ନାଁ ଥିବା ସାଆନ୍ତ ବ୍ରାହ୍ମଣବଂଶରେ । ପିଲାଦିନୁ ଯେ ସଂସ୍କାର ତାଙ୍କର ହୃଦୟରେ ବଦ୍ଧମୂଳ ହୋଇଥିବା; ପରବର୍ତ୍ତୀକାଳରେ ତା ପାଇଁ ତାଙ୍କୁ ବହୁବାର ସ୍ଵାମୀ ଓ ପୁଅମାନଙ୍କ ହାତରେ ଲାଞ୍ଛିତ ହେବାକୁ ପଡ଼ିଛି । କେବଳ ଏଇ ଅପୂର୍ବ ପାଇଁ ସେ କୌଣସିମତେ ଆଜି ପର୍ଯ୍ୟନ୍ତ ଘରେ ଚଳିଆସୁଥିଲେ । ଆଜି ସେ ମଧ୍ୟ ତାଙ୍କଠାରୁ ବିଦାୟ ନେଇ ଏକ ଅଜଣା ଦେଶକୁ ଯିବାକୁ ବାହାରେ-। ଏଇ କଥା ଭାବି ତାଙ୍କର ଭୟ ଓ ଭାବନାର ସୀମା ନ ଥିଲା । କେବଳ ମୁହଁରେ କହିଲେ–‘‘ଯେ କେତେଟା ଦିନ ଆଉ ବଞ୍ଚିବି ଅପୁ, ତୁ ମତେ ଦୁଃଖ-ଦେଲେ ସହପାରିବିନି ।’’ ଏତିକି କହି ପଣତରେ ଆଖିରୁ ଲୁହ ପୋଛି ପକାଇଲେ ।

 

ଅପୂର୍ବର ଆଖି ମଧ୍ୟ ସଜଳ ହୋଇଉଠିଲା; ସେ ପ୍ରତ୍ୟୁତ୍ତରରେ କହିଲା–ମା, ତୁ ଆଜି ବଞ୍ଚିଛୁ; କିନ୍ତୁ ଦିନେ ତତେ ସେ ପୁରର ଡାକ ଆସି ପହଞ୍ଚିବ । ସେଦିନ ତତେ ଅପୁକୁ ଛାଡ଼ି ଚାଲିଯିବାକୁ ହେବ; କିନ୍ତୁ ମୁଁ ଏପରି କିଛି କରିବିନି ଯାହାପାଇଁ ତୁ ସେ ପୁରରେ କ୍ଷଣେ ହେଲେ ବସି ମୋ ପାଇଁ ଲୁହ ଢାଳିବୁ । ଏହା କହି ସେ ଦ୍ରୁତବେଗରେ ଅନ୍ୟତ୍ର ଚାଲିଗଲା ।

 

ସେଦିନ ସନ୍ଧ୍ୟାବେଳେ କରୁଣାମୟୀ ତାଙ୍କର ନିୟମିତ ଆହ୍ନିକ ଓ ଜପତପରେ ମନସଂଯୋଗ କରି ପାରିଲେ ନାହିଁ । କଣ କରିବେ ସ୍ଥିର କରି ନ ପାରି ସେ ତାଙ୍କ ବଡ଼ପୁଅ ବିନୋଦକୁମାରଙ୍କ ଦ୍ଵାର ପାଖେ ଆସି ନିଃଶବ୍ଦରେ ଠିଆହେଲେ । ବିନୋଦକୁମାର କଚେରିରୁ ଫେରି ଜଳଖିଆ ଖାଇ ସାନ୍ଧ୍ୟପୋଷାକ ପିନ୍ଧି କ୍ଳବ୍‌କୁ ବାହାରିଥିଲେ; ହଠାତ୍‌ ମା’ଙ୍କୁ ଦେଖି ଚମକିପଡ଼ିଲେ । ବସ୍ତୁତଃ ଏ ଘଟଣା ଏପରି ଅପ୍ରତ୍ୟାଶିତ ଯେ ତାଙ୍କ ମୁହଁରୁ କଥା ବାହାରିଲା ନାହିଁ-

 

କରୁଣାମୟୀ କହିଲେ–ତତେ ଗୋଟାଏ କଥା ପଚାରିବାକୁ ଆସିଛି ବିନୁ !

 

-କଣ ମା ?

 

ମା ଆସିବା ପୂର୍ବରୁ ଆଖିରୁ ଲୁହ ପୋଛି ଆସିଥିଲେ; କିନ୍ତୁ ତାଙ୍କ ଆର୍ଦ୍ରକଣ୍ଠ ଗୋପନ ରହିଲା ନାହିଁ । ସେ ଅନୁପୂର୍ବିକ ସମସ୍ତ ଘଟଣା ବର୍ଣ୍ଣନା କରି ଶେଷରେ ଅପୂର୍ବର ମାସିକ ବେତନର ପରିମାଣ ମଧ୍ୟ ଉଲ୍ଲେଖ କରି ଶୁଷ୍କମୁଖରେ କହିଲେ–ସେଥିପାଇଁ ଭାବୁଛି ବାପା, ଏଇ କେତେଟା ଟଙ୍କା ଲୋଭରେ ଅପୂର୍ବକୁ ସେଠାରୁ ପଠେଇବି କି ନାହିଁ ।

 

ସେତେବେଳକୁ ବିନୋଦଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲାଣି । ସେ ରୁକ୍ଷ ସ୍ଵରରେ କହିଲେ–ମା, ତୋର ଅପୂର୍ବ ପରି ପୁଅ ସାରାଭାରତରେ ନାହିଁ, ସେ କଥା ମତେ ଜଣାଅଛି । କିନ୍ତୁ ଏକଥା ମାନିବାକୁ ହେବ ଯେ ପ୍ରଥମେ ଚାରିଶ ଏବଂ ଛମାସପରେ ଛଶ’ ଟଙ୍କା ଅପୂର୍ବର ଦାମ୍‌ରୁ ଯଥେଷ୍ଟ ବେଶି ।

 

ମା’ କ୍ଷୂର୍ଣ୍ଣହୋଇ କହିଲେ–କିନ୍ତୁ ମୁଁ ଯେ ଶୁଣିଛି ସେଇଟା ସଂପୂର୍ଣ୍ଣ ମ୍ଳେଚ୍ଛ ଦେଶ ।

 

ବିନୋଦ ସେଇପରି ରାଗି କହିଲେ–ମା, ଜଗତରେ ତୋର ଶୁଣିବା ଓ ଜାଣିବାଟା ତ ଅଭ୍ରାନ୍ତ ସତ୍ୟ ନୁହେଁ ।

 

ପୁଅର କଥା ଶୁଣି କରୁଣାମୟୀଙ୍କ ମନରେ ଅତ୍ୟନ୍ତ କଷ୍ଟ ହେଲା । ସେ କହିଲେ–ବାପ ବିନୁ, ଏଇ ଗୋଟାଏ କଥା ତମମାନଙ୍କ ଜ୍ଞାନ ହେଲା ଦିନଠୁ ଶୁଣି ଶୁଣି ମୋର ଯେତେବେଳେ ବୃଦ୍ଧି ହେଲାନି, ଆଉ ଏ ବୟସରେ ଏକଥା କହି ଲାଭ କଣ ?

 

ବିନୋଦବାବୁ ନଇଁପଡ଼ି ମା’ଙ୍କ ପାଦ ଛୁଇଁ କହିଲେ–ମା’ ! ତତେ ଦୁଃଖ ଦେବା ପାଇଁ କଣ ମୁଁ ଏ କଥା କହୁଥିଲି ?

 

ମୁଁ ମ୍ଳେଚ୍ଛ ହେଲେ ମଧ୍ୟ ଏମିତି ସାହେବ ହୋଇଯାଇନି ଯେ ସାନଭାଇକୁ ଖାଇବାକୁ ଦେବା ଭୟରେ ସ୍ଥାନ କାଳ ପାତ୍ର ନ ବିଚାର ପଠାଇଦେବି । ତଥାପି କହୁଛି, ସେ ଯାଉ । ତୁ ତ ଜାଣୁ ମା, ସେଇ ସ୍ଵଦେଶୀ ଗଣ୍ଡଗୋଳ ବେଳକୁ ଅପୁ ମେଞ୍ଚଡ଼ ଟୋକାଟାଏ, ହେଲେ ତାରି ଯୋଗୁ ବାପାଙ୍କ ଚାକିରି ଚାଲିଯିବା ଉପରେ ଥିଲା ।

 

କରୁଣାମୟୀ ଶଙ୍କିତ ହୋଇ କହିଲେ–ନା, ନା, ଅପୁ ତ ଆଉ ସେ ସବୁରେ ନାହିଁ । ସାତ ଆଠ ବର୍ଷ ତଳେ ସେତେବେଳେ ତାର ବା ବୟସ କେତେ । କେବଳ ସାଙ୍ଗସାଥୀଙ୍କ ବୋଲରେ ପଡ଼ି.....

 

ବିନୋଦବାବୁ ଟିକିଏ ହସି କହିଲେ–ହୁଏତ ମା’ ତୋର କଥା ଠିକ୍ । ଅପୂର୍ବ ଏବେ ଆଉ ସେ ସବୁ କରୁନି । କିନ୍ତୁ ସବୁ ଦେଶରେ କେତେ ଜଣ ଲୋକଥାନ୍ତି, ଯେଉଁମାନଙ୍କ ଜାତି ଅଲଗା । ତୋ ଅପୁଟି ସେଇ ଜାତିର । ଦେଶର ମାଟି ଏମାନଙ୍କ ଦେହର ମାଂସ, ଦେଶର ପାଣି ଏମାନଙ୍କ ଶିରାର ରକ୍ତ । ଦେଶ କଥା ପଡ଼ିଲେ ଏମାନେ ସମସ୍ତଙ୍କୁ ଛାଡ଼ିବାକୁ ରାଜି । ଏମାନଙ୍କର ବଞ୍ଚିବା ଆଉ ମରିବା ଭିତରେ ଏତିକି ଟିକିଏ ପ୍ରଭେଦ କହି ବିନୋଦବାବୁ ତର୍ଜ୍ଜନୀର ଅଗ୍ରଭାଗକୁ ବୁଢ଼ା ଅଙ୍ଗୁଠିଦ୍ଵାରା ଦେଖାଇଲେ । ବରଂ ମା’ ସେ ଦିଗରୁ ତୋର ଚିତାଚଇତନଧାରୀ ଗୀତାପଢ଼ା ଏମ୍. ଏସ୍-ସି. ପାଶ୍-କରା ଅପୂର୍ବ ଅପେକ୍ଷା ମୁଁ ବେଶି ଆପଣାର ।

 

ପୁଅର ସବୁ କଥା ଯେ ମା ବିଶ୍ଵାସ କଲେ ତା ନୁହେଁ; କିନ୍ତୁ ଥରେ ତାଙ୍କୁ ଏଇଥିପାଇଁ ବହୁ ଉତ୍କଣ୍ଠାର ସମ୍ମୁଖୀନ ହେବାକୁ ପଡ଼ିଛି । ଦେଶ ଭିତରେ ଏଇପରି ଗୋଟାଏ ଗଣ୍ଡଗୋଳ ହେବା କଥା ସେ ଜାଣନ୍ତି । ତାଙ୍କର ମନେପଡ଼ିଲା-ସେତେବେଳେ ଅପୂର୍ବର ବାପା ବଞ୍ଚିଥିଲେ, ଏବେ ତ ସେ ନାହାନ୍ତି ।

 

ବିନୋଦବାବୁ ମା’ଙ୍କ ମୁହଁକୁ ଚାହିଁ ରହିଲେ । କିନ୍ତୁ ତାଙ୍କର ଜଲଦି ବାହାରକୁ ଯିବାର ଅଛି । ତେଣୁ କହିଲେ–ହଉ ମା, ଅପୁତ କାଲି ଯାଉନି । ସମସ୍ତେ ବସି ବୁଝି ବିଚାର ଯାହା ଗୋଟାଏ ଠିକ୍‌ କରିବା । ଏହା କହି ସେ ଦ୍ରୁତବେଗରେ ବାହାରିଗଲେ ।

 

ଦୁଇ

 

ଅପୂର୍ବ ଜାହାଜରେ ଚୁଡ଼ା, ସନ୍ଦେଶ ଖାଇ ଓ ପାଣି ପିଇ, ସର୍ବାଙ୍ଗୀନ ବ୍ରାହ୍ମଣତ୍ଵ ରକ୍ଷା କରି ଅର୍ଦ୍ଧମୃତ ଅବସ୍ଥାରେ କୌଣସିମତେ ଯାଇ ରେଙ୍ଗୁନ୍‌ ବନ୍ଦରରେ ପହଞ୍ଚିଲା । ନବ-ପ୍ରତିଷ୍ଠିତ ବୋଥା କମ୍ପାନୀର ଦୁଇଜଣ ଦରୱାନ୍ ଓ ଜଣେ ମାନ୍ଦ୍ରାଜୀ କର୍ମଚାରୀ ତାକୁ ପାଛୋଟି ନେବା ପାଇଁ ଆସିଥିଲେ । ସେମାନେ ନୂଆ ମ୍ୟାନେଜରଙ୍କୁ ସାଦର ସମ୍ବର୍ଦ୍ଧନା ଜଣାଇଲେ । ସେମାନେ ଯେ ତିରିଶ ଟଙ୍କା ଦେଇ ଘରଭଡ଼ା କରି, ଅଫିସ୍‌ର ଖର୍ଚ୍ଚରେ ଆସବାବ୍‌ପତ୍ର କିଣି ସେ ଘରେ ରଖିଛନ୍ତି, ଏ ଖବର ବି ଦେଲେ ।

 

ଫାଲ୍‌ଗୁନ ମାସ ଶେଷ ହେଇଗଲାଣି । ଗରମ ପ୍ରାୟ ପଡ଼ିଗଲାଣି । ସମୁଦ୍ରଯାତ୍ରାର ପ୍ରାଣାନ୍ତ ବିଡ଼ମ୍ବନା ଭୋଗ ପରେ ଏକୁଟିଆ ଘରେ ଯାଇ ସଜ୍ଜିତ ଶଯ୍ୟାରେ ଟିକିଏ ବିଶ୍ରାମ କରିବାର କଳ୍ପନା କରି ଅପୂର୍ବ ତୃପ୍ତି ଅନୁଭବ କଲା । ରୋଷେୟା ବ୍ରାହ୍ମଣ ସାଙ୍ଗରେ ଆସିଥିଲା । ତାପରେ ଖାଲି ରୋଷେୟା ନୁହେଁ, ରାନ୍ଧିବା ପାଇଁ କିଛି ଚାଉଳ, ଜାଇ, ଗୁଣ୍ଡ ମସଲା, ଆଳୁ ପୋଟଳ ପର୍ଯ୍ୟନ୍ତ ମା’ ସାଙ୍ଗରେ ଦେଇଥିଲେ । ତେଣୁ ଇଷଦୁଷ୍ଣ ଭାତ, ଡାଲି ଓ ତରକାରି ଦ୍ଵାରା ଶୁଖିଲା ଚୂଡ଼ାର ସ୍ଵାଦଟାକୁ ଭୁଲିଯିବାର ଆଶା ଅପୂର୍ବର ମନରେ ଯେ ଜାତ ହୋଇ ନଥିଲା, ତା ନୁହେଁ । ଭଡ଼ାଗାଡ଼ି ଆସିବା ପରେ କର୍ମଚାରୀମାନେ ଚାଲିଗଲେ, କେବଳ ଅଫିସ୍‌ର ଦରୱାନ୍‌ ବେଡ଼ିଂ, ଜିନିଷପତ୍ର ନେଇ ତା’ସାଥିରେ ବାଟ ଦେଖାଇବା ପାଇଁ ଚାଲିଲା । କିନ୍ତୁ ଦଶମିନିଟ୍‌ପରେ ଗାଡ଼ି ଯେତେବେଳେ ଦୁଆରମୁହଁରେ ପହଞ୍ଚିଲା ଓ ଦରୱାନ୍‌ ଜିନିଷପତ୍ର ଥୋଇ ଦେଇ ଚାଲିଗଲା, ତାର ତିରିଶ ଟଙ୍କିଆ ଘରର ରୂପ ଦେଖି ଅପୂର୍ବର ବୁଦ୍ଧି ହଜିଗଲା । ଘର ଆଗରେ ବୈଠକଖାନା ନାହିଁ, ପ୍ରଶସ୍ତ ଶୋଇବାଘର ନାହିଁ, ଅଗଣା କହିଲେ ଯିବା ଆସିବା ବାଟ ଛଡ଼ା ଜାଗା ନାହିଁ । ଛଅଟି ଭଡ଼ାଟିଆ ପରିବାରର ଗୋଟାଏ ଅନ୍ଧାରୁଆ ଶିଡ଼ି ପ୍ରଧାନ ଚଳାଚଳ ପଥ । ଶିଡ଼ିର ଏଇ ଉଠାଣି ଗଡ଼ାଣିରେ ଗୋଡ଼ ଖସିଲେ ପ୍ରଥମେ ରାଜପଥ, ତାପରେ ଡାକ୍ତରଖାନା ଏବଂ ତୃତୀୟ ଗତି ସଂପର୍କରେ ନ ଭାବିବା ଭଲ । ଏଇ ଦୁରାରୋହ ଦାରୁମୟ ସୋପାନଶ୍ରେଣୀ ସହିତ ପରିଚିତ ହେବାପାଇଁ ସମୟ ଲାଗିବ-ଏଇ କଥା ଭାବି ଅପୂର୍ବ ଅତି ସତର୍କତାର ସହ ପାଦ ଚିପିଚିପି ଦରୱାନ୍‌ର ପଛେ ପଛେ ଉଠିବାକୁ ଲାଗିଲା । ଦରୱାନ୍‌ କିଛି ବାଟ ଉଠି ଡାହାଣ ଦିଗକୁ ଦୋତାଲାର ଗୋଟିଏ ଦୁଆର ଖୋଲିଦେଇ କହିଲା–ସାହେବ, ଏଇ ଆପଣଙ୍କ ଘର ।

 

ଘରର ସାମନାସାମନି ବାଁ ପଟରେ ବନ୍ଦଥିବା ଦ୍ଵାରଟା ଦେଖାଇ ଅପୂର୍ବ ପଚାରିଲା–ଏ ଘରେ କିଏ ରହେ ?

 

ଦରୱାନ୍‌ କହିଲା–କୋଇ ଏକ୍‌ ଚୀନା ସାହାବ୍‌ ରହତେ ହେଁ, ଶୁନା ।

 

ଅପୂର୍ବ ପଚାରିଲା–ଘର ଉପରେ ଦୋତାଲାରେ କିଏ ରହେ ?

 

ଦରୱାନ୍‌ କହିଲା–ଏକ୍‌ କାଲା ସାହେବତୋ ରହତେ ହେଁ, ଦେଖା । କୋଇ ମାନ୍ଦ୍ରାଜବାଲେ ହୋୟେଙ୍ଗେ ଜରୁର୍ ।

 

ପ୍ରତିବେଶୀମାନଙ୍କ ପରିଚୟ ଶୁଣି ଅପୂର୍ବ ଦୀର୍ଘନିଃଶ୍ୱାସ ତ୍ୟାଗ କଲା । ନିଜ ଘର ଭିତରେ ପଶି ତା ମନ ଆହୁରି ଖରାପ ହୋଇଗଲା । କାଠପଟା ବାଡ଼ଦିଆ ଛୋଟ ବଡ଼ ତିନୋଟି କୋଠରି । ଗୋଟିଏ ଘରେ ପାଣିକଳ, ଗାଧୁଆଘର ଓ ରନ୍ଧାରନ୍ଧି ପାଇଁ ବ୍ୟବସ୍ଥା । ମଝି ଘରଟି ଅନ୍ଧାରୁଆ ଶିଡ଼ିଘର; ଗୌରବରେ ବା ବୈଠକଖାନା କୁହାଯାଇପାରେ । ଶେଷକୁ ରାସ୍ତାପାଖ ଘରଟି ଅପେକ୍ଷାକୃତ ଆଲୋକିତ ଓ ପରିଷ୍କୃତ, ଏଇଟି ଶୟନକକ୍ଷ । ଅଫିସ ଖର୍ଚ୍ଚରେ ଏଇ ଘରଟିରେ ଖଟ, ଟେବୁଲ୍‌ ଓ କେତୋଟି ଚଉକି ପଡ଼ିଛି । ଘରର ସବୁ ଅଂଶ-ଚଟାଣ, କାନ୍ଥ, ଛାତ ପ୍ରଭୃତି କାଠରେ ତିଆରି । ନିଆଁ କଥା ଭାବିଲେ ମନେ ହେବ ଯେ, ରାଜା ଦୁର୍ଯ୍ୟୋଧନ ବୋଧହୁଏ ତାଙ୍କ ପାଣ୍ଡବ ଭାଇମାନଙ୍କ ପାଇଁ ଏପରି ସର୍ବାଙ୍ଗସୁନ୍ଦର ଜତୁଗୃହ ତିଆରି କରି ନ ଥିବେ । ନିଜକୁ ସମ୍ଭାଳି ନେଇ କିଛି ସମୟ ଏ ଘର ସେ ଘର ହେଲା ପରେ ସେ ଦେଖିଲା ଯେ କଳରେ ସେ ପର୍ଯ୍ୟନ୍ତ ପାଣି ଅଛି, ଗାଧୁଆ ଓ ରନ୍ଧାରନ୍ଧି ହୋଇପାରିବ । ଦରୱାନ୍‌ ଦମ୍ଭଦେଇ କହିଲା ଯେ, ନିହାତି ଅପବ୍ୟୟ ନ କଲେ ଏ ଘରେ ପାଣିର ଅଭାବ ହେବ ନାହିଁ; କାରଣ ପ୍ରତି ଦୁଇଜଣ ଭଡ଼ାଟିଆଙ୍କ ପାଇଁ ଗୋଟାଏ ଲେଖାଏଁ ପାଣିକୁଣ୍ଡ ଘର ଉପରେ ଅଛି । ତେଣୁ ଦିନରାତି କଳରୁ ପାଣି ମିଳିବ । ଅପୂର୍ବ ରୋଷେୟାକୁ କହିଲା–ମା ତ ସାଥିରେ ସବୁ ଦେଇଛନ୍ତି, ତମେ ଶୀଘ୍ର ଗାଧୋଇ ରନ୍ଧାରନ୍ଧିର ବ୍ୟବସ୍ଥା କର । ମୁଁ ଦରୱାନ୍‌କୁ ନେଇ ଘରଟା ଟିକିଏ ପରିଷ୍କାର କରିଦିଏ ।

 

ରୋଷେଇଘରେ କୋଇଲା ଜମା ଥିଲା; କିନ୍ତୁ ଚୁଲିରେ ରାନ୍ଧିବାର ଚିହ୍ନ ସ୍ଵରୁପ କଳାଦାଗ ଅଛି । ଲିପାପୋଛା ହୋଇନାହିଁ । କିଏ ଜାଣେ କିଏ ଏ ଘରେ ଥିଲା, ସେ କୋଉ ଜାତିର-। ଏୟା ଭାବି ଅପୂର୍ବର ଘୃଣା ଜାତ ହେଲା । ସେ କହିଲା–ଏ ଚୁଲିରେ ତ ରାନ୍ଧିଲେ ଚଳିବନି ତେଓ୍ୱାରୀ, ତମେ ବରଂ ଉଠାଚୁଲିରେ ଆଜି ପାଇଁ ବ୍ୟବସ୍ଥା କର । ଏଠି କ’ଣ ଉଠାଚୁଲି ମିଳିବ ?

 

ଦରୱାନ୍‌ କହିଲା ଯେ କୌଣସି ଜିନିଷ ଅଭାବ ନାହିଁ, ଟଙ୍କା ଦେଲେ ସେ ଦଶମିନଟ୍‌ ଭିତରେ ନେଇ ଆସି ପାରିବ । ଦରୱାନ୍‌ ଟଙ୍କା ନେଇ ଚାଲିଗଲା । ତେୱାରୀ ରାନ୍ଧିବା ପାଇଁ ବ୍ୟବସ୍ଥା କରିବାରେ ଲାଗିଲା ଓ ଅପୂର୍ବ ଟ୍ରଙ୍କ୍‌, ସୁଟକେଶ୍‌ ପ୍ରଭୃତି ଯଥାସ୍ଥାନରେ ରଖିବାରେ ଲାଗିଲା-। ଅଳଗୁଣୀରେ ସାର୍ଟ ପ୍ୟାଣ୍ଟ୍‌ ଥୋଇ ଦେଇ ବିଛଣା ଖୋଲି ଖଟ ଉପରେ ବିଛେଇ ଦେଲା-। ଟ୍ରଙ୍କରୁ ଗୋଟାଏ ନୂଆ ଟେବୁଲକ୍ଲଥ୍‌ ବାହାର କରି ଟେବୁଲ୍‌ରେ ପକାଇଲା ଓ ବହି କାଗଜ ପ୍ରଭୃତି ସଜାଇ ରଖିଲା । ଉତ୍ତର ଦିଗକୁ ଥିବା ଝରକାଟା ସମ୍ପୂର୍ଣ୍ଣ ଖୋଲିଦେବାରୁ ଘରକୁ ଆଲୁଅ ଓ ପବନ ଆସିଲା-। ଅପୂର୍ବତୃପ୍ତି ସହକାରେ ଚିତ୍‌ହୋଇ ଖଟ ଉପରେ ଲମ୍ବଭାବେ ପଡ଼ିଗଲା । କିଛି ସମୟ ପରେ ଦରୱାନ୍‌ ଲୁହା ଚୁଲି କିଣି ନେଇ ଆସିଲା । ଖେଚୁଡ଼ି ଓ ଭଜାଭଜି କରିବା ପାଇଁ ତେୱାରିକୁ ବରାଦ୍‌ ଦେଲାପରେ ଅପୂର୍ବର ମନେପଡ଼ିଲା ମା’ କହିଥିଲେ ପହଞ୍ଚିଲା ମାତ୍ରେ ଟେଲିଗ୍ରାମ୍‌ କରି ଜଣାଇବାକୁ । ତେଣୁ ସେ ଶୀଘ୍ର ସାର୍ଟଟା ଗଳାଇ ପକାଇ ଦରୱାନ୍‌କୁ ଧରି ପୋଷ୍ଟ ଅଫିସକୁ ବାହାରିଲା । ତେୱାରୀକୁ କହିଗଲା ଯେ ସେ ଖୁବ୍‌ଶୀଘ୍ର ଫେରିଆସିବ, ଖାଇବା ପାଇଁ ଯେମିତି ଜଲ୍‌ଦି ତିଆରି ହୁଏ ।

 

ସେ ଦିନ କି ଗୋଟାଏ ଖ୍ରୀଷ୍ଟିୟାନ୍‌ ପର୍ବ ଥିଲା । ଅପୂର୍ବ ରାସ୍ତାର ଦୁଇ ପାଖକୁ ଚାହିଁ ଚାହିଁ କିଛି ବାଟ ଅଗ୍ରସର ହେଲାପରେ ବୁଝିଲା ଯେ ଏଇ ଗଳିଟା ଦେଶୀ ଓ ବିଦେଶୀ ମେମ୍‌ସାହେବମାନଙ୍କ ପଡ଼ା ଏବଂ ପ୍ରତ୍ୟେକ ଘରେ ବିଲାତୀ ଉତ୍ସବର ଚିହ୍ନ । ଅପୂର୍ବ ପଚାରିଲା–ଅଚ୍ଛା ଦରୱାନ୍‌ଜୀ, ଏଠି ତ ଅନେକ ବଙ୍ଗାଳୀ ଅଛନ୍ତି ବୋଲି ଶୁଣିଛି; ସେମାନେ ସବୁ କୋଉଠି ରହନ୍ତି । ଦରୱାନ୍‌ ଉତ୍ତର ଦେଲା ଯେ ଏଠି ସେମିତି ଠିକ୍‌ଠିକଣା ନାହିଁ, ଯାହାର ଯେଉଁଠି ମନ ହେଲା, ସେ ସେଇଠି ରହିଲା । ତେବେ ‘ଅଫିସର ଲୋଗ୍‌’ ଏଇ ସାଇକୁ ବେଶି ପସନ୍ଦ କରନ୍ତି । ଅପୂର୍ବ ନିଜେ ‘ଅଫିସର ଲୋଗ୍‌’ କାରଣ ସେ ବି ବଡ଼ ଚାକିରି କରି ଏ ଦେଶକୁ ଆସିଛି । ନିଜେ ନୈଷ୍ଠିକ ହିନ୍ଦୁ ରୂପେ ଚଳୁଥିଲେ ବି ତାର କୌଣସି ଧର୍ମ ପ୍ରତି ବିଦ୍ଵେଷ ନଥିଲା; କିନ୍ତୁ ଏପରି ଉପରେ ତଳେ, ବାଁ ଡାହାଣ, ବସା ଭିତରେ ଓ ବାହାରେ ଖ୍ରୀଷ୍ଟିୟାନ୍‌ ପ୍ରତିବେଶୀ ଦେଖି ତାର ବିତୃଷ୍ଣା ଜାତହେଲା । ସେ ପଚାରିଲା–ଦରୱାନ୍‌ଜି, ଆଉ କଣ କୋଉଠି ବସା ମିଳିବ ନାହିଁ ?

 

ଦରୱାନ୍‌ଏ କାମରେ ଯଥେଷ୍ଟ ପାରଦର୍ଶୀ ନୁହେଁ । ସେ ଚିନ୍ତାକରି ଯାହା ସଙ୍ଗତ ବୋଧକଲା, ତାହାହିଁ ଉତ୍ତରଦେଲା । କହିଲା–ଖୋଜିଲେ ହୁଏତ ମିଳିପାରେ; କିନ୍ତୁ ଏଇ ଭଡ଼ାରେ ଏଭଳି ଘର ମିଳିବା କଷ୍ଟ । ଅପୂର୍ବ ଆଉ ଏ ସମ୍ପର୍କରେ ଆଲୋଚନା ନ କରି ଦରୱାନ୍‌ର ବଜେଇବା ଅନୁଯାୟୀ ଯେତେବେଳେ ବହୁତ ବାଟ ଚାଲିଲା ପରେ ବ୍ରାଞ୍ଚ ପୋଷ୍ଟ ଅଫିସରେ ପହଞ୍ଚିଲା ସେତେବେଳକୁ ମାନ୍ଦ୍ରାଜୀ ତାରବାବୁ ଟିଫିନ୍‌ କରି ଯାଇଛନ୍ତି । ଘଣ୍ଟାଏ ପରେ ତାଙ୍କର ଦେଖାମିଳିଲା, କିନ୍ତୁ ସେ କହିଲେ ଛୁଟି ଦିନରେ ଦୁଇଟା ପରେ ଅଫିସ ବନ୍ଦ ହୋଇଯିବା କଥା ଏବଂ ବର୍ତ୍ତମାନ ଦୁଇଟା ବାଜି ପନ୍ଦର ମିନିଟ୍‌ ହେଲାଣି ।

 

ଅପୂର୍ବ ବିରକ୍ତ ହୋଇ କହିଲା–ସେ ଦୋଷ ତୁମର, ମୋର ନୁହେଁ । ମୁଁ ଘଣ୍ଟାଏ ହେଲା ଅପେକ୍ଷା କରିଛି ।

 

ଲୋକଟା ଅପୂର୍ବର ମୁହଁକୁ ଚାହିଁ ନିଃସଙ୍କୋଚ ଭାବେ କହିଲା–ନା, ମୁଁ ମାତ୍ର ଦଶମିନଟ୍‌ ପାଇଁ ନ ଥିଲି । ଅପୂର୍ବ ତା ସାଥିରେ ଯୁକ୍ତି କଲା, ମିଥ୍ୟାବାଦୀ ବୋଲି ଗାଳି ଦେଲା, ରିପୋର୍ଟ କରିବ ବୋଲି ଭୟ ଦେଖାଇଲା; କିନ୍ତୁ କିଛି ଫଳ ହେଲାନାହିଁ । ଲୋକଟି ନିର୍ବିକାର ଚିତ୍ତରେ ନିଜ ଖାତାପତ୍ର ବାନ୍ଧିବାକୁ ଲାଗିଲା, ଜବାବ ବି ଦେଲାନାହିଁ । ଆଉ ସମୟ ନଷ୍ଟ କରିବା ବୃଥା ଭାବି ସେ ବଡ଼ ଟେଲିଗ୍ରାଫ୍‌ ଅଫିସକୁ ଆସି ଭିଡ଼ ପାରହୋଇ ଅନେକ ବିଳମ୍ବରେ ମା’ଙ୍କ ପାଖରୁ ଟେଲିଗ୍ରାମ୍‌କରି ପାରିଲା । ସେତେବେଳକୁ ଭୋକ, ଶୋଷ ଓ ରାଗରେ ତା ଦେହ ଜଳିଗଲାଣି । ରାତି ହେବାକୁ ଆଉ ବେଶି ଡେରି ନାହିଁ । ଦରୱାନ୍‌ ଜଣେଇଲା-ସାହେବ୍‌, ହମ୍‌କୋ ଭି ବହୁତ ଦୂର ଯାନା ହୈ ।

 

ଅପୂର୍ବ ଅତି ପରିଶ୍ରାନ୍ତ ହୋଇ ପଡ଼ିଥିଲା । ସେ ଛୁଟି ଦେବାକୁ ଆପତ୍ତି କଲାନାହିଁ । ତାର ମନେହେଲା ଯେ ରାସ୍ତାଗୁଡ଼ିକ ସିଧା ଓ ନମ୍ବର ଦିଆହୋଇଥିବାରୁ ସେ ବସା ଖୋଜି ପାଇ ପାରିବ । ଦରୱାନ୍‌ ଚାଲିଗଲା, ଅପୂର୍ବ ମଧ୍ୟ ଚାଲି ଚାଲି ଏବଂ ଗଳିର ନମ୍ବର ଦେଖି ଦେଖି ବସାରେ ଆସି ପହଞ୍ଚିଲା ।

 

ଶିଡ଼ିରେ ପାଦ ଦେଇ ସେ ଦେଖିଲ ଯେ ଦ୍ଵାର ସାମନାରେ ଠିଆ ହୋଇ ତେୱାରୀ ଗୋଟାଏ ବିରାଟ ଠେଙ୍ଗା ଧରି ପିଟୁଛ, ଅନର୍ଗଳ ଗାଳି ଦେଉଛି । ପ୍ରତିପକ୍ଷ ଆଉ ଜଣେ ଲୋକ ଖାଲି ଦେହରେ ପ୍ୟାଣ୍ଟ୍‌ପିନ୍ଧି ତିନିମହଲାର ନିଜ ଖୋଲାଦ୍ଵାର ସାମନାରେ ଠିଆ ହୋଇ ହିନ୍ଦୀ ଓ ଇଂରାଜୀରେ ଏହାର ଜବାବ୍‌ଦେଉଛି ଏବଂ ଗୋଧ୍ୟାଏ ଘୋଡ଼ାଚାବୁକ ଧରି ଘୂରାଉଛି । ତେୱାରୀ ତାକୁ ତଳକୁ ଡାକୁଛି ଓ ଉପରବାଲ ତେୱାରୀକୁ ଉପରକୁ ଆହ୍ଵାନ କରୁଛି । ଏହି ଭାବ ଆଦାନ-ପ୍ରଦାନ ଯେଉଁ ଅକଥ୍ୟ ଭାଷାରେ ଚାଲିଛି, ତାକୁ କାନରେ ଦେଇହେବ ନାହିଁ ।

 

ଶିଡ଼ିର ପ୍ରଥମ ପାହାଚରେ ଗୋଡ଼ ଦେଇ ଅପୂର୍ବ ସେଇପରି ଠିଆହୋଇ ରହିଲା । ଏଇ ଅଳ୍ପ ସମୟ ମଧ୍ୟରେ ଯେ କି ଘଟଣା ଘଟିଛି, ତେୱାରୀ ଏଇ ଅବସରରେ ଉପରବାଲା ପ୍ରତିବେଶୀ ସହ କିପରି ଏତେ ଦୂର ଘନିଷ୍ଠତା କରିପାରିଲା, ଅପୂର୍ବ ବୁଝିପାରିଲା ନାହିଁ । ଅକସ୍ମାତ୍‌ ବୋଧହୁଏ ଉଭୟ ପକ୍ଷର ଦୃଷ୍ଟି ତା ପ୍ରତି ଆକୃଷ୍ଟ ହେଲା । ତେୱାରୀ ମୁନିବକୁ ଦେଖି ଆଉ ଥରେ ଠେଙ୍ଗାକୁ ପିଟି ଜୋର୍‌ରେ ବକିବାକୁ ଲାଗିଲା । ଅପରପକ୍ଷ ତାର ଜବାବ୍‌ସ୍ଵରୂପ ପ୍ରଚଣ୍ଡ ଚାବୁକ୍‌ ଶବ୍ଦ କଲା । ପୁଣି ଯୁଦ୍ଧ ଘୋଷଣା ପୂର୍ବରୁ ଅପୂର୍ବ ଦ୍ରୂତପଦରେ ଉଠିଯାଇ ଠେଙ୍ଗାଧାରୀ ତେୱାରୀର ହାତକୁ ଧରି ଜୋର୍‌ରେ କହିଲା–

 

‘‘ତେୱାରୀକୁ, ଜବାବ ଦବାର ସୁଯୋଗ କଣ ହେଉଛି ? କଣ ପାଗଳ ହୋଇଛୁ ନା କଣ ?’’ ତେୱାରୀକୁ ଜବାବ ଦେବାର ସୁଯୋଗ ନ ଦେଇ ସେ ତାକୁ ଘର ଭିତରକୁ ଟାଣିନେଲା-। ଘରଭିତରେ ତେୱାରୀ ରାଗ, ଅପମାନରେ କାନ୍ଦ କାନ୍ଦ ହୋଇ କହିଲା–ଦେଖନ୍ତୁ ବାବୁ, ଏଇ ହାରାମ୍‌ଜାଦା ସାହେବ କଣ କରିଛି !

 

ବାସ୍ତବିକ ଘଟଣା ଦେଖି ଅପୂର୍ବର ଶ୍ରାନ୍ତି, ନିଦ୍ରା, କ୍ଷୂଧା ଓ ତୃଷା ମୁହୂର୍ତ୍ତକେ ଅନ୍ତର୍ହିତ ହୋଇଗଲା । ରନ୍ଧା ଖେଚୁଡ଼ିରୁ ସେ ପର୍ଯ୍ୟନ୍ତ ବାମ୍ଫ ଉଠୁଛି; କିନ୍ତୁ ତା ପାଖରେ ଚତୁର୍ଦ୍ଦିଗ ପାଣି ଲହଡ଼ା ମାରୁଛି । ଅନ୍ୟ ଘରକୁ ଆସି ଦେଖିଲା, ତାର ସଦ୍ୟସଜ୍ଜିତ ସଫା ବିଛଣା ମଇଳା ପାଣିରେ ଭର୍ତ୍ତି । ଚେୟାର, ଟେବୁଲ, ବହି ସବୁ ପାଣିରେ ଓଦା । ବାକ୍‌ସ, ଟ୍ରଙ୍କ ଉପରେ ପାଣି ଜମା ହୋଇଛି-। ଏମିତିକି କୋଣରେ ଅବା ଲୁଗା ଅଲଗୁଣୀ ବି ବାଦ୍‌ ଯାଇନି । ତାର ଦାମୀ ନୂଆ ସୁଟ୍‌ଗୁଡ଼ାକରେ ଠାଏ ଠାଏ ପାଣିଛିଟା ପଡ଼ିଛି ।

 

ଅପୂର୍ବ ସ୍ତବ୍‌ଧ ହୋଇ ପଚାରିଲା–ଏସବୁ କେମିତି ଓଦା ହେଲା ?

 

ତେୱାରୀ ଉପରକୁ ଆଙ୍ଗୁଠି ଦେଖାଇ କହିଲା–ଏ ସବୁ ଏଇ ଶଳା ସାହାବର କାମ । ଏଇ ଦେଖନ୍ତୁ... ।

 

ସେ ପର୍ଯ୍ୟନ୍ତ କାଠ ଛାତର ଫାଙ୍କରୁ ଟୋପା ଟୋପା ମଇଳା ପାଣି ପଡ଼ୁଥିଲା । ତେୱାରୀର ବିବରଣ ହେଉଛି-ଅପୂର୍ବ ଯିବାର କେତେ ମିନିଟ୍‌ ପରେ ସାହେବ ଘରକୁ ଆସିଲେ । ଆଜି ଖ୍ରୀଷ୍ଟ୍ରିୟାନ୍‌ମାନଙ୍କର ପର୍ବଦିନ । ସାହେବ ପର୍ବ ଦାଉରେ ବାହାରୁ ସଂପୂର୍ଣ୍ଣ ନିଶାସକ୍ତ ହୋଇ ଫେରିଥିଲେ । ଘରେ ପ୍ରଥମେ ନାଚ, ତାପରେ ଗୀତ ଆରମ୍ଭ ହେଲା । ଗୀତ ଓ ନାଚ ଏପରି ଦୁର୍ଦ୍ଦାନ୍ତ ହୋଇଉଠିଲା ଯେ ତେୱାରୀର ଭୟ ହେଲା ସାହେବ ଛାତସହ ତା ମୁଣ୍ଡ ଉପରେ ଖସି ପଡ଼ିବ । ତେୱାରୀ ୟାକୁ ସହ୍ୟ କରିଥିଲା; କିନ୍ତୁ ରନ୍ଧାଘର ନିକଟରେ ଯେତେବେଳେ ଉପରୁ ପାଣି ଗଡ଼ିବାକୁ ଲାଗିଲା, ସେତେବେଳେ ସମସ୍ତ ଖାଦ୍ୟଦ୍ରବ୍ୟ ନଷ୍ଟ ହେବା ଭୟରେ ସେ ବାହାରକୁ ଆସି ପ୍ରତିବାଦ କଲା; କିନ୍ତୁ ସାହେବ–ସେ ଧଳା ହୁଅନ୍ତୁ ବା କଳା ହୁଅନ୍ତୁ, ଦେଶୀଲୋକର ଏ ସ୍ପର୍ଦ୍ଧା ସହ୍ୟ କରି ନ ପାରି ଉତ୍ତେଜିତ ହୋଇ ଉଠିଲେ । ଏହି ଉତ୍ତେଜନା ଏଭଳି ପ୍ରବଳ କ୍ରୋଧରେ ପରିଣତ ହୋଇପଡ଼ିଲା ଯେ ସେ ଘର ଭିତରେ ବାଲ୍‌ତି ବାଲ୍‌ତି ପାଣି ଢାଳିବାରେ ଲାଗିଲେ । ଏହାପରେ ଯାହା ହେଲା ତାହା କହିବା ବାହୁଲ୍ୟ ମାତ୍ର-ଅପୂର୍ବ ନିଜ ଆଖିରେ ଫଳାଫଳ ଦେଖିଛି ।

 

ଅପୂର୍ବ କିଛି ସମୟ ସ୍ତବ୍‌ଧଭାବେ ରହି କହିଲା–ସାହେବର ଘରେ କଣ ଆଉ କେହି ନାହାନ୍ତି ?

 

ତେୱାରୀ କହିଲା–‘‘କିଏ ଅଛି କେଜାଣି ! ତେବେ କିଏ ଜଣେ ସାହେବ ସାଥିରେ ତୁଚ୍ଛାକୁ ପ୍ରତିବାଦ କରୁଥିଲା ।’’ ଏହା କହି ସେ ଖେଚୁଡ଼ି ହାଣ୍ଡିକୁ ବିକଳ ହୋଇ ଚାହିଁରହିଲା । ଅପୂର୍ବ ଏହାର ଅର୍ଥ ବୁଝିଲା-କିଏ ଜଣେ ପ୍ରାଣପଣେ ବାଧା ଦେବାପାଇଁ ଚେଷ୍ଟା କଲେ ମଧ୍ୟ ତିଳେ ହେଲେ ଲାଭ ହୋଇନାହିଁ ।

 

ଅପୂର୍ବ ନୀରବ ହୋଇ ବସିରହିଲା । ଯାହା ହେବାର ହୋଇଯାଇଛି, ନୂତନ ଉପଦ୍ରବ ଆଉ ନାହିଁ– ଉତ୍ସବ-ଆନନ୍ଦ-ବିହ୍ଵଳ-ସାହେବର କୌଣସି ନବ ଉଦ୍ୟମର ଲକ୍ଷଣ ପ୍ରକାଶ ପାଇଲାନାହିଁ । ବୋଧହୁଏ ସେ ନିଶ୍ଚୟ ଭୋଳ ଅବସ୍ଥାରେ ଅଛନ୍ତି–କେବଳ ‘କଳା’ ତେୱାରୀଟାକୁ ସେ କ୍ଷମା କରି ନାହାନ୍ତି, ତାହାର ଅସ୍ଫୁଟ ଉଚ୍ଛ୍ୱାସ ମଝିରେ ମଝିରେ ଶୁଣାଯାଉଥିଲା ।

 

ଅପୂର୍ବ ହସିବାକୁ ଚେଷ୍ଟାକରି କହିଲା–ତେୱାରୀ, ଭଗବାନ ଇଚ୍ଛା ନ କଲେ ଏମିତି ମୁହଁରୁ ଗୁଣ୍ଡା ଏ ଖସିପଡ଼େନାହିଁ । ହଉ, ଆମେ ମନେକରିବା ଯେ ଜାହାଜରେ ଅଛେ । ଚୂଡ଼ା, ମୁଆଁ, ସନ୍ଦେଶ ତ ସାମାନ୍ୟ ବାକୀ ଅଛି, ରାତିଟା ଚଳିଯିବ ନା-କଣ କହୁଛୁ ?

 

ତେୱାରୀ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ଓ ଖେଚୁଡ଼ି ହାଣ୍ଡି ପ୍ରତି ସତୃଷ୍ଣ ଦୃଷ୍ଟିପାତ କରି ଚୁଡ଼ା ଆଣିବାପାଇଁ ବାହାରିଲା । ସୌଭାଗ୍ୟର କଥା ଏହି ଯେ, ଜଳଖିଆ ବାକ୍‌ସଟା ରନ୍ଧାଘରର ଗୋଟାଏ କୋଣରେ ଥିବାରୁ ଖ୍ରୀଷ୍ଟିୟାନ୍‌ ପାଣି ପଡ଼ି ଅପବିତ୍ର ହୋଇ ଯାଇନାହିଁ ।

 

ଜଳଖିଆ ଯୋଗାଡ଼ କରୁ କରୁ ତେୱାରୀ ରନ୍ଧାଘରୁ କହିଲା–ବାବୁ, ଏଠି ତ ଆଉ ରହି ହେବନି ।

 

ଅପୂର୍ବ ଅନ୍ୟମନସ୍କ ଭାବରେ କହିଲା–ନା ! ତେୱାରୀ ଘରର ପୁରୁଣା ଚାକିରିଆ । ଆସିବା ସମୟରେ ମା’ ତା ହାତଧରି ଯାହା ସବୁ କହିଥିଲେ, ସେ ସବୁ ତାର ମନେ ପଡ଼ିଲା । ସେ ଉଦ୍‌ବିଗ୍ନ କଣ୍ଠରେ କହିଲା–ନା ବାବୁ, ଏ ଘରେ ଆଉ ଦିନେ ବି ନୁହେଁ । ରାଗିଯାଇ ମୁଁ ଭଲ କାମ କରିନି, ସାହେବକୁ ବହୁତ ଗାଳି ଦେଇଛି ।

 

ଅପୂର୍ବ କହିଲା–ହଁ, ଗାଳି ନ ଦେଇ ତୋର ମାରିବା ଉଚିତ ଥିଲା ।

 

ତେୱାରୀର ମୁଣ୍ଡ ସେତେବେଳକୁ ଆଉ ଗରମ ନାହିଁ । ସେ ତତ୍‌କ୍ଷଣାତ୍‌ ପ୍ରତିବାଦ କରି କହିଲା–ନାଇଁ ବାବୁ ! ଯେତେହେଲେ ସେ ସାହେବ; ଆମେ ଦେଶୀଲୋକ ।

 

ଅପୂର୍ବ ଚୁପ୍‌ କରି ରହିଲା । ତେୱାରୀ ସାହସ କରି ପଚାରିଲା–ଅଫିସ୍‌ର ଦରୱାନ୍‌କୁ କହି କାଲି ସକାଳେ ବସା ବଦଳାଇ ହେବନି ? ମୋର ତ ମନେ ହେଉଛି ଏଠୁ ଗଲେ ମଙ୍ଗଳ ।

 

ଅପୂର୍ବ କହିଳା–ଆଚ୍ଛା, ଦେଖାଯିବ । ସେ ମନେମନେ ବୁଝିଳା ଯେ ସାହେବ ପ୍ରତି ଦେଶୀଲୋକର ବ୍ୟବହାର ସମ୍ପର୍କରେ ଏ ମଧ୍ୟରେ ତେୱାରୀର କର୍ତ୍ତବ୍ୟବୁଦ୍ଧି ଆସିଗଲାଣି । ଦୁର୍ଜ୍ଜନ ପ୍ରତି ଆଉ ତାର ପ୍ରତିବାଦ ନାହିଁ; ବରଂ କାଳବ୍ୟୟ ନ କରି ଭଲରେ ଭଲରେ ସ୍ଥାନତ୍ୟାଗ କରିବା ପାଇଁ ସେ ସ୍ଥିର କଲାଣି ।

 

ଅପୂର୍ବ କହିଲା–ଆଚ୍ଛା, ତୁ ଖାଇବା ପାଇଁ ଯୋଗାଡ଼ କର । ‘ଏଇ କଲି ତ ବାବୁ’ କହି ତେୱାରୀ ବଢ଼ାବଢ଼ିରେ ଲାଗିଗଲା । ତେୱାରୀର ଏହି ଚିତ୍ତପରିବର୍ତ୍ତନ ଲକ୍ଷ୍ୟକରି ଓ ଉପରବାଲା ସାହେବର ଦୁର୍ବ୍ୟବହାର ସ୍ମରଣକରି ଅକସ୍ମାତ୍‌ ଅପୂର୍ବର ସମସ୍ତ ମନ କ୍ରୋଧରେ ଜଳିଉଠିଲା । ତାର ମନେହେଲା–ଏ ତ କେବଳ ମୁଁ ଆଉ ଏ ମାତାଲ୍‌ଟାର କଥା ନୁହେଁ, ସମସ୍ତେ ଏମିତି ନିତ୍ୟନିୟମିତ ଲାଞ୍ଛନା ସହିଯାଇଛନ୍ତି ବୋଲି ଏମାନଙ୍କର ସ୍ପର୍ଦ୍ଧା ଦିନକୁ ଦିନ ବଢ଼ି, ପୁଞ୍ଜିଭୁତ ହୋଇ, ଆଜି ଏପରି ଅଭ୍ରଭେଦୀ ହୋଇଉଠିଛି । ସେଥିପାଇଁ ତେୱାରୀ ମୋତେ ସୁଦ୍ଧା ଏଠୁ ପଳାଇଯାଇ ଆତ୍ମରକ୍ଷା କରିବାର ଉପଦେଶ ଦେଇପାରିଲା; ମର୍ଯ୍ୟାଦାବୋଧର ଧାରଣା ତା ମନକୁ ଆସିଲାନାହିଁ । ଏହା ଭାବି ଅପୂର୍ବ ତେୱାରୀର ପରିତ୍ୟକ୍ତ ମୋଟା ବାଉଁଶ ଠେଙ୍ଗାଟା ଧରି ଶିଡ଼ିରେ ଉପରକୁ ଗଲା ।

 

ସାହେବର ଦରଜା ବନ୍ଦ ଥିଲା । ସେଇ ରୁଦ୍ଧଦ୍ଵାରରେ ସେ ବାରମ୍ବାର ଆଘାତ କରିବାକୁ ଲାଗିଲା । କେତେକ ମୁହୂର୍ତ୍ତ ପରେ ଭୀତ ନାରୀ-କଣ୍ଠରେ ଇଂରାଜୀରେ ପ୍ରଶ୍ନ ହେଲା-କିଏ ?

 

ଅପୂର୍ବ କହିଲା–ମୁଁ ତଳେ ଥାଏ । ସେ ଲୋକଟାକୁ ଥରେ ଡାକିଦିଅ ।

 

-କାହିଁକି ?

 

-ମୁଁ ତାକୁ ଦେଖାଇବାକୁ ଚାହେଁ ଯେ ମୋର ଯେତେ କ୍ଷତି ହୋଇଛି, ତାର ଭାଗ୍ୟ ଭଲ ଯେ ମୁଁ ଆଜି ନ ଥିଲି ।

 

-ସେ ଶୋଇଛନ୍ତି ।

 

ଅପୂର୍ବ ଅତ୍ୟନ୍ତ ରୁକ୍ଷକଣ୍ଠରେ କହିଲା–ଉଠାଇ ଦିଅନ୍ତୁ ! ଏ ଶୋଇବାର ସମୟ ନୁହେଁ । ରାତିରେ ଶୋଇଲେ ମୁଁ ବିରକ୍ତ କରିବାକୁ ଆସିବି ନାହିଁ, କିନ୍ତୁ ଏହିକ୍ଷଣି ତା ମୁହଁରୁ କଥା ନ ଶୁଣି ମୁଁ ପାଦେ ବି ଘୁଞ୍ଚିବିନି । ଇଚ୍ଛା ନ ଥିଲେ ବି ସେ ତାର ହାତର ଠେଙ୍ଗାଟାକୁ ଶିଡ଼ି ଉପରେ ଜୋର୍‌ରେ ଠୁକିଦେଲା ।

 

କିନ୍ତୁ ଦ୍ଵାର ଖୋଲିଲା ନାହିଁ କିମ୍ବା ଜବାବ୍‌ ଆସିଲା ନାହିଁ । ଦୁଇ ମିନିଟ୍‌ ଅପେକ୍ଷା କରି ଅପୂର୍ବ ପୁଣି ଚିତ୍କାର କରି କହିଲା–ମୁଁ କେବେହେଲେ ଘୁଞ୍ଚିବି ନାହିଁ–କହନ୍ତୁ ତାକୁ ବାହାରକୁ ଆସିବାକୁ ।

 

ଭିତରୁ ଯେ କଥା କହୁଥିଲା, ସେ ଦ୍ଵାରର ଖୁବ୍‌ ପାଖକୁ ଆସି ନମ୍ର ଓ ଅତିଶୟ ମୃଦୁକଣ୍ଠରେ କହିଲା–ମୁଁ ତାଙ୍କର ଝିଅ । ବାପାଙ୍କ ତରଫରୁ ମୁଁ ଆପଣଙ୍କ ପାଖେ କ୍ଷମା ମାଗୁଛି । ସେ ଯାହା କରିଛନ୍ତି ତା ଜାଣିଶୁଣି କରିନାହାନ୍ତି; କିନ୍ତୁ ଆପଣ ବିଶ୍ୱାସ କରନ୍ତୁ, ଆପଣଙ୍କର ଯାହା କ୍ଷତି ହୋଇଛି କାଲି ଆମେ ତାର ଯଥାସାଧ୍ୟ କ୍ଷତିପୂରଣ ଦେଇଦେବୁ ।

 

ନାରୀକଣ୍ଠର କୋମଳ ସ୍ଵର ଶୁଣି ଅପୂର୍ବ ନୀରବ ହେଲା; କିନ୍ତୁ ତାର ରାଗ ପୂରା କମିଯାଇ ନ ଥିଲା । କହିଲା–ସେ ବର୍ବର ଭଳି ମୋର ଯଥେଷ୍ଟ କ୍ଷତି କରିଛନ୍ତି । ମୁଁ ଅବଶ୍ୟ ବିଦେଶୀ ଲେକ, ତେବେ ଆଶା କରୁଛି ସେ କାଲି ସକାଳେ ନିଜେ ଦେଖାକରି ମୋ ସାଙ୍ଗରେ ଏ ସମ୍ପର୍କରେ ବୁଝାମଣା ପାଇଁ ଚେଷ୍ଟା କରିବେ ।

 

ଝିଅଟି କହିଲା–ଆଚ୍ଛା ହେଉ । କିଛି ସମୟ ମୌନରହି ସେ କହିଲା–ଆପଣଙ୍କ ପରି ଆମେ ବି ଏଠାରେ ନୂଆ ଲୋକ । କାଲି ସକାଳେ ଆମେ ମୌଲ୍‌ମିନ୍‌ଠାରୁ ଆସି ପହଞ୍ଚିଛୁ ।

 

ଅପୂର୍ବ ଆଉ କୌଣସି କଥାବାର୍ତ୍ତା ନ କରି ତଳକୁ ଓହ୍ଲାଇ ଆସିଲା । ଘରେ ଯାଇ ଦେଖିଲା ସେ ପର୍ଯ୍ୟନ୍ତ ତେୱାରୀ ଖାଇବା ଯୋଗାଡ଼ରେ ବ୍ୟସ୍ତ ଅଛି, ଏ ସବୁର ସନ୍ଧାନ ପାଇ ନାହିଁ-

 

ଖାଇସାରି ଅପୂର୍ବ ତାର ଶୋଇବାଘରକୁ ଆସି ଓଦା ତକିଆ ଓ ଚାଦର କାଢ଼ି ତଳେ ରଖିଦେଲା ଓ କୌଣସି ମତେ ରାତିଟା ଚଳାଇନେବା ପାଇଁ ଶେଯର ଯୋଗାଡ଼ କରିନେଲା । ପ୍ରବାସରେ ଗୋଡ଼ ନ ଦେଉଣୁ ତାର କ୍ଷତି, ବିରକ୍ତି ଓ ହଇରାଣ ଲାଗିରହିଛି । କେଜାଣି କିପରି ଏଠାରେ ସେ ଚଳିବ, କେଉଁଠାରେ ଏହାର ଶେଷ ପରିଣତି-ଏଇ କଥା ଭାବୁ ଭାବୁ ଉପର ମହଲାସ୍ଥିତ ଅପରିଚିତ ଖ୍ରୀଷ୍ଟାନ୍‌ବାଳିକାଟିରେ କଥା ତାର ମନକୁ ଆସିଲା । ସେ ଅପୂର୍ବର ଆଗକୁ ଆସିନାହିଁ; ତେଣୁ ଦେଖିବାକୁ କିପରି, ବୟସ କେତେ, ସେ ସବୁ ଅପୂର୍ବ ଅନୁମାନ କରିପାରିଲା ନାହିଁ । କେବଳ ଏତିକି ଜାଣିପାରିଲା ସେ ତାର ଇଂରେଜୀ ଉଚ୍ଚାରଣ ଇଂରେଜୀ ଲୋକଙ୍କ ପରି ନୁହେଁ; ହୁଏତ ମାନ୍ଦ୍ରାଜୀ ବା ଗୋଆନିଜ୍‌ ହୋଇଥିବ । ମନେହେଲା ସେ ଯେପରି ଅପୂର୍ବ ପ୍ରତି ଅତ୍ୟାଚାର ହେତୁ ଲଜ୍ଜିତା । ତାର ଭୀତ, ବିନୀତକଣ୍ଠର କ୍ଷମାଭିକ୍ଷା ସହ ନିଜର ତୀବ୍ର ଅଭିଯୋଗ ଅପୂର୍ବକ ବେଖାପ ଜଣାଗଲା । ସ୍ଵଭାବତଃ ସେ ଉଗ୍ର ପ୍ରକୃତିର ନୁହେଁ, କାହାକୁ କଡ଼ା କଥା କହିବାକୁ ତାକୁ ଖରାପ ଲାଗେ । ତେୱାରୀର ବର୍ଣ୍ଣନା ସହ ମିଳାଇ ତାର ମନେହେଲା ହୁଏତ ଏଇ ଝିଅଟି ତାର ମାତାଲ ଦୁର୍ବୃତ୍ତ ପିତାକୁ ବାରଣ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥିଲା । ଅପୂର୍ବର ଅନୁତାପ ଜାଗ୍ରତ ହେଲା । ସେ ଭବିଲା ଯେ ଯାହା ଘଟିବାର ତ ଘଟିଯାଇଥିଲା, ରାଗରେ ଉପରକୁ ଯାଇ ଏଭଳି କଡ଼ା କଥା ନ କହିଲେ ଭଲ ହୋଇଥାନ୍ତା ।

 

ଆରଘରୁ ତେୱାରୀର ବାସନମଜାର କର୍କଶ ଶବ୍ଦ ଅବିରାମ ଶୁଣାଯାଉଥିଲା । ହଠାତ୍‌ ତାହା ବନ୍ଦ ହେଲା । ପରମୁହୂର୍ତ୍ତରେ ତେୱାରୀର କଣ୍ଠ ଶୁଣାଗଲା–କିଏ ?

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇଗଲା, କିନ୍ତୁ ଉତ୍ତରଟା ସେ ଶୁଣି ପାରିଲା ନାହିଁ । ତତ୍‌ପରିବର୍ତ୍ତେ ତେୱାରୀର କଣ୍ଠସ୍ଵର ତା କାନରେ ବାଜିଲା । ତେୱାରୀ ହିନ୍ଦୀ ଭାଷାରେ କହିଲା–ନା, ନା, ମେମ୍‌ସାହେବ, ତୁମେ ଏସବୁ ନେଇଯାଅ । ବାବୁଙ୍କର ଖିଆ ସରିଲାଣି । ଆମେ ତ ଏସବୁ ଛୁଉଁନା-

 

ଅପୂର୍ବ ଉଠି ସେଇ ଖ୍ରୀଷ୍ଟାନ୍‌ ଝିଅଟିର କଣ୍ଠସ୍ଵର ଚିହ୍ନିପାରିଲା; କିନ୍ତୁ କଥା ବୁଝି ପାରିଲା ନାହିଁ । ତେୱାରୀ ପୁଣି କହିଲା–କିଏ କହିଲା ଆମେ ଖାଇନୁ ବୋଲି ? ଆମେ ଖାଇସାରିଲୁଣି-ତମେ ଏ ସବୁ ନେଇଯାଅ-ବାବୁଙ୍କର ଝିଆସରିଲାଣି । ଆମେ ତ ଏସବୁ ଛୁଉଁନା ।

 

ଅପୂର୍ବ ଉଠି ଆସି ଠିଆ ହେଲା ଓ ପଚାରିଲା–କଣ ହେଲା ତେୱାରୀ ?

 

ଝିଅଟି ଦ୍ଵାରବନ୍ଧ ପାଖେ ଠିଆ ହୋଇଥିଲା, ତତ୍‌କ୍ଷଣାତ୍‌ ଘୁଞ୍ଚିଗଲା । ସେଇକ୍ଷଣି ସନ୍ଧ୍ୟା ହୋଇଛି, ଆଲୁଅ ଲଗାହୋଇନାହିଁ । ଶିଡ଼ି ଆଡୁ ଗୋଟାଏ ଅନ୍ଧାରୁଆ ଛାଇ ଘର ଭିତରେ ପଡ଼ିଛି । ସେଥିରେ ଝିଅଟି ପରିଷ୍କାର ଦେଖା ନ ଗଲେ ବି ଅପୂର୍ବ ଠଉରାଇପାରିଲା । ତା ଦେହର ବର୍ଣ୍ଣ ଇଂରେଜମାନଙ୍କ ପରି ନ ହେଲେହେଁ ବେଶ୍‌ଗୋରା । ବୟସ ଉଣେଇଶ କୋଡ଼ିଏ ଭିତରେ ହେବ; ଆଉ ଟିକିଏ ଲମ୍ବା ବୋଲି ବୋଧହୁଏ ଦୁର୍ବଳ ଦେଖାଯାଉଥିଲା । ଉପର ପାଟିର ସାମନା ଦାନ୍ତଦୁଇଟି ସାମାନ୍ୟ ଉଚ୍ଚ ବୋଲି ନ ଧଇଲେ ମୁହଁଟି ମୋଟାମୋଟି ସୁନ୍ଦର କହିବାକୁ ହେବ । ପାଦରେ ଚଟି । ପର୍ବ ବୋଲି ଖଣ୍ଡିଏ ସୁନ୍ଦର ମାନ୍ଦ୍ରାଜୀ ଶାଢ଼ୀ ପିନ୍ଧିଛି । ପିନ୍ଧିବାର ଧରଣ କେତେକାଂଶରେ ବଙ୍ଗାଳୀ, ଆଉ କେତେକାଂଶରେ ପାର୍ଶୀଙ୍କ ପରି । ଗୋଟିଏ ଜାପାନୀ ଥାଳୀରେ କେତୋଟି ଆପଲ, ନାସ୍‌ପାତି, ଦୁଇଟି ବେଦନା ଓ ପେନ୍ଥାଏ ଅଙ୍ଗୁର କୋଳି ସାମନା ଟେବୁଲ ଉପରେ ଥୁଆ ହୋଇଛି ।

 

ଅପୂର୍ବ କହିଲା–ୟାକୁ ସବୁ କାହିଁକି ଆଣିଛନ୍ତି ?

 

ଝିଅଟି ବାହାରକୁ ଆସି ଆସ୍ତେ ଆସ୍ତେ ଇଂରାଜୀରେ କହିଲା–ଆଜି ଆମର ପର୍ବଦିନ, ମା’ ପଠେଇଛନ୍ତି । ତା ଛଡ଼ା, ଆପଣମାନେ ତ ଏପର୍ଯ୍ୟନ୍ତ ଖାଇନାହାନ୍ତି ।

 

ଅପୂର୍ବ କହିଲା–ଆପଣଙ୍କ ମା’ଙ୍କୁ ମୋର ଧନ୍ୟବାଦ ଜଣାଇବେ । କିନ୍ତୁ ଆମେ ସବୁ ତ ଖାଇସାରିଲୁଣି । ଝିଅଟି ଚୁପ୍‌ ରହିଲା । ଅପୂର୍ବ ପ୍ରଶ୍ନକଲା–ଆମେ ସବୁ ଖାଇନୁ ବୋଲି ତାଙ୍କୁ କିଏ କହିଲା ? ଝିଅଟି ଲଜ୍ଜିତ ସ୍ଵରରେ କହଲା-ଏଇଥିରୁ ପ୍ରଥମେ କଳି ହେଲା । ତା ଛଡ଼ା ଆମେ ଜାଣିଚୁ ।

 

ଅପୂର୍ବ ମୁଣ୍ଡ ହଲାଇ କହିଲା–ତାକୁ ସହସ୍ର ଧନ୍ୟବାଦ, କିନ୍ତୁ ସତରେ ଆମେ ସବୁ ଖାଇସାରିଛୁ । ଝିଅଟି ମୁହୂର୍ତ୍ତକ ପାଇଁ ମୌନ ରହି କହିଲା–ତା ସତ, ତେବେ ଭଲଭାବେ ଖାଇନାହାନ୍ତି । ଆଉ ଏସବୁ ତ ବଜାରର ଫଳ-ଏଥିରେ ତ କିଛି ଦୋଷ ନାହିଁ । ଅପୂର୍ବ ବୁଝିଲା-ତାକୁ କୌଣସି ମତେ ଶାନ୍ତ କରିବାପାଇଁ ଅପରିଚିତା ରମଣୀ ଦୁଇଟିଙ୍କର ଉଦ୍‌ବେଗର ସୀମା ନାହିଁ-। ଅଳ୍ପକ୍ଷଣ ପୂର୍ବରୁ ସେ ଠେଙ୍ଗା ଓ କଣ୍ଠସ୍ଵରରେ ତା ମିଜାଜର ଯେଉଁ ପରିଚୟ ଦେଇଆସିଛି, ସେଥିରେ କାଲି ସକାଳୁ କଣ ହେବ, ଏହା ଭାବି, ତାକୁ ପ୍ରସନ୍ନ କରିବା ପାଇଁ ବୋଧହୁଏ ଏ ଚେଷ୍ଟା-। ତେଣୁ ସଦୟ କଣ୍ଠରେ କହିଲା–ନା, କୌଣସି ଦୋଷ ନାହିଁ । ତେୱାରୀକୁ କହିଲା–ଏ ତ ବଜାରର ଫଳ, ୟାକୁ ରଖିଲେ ଆଉ ଦୋଷ କଣ ?

 

ତେୱାରୀ ଖୁସି ହେଲା ନାହିଁ । କହିଲା–ବଜାରର ଫଳ ବଜାରରୁ ଆଣିଲେ ଚଳିବ । ଆଜି ରାତିରେ ଆମର ମଧ୍ୟ ଦରକାର ନାହିଁ । ମା’ ମତେ ଏସବୁ ନକରିବା ପାଇଁ ବାରମ୍ବାର ମନା କରିଛନ୍ତି । ମେମ୍‌ସାହେବ, ତମେ ଏ ସବୁ ନେଇଯାଅ, ଆମର ଦରକାର ନାହିଁ ।

 

ମା’ ଯେ ମନା କରିଛନ୍ତି ବା କରି ପାରନ୍ତି, ଏଥିରେ ଅସମ୍ଭବ କିଛି ନାହିଁ । ବହୁଦିନର ପୁରାତନ ଏବଂ ବିଶ୍ଵାସୀ ତେୱାରୀକୁ ଏ ସମସ୍ତ ଘଟଣାରେ ତାର ଅଭିଭାବକରୂପେ ମା’ ଗ୍ରହଣ କରିଛନ୍ତି । ଅଳ୍ପଦିନ ତଳେ ସେ ମା’ଙ୍କ ନିକଟରେ କି ପ୍ରତିଶ୍ରୁତି ଦେଇଆସିଛି ଓ ସତ୍ୟ କରି ଆସିଛି, ତାର ମନେପଡ଼ିଲା । ତଥାପି ଏଇ ସଙ୍କୁଚିତ, ଲଜ୍ଜିତ, ଅପରିଚିତ ତରୁଣୀଟି-ଯେ ତାକୁ ସନ୍ତୁଷ୍ଟ କରିବା ପାଇଁ ତା ଦ୍ଵାରମୁହଁରେ ଭୟରେ ଠିଆହୋଇଛି-ତାର ଉପହାର ସାମାନ୍ୟ ଦ୍ରବ୍ୟଗୁଡ଼ିକ ଅସ୍ପୃଶ୍ୟବୋଲି ଅପମାନ ଦେଇ ଫେରାଇଦେବାକୁ ସେ ପସନ୍ଦ କଲାନାହିଁ । ଅବଶ୍ୟ ଏ ସବୁ କଥା ସେ ମୁହଁଖୋଲି କହିଲା ନାହିଁ । ଚୁପ୍‌ ହୋଇ ରହିଲା । ତେୱାରୀ କହିଲା–ଏ ସବୁ ଆମେ ଛୁଇଁବୁନି ମେମ୍‌ସାହେବ, ତୁମେ ନେଇଯାଅ, ମୁଁ ଜାଗାଟା ଧୋଇଦିଏ ।

 

ତରୁଣୀଟି କିଛିକାଳ ଚୁପ୍‍ହୋଇ ଠିଆହୋଇ ହାତ ବଢ଼ାଇ ଥାଳୀଟି ନେଇଗଲା ଓ ଧୀରେ ଧୀରେ ଚାଲିଗଲା ।

 

ଅପୂର୍ବ ରୁକ୍ଷକଣ୍ଠରେ କହିଲା–ନ ଖାଇଲେ ନ ଖାଅନ୍ତୁ, ନେଇ ପରେ ଫିଙ୍ଗି ଦେଇଥାନ୍ତୁ ।

 

ତେୱାରୀ ଆଶ୍ଚର୍ଯ୍ୟ ହୋଇ କହିଲା–ନେଇ ଫିଙ୍ଗି ଦେବି ? ତୁଚ୍ଛା ନଷ୍ଟକରି ଲାଭ କଣ ?

 

‘‘ଲାଭ କଣ ! ମୁର୍ଖ, ମଫସଲିଆଟାଏ ତୁ !’’ ଏଇଆ କହି ଅପୂର୍ବ ଶୋଇବାକୁ ଚାଲିଗଲା । ବିଛଣାରେ ଶୋଇ ପ୍ରଥମେ ତେୱାରୀ ଉପରେ ରାଗରେ ଗରଗର ହେଲା; କିନ୍ତୁ ଯେତେବେଳେ ସେ ଘଟଣାକୁ ତନ୍ମତନ୍ମ କରି ଦେଖିଲା, ତାର ମନେହେଲା ଯେ ସେ ଏହା କରିପାରି ନ ଥାନ୍ତା-ହୁଏତ ଭଲ ହେଇଛି, ତେୱାରୀ ସ୍ପଷ୍ଟ କହି ଫେରାଇ ଦେଇଛି । ତାର ବଡ଼ ମାମୁଁଙ୍କ କଥା ମନେପଡ଼ିଲା । ସେଇ ସଦାଚାରୀ, ନିଷ୍ଠାବାନ, ପଣ୍ଡିତ ବ୍ରାହ୍ମଣ ଥରେ ଭଉଣୀ ଘରକୁ ଆସି ଖାଇବାକୁ ଅସ୍ଵୀକାର କରିଥିଲେ ।

 

ଏଥିପାଇଁ କରୁଣାମୟୀଙ୍କୁ ଅନେକ ଦିନ ଗଞ୍ଜଣା ସହିବାକୁ ପଡ଼ିଛି; କିନ୍ତୁ କୌଣସି ଦିନ ଭାଇଙ୍କୁ ଦୋଷ ଦେଇନାହାନ୍ତି । ସେଇ କଥା ସ୍ମରଣ କରି ଅପୂର୍ବ ବହୁବାର କହିବାକୁ ଲାଗିଲା–ଏ ଭଲ ହେଇଛି, ତେୱାରୀ ଠିକ୍‌ କରିଛି ।

 

ତିନି

 

ଅପୂର୍ବର ଇଚ୍ଛାଥିଲା ସକାଳେ ଯାଇ ବଜାରଟା ଥରେ ବୁଲି ଆସିବ । ହିନ୍ଦୁତ୍ଵର ପତାକା ଉଡ଼ାଇବା ପାଇଁ ତ ସେ କଳାପାଣି ପାର ହେଇ ଆସିନି । ଚାକିରିର ପ୍ରୟୋଜନ ଓ ଶାସ୍ତ୍ରର ଅନୁମୋଦନ-ଏ ଦୁଇର ମଝିରେ ଗୋଟାଏ ବାଟ ଆବିଷ୍କାର କରି ଧର୍ମ ଓ ଅର୍ଥର ବିରୋଧ-ଭଞ୍ଜନ କରି ସୁଖରେ ବାସକରୁଥିବା ହିନ୍ଦୁ ତ ଆଗରୁ ଅନେକ ଅଛନ୍ତି । ସେଇ ସୁଗମ ପଥର ସନ୍ଧାନ ନେବାପାଇଁ ଏମାନଙ୍କ ସହ ପରିଚିତ ହେବା ଅତ୍ୟାବଶ୍ୟକ ଏବଂ ବିଦେଶରେ ପରିଚିତ ହେବା ପାଇଁ ବଜାର ଛଡ଼ା ଏଡ଼େ ସୁବିଧା ଜାଗା ଆଉ କୋଉଠି ଅଛି ? କିନ୍ତୁ ଅପୂର୍ବ ବାହାରକୁ ଯାଇ ପାରିଲାନାହିଁ; କାରଣ ଉପରର ସାହେବଟା ଯେ କେତେବେଳେ କ୍ଷମାପ୍ରାର୍ଥନା କରିବାକୁ ଆସିବ, ତାର ଠିକଣା ନାହିଁ । ସେ ଯେ ନିଶ୍ଚୟ ଆସିବ, ଏ ବିଷୟରେ ତାର ସନ୍ଦେହ ନ ଥିଲା । ପ୍ରଥମେ ସେ ଜାଣିଶୁଣି ଉତ୍ପାତ କରିନାହିଁ ଏବଂ ଆଜି ଯେତେବେଳେ ତାର ନିଶା ଛାଡ଼ିଯିବ, ସେତେବେଳେ ସ୍ତ୍ରୀ ଓ କନ୍ୟା ତାକୁ କୌଣସି ମତେ ଅବ୍ୟାହତି ଦେବେନାହିଁ । ସେମାନଙ୍କ କଥାବାର୍ତ୍ତାରୁ ସେ ଗତକାଲି ଅନ୍ତତଃ ଏତିକି ଠଉରାଇ ପାରିଛି ।

 

ନିଦ ଭାଙ୍ଗିଲା ପରେ ଅପୂର୍ବର କାଲିରାତିର ସେଇ ଝିଅଟିର କଥା ବାରମ୍ବାର ମନେ ପଡ଼ିଲା । ତାର ଭଦ୍ରତା, ସୌଜନ୍ୟ, ବିନୀତ ନମ୍ର କଣ୍ଠ ତା କାନରେ ଯେମିତି ବାଜିଯାଉଛି । ମାତାଲ୍‌ ପିତାର ଦୁର୍ବ୍ୟବହାର ପାଇଁ ଏଇ ଝିଅଟିର ଯେପରି ଲଜ୍ଜାର ସୀମା ନଥିଲା । ସେପରି ମୂର୍ଖ ତେୱାରୀର ରୁଢ଼ତା ପାଇଁ ଅପୂର୍ବ ନିଜେ କମ୍‌ ଲଜ୍ଜିତ ହୋଇନାହିଁ । ହଠାତ୍‌ ମୁଣ୍ଡ ଉପରେ ବୁଟ୍‌ସହ ପଦକ୍ଷେପ ଶୁଣି ସେ ଆଶା କରିବାକୁ ଲଗିଲ ଯେ ସାହେବ ଏହିକ୍ଷଣି ତା ଦ୍ଵାରମୁହଁରେ ଆସି ପହଞ୍ଚିବେ । ସେ ଯେ ନିଶ୍ଚୟ କ୍ଷମା କରିବ, ଏଥିରେ ସନ୍ଦେହ ନାହିଁ; କିନ୍ତୁ କଣ କଲେ ଗତଦିନର ବୀଭତ୍ସତା ଭୁଲି ସେ ସହଜ ହୋଇ ପାରିବ, ତାର ଚିନ୍ତାର ବିଷୟ ହୋଇଉଠିଲା । ଏହିପରି ଆଶା ଓ ଉଦ୍‌ବେଗରେ ଅପେକ୍ଷା କରୁ କରୁ ଘଡ଼ିରେ ନ’ଟା ବାଜିଲା । ନିଜର ଅଫିସ୍‌ ଯିବା ସମୟ ଦେଖି ଅପୂର୍ବ ପ୍ରସ୍ତୁତ ହେବାକୁ ଲାଗିଲା । ସେତିକିବେଳକୁ ଶୁଣାଗଲା ସାହେବର ଭାରୀ ପଦକ୍ଷେପ ଓ ତା ପଛେ ପଛେ ଲଘୁ ପଦଚାଳନ । ଅନତିବିଳମ୍ବେ, ତାର ଦ୍ଵାରର ଲୁହାଶିକୁଳୀ ଝଣଝଣ ହୋଇ ଉଠିଲା । ରନ୍ଧାଘରୁ ତେୱାରୀ ଛୁଟିଆସି ଖବର ଦେଲା-ବାବୁ, କାଲିର ସେଇ ସାହେବ ଆସି ଦୁଆରେ ଡାକୁଛି ।

 

ଅପୂର୍ବ କହିଲା–ଦ୍ଵାର ଖୋଲି ଦେ ଓ ତାଙ୍କୁ ଆସିବାକୁ କହ ।

 

ତେଓ୍ୱାରୀ ଦ୍ଵାର ଖୋଲିଦେବା ମାତ୍ରେ ଅପୂର୍ବ ସାହେବର କଣ୍ଠ ଶୁଣିବାକୁ ପାଇଲା-ଏଇ, ତୁମ୍‌ହାରା ସା’ବ କିଧର୍‌ ? ଉତ୍ତରରେ ତେୱାରୀ କଣ କହିଲା, ଶୁଣାଗଲା ନାହିଁ । କିନ୍ତୁ ପ୍ରତ୍ୟୁତ୍ତରରେ ସାହେବର ଶବ୍ଦରେ ଶିଡ଼ି ସାଥିରେ କାଠର ଛାତ ଧକ୍‌କା ଖାଇଲା ପରି ଶୁଣାଗଲା–ବୋଲାଓ ! ଘର ମଧ୍ୟରେ ଅପୂର୍ବ ଚମକି ଉଠିଲା । ବାପ୍‌ରେ ! ଏଇ କଣ ଅନୁତାପ ! ପୁଣି ମନେକଲା–ସାହେବ ବୋଧହୁଏ ସକାଳୁ ମଦ ଖାଇ ବାହାରିଛି, ଏ ସମୟରେ ଯିବା ଉଚିତ ହେବ କି ନାହିଁ ଇତସ୍ତତଃ କରୁଛି, ବାହାରୁ ଶୁଭିଲା–ବୋଲାଓ ଜଲ୍‌ଦି !

 

ଅପୂର୍ବ ଆସ୍ତେ ଆସ୍ତେ ଦ୍ଵାର ପାଖେ ଯାଇ ଠିଆହେଲା । ସାହେବ ମୁହୂର୍ତ୍ତକ ପାଇଁ ତାକୁ ଆପାଦମସ୍ତକ ଲକ୍ଷ୍ୟ କରି ଇଂରାଜୀରେ ପ୍ରଶ୍ନ କଲେ–ତୁମେ ଇଂରାଜୀ ଜାଣ ?

 

-ଜାଣେ !

 

-ମୁଁ ଶୋଇପଡ଼ିଲା ପରେ କାଲି ତୁମେ ଉପରକୁ ଯାଇଥିଲ ?

 

-ହଁ !

 

ସାହେବ କହିଲେ–ଠେଙ୍ଗା ଧରି ଯାଇଥିଲ । ଅନଧିକାର ପ୍ରବେଶ ପାଇଁ ଦ୍ଵାର ଭାଙ୍ଗିବାକୁ ଚେଷ୍ଟା କରିଥିଲ ?

 

ଅପୂର୍ବ ବିସ୍ମୟରେ ସ୍ତବ୍‌ଧ ହୋଇଗଲା ! ସାହେବ କହିଲେ–ଦୈବାତ୍‌ ଦ୍ଵାର ଖୋଲାଥିଲେ ଘରେ ପଶି ତୁମେ ମୋ ସ୍ତ୍ରୀ ଓ କନ୍ୟାକୁ ଆକ୍ରମଣ କରିଥାନ୍ତ । ସେଥିପାଇଁ ମୁଁ ଚେଇଁଥିଲାବେଳେ ଯାଇନା !

 

ଅପୂର୍ବ ଧୀରେ ଧୀରେ କହିଲା–ତୁମେ ତ ଶୋଇଥିଲ, ଜାଣିଲ କିପରି ?

 

ସାହେବ କହିଲେ–ସବୁ ମୋ ଝିଅଠାରୁ ଶୁଣିଛି । ତାକୁ ତୁମେ ଗାଳିଗୁଲଜ ଦେଇ ଆସିଛ । ଏହା କହି ସେ ପାର୍ଶ୍ଵବର୍ତ୍ତିନୀ କନ୍ୟା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କଲେ । ଏଇ ସେ ଝିଅଟି-କାଲି ୟାକୁ ଭଲକରି ଅପୂର୍ବ ଦେଖିପାରିନାହିଁ–ଆଜି ମଧ୍ୟ ସାହେବର ବିପୁଳାୟତନର ଅନ୍ତରାଳରୁ ତାର ଶାଢ଼ୀର ଧଡ଼ି ଛଡ଼ା ଆଉ କିଛି ଦେଖିବାକୁ ପାଇଲାନାହିଁ । ସେ ମୁଣ୍ଡ ହଲାଇ ବାପ-କଥାରେ ସମ୍ମତି ଜଣାଇଲା କି ନାହିଁ, ତା ବି ଜଣାପଡ଼ିଲା ନାହିଁ । ତେବେ ଏଇତକ ଅପୂର୍ବ ଜାଣିପାରିଲା ଯେ ଏମାନେ ସହଜ ଲୋକ ନୁହନ୍ତି । ସମସ୍ତ ଘଟଣାକୁ ଇଚ୍ଛାକରି ଓଲ୍‌ଟା ଓ ବିକୃତ କରିବାକୁ ଚେଷ୍ଟା କରୁଛନ୍ତି । ଅତଏବ ଅତ୍ୟନ୍ତ ସତର୍କ ହେବା ପ୍ରୟୋଜନ ।

 

ସାହେବ କହିଲେ–ମୁଁ ଚାହିଁଥିଲେ ତମକୁ ଲାଠିମାରି ରାସ୍ତାରେ ଫିଙ୍ଗି ଦେଇଥାନ୍ତି ଏବଂ ମୁହଁରୁ ସବୁତକ ଦାନ୍ତ ଉପାଡି ଦେଇଥାନ୍ତି । କିନ୍ତୁ ସେ ସୁଯୋଗ ଯେତେବେଳେ ହରାଇଲି, ପୁଲିସ ଦ୍ଵାରା ଯେତିକି ବିଚାର ମିଳିବ, ସେତିକି ପାଇଁ ବର୍ତ୍ତମାନ ସନ୍ତୁଷ୍ଟ ରହିବାକୁ ହେବ । ଆମେ ଯାଉଛୁ । ତୁମେ ଏଥିପାଇଁ ପ୍ରସ୍ତୁତ ଥାଅ । ଅପୂର୍ବ ମୁଣ୍ଡ ହଲାଇ ଧୀରେ କହିଲା–ଆଚ୍ଛା ! କିନ୍ତୁ ତାର ମୁହଁ ମିଳନ ପଡ଼ିଗଲା ।

 

ସାହେବ ଝିଅର ହାତଧରି କହିଲେ–ଆସ ! ଶିଡ଼ିରେ ଓହ୍ଲାଉ ଓହ୍ଲାଉ କହିଲେ–କାଓଆର୍ଡ଼ ! ସ୍ତ୍ରୀଲୋକର ଦେହରେ ହାତ ଦେବାର ଚେଷ୍ଟା ! ମୁଁ ତତେ ଏମିତି ଶିକ୍ଷା ଦେବି, ଯାହା ତୁ ଜୀବନରେ ବି ଭୁଲି ପାରିବୁନାହିଁ ।

 

ତେୱାରୀ ପାଖରେ ଠିଆହୋଇ ସବୁ ଶୁଣୁଥିଲା । ସେମାନେ ଯିବାପରେ କାନ୍ଦକାନ୍ଦ ହୋଇ କହିଲା–କଣ ହେବ ଛୋଟବାବୁ ?

 

ଅପୂର୍ବ ତାଚ୍ଛଲ୍ୟ ସହ କହିଲା–କଣ ଆଉ ହେବ ! କିନ୍ତୁ ତାର ମୁହଁରୁ ଯେ ଅନ୍ୟ ପ୍ରକାର ଜଣାପଡ଼ୁଥିଲା, ତେୱାରୀ ତା ବୁଝିଲା । କହିଲା–ମୁଁ ତ ସେତେବେଳଠୁଁ କହୁଛି ବାବୁ, ଯା ହବାର ହେଲାଣି, ଆଉ ୟାକୁ ଘାଣ୍ଟି ଲାଭ ନାହିଁ । ଏମାନେ ହେଲେ ସାହେବ୍‌-ମେମ୍‌ ।

 

ଅପୂର୍ବ କହିଲା–ସାହେବ ମେମ୍‌ ହେଲାରୁ କଣ ହେଇଗଲା । ତେୱାରୀ ବ୍ୟାକୁଳ ହୋଇ କହିଲା–ବଡ଼ବାବୁଙ୍କୁ ଗୋଟାଏ ତାର କରିଦିଅ ସାନବାବୁ, ସେ ଆସି ପହଞ୍ଚିବେ ।

 

-‘‘ତୁ କଣ ପାଗଳ ହେଲୁ ତେୱାରୀ ! ଯା ଦେଖ, ତେଣେ ସବୁ ପୋଡ଼ିଗଲାଣି । ସାଢ଼େ ଦଶଟାରେ ମୋତେ ବାହାରିବାକୁ ହେବ ।’’ ଏହା କହି ଅପୂର୍ବ ଶୋଇବାଘରକୁ ପଶିଗଲା । ତେୱାରୀ ରନ୍ଧାଘରକୁ ଗଲା; କିନ୍ତୁ ରନ୍ଧାବଢ଼ାରେ ତାର ମନ ଲାଗିଲାନାହିଁ । ସେ ମନେ ମନେ ବିପଦ ଡାକିଆଣିଥିବାରୁ ନିଜକୁ ଧିକ୍‌କାର କରିବାରେ ଲାଗିଲା । ଏଣେ ରନ୍ଧାରନ୍ଧି ବି ଚାଲିଥାଏ । ମନରେ ଯେତେ ଦୁଶ୍ଚିନ୍ତା ଥାଉ, ତେୱାରୀର ରନ୍ଧାରେ କେଉଁଠି ଭୁଲ୍‌ ହେବ ନାହିଁ । ଯଥା ସମୟରେ ଅପୂର୍ବ ଆସି ଖାଇବସିଲା । ତେୱାରୀକୁ ସାହସ ଦେବାପାଇଁ ସେ ତା ରନ୍ଧାର ଭୁରି ଭୁରି ପ୍ରଶଂସା କଲା । ମୁହଁରେ ଗୁଣ୍ଡା ଦେଉ ଦେଉ କହିଲା– କି ଚମତ୍କାର ରାନ୍ଧିଛୁ ତେୱାରୀ, ସତେ ଯେମିତି ଅମୃତ । କେତେ ଦିନୁ ପେଟରେ ଭାତ ପଡ଼ିନି; ଭାବିଥିଲି ଆଜି ଭୟରେ ପୋଡ଼ା ବା ଅଲଣା କରିଦେବୁ । ଆଚ୍ଛା ଗୋଟାଏ ଭୟାଳୁ ଲୋକ ମା’ ସାଙ୍ଗରେ ଦେଇଛନ୍ତି ।

 

ତେୱାରୀ କେବଳ ‘ହୁଁ’ କରି ନିରୁତ୍ତର ହେଲା । ଅପୂର୍ବ ତା ଆଡ଼କୁ ଚାହିଁ ହସି ହସି କହିଲା–କିରେ, ମୁହଁଟା କଣ ଧାନଉଷୁଆଁ ହାଣ୍ଡି ପରି କରିଛୁ ? ହାରାମ୍‌ଜାଦା ଫିରିଙ୍ଗୀର ଧମକ୍‌ ଦେଖିଲୁ ? ପୁଲିସ୍‌କୁ ଡାକିଯାଇଛି । ଯାଉ, ଯାଇ କଣ କରିବ ଦେଖିବା ! ସାକ୍ଷୀ କିଏ ଅଛି ?

 

ତେୱାରୀ କେବଳ କହିଲା–ସାହେବ-ମେମ୍‌ଙ୍କର ସାକ୍ଷୀ କଣ ହେବ ବାବୁ, ସେ କହିଲେ ହେଲା ।

 

ଅପୂର୍ବ ବ୍ୟଙ୍ଗକରି କହିଲା–ହଁ, କହିଲେ ହେଲା ? ଆଇନ୍‌କାନୁନ୍‌ କଣ ନାହିଁ ? ତା’ ଛଡ଼ା ଇଏ ଏବେ କୋଉ ସାହେବ-ମେମ୍‌ ଯେ । ଚେହେରା ତ ବାର୍ନିସ୍‌କରା ଜୋତା ପରି ! ମତେ ସାନପିଲା କରି ପାଇଛି !

 

ତେୱାରୀ ଚୁପ୍‌ ରହିଲା ।

 

ଅପୂର୍ବ ଖାଉ ଖାଉ କହିଲା–ଏ ଝିଅଟା ବି କି ବଜ୍ଜାତ୍‌ ତେୱାରୀ ? କାଲି ସୁନାପିଲାଟି ପରି ଆସି ଓପରେ ଯାଇ ଯେତେକ ମିଛ କଥା ଲଗେଇଛି ! ତେୱାରୀ କହିଲା–ହଁ, ସେ ପରା ଖୀରସ୍ତାନ ।

 

ଅପୂର୍ବ କହିଲା–ତା ଅବଶ୍ୟ ସତ । କହିଲା–ହତଭାଗା ମ୍ଳେଚ୍ଛଗୁଡ଼ାକ ! ଜାଣିଛୁ ତେୱାରୀ, ଅସଲ ସାହେବମାନେ ଏଗୁଡ଼ାଙ୍କୁ କେମିତି ଘୃଣା କରନ୍ତି । ଗୋଟାଏ ଟେବୁଲରେ ବସି ବି ଖାଆନ୍ତି ନାହିଁ । ଯେତେ ହ୍ୟାଟ୍‌ କୋଟ ପିନ୍ଧନ୍ତୁ କି ଗିର୍ଜାକୁ ଯାଆନ୍ତୁ, ଯେଉଁଗୁଡ଼ାକ ଜାତି ହରାଇଛନ୍ତି, ସେଗୁଡ଼ା କଣ କେବେ ଭଲ ହୋଇପାରିବେ ?

 

ତେୱାରୀ ଏଇ ଆସନ୍ନ ସର୍ବନାଶ ଆଗରେ ଥାଇ କିଏ ଭଲ କିଏ ମନ୍ଦ ଏ ବିଚାର କରିବା ପାଇଁ ଇଚ୍ଛା କରୁ ନ ଥିଲା । ସାହେବ ଥାନାକୁ ଖବର ଦେବାକୁ ଯାଇଛି, ଫେରିଆସି ଦ୍ଵାର ଭାଙ୍ଗିବ କି ସାଥିରେ ପୋଲିସ୍‌କୁ ଧରି ଆସି ତାକୁ ବାନ୍ଧିନେବ–କ’ଣ ହେବ ତା ଅନିଶ୍ଚିତ । ଏ ଅବସ୍ଥାରେ ଅସଲ ଓ ନକଲ ସାହେବ ଭିତରେ କେତେ ପ୍ରଭେଦ, ସେମାନେ ଏକା ଟେବୁଲରେ ଖାନ୍ତି କି ନାହିଁ, ଏ ସଂବାଦ ଜାଣିବା ପାଇଁ ତାର ଲେଶମାତ୍ର କୌତୁହଳ ନ ଥିଲା । ଖାଇସାରି ଅପୂର୍ବ ଲୁଗାପଟା ପିନ୍ଧୁଛି, ତେୱାରୀ ପର୍ଦ୍ଦା ଆଡ଼େଇ ପଚାରିଲା–ଟିକେ ଅପେକ୍ଷା କରି ଗଲେ ହନ୍ତାନି ?

 

-କାହିଁକି ଅପେକ୍ଷା କରିବି ?

 

-ସେମାନେ ଆସିଲା ପର୍ଯ୍ୟନ୍ତ......

 

ଅପୂର୍ବ କହିଲା–ସେମିତି କୁଆଡ଼ୁ ହବ ? ଆଜି ମୋର ଚାକିରିର ପ୍ରଥମ ଦିନ-ସେମାନେ କଣ ଭାବିବେ କହିଲୁ ?

 

ତେୱାରୀ ଚୁପ୍‌ ହୋଇ ରହିଲା । ଅପୂର୍ବ କହିଲା–ତୁ ଦ୍ଵାର କିଳି ନିର୍ଭୟରେ ବସିଥା; ମୁଁ ଯେତେ ଶୀଘ୍ର ପାରେ ଫେରିଆସିବି । ଦ୍ଵାର ତ ଆଉ ଭାଙ୍ଗି ଦେବନି ।

 

ତେୱାରୀ କହିଲା–ଆଚ୍ଛା ! କିନ୍ତୁ ସେ ଯେ ଗୋଟାଏ ଦୀର୍ଘନିଃଶ୍ଵାସ ଚାପି ରଖିବାକୁ ଚେଷ୍ଟାକଲା, ଅପୂର୍ବ ସ୍ପଷ୍ଟ ଦେଖିପାରିଲା । ଘରୁ ବାହାରିବାବେଳକୁ ତେୱାରୀ କହିଲା–ଆଜି ଆଉ ଚାଲିକରି ଯାଅନି ସାନବାବୁ; ବରଂ ଗୋଟାଏ ଗାଡ଼ି ଡାକି ନିଅ । ‘ଆଚ୍ଛା ଦେଖିବା’ କହି ଅପୂର୍ବ ଶିଡ଼ିରୁ ତଳକୁ ଓହ୍ଲାଇଗଲା । ତା ଚାଲି ଦେଖିଲେ ମନେହେବନି ଯେ ସେ ନୂଆ ଚାକିରିରେ ଯୋଗଦେବାପାଇଁ ଖୁବ୍‌ଖୁସି ଅଛି । ବୋଥା କମ୍ପାନୀ ଅଂଶୀଦାର ଓ ପୂର୍ବ ଅଞ୍ଚଳର ମ୍ୟାନେଜର ରୋଜନ୍‌ ସାହେବ ବର୍ମାରେ ଅନେକ ଦିନ ଧରି ଅଛନ୍ତି ଓ ରେଙ୍ଗୁନ୍‌ ଅଫିସ୍‍ ସେ ପ୍ରତିଷ୍ଠା କରିଛନ୍ତି । ସେ ଅପୂର୍ବକୁ ଯଥେଷ୍ଟ ସହୃଦୟତା ସହ ଗ୍ରହଣ କଲେ ଓ ତାର ଚେହେରା, କଥାବାର୍ତ୍ତା ଏବଂ ସାର୍ଟିଫିକେଟ ପ୍ରଭୃତି ଦେଖି ଅତି ପ୍ରୀତ ହେଲେ । ସମସ୍ତ କର୍ମଚାରୀମାନଙ୍କୁ ଡାକି ପରିଚୟ କରାଇଦେଲେ ଓ ଯେଉଁ ଦୁଇ ତିନି ମାସ ସେ ଅଛନ୍ତି-ସେ ଭିତରେ ବ୍ୟବସାୟ ସଂକ୍ରାନ୍ତୀୟ ସମସ୍ତ ବିଷୟ ବୁଝାଇଦେବେ ବୋଲି ଆଶ୍ୱାସନା ଦେଲେ । କଥାବାର୍ତ୍ତା ଓ ନୂତନ ବନ୍ଧୁତାରେ ଅପୂର୍ବର ମନର ଗ୍ଳାନି କେତେକାଂଶରେ କମିଗଲା ।

 

ଗୋଟିଏ ଲୋକ ଅପୂର୍ବକୁ ଅତିଶୟ ଆକୃଷ୍ଟ କଲା-ସେ ହେଉଛି ଅଫିସ୍‌ର ଆକାଉଣ୍ଟାଣ୍ଟ-। ମରାଠୀ ବ୍ରାହ୍ମଣ, ନାମ ରାମଦାସ ତଲଓୟାରକାର୍‌ । ବୟସ ବୋଧହୁଏ ଅପୂର୍ବ ସଙ୍ଗେ ସମାନ ହେବ ବା ସାମାନ୍ୟ ଅଧିକ ହେବ । ଶରୀର ଦୀର୍ଘାକୃତି, ବଳିଷ୍ଠ, ଗୌରବର୍ଣ୍ଣ । ସୁପୁରୁଷ କହିଲେ ଅତ୍ୟୁକ୍ତି ହେବନାହିଁ । ଦେହରେ ପାଇଜାମା ଓ ଲମ୍ବା କୋଟ, ମୁଣ୍ଡରେ ପଗଡ଼ି, କପାଳରେ ରକ୍ତଚନ୍ଦନର ଟିପା–ଶୁଦ୍ଧ ଇଂରାଜୀରେ ଚମତ୍କାର କଥାବାର୍ତ୍ତା କରିପାରେ-କିନ୍ତୁ ଅପୂର୍ବ ସାଙ୍ଗରେ ପ୍ରାୟ ହିନ୍ଦୀରେ କଥାବାର୍ତ୍ତା କରିବାକୁ ଲାଗିଲା । ଅପୂର୍ବ ଭଲ ହିନ୍ଦୀ ଜାଣେନା; କିନ୍ତୁ ଯେତେବେଳେ ଦେଖିଲା ସେ ହିନ୍ଦୀ ଛଡ଼ା ଅନ୍ୟ କୌଣସି ଭାଷାରେ ଜବାବ ଦେଉନାହିଁ । ସେତେବେଳେ ସେ ବାଧ୍ୟ ହୋଇ ହିନ୍ଦୀରେ କଥାବାର୍ତ୍ତା କଲା । ଅପୂର୍ବ କହିଲା–ଏ ଭାଷା ମୁଁ ଭଲ ଜାଣିନି; ତେଣୁ ମୋର ଅନେକ ଭୁଲ୍‌ ହେବ ।

 

ରାମଦାସ କହିଲା–ଭୁଲ୍‌ ମୋର ମଧ୍ୟ ହୁଏ ମୋର ମଧ୍ୟ ମାତୃଭାଷା ହିନ୍ଦୀ ନୁହେଁ ।

 

ଅପୂର୍ବ କହିଲା–ଯଦି ପର ଭାଷାରେ କହିବାକୁ ହେବ, ତେବେ ଇଂରାଜୀ କହିଲେ ଦୋଷ କଣ ?

 

ରାମଦାସ କହିଲା–ଆମମାନଙ୍କର ଇଂରାଜୀରେ ଆହୁରି ବେଶି ଭୁଲ ହୁଏ । ଟିକିଏ ହସି କହିଲା–ଆପଣ ନ ହେଲେ ଇଂରଜୀରେ କହନ୍ତୁ; କିନ୍ତୁ ମୁଁ ହିନ୍ଦୀରେ ଜବାବ୍‌ ଦେବି, ମୋତେ କ୍ଷମା କରିବେ ।

 

ଏମିତି କଥାବାର୍ତ୍ତା ହେଉ ହେଉ ରୋଜନ୍‌ ସାହେବ ନିଜେ ଆସି ମ୍ୟାନେଜର ରୁମ୍‌ରେ ପହଞ୍ଚିଲେ । ବୟସ ପ୍ରାୟ ପଚାଶ ହେବ, ହଲାଣ୍ଡର ଲୋକ । ବେଶଭୂଷାରେ ବିଶେଷ ପରିପାଟୀ ନାହିଁ । ମୁହଁରେ ପ୍ରଚୁର ଦାଢ଼ିନିଶ ଅଛି । ଭଙ୍ଗାଭଙ୍ଗା ଇଂରାଜୀ ଉଚ୍ଚାରଣ କରନ୍ତି; କିନ୍ତୁ ପକ୍‌କା ବ୍ୟବସାୟୀ । ଇତିମଧ୍ୟରେ ବର୍ମାର ନାନା ସ୍ଥାନରେ ବୁଲି ନାନା ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରି କାମର ଗୋଟାଏ ଖସଡ଼ା କରିସାରିଛନ୍ତି । ସେହି କାଗଜ ଖଣ୍ଡିକ ଅପୂର୍ବର ଟେବୁଲ୍‌ ଉପରେ ପକାଇଦେଇ କହିଲେ–ଏ ସମ୍ପର୍କରେ ଆପଣଙ୍କ ମନ୍ତବ୍ୟ ଆବଶ୍ୟକ । ତଲ୍‌ୱାର୍‌ କାରକୁ କହିଲେ–ଆପଣଙ୍କ ପାଖକୁ ମଧ୍ୟ ଗୋଟାଏ କପି ପଠାଇ ଦେଇଛି । ଅପୂର୍ବ ତାକୁ ଟେକିନେଇ ଦେଖୁ ଦେଖୁ ମି: ରୋଜନ୍‌ କହିଲେ–ନା, ନା, ଏଇଲେ ଦରକାର ନାହିଁ । ଆଜି ନୂଆ ମ୍ୟାନେଜର ଆସିଛନ୍ତି । ସେଥିପାଇଁ ଦୁଇଟା ବେଳୁ ଅଫିସ ଛୁଟି । ଦେଖନ୍ତୁ, ମୁଁ ତ ଖୁବ୍‌ଶୀଘ୍ର ଚାଲିଯାଉଛି-ସେତେବେଳେ ଆପଣ ଦୁଇଜଣଙ୍କ ଉପରେ ସମସ୍ତ କାମ ନିର୍ଭର କରିବ । ମୁଁ ଇଂରେଜ ନୁହେଁ-ଯଦିଓ ଏ ରାଜ୍ୟ ଆମେ ବି ଦଖଲ କରି ପାରିଥାନ୍ତୁ । ତେବେ ମୁଁ ଭାରତୀୟ ମାନଙ୍କୁ ଆମଠୁ ଛୋଟ ବୋଲି ମନେ ନ କରି ସମକକ୍ଷ ବୋଲି ଭାବେ । କେବଳ ଫାର୍ମର ନୁହେଁ, ଆପଣଙ୍କ ନିଜର ଉନ୍ନତି ମଧ୍ୟ ଆପଣଙ୍କ କର୍ତ୍ତବ୍ୟଜ୍ଞାନ ଉପରେ ନିର୍ଭର କରେ । ଆଚ୍ଛା, ଗୁଡ୍‌ଡ଼େ-ଅଫିସ୍‌ ଦୁଇଟାବେଳେ ବନ୍ଦ ହେବ । କହି କହି ରୋଜନ୍‌ ସାହେବ ଯେପରି କ୍ଷିପ୍ର ଗତିରେ ପ୍ରବେଶ କରିଥିଲେ, ସେପରି କ୍ଷିପ୍ରଗତିରେ ବାହାରି ଚାଲିଗଲେ । ଏହାର ଅଳ୍ପ ସମୟ ପରେ ବାହାରେ ତାଙ୍କ ମୋଟରର ଶବ୍ଦ ଶୁଣାଗଲା ।

 

ଦୁଇଟା ବାଜିବାରୁ ଅପୂର୍ବ ଓ ତଲ୍‌ୱାର୍‌କାର ଏକତ୍ର ରାସ୍ତାକୁ ଆସିଲେ । ତଲ୍‌ୱାର୍‌କାର ସହରରେ ରହେନାହିଁ, ପ୍ରାୟ ଦଶମାଇଲ ଦୂରରେ ଇନ୍‌ସିନ୍‌ ନାମକ ସ୍ଥାନରେ ତାର ବସା । ବସାରେ ତା ସ୍ତ୍ରୀ ଓ ଗୋଟିଏ ଛୋଟ ଝିଅ ଥାଏ । ଘର ଆଗରେ ସାମାନ୍ୟ ଜମି ଅଛି, ସେଠାରେ ପନିପରିବା ହୁଏ । ଚମତ୍କାର ଖୋଲା ଜାଗା-ସହରର ଗଣ୍ଡଗୋଳ ନାହିଁ । ବରାବର ଟ୍ରେନ୍‌ ଥିବାରୁ ଯାତାୟାତର ଅସୁବିଧା ନାହିଁ । ରାମଦାସ କହିଲା–ଆଜ୍ଞା, କାଲି ମୋ ବସାରେ ଚା’ର ନିମନ୍ତ୍ରଣ ରହିଲା, ନିଶ୍ଚୟ ଅଫିସ୍‌ ପରେ ଯିବା ।

 

ଅପୂର୍ବ କହିଲା–ମୁଁ ତ ଚା’ ଖାଏ ନା ।

 

-ଖାଆନ୍ତି ନାହିଁ ? ମୁଁ ବି ଆଗେ ଖାଉ ନ ଥିଲି, ମୋ ସ୍ତ୍ରୀ ଏବେ ମଧ୍ୟ ଚିଡ଼ନ୍ତି । ଆଚ୍ଛା ! ନ ହେଲା ନାହିଁ, ଫଳ, ସରବତ୍‌, କିମ୍ବା-ଆମେ ତ ଆପଣଙ୍କ ପରି ବ୍ରାହ୍ମଣ–

 

ଅପୂର୍ବ ହସି କହିଲା–ବ୍ରାହ୍ମଣ ତ ନିଶ୍ଚୟ ! କିନ୍ତୁ ଆପଣମାନେ ଯଦି ଆମ ବସାରେ ଖାଇବେ, ତେବେ ମୁଁ ଆପଣଙ୍କ ସ୍ତ୍ରୀଙ୍କ ହାତରେ ଖାଇବି ।

 

ରାମଦାସ କହିଲା–ମୁଁ ତ ଖାଏ, ତେବେ ମୋ ସ୍ତ୍ରୀ କଥା–ଆଚ୍ଛା, ତାଙ୍କୁ ପଚାରି କହିବି । ଆମ ଆଡ଼େ ସ୍ତ୍ରୀଲୋକମାନେ ବଡ଼-ଆଚ୍ଛା, ଆପଣଙ୍କ ବସା ତ ପାଖରେ, ଚାଲନ୍ତୁ ଛାଡ଼ିଦେଇ ଆସେ । ମୋ ଗାଡ଼ି ତ ପାଞ୍ଚଟାରେ ।

 

ଅପୂର୍ବ ଏପର୍ଯ୍ୟନ୍ତ ଭୁଲିଯାଇଥିଲା । ବସା ନାଁ ପଡ଼ିବାରୁ ତାର ସମସ୍ତ ଘଟଣା ବିଦ୍ୟୁତ୍‌ବେଗରେ ମନକୁ ଆସି ମୁଖ ମଳିନ ପଡ଼ିଗଲା । ଏଠାରେ ପାଦ ଦେଉ ଦେଉ ସେ ଯେ ଏପରି ଗୋଟାଏ କଦର୍ଯ୍ୟ ଘଟଣାରେ ଜଡ଼ିତ ହୋଇପଡ଼ିଛି, ଏ କଥା କହିବା ପାଇଁ ତାର ମୁଣ୍ଡ କଟିଗଲା ପରି ଲାଗିଲା । ଏପର୍ଯ୍ୟନ୍ତ ଯେ କଣ ହେଇଛି ସେ କିଛି ଜାଣେ ନା । ହୁଏତ ଅନେକ ଘଟଣା ଘଟିଯାଇଛି । ଏକାକୀ ସେଠି ଯାଇ ଠିଆହେବା ଅପେକ୍ଷା ଜଣେ ପରିଚିତ ଲୋକ ସାଙ୍ଗରେ ଗଲେ କେତେ ସୁବିଧା, କେତେ ସାହସ ! କିନ୍ତୁ ପରିଚୟ ଆରମ୍ଭ ହେଉ ହେଉ ଏ ଘଟଣା ଜାଣିଲେ ସେ କଣ ଭାବିବ–ଭାବି ଅପୂର୍ବ ସଙ୍କୋଚ ବୋଧକଲା । କହିଲା–‘‘ଦେଖନ୍ତୁ, ସମସ୍ତ ବିଶୃଙ୍ଖଳ......ମୁହଁର କଥା ସେ ଶେଷ କରିପାରିଲା ନାହିଁ । ରାମଦାସ ହସି ହସି କହିଲା–ଗୋଟାଏ ରାତିରେ ତ ଆଉ ଶୃଙ୍ଖଳା ଆଶା କରାଯାଏନି । ମତେ ମଧ୍ୟ ନୂଆ ବସା କରିବାକୁ ପଡ଼ିଥିଲା, ତେବେ ମୋର ସ୍ତ୍ରୀ ପାଖରେ ଥିଲେ । ଆପଣଙ୍କର ସେ ସୁବିଧା ନାହିଁ । ଆପଣ ଆଜି ଲଜ୍ଜିତ ବୋଧ କରୁଛନ୍ତି । କିନ୍ତୁ ତାଙ୍କୁ ନ ଆଣିଲେ ବର୍ଷକ ପରେ ବି ଆପଣଙ୍କର ଏ ଲଜ୍ଜା ଘୁଞ୍ଚିବ ନାହିଁ । ଚାଲନ୍ତୁ, ଦେଖିବା ମୁଁ ଯଦି କିଛି କରିପାରେ, ବିପଦରେ ତ ବନ୍ଧୁର ଆବଶ୍ୟକ ।

 

ଅପୂର୍ବ ଚୁପ୍‌ହୋଇ ରହିଲା । ସେ ସ୍ଵଭାବତଃ ରହସ୍ୟପ୍ରିୟା; ତେଣୁ ତାର ସ୍ତ୍ରୀ-ଦୁର୍ମିଲତା ସମ୍ପର୍କରେ ସେ ଥଟ୍ଟା କରିପାରିଥାନ୍ତା; କିନ୍ତୁ ବର୍ତ୍ତମାନ କିଛି ତା ମୁଣ୍ଡକୁ ଆସିଲା ନାହିଁ । ଏହି ବନ୍ଧୁହୀନ ଦେଶରେ ଆଜି ତାର ବନ୍ଧୁର ପ୍ରୟୋଜନ; କିନ୍ତୁ ଏହି ବିଦେଶୀ ବନ୍ଧୁଟିକୁ ତା ନିଜ ଅସୁବିଧା ଭିତରକୁ ଟାଣିନେବାକୁ ତାକୁ ଖରାପ ଲାଗିଲା । ତେଣୁ ଉଭୟେ ଚାଲି ଚାଲି ଯେତେବେଳେ ତା ବସା ପାଖେ ଆସି ପହଞ୍ଚିଲେ, ସେତେବେଳେ ରାମଦାସକୁ ଘରକୁ ନ ଡାକି ରହିପାରିଲା ନାହିଁ । ଉପରକୁ ଉଠିଲା ବେଳକୁ ଦେଖିଲା ସେ ଖ୍ରୀଷ୍ଟାନ୍‌ ଝିଅଟି ଠିକ୍‌ ସେ ସମୟରେ ଓହ୍ଲାଉଛି । ବାପ ତା ସାଙ୍ଗରେ ନାହିଁ, ସେ ଏକା । ଦୁଇଜଣ ଗୋଟାଏ ପାଖକୁ ଆଡ଼େଇ ହୋଇଗଲେ । ଝିଅଟି କାହା ପ୍ରତି ଦୃଷ୍ଟିପାତ ନ କରି ତଳକୁ ଓହ୍ଲାଇ ଗଲାପରେ ରାମଦାସ ପଚାରିଲା–ଏମାନେ କଣ ତିନିତାଲାରେ ରହନ୍ତି ?

 

ଅପୂର୍ବ କହିଲା–ହଁ !

 

ଆପଣଙ୍କ ପରି ବଙ୍ଗାଳୀ ?

 

ଅପୂର୍ବ ମୁଣ୍ଡ ଲାଡ଼ି କହିଲା–ନା, ଦେଶୀ ଖ୍ରୀଷ୍ଟାନ୍‌ । ଖୁବ୍‌ ସମ୍ଭବ ମାନ୍ଦ୍ରାଜୀ କିମ୍ବା ଗୋଆନିଜ୍‌–କିନ୍ତୁ ବଙ୍ଗାଳୀ ନୁହନ୍ତି ।

 

ରାମଦାସ କହିଲା–କିନ୍ତୁ ଲୁଗା ପିନ୍ଧା ଧରଣ ତ ଆପଣମାନଙ୍କ ପରି ।

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ ପଚାରିଲା–ଆମ ଧରଣ ଆପଣ ଜାଣିଲେ କେମିତି ?

 

ରାମଦାସ କହିଲା–ବମ୍ବେ, ପୁରୀ, ସିମଳାରେ ଅନେକ ବଙ୍ଗାଳୀ ମହିଳାଙ୍କୁ ଦେଖିଛି ! ସେମାନଙ୍କ ଲୁଗାପିନ୍ଧାର ଢଙ୍ଗ ଖୁବ୍‌ସୁନ୍ଦର ।

 

‘ହେଇଥିବ’ କହି ଅପୂର୍ବ ଅନ୍ୟମନସ୍କ ଭାବେ ଆସି ବସା ଦୁଆରେ ଡାକିଲା । କିଛି ସମୟ ପରେ ଭିତରୁ ସତର୍କ କଣ୍ଠରେ ଉତ୍ତର ଆସିଲା–କିଏ ?

 

‘‘ମୁଁ, ଦ୍ଵାର ଫିଟା, କୌଣସି ଭୟ ନାହିଁ’’–କହି ଅପୂର୍ବ ହସିଲା । ଇତିମଧ୍ୟରେ ଯେ କିଛି ଘଟିନାହିଁ ଏବଂ ତେୱାରୀ ନିରାପଦରେ ଘର ଭିତରେ ଅଛି, ଜାଣି ତା ଛାତିରୁ ଗୋଟାଏ ବୋଝ ଓହ୍ଲାଇଗଲା ।

 

ଭିତରେ ପହଞ୍ଚି ରାମଦାସ ଏ ଘର ସେ ଘର ବୁଲି ଖୁସିହେଇ କହିଲା–ମୁଁ ଯାହା ଭୟ କରିଥିଲି, ତା ନୁହେଁ । ଆପଣଙ୍କ ଚାକରଟି ଭଲ ଲୋକ । ସବୁ ଜିନିଷ ସଜଡ଼ାସଜଡି କରି ରଖିଛି । ଆସ୍‌ବାବ୍‌ପତ୍ର ମୁଁ ପସନ୍ଦ କରି କିଣିଥିଲି । ଆପଣଙ୍କର ଆଉ କଣ କଣ ଦରକାର କହିଲେ କିଣି ପଠାଇଦେବି-ରୋଜେନ୍‌ ସାହେବ ଅର୍ଡ଼ର ଦେଇଛନ୍ତି ।

 

ତେୱାରୀ ମୃଦୁ ସ୍ଵରରେ କହିଲା–ଆଉ ଆସ୍‌ବାବ୍‌ ଲୋଡ଼ାନାହିଁ ବାବୁ, ଭଲରେ ଭଲରେ ଏ ଘରୁ ଗଲେ ରକ୍ଷା । ଅପୂର୍ବ ତାକୁ ଏକୁଟିଆ ଡାକି ପଚାରିଲା–ଆଉ କ’ଣ ହେଲା କି ତେୱାରୀ ? ତେୱାରୀ କହିଲା–ନା ଆଉ କିଛି ହେଇନି । ହେଲେ ସାହେବ ଦି’ପହର ଗୋଟାକଯାକ ଯାହା ଘୋଡ଼ାଦୌଡ଼ କରିଛି ନା ! ଏଠି ବଞ୍ଚିବା କଷ୍ଟ ।

 

ଅପୂର୍ବ ଭାବିଲା-ହୁଏତ ସେମିତି କିଛି ଗୁରୁତର ନୁହେଁ, କିଛି ଗୋଟାଏ ଛୋଟ ଘଟଣା ବଡ଼ କରି ଥୋଇବା ତେୱାରୀର ଅଭ୍ୟାସ । ତେଣୁ ସେ ତାଚ୍ଛଲ୍ୟ ସହ କହିଲା–ସେ କଣ ଆଉ ଚାଲିବନି ? କାଠ ଛାତ ଯେତେବେଳେ ଶବ୍ଦ ଟିକିଏ ବେଶି ହେବ ନିଶ୍ଚୟ ।

 

ତେୱାରୀ ରାଗିଯାଇ କହିଲା–ଗୋଟାଏ ଜାଗାରେ ଠିଆହୋଇ ଗୋଡ଼କୁ ଦୁମ୍‌ଦୁମ୍‌ ପିଟିଲେ କଣ ଚାଲିବା କୁହାଯାଏ ?

 

ଅପୂର୍ବ କହିଲା–ବୋଧହୁଏ ପୁଣି ମଦ ଖାଇଥିଲା....

 

ତେୱାରୀ ଉତ୍ତର ଦେଲା-ହେଇଥିବ, ମୁଁ କଣ ତା ମୁହଁ ଶୁଙ୍ଘିଥିଲି ? ଆଉ-ବକର୍‌ବକର୍‌ ହୋଇ ରନ୍ଧାଘର ଆଡ଼େ ଗଲା-ସେ ଯାହାହେଉ ଏ ଘରେ ଆଉ ରହିବା ପୋଷେଇବ ନାହିଁ ।

 

ତେୱାରୀର ଅଭିଯୋଗ ଅନ୍ୟାୟ ବା ଅପ୍ରତ୍ୟାଶିତ ନୁହେଁ । ପ୍ରବାସରେ ପ୍ରଥମ ପ୍ରଭାତଟା ତାର କୁହୁଡ଼ି ଭିତରେ ଆରମ୍ଭ ହୋଇଥିଲା-କେବଳ ମଝିରେ ଅଫିସରେ ଯାହା ଟିକିଏ ଆଲୁଅ ଆଖିରେ ପଡ଼ିଥିଲା-କିନ୍ତୁ ସନ୍ଧ୍ୟା ନ ହେଉଣୁ ଆକାଶ ପୁଣି ଥରେ ମେଘାଚ୍ଛନ୍ନ ହେବାର ସେ ସ୍ପଷ୍ଠ ଦେଖିପାରିଲା ।

 

ଟ୍ରେନ୍‌ର ସମୟ ହେବାରୁ ରାମଦାସ ବିଦାୟ ନେବାକୁ ଚାହିଁଲା । କେଜାଣି ତେୱାରୀ ଅପୂର୍ବର କଥାବାର୍ତ୍ତାରୁ ସେ କଣ ଠଉରାଇଲା କି କଣ-ଯିବାବେଳେ ପଚାରିଲା–ବାବୁଜୀ ଏ ବସାରେ କଣ ଆପଣଙ୍କର ଅସୁବିଧା ହେଉଛି ? ଅପୂର୍ବ ଈଷତ୍‌ ହସି କହିଲା–ନା । ରାମଦାସ ଜିଜ୍ଞାସୁଭାବେ ଚାହିଁରହିବାର ଦେଖି କହିଲା–ଉପରେ ଯେଉଁମାନେ ଅଛନ୍ତି, ସେମାନେ ମୋ ପ୍ରତି ସଦୟ ବ୍ୟବହାର କରିବାକୁ ଅରାଜି ।

 

ରାମଦାସ ବିସ୍ମିତ ହୋଇ କହିଲା–ଏଇ ଭଦ୍ରମହିଳା ଜଣକ ?

 

‘‘ହଁ, ଇଏ ଓ ୟାଙ୍କ ବାପ’’ ଏହା କହି ସେ ଗତକାଲି ସନ୍ଧ୍ୟା ଓ ଆଜି ସକାଳର ଘଟଣା ବର୍ଣ୍ଣନା କଲା । ରାମଦାସ କିଛି ସମୟ ନୀରବ ରହି କହିଲା–ମୁଁ ହୋଇଥିଲେ ଘଟଣା ଅନ୍ୟ ରକମର ହୋଇଥାନ୍ତା । କ୍ଷମାପ୍ରାର୍ଥନା ନ କରି ସେ ତା ଦୁଆରମୁହଁରୁ ଏକପାଦ ମଧ୍ୟ ଘୁଞ୍ଚି ପାରି ନଥାନ୍ତା ।

 

ଅପୂର୍ବ ଚାହିଁଲା । –କ୍ଷମା ନ ମାଗିଥିଲେ କଣ କରିଥାନ୍ତ ?

 

ରାମଦାସ କହିଲା–କହିଲି ପରା, ଓହ୍ଲାଇବାକୁ ଦିଅନ୍ତି ନାହିଁ ।

 

ଅପୂର୍ବ ଯେ ତା କଥା ବିଶ୍ଵାସ କଲା ତା ନୁହେଁ, ତେବେ ସାହସୀ କଥା ଶୁଣି ଟିକିଏ ବଳ ପାଇଲା I ହସି ହସି କହିଲା–ଆଚ୍ଛା ଚାଲନ୍ତୁ, ଆପଣଙ୍କ ଗାଡ଼ିର ସମୟ ହୋଇ ଯାଉଛି । ଏହା କହି ସେ ବନ୍ଧୁର ହାତ ଧରି ଶିଡ଼ିରେ ଓହ୍ଲାଇବାକୁ ଲାଗିଲା । ଆଶ୍ଚର୍ଯ୍ୟର ବିଷୟ ଯେ ଆସିବା ସମୟରେ ଯେମିତି, ଗଲାବେଲକୁ ଠିକ୍‌ ସେମିତି ଶିଡ଼ି ପାଖରେ ସେ ଝିଅଟି ସାଥିରେ ଦେଖାହେଲା । ହାତରେ ତାର ଗୋଟିଏ ଛୋଟ କାଗଜର ପୁଡ଼ା, ବୋଧ ହୁଏ କଣ କିଣିବାକୁ ଯାଇଥିଲା, ଫେରିଆସୁଛି । ତାକୁ ବାଟଦେବା ପାଇଁ ଅପୂର୍ବ ଗୋଟାଏ ପଟକୁ ଆଡ଼େଇ ହୋଇଗଲା; କିନ୍ତୁ ହଠାତ୍‌ ଦେଖିଲା, ରାମଦାସ ବାଟ ନ ଦେଇ ମଝିରେ ତାକୁ ଆଗୁଳି ଠିଆହୋଇଛି ରାମଦାସ ଇଂରାଜୀରେ କହିଲା–ମୁଁ ଏ ବାବୁଙ୍କର ବନ୍ଧୁ । ୟାଙ୍କ ପ୍ରତି ଦୁର୍ବ୍ୟବହାର ପାଇଁ ଆପଣମାନେ ଅନୁତପ୍ତ ହେବା ଉଚିତ ।

 

ଝିଅଟି ମୁହଁଟେକି ରାଗି କହିଲା–ଯଦି ଇଚ୍ଛା ହେଉଛି, ଏ ସବୁ କଥା ମୋ ବାପାଙ୍କୁ କହିପାରନ୍ତି ।

 

-ଆପଣଙ୍କ ବାପା ଘରେ ଅଛନ୍ତି ?

 

-ନା ।

 

-ତେବେ ଅପେକ୍ଷା କରିବା ପାଇଁ ମୋର ସମୟ ନାହିଁ । ମୋ ତରଫରୁ ତାଙ୍କୁ କହିବେ...ତାଙ୍କ ଉପଦ୍ରବରେ ଏ ରହିପାରୁ ନାହାନ୍ତି ।

 

ଝିଅଟି ତିକ୍ତ ସ୍ଵରରେ କହିଲା–ତାହେଲେ ସେ ଇଚ୍ଛାକଲେ ଚାଲିଯାଇ ପାରନ୍ତି ।

 

ରାମଦାସ ଟିକିଏ ହସି କହିଲା–ଭାରତବର୍ଷୀୟ ଖ୍ରୀଷ୍ଟାନ୍‌ମାନଙ୍କର ଏ ଧମକ ମୁଁ ଦେଖିଛି । ୟା ଅପେକ୍ଷା ବଡ଼ ଜବାବ୍‌ ମୁଁ ଆଶା କରି ନ ଥିଲି; କିନ୍ତୁ ସେଥିରେ ଆପଣଙ୍କର ସୁବିଧା ହେବନି । କାରଣ ତାଙ୍କ ଜାଗାରେ ମୁଁ ଆସିବି । ମୋ ନାଁ ରାମଦାସ ତଲ୍‌ୱାର୍‌କାର-ମୁଁ ମରାଠୀ ବ୍ରାହ୍ମଣ । ତଲ୍‌ୱାର୍‌ ଶବ୍ଦର ଗୋଟାଏ ଅର୍ଥ ଅଛି-ଆପଣଙ୍କ ବାପାଙ୍କୁ ସେଟା ପଚାରି ବୁଝିନେବେ । ଆଚ୍ଛା, ଗୁଡ଼୍‌ ଇଭ୍‌ନିଂ । ଚାଲନ୍ତୁ ବାବୁଜୀ ! ଏହା କହି ସେ ଅପୂର୍ବର ହାତଧରି ରାସ୍ତାକୁ ଓହ୍ଲାଇ ଆସିଲା ।

 

ଝିଅଟିର ଚେହେରା ଅପୂର୍ବ ଦେଖି ପାରୁଥିଲା-ଶେଷଆଡ଼କୁ ସେ କିପରି ରୁକ୍ଷ ହୋଇଗଲା, ତା ମନେକରି କିଛି ସମୟ ପର୍ଯ୍ୟନ୍ତ ସେ କଥା କହିପାରିଲା ନାହିଁ । ତା ପରେ ଆସ୍ତେ ଆସ୍ତେ କହିଲା–ଏ କ’ଣ ହେଲା ରାମଦାସ ?

 

ରାମଦାସ କହିଲା–ଏୟା ହେଲା ଯେ ଆପଣ ଚାଲିଗଲେ ମୋତେ ଆସିବାକୁ ହେବ । ତେବେ ଖବରଟା ଯେମିତି ପାଇବି ।

 

ଅପୂର୍ବ କହିଲା–ଅର୍ଥାତ୍‌ ଦି’ପହର ବେଲେ ଆପଣଙ୍କ ସ୍ତ୍ରୀ ଏଠି ଏକୁଟିଆ ରହିବେ ।

 

ରାମଦାସ କହିଲା–ନା, ଏକୁଟିଆ ନୁହେଁ, ମୋର ଗୋଟିଏ ଦି ବର୍ଷର ଝିଅ ଅଛି ।

 

-ଆପଣ କ’ଣ ଥଟ୍ଟା କରୁଛନ୍ତି ?

 

-ନା ମୁଁ ସତ କହୁଛି । ଥଟ୍ଟା କରିବା ମୁଁ ଜାଣେନି ।

 

ଅପୂର୍ବ ତାର ବନ୍ଧୁର ମୁହଁକୁ ଚାହିଁଲା, ତା ପରେ ଧୀରେ ଧୀରେ କହିଲା–ତା’ ହେଲେ ମୋର ଏ ବସା ଛାଡ଼ିଲେ ଚଳିବନାହିଁ । ତା ମୁହଁରୁ କଥା ନ ସରୁଣୁ ରାମଦାସ ଅକସ୍ମାତ୍‌ ତାର ଦୁଇ ହାତ ନିଜର ବଳିଷ୍ଠ ମୁଠା ଭିତରେ ଧରି ଜୋର୍‌ରେ ହଲାଇଦେଇ କହିଲା–ଏୟାତ ମୁଁ ଚାହେଁ ବାବୁଜୀ, ଏୟା ମୁଁ ଚାହେଁ । ଅତ୍ୟାଚାର ଭୟରେ ଆମେ ଅନେକ ଥର ପଳାଇଛୁ; କିନ୍ତୁ ବାସ୍‌ ଏତିକି-। ଗୋଟାଏ ହାତ ସେ ଛାଡ଼ିଦେଲା, କିନ୍ତୁ ଶେଷ ପର୍ଯ୍ୟନ୍ତ ଅନ୍ୟ ହାତଟା ଧରିଥିଲା । ଟ୍ରେନ୍‌ ଛାଡ଼ିବାବେଳ ହେବାରୁ ଆଉ ଥରେ କରମର୍ଦ୍ଦନ କରି ଦୁଇହାତ ଟେକି ନମସ୍କାର କଲା ।

 

ସନ୍ଧ୍ୟା ହେବାକୁ ସେତେବେଳକୁ ଡେରି ଥିଲା, ଘଣ୍ଟାଏ ମଧ୍ୟରେ ଆଉ ଗାଡ଼ିବେଳ ନ ଥିବାରୁ ଷ୍ଟେସନ୍‌ ପ୍ଲାଟଫର୍ମରେ ଲୋକଗହଳି ନ ଥିଲା । ଅପୂର୍ବ ଏପାଖ ସେପାଖ ବୁଲିବାକୁ ଲାଗିଲା । ହଠାତ୍‌ ତାର ମନେ ହେଲା ଯେ କାଲିଠାରୁ ଆଜି ପର୍ଯ୍ୟନ୍ତ ଏଇ ଗୋଟାଏ ଦିନର ବ୍ୟବଧାନରେ ଜୀବନଟା ଯେପରି ଏକବର୍ଷ ଦୀର୍ଘ ହୋଇଯାଇଛି । ଅଳ୍ପଦୂରରେ ଗୋଟାଏ କାଠର ବେଞ୍ଚ ଥିଲା, ସେ ତା ଉପରେ ବସିପଡ଼ି ଆଖି ପୋଛୁଛି-ହଠାତ୍‌ ପଛରୁ ପ୍ରବଳ ଧିକ୍‌କାରେ ମୁହଁମାଡ଼ି ମାଟିରେ ପଡ଼ିଗଲା । ସଙ୍ଗେ ସଙ୍ଗେ ଉଠି ଦେଖେ ତ ପାଞ୍ଚ ଛ’ଜଣ ଫିରିଙ୍ଗି ଟୋକା-କାହା ମୁହଁରେ ସିଗ୍ରେଟ୍‌, କାହା ମୁହଁରେ ପାଇପ୍‌–ଦାନ୍ତ ବାହାର କରି ହସୁଛନ୍ତି । ସମ୍ଭବତଃ ଯେ ଧକ୍‌କା ମାରିଥିଲା, ସେ ବେଞ୍ଚରେ ଲେଖାହୋଇଥିବା ଦେଖାଇଲା–ଶାଲା ୟହ୍‌ ସାହେବ୍‌ ଲୋଗ୍‌କା ବାସ୍ତେ, ତୁମ୍‌ହାରା ନେହିଁ-

 

ଲଜ୍ଜା ଓ କ୍ରୋଧରେ ଅପୂର୍ବର ଚକ୍ଷୁ ଆରକ୍ତ ହୋଇଗଲା, ଓଠ କମ୍ପି ଉଠିଲା । ସେ ପ୍ରତ୍ୟୁତ୍ତରରେ କଣ କହିଲା, ବୁଝି ହେଲା ନାହିଁ । ତା ଅବସ୍ଥା ଦେଖି ଫିରିଙ୍ଗି ଦଳ ଅମୋଦ ଅନୁଭବ କରିବାବୁ ଲାଗିଲେ । ଜଣେ କହିଲା–ଶାଲା ଦୁଧ୍‌ବାଲା, ଆଁଖି ଗରମ୍‌ କର୍‌ତା-ଫାଟକ୍‌ମେ ଯାଏଗା ୟା ନାହିଁ ? ସମସ୍ତେ ବଡ଼ପାଟିରେ ହସିଉଠିଲେ-ଜଣେ ତା ଆଡ଼କୁ ଗୋଟାଏ ଅଶ୍ଳୀଳ ଭଙ୍ଗୀ କରି ହୁଇସିଲ୍‌ ଦେବାକୁ ଲାଗିଲା ।

 

ଅପୂର୍ବର ହିତାହିତ ଜ୍ଞାନ ପ୍ରାୟ ଲୋପ ହୋଇଯାଇଥିଲା, ହୁଏତ ମୁହୂର୍ତ୍ତକ ପରେ ସେ ଏମାନଙ୍କ ଉପରକୁ ଝାମ୍ପି ପଡ଼ିଥାନ୍ତା-କିନ୍ତୁ କେତେଗୁଡ଼ିଏ ହିନ୍ଦୁସ୍ଥାନୀ ଲୋକ ନିକଟରେ ବସି ବତି ସଫା କରୁଥିଲେ । ସେମାନେ ମଝିରେ ଆସି ତାକୁ ଟାଣି ପ୍ଲାଟଫର୍ମର ବାହାରକୁ ନେଇ ଆସିଲେ । ଗୋଟାଏ ଫିରିଙ୍ଗି ଟୋକା ଭିଡ଼ ମଝିରେ ପଶି ଅପୂର୍ବର ଧଳା ପ୍ୟାଣ୍ଟ ଉପରେ ବୁଟ୍‌ର ଚିହ୍ନ ମାରିଦେଇ ଚାଲିଗଲା । ଏଇ ହିନ୍ଦୁସ୍ଥାନୀ ଦଳ ହାତରୁ ଉଦ୍ଧାର ପାଇବା ପାଇଁ ଅପୂର୍ବ ଟଣାଟଣି କଲା । ଜଣେ ତାକୁ ଠେଲିଦେଇ କହିଲା–ବାବୁ, ସାହେବ ଲୋକ୍‌କା ବଦନ ଛୁଏଗା ତୋ ୟହାଁ ଏକ ବରଷ ଜେଲ୍‌ ଖଟେଗୋ-ଯାଓ-ଭାଗୋ । ଆଉ ଜଣେ କହିଲା–ଆରେ ବାବୁ ହୈ-ଧକ୍‌କା‌ ମତ ଦୋ-। ବାହାରେ ତାକୁ ଘେରି ଭିଡ଼ ଜମିବାର ଉପକ୍ରମ ହେଲା । ଯେଉଁମାନେ ଦେଖିନାହାନ୍ତି, ସେମାନେ କାରଣ ପଚାରିଲେ; ଯେଉଁମାନେ ଦେଖିଛନ୍ତି ସେମାନେ ନାନା ରକମ ମନ୍ତବ୍ୟ କଲେ । ଜଣେ ଚଣା-ଭଜା ବିକିବାବାଲା ହିନ୍ଦୁସ୍ଥାନୀ-ସେ କଲିକତାରେ ରହି କିଛି ବଙ୍ଗଳା ଶିଖିଥିଲା-ସେ ଅପୂର୍ବକୁ ବୁଝାଇଲା ଯେ ଏଠାରେ ଚଟ୍ଟଗ୍ରାମରେ ଅନେକ ଲୋକ ଦୁଧ ବ୍ୟବସାୟ କରନ୍ତି । ସେମାନେ ପ୍ୟାଣ୍ଟ, ଯୋତା ପିନ୍ଧନ୍ତି । ଅପୂର୍ବ ଅଫିସର୍ ପୋଷାକ ଛାଡ଼ି ସାଧାରଣ ପୋଷାକରେ ଷ୍ଟେସନକୁ ଆସିଥିଲା; ସୁତରାଂ ସାହେବମାନେ ବୁଝି ପାରିନାହାନ୍ତି । ସେମାନେ ଦୁଧବାଲା ବୋଲି ମାରିଛନ୍ତି, କିରାଣିବାବୁ ବୋଲି ଚିହ୍ନିପାରି ନାହାନ୍ତି । ସେମାନଙ୍କ କୈଫିୟତ୍‌ ଓ ସହାନୁଭୂତିର ସଙ୍ଗ ତ୍ୟାଗ କରି ଅପୂର୍ବ ସିଧା ଷ୍ଟେସନ୍‌ମାଷ୍ଟର ଘରେ ଯାଇ ପହଞ୍ଚିଲା । ସେ ବି ସାହେବ-ସେ କାମ କରୁଥିଲେ । ମୁଣ୍ଡ ଟେକି ଚାହିଁଲେ ।

 

ଅପୂର୍ବ ଯୋତାଦାଗ ଦେଖାଇ ସମସ୍ତ ଘଟଣା କହିଲା । ସେ ବିରକ୍ତ ଓ ଅବଜ୍ଞାସହ କହିଲେ–ତୁମେ ଇଉରୋପୀୟାନ୍‌ଙ୍କ ବେଞ୍ଚରେ ବସିବାକୁ ଗଲ କାହିଁକି ?

 

ଅପୂର୍ବ ଉତ୍ତେଜିତ ହୋଇ କହିଲା–ମୁଁ ଜାଣି ନ ଥିଲି ।

 

-ତମର ଜାଣିବା ଉଚିତ ଥିଲା ।

 

-କିନ୍ତୁ ତା ବୋଲି ତୁଚ୍ଛାରେ ଭଦ୍ରଲୋକ ଦେହରେ ହାତ ଦେବେ ?

 

ସାହେବ ଦ୍ଵାରଆଡ଼କୁ ହାତ ଦେଖାଇ କହିଲେ–ଗୋ-ଗୋ । ଚପ୍ରାସି, ଇସ୍‌କୋ ବାହାର କର୍‍ ଦୋ ।

 

ତା’ପରେ ଅପୂର୍ବ କିପରି ଘରକୁ ଫେରିଲା, ସେ ଠିକ୍‌ ଜାଣେ ନା । ଦୁଇଘଣ୍ଟା ପୂର୍ବେ ରାମଦାସ ସହ ଏଇ ବାଟରେ ଏକତ୍ର ଆସିଲାବେଳେ ସବୁଠାରୁ ରାମଦାସର ମଧ୍ୟସ୍ଥତା ତାକୁ ବେଶି ଆଘାତ କରିଥିଲା । ପ୍ରଥମତଃ ତାଦ୍ୱାର ଉତ୍ପାତ ଓ ଅଶାନ୍ତିର ମାତ୍ରା କମିବ ନାହିଁ ବରଂ ବଢ଼ିବ; ଦ୍ଵିତୀୟତଃ ସେ ଖ୍ରୀଷ୍ଟାନ୍‌ ଝିଅଟିର ଯେତେ ଅପରାଧ ଥାଉ ନା କାହିଁକି ଜଣେ ସ୍ତ୍ରୀଲୋକକୁ ଏପରି କଠିନ କଥା କହିବା ସଙ୍ଗତ ନୁହେଁ-ତା’ପରେ ସେ ପୁଣି ଏକୁଟିଆ ଥିଲା । ଅପୂର୍ବର ଭଦ୍ର, ଶିକ୍ଷିତ ମନ ଏଥିରେ କ୍ଷୁଣ୍ଣ ହୋଇଥିଲା; କିନ୍ତୁ ବର୍ତ୍ତମାନ ଫେରାବାଟରେ ତାର ସେ କ୍ଷୋଭ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା । ତାର ବରଂ ସେ ଝିଅକୁ କେବଳ ସାହେବର ଝିଅ, ଖ୍ରୀଷ୍ଟାନ୍‌ ଝିଅ ବୋଲି ମନେହେଲା । ଯେଉଁ ଫିରଙ୍ଗୀ ଟୋକାଗୁଡ଼ାକ ତାକୁ ଅଳ୍ପ ସମୟ ତଳେ ଅକାରଣ ଅପମାନ ଦେଇଛନ୍ତି, ଯେଉଁମାନଙ୍କ କୁଶିକ୍ଷା, ଇତରତା ଓ ବର୍ବରତାର ସୀମା ନାହିଁ, ସେଇମାନଙ୍କ ଭଗ୍ନୀ ବୋଲି ମନେହେଲା । ଯେ ସାହେବଟା ତାକୁ ମଣିଷର ସାମାନ୍ୟ ଅଧିକାର ନଦେଇ ଅବିଚାର ସହ ଘରୁ ତଡ଼ିଦେଲା, ସେ ତାର ଆତ୍ମୀୟ ବୋଲି ମନେହେଲା ।

 

ତେୱାରୀ ଆସି କହିଲା–ସାନବାବୁ, ଆପଣଙ୍କର ଖାଇବା ତିଆରି ହୋଇଗଲାଣି । ଅପୂର୍ବ କହିଲା–ଯାଉଛି । ଦଶମିନିଟ ପରେ ତେୱାରୀ ପୁଣି ଆସି କହିଲା–ଭାତ ଥଣ୍ଡା ହେଇଗଲା ବାବୁ ! ଅପୂର୍ବ ରାଗକରି କହିଲା–କାହିଁକି ବିରକ୍ତ କରୁଛୁ ତେୱାରୀ, ମୁଁ ଖାଇବିନି-ମୋତେ ଭୋକ ହେଉନି ।

 

ତା ଆଖିକୁ ନିଦ ଆସିଲା ନାହିଁ । ରାତି ଯେତିକି ବଢ଼ିବାକୁ ଲାଗିଲା, ତା ଶେଯଟା ଯେମିତି ସେତିକି କଣ୍ଟାରେ ଫୋଡ଼ିହେଲା ପରି ଲାଗିଲା । ଗୋଟାଏ ମର୍ମାନ୍ତିକ ବେଦନା ସେ ଶରୀରର ସକଳ ଅଙ୍ଗରେ ଅନୁଭବ କଲା ଏବଂ ତାର ମଝିରେ ମଝିରେ ଷ୍ଟେସନର ସେଇ ହିନ୍ଦୁସ୍ଥାନୀ ଲୋକଗୁଡ଼ାଙ୍କ କଥା ମନେପଡ଼ିଲା, ଯେଉଁମାନେ ସେଠି ଥାଇ ତାକୁ ଲାଞ୍ଛିତ ଅବସ୍ଥାରେ ସାହାଯ୍ୟ ନକରି ବରଂ ତାର ଅପମାନର ମାତ୍ରା ବଢ଼ାଇଥିଲେ । ନିଜ ଦେଶ ଲୋକଙ୍କର ସ୍ଵଦେଶବାସୀର ବିରୁଦ୍ଧରେ ଏପରି ଲଜ୍ଜାଜନକ, ଗ୍ଳାନିକର ଘଟଣା ପୃଥିବୀରେ ଆଉ କୋଉ ଦେଶରେ ଅଛି ? କାହିଁକି ଏମିତି ହେଇଛି ? ଏ ସମ୍ଭବ ହେଲା କିପରି ?

 

ଚାରି

 

ଦୁଇ-ତିନି ଦିନ ବିନା ଉପଦ୍ରବରେ କଟିଗଲା । ଉପର ତାଲାରୁ ସାହେବର ଆଉ ନୂଆ ଅତ୍ୟାଚାର ଦେଖା ନ ଯିବାରୁ ଅପୂର୍ବ ବୁଝିଲା ଝିଅଟା ତା ବାପକୁ ଶିଡ଼ି ଉପରେ କଥାବାର୍ତ୍ତା ବିଷୟ ଜଣାଇ ନାହିଁ । ତାର ଫଲମୂଳ ନେଇ ଅସିବାଠାରୁ ଏପର୍ଯ୍ୟନ୍ତ ସମୁଦାୟ ଘଟଣା ବିଚାର କରି ଦେଖିଲେ ଏହା କେବଳ ସମ୍ଭବ ନୁହେଁ, ସତ୍ୟ ବୋଲି ମନେ ହେଲା । ସାହେବ ସାଥିରେ କେବେ ଦେଖାହୋଇନାହିଁ । କେବଳ ସେ ଯେ ଘରେ ଅଛି, ତା ଭାରୀ ବୁଟ୍‌ ଶବ୍ଦରୁ ଜଣାପଡ଼େ । ସେଦିନ ସକାଳେ ସାନବାବୁଙ୍କ ପାଇଁ ଭାତ ବାଢ଼ୁ ବାଢ଼ୁ ତେୱାରୀ ଖୁସି ହୋଇ କହିଲା–ସାହେବ ତ କଣ ନାଲିସ୍‌ କଲା ନାହିଁ ।

 

ଅପୂର୍ବ କହିଲା–ନା, ଗରଜିଲା ମେଘ ବରଷେ ନାହିଁ ।

 

ତେୱାରୀ କହିଲା–ଆମର କିନ୍ତୁ ଏ ବସାରେ ଆଉ ବେଶି ଦିନ ରହିଲେ ଚଳିବ ନାହିଁ । କୋଉଦିନ ମାତାଲ ହେଲେ ପୁଣି ସେ ନାନା ବଦ୍‌ମାସୀ ବାହାର କରିବ ।

 

ଅପୂର୍ବ କହିଲା–ନା, ଆଉ ସେ ଭୟ ନାହିଁ ।

 

ତେୱାରୀ କହିଲା–ତା ହେଲେ ବି ମୁଣ୍ଡ ଉପରେ ମ୍ଳେଚ୍ଛ ଖ୍ରୀଷ୍ଟାନ୍‌, କଣ ନାହିଁ କଣ ଖାଉଥିବେ.....

 

ଅପୂର୍ବ ବିରକ୍ତ ହୋଇଗଲା । ସେ ସେତେବେଳକୁ ଖାଇ ବସିଥିଲା । ଖ୍ରୀଷ୍ଟାନ୍‌ମାନଙ୍କ ଖାଇବା କଥା ଭାବି ଘୃଣାରେ ତା ଦେହ ଶୀତେଇ ଉଠିଲା । କହିଲା–ଏ ମାସଟା ସରିଲେ ସିନା ଯିବା କଥା । ତା’ପରେ ଗୋଟାଏ ଭଲ ବସା ତ ଖୋଜିବାକୁ ହେବ ।

 

ସେହିଦିନ ଉପରବେଳା ଅଫିସରୁ ଫେରିଆସି ତେୱାରୀକୁ ଦେଖି ଅପୂର୍ବ ଆଶ୍ଚର୍ଯ୍ୟ ହୋଇଗଲା । ସେ ଗୋଟାଏ ଓଳିରେ ଶୁଖି କାଠ ହୋଇଯାଇଛି ଯେମିତି–ତା ମୁହଁରେ ଟୋପାଏ ପାଣି ନାହିଁ । ପଚାରିଲା–କଣ ହୋଇଛି କି ତେୱାରୀ ?

 

ଉତ୍ତରରେ ତେୱାରୀ ପିନ୍‌ରେ ଗୁନ୍ଥା କେତେଗୁଡ଼ାଏ ଛପା ହଳଦିଆ କାଗଜ ବଢ଼ାଇଦେଲା । ଫୌଜଦାରୀ ଅଦାଲତର ସମନ୍‌-ବାଦୀ ଜେ. ଡି. ଜୋସେଫ ଓ ପ୍ରତିବାଦୀ ତିନିନମ୍ବର ଘରର ଅପୂର୍ବ ବଙ୍ଗାଳୀ ଓ ତା ପୂଜାରୀ । ଧାରା ଗୋଟାଏ ନୁହେଁ, ଏକାବେଳେ ଚାରିଟା-। ଦି’ପହରବେଳେ କୋର୍ଟର ପିଆଦା ଜାରି କରିଦେଇ ଯାଇଛି । କାଲି ସକାଳେ ଆଉ ଗୋଟାଏ ଜାରି କରିବାକୁ ଆସିବ । ହାଜର ହେବାର ତାରିଖ ପରଦିନ । ଅପୂର୍ବ ନିଃଶବ୍ଦରେ କାଗଜଗୁଡ଼ାକ ଅଦ୍ୟୋପ୍ରାନ୍ତ ପଢ଼ିସାରି ଫେରେଇଦେଲା । କହିଲା–ହଃ, କଣ ହବ ! କୋର୍ଟରେ ହାଜର ହେଲେ ହେଲା ।

 

ତେୱାରୀ କାନ୍ଦ କାନ୍ଦ ହୋଇ କହିଲା–ଜୀବନରେ କେବେ କାଠଗଡ଼ାକୁ ଉଠିନି ବାବୁ !

 

ଅପୂର୍ବ ବିରକ୍ତ ହୋଇ କହିଲା–ମୁଁ ଉଠିଥିଲି ନା କଣ ? ସବୁଥିରେ କାନ୍ଦିଲେ ବିଦେଶକୁ ଆସିଲୁ କାହିଁକି ?

 

-ମୁଁ ତ କିଛି ଜାଣିନି ସାନବାବୁ !

 

-ନ ଜାଣିଥିଲେ ଠେଙ୍ଗା ଧରି ପହଞ୍ଚିଯାଇଥିଲୁ କାହିଁକି ? ଘର ଭିତରେ ଚୁପ୍‌ହେଇ ବସିଲୁନି ? ଏହା କହି ଅପୂର୍ବ ଲୁଗା ବଦଳେଇବାକୁ ଚାଲିଗଲା । ପରଦିନ ତା ନିଜର ପରୱାନା ଆସି ପହଞ୍ଚିଲା ଓ ତା ପରଦିନ ତେୱାରୀକୁ ଧରି ସେ ଯଥାସମୟରେ କୋର୍ଟରେ ପହଞ୍ଚିଲା । ମକଦ୍ଦମା ସଂପର୍କରେ ତାର କୌଣସି ଅଭିଜ୍ଞତା ନ ଥିଲା; ବିଦେଶରେ ପୁଣି କୌଣସି ଲୋକ ସାଥିରେ ପରିଚୟ ନାହିଁ । କାହାର ସାହାଯ୍ୟ ନେବାକୁ ହେବ, କିପରି ମକଦ୍ଦମା ଲଢ଼ିବାକୁ ହେବ, କିଛି ସେ ଜାଣେ ନାହିଁ; ତେବେ ମଧ୍ୟ ତାର କୌଣସି ଭୟ ନ ଥିଲା । ହଠାତ୍‌ କିପରି ଯେ ତା ମନ ଏତେ ଶକ୍ତ ହୋଇଗଲା, ସେ ନିଜେ ବି ଭାବି ପାରିଲା ନାହିଁ । ଏ ବିଷୟ ରାମଦାସକୁ କହି କୌଣସି ସାହାଯ୍ୟ ମାଗିବାକୁ ଲାଜ ଲାଗିଲା । ତେବେ କାମ ଅଛି ବୋଲି ଅଫିସ୍‌ରେ କହି ଗୋଟାଏ ଦିନ ଛୁଟି ଆଣିଥିଲା ।

 

କୋର୍ଟରେ ଯଥାସମୟରେ ଡକାହେଲା । ଡେପୁଟି କମିସନର ନିଜ ପାଖରେ ତା ମକଦ୍ଦମାର ଫାଇଲ୍‌ ରଖିଥିଲେ । ବାଦୀ ଜୋସେଫ୍‌ ସତ ମିଛ, ଯାହା ମନ ପାଇଲା କହିଗଲା-ଅପୂର୍ବର ଓକିଲ ନ ଥିଲା । ସେ ନିଜର ଜବାବବେଳେ କିଛି ଗୋପନ ନକରି କୌଣସି କଥା ନ ବଢ଼ାଇ ସତ କହିଗଲା । ବାଦୀର ସାକ୍ଷୀ ତା ଝିଅ-ଅଦାଲତରେ ଏଇ ଝିଅଟିର ନାଁ ଓ ତା ସଂପର୍କରେ ବିବରଣୀ ଶୁଣି ଅପୂର୍ବ ସ୍ତବ୍‌ଧ ହୋଇଗଲା । ଝିଅଟି କୌଣସି ଜଣେ ରାଜକୁମାର ଭଟ୍ଟାଚାର୍ଯ୍ୟଙ୍କ କନ୍ୟା, ଘର ଥିଲା ବରିଶାଲରେ, ଏବେ ବାଙ୍ଗାଲୋରରେ । ନିଜର ନାମ ମେରି ଭାରତୀ । ଭଟ୍ଟାଚାର୍ଯ୍ୟ ମହାଶୟ ନିଜ ଇଚ୍ଛାକ୍ରମେ ଅନ୍ଧକାରରୁ ଆଲୋକକୁ ଆସି ଖ୍ରୀଷ୍ଟାନ୍‌ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁପରେ ଭାରତୀର ମା’ ଜଣେ ମିଶନାରୀଙ୍କ ଝିଅକୁ ପାଳିବା ପାଇଁ ବାଙ୍ଗାଲୋର ଆସିଥିଲେ । ସେଠି ଜୋସେଫ୍‌ ସାହେବଙ୍କ ରୂପରେ ମୁଗ୍‌ଧ ହୋଇ ତାଙ୍କୁ ବିବାହ କଲେ । ଭାରତୀ ପୈତୃକ ଭଟ୍ଟାଚାର୍ଯ୍ୟ ନାମଟା କଦର୍ଯ୍ୟ ବୋଲି ପରିତ୍ୟାଗ କରି ଜୋସେଫ୍‌ ନାମ ଗ୍ରହଣ କରିଛି; ସେହିଦିନଠାରୁ ସେ ମେରି-ଭାରତୀ ଜୋସେଫ୍‌ ନାମରେ ପରିଚିତା । ହାକିମଙ୍କ ପ୍ରଶ୍ନରେ ସେ ଫଳମୂଳ ନେଇଥିବା କଥା ଅସ୍ଵୀକାର କଲା; କିନ୍ତୁ ତା ସ୍ଵର ଓ କଥାବାର୍ତ୍ତାରୁ ସେ ମିଛ କହୁଛି ବୋଲି ଜଣାପଡ଼ିଗଲା । ଓକିଲ ନ ଥିବାରୁ ଛୋଟ ଘଟଣା ବଡ଼ ହେବାର ସୁଯୋଗ ନ ଥିଲା-। ବିଚାର ଦିନକରେ ଶେଷହେଲା । ତେୱାରୀ ମୁକ୍ତି ପାଇଲା; କିନ୍ତୁ ଅପୂର୍ବକୁ ବିଚାରକ କୋଡ଼ିଏ ଟଙ୍କା ଅର୍ଥଦଣ୍ଡ ଦେଲେ । ଜୀବନର ପ୍ରଭାତରେ ବିନା ଅପରାଧରେ ରାଜଦ୍ଵାରରେ ଦଣ୍ଡିତ ହୋଇ ତାର ମୁହଁ କଳା ପଡ଼ିଗଲା । ଟଙ୍କା ଗଣି ଦେଇ ବାହାରକୁ ଆସି ଦେଖିଲା, ରାମଦାସ ଠିଆ ହୋଇଛି । ଅପୂର୍ବର ମୁହଁରୁ ତାକୁ ଦେଖି ବାହାରି ଆସିଲା–କୋଡ଼ିଏ ଟଙ୍କା ଫାଇନ୍‌ ହେଲା ରାମଦାସ ! କଣ କରିବା ? ଅପିଲ୍‌ ?

 

ଆବେଗ ଓ ଉତ୍ତେଜନାରେ କଥା ଶେଷ ଆଡ଼କୁ ଅପୂର୍ବର କଣ୍ଠସ୍ଵର ଥରିଉଠିଲା । ରାମଦାସ ତା ହାତକୁ ଧରି ଝାଙ୍କି ଦେଇ ହସି କହିଲା–ଅର୍ଥାତ୍‌ କୋଡ଼ିଏ ଟଙ୍କା ବଦଳରେ ଆପଣ ଦୁଇ ହଜାର ଟଙ୍କା ଲୋକସାନ୍‌ କରିବାକୁ ଚାହାନ୍ତି ।

 

-ତା ହେଲେ ବି.....କିନ୍ତୁ ଏ ଯେ ଫାଇନ୍‌ ! ରାଜଦଣ୍ଡ ।

 

ରାମଦାସ ହସି କହିଲା–କାହାର ଦଣ୍ଡ ? ଯେ ମିଛ ମକଦ୍ଦମା କଲା, ମିଛ ସାକ୍ଷୀ ଦେଲା ଓ ଯେ ତାକୁ ପ୍ରଶୟ ଦେଲା-ତାର ଦଣ୍ଡ ତ; କିନ୍ତୁ ୟା ଉପରେ ଆଉ ଗୋଟାଏ ଅଦାଲତ ଅଛି ଯେଉଁଠି ବିଚାରକ କେବେ ଭୁଲ୍‌ କରନ୍ତି ନାହିଁ, ସେଇଠି ଆପଣ ବିନା ଦୋଷରେ ଖଲାସ ପାଇଯିବେ ।

 

ଅପୂର୍ବ କହିଲା–କିନ୍ତୁ ଲୋକେ ତ ତା ବୁଝିବେ ନାହିଁ ରାମଦାସ ! ମୋର ତ ଏ ଦୁର୍ନାମ ଚିରଦିନ ପାଇଁ ସଙ୍ଗୀ ହୋଇ ରହିଲା ।

 

ରାମଦାସ ତା ହାତକୁ ଦାବି ଦେଇ କହିଲା–ଚାଲନ୍ତୁ, ନଈକୂଳ ଆଡ଼େ ଟିକିଏ ବୁଲିଯିବା-

 

ବାଟରେ ରାମଦାସ କହିଲା–ଅପୂର୍ବ ବାବୁ, ମୁଁ ଅଫିସରେ ଆପଣଙ୍କ ତଳିଆ କର୍ମଚାରୀ ହେଲେହେଁ ବୟସରେ ବଡ଼ । ଯଦି ଆପଣ କିଛି ମନେ ନ କରିବେ, ତେବେ ଦି’ ଚାରି କଥା କହିବି-। ଅପୂର୍ବ ଚୁପ୍‌କରି ରହିଲା । ରାମଦାସ କହିଲା–ଏ ମକଦ୍ଦମା କଥା ମୁଁ ଆଗରୁ ଜାଣିଥିଲି । ଫଳାଫଳ ସଂପର୍କରେ ମୋର ସନ୍ଦେହ ନ ଥିଲା । ଲୋକଙ୍କ କଥା ଆପଣ କହୁଛନ୍ତି-ଯେ ପ୍ରକୃତ ମଣିଷ, ସେ ଜାଣିବ, ଅପୂର୍ବବାବୁ ସଙ୍ଗେ ଜୋସେଫ୍‌ ମକଦ୍ଦମା କଲେ ଇଂରେଜ ଅଦାଲତର ରାୟ କ’ଣ ହେବ ! ଆଉ କୋଡ଼ିଏ ଟଙ୍କା ଜୋରିମାନାର ବଦ୍‌ନାମ.....

 

-କିନ୍ତୁ ବିନା ଦୋଷରେ.....

 

ରାମଦାସ କହିଲା–ହଁ ବିନାଦୋଷରେ ତ ନିଶ୍ଚୟ । ଏମିତି ବିନା ଦୋଷରେ ମୁଁ ଦୁଇ ବରଷ ଜେଲ୍‌ ଖଟିଛି ।

 

-ଜେଲ୍‌ ଖଟିଛ ? ଦୁଇ ବରଷ ?

 

-‘ହଁ, ଏବଂ.....’ ଏତିକି କହି ସେ ଅପୂର୍ବର ହାତଟାକୁ ତା ପିଠିରେ ଲଗାଇ କହିଲା–ଏ ଜାମାଟା ଯଦି ଏଇଠୁ ଉଠେଇବେ, ତେବେ ଦେଖିବେ-ବେତ ଦାଗରେ ଆଉ ଜାଗା ନାହିଁ ।

 

-ବେତମାଡ଼ ଖାଇଛ ?

 

ରାମଦାସ ମୁଣ୍ଡ ହଲାଇ କହିଲା–ହଁ, ଏହିପରି ବିନାଦୋଷରେ । ତେବେ ମୁଁ ଏତେ ନିର୍ଲଜ୍ଜ ଯେ ଏବେ ବି ଏ ମୁହଁ ଦେଖାଇ ବଞ୍ଚିଛି । ଆଉ ଆପଣ କୋଡ଼ିଏ ଟଙ୍କା ଜୋରିମାନାର ଅପମାନ ସହିପାରିବେ ନାହିଁ ?

 

ଅପୂର୍ବ ତା ମୁହଁକୁ ସ୍ତବ୍‌ଧ ହୋଇ ଚାହିଁ ରହିଲେ । ଯେଉଁ ଲ୍ୟାମ୍ପ ପୋଷ୍ଟ ପାଖେ ସେମାନେ ଠିଆ ହୋଇଥିଲେ, ସେଟା ଆଲୋକିତ ହୋଇ ଉଠିଲା । ସନ୍ଧ୍ୟା ହୋଇଗଲାଣି ଦେଖି ରାମଦାସ କହିଲା–ଚାଲନ୍ତୁ ବାବୁଜୀ, ଆପଣଙ୍କୁ ଛାଡ଼ିଦେଇ ଆସେ ।

 

ଅପୂର୍ବ ଆବେଗର ସହିତ କହିଲା–ଏଇକ୍ଷଣି ଚାଲିଯିବେ ? ମୋର ତ ଅନେକ କଥା ଜାଣିବାର ରହିଗଲା ।

 

ରାମଦାସ ହସି ହସି କହିଲା–ସବୁ କଣ ଆଜି ଜାଣିଯିବେ ? ସେ କଥା ହେବନି-ଅନେକ ଦିନ ଧରି ମୋତେ କହିବାକୁ ହେବ । ରାମଦାସ ଆଉ ଗଳି ଭିତରେ ନ ପଶି ବଡ଼ ରାସ୍ତାରୁ ଷ୍ଟେସନ ଆଡ଼େ ଚାଲିଗଲା ।

 

ଅପୂର୍ବ ବସା ଦୁଆରମୁହଁକୁ ଆସି ଶିକୁଳି ଝଣ୍‌ଝଣ୍‌ କରିବାରୁ ତେୱାରୀ ଦ୍ଵାର ଖୋଲିଦେଲା । ତେୱାରୀ କୋର୍ଟରୁ ଆସି ଘରକାମରେ ଲାଗିଛି, ତା ମୁହଁ ଗମ୍ଭୀର ଓ ବିଷର୍ଣ୍ଣ ଦେଖାଯାଉଛି । କହିଲା–ବାବୁ, ସେତେବେଳେ ଭରତରରେ ଦି’ଖଣ୍ଡ ଦଶଟଙ୍କାର ନୋଟ ପକେଇ ଦେଇଥିଲ କି ?

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ ପଚାରିଲା–କୋଉଠି ପକାଇ ଦେଇଥିଲି ?

 

‘ଏଇଠି ପରା’ କହି ସେ ଖଟ ଉପରେ ଗୋଟାଏ ଜାଗା ଦେଖାଇଲା । କହିଲା–ଆପଣଙ୍କ ତକିଆ ତଳେ ରଖିଦେଇଛି । ପକେଟରୁ କୋଉଠି ବାହାରେ ପଡ଼ି ଯାଇନି, ରକ୍ଷା ହେଇଛି ।

 

ଟଙ୍କା କେମିତି ପଡ଼ିଲା, ଏଇକଥା ଭାବୁ ଭାବୁ ଅପୂର୍ବ ଶୋଇବା ଘରକୁ ପଶିଗଲା ।

 

ପାଞ୍ଚ

 

ରାତିରେ ଖାଇ ସାରିବା ପରେ ତେୱାରୀ ହାତଯୋଡ଼ି କହିଲା–ଆଉ ରହି ହେବନି ସାନବାବୁ, ବୁଢ଼ା ମଣିଷର କଥାଟା ରଖନ୍ତୁ । ଚାଲନ୍ତୁ, କାଲି ସକାଳେ କୁଆଡ଼େ ଉଠିଯିବା ।

 

ଅପୂର୍ବ କହିଲା–କୋଉଠିକୁ ଯିବୁ ? କିପରି ଧର୍ମଶାଳାରେ ଯାଇ ରହିବା ?

 

ତେୱାରୀ କହିଲା–ଏଠା ଅପେକ୍ଷା ସେ ଭଲ । ମକଦ୍ଦମା ଜିତିଲା, ଏଥର କୋଉଦିନ ଘରେ ପଶି ଦୁଇଜଣଙ୍କୁ ମାରିଦେବ ।

 

ଅପୂର୍ବ ଆଉ ସହିପାରିଲା ନାହିଁ । ରାଗରେ କହିଲା–କଟା ଘା’ରେ ଲୁଣ ଦେବାପାଇଁ ମା’ ତତେ ସାଥିରେ ପଠେଇଥିଲେ । ତୋର ରହିବା ଦରକାର ନାହିଁ, କାଲି ତୁ ଜାହାଜରେ ଘରକୁ ଚାଲିଯା । ମୋ କପାଳରେ ଯାହା ଥିବ, ତା ଘଟିବ ।

 

ତେୱାରୀ ଆଉ ତର୍କ କଲାନାହିଁ । ଧୀରେ ଧୀରେ ଶୋଇବାକୁ ଚାଲିଗଲା । ଅପୂର୍ବ କିନ୍ତୁ ଶୋଇ ଶୋଇ ଭବିଲା ଯେ ସେ ତୁଚ୍ଛାଟାରେ ତେୱାରୀକୁ କଡ଼ା କଥା କହିଲା । ସେ ତ କିଛି ଅସଙ୍ଗତ କଥା କହିନାହିଁ । ଯାହାହେଉ ତା ଆରଦିନ ସକାଳେ ସେ ଗୋଟାଏ ନୂଆ ବସାର ଅନୁସନ୍ଧାନ କଲା । କେବଳ ତଲ୍‌ୱାର୍‌କାର ଛଡ଼ା ଅଫିସ୍‌ର ସମସ୍ତଙ୍କୁ ସେଥିପାଇଁ ଅନୁରୋଧ କଲେ-। ଏହା ପରେ ତେୱାରୀ ଏ ସମ୍ପର୍କରେ ଆଉ ପାଟି ଫିଟେଇଲା ନାହିଁ; ଅପୂର୍ବ ବି କିଛି କହିଲା ନାହିଁ-। କିନ୍ତୁ ଦୁଇଜଣଯାକ ଶଙ୍କିତ ଅବସ୍ଥାରେ ଦିନ କଟାଇବାକୁ ଲାଗିଲେ । ପ୍ରତ୍ୟେକଦିନ ଅଫିସରୁ ଫେରିଲାବେଳକୁ ଅପୂର୍ବ ଶଙ୍କିତ ହୋଇ ଭାବେ, କେଜାଣି କଣ ନାଇଁ କଣ ଘଟିଥିବ, କିନ୍ତୁ ଆଉ କିଛି ଘଟିଲାନାହିଁ । ବିନା ଉପଦ୍ରବରେ ଦିନ କଟିବାକୁ ଲାଗିଲା । ପ୍ରାୟ ସପ୍ତାହେ ପରେ ଦିନେ ଅଫିସରୁ ଫେରିଲାବେଳକୁ ଖୁବ୍‌ ଖୁସିହୋଇ ତେୱାରୀ କହିଲା–ଶୁଣିଲଣି ସାନବାବୁ ?

-କଣ ?

-ସାହେବ ଗୋଡ଼ ଭାଙ୍ଗି ଡାକ୍ତରଖାନାରେ ପଡ଼ିଛି । ବଞ୍ଚିବ କି ନାହିଁ କେଜାଣି ?

ଆଜି କି ଛ’ଦିନ ହେଲାଣି । ଠିକ୍‌ ତା ପରଦିନଠଉଁ ତ ।

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ ପଚାରିଲା–ତୁ କେମିତି ଜାଣିଲୁ ?

ତେୱାରୀ କହିଲା–ଘରବାଲାର ରାମାସ୍ତା ଆମ ଆଡ଼ର ଲୋକ । ତା ସାଥିରେ ଆଜି ଚିହ୍ନା-ପରିଚୟ ହେଲା । ଉଡ଼ା ଆଦାୟ କରିବାକୁ ଆସିଥିଲା । ଭଡ଼ା କିଏ ଦେବ ? ମଦ ଖାଇ ପିଟାପିଟି କରି ଗୋଡ଼ ଭାଙ୍ଗି ସାହେବ ଯାଇ ଡାକ୍ତରଖାନାରେ ହାଜର ।

‘ହେଇଥିବ’ କହି ଅପୂର୍ବ ଲୁଗା ବଦଳାଇବା ପାଇଁ ଆରଘରକୁ ଚାଲିଗଲା । କଲିକତା ଛାଡ଼ିଲା ଦିନଠାରୁ ପ୍ରଥମଥର ପାଇଁ ଆଜି ତେୱାରୀର ମନ ଖୁସି ଅଛି । ତାର ଖୁବ୍‌ଇଚ୍ଛା ଥିଲା ଏ ବିଷୟରେ ଆଲୋଚନା କରିବାକୁ; କିନ୍ତୁ ଅପୂର୍ବ ତ ଉତ୍ସାହ ଦେଲାନାହିଁ । ନ ଦେଉ, ସେ କିନ୍ତୁ କଥା-ପ୍ରସଙ୍ଗରେ ଶୁଣାଇଦେଲା ଯେ ଏମିତି ହେବ ବୋଲି ସେ ଆଗରୁ ଜାଣିଥିଲା । ତେୱାରୀ ସନ୍ଧ୍ୟା-ତର୍ପଣ ଶିଖିପାରି ନାହିଁ; କିନ୍ତୁ ଗାୟତ୍ରୀଟା ତାର ମୁଖସ୍ଥ । ଜରିମାନା ଦିନଠାରୁ ସେ ସକାଳ ସନ୍ଧ୍ୟା ଶହେ ଆଠଥର ଲେଖାଏଁ ଦୁଇଶହ ଷୋହଳଥର ଗାୟତ୍ରୀ ଜପ କରୁଛି । ସାହେବର ଗୋଡ଼ ଭାଙ୍ଗିବାର କାରଣ ଅପୂର୍ବ ଜାଣୁ ବା ନ ଜାଣୁ, ତେୱାରୀର ଗାୟତ୍ରୀ ପ୍ରତି ବିଶ୍ଵାସ ହଜାର ଗୁଣ ବଢ଼ିଗଲା । ମ୍ଳେଚ୍ଛ ହେଇ ବ୍ରାହ୍ମଣ ମୁଣ୍ଡ ଉପରେ ଘୋଡ଼ାପରି ଛାତଭାଙ୍ଗି ଚାଲିଛି, ଗୋଡ଼ ତାର ଭାଙ୍ଗିବ ନାହିଁ ତ ଆଉ କାହାର ଭାଙ୍ଗିବ ?

ତା ପରଦିନ ସକାଳୁ ଅଫିସର ଅର୍ଦ୍ଦାଳୀଠାରୁ ଖବର ପାଇ ଅପୂର୍ବ କହିଲା–ତେୱାରୀ, ଆଉ ଗୋଟାଏ ବସାର ଖବର ମିଳିଛି । ଯାଇ ଦେଖ ତ, ପୋଷେଇବ କି ନା ।

ତେୱାରୀ ଟିକିଏ ହସି କହିଲା–ଆଉ ଦରକାର ନାହିଁ ବାବୁ ! ଏଇ ପହିଲା ତାରିଖରୁ ସେମାନେ ତ ଚାଲିଯିବେ । ତା’ପରେ ବସା ବଦଳେଇବା ତ ଊଣା ଝଞ୍ଜଟ୍‌ ନୁହେଁ !

ଝଞ୍ଜଟ୍‌ ଯେ ଖୁବ୍‌ ବେଶି ଅପୂର୍ବ ତା ଜଣେ; କିନ୍ତୁ ସାହେବ ନ ଥିବାରୁ ସିନା ଉତ୍ପାତ୍‌ ବନ୍ଦ ହୋଇଛି; ସେ ଆସିଗଲେ ଆଉ ତା ବଜାୟ ରହିବା ସମ୍ଭବ ନୁହେଁ । ତେଣୁ ସେ ତେୱାରୀର କଥା ବୁଝି ପାରିଲା ନାହିଁ । ଅଫିସକୁ ବାହାରିଲା ବେଳକୁ ତେୱାରୀ କହିଲା ଯେ ବର୍ମାର ଫୟାର୍‌ ମନ୍ଦିରରେ ଯାତ୍ରା ହେଉଛି, ସେ ଦେଖିବାକୁ ଯିବ । ଅପୂର୍ବ ନ ହସି ରହି ପାରିଲା ନାହିଁ । କହିଲା–ତୋର କେବଠୁ ତାମସା ଦେଖିବାର ସଉକ ହେଲାଣି ତେୱାରୀ ।

ତେୱାରୀ ଗମ୍ଭୀର ହୋଇ କହିଲା–ବିଦେଶର ଯାହା ସବୁ ଭଲ ତାକୁ ଦେଖିବା ଉଚିତ, ସାନବାବୁ !

ଅପୂର୍ବ କହିଲା–ନିଶ୍ଚୟ, ନିଶ୍ଚୟ । ଛୋଟା ସାହେବ ତ ଆଉ ରାସ୍ତାକୁ ବାହାରିବାର ଭୟ ନାହିଁ ! ହଉ ଯିବୁ, କିନ୍ତୁ ସଅଳ ଫେରିଆସିବୁ । ସାଥିରେ କିଏ ଯିବ ?

ଗାଁର ଯେଉଁ ଲୋକଟି ସାଥିରେ ତାର ଦେଖାହୋଇଥିଲା, ସେ ଆସି ନେଇଯିବାର ସ୍ଥିର ହୋଇଥିଲା । ସାହେବର ଦୁର୍ଘଟଣା ସମ୍ବାଦରେ ତେୱାରୀ ଏତେ ଖୁସି ହୋଇଥିଲା ଯେ ଏ ପ୍ରସ୍ତାବରେ ସମ୍ମତ ହେବାପାଇଁ ସେ ମୁହୂର୍ତ୍ତେ ବି ଡେରି କଲାନାହିଁ ।

ତାକୁ ଯିବାପାଇଁ ଅନୁମତି ଦେଇ ଅପୂର୍ବ ଯଥାସମୟରେ ଅଫିସ୍‌କୁ ଚାଲିଗଲା ଏବଂ ଏହାର ଘଣ୍ଟାଏ ପରେ ତେୱାରୀର ଗାଁର ଲୋକ ଆସି ତାକୁ ଯାହା ଦେଖିବା ପାଇଁ ନେଇଗଲା । ତାଲାର ଗୋଟାଏ ଚାବି ଅପୂର୍ବ ନିଜ ପାଖରେ ରଖେ; ତେଣୁ ଫେରିବା ପାଇଁ ଡେରି ହେଲେ ଅପୂର୍ବର ଅସୁବିଧା ହେବ ନାହିଁ ବୋଲି ତେୱାରୀ ଜାଣେ । କୌଣସି ବାଧା ନ ଥିବାରୁ ତେୱାରୀ ଫୁର୍ତ୍ତି ଲଗାମ ମାନିଲା ନାହିଁ ।

ଅପରାହ୍‌ଣରେ ଘରକୁ ଫେରି ଅପୂର୍ବ ଦେଖିଲା ଦ୍ଵାରରେ ତାଲା ବନ୍ଦ ! ତେୱାରୀ ସେ ପର୍ଯ୍ୟନ୍ତ ଯାତ୍ରା ଦେଖି ଫେରିନାହିଁ । ପକେଟରୁ ଚାବି ବାହାରକରି ଦେଖିଲା ଯେ ତାଲା ଫିଟୁନାହିଁ । ଏ ତ ଗୋଟାଏ ନୂଆ ତାଲା ! ତେୱାରୀ ଏ ତାଲା କେଉଁଠୁ ପାଇଲା, କାହିଁକି ବା ସେ ଭଲ ପୁରୁଣା ତାଲାଟା ବଦଳାଇ ନୂଆ ତାଲା ଘରେ ପକାଇଲା, ୟାର ଚାବି ଏବେ କୋଉଠି, ଅପୂର୍ବ କିଛି କରିପାରିଲା ନାହିଁ । ସେ ଘରେ ପଶିବ କେମିତି ? ପ୍ରାୟ ଦୁଇ ମିନଟ୍‌ ସେ ଏହିପରି ଠିଆ ହୋଇ ଭାବୁଛି–ଉପରୁ ତିନିତାଲାର ଦ୍ଵାର ଫିଟିଲା ଏବଂ ସେ ଖ୍ରୀଷ୍ଟାନ୍‌ ଝିଅଟି ବାହାରିଆସି କହିଲା–ରହନ୍ତୁ, ମୁଁ ଖୋଲିଦେଉଛି । ଏହା କହି ସେ ନିଃସଂକୋଚରେ ତଳକୁ ଆସି ତା ପାଖରେ ଠିଆ ହୋଇ ଦ୍ଵାର ଖୋଲିଲା । ତେୱାରୀ ନାହିଁ, ତାର କଣ ହେଲା, ଘରର ଚାବି ଏ ଝିଅକୁ କେମିତି ମିଳିଲା–ଏ ସବୁ ଅପୂର୍ବ ବୁଝି ପାରିଲା ନାହିଁ । ସ୍ଵଳ୍ପାଲୋକିତ ସଂକୀର୍ଣ୍ଣ ଶିଡ଼ିରେ ଦୁଇଜଣ ଠିଆ ହେବାପାଇଁ ଜାଗାନାହିଁ–ଅପୂର୍ବ ପାହାଚେ ତଳକୁ ଓହ୍ଲାଇ ଆସି ଠିଆହେଲା । ଅନାତ୍ମିୟା କୌଣସି ଯୁବତୀସହ ନିର୍ଜ୍ଜନରେ ପାଖକୁପାଖ ଲାଗି ଠିଆ ହୋଇ କଥା କହିବାରେ ସେ ଅନଭ୍ୟସ୍ତ । ତେଣୁ ଝିଅଟି ଯେତେବେଳେ କହିଲା–‘‘ମା କହୁଥିଲେ, ତାଲାବନ୍ଦ କରି ମୁଁ ଭଲ କାମ କରିନି, ହୁଏତ ବିପଦରେ ପଡ଼ିପାରେ’’ ସେତେବେଳେ ଅପୂର୍ବର ମୁହଁରୁ କଥା ବାହାରିଲା ନାହିଁ । ଭାରତୀ କବାଟ ଖୋଲିଦେଇ କହିଲା–ମୋ ମା ଖୁବ୍‌ ଉୟାଳୁ ମଣିଷ । ସେ ସେତେବେଳଠାରୁ ମତେ ଗାଳି ଦେଉଛନ୍ତି ଯେ ଆପଣ ବିଶ୍ୱାସ ନ କଲେ ମତେ ଚୋରୀ ପାଇଁ ଜେଲ୍‌ ଖଟିବାକୁ ପଡ଼ିବ । ମୋର କିନ୍ତୁ ସେ ଭୟ ମୋଟେ ନାହିଁ ।

ଅପୂର୍ବ ବୁଝି ନ ପାରି ପଚାରିଲା–କ’ଣ ହେଇଚି ?

ଭାରତୀ କହିଲା–ଘରକୁ ଯାଇ ଦେଖନ୍ତୁ ନା କଣ ହେଇଚି ? ଏହା କହି ସେ ଅପୂର୍ବକୁ ବାଟ ଛାଡ଼ି ଦେବାପାଇଁ ଆଡ଼େଇ ହୋଇଗଲା । ଘରେ ପଶି ଅପୂର୍ବ ଯାହା ଦେଖିଲା ସେଥିରେ ତାର ବୁଦ୍ଧି ହଜିଗଲା । ଟ୍ରଙ୍କ ଦୁଇଟାର ତାଲା ଭଙ୍ଗା-ବହି, କାଗଜ, ଶେଯ ତକିଆ, ଲୁଗାପଟା ସବୁ ଅସ୍ତବ୍ୟସ୍ତ ହୋଇ ତଳେ ପଡ଼ିଛି–ତା’ ମୁହଁରୁ କେବଳ ବାହାରି ଆସିଲା–କିଏ ଏମିତି କଲା ?

ଭାରତୀ ଟିକିଏ ହସି ଦେଇ କହିଲା–ଯିଏ କରୁ, ମୁଁ କିନ୍ତୁ ଏଥିରେ ନାହିଁ । ଶତ୍ରୁ, ହେଲେ ମଧ୍ୟ ଆପଣଙ୍କୁ ବିଶ୍ଵାସ କରିବାକୁ ହେବ । ସେ ଘଟଣାର ଯାହା ବିବରଣୀ ଦେଲା ତା ହେଉଛି-ଦି’ପହର ବେଳେ ସଦ୍ୟପରିଚିତ ବନ୍ଧୁ, ସାଥିରେ ତେୱାରୀ । ଯେତେବେଳେ ଯାତ୍ରା ଦେଖିବାକୁ ଗଲା, ଭାରତୀର ମା’ ଉପର ବାରଣ୍ଡାରେ ବସି ତା ଦେଖିଥିଲେ । କିଛି ସମୟ ପରେ ତଳ ଘରୁ ସନ୍ଦେହଜନକ ଶବ୍ଦ ଶୁଣିପାରି ସେ ଦେଖିବା ପାଇଁ ଭାରତୀକୁ କହିଲେ । ତିନିତାଲାର ଚଟାଣରେ ଗୋଟାଏ କଣା ଅଛି, ମୁହଁ ମାଡ଼ି ଦେଖିଲେ ଅପୂର୍ବ ଘର ଭିତରେ ଦେଖାଯାଏ । ଭାରତୀ ସେହି କଣାବାଟେ ଦେଖି ଚିତ୍କାର କରିବାକୁ ଲାଗିଲା । ଯେଉଁମାନେ ବାକ୍‌ସ ଭାଙ୍ଗୁଥିଲେ, ସେମାନେ ଦୌଡ଼ି ପଳାଇଲେ । ତା ପରେ ତଳକୁ ଓହ୍ଲାଇ ଆସି ଭାରତୀ ଦ୍ଵାରରେ ତାଲା ବନ୍ଦକରି ପହରା ଦେଲା, ଯେମିତି ସେମାନେ ଫେରି ନ ଆସନ୍ତି ।

ଏସବୁ ଘଟଣା ଶୁଣି ଅପୂର୍ବ କଳାକାଠ ପଡ଼ିଗଲା । ସେ ଖଟ ଉପରେ ଧପ୍‌କରି ବସି ପଡ଼ିଲା । ଭାରତୀ ଦ୍ଵାରବାଟେ ମୁହଁ ଗଳାଇ କହିଲା–ଏ ଘରେ ଆପଣଙ୍କର ଖାଇବା ଜିନିଷ ଅଛି କି ? ମୁଁ ଘର ଭିତରକୁ ଯାଇ ଦେଖିପାରିବି ?

-ଆସନ୍ତୁ !

ସେ ଘରକୁ ଆସିବା ପରେ ଅପୂର୍ବ ପଚାରିଲା–ବର୍ତ୍ତମାନ କଣ କରାଯିବ ?

ଭାରତୀ କହିଲା-ଅନେକ କିଛି ତ କରାଯାଇପାରେ; କିନ୍ତୁ ଆଗ ଦେଖିବାକୁ ହେବ କଣ କଣ ଚୋରି ଯାଇଛି ।

ଅପୂର୍ବ କହିଲା–ତା ହେଲେ ଦେଖନ୍ତୁନା, କଣ କଣ ଚୋରି ଯାଇଛି ।

ଭାରତୀ ହସି କହିଲା–ଆସିଲାବେଳେ ତ ମୁଁ ଘର ସଜାଡ଼ି ନ ଥିଲି, ଚୋରି ତ ମୁଁ କରିନି-ସୁତୁରାଂ କଣ ଥିଲା ନଥିଲା ମୁଁ ଜାଣିବି କେମିତି ?

ଅପୂର୍ବ ଲଜ୍ଜିତ ହୋଇ କହିଲା–ସେ ତ ଠିକ୍‌ କଥା । ତାହେଲେ ତେୱାରୀ ଆସୁ, ସେ ହୁଏତ ସବୁ ଜାଣିଥିବ । ଏହା କହି ସେ ଇତସ୍ତତଃ ହୋଇଥିବା ବିକ୍ଷିପ୍ତ ଜିନିଷଗୁଡ଼ିକ ପ୍ରତି କରୁଣ ଦୃଷ୍ଟି ପକାଇଲା ।

ତାହାର ନିରୁପାୟ ଅବସ୍ଥା ଦେଖି ଭାରତୀ ଆମୋଦ ବୋଧ କଲା । ହସି ହସି କହିଲା–ସେ ଜାଣିଥିବ, ଅଥଚ ଆପଣ ଜାଣନ୍ତି ନାହିଁ ? ଆଚ୍ଛା, କିମିତି ଜାଣିବାକୁ ହୁଏ, ମୁଁ ଆପଣଙ୍କୁ ଶିଖାଇ ଦେଉଛି । ଏହା କହି ସେ ତଳେ ବସିପଡ଼ି ସାମନାରେ ଥିବା ଭଙ୍ଗା ଟ୍ରଙ୍କଟା ଟାଣି ଆଣି କହିଲା–ଆଚ୍ଛା, ଲୁଗାପଟା ଗୁଡ଼ାକ ଆଗ ତୋଳିଦିଏ । ସେ ଅସ୍ତବ୍ୟସ୍ତ ହୋଇ ପଡ଼ଥିବା ଧୋତି, ଚାଦର, ପାଇଜାମା, ପ୍ୟାଣ୍ଟ, କୋଟ ପ୍ରଭୃତି ଭାଙ୍ଗି ସଜାଇବାକୁ ଲାଗିଲା । ତାର ଶିକ୍ଷିତ ହସ୍ତର ନିପୁଣତା ଅପୂର୍ବ ଲକ୍ଷ୍ୟ କଲା ।

-ଏଇଟା କଣ ମୁର୍ଶିଦାବାଦ ଶିଲ୍‌କର ସୁଟ୍‌ ? ଏଥିରୁ କେତେ ହଳ ଅଛି ?

ଅପୂର୍ବ କହିଲା–ଦି’ହଳ ।

-ମିଳିଲା । ହେଇଟି ଆଉ ଗୋଟାଏ ଯୋଡ଼-କହି ସେ ବାକ୍‌ସରେ ଥୋଇଲା । ଢାକା ଧୋତି-ଗୋଟାଏ, ଦୁଇଟା, ତିନିଟା; ଚାଦର-ଏକ୍‌, ଦୁଇ, ତିନ୍‌-ଠିକ୍‌ଅଛି । ବୋଧହୁଏ ତିନି ଯୋଡ଼ା ଥିଲା, ନା ?

ଅପୂର୍ବ କହିଲା–ହଁ, ମୋର ମନେ ଅଛି, ତିନି ଯୋଡ଼ା ।

-ଏଇଟା କି କୋଟ୍‌ ? ୟାର ତ କଣ ଓୟେଷ୍ଟକୋଟ୍‌, ପ୍ୟାଣ୍ଟ ନାହିଁ ? ଓଃ, ଏଟା ଗଳାବନ୍ଦ କୋଟ୍‌ ! ୟାର ସୁଟ୍‌ ଥିଲା ?

ଅପୂର୍ବ କହିଲା–ନା, ଏଟା ଅଲଗା, ୟାର ସୁଟ୍‌ ନ ଥିଲା ।

ସେଗୁଡ଼ାକ ସଜାଡ଼ି ଦେଇ ଭାରତୀ ଆଉ ଗୋଟିଏ ସୁଟ୍‌ ହାତରେ ଧରି କହିଲା–ଏଟା ଫ୍ଳାନେଲ୍‌ ସୁଟ୍‌-ଆପଣ କଣ ସେଠି ଟେନିସ୍‌ ଖେଳୁଥିଲେ ? ତାହେଲେ ଗୋଟାଏ, ଦୁଇଟା, ତିନିଟା-ଏଇ ଅଲଗୁଣୀରେ ଗୋଟାଏ, ଆପଣ ଗୋଟାଏ ପିନ୍ଧିଛନ୍ତି-ସୁଟ୍‌ ତା ହେଲେ ପାଞ୍ଚଯୋଡ଼ା, ନା ?

ଅପୂର୍ବ କହିଲା–ହଁ, ପାଞ୍ଚଯୋଡ଼ା ।

ଲୁଗା ଭିତରୁ କଣ ଗୋଟାଏ ଉଜ୍ଜ୍ୱଳ ଜିନିଷ ବାହାରିଆସିଲା । ଭାରତୀ କହିଲା–ଏ ତ ସୁନାର ଚେନ୍‌, ଏଟା ତ ଅଛି, ଘଡ଼ି କାହିଁ ?

ଅପୂର୍ବ ଖୁସିହୋଇ କହିଲା–ଯା ହେଉ ରକ୍ଷା-ଚେନ୍‌ଟା ସେମାନେ ଦେଖି ନାହାନ୍ତି । ଏଇଟି ପିତୃଦତ୍ତ, ବାପାଙ୍କର ସୃତିଚିହ୍ନ......

-କିନ୍ତୁ ଘଡ଼ିଟା ?

-ଏଇ ଅଛି......କହି ଅପୂର୍ବ ତାର କୋର୍ଟ ପକେଟରୁ ସୁନାର ଘଡ଼ିଟି ବାହାରକରି ଦେଖାଇଲା ।

ଭାରତୀ କହିଲା–ଚେନ୍‌, ଘଡ଼ି ତ ମିଳିଲା । କହନ୍ତୁ ତ, ଆପଣଙ୍କର କେତେଟା ମୁଦି ? ହାତରେ ତ ଗୋଟିଏ ନାଇଁ ?

ଅପୂର୍ବ କହିଲା–ହାତରେ ନାଇଁ, ବାକ୍‌ସରେ ବି ନଥିଲା । ମୁଦି ମୋର ମୋଟେ ନାହିଁ ।

-ବେଶ୍‌ । ସୁନାର ବୋତାମ ? ବୋଧହୁଏ ଆପଣଙ୍କ ପିନ୍ଧା ସାର୍ଟରେ ଅଛି ?

ଅପୂର୍ବ ବ୍ୟସ୍ତ ହୋଇ କହିଲା–ନାଇଁ, ନାଇଁ ତ । ସେ ତ ସିଲ୍‌କ ପଞ୍ଜାବ ସାଥିରେ ଟ୍ରଙ୍କରେ ସବା ଉପରେ ଥୁଆ ହୋଇଥିଲା !

 

ଭାରତୀ ଅଲଗୁଣୀରୁ ତୋଳିଥିବା ଲୁଗାପଟାକୁ ଦେଖିଲା, ଯେଉଁଗୁଡ଼ାଜ ତୋଳା ହୋଇନାହିଁ, ତା ପ୍ରତି ନଜର ଦେଲା । ତା ପରେ ଟିକିଏ ହସି ଦେଇ କହିଲା–ଜାମା ସାଥିରେ ଏଇଟା ଯାଇଛି ତା ହେଲେ । ଆଉ ଅଲଗା ସୁନାବୋତାମ ଥିଲା କି ?

 

ଅପୂର୍ବ ମୁଣ୍ଡ ହଲାଇ କହିଲା–ନା । ଭାରତୀ ପଚାରିଲା–ଟ୍ରଙ୍କରେ ଟଙ୍କା ପଇସା ଥିଲା-? ଅପୂର୍ବ ହଁ କଲାରୁ ଭାରତୀ ଉଦ୍‌ବିଗ୍ନ ହୋଇ କହିଲା–ତା ହେଲେ ତ ଯାଇଛି ! କେତେ ଥିଲା ଜାଣିନାହାନ୍ତି, ତା ମୁଁ ଆଗରୁ ଜାଣିଛି । ଆପଣଙ୍କର ମନିବ୍ୟାଗ୍‌ଟା ବାହାର କରି ଦିଅନ୍ତ ତ ଦେଖି–

 

ଅପୂର୍ବ ପକେଟରୁ ତାର ଛୋଟ ଚମଡ଼ା ବ୍ୟାଗ୍‌ଟା ବାହାରକରି ଭାରତୀର ହାତରେ ଦେବାରୁ ସେ ଟେବୁଲ୍‌ ଉପରେ ପଇସା କୁଢ଼ାଇ, ସବୁ ଗଣିସାରି କହିଲା–ଏ ତ ମୋଟେ ଦୁଇଶ ପଚାଶ ଟଙ୍କା ଆଠ ଅଣା । ଘରୁ କେତେ ଟଙ୍କା ଆଣିଥିଲେ, ମନେ ଅଛି ?

 

ଅପୂର୍ବ କହିଲା–ନିଶ୍ଚୟ ମନେ ଅଛି । ଛ’ଶହ ଟଙ୍କା ।

 

ଭାରତୀ ଟେବୁଲ୍‌ ଉପରୁ ଖଣ୍ଡେ କାଗଜ ଓ ପେନ୍‌ସିଲ୍‌ନେଇ ଲେଖିବାକୁ ଲାଗିଲା–ଜାହାଜ ଭଡ଼ା, ଘୋଡ଼ାଗାଡ଼ି ଭଡ଼ା, କୁଲି ଭଡ଼ା–ଏଠି ପହଞ୍ଚି ଘରକୁ ଟେଲିଗ୍ରାମ କରିଥିଲେ ତ-ଆଚ୍ଛା ତାର ଟଙ୍କା, ପୁଣି ଦଶ ଦିନର ବସାଖର୍ଚ୍ଚ....

 

ଅପୂର୍ବ ବାଧା ଦେଇ କହିଲା–ତାହା ତ ତେୱାରୀକୁ ନ ପଚାରିଲେ ଜଣାଯିବ ନାହିଁ !

 

ଭାରତୀ କହିଲା–ଜଣାପଡ଼ିବ ନାହିଁ କାହିଁକି ? ଟଙ୍କେ ଦି ଟଙ୍କା ଫରକ୍‌ ହେଇପାରେ–ବେଶି ନୁହେଁ । ଯେଉଁ କଣାବାଟେ ସେ ଆଜି ଚୋରି ଦେଖିଥିଲା, ସେଇବାଟେ ସେ ଏଇ ଘରର ଯାବତୀୟ ପଦାର୍ଥ ନିରୀକ୍ଷଣ କରେ । ତେୱାରୀର ବଜାର ସଉଦାଠାରୁ ଖାଇବା ପିଇବା ପର୍ଯ୍ୟନ୍ତ ସବୁ ସେ ଦେଖେ । ଏ କଥା ଅବଶ୍ୟ ସେ କହିଲା ନାହିଁ ମନେ ମନେ ହିସାବ କରି ଗୋଟାଏ ଅଙ୍କ ଲେଖି କହିଲା–ଏହା ଛଡ଼ା ଆଉ ବାଜେ ଖର୍ଚ୍ଚ ନାହିଁ ତ ?

 

-ନା ।

 

ଭାରତୀ କାଗଜ ଉପରେ ହିସାବ କରି କହିଲା–ତା ହେଲେ ଦୁଇଶ ଅଶୀ ଟଙ୍କା ଚୋରି ଯାଇଛି ।

 

ଅପୂର୍ବ ଚମକି ପଡ଼ି କହିଲା–ଏତେ ଗୁଡ଼ାଏ ଟଙ୍କା ? ଆଚ୍ଛା, ଆଉ କୋଡ଼ିଏ ଟଙ୍କା ବାଦ୍‌ଦିଅ-ଜରିମାନାର ଟଙ୍କାଟା ହିସାବ ହେଇନି ଯେ !

 

ଭାରତୀ ମୁଣ୍ଡ ହଲାଇ କହିଲା–ନା, ସେଟା ଅନ୍ୟାୟ, ମିଛ ଜରିମାନା-ସେ ଟଙ୍କା ମୁଁ ବାଦ୍‌ଦେବି ନାହିଁ ।

 

ଅପୂର୍ବ କହିଲା–କି ଆଶ୍ଚର୍ଯ୍ୟ କଥା ! ଜରିମାନାଟା ମିଥ୍ୟା କାରଣରୁ ହୋଇପାରେ, କିନ୍ତୁ ମୋର ଟଙ୍କା ଦେବାଟା ତ ମିଛ ନୁହେଁ ?

 

ଭାରତୀ କହିଲା–କାହିଁକି ଦେଲେ ? ଏ ଟଙ୍କା ବାଦ୍‌ଦିଆଯାଇ ପାରିବ ନାହିଁ । ଦୁଇଶ ଅଶୀ ଟଙ୍କା ଚୋରି ଯାଇଛି ।

 

ଅପୂର୍ବ କହିଲା–ନା, ଦୁଇଶ ଷାଠିଏ ଟଙ୍କା ।

 

ଭାରତୀ କହିହିଲା–ନା, ନା, ଦୁଇଶ ଅଶୀ ।

 

ଅପୂର୍ବ ଆଉ ଯୁକ୍ତି କଲାନାହିଁ । ଏ ଝିଅଟିର ପ୍ରଖର ବୁଦ୍ଧି ଓ ସବୁ ଦିଗକୁ ତୀକ୍ଷ୍‌ଣ ଦୃଷ୍ଟି ଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା; ଅଥଚ ଏଇ ସହଜ ବିଷୟଟା ନ ବୁଝି ପାରିବା ଦେଖି ତାର ବିସ୍ମୟର ସୀମା ରହିଲା ନାହିଁ । ବିଚାର ନ୍ୟାୟରେ ହେଉ ବା ଅନ୍ୟାୟରେ ହେଉ, ଟଙ୍କା ବ୍ୟୟ ହୋଇସାରିଲେ ସେ ହାତରେ ନ ଥାଏ-ଏକଥା ଏତେ ବୁଝାଇବା କଣ ଦରକାର ?

 

ଭାରତୀ ଅବଶିଷ୍ଟ ଲୁଗାଗୁଡ଼ାକ ସଜାଡ଼ି ଦେଇ ଯିବା ପାଇଁ ବାହାରିଲା । ଅପୂର୍ବ ପଚାରିଲା–ଆପଣ ପୋଲିସ୍‌ରେ ଖବର ଦେବାକୁ ଉଚିତ ମନେକରନ୍ତି କି ?

 

ଭାରତୀ ମୁଣ୍ଡ ହଲାଇ କହିଲା–ନିଶ୍ଚୟ, ନିଶ୍ଚୟ । ତେବେ ଏଇ ଦିଗରୁ ଉଚିତ ଯେ ସେଥିରେ ମୋର ଟଣାଟଣିର ସୀମା ରହିବ ନାହିଁ । ନହେଲେ, ସେମାନେ ଯେ ଆସି ଆପଣଙ୍କ ଟଙ୍କାର କୂଳକିନାରା କରି ପାରିବେ, ଏ ବିଶ୍ଵାସ ବୋଧହୁଏ ଆପଣଙ୍କର ନାହିଁ ?

 

ଅପୂର୍ବ ଚୁପ୍‌କରି ରହିଲା । ଭାରତୀ କହିଲା–କ୍ଷତି ତ ଯାହା ହେବାର ହେଲାଣି, ଏହାପରେ ସେମାନେ ଆସିଲେ ଖାଲି ଅପମାନ ପାଇବା ସାର ହେବ ।

 

-କିନ୍ତୁ ଆଇନ ତ ଅଛି.....

 

ଅପୂର୍ବର କଥା ନ ସରୁଣୁ ଭାରତୀ ଅସହିଷ୍ଣୁ ହୋଇ କହିଉଠିଲା–ଆଇନ୍‌ ଅଛି ତ ଥାଉ, ମୁଁ ଆପଣଙ୍କୁ କେବେ ଏହା କରେଇଦେବି ନାହିଁ । ଆପଣ ଯେଉଁ ଦିନ ଜରିମାନା ଦେଇ ଆସିଲେ ସେଦିନ ତ ଆଇନ ଥିଲା, ୟା ଭିତରେ ବୋଧହୁଏ ଭୁଲିଗଲେଣି ?

 

ଅପୂର୍ବ କହିଲା–ଲୋକେ ଯଦି ମିଛ କହିବେ, ମିଛ ମକଦ୍ଦମା ଯୋଡ଼ିବେ-ସେଇଟା କଣ ଆଇନ୍‌ର ଦୋଷ ?

 

ଭାରତୀ ଲଜ୍ଜିତା ହେଲାପରି ମନେ ହେଲା ନାହିଁ । ବରଂ କହିଲା–‘‘ଲୋକେ ମିଛ କହିବେ ନାହିଁ, ମିଛ ମକଦ୍ଦମା ଯୋଡ଼ିବେ ନାହିଁ, ତାହେଲେ ଆଇନ ନିର୍ଦ୍ଦୋଷ ହୋଇ ପାରିବ-ଏ କଣ ଆପଣଙ୍କର ମତ ? ଏମିତି ହେଲେ ଅବଶ୍ୟ ଅନେକ ଭଲ ହୁଅନ୍ତା; କିନ୍ତୁ ଏ ସଂସାରରେ ତା ହୁଏ ନାହିଁ ଏବଂ ହେବା ପାଇଁ ବୋଧହୁଏ ବହୁତ ଡେରି ଅଛି ।’’ ଏହା କହି ସେ ଟିକିଏ ହସିଲା; କିନ୍ତୁ ଅପୂର୍ବ ଚୁପ୍‌କରି ରହିଲା । ପ୍ରଥମ ଦିନ ଏଇ ଝିଅଟିର କଣ୍ଠସ୍ଵର ସୁମିଷ୍ଟ ସଲ୍ଲଜ ବ୍ୟବହାର, ବିଶେଷ କରି ତାର ସକରୁଣ ସହାନୁଭୂତି ଅପୂର୍ବକୁ ମୁଗ୍‌ଧ କରିଥିଲା; କିନ୍ତୁ ପରବର୍ତ୍ତୀ ଆଚରଣରେ ଆଉ ତାର ସେ ଭାବ ରହିଲା ନାହିଁ । ଚୋରିକୁ ଲୁଚାଇବା ପାଇଁ ଭାରତୀର ଏ ଅହେତୁକ ଆଗ୍ରହ ତାକୁ ଖରାପ ଲାଗିଲା । ଏ ସମସ୍ତ ଅଯାଚିତ ସାହାଯ୍ୟକୁ ମଧ୍ୟ ସେ ଉଦାରଭାବେ ଗ୍ରହଣ କରି ପାରିଲା ନାହିଁ । କି ଏକ ଅଜଣା ଶଠତାର ଭୟରେ ତାର ଅନ୍ତର ଆତଙ୍କିତ ହୋଇଉଠିଲା । ସେ ଦିନ ସଂକୋଚରେ ଫଳମୂଳ ନେଇ ଆସିବା ଓ ପରକ୍ଷଣରେ ଘରକୁ ଯାଇ ସମସ୍ତ ଘଟଣା ବିକୃତ ଭାବେ ବର୍ଣ୍ଣନା କରିବା ଓ ଅଦାଲତରେ ଯାଇ ସାକ୍ଷ୍ୟ ଦେବା-ନିମିଷକେ ସମସ୍ତ ଘଟଣା ତା ମନ ମଧ୍ୟରେ ତଡ଼ିତ୍‌ ବେଗରେ ନାଚିଉଠିଲା । ତା ମୁହଁ ଶୁଷ୍କ ଓ କଣ୍ଠସ୍ଵର ଗମ୍ଭୀର ହୋଇଗଲା । ଏ ସମସ୍ତ ଅଭିନୟ, ଛଳନା । ତା ମୁହଁରେ ଏହି ଆକସ୍ମିକ ପରିବର୍ତ୍ତନ ଭାରତୀ ଲକ୍ଷ୍ୟ କଲା; କିନ୍ତୁ କାରଣ ବୁଝିପାରିଲା ନାହିଁ । ପଚାରିଲା ମୋ କଥାରେ ଜବାବ ଦେଲେ ନାହିଁ ଯେ ?

 

ଅପୂର୍ବ କହିଲା–ୟାର ଆଉ ଜବାବ କଣ ? ଚୋରକୁ ପ୍ରଶ୍ରୟ ଦେଲେ ଚଳିବ ନାହିଁ–ପୋଲିସ୍‌ରେ ଖବର ଦେବାକୁ ହେବ ।

 

ଭାରତୀ ଭୟ ପାଇ କହିଲା–ୟେ କଣ କହୁଛନ୍ତି ? ଚୋର ତ ଧରାପଡ଼ିବ ନାହିଁ–ଟଙ୍କା ବି ଆଦାୟ ହେବ ନାହିଁ–ମଝିରେ ମତେ କେବଳ ଧରି ନେଇ ଟଣାଓଟରା କରିବେ । ମୁଁ ଦେଖିଛି, ଘରେ ତାଲା ଦେଇଛି, ସବୁ ଜିନିଷ ସଜାଡ଼ି ରଖିଛି–ମୁଁ ତ ନିଶ୍ଚୟ ବିପଦରେ ପଡ଼ିଯିବି ।

 

ଅପୂର୍ବ କହିଲା–ଯାହା ଘଟିଛି, ସେଇ କଥା କହିବେ ।

 

ଭାରତୀ ବ୍ୟାକୁଳ ହୋଇ କହିଲା–କହିଲେ କଣ ହେବ ? ଏଇ ସେଦିନ ଆପଣଙ୍କ ସଙ୍ଗେ ତୁମୁଳ କାଣ୍ଡ ହୋଇଗଲା, ମୁହଁ ଚୁହାଁଚୁହିଁ ନାହିଁ, କଥାବାର୍ତ୍ତା ବନ୍ଦ; ହଠାତ୍‌ ଆପଣଙ୍କ ପାଇଁ ମୋ ମୁଣ୍ଡ କାହିଁକି ବଥାଇଲା–ପୋଲିସ ପଚାରିବ ନାହିଁ ? ଅପୂର୍ବର ମନରେ ସନ୍ଦେହ କ୍ରମଶଃ କଠୋର ହୋଇ ଉଠିଲା । ସେ କହିଲା–ସେଦିନ ଆପଣଙ୍କର ମୂଳରୁ ଶେଷଯାଏଁ ମିଛ କଥା ସେମାନେ ବିଶ୍ଵାସ କରିପାରିଲେ, ଅଥଚ ଆଜି ସତ କଥା ବିଶ୍ଵାସ କରିବେ ନାହିଁ ? ଟଙ୍କା କେତେଟା ଯାଇଛି ଯାଉ–କିନ୍ତୁ ଚୋରକୁ ମୁଁ ଶାସ୍ତି ନଦେଇ ଛାଡ଼ିବି ନାହିଁ ।

 

ଭାରତୀ ତା ମୁହଁକୁ ହତବୁଦ୍ଧି ହୋଇ ଚାହିଁ ରହିଲା । କହିଲା–ଆପଣ କଣ କହୁଛନ୍ତି ଅପୂର୍ବ ବାବୁ ? ବାପା ଭଲ ଲୋକ ନୁହଁନ୍ତି, ସେ ଅକାରଣ ଆପଣଙ୍କ ପ୍ରତି ଅନ୍ୟାୟ ଆଚରଣ କରିଛନ୍ତି । ମୁଁ ଯେ ସାହାଯ୍ୟ କରିଛି, ତା ମୁଁ ଜାଣେ । କିନ୍ତୁ ତା ବୋଲି, ଆପଣଙ୍କ ଘର ବାକ୍‌ସ ଭାଙ୍ଗି ମୁଁ କଣ ଟଙ୍କା ଚୋରି କରିଛି ? ଆପଣ ଏ କଥା ଭାବିପାରିଲେ; ମୁଁ ପାରିଲି ନାହିଁ ! ଏ ଦୁର୍ନାମ ହେଲେ ମୁଁ ବଞ୍ଚିବି କେମିତି ? କହୁ କହୁ ତାର ଓଷ୍ଠ ଓ ଅଧର ଫୁଲି କମ୍ପି ଉଠିଲା ଏବଂ ଦାନ୍ତରେ ଖୁବ୍‌ ଜୋର୍‌ରେ ଓଠକୁ ଚାପିଧରି ସେ ଝଡ଼ ବେଗରେ ଘରୁ ବାହାରିଗଲା ।

 

ତା ପରଦିନ ସକାଳେ କାହିଁକି ଯେ ଅପୂର୍ବ ଥାନାକୁ ପାଦ ବଢ଼ାଇଲା, କହିବା କଠିନ । ଚୋରି ବିଷୟ ପୋଲିସକୁ କହି ଯେ କିଛି ଲାଭ ନାହିଁ ସେ ଜାଣେ । ଟଙ୍କା ଆଦାୟ ହେବ ନାହିଁ ଓ ଚୋର ଧରାପଡ଼ିବ ନାହିଁ–ଏ ବିଶ୍ଵାସ ତାର ପୋଲିସବାଲାଙ୍କ ପ୍ରତି ଥିଲା; କିନ୍ତୁ ଏଇ ଖ୍ରୀଷ୍ଟାନ୍‌ ଝିଅଟା ପ୍ରତି ତାର କ୍ରୋଧର ସୀମା ରହିଲା ନାହିଁ । ତେୱାରୀ ପରି ଭାରତୀ ନିଜେ ଚୋରି କରିଛି ବା ଚୋରିରେ ସାହାଯ୍ୟ କରିଛି ବୋଲି ତାର ବିଶ୍ଵାସ ନୁହେଁ । କିନ୍ତୁ ଭାରତୀର ଛଳନା ତାକୁ କ୍ଷିପ୍ତ କରିଦେଲା । ଜୋସେଫ୍‌ ସାହେବକୁ ଯେ କୌଣସି ଦୋଷ ଦିଆଯାଉ ନା କାହିଁକି, ନିଜ ସମ୍ପର୍କରେ ସୁସ୍ପଷ୍ଟ ଧାରଣା ଜନ୍ମାଇବାରେ ସେ କୌଣସି ତ୍ରୁଟି କରି ନାହିଁ । ତାର ବଦ୍‌ମାସି ଅତି ସ୍ପଷ୍ଟ, ଚାବୁକ୍‌ର ଆସ୍ଫାଳନ ଦ୍ୱିଧାହୀନ ଜଡ଼ିମାବର୍ଜିତ; ତାର ମଦମତ୍ତ ପଦକ୍ଷେପ ଅନୁଭବ କରିବା ପାଇଁ କାନପାତି ଶୁଣିବା ଦରକାର ପଡ଼େ ନାହିଁ–ଗୋଟିଏ କଥାରେ, ତାକୁ ବୁଝିହୁଏ । କିନ୍ତୁ ଏଇ ଝିଅଟିର କଥା ଓ କାର୍ଯ୍ୟରେ କୌଣସି ଉଦ୍ଦେଶ୍ୟ ଖୋଜିଲେ ମିଳେନାହିଁ । କ୍ଷତି ସେ ଯାହା କରିଛି ସେଥିପାଇଁ ନ ହେଲେ ବି ମୂଳରୁ ତାର ଆଚରଣ ଯେପରି ଅପୂର୍ବକୁ ଉପହାସ ହିଁ କରିଆସିଛି ! ରାଗରେ ଥାନାରେ ପହଞ୍ଚି ସେ ଶେଷ ପର୍ଯ୍ୟନ୍ତ ସମୁଦାୟ କହିପାରିଥାନ୍ତା କି ନାହିଁ କେଜାଣି; କିନ୍ତୁ ଘଟଣା ସେ ପର୍ଯ୍ୟନ୍ତ ଗଲା ନାହିଁ । ପଛରୁ ଡାକ ଶୁଭିଲା–କିରେ, ଅପୂର୍ବ ନା କଣ ? ତୁ ଏଠି !

 

ଅପୂର୍ବ ବୁଲି ଦେଖିଲା, ସାଧାରଣ ଭଦ୍ରବେଶରେ ତାର ପରିଚିତ ନିମାଇଁ ବାବୁ । ନିମାଇଁ ବାବୁ ବଙ୍ଗଳାର ଜଣେ ବଡ଼ ପୋଲିସ୍‌ କର୍ମଚାରୀ । ଅପୂର୍ବର ପିତା ତାଙ୍କୁ ଚାକିରି କରାଇଦେଇଥିଲେ । ସେ ଥିଲେ ୟାଙ୍କର ମୁରବୀ । ନିମାଇଁ ବାବୁ ତାଙ୍କୁ ବଡ଼ଭାଇ ହିସାବରେ ଦେଖନ୍ତି ଓ ସେହି ସୂତ୍ରରେ ଅପୂର୍ବ ଓ ତାର ଭାଇମାନେ ଏହାଙ୍କୁ ନିମାଇ କକା ବୋଲି ଡାକନ୍ତି । ସ୍ଵଦେଶୀ ଆନ୍ଦୋଳନବେଳେ ଅପୂର୍ବ ଯେ ଧରାପଡ଼ି ଶାସ୍ତି ଭୋଗ କରି ନ ଥିଲା, ତା କେବଳ ୟାଙ୍କରି ପାଇଁ । ଅପୂର୍ବ ତାଙ୍କୁ ପ୍ରଣାମ କରି ନିଜ ଚାକିରିର ସମ୍ବାଦ ଦେଇ କହିଲା–ଆପଣ ଏଠି କେମିତି ?

 

ନିମାଇଁ ବାବୁ ତାକୁ ଆଶୀର୍ବାଦ କରୁ କରୁ କହିଲେ–ବାପା, ତୁ ପିଲାଲୋକ, ଘରଦ୍ଵାର ମା’ ପ୍ରଭୃତିଙ୍କୁ ଛାଡ଼ି ଏଠିକି ଆସିଛୁ, ଆଉ ମୁଁ ଆସିବିନି ? ପକେଟରୁ ଘଡ଼ି ବାହାର କରି ଦେଖି କହିଲେ–ମୋର ତ ଆଉ ସମୟ ନାହିଁ । ତେବେ ତୋର ତ ଅଫିସ୍‌କୁ ଯିବାପାଇଁ ଢେର୍‌ ସମୟ ବାକୀ ଅଛି । ଚାଲ, ବାଟରେ ଯାଉ ଯାଉ କଥାବାର୍ତ୍ତା ହେବା । ଅନେକ ଦିନ ଧରି ତମମାନଙ୍କର ଖବର ନେଇପାରିନି । ମା’ ଭଲ ଅଛନ୍ତି ? ଭାଇମାନେ ?

 

ସମସ୍ତେ ଭଲ ଥିବାର ଜଣାଇ ଅପୂର୍ବ କହିଲା–ଆପଣ ଏବେ ଯିବେ କୁଆଡ଼େ ?

 

-ବନ୍ଦରକୁ । ଚାଲ୍‌ ମୋ ସାଥିରେ ।

 

-ଚାଲନ୍ତୁ । ଆପଣଙ୍କୁ କଣ ଆଉ କୁଆଡ଼େ ଯିବାକୁ ହେବ ?

 

ନିମାଇଁ ବାବୁ ହସି ହସି କହିଲେ–ହୋଇପାରେ । ଯେଉଁ ମହାପୁରୁଷଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଦେଶ ଛାଡ଼ି ଏତେ ବାଟ ଆସିବାକୁ ହେଇଛି, ତାଙ୍କର ଇଚ୍ଛା ଉପରେ ବର୍ତ୍ତମାନ ସବୁ ନିର୍ଭର କରେ । ତାର ଫଟୋଗ୍ରାଫ ଅଛି । ବିସ୍ତୃତ ବିବରଣ ବି ଦିଆ ହୋଇଛି । ତଥାପି ପୋଲିସର ବାପର ସାଧ୍ୟ ନାହିଁ ତା ଦିହରେ ଟିପ ଦେବାପାଇଁ । ମୁଁ ବି ପାରିବି କି ନାହିଁ ଭାବୁଛି ।

 

ଅପୂର୍ବ ‘ମହାପୁରୁଷ’ର ଇଙ୍ଗିତ ବୁଝିଲା । କୁତୂହଳୀ ହୋଇ ପଚାରିଲା–ମହାପୁରୁଷଟି କିଏ କକା ? ଯେତେବେଳେ ଆପଣ ଆସିଛନ୍ତି, ନିଶ୍ଚୟ ବଙ୍ଗାଳୀ ହୋଇଥବେ । ଖୁନୀ ଆସାମୀ, ନା ?

 

ନିମାଇଁ ବାବୁ କହିଲେ–ଏ କଥା ତ କହିପାରିବି ନାହିଁ । ସେ ଯେ କଣ ଓ କଣ କହନ୍ତି, ତା କେହି ଠିକ୍‌ ରୂପେ ଜାଣନ୍ତି ନାହିଁ । ୟାଙ୍କ ବିରୁଦ୍ଧରେ କୌଣସି ନିର୍ଦ୍ଦିଷ୍ଟ ଚାର୍ଜ ନାହିଁ; ଅଥଚ ଯେଉଁ ଚାର୍ଜ ଅଛି, ସେ ଆମ ପେନାଲ୍‌ କୋର୍ଡ଼ର କୋହିନୂର । ୟାଙ୍କୁ ନଜରରେ ରଖିବା ପାଇଁ ଏଡେବଡ଼ ଗଭର୍ଣ୍ଣମେଣ୍ଟ ବ୍ୟତିବ୍ୟସ୍ତ ହୋଇଗଲାଣି ।

 

ଅପୂର୍ବ ପଚାରିଲା–ପଲିଟିକାଲ୍‌ ଆସାମୀ ତାହେଲେ ? ନିମାଇଁ ବାବୁ ମୁଣ୍ଡ ହଲାଇ କହିଲେ–ଆରେ ବାପ୍‌ରେ, ଲୋକେ ତ ତମମାନଙ୍କୁ ବି ପଲଟିକାଲ ଆସାମୀ କହୁଥିଲେ, ଏମାନଙ୍କୁ ତା’ କହିଲେ ତ କିଛି ବୁଝାଏ ନାହିଁ । ଏ ହେଉଛନ୍ତି ରାଜଦ୍ରୋହୀ । ରାଜାର ଶତ୍ରୁ ! ଶତ୍ରୁ ହେବାଭଳି ପାରିବାର ଲୋକ ନିଶ୍ଚୟ ! ଯେ ଏଇ ଲୋକଟିର ନାମ ସବ୍ୟସାଚୀ ରଖିଥିଲେ ତାଙ୍କ ପ୍ରତିଭାକୁ ଧନ୍ୟ ଧନ୍ୟ କରିବା କଥା । ମହାଭାରତର ମତରେ ସବ୍ୟସାଚୀଙ୍କର ଦୁଇଟି ହାତ ସମାନ ଭାବରେ ଚାଲୁଥିଲା, କିନ୍ତୁ ପ୍ରବଳ ପ୍ରତାପାନ୍ୱିତ ସରକାର ବାହାଦୁରଙ୍କ ସୁଗୁପ୍ତ ଇତିହାସ ଅନୁଯାୟୀ ଏଇ ମଣିଷଟିର ଦଶଟିଯାକ ଇନ୍ଦ୍ରିୟ ସମାନ ବେଗରେ ଚାଲେ । ବନ୍ଧୁକ, ପିସ୍ତଲ ଚଳାଇବାରେ ୟାର ଲକ୍ଷ୍ୟ ଅଭ୍ରାନ୍ତ-ପଦ୍ମାନଦୀକୁ ବି ପହଁରି ପାରି ହୋଇଯାଇପାରେ–ବର୍ତ୍ତମାନ ଅନୁମାନ ଯେ ଏ ତଟ୍ଟଗ୍ରାମ ବାଟେ ପାହାଡ଼ ଡେଇଁ ବର୍ମା ଅଞ୍ଚଳରେ ପଦାର୍ପଣ କରୁଛନ୍ତି । ଏହିକ୍ଷଣି ମାଣ୍ଡାଲେ ବାଟେ ନଦୀପଥରେ ଜାହାଜ ଚଢ଼ି ରେଙ୍ଗୁନକୁ ଆସୁଛନ୍ତି କିମ୍ବା ରେଳପଥରେ ଟ୍ରେନରେ ଚଢ଼ି ଶୁଭାଗମନ କରିବେ, ତାର ସଠିକ୍‌ ସମ୍ବାଦ ନାହିଁ । ତେବେ ସେ ଯେ ଆସୁଛନ୍ତି, ଏ ଖବର ଠିକ୍‌ । ତାଙ୍କ ଉଦ୍ଦେଶ୍ୟ ସମ୍ପର୍କରେ କୌଣସି ସନ୍ଦେହ, କୌଣସି ତର୍କ ନାହିଁ–ଶତ୍ରୁ, ମିତ୍ର ସମସ୍ତଙ୍କ ମନରେ ସେ ବିଷୟରେ ସ୍ଥିର ସିଦ୍ଧାନ୍ତ ହୋଇଯାଇଛି । ତାଙ୍କ ନଶ୍ଵର ଦେହଟି ପଞ୍ଚଭୂତରେ ନ ମିଶିବା ପର୍ଯ୍ୟନ୍ତ ସେ ସିଦ୍ଧାନ୍ତ ସେ ଅପରିବର୍ତ୍ତିତ ରହିବ, ତା ବି ଆମେ ଜାଣିଛୁ । ତେବେ ଏ ଦେଶକୁ ଆସି କେଉଁ ବାଟରେ ଗୋଡ଼ ବଢ଼ାଇବେ, ସେଟା କେବଳ ଜଣାନାହିଁ । ଦେଖ୍‌ବାପା, ଏ କଥା ଯେମିତି କେଉଁଠି ପ୍ରକାଶ ନ କରୁ । ତା ନ ହେଲେ ଏ ବୁଢ଼ା ବୟସରେ ସତେଇଶ ବର୍ଷର ପେନ୍‌ସନଟା ତ ନଷ୍ଟ ହେବ; ଆଉରି ଉପୁରି କିଛି ମଧ୍ୟ ମିଳିପାରେ ।

 

ଅପୂର୍ବ ଉତ୍ସାହ ଓ ଉତ୍ତେଜନାରେ ଚଞ୍ଚଳ ହୋଇ କହିଲା–ଏତେ ଦିନ ସେ କେଉଁଠି ଥିଲେ ଓ କଣ କରୁଥିଲେ ? ସବ୍ୟସାଚୀ ନାଁ ତ ଶୁଣିବାର ମନେହେଉନି ? ନିମାଇଁବାବୁ ହସି ହସି କହିଲେ–ଆରେ ବାବୁ, ଏଇ ସବୁ ବଡ଼ ବଡ଼ ଲୋକଙ୍କର କଣ ଗୋଟାଏ ନାଁରେ କାମ ଚଳେ ? ଅର୍ଜ୍ଜୁନଙ୍କ ପରି ପ୍ରତି ଦେଶରେ କେତେ ନାଁ ୟାଙ୍କର ପ୍ରଚଳିତ ଅଛି । କଣ ଯେ କରୁଥିଲେ । ତା ବି ମୁଁ ପରା ଜାଣେ ନି । ରାଜଶତ୍ରୁମାନେ ତଟମକ ପିଟି ତାଙ୍କର ସବୁ କାମ କରନ୍ତି ନାହିଁ ! ତେବେ ଏ ଭଦ୍ରଲୋକ ପୁନାରେ ଥରେ ତିନିମାସ ଓ ସିଙ୍ଗାପୁରରେ ଆଉ ଥରେ ତିନି ବରଷ ଜେଲ ଖଟିଛନ୍ତି, ଶୁଣିଛି । ଦଶ-ବାରଟି ଭାଷା ଏପରି ଦକ୍ଷତା ସହ କହି ପାରନ୍ତି ଯେ କେଉଁ ଦେଶର ଲୋକ ଜାଣିବା ମୁଷ୍କିଲ୍‌ । ଜର୍ମାନୀର ଜେନା ନା କେଉଁଠି ଡାକ୍ତରୀ ପାଶ୍‌ କରିଛନ୍ତି, ଫ୍ରାନ୍‌ସରେ ଇଞ୍ଜିନିୟରିଂ, ବିଲାତରେ ଆଇନ୍‌ ବିଦ୍ୟା, ଆମେରିକାରେ କଣ ପାଶ୍‌ କରିଛନ୍ତି ଜାଣେ ନା, ତେବେ ସେଠାରେ ଥିଲେ ଯେତେବେଳେ-କଣ ଗୋଟାଏ ପାଶ୍‌ କରିଥିବେ ନିଶ୍ଚୟ । ଏ ସବୁ ବୋଧହୁଏ ତାଙ୍କର ତାସ୍‌, ପଶା ଖେଳିଲାପରି ରିକ୍ରେସନ୍‌; କିନ୍ତୁ କିଛି କାମରେ ଆସିଲା ନାହିଁ । ଏ ଲୋକଟିର ସର୍ବାଙ୍ଗରେ ଭଗବାନ ଏପରି ଅଗ୍ନି ଜାଳି ରଖିଛନ୍ତି ଯେ ତାକୁ ଜେଲ୍‌ ଦିଅ କି ଶୂଳି ଦିଅ-ଆମକୁ ଶାନ୍ତି ସ୍ଵସ୍ତି ମୁହୂର୍ତ୍ତେ ବି ମିଳିଲା ନାହିଁ । ଏଇମାନଙ୍କର ଦୟା ମାୟା ନାହିଁ, ଧର୍ମ୍ମ କର୍ମ୍ମ ନାଇଁ, ଘରଦ୍ଵାର ନାହିଁ–ବାପ୍‌ରେ ବାପ୍‍, ଆମେ ତ ମଧ୍ୟ ସେଇ ଦେଶରେ ଜନ୍ମ ହେଇଛୁ; ହେଲେ ଏମିତି ପୁଅ କେମିତି ଆସି ସେ ମାଟିରେ ତିଆରି ହେଲା ଭାବି ହୁଏନାହିଁ ।

 

ଅପୂର୍ବ ସହସା କଥା କହି ପାରିଲା ନାହିଁ । ଶିରା ଭିତରେ ତାର ସତେ ଯେମିତି ନିଆଁ ଛୁଟିଗଲା । କିଛି ସମୟ ପରେ ପଚାରିଲା–ଆପଣ କଣ ତାଙ୍କୁ ଆଜି ଆରେଷ୍ଟ କରିବେ ?

 

ନିମାଇବାବୁ କହିଲେ–ମିଳିଲେ ସିନା !

 

ଅପୂର୍ବ କହିଲା–ଧରନ୍ତୁ, ପାଇଲେ, ତେବେ....

 

ନମାଇଁ ବାବୁ କହିଲେ–ନାଇଁ ବାପା, ଏତେ ସହଜ କଥା ନୁହେଁ । ମୋର ବିଶ୍ଵାସ, ସେ ଶେଷ ମୂହୂର୍ତ୍ତରେ ଅନ୍ୟ କୌଣସି ବାଟଦେଇ ଖସିଯିବ ।

 

-ଆଉ ଯଦି ଆସି ପହଞ୍ଚିଯାନ୍ତି, ତା ହେଲେ...

 

ନିମାଇଁ ବାବୁ ଟିକିଏ ଚିନ୍ତା କରି କହିଲେ–ତାକୁ ନଜରରେ ରଖିବାର ହୁକୁମ୍‌ ଅଛି । ଦି’ଦିନ ଦେଖେ, କଣ ହେଉଛି । ଧରିବା ଅପେକ୍ଷା ନଜର କରିବାର ମୂଲ୍ୟ ବେଶି-ଏଇ ତ ବର୍ତ୍ତମାନ ସରକାରଙ୍କ ଧାରଣା ।

 

କଥାଟା ଠିକ୍‌ ଅପୂର୍ବ ବିଶ୍ଵାସ କରି ପାରିଲା ନାହିଁ । କାରଣ ନିମାଇଁ ବାବୁ ଯାହା କହନ୍ତୁ ନା କାହିଁକି ସେ ପୋଲିସ୍‌ ଅଫିସର, ତଥାପି ତା ମୁହଁରୁ ସ୍ଵସ୍ତିର ନିଃଶ୍ଵାସ ପଡ଼ିଲା । କହିଲା–ତାଙ୍କ ବୟସ କେତେ ?

 

ନିମାଇଁ ବାବୁ କହିଲେ–ବେଶି ନୁହେଁ, ବୋଧହୁଏ ତିରିଶ କିମ୍ବା ବତିଶ ଭିତରେ ।

 

-ଦେଖିବାକୁ କେମିତି ?

 

–‘ସେଇଟା ର ସବୁଠୁ ଆଶ୍ଚର୍ଯ୍ୟ ବିଷୟ । ଏତେ ବଡ଼ ଗୋଟାଏ ଭୟଙ୍କର ଲୋକର କୌଣସି ବିଶେଷତ୍ଵ ନାହିଁ; ନିହାତି ସାଧାରଣ ଲୋକ ପରି । ସେଥିପାଇଁ ଚିହ୍ନିବା କଷ୍ଟ, ଧରିବା କଠିନ । ଆମ ରିପୋର୍ଟରେ ଏଇ କଥାଟା ବିଶେଷଭାବେ ଉଲ୍ଲେଖ କରାଯାଇଛି ।

 

ଅପୂର୍ବ କହିଲା–କିନ୍ତୁ ଧରାପଡ଼ିବା ଭୟରେ ତ ସେ ପାହାଡ଼-ପର୍ବତ ଡେଇଁ ଚାଲି ଚାଲି ଆସୁଛନ୍ତି ।

 

ନିମାଇଁ ବାବୁ କହିଲେ–ସେଥିପାଇଁ ହୁଏତ ନ ହୋଇପାରେ । ହୁଏତ କଣ ଗୋଟାଏ ମତଲବ୍‌ ଅଛି । ହୁଏତ ସେ ବାଟଟା ଚିହ୍ନି ରଖିବା ଆବଶ୍ୟକ-କିଛି କୁହାଯାଇ ପାରିବନି ଅପୂର୍ବ ! ଏମାନେ ଯେଉଁ ବାଟର ବାଟୋଇ, ସେ ବାଟରେ ସାଧାରଣ ମଣିଷର ସହଜ ହିସାବ ସାଙ୍ଗେ ଏମାନଙ୍କର ହିସାବ ମିଳେ ନାହିଁ । ଆଜି ତାର ଭୁଲ୍‌ କି ଆମର ଭୁଲ୍‌ ଗୋଟାଏ ପରୀକ୍ଷା ହେବ । ୟା ବି ତ ହେଇପାରେ ଯେ ଆମର ଏତେ ଦୌଡ଼ାଦୌଡ଼ି ବୃଥା ।

 

ଅପୂର୍ବ ଏଥର ବସି ଦେଇ କହିଲା–ମୁଁ ଭଗବାନଙ୍କ ପାଖରେ ସର୍ବାନ୍ତଃକରଣରେ ପ୍ରାର୍ଥନା କରୁଛି, ସେୟା ଯେମିତି ହୁଏ ।

 

ନିମାଇଁବାବୁ ନିଜେ ହସିଦେଇ କହିଲା–ବୋକାପିଲା, ପୋଲିସ୍‌ ପାଖରେ ଏମିତି କହନ୍ତି-? ତୋ ବସା ନମ୍ବରଟା କେତେ କହିଲୁଟି ? ତିରିଶି ? କାଲି ସକାଳେ ସୁବିଧା ହେଲେ ଯାଇ ଦେଖିଆସିବି । ଏଇ ସାମ୍‌ନା ଜେଟିରେ ତ ସେ ଷ୍ଟିମାରଟା ଲାଗିବ-ଆଚ୍ଛା, ତୋର ତ ଅଫିସ୍‌ ଯିବା ସମୟ ହେଇଗଲାଣି । ନୂଆ ଚାକିରି, ଡେରି କରିବା ଭଲ ନୁହେଁ । ଏହା କହି ସେ ଟିକିଏ ଆଗକୁ ବଢ଼ିଯିବାରୁ ଅପୂର୍ବ କହିଲା–ଡେରି କାହିଁକି, ଅଫିସ ଯିବା ବନ୍ଦ ହେଲେ ବି ମୁଁ ଆଜି ଆପଣଙ୍କ ପିଛା ଛାଡ଼ିବିନି । ମୁଁ ଚାହେଁନି ଯେ ସେ ଆସି ଆପଣମାନଙ୍କ ହାତରେ ଧରା ପଡ଼ନ୍ତୁ, କିନ୍ତୁ ସେ ଦୁର୍ଘଟନା ଯଦି ଘଟିବ, ତେବେ ନିଜ ଆଖିରେ ତ ଅନ୍ତତଃ ଦେଖିପାରିବି; ଚାଲନ୍ତୁ ।

 

ଅନିଚ୍ଛାସତ୍ତ୍ୱେ ନିମାଇଁ ବାବୁ କହିଲେ–ଟିକିଏ ସତର୍କ ରହିବା ଉଚିତ । ଦେଖିବାର ଲୋଭ ସେ ହୁଏନି ତା ନୁହେଁ; କିନ୍ତୁ ଏ ଭଳି ଲୋକମାନଙ୍କ ସାଥିରେ ଆଳାପ, ପରିଚୟ କରିବା ଯେ ବିପଜ୍ଜନକ, ତା ତତେ କହିଦେବା ଭଲ । ଏଇଲେ ତ ତୁ ଆଉ ପିଲା ନୋହୁଁ, ବାପା ବି ନାହାନ୍ତି-ଭବିଷ୍ୟତ ଭାବି କାର୍ଯ୍ୟ କରିବାର ଦାୟିତ୍ଵ ଏଇକ୍ଷଣି ତୋ ନିଜର ।

 

ଅପୂର୍ବ କହିଲା–ଆଳାପ ପରିଚୟର ସୁଯୋଗ ଆପଣମାନେ କଣ କାହାକୁ ଦେବେ ? ବିଚରା ଦୋଷ କରିନି, କୌଣସି ଅଭିଯୋଗ ବି ନାହିଁ, ତଥାପି ତାକୁ ଫାନ୍ଦରେ ପକାଇବା ପାଇଁ ଏତେବାଟ ଧାଇଁ ଆସିଛନ୍ତି !

 

ଏହାର ଉତ୍ତରରେ ମୁରୁକି ହସି ନିମାଇଁବାବୁ କହିଲେ–କର୍ତ୍ତବ୍ୟ !

 

‘କର୍ତ୍ତବ୍ୟ ? ଏଇ ଛୋଟ ଗୋଟିଏ ଶବ୍ଦର ଆଢ଼ୁଆଳରେ ପୃଥିବୀର କେତେ ଭଲ ଓ ମନ୍ଦ ଲୁଚି ନ ରହିଛି ! ଏ କଥା ମନେ କରି ଅପୂର୍ବ ଆଉ କୌଣସି ପ୍ରଶ୍ନ କଲାନାହିଁ । ଉଭୟେ ଜେଟିରେ ପହଞ୍ଚିଲାବେଳକୁ ଇରାବତୀ ନଦୀରେ ଗୋଟିଏ ପ୍ରକାଣ୍ଡ ଷ୍ଟିମର୍‌ କୂଳରେ ଲାଗୁଥିଲା । ପାଞ୍ଚ ସାତ ପୋଲିସ କର୍ମଚାରୀ ସାଦା ପୋଷାକରେ ଆଗରୁ ଠିଆ ହୋଇଥିଲେ । ନିମାଇଁବାବୁଙ୍କ ପ୍ରତି ସେମାନଙ୍କ ଚକ୍ଷୁର ଇଙ୍ଗିତରୁ ଅପୂର୍ବ ସେମାନଙ୍କୁ ଚିହ୍ନି ପାରିଲା । ଏମାନେ ସମସ୍ତେ ଭାରତୀୟ-ଭାରତର କଲ୍ୟାଣ ପାଇଁ ସୁଦୂର ବର୍ମାରେ ଜଣେ ବିଦ୍ରୋହୀର ଶିକାର ପାଇଁ ବାହାରିଛନ୍ତି । ସେହି ଶିକାର ତାଙ୍କର କରତଳ ଗତ ପ୍ରାୟ । ତାଙ୍କ ଆଖିରେ ସଫଳତାର ଆନନ୍ଦ ଓ ଉତ୍ତେଜନାର ପ୍ରଚ୍ଛନ୍ନ ଦୀପ୍ତି ଅପୂର୍ବ ଦେଖି ପାରିଲା । ଲଜ୍ଜା ଓ ଦୁଃଖରେ ମୁହଁ ଘୂରାଇ ନେଲା ସେ । ଅକସ୍ମାତ୍‌ ମୁହୂର୍ତ୍ତକ ପାଇଁ ଯେପରି ତାର ସମସ୍ତ ବ୍ୟଥିତ ମନ ଯାଇ କୌଣସି ଜଣେ ଅଦୃଷ୍ଟପୂର୍ବ ଅପରିଚିତ ଅଭାଗାର ଗତିରୋଧ କରିବା ପାଇଁ ଆଗେଇ ଆସିଲା । ଜାହାଜର ଖଲାସୀମାନେ ସେତେବେଳକୁ ଜେଟୀ ଉପରକୁ ଦଉଡ଼ି ଫିଙ୍ଗୁଥିଲେ । ବହୁ ଲୋକ ରେଲିଂ ଧରି ଉଦଗ୍ରୀବ ହୋଇ ସେ ଦୃଶ୍ୟ ଦେଖୁଛନ୍ତି । ଡେକ୍‌ ଉପରେ ବ୍ୟଗ୍ରତା, କଳରବ ଓ ଦୌଡ଼ାଧାପଡ଼ାର ସୀମା ନାହିଁ–ହୁଏତ ୟାରି ମଝିରେ ଜଣେ ଲୋକ ଠିଆହୋଇ ଉତ୍ସୁକ ଚକ୍ଷୁରେ ତୀରକୁ ପ୍ରତୀକ୍ଷା କରି ରହିଛି-ଭାବୁ ଭାବୁ ଅପୂର୍ବର ଆଖି ଝାପ୍‌ସା ହୋଇ ଉଠିଲା । ଉପରେ, ତଳେ, ଜଳରେ, ସ୍ଥଳଭାଗରେ ଏତେ ଲୋକ ଠିଆ ହୋଇଛନ୍ତି-କାହାର କୌଣସି ଶଙ୍କା, କୌଣସି ଅପରାଧ ନାହିଁ; କେବଳ ଯେଉଁ ଲୋକ ତାର ତରୁଣ ହୃଦୟର ସମସ୍ତ ସୁଖ, ସକଳ ଆଶା, ଆକାଂକ୍ଷା, ସ୍ୱାର୍ଥ ସ୍ଵେଚ୍ଛାରେ ବିସର୍ଜ୍ଜନ ଦେଇଛି, ତା ପାଇଁ କାରାଗାର ଓ ମୃତ୍ୟୁର ପଥ ଉନ୍ମୁକ୍ତ । ଜାହାଜ କେଟିରେ ଲାଗିଲା, ଗୋଟାଏ କାଠର ଶିଡ଼ି ଜାହାଜରୁ ଭୂଇଁକୁ ପଡ଼ିଲା; ନିମାଇଁବାବୁ ତାଙ୍କ ଦଳବଳ ଧରି ଶିଡ଼ିର ଦୁଇ ପାଖରେ ଧାଡ଼ି ଧରି ଠିଆ ହୋଇଗଲେ; କିନ୍ତୁ ଅପୂର୍ବ ଯେଉଁଠି ଠିଆ ହୋଇଥିଲା, ସେଠୁ ପାଦେ ଘୁଞ୍ଚିଲାନାହିଁ । ସେ ସେଠି ନିଶ୍ଚଳ ପଥରମୂର୍ତ୍ତି ପରି ଠିଆହୋଇ ମନେ ମନେ କହିଲା–ମୁହୂର୍ତ୍ତକ ପରେ ତମ ହାତରେ ଶୃଙ୍ଖଳ ପଡ଼ିବ । କୁତୂହଳୀ ନରନାରୀ ତମ ଲାଞ୍ଛନା ଓ ଅପମାନ ଆଖିରେ ଦେଖିବେ, ଅଥଚ ସେମାନେ ଜାଣିପାରିବେ ନାହିଁ ଯେ ସେମାନଙ୍କ ପାଇଁ ତୁମେ ସର୍ବସ୍ଵ ତ୍ୟାଗ କରିଛ ବୋଲି, ଆଉ ତୁମକୁ ସେମାନଙ୍କ ମେଳରେ ଛାଡ଼ି ଦିଆଯିବ ନାହିଁ । ତା ଆଖିରୁ ଧାର ଧାର ଲୁହ ଗଡ଼ିବାକୁ ଲାଗିଲା ଏବଂ ଯାହାକୁ ସେ କୌଣସିଦିନ ଦେଖିନାହିଁ, ସେହି ବିପ୍ଳବୀ ଉଦ୍ଦେଶ୍ୟରେ ମନେ ମନେ କହିବାକୁ ଲାଗିଲା–ତୁମେ ତ ଆମମାନଙ୍କ ପରି ସାଧାରଣ ମଣିଷ ନୁହଁ, ତୁମେ ଦେଶପାଇଁ ସର୍ବସ୍ଵ ଦେଇଛ । ଦୁଃଖର ଦୁଃସହ ଗୁରୁଭାର ତୁମେ ବୋହିପାରିବ ବୋଲି ତ ଭଗବାନ୍‌ ଏଡ଼େବଡ଼ ବୋଝ ତମ କାନ୍ଧରେ ଅର୍ପଣ କରିଛନ୍ତି ! ମୁକ୍ତିପଥର ହେ ଅଗ୍ରଦୂତ ! ହେ ପରାଧୀନ ଦେଶର ରାଜବିଦ୍ରୋହି ! ତୁମକୁ ଶତକୋଟି ନମସ୍କାର ।

 

ଏତେ ଲୋକ ଭିଡ଼, ଯିବା ଆସିବା-କାହାପ୍ରତି ତାର ଖିଆଲ ନ ଥିଲା । ନିଜ ମନର ଉଚ୍ଛ୍ଵସିତ ଆବେଗରେ ଅବିଚ୍ଛିନ୍ନ ଅଶ୍ରୁଧାର ବହି ତାର ଗଣ୍ଡ, ଚିବୁକ, କଣ୍ଠ ଆର୍ଦ୍ର ହୋଇଗଲା । ସମୟ ଯେ କେବେ ହେଲାଣି, ତାର ଦୃଷ୍ଟି ନ ଥିଲା । ହଠାତ୍‌ ନିମାଇଁବାବୁଙ୍କ ଡାକରେ ସେ ଆଖିର ଲୁହ ପୋଛି ସାମାନ୍ୟ ହସିବାକୁ ଚେଷ୍ଟାକଲା । ତାର ଏ ବିହ୍ଵଳଭାବ ଲକ୍ଷ୍ୟ କରି ସେ ଆଶ୍ଚର୍ଯ୍ୟ ହେଲେ, କିନ୍ତୁ କିଛି ପଚାରିଲେ ନାହିଁ । କହିଲେ–ଯାହା ଭୟ କରୁଥିଲି, ସେଇୟା ହେଲା । ପଳେଇଛି ।

 

କେମିତି ପଲେଇଲା ?

 

ନିମାଇଁବାବୁ କହିଲେ–ତା ଯଦି ଜାଣିଥାନ୍ତି, ଆଉ ପଳେଇ ପାରିଥାନ୍ତି ? ପ୍ରାୟ ତିନିଶ ଯାତ୍ରୀ-କୋଡ଼ିଏ ପଚିଣଜଣ ଫିରଙ୍ଗୀ-ମାନ୍ଦ୍ରାଜୀ, ଓଡ଼ିଆ, ପଞ୍ଜାବୀ ମିଶି ଦେଢ଼ଶ’ ହେବେ, ବାକୀ ବର୍ମୀ ଲୋକ । ସେ ଯେ କାହା ପୋଷାକ ପିନ୍ଧି କେଉଁ ଭାଷା କହି ଖସିଗଲା, ତା ଦେବତାଙ୍କୁ ଅଗୋଚର-ଆଉ ଆମେ ତ ପୋଲିସ ! ଚିହ୍ନିବାର ଉପାୟ ନାହିଁ । ସେ ବିଲାତର ନା ବଙ୍ଗଳାର । କେବଳ ଜଗଦୀଶବାବୁ ସନ୍ଦେହ କରି ଛ’ଜଣ ବଙ୍ଗାଳୀଙ୍କୁ ଥାନାକୁ ଟାଣି ନେଇଛନ୍ତି । ଗୋଟାଏ ଲୋକ ସାଥିରେ ସାମାନ୍ୟ ଚେହେରାର ସାମଞ୍ଜସ୍ୟ ଅଛି-କିନ୍ତୁ ସେଇ ସାମଞ୍ଜସ୍ୟ ପର୍ଯ୍ୟନ୍ତ-ସିଏ ନୁହେଁ । ଯିବୁ କି ଲୋକଟାକୁ ଦେଖି ?

 

ଅପୂର୍ବର ବୁକୁ ଭିତରେ ଆଘାତ ହେଲାପରି ଲାଗିଲା । ସେ କହିଲା–ଯଦି ମାରଧର କରିବେ, ମୋର ଯାଇ ଦେଖିବା ଦରକାର ନାଇଁ । ନିମାଇଁବାବୁ ଟିକିଏ ହସି କହିଲେ–ଏତେଗୁଡ଼ାଏ ଲୋକଙ୍କୁ ଛାଡ଼ିଦେଲ, ଖାଲି ଏ ବିଚରାଗୁଡ଼ା ବଙ୍ଗାଳୀ ବୋଲି, ବଙ୍ଗାଳୀ ହେଇ ଏମାନଙ୍କ ପ୍ରତି ଅତ୍ୟାଚାର କରିବ ? ଆରେ ବାବୁ, ବାହାରୁ ତମେ ପୋଲିସବାଲାଙ୍କୁ ଯେତେ ଖରାପ ଭାବ, ସମସ୍ତେ ତା ନୁହନ୍ତି । ଭଲ ମନ୍ଦ ସମସ୍ତଙ୍କ ଭିତରେ ଅଛନ୍ତି; କିନ୍ତୁ ମୁହଁ ବୁଜି ଯେତେ ଦୁଃଖ ଆମମାନଙ୍କୁ ସହିନେବାକୁ ହୁଏ, ତା ଜାଣିଲେ ତୁ ଏ ପୋଲିସ କକାକୁ ଏତେ ଘୃଣା କରିପାରନ୍ତୁ ନାହିଁ !

 

ଅପୂର୍ବ ଲଜ୍ଜିତ ହୋଇ କହିଲା–ଆପଣ କର୍ତ୍ତବ୍ୟ କରିବା ପାଇଁ ଆସିଛନ୍ତି, ତା ବୋଲି ଆପଣଙ୍କୁ ଘୃଣା କାହିଁକି କରିବି କକା ! ଏହା କହି ସେ ଆଣ୍ଠୁ ମାଡ଼ି ନିମାଇଁବାବୁଙ୍କ ପାଦ ସ୍ପର୍ଶକରି ମୁଣ୍ଡରେ ଲଗାଇଲା । ନିମାଇଁବାବୁ ଖୁସୀ ହୋଇ ଆଶୀର୍ବାଦ କରୁ କରୁ କହିଲେ–ହେଲା, ହେଲା, ଏଥର ଚାଲ, ଶୀଘ୍ର ଯିବା । ଲୋକଗୁଡ଼ାକ ଓପାସ ଭୋକରେ ସାରା ହେଇଯିବେଣି, ଟିକେ ପରୀକ୍ଷା କରି ଛାଡ଼ିଦେବା ଭଲ । ଏହା କହି ସେ ଅପୂର୍ବକୁ ସାଙ୍ଗରେ ଧରି ବାହାରି ଆସିଲେ ।

 

ପୋଲିସ ଷ୍ଟେସନରେ ପହଞ୍ଚି ଦେଖାଗଲା ଯେ ବାହାର ଘରେ ଛ’ଜଣ ବଙ୍ଗାଳୀ ଗଣ୍ଠିଳା ପୁଟୁଳା ଧରି ବସିଛନ୍ତି । ଜଗଦୀଶବାବୁ ଏ ଭିତରେ ତାଙ୍କ ଟ୍ରଙ୍କ ପେଟରା ସବୁ ଖୋଲି ତଦାରଖ ଆରମ୍ଭ କରିସାରିଲେଣି । ତେବେ ଯେଉଁ ଲୋକଟି ପ୍ରତି ତାଙ୍କର ବେଶି ସନ୍ଦେହ ସେ ଲୋକଟିକୁ ଅଲଗା ଗୋଟିଏ ଘରେ ରଖାଯାଇଛି । ଏମାନେ ସମସ୍ତେ ଉତ୍ତର ବର୍ମାରେ ବର୍ମା-ଅଏଲ-କମ୍ପାନୀର ତେଲଖଣିରେ ମିସ୍ତ୍ରୀ କାମ କରୁଥିଲେ; ସେଠା ଜଳବାୟୁ ଦେହରେ ନ ଯିବାରୁ ଚାକିରି ଖୋଜିବାପାଇଁ ରେଙ୍ଗୁନ ଆସିଛନ୍ତି । ଏମାନଙ୍କର ନାମଧାମ, ବିବରଣ ଓ ଜିନିଷପତ୍ର ପରୀକ୍ଷା କରି ଛାଡ଼ି ଦିଆଗଲା ଓ ପଲିଟିକାଲ ସସ୍‌ପେକ୍ଟ ସବ୍ୟସାଚୀ ମଲ୍ଲିକକୁ ସେମାନଙ୍କ ସାମନାକୁ ଅଣାଗଲା-

 

ଲୋକଟି କାଶି କାଶି ଆସିଲା । ବୟସ ତିରିଶ ବତିଶରୁ ବେଶି ନୁହେଁ । କିନ୍ତୁ ଖୁବ୍‌ ରୋଗା ଓ ଦୁର୍ବଳ । ତାକୁ ଦେଖିଲେ ମନେ ହବନି ଯେ ସଂସାରର ମିୟାଦ ତାର ବେଶି ଦିନ । ଭିତରର କି ଗୋଟାଏ ଦୁରାରୋଗ୍ୟ ରୋଗରେ ସମସ୍ତ ଦେହଟା ଯେପରି କ୍ଷୟପଥରେ ଛୁଟିଚାଲିଛି-। କେବଳ ଆଶ୍ଚର୍ଯ୍ୟକର ହେଉଛି ଏଇ ଗୋରା ଦେହରେ ଆଖି ଦୁଇଟି । ସେ ଆଖି ଛୋଟ କି ବଡ଼, ଲମ୍ବା କି ଗୋଲ, କିମ୍ବା ଦୀପ୍ତି କି ପ୍ରଭାହୀନ ଏ ସମସ୍ତ ବିବରଣ ଦେବା ବୃଥା-ଅତ୍ୟନ୍ତ ଗଭୀର ଜଳାଶୟ ପରି ସେଥିରେ କଣ ଅଛି ଯାହା ଦେଖିଲେ ମନେ ହେବ ଯେ ଏଠି ନ ପହଁରି ସାବଧାନ ହୋଇ ଦୂରରେ ଠିଆହେବା ପ୍ରୟୋଜନ । ଅପୂର୍ବ ମୁଗ୍‌ଧ ହୋଇ ତା ଆଡ଼କୁ ଚାହିଁ ରହିଥିଲା । ନିମାଇଁବାବୁ ତାର ବେଶଭୂଷା ଓ ବାହାର ପରିପାଟୀ ପ୍ରତି ଅପୂର୍ବର ଦୃଷ୍ଟି ଆକର୍ଷଣ କରି କହିଲେ–ବାବୁଙ୍କର ସ୍ୱାସ୍ଥ୍ୟ ଗଲାଣି; କିନ୍ତୁ ସଉକ ଷୋଳଣା ବଜାୟ ଅଛି, ସ୍ଵୀକାର କରିବାକୁ ହେବ । କଣ କହୁଛୁ ଅପୂର୍ବ ?

 

ହଠାତ୍‌ ଅପୂର୍ବ ଲୋକଟିର ପରିଚ୍ଛଦ ପ୍ରତି ଦୃଷ୍ଟି ପକାଇ ମୁହଁ ବୁଲାଇ ହାସ୍ୟ ଗୋପନ କଲା । ତାର ମୁହଁ ଆଗକୁ ଖୁବ୍‌ ଲମ୍ବା ଲମ୍ବା ବାଳ ଅଛି, କିନ୍ତୁ କାନମୁଣ୍ଡା ବା ମୁଣ୍ଡ ଉପରେ ବାଳ ନାହିଁ କହିଲେ ଚଳେ । ମୁଣ୍ଡ ମଝିରେ ସୁନ୍ଥାକଟା ହୋଇଛି, କେଶ ଅପର୍ଯ୍ୟାପ୍ତ ତୈଳସିକ୍ତ; ତେଲଗନ୍ଧରେ ଘର ଭରିଉଠୁଛି । ଦେହରେ ଜାପାନୀ ସିଲ୍‌କର ଇନ୍ଦ୍ର ଧନୁ ରଙ୍ଗର ଚୁଡ଼ିଦାର ପଞ୍ଜାବି, ଛାତି ପକେଟରୁ ବାଘଅଙ୍କା ଗୋଟାଏ ରୁମାଲ୍‌ର କିୟଦଂଶ ଦେଖାଯାଉଛି । ବିଲାତି ମିଲ୍‌ର କଳା ମଖମଲ ଧଡ଼ିର ସୂକ୍ଷ୍ମ ଧୋତି ପିନ୍ଧିଛି । ଗୋଡ଼ରେ ସବୁଜ ରଙ୍ଗର ମୋଜା, ଆଣ୍ଠୁ, ଉପରେ ଲାଲଫିତା ଦିଆହୋଇ ତାକୁ ବନ୍ଧାଯାଇଛି । ପାଦରେ ବାର୍ନିସ୍‌ କରା ପମ୍ପ-ସୁ, ତଳକୁ ମଜ୍‌ବୁତ୍‌ କରିବା ପାଇଁ ଲୁହା ନାଲ ବସାଯାଇଛି । ହାତରେ ହରିଣଶିଙ୍ଗବସା ବେତବାଡ଼ି । କେତେଦିନ ହେଲା ଜାହାଜରେ ସବୁ ମଇଳା ହେଇଯାଇଚି । ଏ ଲୋକଟିର ଆପାଦମସ୍ତକ ଲକ୍ଷ୍ୟ କରି ଅପୂର୍ବ କହିଲେ–କକା, ଏ ଲୋକକୁ ନ ପଚାରି ଛାଡ଼ିଦେବା ଭଲ । ଆପଣ ଯାହାକୁ ଖୋଜୁଛନ୍ତି, ଏ ଯେ ସେ ଲୋକ ନୁହେଁ, ମୁଁ ସେଥିପାଇଁ ଜାମିନ ରହିଲି ।

 

ନିମାଇଁବାବୁ ଚୁପ୍‌ରହିଲେ । ଅପୂର୍ବ କହିଲା–ବାକୀ କଥା ଛାଡ଼ନ୍ତୁ, ଯାହାକୁ ଖୋଜୁଛନ୍ତି, ତାର କଲ୍‌ଚର କଥାଟା ଭାବି ଦେଖନ୍ତୁ ତ !

 

ନିମାଇଁବାବୁ କହିଲେ–ବାବୁ, ତମ ନାଁ କଣ ?

 

ଲୋକଟି କହିଲା–ଆଜ୍ଞା, ଗିରୀଶ ମହାପାତ୍ର ।

 

ଏକଦମ୍‌ ମହାପାତ୍ର ! ତମେ କଣ ତେଲଖଣିରେ କାମ କରୁଥିଲ ? ଏବେ ରେଙ୍ଗୁନ୍‌ରେ ରହିବ ? ତମର ବାକ୍‌ସ ବିଛଣା ତ ଖାନ୍‌ତଲାସି ସରିଛି, ଦେଖି ତମ ଗାଞ୍ଜିଆ ଆଉ ପକେଟ୍‌ରେ କଣ ଅଛି ?

 

ତା ଗାଞ୍ଜିଆରୁ ଗୋଟିଏ ଟଙ୍କା ଓ ଛ’ ଅଣା ପଇସା ବାହାରିଲା । ପକେଟ୍‌ରୁ ଗୋଟିଏ ଲୁହାର କମ୍ପାସ, ମାପକରିବା ପାଇଁ ଗୋଟାଏ ଫୁଟବଲ୍‌, କେତେଟା ବିଡ଼ି, ଗୋଟାଏ ଦିଆସିଲି ଓ ଗୋଟାଏ ଗଞ୍ଜେଇଚିଲମ ବାହାରି ଆସିଲା ।

 

ନିମାଇଁ ବାବୁ କହିଲେ–ତମେ, ଗଞ୍ଜେଇ ଖାଅ ?

 

ଲୋକଟି, ନିଃସଙ୍କୋଚରେ କହିଲା–ଆଜ୍ଞା ନା ।

 

ତେବେ ଏ ବସ୍ତୁଟି ପକଟରେ ଧରିଛ କାହିଁକି ?

 

ଆଜ୍ଞା ବାଟରୁ ପାଇଲି, ଯଦି କାହାର କାମରେ ଲାଗିବ; ସେଥିପାଇଁ ଗୋଟେଇ ରଖିଛ-

 

ଜଗଦୀଶବାବୁ ସେହି ସମୟରେ ଘରେ ପ୍ରବେଶ କଲେ । ନିମାଇଁବାବୁ କହିଲେ–ଦେଖ ଜଗଦୀଶ, କିପରି ସଦାଶୟ ବ୍ୟକ୍ତି ଏ ବାବୁ ! ଯଦି କାହାର କାମରେ ଲାଗିବ, ସେଥିପାଇଁ ଗଞ୍ଜେଇ ଚିଲମଟି ଗୋଟେଇ ରଖିଛନ୍ତି । ଦେଖିବାବୁ ତମ ହାତ ? ଏହାକହି ସେ ମହାପାତ୍ରର ଡାହାଣ ହାତ ବୁଢ଼ା ଆଙ୍ଗୁଠିକୁ ଧରି କିଛି ସମୟ ପର୍ଯ୍ୟବେକ୍ଷଣ କରି କହିଲେ–ଅନେକ ଗଞ୍ଜେଲ ଦଳିବାର ଚିହ୍ନତ ଏଇଠି ବିଦ୍ୟମାନ, ଖାଅ ବୋଲି ତ କହି ପାରିଥାନ୍ତି ! ଯାହା ତମର ସ୍ଵାସ୍ଥ୍ୟ, ଆଉ କେତେଦିନ ବା ବଞ୍ଚିବ ! ଏଇ ବୁଢ଼ା ଲୋକଟାର କଥା ଶୁଣି ସେଥିରୁ ଟିକିଏ ବିରତ ହୁଅ ଭଲା !

 

ମହାପାତ୍ର ମୁଣ୍ଡ ହଲାଇ ଅସ୍ଵୀକାର କଲା-ନାଇଁ ଆଜ୍ଞା, କେବେ ଖାଏନି । ତେବେ କେବେ କେମିତି କଣ ସାଙ୍ଗ ସାଥୀ କହିଲେ ତିଆରି କରିଦିଏ ଯାହା ! ନହେଲେ ନିଜେ ଖାଏନି ।

 

ଜଗଦୀଶବାବୁ ରାଗି ଉଠି କହିଲେ–ଓଃ, ଦୟାର ସାଗର ! ପରପାଇଁ ତିଆରି କରି ଦିଏ, ନିଜେ ଖାଏନି । ମିଛୁଆ କୋଉଠିକାର !

 

ଅପୂର୍ବ କହିଲା–ବେଳ ହେଇଗଲାଣି, ମୁଁ ତାହେଲେ ଚାଲିଲି କକା !

 

ନିମାଇଁବାବୁ ଠିଆହୋଇପଡ଼ି କହିଲେ–ହଉ, ତମେ ଏଥର ଯାଅ ମହାପାତ୍ର ! କଣ କହୁଛ ଜଗଦୀଶ, ଯିବ ତ ?

 

ଜଗଦୀଶବାବୁ ସମ୍ମତି ଜଣାଇବାରୁ କହିଲେ–ଠିକ୍‌ କିଛି କହି ହେଉନାହିଁ, ତେବେ ମୋର ମନେହଉଛି ଏ ସହରରେ ଆଉ କିଛିଦିନ ନଜର ରଖିବା ଉଚିତ । ଆଜି ରାତି ମେଲ୍‌ଗାଡ଼ିଟା ପ୍ରତି ଦୃଷ୍ଟି ଦିଅ । ସେ ଯେ ବର୍ମ୍ମା ଆସିଛି, ଏ କଥା ଠିକ୍‌ ।

 

ଜଗଦୀଶବାବୁ କହିଲେ–ତା ହୋଇପାରେ, ତେବେ ଏ ଜାନୋଆରଟାକୁ ଓ୍ୟାଚ୍‌କରି କିଛି ଲାଭନାହିଁ । ତେଲ ଗନ୍ଧରେ ଥାନାଟା ସାରା ଲୋକଙ୍କ ମୁଣ୍ଡ ଧଇଲାଣି ।

 

ନିମାଇଁବାବୁ ହସିବାକୁ ଲାଗିଲେ । ଅପୂର୍ବ ପୋଲିସ ଷ୍ଟେସନରୁ ବାହାରି ଆସିଲା ଓ ପ୍ରାୟ ତା ପଛେ ପଛେ ମହାପାତ୍ର ତାର ଭଙ୍ଗା ଟିଣ ଟ୍ରଙ୍କ ଓ ଚଟେଇଗୁଡ଼ା ମଇଳା ବିଛଣା ନେଇ ଧୀର ମନ୍ଥର ପଦରେ ଉତ୍ତର ଦିଗର ରାସ୍ତା ଧରି ପ୍ରସ୍ଥାନ କଲା ।

 

Unknown

ସାତ

 

ଆଶ୍ଚର୍ଯ୍ୟର କଥା ଏଇ ଯେ ଏତେ ବଡ଼ ସବ୍ୟସାଚୀ ଧରାପଡ଼ିଲା ନାହିଁ, କୌଣସି ଦୁର୍ଘଟଣା ବି ଘଟିଲାନାହିଁ । ଅପୂର୍ବର ମନ ଏହାକୁ ଗ୍ରହଣ କରିବାପାଇଁ ପ୍ରସ୍ତୁତ ନଥିଲା । ବସାକୁ ଫେରି ସ୍ନାନାହାର, ପୋଷାକପିନ୍ଧା ବା ଅଫିସ୍‌ ଯିବା ପରି ତାର ନିତ୍ୟକର୍ମ ସ୍ଵାଭାବିକ ରାତିରେ ଚାଲିଲା ସତ କିନ୍ତୁ ଚକ୍ଷୁ, କର୍ଣ୍ଣ, ବୁଦ୍ଧି-ସବୁ ଯେମିତି କୌଣସି ଏକ ଅଦୃଷ୍ଟ, ଅପରିଜ୍ଞାତ ରାଜବିଦ୍ରୋହୀର ଚିନ୍ତାରେ ନିମଗ୍ନରହିଲା । ଏହି ଅନ୍ୟମନସ୍କତା ଲକ୍ଷ୍ୟକରି ତଲୱାର୍‌କାର୍‌ ଚିନ୍ତିତ ହୋଇ ପଚାରିଲା–ଆଜି ଘରୁ କଣ ଚିଠି ପାଇଛନ୍ତି କି ?

 

କାଇଁ ନାହିଁ ତ ।

 

ଘର ଖବର ସବୁ ଭଲ ତ ?

 

ଅପୂର୍ବ ଟିକିଏ ଆଶ୍ଚର୍ଯ୍ୟ ହୋଇ କହିଲା–ଯେତେଦୂର ଜାଣେ ସମସ୍ତେ ଭଲଅଛନ୍ତି ।

 

ରାମଦାସ ଆଉ କୌଣସି ପ୍ରଶ୍ନ କଲ ନାହିଁ । ଟିଫିନ୍‌ସମୟରେ ଉଭୟେ ଏକାଠି ବସି ଜଳଖିଆ ଖାଆନ୍ତି । ରାମଦାସର ସ୍ତ୍ରୀ ଦିନେ ତାକୁ ସନିର୍ବନ୍ଧ ଅନୁରୋଧ କରିଥିଲେ ସେ-ଯେ ପର୍ଯ୍ୟନ୍ତ ତାର ମା’ କିମ୍ବା ଅନ୍ୟ କୌଣସି ଆତ୍ମୀୟ ରମଣୀ ଏ ଦେଶକୁ ଆସି ବସାର ଉପଯୁକ୍ତ ବ୍ୟବସ୍ଥା ନକରିଛନ୍ତି, ସେ ପର୍ଯ୍ୟନ୍ତ ଏଇ ‘ଛୋଟୀବହନ୍‌’ର ହାତତିଆରି ଯତ୍‌ସାମାନ୍ୟ ମିଷ୍ଟାନ୍ନ ତାକୁ ପ୍ରତ୍ୟହ ଗ୍ରହଣ କରିବାକୁ ହେବ । ଅପୂର୍ବ ରାଜି ହୋଇଥିଲା । ଅଫିସ୍‌ର ଜଣେ ବ୍ରାହ୍ମଣ ପିଅନ ଯାଇ ଏ ସକଳ ନେଇ ଆସେ । ଆଜି ବି ସେ ଭୋଜ୍ୟ ବସ୍ତୁ ଗୁଡ଼ିକ ସଜାଇ ଦେଇ ଚାଲିଗଲା । ତା’ପରେ ଖାଇବସି ଅପୂର୍ବ ନିଜେ କଥା ପକାଇଲା । କାଲି ତା ଘରେ କିପରି ଚୋରୀହୋଇଥିଲା, ସବୁ ନେଇ ଯାଇଥାନ୍ତେ କେବଳ ଉପରର ସେଇ ଖ୍ରୀଷ୍ଟାନ୍‌ ଝିଅଟିର ଦୟାରୁ ଟଙ୍କାପଇସା ଛଡ଼ା ଆଉ ସବୁ ରହିଯାଇଛି । ବାସ୍ତବିକ୍‌ ଏପରି ତତ୍ପର, କର୍ମକୁଶିଳା ଝିଅ ମୁଁ ତ ଦେଖିଛି ବୋଲି ମନେହୁଏ ନା ! ତା ଛଡ଼ା ଏପରି ବନ୍ଧୁତ୍ଵ !

 

ରାମଦାସ କହିଲା–ତା ପରେ-

 

ଅପୂର୍ବ କହିଲା–ତେୱାରୀ ଘରେ ନଥିଲା । ବର୍ମ୍ମା ନାଚ ଦେଖିବା ପାଇଁ ମନ୍ଦିରକୁ ଯାଇଥିଲା । ଇତ୍ୟବସରରେ ଏଇ ବ୍ୟାପାର । ତାର କିନ୍ତୁ ବିଶ୍ଵାସ ଏ କାମ ସେ କାମ ସେ ଝିଅ ଛଡ଼ା ଆଉ କେହି କରିନି ! ମୋର ମଧ୍ୟ ବେଳେ ବେଳେ ସେମିତି ଅନୁମାନ ହୁଏ । ଅନ୍ତତଃ ଚୋରୀ ନ କରିଥିଲେ ବି ସାହାଯ୍ୟ କରିଛି ।

 

ତା ପରେ–

 

ତା ପରେ ସକାଳେ ଚାଲିଲି ପୁଲିସ୍‌କୁ ଖବର ଦେବାପାଇଁ; କିନ୍ତୁ ପୋଲିସ୍‌ ଦଳ ଏପରି କାଣ୍ଡକଲେ, ଏପରି ତାମସା ଦେଖେଇଲେ ଯେ, ମୋର ଏ କଥା ମନେରହିଲାନାହିଁ । ଏକ୍ଷଣି ଭାବୁଛି, ଯାହା ଗଲା ଯାଉ, ଆଉ ସେ କଥା ଭାବି କିଛି ଲାଭନାହିଁ । ବରଂ ସେମାନେ ଏପରି ବିଦ୍ରୋହୀ ଧରନ୍ତୁ । ହଠାତ୍‌ ଗିରୀଶ ମହାପାତ୍ର ଓ ତାର ପୋଷାକପତ୍ର କଥା ମନେ ପଡ଼େ ସେ ହସି ହସି ବେଦମ୍‌ ହୋଇଗଲା । ହସ ବନ୍ଦହେଲା ପରେ ସେ ବିଜ୍ଞାନ ଓ ଚିକିତ୍ସା ଶାସ୍ତ୍ରରେ ଅସାଧାରଣ ପାରଦର୍ଶୀ ବିଲାତରୁ ଡାକ୍ତରୀ ପାଶ୍‌କରି ଆସିଥିବା ରାଜଶତ୍ରୁ ମହାପାତ୍ରର ସ୍ଵାସ୍ଥ୍ୟ, ଶିକ୍ଷା, ରୁଚି, ବଳ ଓ ବୀରତ୍ଵ, ଇନ୍ଦ୍ରଧନୁ ରଙ୍ଗର ଜାମା, ସବୁଜରଙ୍ଗର ମୋଜା, ଅତିରିକ୍ତ ତୈଳବିଳାସ, ସର୍ବୋପରି ତାର ପରହିତାୟ ଗଞ୍ଜେଇ ଚିଲମଟିର ଆବିଷ୍କାରର ଇତିହାସ ସବିସ୍ତାରେ ବର୍ଣ୍ଣନା କରିବାରେ ଲାଗିଲା । ଶେଷରେ କହିଲା–ତଲୱାର୍‌କାର୍‌ ! ମହା ହୁସିଆର ପୋଲିସଦଳ ଆଜି ଏମିତି ବୋକା ବନିଗଲେ ଯେ କେହି କେବେ କଳ୍ପନା କରିବନାହିଁ । ଅଥଚ ଗଭର୍ଣ୍ଣମେଣ୍ଟ କେତେ ଟଙ୍କା ଏଇ ବାଜେ ଜିନିଷରେ ଅପବ୍ୟୟ କଲା !

 

ରାମଦାସ କହିଲା–ଏମିତି ବାଜେ କଥାରେ ଦୌଡ଼ା ଦୌଡ଼ି କରିବା ତ ପୋଲିସ୍‌ର କାମ, ସେମାନେ ତ ଆପଣଙ୍କ ଚୋର ଧରିବା ପାଇଁ ନାହାନ୍ତି । ଆଚ୍ଛା, ଏମାନେ କଣ ଆପଣଙ୍କ ବଙ୍ଗଳା ଦେଶର ପୋଲିସ୍‌ ?

 

ଅପୂର୍ବ କହିଲା–ହଁ । ଆଉ ସବୁଠାରୁ ଲଜ୍ଜାର କଥା ଏଇ ଯେ, ଏମାନଙ୍କର ଯେ ମାଲିକ, ସେ ମୋର ଆତ୍ମୀୟ-ବାପାଙ୍କ ବନ୍ଧୁ । ବାପା ୟାଙ୍କୁ ଚାକିରିରେ ରଖେଇ ଦେଇଥିଲେ ।

 

ରାମଦାସ କହିଲା–ତାହେଲେ ଆପଣଙ୍କୁ ହୁଏ ତ ଦିନେ ଏଥିପାଇଁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ; କିନ୍ତୁ କଥାଟା କହିଦେଇ ସେ ଅପ୍ରତିଭ ବୋଧକଲା-ଆତ୍ମୀୟ ସଂପର୍କରେ ଏପରି ମନ୍ତବ୍ୟ କରିବାଟା ଶୋଭାପାଏ ନାହିଁ ।

 

ଅପୂର୍ବ ତା ମୁହଁ ଦେଖି ଏହାର ଅର୍ଥ ବୁଝିପାରିଲା, କିନ୍ତୁ ଏହି ଧାରଣା ଯେ ସତ୍ୟ ନୁହେଁ, ତା’ ପ୍ରମାଣ କରିବା ପାଇଁ ଜୋର୍‌ରେ କହିଲା–ମୁଁ ତାଙ୍କୁ କକା ବୋଲି ଡାକେ, ମୋର ସେ ଆତ୍ମୀୟ, ଶୁଭାକାଂକ୍ଷୀ; କିନ୍ତୁ ତା ବୋଲି ସେ ତ ମୋ ଦେଶଠାରୁ ଆପଣାର ନୁହନ୍ତି । ବରଞ୍ଚ ଯାହାଙ୍କୁ ସେ ଦେଶର ପଇସାରେ, ଦେଶର ଲେକଙ୍କଦ୍ଵାରା ଘଉଡ଼ୁଛନ୍ତି, ସେ ମୋର ଅଧିକ ଆପଣାର ।

 

ରାମଦାସ ମୁରୁକି ହସି କହିଲା–ବାବୁଜୀ, ଏ ସବୁ କହିବାରେ ବିପଦ ଅଛି ।

 

ଅପୂର୍ବ କହିଲା–ବିପଦଥିଲେ ଗ୍ରହଣ କରିନେବି, କିନ୍ତୁ ୟା ବୋଲି ତଲୱାର୍‌କାର୍‌-ଖାଲି ଏ ଦେଶରେ କାହିଁକି, ପୃଥିବୀର ଯେ କୌଣସି ଦେଶରେ ଯେ କୌଣସି ଦେଶରେ ଯେ କୌଣସି ଯୁଗରେ ଯେ ବ୍ୟକ୍ତି ଜନ୍ମଭୂମିକୁ ସ୍ଵାଧୀନ କରିବାପାଇଁ ଚେଷ୍ଟାକରିଛି, ତାକୁ ଆପଣାର ବୋଲି, ଆଉ କିଏ ନ କହୁ, ମୁଁ ନିଶ୍ଚୟ କହିବି । କହୁ କହୁ ତାର ସ୍ଵର ତୀକ୍ଷଣ ଓ ଆଖିର ଦୃଷ୍ଟି ପ୍ରଖର ହୋଇଉଠିଲା । ସେ ବୁଝିଲା କେଉଁ କଥାରୁ ଆସି କେଉଁଠି ପହଞ୍ଚିଲାଣି । ତଥାପି ସମ୍ଭାଳି ନପାରି କହିଲା–ତମ ପରି ମୋର ସାହସ ନାହିଁ । ମୁଁ ଭୀରୁ କିନ୍ତୁ ବିନା ବିଚାରରେ ଦଣ୍ଡଭୋଗ କରିବାର ଅପମାନ ମତେ ବି ବାଧେ । ବିନାବାଧାରେ ସେ ଫିରିଙ୍ଗୀ ଟୋକା ଗୁଡ଼ାକ ମତେ ଯେତେବେଳେ ଠେଙ୍ଗାରେ ପିଟି ପ୍ଲାଟଫର୍ମରୁ ବାହାର କରିଦେଲେ, ଏହି ଅନ୍ୟାୟର ପ୍ରତିବାଦ କରିବା ପାଇଁ ମୁଁ ଗୋରା ଷ୍ଟେସନ ମାଷ୍ଟର ପାଖକୁ ଗଲି । ସେ କିନ୍ତୁ ମତେ କେବଳ ଦେଶୀ ଲୋକ ବୋଲି ଷ୍ଟେସନ୍‌ରୁ କୁକୁର ପରି ନିକାଲିଦେଲା । ସେ ଲାଞ୍ଛନା ଏ କଳା ଚମଡ଼ାକୁ କମ୍‌ଜ୍ଵାଳା ଦେଇନି ରାମଦାସ !

 

ରାମଦାସର ସୁଶ୍ରୀ ଗୌର ମୁଖମଣ୍ଡଳ କିଛି କାଳ ପାଇଁ ଆରକ୍ତ ହୋଇଉଠିଲା । ସେ କହିଲା–ଏ ଘଟଣା ତ ମୋତେ କହିନାହାନ୍ତି ?

 

ଅପୂର୍ବ କହିଲା–କହିବା କଣ କମ୍‌ ଦୁଃଖ ? ସେଠି ହିନ୍ଦୁସ୍ଥାନର ବହୁତ ଲୋକ ଥିଲେ କିନ୍ତୁ ମୋ ଅପମାନ କାହାକୁ ଲାଗିଲାନାହିଁ । ଏ ତ ସେମାନଙ୍କର ଅଭ୍ୟାସ ହୋଇଗଲାଣି । ଲାଠିମାଡ଼ରେ ଯେ ମୋ ପଞ୍ଜରାହାଡ଼ ଚୂନା ହେଇଯାଇନି, ଏଇ ସୁଖବରରେ ସେମାନେ ଖୁସି ହେଇଗଲେ । ତମକୁ ଆଉ କହିଥାନ୍ତି କଣ-ମନେହେଲା ଦୁଃଖ, ଲଜ୍ଜା, ଘୃଣାରେ ଯେମିତି ମାଟିରେ ମିଶିଯିବି !

 

ରାମଦାସ ରୂପ କରି ରହିଲା; କିନ୍ତୁ ତାର ଆଖି ଛଳ ଛଳ ହୋଇଗଲା । ସାମ୍‌ନା ଘଡ଼ିରେ ତିନିଟା ବାଜିବାରୁ ସେ ଉଠି ଠିଆହେଲା । ବୋଧହୁଏ କଣ ଗୋଟାଏ କହିବାକୁ ଯାଉଥିଲା, କିନ୍ତୁ କିଛି ନ କହି ଅପୂର୍ବର ଡାହାଣ ହାତକୁ ଟିକିଏ ଦାବିଦେଇ ନିଃଶବ୍ଦରେ ନିଜ କୋଠରୀକୁ ଚାଲିଗଲା ।

 

ସେଇଦିନ ଉପରବେଳା ଅଫିସ୍‌ଛୁଟି ପୂର୍ବରୁ ବଡ଼ସାହେବ ଗୋଟାଏ ଲମ୍ବା ଟେଲିଗ୍ରାମ ହାତରେ ଧରି ଅପୂର୍ବ ପାଖକୁ ଆସିଲେ । କହିଲେ ଆମର ଭାମୋ ଅଫିସରେ କୌଣସି ଶୃଙ୍ଖଳା ରହୁନାହିଁ । ମାଣ୍ଡାଲେ, ଶୋଏବୋ, ମିକ୍‌ଥିଲା ଏବଂ ଏ ପଟେ ପ୍ରୋମ୍‌-ସବୁ ଅଫିସ୍‌ରେ ଗୋଳମାଳ ହେଇଛି । ମୋର ଇଚ୍ଛା ତମେ ଏଗୁଡ଼ା ସବୁ ଟିକିଏ ଦେଖିଆସ । ମୁଁ ଚାଲିଗଲା ପରେ ସମୁଦାୟ ଭାର ତ ତମ ଉପରେ-ଟିକିଏ ପରିଚୟ ଥିବା ଉଚିତ-ସୁତୁରାଂ ବେଶି ଡେରି ନ କରି କାଲି ପ’ରଦିନ ଭିତରେ ଯଦି ଯାଇପାରନ୍ତ–

 

ଅପୂର୍ବ ତତ୍‌କ୍ଷଣାତ୍‌ ରାଜିହେଲା । କହିଲା–ମୁଁ କାଲି ବାହାରିଯିବି । ବସ୍ତୁତଃ ନାନା କାରଣରୁ ରେଙ୍ଗୁନରେ ତାର ମନ ଲାଗୁନଥିଲା । ଉପରନ୍ତୁ ଏଇ ବାଟରେ ଦେଶଟା ବି ଦେଖାହେଇଯିବ । ତେଣୁ ଯିବା ସ୍ଥିର ହେଇଗଲା ଏବଂ ତା ପରଦିନ ଅପରାହ୍ନରେ ଭାମୋ ଯିବା ପାଇଁ ସେ ଗାଡ଼ିରେ ବସିଲା । ସାଙ୍ଗରେ ଗଲା ଜଣେ ଅର୍ଦ୍ଦଳୀ ଆଉ ଜଣେ ବ୍ରାହ୍ମଣ ପିଆଦା । ତେୱାରୀ ବସାରେ ରହିଲା । ସାହେବ ଗୋଡ଼ଭାଙ୍ଗି ଡାକ୍ତରଖାନାରେ ପଡ଼ିଛି, ତେଣୁ ବିଶେଷ ଭୟ ନାହିଁ । ତଲ୍‌ୱାର୍‌କାର୍‌ ତା ପିଠିରେ ହାତମାରି କହିଲା–କିଛି ଭୟ ନାହିଁ ତେୱାରୀ, ଅସୁବିଧା ହେଲେ ମତେ ଯାଇ ଅଫିସ୍‌ରେ ଦେଖାକରିବୁ ।

 

ଗାଡ଼ ଛାଡ଼ିବାକୁ ଆଉ ବୋଧହୁଏ ପାଞ୍ଚ ମିନଟ୍‌ ଡେରି । ଅପୂର୍ବ ହଠାତ୍‌ ଚିତ୍କାର କରି କହିଲା–ଏଇ ତ ସେଇ ।

 

ତଲ୍‌ୱାର୍‌କାର୍‌ ଦେଖି ବୁଝିଲା-ଏଇ ସେଇ ଗିରୀଶ ମହାପାତ୍ର । ସେଇ ଜାମା, ସେଇ ସବୁଜ ରଙ୍ଗର ଫୁଲ୍‌ମୋଜା, ସେଇ ଯୋତା ଓ ବାଡ଼ି-ପ୍ରଭେଦ ମଧ୍ୟରେ ଏତିକି ଯେ ବାଘଛବିର ରୁମାଲ୍‌ଟା ପକେଟ୍‌ଛାଡ଼ି ବେକରେ ଗୁଡ଼ାହୋଇଛି । ମହାପାତ୍ର ସେଇଆଡ଼କୁ ଆସୁଥିଲା ।

 

ପାଖକୁ ଆସିବାରୁ ଅପୂର୍ବ ଡାକି କହିଲା–କିଓ ଗିରୀଶ, ମତେ ଚିହ୍ନି ପାରୁଚ ? କୁଆଡ଼େ ଚାଲିଲ ?

 

ଗିରୀଶ ଅସ୍ତବ୍ୟସ୍ତ ହୋଇ ନମସ୍କାର କରି କହିଲା–ଚିହ୍ନି ପାରିବନି ବାବୁ ଆଜ୍ଞା ! କୁଆଡ଼େ ଆଗମନ କରଛନ୍ତି ?

 

ଅପୂର୍ବ ହସି ହସି କହିଲା–ଅପାତତଃ ଭାମୋ ଯାଉଛି, ତମେ କୁଆଡ଼େ ?

 

ଗିରୀଶ କହିଲା–ଆଜ୍ଞା ! ଏନାଂଜାଂରୁ ଦୁଇଜଣ ବନ୍ଧୁ, ଆସିବାର ଥିଲା । ମତେ ଖାଲି ସେଦିନ ହଇରାଣ କରିବା କଥା । ହଁ, କିଏ କିଏ ଅବଶ୍ୟ ଗଞ୍ଜେଇ ଅଫିମ ଲୁଚେଇ ଚୋରେଇ ଆଣନ୍ତି, ହେଲେ ମୁଁ ବାବୁ ଧର୍ମଭୀରୁ ମଣିଷ । କଣ ଫଳ ଆଜ୍ଞା ନୂଆଚୋରୀ କରି ? କଥାରେ ଅଛି-ପରଧର୍ମ୍ମୋ ଭୟାବହ । ଲଲାଟ ଲେଖନ ତ ଆଉ କଟିଯିବନି । ଅପୂର୍ବ ହସି କହିଲା–ମୋର ତ ବିଶ୍ଵାସ । ତେବେ ତମର ଗୋଟିଏ ଭୁଲ୍‌ ହେଇଚି । ମୁଁ ପୁଲିସ୍‌ର ଲୋକ ନୁହେଁ । ଅଫିମ ଗଞ୍ଜେଇର ଧାର ଧାରେନା । ସେଦିନ ଖାଲି ତାମ୍‌ସା ଦେଖି ଯାଇଥିଲି ।

 

ତଲ୍‌ୱାର୍‌କାର୍‌ର ଗିରୀଶକୁ ତୀକ୍ଷ୍‌ଣ ଦୃଷ୍ଟିରେ ଦେଖୁଥିଲା । କହିଲା–ବାବୁଜୀ, ମୈନେ ଆପ୍‌କୋ ଜରୁର୍‌ କହାଁ ଦେଖା–

 

ଗିରୀଶ କହିଲା–ତାଜୁବ୍‌ ନେହିଁ ହୈ, ବାବୁସାହେବ ! ନୌକରି ବାସ୍ତେ କେତନା ଜାୟଗା ତୋ ଘୁମ୍‌ତା–

 

ଅପୂର୍ବକୁ କହିଲା–ମୋ ଉପରେ ମିଛ ସନ୍ଦେହ ରଖିବେ ନାହିଁ ବାବୁ ! ଆପଣଙ୍କ ନଜର ପଡ଼ିଲେ ଖଣ୍ଡେ ଚାକିରି ଜୁଟିବ ନାହିଁ । ବ୍ରାହ୍ମଣ ଘର ପୁଅ, ଶାହାସ୍ତ୍ର ପୁରାଣ ସବୁ କିଛି କିଛି ଶିଖିଥିଲି; କିନ୍ତୁ ଏମିତି ଅଦୃଷ୍ଟ ଯେ-ଛାଡ଼ନ୍ତୁ-ବାବୁ ଆଜ୍ଞା, ଆପଣ ଜାତିରେ–

 

ଅପୂର୍ବ କହିଲା–ମୁଁ ବ୍ରାହ୍ମଣ ।

 

ଆଜ୍ଞା ତା ହେଲେ ନମସ୍କାର । ମୁଁ ଏଥର ଚାଲିଲି ବାବୁ ସାହେବ-ରାମ୍‌ ରାମ୍‌-କହି କହି ଗିରୀଶ ମହାପାତ୍ର ବ୍ୟଗ୍ରପଦରେ ବାହାରିଗଲା ।

 

ଅପୂର୍ବ ହସି ହସି କହିଲା–ଏଇ ସବ୍ୟସାଚୀର ପଛରେ କକା ସଦଳବଳେ ଏ ଦେଶରୁ ସେ ଦେଶ ବୁଲୁଛନ୍ତି, ତଲ୍‌ୱାର୍‌କାର୍‌ ! କିନ୍ତୁ ରାମଦାସ ଏ ହସରେ ଯୋଗ ଦେଲାନାହିଁ । ସିଟି ଦେଇ ଗାଡ଼ି ଛାଡ଼ିବାରୁ ସେ ହାତ ବଢ଼ାଇ ଅପୂର୍ବସହ କୁରମର୍ଦ୍ଦନ କଲା; କିନ୍ତୁ ତା ପାଟିରୁ କଥା ବାହାରିଲା ନାହିଁ । ନାନା କାରଣରୁ ଅପୂର୍ବ ଲକ୍ଷ୍ୟ କରି ପାରିଲା ନାହିଁ; କିନ୍ତୁ ଲକ୍ଷ୍ୟ କରିଥିଲେ ଦେଖିଥାନ୍ତା ଯେ ଏହି ମୁହୂର୍ତ୍ତକରେ ରାମଦାସର ପ୍ରଶସ୍ତ ଉଜ୍ଜ୍ୱଳ ଲଲାଟରେ ଯେପରି କୌଣସି ଅଦୃଶ୍ୟ ମେଘ ଢାଙ୍କି ରହିଛି ଏବଂ ତାର ମନଶ୍ଚକ୍ଷୁ ଦେଇ ସେ କୌଣସି ଏକ ଦୁର୍ନିରୀକ୍ଷ ବସ୍ତୁର ଅନୁସନ୍ଧାନ କରୁଛି ।

 

ଅପୂର୍ବ ପ୍ରଥମ ଶ୍ରେଣୀର ଯାତ୍ରୀ, ତା ବଖରାରେ ଆଉ କେହି ଯାତ୍ରୀ ନ ଥିଲେ । ସନ୍ଧ୍ୟାହେବାରୁ ସେ ପଇତା ବାହାର କରି ବିନା ଜଳରେ ସାୟଂସନ୍ଧ୍ୟା ସମାପ୍ତ କଲା । ଯେଉଁସବୁ ଭୋଜ୍ୟବସ୍ତୁ ଶାସ୍ତ୍ରାନୁଯାୟୀ ସ୍ପର୍ଶଦୃଷ୍ଟ ହୁଏନା, ସେ ସକଳ ବାହାର କରି ଖାଇନେଲା । ବ୍ରାହ୍ମଣ ଅର୍ଦ୍ଦଳି ପୂର୍ବରୁ ଜଳ ଆଣିଥିଲା ଓ ଶଯ୍ୟା ମଧ୍ୟ ପ୍ରସ୍ତୁତ କରି ଦେଇଥିଲା । ରାତ୍ରି ଭୋଜନ ପରେ ଅପୂର୍ବ ପରିତୃପ୍ତ ହୋଇ ଶଯ୍ୟା ଗ୍ରହଣକଲା । ତାର ଭରସା ଥିଲା ଯେ, ସକାଳ ପର୍ଯ୍ୟନ୍ତ ନିଦ୍ରାରେ ବ୍ୟାଘାତ ଘଟିବ ନାହିଁ । ଏହା ଯେ କେତେ ବଡ଼ ଭୁଲ ଧାରଣା, କେତେଟା ଷ୍ଟେସନ ପରେ ସେ ଅନୁଭବ କଲା । ସେଇ ରାତିରେ ପୁଲିସ ତିନି ଥର ତାର ନିଦ ଭାଙ୍ଗି ନାମଧାମ ଓ ଠିକଣା ଲେଖିନେଲେ । ଥରେ ସେ ବିରକ୍ତ ହୋଇ ପ୍ରତିବାଦ କଲା । ବମ୍ମିଜ୍‌ ସବ୍‌ଇନିସ୍‌ପେକ୍ଟର କଟୁକଣ୍ଠରେ ଉତ୍ତର ଦେଲା–ତୁମେ ତ ଇଉରୋପୀୟାନ୍‍ ନୁହଁ !

 

ଅପୂର୍ବ କହିଲା–ନା, କିନ୍ତୁ ମୁଁ ତ ପ୍ରଥମ ଶ୍ରେଣୀର ଯାତ୍ରୀ । ରାତିରେ ତୁମେ ତ ମୋତେ ନିଦରୁ ବାରମ୍ବାର ଉଠାଇ ବିରକ୍ତ କରିପାରିବ ନାହିଁ ।

 

ସବ୍‌ଇନିସ୍‌ପେକ୍ଟର ହସି କହିଲା–ଏ ନିୟମ ରେଲବିଭାଗୀୟ କର୍ମଚାରୀଙ୍କ ପାଇଁ ।

 

ମୁଁ ପୋଲିସ ଅଫିସ୍‌ର,–ଇଚ୍ଛା କଲେ ତୁମକୁ ଧକ୍‌କା ଦେଇ ବାହାର କରି ଦେଇପାରେ-

 

ଏହାପରେ ଅପୂର୍ବ ଆଉ ପ୍ରତ୍ୟୁତ୍ତର କଲାନାହିଁ । ଶେଷ ତିନି ଚାରି ଘଣ୍ଟା ବିନା ଉପଦ୍ରବରେ କଟିବା ପରେ ତାର ଯେତେବେଳେ ନିଦ ଭାଜିଲା, ସେତେବେଳକୁ ଗତ ରାତିର ଗ୍ଳାନି କଥା ତା ମନରେ ନ ଥିଲା । ଗୋଟାଏ ବଡ଼ ପାହାଡ଼ ପାଖଦେଇ ଗାଡ଼ି ଅତି ମନ୍ଥର ଗତିରେ ଯାଉଥିଲା, ବୋଧହୁଏ ଗୋଟାଏ ଉଠାଣି । ଝରକାବାଟେ ବାହାରକୁ ମୁହଁ ଗଳାଇ ସେ ବିସ୍ମୟାଭୂତ ହୋଇ ପଡ଼ିଲା । ଚକ୍ଷୁ ପଲକରେ ସେ ବୁଝିଲା, ପୃଥିବୀର ଏତେ ବଡ଼ ସୌନ୍ଦର୍ଯ୍ୟ ସମ୍ପଦ ସେ ଜୀବନରେ କେବେ ଦେଖିନାହିଁ । ଗିରିଶ୍ରେଣୀ ଅର୍ଦ୍ଧ ବୃତ୍ତାକାରରେ ବିସ୍ତୃତ ହୋଇ ଯେପରି ପଶ୍ଚାତ୍‌ ଓ ଅଗ୍ରଭାଗ ରୋଧକରି ଦଣ୍ଡାୟମାନ । ତାର ବିରାଟ ଦେହବ୍ୟାପୀ ଗଭୀର ବନାନୀର ବିପୁଳକାୟ, ଗଗନସ୍ପର୍ଶୀ ବୃକ୍ଷରାଜି ଗିରିମାଳାର ସୁବିସ୍ତୀର୍ଣ୍ଣ ପାଦଦେଶ ଘେରି ବିଦ୍ୟମାନ । ଗହ୍ଵର ମଧ୍ୟରେ ଶିଖର ନିଃସୃତ ଜଳଧାରା ବହି ଆସୁଛି, ବନଚ୍ଛାୟାର ନିମ୍ନ ଭାଗରେ ଏଇ ଶାନ୍ତ ପ୍ରବାହ ଅଶ୍ରୁରେଖା ସଦୃଶ କରୁଣ । ଅପୂର୍ବ ମୁଗ୍‌ଧ ହୋଇ ଚାହିଁ ରହିଲା । ଏ କି ଆଶ୍ଚର୍ଯ୍ୟ ସୁନ୍ଦର ଦୃଶ୍ୟ ! ଯେଉଁମାନେ ଏଠି ଯୁଗ ଯୁଗାନ୍ତ ଧରି ବାସ କରୁଛନ୍ତି, ସେମାନଙ୍କ ସୌଭାଗ୍ୟର କଣ ସୀମା ଅଛି ? ହଠାତ୍‌ ତଲ୍‌ୱାର୍‌କାର୍‌ର କଥା କେତୋଟି ମନେ ପଡ଼ି ତାର କଳ୍ପନା ଧକ୍‌କାଖାଇ ଭାଙ୍ଗିଗଲା । ଆସିବାଠାରୁ ତଲ୍‌ୱାର୍‌କାର୍‌ଏହି ବ୍ରହ୍ମଦେଶର ବହୁ ଗୁପ୍ତ ଓ ବ୍ୟକ୍ତ କାହାଣୀ ସଂଗ୍ରହ କରିଥିଲା । ସେ କହିଥିଲା–ବାବୁଜୀ, କେବଳ ଶୋଭା ସମ୍ପଦ ନୁହେଁ, ପ୍ରକୃତି ଦତ୍ତ ଏତେ ବଡ଼ ସମ୍ପଦ ଅନ୍ୟ ଦେଶରେ ଖୁବ୍‌ କମ୍‌ଅଛି । ଏ ଦେଶର ଅରଣ୍ୟ ଅପରିମେୟ, ଏହାର ମାଟିତଳେ ଅଫୁରନ୍ତ ତୈଳର ପ୍ରସ୍ରବଣ, ଏ ଦେଶର ମହାମୂଲ୍ୟ ରତ୍ନଖଣିର ଦାମ୍‌ ନିରୂପିତ ହୋଇ ପାରେନା; ତା ଛଡ଼ା ଏ ନଭଶ୍ଚୁମ୍ବୀ ମହାଦ୍ରୁମରାଜି ଜଗତରେ ଏହାର ତୁଳନା ନାହିଁ ? ବେଶିଦିନର କଥା ନୁହେଁ, ଏ ସମ୍ବାଦ ପାଇ ଇଂରେଜ ବଣିକର ଲୁବ୍‌ଧ ଦୃଷ୍ଟି ଏ ରାଜ୍ୟ ଉପରେ ପଡ଼ିଲା । ଅତଃପର ଦେଶ ଓ ଦେଶର କଲ୍ୟାଣ, ମାନବତାର କଲ୍ୟାଣ ଏବଂ ସଭ୍ୟତା ଓ ନ୍ୟାୟ ଧର୍ମର କଲ୍ୟାଣ ପାଇଁ ଇଂରେଜ ରାଜଶକ୍ତି ବିଜିତ ଦେଶର ଶାସନଭାର ଗ୍ରହଣ କରି ସେମାନଙ୍କର ଅଶେଷ ମଙ୍ଗଳ ସାଧନା ପାଇଁ କାୟମନୋବାକ୍ୟରେ ଲାଗି ପଡ଼ିଲେ । ସେଥିପାଇଁ ଆଜି ଏଠାରେ ସତର୍କତାର ସୀମା ନାହିଁ; ସେଥିପାଇଁ ଏ ବିଜିତ ଦେଶର ପୋଲିସ୍‌ କର୍ମଚାରୀ ତତ୍‌ସଦୃଶ ଅନ୍ୟ ଏକ ପରାଧୀନ ଦେଶର ନିରୀହ ବ୍ୟକ୍ତିର ନିଦ ଭାଙ୍ଗି ନିଃସଙ୍କୋଚରେ କହିପାରିଲା–ତୁମେ ତ ସାହେବ ନୁହଁ ଯେ ତୁମକୁ ଅପମାନ କରିବା ପାଇଁ ମତେ କଷ୍ଟ ହେବ ? ଅପୂର୍ବ ମନେ ମନେ କହିଲା–ପ୍ରକୃତ ଠିକ୍‌ କଥା । ଏହାଠାରୁ ଆଉ ଅଧିକ କଣ ସେ ମତେ ଦିଅନ୍ତେ ? ଏହାଠାରୁ ଅଧିକ ମୁଁ କେଉଁ ମୁହଁରେ ଦାବୀ କରିବି ?

 

ଅରଣ୍ୟର ଶୀର୍ଷଦେଶରେ ପ୍ରଭାତ-ସୂର୍ଯ୍ୟର କନକ-ଆଭା ସେ ପର୍ଯ୍ୟନ୍ତ ରଙ୍ଗ ହରାଇ ନାହିଁ, କିନ୍ତୁ ତା ଆଖିରେ ତାହା ଅତ୍ୟନ୍ତ ମ୍ଳାନ ଓ କ୍ଳାନ୍ତିକର ବୋଧ ହେଲା । ସମୁନ୍ନତ ପର୍ବତମାଳା ତାକୁ ସାମାନ୍ୟ ମନେ ହେଲା ଏବଂ ବୃକ୍ଷ ଶ୍ରେଣୀର ଯେ ବିପୁଳତା ଦେଖି ସେ ଅଳ୍ପକ୍ଷଣ ପୂର୍ବେ ବିସ୍ମୟ-ମୁଗ୍‌ଧ ହୋଇଥିଲା, ତାହା ତା ଦୃଷ୍ଟିରେ ସାଧାରଣ ଓ ବିଶେଷତ୍ଵ ବର୍ଜିତ ଦେଖାଗଲା । ତାର ନଦୀମାତୃକା ଶସ୍ୟଶ୍ୟାମଳା ଭାରତ ଭୂମି ମନେ ପଡ଼ି ଚକ୍ଷୁ ଲୋତକପୂର୍ଣ୍ଣ ହୋଇଉଠିଲା । ତାର ପ୍ରବାସୀ ପୀଡ଼ିତ ଆତ୍ମା ବୁକୁ ଭିତରୁ ଯେପରି ଆର୍ତ୍ତନାଦ କରି ବାରମ୍ବାର କହିବାକୁ ଲାଗିଲା–ହେ ଦୁର୍ଭାଗା ଦେଶର ଶକ୍ତିହୀନ ନରନାରୀ ! ଏ ଅଶେଷ ଐଶ୍ଵର୍ଯ୍ୟମୟୀ ଜନ୍ମ ଭୂମିରେ ତମର କଣ ଅଧିକାର ଅଛି ? ଏପରି ଅନେକ କଥା ନିଜେ ନିଜେ କହି କହି ତାର କେତେ ଯେ ସମୟ କଟି ଯାଇଥିଲା, କହି ହେବନାହିଁ । ଅକସ୍ମାତ୍‌ ଟ୍ରେନର ଗତି କମି ଆସିଲା । ତରତରରେ ମୁହଁ ପୋଛି ପକାଇ ସେ ଦେଖିଲା–ଗାଡ଼ି ଷ୍ଟେସନରେ ଠିଆହୋଇଛି ।

 

ଆଠ

 

ପିଲାଦିନରୁ ସ୍ତ୍ରୀ ଜାତି ପ୍ରତି ଅପୂର୍ବର ଶ୍ରଦ୍ଧା ନ ଥିଲା, ବରଞ୍ଚ ଗୋଟାଏ ବିତୃଷ୍ଣା ଭାବ ଥିଲା । ଭାଉଜମାନେ ଥଟ୍ଟା କଲେ ସେ ମନେ ମନେ ରାଗିଯାଏ; ସାଙ୍ଗରେ ଲାଗିଲେ ଘୁଞ୍ଚି ଆସେ । ମା’ ବ୍ୟତୀତ ଅନ୍ୟ କାହାର ସେବା ଯତ୍ନକୁ ସେ ପସନ୍ଦ କରୁ ନ ଥିଲା । ତେବେ ଗୋଟିଏ ଜିନିଷ ତା’ଠି ଥିଲା-ତାହା ହେଉଛି ତାର କୋମଳ ଭଦ୍ର ସ୍ଵଭାବ । ଏଥିପାଇଁ ନରନାରୀ ନିର୍ବିଶେଷରେ ଯେ କୌଣସି ପ୍ରାଣୀକୁ ସେ ଭଲ ପାଏ ଏବଂ କାହାକୁ କୌଣସି କାରଣରୁ ବ୍ୟଥା ଦେବାପାଇଁ ତାକୁ କଷ୍ଟ ଲାଗେ । ଥରେ ଏଇ ଗୋଟିଏ ଦୁର୍ବଳତା ଯୋଗୁଁ ସେ ଭାରତୀକୁ ଅପରାଧୀ ଜାଣି ମଧ୍ୟ ଶାସ୍ତି ଦେଇପାରିନାହିଁ; କିନ୍ତୁ ଆଜି ଏହି ନିଷ୍ଠୁରା ମିଥାଚାରିଣୀ ରମଣୀ ପ୍ରତି ତାର ବିରାଗ ଓ ବିଦ୍ଵେଷର ସୀମା ନଥିଲା ।

 

ପନ୍ଦର ଦିନ ହେଲା ସେ ଭାମୋକୁ ଆସିଛି । ଏଠାରୁ କାମ ତାର ଏକପ୍ରକାର ସରିଗଲାଣି, କାଲି ବା ପରଦିନ ସେ ମିକ୍‌ଥିଲା ଯିବା କଥା । ସନ୍ଧ୍ୟା ପରେ ଆଜି ଅଫିସରୁ ଫେରି ସେ ବାରଣ୍ଡାରେ ବସି ମନେ ମନେ ଗୋଟାଏ ଜଟିଳ ସମସ୍ୟାର ସମାଧାନରେ ବ୍ୟସ୍ତ ଥିଲା । ନାରୀ ସ୍ଵାଧୀନତା ପ୍ରସଙ୍ଗରେ ସେ କୌଣସି ଦିନ ସମ୍ମତ ନୁହେଁ । ଏଥିରେ ମଙ୍ଗଳ ହୋଇ ପାରେନା, ଏହା ଭଲ ନୁହେଁ-ତାର ରୁଚି ଓ ଆରଜନ୍ମ ସଂସ୍କାର ତାକୁ ଏ କଥା ଅନୁକ୍ଷଣ ପ୍ରରୋଚିତ କରୁଥିଲା । ଅଥଚ ଶାସ୍ତ୍ରୀୟ ଅନୁଶାସନଗୁଡ଼ାକରେ ଯେ ଗଭୀର ଅବିଚାର ନିହିତ, ଏ ସତ୍ୟ ତାର ନ୍ୟାୟନିଷ୍ଠ ମନ କୌଣସି ମତେ ଅସ୍ଵୀକାର କରିପାରେନାହିଁ; କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ପଥ ପାଏ ନାହିଁ ।

 

ରାମଶରଣ ଆସି କହିଲା–ବାବୁଜୀ, ଆପଣଙ୍କ ଖାଇବା ପ୍ରସ୍ତୁତ ହୋଇଗଲାଣି ।

 

ଅପୂର୍ବ ଚକିତ ହୋଇ କହିଲା–ଗୋଟାଏ ଆଲୁଅ ଆଣ ଏବଂ କାଲି ସକାଳ ଗାଡ଼ିରେ ଆମେ ମିକ୍‌ଥିଲା ଯିବା-ମ୍ୟାନେଜରକୁ ଗୋଟାଏ ଖବର ପଠାଇ ଦିଅ ।

 

ଅର୍ଦ୍ଦଳି ରାମଶରଣ କହିଲା–ଆପଣଙ୍କର ପରା ପରଦିନ ଯିବାର ଥିଲା ?

 

ଅପୂର୍ବ କହିଲା–ନା, ପରଦିନ ନୁହେଁ, କାଲି ।

 

ତା ପରଦିନ ସେ ଯଥା ସମୟରେ ମିକ୍‌ଥିଲା ଯାତ୍ରା କଲା । ଏଠାକୁ ଆସି କିନ୍ତୁ ତାକୁ ଭଲଲାଗିଲା ନାହିଁ । ଦେଶୀ ଓ ବିଲାତି ପଲଟନ୍‌ର ଛାଉଣୀ ଅଛି, ବଙ୍ଗାଳୀ ପରିବାର ମଧ୍ୟ ଅନେକଗୁଡ଼ିଏ ଅଛନ୍ତି । ସହରଟି ଭଲ, ନୂଆ ଲୋକ ବୁଲି ଦେଖିବା ପାଇଁ ଅନେକ ବସ୍ତୁ ଅଛି–କିନ୍ତୁ ଏ ସମସ୍ତ ତାକୁ ଭଲ ଲାଗିଲାନାହିଁ । ମନଟା ରେଙ୍ଗୁନ୍‌ପାଇଁ ଛଟପଟ କରିବାକୁ ଲାଗିଲା । ଭାମୋରେ ଥିଲାବେଳେ ମା’ଙ୍କ ଠାରୁ ଖଣ୍ଡେ ରିଡାଇରେକ୍ଟଡ୍‌ ଚିଠି ପାଇଥିଲା । ରାମଦାସଠାରୁ ବି ଦି’ଖଣ୍ଡ ପତ୍ର ପାଇଥିଲା, ସେ ବି ଦଶବାର ଦିନ ପୂର୍ବରୁ । ରାମଦାସ ଲେଖିଥିଲା ଯେ ତାର ଫେରିଲା ପର୍ଯ୍ୟନ୍ତ ବସା ବଦଳାଇବାର ଦରକାର ନାହିଁ ଏବଂ ସେ ନିଜେ ଯାଇ ଦେଖି ଆସିଛି ଯେ ତେୱାରୀ ବେଶ୍‌ ସୁଖରେ ଅଛି । ତଥାପି ତାକୁ ଭଲ ଲାଗୁନଥାଏ । ଦିନେ ସେ ହଠାତ୍‌ ଜିନିଷପତ୍ର ବାନ୍ଧି ଷ୍ଟେସନ୍‌କୁ ଯିବା ପାଇଁ ଗାଡ଼ି ଡକାଇ ପଠାଇଲା । ଏହି ସ୍ଥାନକୁ ମନେରଖିବା ଭଳି କୌଣସି ଜିନିଷ ନାହିଁ । ଯତ୍‌ସାମାନ୍ୟ କାର୍ଯ୍ୟ ଭିତରେ କିଛି ବିଶେଷତ୍ଵ ନ ଥିଲା; କିନ୍ତୁ ଷ୍ଟେସନରେ ଆସି ଏପରି ଏକ ଘଟଣା ଘଟିଲା, ଯାହା ଆପାତତଃ ସାମାନ୍ୟ ଓ ସାଧାରଣ ମନେହେଲେ ବି ତାକୁ ବହୁଦିନ ସ୍ମରଣ କରିବାକୁ ହେଲା । ଜଣେ ମଦୁଆ ବଙ୍ଗୀୟ ବ୍ୟକ୍ତିକୁ ଟ୍ରେନ୍‌ରୁ ରେଳବାଇ ବିଭାଗର ଲୋକେ ବାହାର କରି ଦେଉଥାନ୍ତି । ସେ ପିନ୍ଧିଥାଏ ମଇଳା ଓ ଛିନ୍ନ ହ୍ୟାଟ୍‌ କୋଟ୍‌ ସହ ବିଲାତି ପୋଷାକ-ସାଙ୍ଗରେ କେବଳ ଗୋଟିଏ ଭଙ୍ଗା ବେହେଲା ବାକ୍‌ସ । ବିଛଣା ବା ଅନ୍ୟ କିଛି ନାହିଁ । ତାର ଏକମାତ୍ର ଅପରାଧ ହେଲା ସେ ଟିକଟ୍‌ର ପଇସାରେ ମଦ ଖାଇ ଦେଇଛି । ସ୍ଵଦେଶୀ କାହିଁକି ପୋଲସଦ୍ଵାରା ହଇରାଣ ହେବ-ଏଇୟା ଭାବି ଅପୂର୍ବ ତାର ଭଡ଼ା ତୁଟାଇଦେଲା । ଆଉ ପାଞ୍ଚଟା ଟଙ୍କା ତାକୁ ଧରେଇ ଖସିଯିବାକୁ ବସିଛି, ହଠାତ୍‌ ସେ ଲୋକଟି ହାତଯୋଡ଼ି କହିଲା–ମହାଶୟ, ମୋର ଏଇ ବେହେଲାଖଣ୍ଡି ଆପଣ ନେଇଯାନ୍ତୁ । ବିକ୍ର କରି ଆପଣଙ୍କ ଟଙ୍କାଟା ବାଦ୍‌ଦେଇ ବାକୀ ଟଙ୍କା ମୋତେ ପଠାଇଦେବେ । ତାର କଣ୍ଠସ୍ଵରର ଜଡ଼ତା ସତ୍ତ୍ୱେ ବି ବୁଝାଗଲା ଯେ, ସେ ଜ୍ଞାନରେ ଥାଇ କଥା କହୁଛି ।

 

ଅପୂର୍ବ ପଚାରିଲା–କୋଉଠିକୀ ଫେରାଇବି ?

 

ସେ କହିଲା–ଆପଣଙ୍କ ଠିକଣା କହିଯାଂତୁ, ମୁଁ ଆପଣଙ୍କୁ ଚିଠି ଲେଖି ଜଣାଇବି ।

 

ଅପୂର୍ବ କହିଲା–ତମ ବେହେଲା ତମଠି ଥାଉ ବାବୁ, ମୁଁ ତାକୁ ବିକ୍ରୀ କରିପାରିବି ନାହିଁ । ମୋ ନାଁ ଅପୂର୍ବ ହାଲ୍‌ଦାର, ରେଙ୍ଗୁନ୍‌ର ଗୋଥା କମ୍ପାନୀରେ ଚାକିରି କରେ । ଯଦି ସୁବିଧା ହୁଏ, କେତେବେଳେ ଟଙ୍କା ପଠାଇ ଦେବ ।

 

ସେ ମୁଣ୍ଡ ହଲାଇ ଜଣାଇଲା-ହଉ ଆଜ୍ଞା, ନମସ୍କାର ! -ମୁଁ ନିଶ୍ଚେ ପଠାଇଦେବି । ବାହାରକୁ ଯିବାର ବାଟ କଣ ଏଇ ? ବେଶ୍‌ ବଡ଼ ସହର, ନାଁ ? ବୋଧହୁଏ ସବୁ ଜିନିଷ ମିଳିବ । ବାସ୍ତବିକ ଆଜ୍ଞା, ଆପଣଙ୍କ ଦୟା ମୁଁ କେବେ ଭୁଲିପାରିବି ନାହିଁ । ଏହା କହି ସେ ଆଉଥରେ ନମସ୍କାର କରି ବେହେଲାର ବାକ୍‌ସ କାନ୍ଧରେ ଝୁଲାଇ ବାହାରିଗଲା । ଅପୂର୍ବ ସେତିକିବେଳେ ତା ଚେହେରା ଲକ୍ଷ୍ୟକଲା । ବୟସ ବେଶି ନୁହେଁ, ତେବେ କେତେ କହିବା ଶକ୍ତ । ବୋଧହୁଏ ସବୁପ୍ରକାର ନିଶାର ମହାତ୍ମ୍ୟରୁ ଆଉ ଦଶବର୍ଷ ବଢ଼ିଯାଇଛି । ସେ ଚାଲିଯିବା ପରେ ଅପୂର୍ବର ତା ପ୍ରତି କରୁଣା ଜାଗ୍ରତ ହେଲା । ତାକୁ ଆଉ ଅଧିକ ଟଙ୍କା ଦେବା ବୃଥା, ଏପରିକି ଅନ୍ୟାୟ, ଏ କଥା ସେ ଜାଣିଥିଲା । ତଥାପି ଯଦି ଅନ୍ୟ କିଛି ଉପକାର କରିପାରିଥାନ୍ତା ! କିନ୍ତୁ ଏଥିପାଇଁ ଚିନ୍ତା କରିବାର ସମୟ ନଥିଲା । ସେ ଟିକେଟ କିଣି ଗାଡ଼ିପାଇଁ ପ୍ରସ୍ତୁତ ହେଲା ।

 

ପରଦିନ ରେଙ୍ଗୁନ୍‌ରେ ଆସି ପହଞ୍ଚିଲାବେଳକୁ ବାରଟା ବାଜିଲାଣି । ଟାଇଁ ଟାଇଁ ଖରା ଓ ଭୀଷଣ ଗରମ ହେଉଛି । ତା’ପରେ ପୁଣି ବିପଦ ଯେ ତରତରରେ ଓହ୍ଲାଉ ଓହ୍ଲାଉ ତା ଖାଇବା ଜିନିଷ ଥିବା ଜାଗାଟିକୁ ମୁସଲମାନ କୁଲି ଅସାବଧାନ ହୋଇ ଛୁଇଁ ଦେଇଥିଲା । ସ୍ନାନ ନାହିଁ, ଆହାର ନାହି-କ୍ଷୁଧା, ତୃଷା ଓ କ୍ଳାନ୍ତିରେ ସେ ସମ୍ପୂର୍ଣ୍ଣ ଅବସନ୍ନ ହୋଇ ପଡ଼ିଥିଲା । ବସାରେ ପହଞ୍ଚି ଗାଧୋଇ ଟିକିଏ ବିଶ୍ରାମ କଲେ ପ୍ରାଣ ରହିବ । ଘୋଡ଼ାଗାଡ଼ିରେ ଆସି ବସାରେ ପହଞ୍ଚିବାକୁ ଦଶମିନିଟ୍‌ ଲାଗିଲା । ସିଡ଼ିପାଖେ ପହଞ୍ଚି ସେ ଖୁବ୍‌ ରୁଷ୍ଟ ହୋଇ ଉପରକୁ ଚାହିଁଲା । ତେୱାରୀର କୌଣସି ଉତ୍କଣ୍ଠା ନାହିଁ, ରାସ୍ତା ଆଡ଼କୁ ଥିବା ଝରକାଟା ପର୍ଯ୍ୟନ୍ତ ବି ଖୋଲାନାହିଁ । ଉପରକୁ ଉଠି ସେ ଦ୍ଵାରକୁ ବାଡ଼େଇ ଡାକିଦେଲା-ତେୱାରୀ, ଓ ତେୱାରୀ ! କିଛି ସମୟ ପରେ ଖୁବ୍‌ ଧୀରେ ଦ୍ଵାର ଖୋଲିଗଲା । କ୍ରୁଦ୍ଧ ଅପୂର୍ବ ଘର ଭିତରେ ପାଦ ଦେଉ ଦେଉ ବିସ୍ମୟରେ ଅବାକ୍‌ ହୋଇ ଚାହିଁ ରହିଲା । ଆଗରେ ଠିଆ ହୋଇଛି ଭାରତୀ । ତାର ଏ କି ମୂର୍ତ୍ତି ! ପାଦରେ ଯୋତା ନାହିଁ, ଖଣ୍ଡେ କଳାଶାଢ଼ୀ ପିନ୍ଧିଛି ମୁଣ୍ଡର ବାଳ ଶୁଷ୍କ ଓ ଅଯତ୍ନ, ମୁହଁ ଉପରେ ଗଭୀର ବିଷାଦର ଛାୟା-ଯେପରି ବହୁଦୂରରୁ ଆସୁଥିବା ଜଣେ ଯାତ୍ରୀ-ଖରାରେ ସିଝି, ପାଣିରେ ତିନ୍ତି, ଅନାହାର ଅନିଦ୍ରାରେ ଦିନ ରାତି ଚାଲିଛି-ଯେ କୌଣସି ମୁହୂର୍ତ୍ତରେ ବାଟରେ ପଡ଼ି ମରିଯାଇ ପାରେ । ଭାରତୀ ମୁଣ୍ଡ ନୁଆଇଁ ନମସ୍କାର କରି କହିଲା–ଆପଣ ଆସିଲେଣି, ତେୱାରୀ ଏଥର ବଞ୍ଚିଯିବ । ଭୟରେ ଅପୂର୍ବ ଛାନିଆ ହୋଇ ପଚାରିଲା–ତାର କ’ଣ ହେଇଛି ?

 

ଭାରତୀ ପୂର୍ବବତ ମୃଦୁକଣ୍ଠରେ କହିଲା–ଏଆଡ଼େ ଅନେକ ଲୋକଙ୍କର ବସନ୍ତ ହେଉଛି, ତାର ବି ହୋଇଛି; କିନ୍ତୁ ଆପଣ ତ ଏପରି ପରିଶ୍ରାନ୍ତ ଅବସ୍ଥାରେ ଏ ଘରେ ପଶିବା ଉଚିତ ହେବନାହିଁ । ଉପରକୁ ବରଂ ଚାଲନ୍ତୁ । ସେଇଠି ସ୍ନାନ କରି ଟିକିଏ ବିଶ୍ରାମ କରି ତଳକୁ ଆସିବେ । ତା ଛଡ଼ା ସେ ତ ଏବେ ଶୋଇଛି, ଉଠିଲେ ଆପଣଙ୍କୁ ଡାକିଦେବ ।

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ କହିଲା–ଉପର ଘରେ ?

 

ଭାରତୀ କହିଲା–ହଁ, ଘରଟା ଏ ପର୍ଯ୍ୟନ୍ତ ଆମ ଜିମାରେ ଅଛି, କିନ୍ତୁ ମୁଁ ଚାଲିଯାଇଛି । ବେଶ୍‌ ପରିଷ୍କାର ଅଛି । କଳରେ ବି ପାଣି ଅଛି । ଆଉ କେହି ନାହାନ୍ତି । ଆପଣଙ୍କର କିଛି ଅସୁବିଧା ହେବ ନି, ଚାଲନ୍ତୁ; କିନ୍ତୁ ଆପଣଙ୍କ ଲୋକ କଣ ଆଉ କେହି ସାଥି ଆସି ନାହାନ୍ତି ? ଜିନିଷପତ୍ରଗୁଡ଼ା ସେମାନେ ନେଇ ଆସନ୍ତୁ ।

 

ଅପୂର୍ବ କହିଲା–ସେମାନଙ୍କୁ ତ ମୁଁ ଷ୍ଟେସନରୁ ବିଦା କରିଦେଇଛି । ସେମାନେ ତ କ୍ଳାନ୍ତ ହୋଇଯାଇଥିଲେ ।

 

ଭାରତୀ କହିଲା–ତା ଅବଶ୍ୟ ସତ, ତେବେ ଏଠି କଣ କୁଲି ମିଳିବ ? ଦେଖେ ।

 

ଅପୂର୍ବ କହିଲା–ଏଇ କେତେଟା ଜିନିଷ ମୁଁ କଣ ତଳୁ ଆଣି ପାରିବି ନାଇଁ, ଏଥିପାଇଁ କୁଲି କଣ ହେବ ? ସେ ତଳକୁ ଜିନିଷ ଆଣିବାକୁ ଓହ୍ଲାଉଥିଲା । ସେତିକିବେଳେ ଗାଡ଼ୋୟାନ ମୁହଁ ବଢ଼ାଇ ଭଡ଼ା ମାଗିଲା । ଭାରତୀ ତାକୁ ଡାକି କହିଲା–ଏଠି ତ କୁଲି ମିଳିବେ ନାହିଁ । ତମେ ଯଦି ଟିକିଏ କଷ୍ଟ କରି ଜିନିଷଗୁଡ଼ାକ ଉପରକୁ ଆଣିଦେବ, କିଛି ଅଧିକ ପଇସା ପାଇବ । ଗାଡ଼ିବାଲା ତା କଥାରେ ଖୁସି ହୋଇ ଜିନିଷ ଆଣିବାକୁ ଗଲା ।

 

ସବୁ ଆସିଯିବା ପରେ ଭାରତୀ ଘର ଭିତରେ ଯତ୍ନର ସହ ବିଛଣା କରିଦେଇ କହିଲା–ଏଥର ସ୍ନାନ କରି ଆସନ୍ତୁ ।

 

ଅପୂର୍ବ କହିଲା–ମୁଁ ତ କିଛି ବୁଝି ପାରୁନାହିଁ । ସମସ୍ତ ଘଟଣାଟା ମୋତେ ଖୋଲି କହନ୍ତୁ ତ !

 

ଭାରତୀ ଗାଧୁଆଘର ଦେଖାଇ ଦେଇ କହିଲା–ନା, ଆପଣ ଆଗ ଗାଧୋଇ ସନ୍ଧ୍ୟା ଆହ୍ନିକ କାର୍ଯ୍ୟ ସାରି ଆସନ୍ତୁ ।

 

ଅପୂର୍ବ ଜିଦ୍‌ କଲାନାହିଁ । କିଛି ସମୟ ପରେ ସେ ସ୍ନାନ ସାରି ଆସିବାରୁ ଭାରତୀ ସାମାନ୍ୟ ହସି କହିଲା–ଆପଣଙ୍କର ଏଇ ଗିଲାସଟା ନିଅନ୍ତୁ । ଝରକା ଉପରେ କାଗଜରେ ମୋଡ଼ାହୋଇ ଚିନି ଅଛି । ତାକୁ ନେଇ ମୋ ସାଥିରେ କଳ ପାଖକୁ ଆସନ୍ତୁ । କିପରି ସରବତ କରିବାକୁ ହେବ, ମୁଁ ଶିଖାଇ ଦେବି । ଚାଲନ୍ତୁ !

 

ଅଧିକ କହିବାର ପ୍ରୟୋଜନ ନାହିଁ–ତୃଷାରେ ତାର ଛାତି ଫାଟି ଯାଉଥିଲା-ନିର୍ଦ୍ଦେଶ ଅନୁଯାୟୀ ଅପୂର୍ବ ସରବତ ତିଆରି କରି ପାନକଲା ଏବଂ ଟିକିଏ ଲେମ୍ବୁ ମିଳିଥିଲେ ଭଲ ହୋଇଥାନ୍ତା ବୋଲି ମଧ୍ୟ କହିଲା ।

 

ଭାରତୀ କହିଲା–ଆପଣଙ୍କୁ ଆଉରି ଅନେକ କଷ୍ଟ କରିବାକୁ ପଡ଼ିବ ।

 

ଅପୂର୍ବ ସହଜ ଗଳାରେ ପଚାରିଲା–କି ଧରଣର କଷ୍ଟ ?

 

ଭାରତୀ କହିଲା–ତଳୁ କୋଇଲା ଆଣି ରଖିଛି । ଟେଲିଗ୍ରାମ ପାଇ ଘରର ଚାକରକୁ ଲଗାଇ ଆପଣଙ୍କ ଲୁହା ଚୁଲୀଟି ଧୋଇଧାଇ ମାଜି ରଖିଚି । ଚାଉଳ ଅଛି, ଡାଲି ଅଛି, ଆଳୁ ପୋଟଳ, ଘିଅ, ତେଲ, ଲୁଣ-ସବୁ ମହଜୁଦ ଅଛି । ପିତଳର ହାଣ୍ଡିଟା ଆଣି ଦେଉଛି-ପାଣିରେ ଟିକିଏ ଧୋଇ ଚୁଲୀରେ ବସେଇଦେବେ କେବଳ । ଏହା କହି ସେ ଅପୂର୍ବର ମୁହଁକୁ ଚାହିଁ ତାର ମନର ଭାବ ଅନ୍ଦାଜ କରି କହିଲା–ସତ କହୁଛି, କିଛି କଷ୍ଟ କାମ ନୁହେଁ । ମୁଁ ସବୁ ଦେଖେଇ ଦେବି-ଶିଖେଇ ଦେବି-ଆପଣ ଖାଲି ବସେଇ ଦେବେ ଆଉ ଓହ୍ଲେଇ ଦେବେ । ଆଜିକ ଅନ୍ତତଃ ଏତକ କଷ୍ଟ କରନ୍ତୁ-କାଲି ଅନ୍ୟ ବ୍ୟବସ୍ଥା କରାଯିବ ।

 

ତାର କଣ୍ଠର ଐକାନ୍ତିକ ବ୍ୟାକୁଳତା ଅପୂର୍ବକୁ ଅଭିଭୂତ କରିଦେଲା । ସେ କିଛି ସମୟ ମୌନ ରହି ପଚାରିଲା–କିନ୍ତୁ ଆପଣଙ୍କ ଖାଇବାର ବ୍ୟବସ୍ଥା କିପରି ହେବ ? ବସାକୁ କେତେବେଳେ ଯିବେ ?

 

ଭାରତୀ କହିଲା–ବସାକୁ ନ ଗଲି ଏବେ; କିନ୍ତୁ ମୋର ଖାଇବାପାଇଁ ଗୋଟାଏ ଭାବନା କଣ ? ଏହା କହି ସେ କଥାଟା ଉଡ଼େଇ ଦେଇ ପ୍ରୟୋଜନୀୟ ଜିନିଷଗୁଡ଼ିକ ଆଣିବା ପାଇଁ ଶୀଘ୍ର ତଳକୁ ଓହ୍ଲାଇଗଲା ।

 

ଘଣ୍ଟାଏ ପରେ ଅପୂର୍ବ ରାନ୍ଧିବାକୁ ବସିବାରୁ ସେ ଦ୍ଵାର ମୁଁହରେ ଠିଆ ହୋଇ କହିଲା, ଏଠି ଠିଆହେଲେ ଦୋଷ ନାହିଁ, ଜାଣନ୍ତି ତ ? ଅପୂର୍ବ କହିଲା–ଜାଣେ, କାରଣ ଦୋଷ ଥିଲେ ଆପଣ ଠିଆହୋଇ ନଥାନ୍ତେ । ଜୀବନରେ ସେ ପ୍ରଥମଥର ପାଇଁ ରାନ୍ଧିବାକୁ ବସୁଛି-ତେଣୁ ଅପଟୁ ହାତର ସହସ୍ର ତ୍ରୁଟିରେ ମଝିରେ ମଝିରେ ଭାରତୀର ଧୈର୍ଯ୍ୟଚ୍ୟୁତି ଘଟିଲା । ରାଗରେ ହଠାତ୍‌ ସେ କହିଉଠିଲା–ଆଚ୍ଛା, ଆପଣଙ୍କ ପରି ଅକର୍ମା ଲୋକଗୁଡ଼ିଙ୍କୁ କଣ କେବଳ ଆମକୁ ସବୁ ଜବତ୍‌ କରିବା ପାଇଁ ଭଗବାନ୍‌ ସୃଷ୍ଟି କରିଥାନ୍ତି ? ଖାଇବେ କେମିତି କହନ୍ତୁ ତ ?

 

ଅପୂର୍ବ ଅପ୍ରତିଭ ହୋଇ କହିଲା–ଡାଲିଟା ଯେ ହାଣ୍ଡିର ଏ ପାଖରେ ନ ପଡ଼ି ଅନ୍ୟ ପାଖରେ ପଡ଼ିବ, ମୁଁ କେମିତି ଜାଣନ୍ତି ? ଆଚ୍ଛା, ଉପରୁ କିଛି ପାଣି ବାହାର କରିନେବି ?

 

ଭାରତୀ ହସିପକାଇ କହିଲା–ନେବେ ତ ନିଶ୍ଚୟ । ନ ହେଲେ ଆଉ ତା ଭିତରେ କଣ ରହିବ ? ଆଚ୍ଛା ଉଠନ୍ତୁ । ପାଣିରେ ଏ ସବୁ ଧୋଇ ଏଇ ଆଳୁ ଆଉ ପୋଟୋଳକୁ କୌଣସିମତେ ସିଝେଇ ନିଅନ୍ତୁ । ଗୁଣ୍ଡ ମସଲା ଏହି ଶିଶିରେ ଅଛି-ଲୁଣ ଦେଲାବେଳକୁ ମୁଁ କହିଦେବି । ତରକାରୀ ନାଁରେ ଆଜି ଏହାକୁ ଖାଇବେ । ଭାତର ପେଜତ ଗଳାହେଇ ପାରିଲା ନାହିଁ । ନିହାତ୍‌ ମନ୍ଦ ହେବନାହିଁ । ଓଃ-ଏମିତି ଠିଆ ହେଇ ଆପଣଙ୍କ ରନ୍ଧା ଦେଖିବା ଅପେକ୍ଷା ନର୍କଦଶା ଭଲ ।

 

ଏହାର ଦେଢ଼ଘଣ୍ଟା ପରେ ଅପୂର୍ବର ଖାଇବା ଶେଷ ହେବାରୁ ସେ କୃତଜ୍ଞତାର ଆବେଗ ଦମନ କରି ଶାନ୍ତ ମୃଦୁକଣ୍ଠରେ କହିଲା–ଆପଣଙ୍କୁ ଯେ କଣ କହିବି, ଭାବିପାରୁନାହିଁ; କିନ୍ତୁ ଏଥର ଆପଣ ବସାକୁ ଯାଆନ୍ତୁ । ଏଥର ମୁଁ ସବୁ ବନ୍ଦୋବସ୍ତ କରି ପାରିବି, ଆଉ ଆପଣଙ୍କୁ ଏତେ ହଇରାଣ ହେବାକୁ ପଡ଼ିବନାହିଁ ।

 

ଭାରତୀ ଚୁପ୍‌ହୋଇ ରହିଲା । ଅପୂର୍ବ ନିଜେ ବି କିଛିକ୍ଷଣ ଚୁପ୍‌ରହି କହିଲା–କିନ୍ତୁ ଘଟଣାଟା ମୋତେ କହନ୍ତୁ ନା ! ଏ ଅଞ୍ଚଳରେ ଆଉରି ଅନେକ ଲୋକଙ୍କର ବସନ୍ତ ହୋଇଛି, ତେୱାରୀର ବି ହେଲା–ଏପର୍ଯ୍ୟନ୍ତ କଥା ସିଧା; କିନ୍ତୁ ଏ ବସାରୁ ଆପଣଙ୍କର ସମସ୍ତେ ଚାଲିଯିବା ପରେ ଏହି ନିର୍ବାନ୍ଧବ ଦେଶରେ ଏବଂ ତତୋଽଧିକ ଏହି ବନ୍ଧୁହୀନ ଗୃହରେ ଆପଣ ଯେ କିପରି ତାର ପ୍ରାଣରକ୍ଷା ପାଇଁ ରହିଗଲେ, ମୁଁ ବୁଝି ପାରୁନାହିଁ । ଜୋସେଫ୍‌ ସାହେବ ଆପତ୍ତି କଲେନାହିଁ ?

 

ଭାରତୀ କହିଲା–ବାପା ବଞ୍ଚି ନାହାନ୍ତି, ସେ ହାସପାତାଳରେ ପ୍ରାଣ ହରାଇଲେ ।

 

ପ୍ରାଣ ହରାଇଲେ ? ଅପୂର୍ବ ଅନେକ ସମୟ ସ୍ଥିର ଭାବେ ବସି ରହି କହିଲା–ଆପଣଙ୍କର କଳା ଲୁଗା ଦେଖି ଏପରି ଗୋଟାଏ ଦୁର୍ଘଟଣା ଅନୁମାନ କରିବା ମୋର ଉଚିତ ଥିଲା ।

 

ଭାରତୀ କହିଲା–କିନ୍ତୁ ମା’ଙ୍କର ହଠାତ୍‌ ପ୍ରାଣତ୍ୟାଗ ତାଠାରୁ ଅଧିକ ଦୁର୍ଘଟଣା–

 

ମା’ ମରିଗଲେ । ଅପୂର୍ବ ସ୍ତବ୍‌ଧ, ନିଷ୍ପନ୍ଦ ହୋଇ ବସିପଡ଼ିଲା । ନିଜ ମା’ଙ୍କ କଥା ମନେ ପଡ଼ି ତା ଛାତ ଭିତର କଣ ହେଇଗଲା ଯେମିତି ! ଭାରତୀ ନିଜେ ଝରକା ଆଡ଼କୁ ମୁହଁ ବୁଲାଇ ଅଶ୍ରୁ ସମ୍ବରଣ କଲା । ମୁହଁ ଫେରାଇଲା ପରେ ସେ ଦେଖିଲା ଯେ ଅପୂର୍ବ ସକଳ ନୟନରେ ତା ଆଡ଼କୁ ଏକ ଦୃଷ୍ଟିରେ ଚାହିଁରହିଛି । ସେ ପୁଣି ଥରେ ଝରକାଆଡ଼କୁ ମୁହଁ ବୁଲାଇନେଲା । କାହା ପାଖରେ କାନ୍ଦିବା ପାଇଁ ତାକୁ ଅତ୍ୟନ୍ତ ଲଜ୍ଜା ଲାଗେ; କିନ୍ତୁ ନିଜକୁ ଶାନ୍ତ କରି ନେବାପାଇଁ ଡେରି ହୁଏନାହିଁ । ଦୁଇ ତିନି ମିନଟ୍‌ପରେ ସେ ଧୀରେ ଧୀରେ କହିଲା–ତେୱାରୀ ଖୁବ୍‌ ଭଲ ଲୋକ । ମୋର ମା’ ବହୁଦିନରୁ ଶଯ୍ୟାଗତ ଥିଲେ–ଯେ କୌଣସି ମୁହୂର୍ତ୍ତରେ ସେ ଯେ ମରିଯିବେ, ଏ ଆଶଙ୍କା ଥିଲା । ତେୱାରୀ ମୋ ପାଇଁ ବହୁତ କରିଛି । ଆମେ ସବୁ ଚାଲିଗଲାବେଳେ ସେ କାନ୍ଦିବାକୁ ଲାଗିଲା; କିନ୍ତୁ ଏତେ ଭଡ଼ା ମୁଁ କେଉଁଠୁ ଦେବି ?

 

ଅପୂର୍ବ ନୀରବରେ ଶୁଣିବାକୁ ଲାଗିଲା । ଭାରତୀ ହଠାତ୍‌ କହିଲା–ଆପଣଙ୍କର ସେ ଚୋରି ଧରାପଡ଼ିଛି । ଟଙ୍କା, ବୋତାମ ପ୍ରଭୃତି ପୋଲିସ୍‌ ପାଖେ ଜମା ଅଛି । ଆପଣ ଖବର ପାଇଛନ୍ତି ?

 

କାଇଁ ନାଇଁ ତ ।

 

ହଁ, ଧରାପଡ଼ିଛି । ତେୱାରୀକୁ ଯେଉଁମାନେ ସେଦିନ ଯାହା ଦେଖାଇବା ପାଇଁ ନେଇ ଯାଇଥିଲେ, ସେଇମାନଙ୍କ ଦଳ । ଆଉ କାହାର ଚୋରି କଲାରୁ ଭାଗବଣ୍ଟାବେଳେ କଳିକଜିଆ କରି ଜଣେ ସେଥିରୁ ପୋଲିସ୍‌ କହିଦେଇଛି । ଜଣେ ମହାଜନର ଦୋକାନରେ ତାହା ସବୁ ଜମାଥିଲା, ପୋଲିସ୍‌ ଉଦ୍ଧାର କରିଛି । ମୁଁ ତାର ଜଣେ ସାକ୍ଷୀ । ଏଇଠି ଖବର ନେଇ ପୋଲିସ୍‌ ମୋ ପାଖେ ଯାଇ ପହଞ୍ଚିଲେ-ସେଇ ଖବର ଦେବାପାଇଁ ଆସିଥିଲି । ଆସି ଦେଖେ ତ ଏଇ ବ୍ୟାପାର ! କେବେ ମକଦ୍ଦମା ତାରିଖ ମୁଁ ଜାଣି ନି, ତେବେ ସବୁ ଫେରସ୍ତ ମିଳିବ ବୋଲି ଶୁଣିଲି ।

 

ଏଇ ଶେଷ କଥାଟା ନ କହିଥିଲେ ଚଳିଥାନ୍ତା, କାରଣ ଲଜ୍ଜାରେ ଅପୂର୍ବର ମୁହଁ ଲାଲ ପଡ଼ି ଯାଇଥିଲା । ଏଇ ଘଟଣାରେ ନିଜର ସମସ୍ତ ବ୍ୟକ୍ତ, ଅବ୍ୟକ୍ତ ସନ୍ଦେହ ଓ ଇଙ୍ଗିତଗୁଡ଼ିକ ମନେପଡ଼ି ତାକୁ ଅତ୍ୟନ୍ତ ସଙ୍କୋଚ ବୋଧହେଲା ।

 

ଭାରତୀ ଏ ସବୁ ଲକ୍ଷ୍ୟ ନ କରି କହିବାକୁ ଲାଗିଲା–ଭିତରୁ ଦ୍ଵାର ବନ୍ଦ, ହଜାର ଥର ଡାକି ଡାକି ଉତ୍ତର ନାହିଁ । ଆମ ଉପର ଘରର ଚାବିଟା ମୋ ପାଖେ ଥିଲା, ଖୋଲି ଭତରକୁ ଗଲି-। ଚଟାଣରେ ଆମର ଗୋଟାଏ କଣା ଅଛି-ଏହା କହି ସେ ସଲ୍ଲଜ ଭାବେ ମୃଦୁ ହସି କହିଲା–ସେଇ ବାଟେ ଆପଣଙ୍କ ଘରର ସବୁ ଦେଖାଯାଏ । ଦେଖିଲି ସବୁ ଝରକା ବନ୍ଦ, ଅନ୍ଧାରରେ କିଏ ଜଣେ ଆପାଦମସ୍ତକ ଘୋଡ଼ାଇ ହୋଇ ଶୋଇଛି । ତେୱାରୀ ବୋଲି ମନେହେଲା । ସେଇ କଣା ବାଟେ ଚିତ୍କାର କରି କହିଲି-ତେୱାରୀ, ମୁଁ ଭାରତୀ, କଣ ହେଇଛି-ଦ୍ଵାର ଖୋଲ । ତଳକୁ ଆସି ମଧ୍ୟ ସେହିପରି ଡକାଡକି କଲି । କୋଡ଼ିଏ ମିନିଟ୍‌ପରେ ହାମୁଡ଼େଇ ହେଇ ତେୱାରୀ କୌଣସିମତେ ଦ୍ଵାର ଖୋଲିଲା । ତାର ଚେହେରା ଦେଖି ମୋର କହିବାର କିଛି ରହିଲା ନାହିଁ । ଚାରିଦିନ ତଳେ ତା ଆଗରେ ତଳମହଲାରୁ ଦୁଇ ଜଣ ତେଲୁଗୁ ବସରୋଗୀକୁ ପୋଲିସ୍‌ ଧରି ହସପାତାଳକୁ ନେଇ ଯାଇଥିଲା । ସେମାନଙ୍କର କାନ୍ଦଣା, ଅନୁନୟ, ବିନୟ ତେୱାରୀ ସ୍ଵଚକ୍ଷୁରେ ଦେଖିଚି । ମୋ ପାଦ ଦୁଇଟା ଧରି ପକାଇ କାନ୍ଦି କାନ୍ଦି କହିଲା–ମାଇଜୀ, ମତେ ପ୍ଲେଗ ହସ୍‌ପାତାଳ ପଠେଇ ଦିଅନି, ତା ହେଲେ ମୁଁ ଆଉ ବଞ୍ଚିବି ନାହିଁ । କଥାଟା ସମ୍ପୂର୍ଣ୍ଣ ଓ ମିଥ୍ୟା ନୁହେଁ-କେହି ଫେରିବାର ପ୍ରାୟ ଶୁଣା ଯାଇନି । ସେଇ ଭୟରେ ସେ ଦ୍ଵାର ଝରକା ଦିନରାତି ବନ୍ଦ କରି ପଡ଼ିଛି-ପଡ଼ାର କିଏ ଜାଣିଲେ ଆଉ ରକ୍ଷା ନାହିଁ ।

 

ଅପୂର୍ବ ଅଭିଭୂତ ପରି ତା ମୁହଁକୁ ଚାହିଁ ରହି କହିଲା–ଆଉ ସେଇ ଦିନଠାରୁ ଆପଣ ଏକଲା ଦିନରାତି ଏଠି ଅଛନ୍ତି–ମୋତେ ଗୋଟାଏ ଖବର ପଠାଇଲେ ନାହିଁ କାହିଁକି ? ଆମ ଅଫିସର ତଲ୍‌ୱାର୍ କାର୍‌ବାବୁଙ୍କୁ ତ ଆପଣ ଜାଣନ୍ତି । ତାଙ୍କୁ ହେଲେ କହି ପଠାଇଲେ ନାହିଁ ?

 

ଭାରତୀ କହିଲା–କିଏ ଯିବ ? ଲୋକ କାହିଁ ? ଭାବିଥିଲି-ହୁଏତ ଖବର ନେବା ପାଇଁ ସେ ଆସିବେ, କିନ୍ତୁ ଆସିଲେ ନାହିଁ । ଏ ବିପଦ ଯେ ପହଞ୍ଚିଛି, ସେ କଥା ବା ସେ କେମିତି ଜାଣିବେ-? ତା ଛଡ଼ା ବାହାରକୁ ଜଣା ପଡ଼ଯିବାର ଭୟ ଅଛି ।

 

ତା ଅବଶ୍ୟ ଠିକ୍‌–କହି ଅପୂର୍ବ ଗୋଟାଏ ଦୀର୍ଘ ନିଃଶ୍ଵାସ ତ୍ୟାଗ କରି ନିସ୍ତବ୍‌ଧ ହୋଇ ବସି ରହିଲା । ଅନେକ ସମୟ ପରେ କହିଲା–ଆପଣଙ୍କ ନିଜର ଚେହେରା କିପରି ହେଇଗଲାଣି, ଦେଖିଛନ୍ତି । ଭାରତୀ ସାମାନ୍ୟ ହସି କହିଲା–ଅର୍ଥାତ୍‌ ଏହାଠାରୁ ଆଗେ ଢେର୍‌ ଭଲ ଥିଲା ?

 

ଅପୂର୍ବକୁ ତତ୍‌କ୍ଷଣାତ୍‌ ଏ କଥାର ଉତ୍ତର ଆସିଲାନାହିଁ; କିନ୍ତୁ ତାର ଦୁଇ ଆଖିର ସ୍ନିଗ୍‌ଧ ଦୃଷ୍ଟି, ଶ୍ରଦ୍ଧା ଓ କୃତଜ୍ଞତାର ଗଙ୍ଗାଜଳ ଦେଇ ଏହି ତରୁଣୀର ସର୍ବାଙ୍ଗୀନ ସକଳ ଗ୍ଳାନି, କ୍ଳାନ୍ତି ଧୋଇ ପୋଛିଦେଲା ଯେପରି । ଅନେକକ୍ଷଣ ପରେ ସେ କହିଲା–ମଣିଷ ଯା କରି ପାରିବ ନାହିଁ, ଆପଣ ତା କରିଛନ୍ତି; କିନ୍ତୁ ଏଥର ଆପଣଙ୍କର ଛୁଟି । ତେୱାରୀ କେବଳ ମୋର ଚାକର ନୁହେଁ, ମୋର ବନ୍ଧୁ, ପରମ ଆତ୍ମୀୟ-ସେ କାଖରେ କୋଡ଼ରେ ମୋତେ ମଣିଷ କରିଛି । ଏଇଠୁ ତା ରୋଗର ସେବା ମୁଁ କରିବି । ତା ପାଇଁ ମୁଁ ଆପଣଙ୍କୁ ରୋଗୀ ହେବାକୁ ଦେବିନାହିଁ । ଏପର୍ଯ୍ୟନ୍ତ ଆପଣଙ୍କର ଗାଧୁଆ, ଖିଆ କିଛି ହେଇନି, ଆପଣ ବସାକୁ ଯାନ୍ତୁ । ଆପଣଙ୍କ ବସା କଣ ବହୁତ ଦୂର ?

 

ଭାରତୀ ସମ୍ମତି ଜଣାଇ କହିଲା–ଆଚ୍ଛା ହଉ ! ମୋ ବସା ତେଲ କାରଖାନା ପାଖରେ ନଈ ତଟରେ । ମୁଁ କାଲି ପୁଣି ଆସିବି ! ଦୁଇଜଣ ତଳକୁ ଓହ୍ଲାଇ ଆସିଲେ । ତାଲା ଖୋଲା ଉଭୟେ ଘରେ ପ୍ରବେଶ କଲେ । ତେୱାରୀର କୌଣସି ଶବ୍ଦ ନାହିଁ, ନିଦ ଭାଙ୍ଗିଲେ ମଧ୍ୟ ଅନେକ ସମୟ ଅଜ୍ଞାନ ପରି ପଡ଼ି ରହେ । ଅପୂର୍ବ ଯାଇ ତା ବିଛଣା ପାଖରେ ବସିଲା ଏବଂ ସେ ଦୁଇ ଚାରିଟା ଅପରିଷ୍କାର ବାସନ ଏପର୍ଯ୍ୟନ୍ତ ଧୂଆ ହୋଇନାହିଁ, ସେଗୁଡ଼ାକ ହାତରେ ଧରି ଭାରତୀ ବାଥ୍‌ରୁମ୍‌କୁ ଗଲା । ତାର ଇଚ୍ଛା ଥିଲା ଯେ ଯିବା ପୂର୍ବରୁ ରୋଗୀ ସମ୍ପର୍କରେ କେତେଟା ପ୍ରୟୋଜନୀୟ ଉପଦେଶ ଦେଇ ଏଇ ଦୁର୍ଦ୍ଦାନ୍ତ ଭୟାନକ ରୋଗରୁ ନିଜେ ମୁକ୍ତ ରହିବା ପାଇଁ ଅପୂର୍ବକୁ ସ୍ମରଣ କରାଇଦେବ । କାମ ଶେଷ କରି ସେ ମନେ ମନେ ଏହି କଥାଗୁଡ଼ିକ ଆବୃତ୍ତି କରି ଶୋଇବା ଘରକୁ ଫେରି ଆସି ଦେଖିଲା ଯେ ଅପୂର୍ବ ଅଚେତନ ତେୱାରୀର ବିକୃତ ମୁହଁ ପ୍ରତି ଚାହିଁ ପଥର ପରି ବସିରହିଛି । ତା ନିଜ ମୁହଁ ଶେତା ପଡ଼ିଯାଇଛି । ବସନ୍ତରୋଗ ସେ ଜୀବନରେ ଦେଖିନାହିଁ, ଏହାର ଭୀଷଣତା ତା କଳ୍ପନାର ଅଗମ୍ୟ । ଭାରତୀ ଯାଇ ପାଖରେ ଠିଆ ହେବାରୁ ସେ ମୁହଁ ଟେକି ଚାହିଁଲା । ତାର ଆଖି ଛଳଛଳ ହୋଇଗଲା ଓ ସେ ଶିଶୁଟି ପରି ବ୍ୟାକୁଳ କଣ୍ଠରେ କହି ଉଠିଲା–ମୁଁ ପାରିବିନି, ପାରିବିନି ।

 

ନଅ

 

ଭାରତୀ କିଛି ସମୟ ନୀରବ ରହି କହିଲା–ପାରିବେ ନାହିଁ ? ସତରେ ତ !

 

ତା କଣ୍ଠରେ ବିସ୍ମୟର ସାମାନ୍ୟ ଆଭାସ ବ୍ୟତୀତ ଅନ୍ୟ କିଛି ନଥିଲା, କିନ୍ତୁ ଏଇ କଣ ଉତ୍ତର ? ଏୟା କ’ଣ ସେ ଆଶା କରିଥିଲା ? ହଠାତ୍‌ ଯେପରି ମାଡ଼ ଖାଇ ଅପୂର୍ବର ତନ୍ଦ୍ରା ଭାଜିଗଲା ।

 

ଭାରତୀ କହିଲା–ତା’ହେଲେ ଗୋଟାଏ ଖବର ଦେଇ ୟାକୁ ହସ୍‌ପାତାଳକୁ ପଠାଇଲେ ହେବ । ତା କଥାରେ ଶ୍ଳେଷ ନ ଥିଲା, କିନ୍ତୁ ଲଜ୍ଜାରେ ଅପୂର୍ବର ମୁଣ୍ଡ ନଇଁଗଲା । ସେ ଯେ ନ ପାରିଲା କେବଳ ସେଥିପାଇଁ ଲଜ୍ଜା ନୁହେଁ-ଯେ ପାରେ ତାକୁ କରିବା ପାଇଁ ଅନୁରୋଧରେ ଯେ ପ୍ରଚ୍ଛନ୍ନ ଇଙ୍ଗିତ ଓ ପ୍ରଚ୍ଛନ୍ନ ଦାବୀ ଥିଲା, ଭାରତୀର ଶାନ୍ତ ପ୍ରତ୍ୟାଖ୍ୟାନରେ ତାହା କଠିନ ତିରସ୍କାର ସଦୃଶ ଫେରିଆସି ତାକୁ ଅଘାତ କଲା ।

 

ସେତେବେଳେ ସେ ଆନତମୁଖ ହୋଇ ବସି ପୁଣି ଥରେ ଭାବିଲା–ଯଥାର୍ଥରେ ଏ ଝିଅଟାକୁ ସେ ଚିହ୍ନିପାରି ନାହିଁ । ଦୁଃଖ, ଦୁଶ୍ଚିନ୍ତା କିଛି ନ ଥିଲା–ଥିଲା କେବଳ ବହୁ ପ୍ରଦୀପ, ଅନେକ ଉଜ୍ଵଳ ଆଲୋକ; ହଠାତ୍‌ କିଏ ଯେପରି ଏକ ଫୁକାରରେ ସେ ସମସ୍ତ ଲିଭାଇ ଦେଇ ଅସମାପ୍ତ ନାଟକର ମଝିରେ ଯବନିକା ପକାଇଦେଲା । ଭୟାନକ ଅନ୍ଧକାର ଭିତରେ ବସି ରହିଲା ସେ ଓ ତାର ଅପରିତ୍ୟଜ୍ୟ ମରଣୋନ୍ମୁଖ ଅଚେତନ ତେୱାରୀ ।

 

ଭାରତୀ କହିଲା–ବେଳ ଥାଉ ଥାଉ କିଛି କରିବା ଭଲ । କହିବେ ତ ମୁଁ ଗଲାବେଳକୁ ବାଟରେ ହାସପାତାଳକୁ ଟେଲିଫୋନ୍‌ କରି ଦେଇଯିବି । ସେମାନେ ଗାଡ଼ି ଆଣି ତେୱାରୀକୁ ନେଇଯିବେ ।

 

ଅପୂର୍ବ ଜୋର୍‌ କରି ତାର ଆଚ୍ଛନ୍ନ ଭାବ କାଟି ମୁହଁ ଟେକି ପଚାରିଲା–କିନ୍ତୁ ଆପଣ ତ କହିଲେ; ସେଠାକୁ ଗଲେ କେହି ବଞ୍ଚେ ନାହିଁ ?

 

ଭାରତୀ କହିଲା–କେହି ବଞ୍ଚେ ନାହିଁ ବୋଲି ତ କହି ନ ଥିଲି । ଅପୂର୍ବ ମୁହଁ ମଳିନ କରି କହିଲା–ତାହେଲେ ବେଶି ଲୋକ ତ ମରିଯାନ୍ତି ।

 

ଭାରତୀ ମୁଣ୍ଡ ହଲାଇ କହିଲା–ତା ଠିକ୍‌ । ସେଥିପାଇଁ ଜ୍ଞାନ ଥାଉ ଥାଉ କେହି ସେଠିକି ଯିବା ପାଇଁ ରାଜି ହୁଅନ୍ତି ନାହିଁ ।

 

ଅପୂର୍ବ କିଛିକ୍ଷଣ ଚୁପ୍‌ହୋଇ କହିଲା–ଆଚ୍ଛା, ତେୱାରୀର କଣ କିଛି ଜ୍ଞାନ ନାଇଁ ?

 

ଭାରତୀ କହିଲା–ସମୟେ ସମୟେ ଜ୍ଞାନ ଆସୁଛି । ଏହି ସମୟରେ ତେୱାରୀ ହଠାତ୍‌ ଆର୍ତ୍ତନାଦ କରି ଉଠିବାରୁ ଅପୂର୍ବ ଏପରି ଚମକି ପଡ଼ିଲା, ଯେ ଭାରତୀ ତାହା ସ୍ପଷ୍ଟ ଦେଖି ପାରିଲା । ସେ ରୋଗୀର ନିକଟକୁ ଯାଇ ସସ୍ନେହେ ମୁଣ୍ଡ ଉପରେ ଝୁଙ୍କି ପଡ଼ି ପଚାରିଲା–କଣ ହେଲା ତେୱାରୀ ?

 

ତେୱାରୀ ଓଠ ହଲାଇ ଯାହା କହିଲା, ଅପୂର୍ବ କିଛି ବୁଝିପାରିଲା ନାହିଁ; କିନ୍ତୁ ଭାରତୀ ସାବଧାନତା ସହ ତାର କଡ଼ ଲେଉଟାଇ ଦେଇ ଢାଳରୁ ଟିକିଏ ପାଣିନେଇ ତା ମୁହଁରେ ଦେଲା । ତା’ ପରେ କହିଲା–ତେୱାରୀ ! ତମ ବାବୁ ଆସିଲେଣି ଯେ !

 

ପ୍ରତ୍ୟୁତ୍ତରରେ ତେୱାରୀ ଏକ ଅବ୍ୟକ୍ତ ଧ୍ୱନି କଲା । ଡାହାଣ ହାତଟା ଟିକିଏ ଟେକିବା ପାଇଁ ଚେଷ୍ଟା କଲା; କିନ୍ତୁ ପାରିଲା ନାହିଁ । ତା ପରେ ଦେଖାଗଲା ଯେ ତାର ନିମୀଳିତ ଆଖିରୁ ପାଣି ବୋହି ଯାଉଛି । ଅପୂର୍ବର ନିଜର ଦୁଇ ଆଖି ଅଶ୍ରୁପୂର୍ଣ୍ଣ ହୋଇଗଲା । ଶୀଘ୍ର ସେ କୁଞ୍ଚକାନିରେ ତା ଆଖିପୋଛିଦେଲା; କିନ୍ତୁ ଲୁହ ବନ୍ଦ ହେଲାନାହିଁ । ବାରମ୍ବାର ଚକ୍ଷୁ ପ୍ଳାବିତ କରି ଅଶ୍ରୁଧାରା ବୋହିବାକୁ ଲାଗିଲା । ଦୁଇ ତିନି ମିନିଟ୍‌କାହା ପାଟିରୁ କଥା ବାହାରିଲା ନାହିଁ । କଥା ପ୍ରଥମେ କହିଲା ଭାରତୀ । ସେ ଅପୂର୍ବର ନିକଟକୁ ଘୁଞ୍ଚି ଆସି ଚୁପ୍‌କରି କହିଲା–କଣ ଆଉ କରାଯାଇ ପାରିବ ? ହାସ୍‌ପାତାଳକୁ ପଠାଇ ଦିଅନ୍ତୁ ।

 

ଅପୂର୍ବ ମୁଣ୍ଡ ହଲାଇ କହିଲା–ନା ।

 

ଭାରତୀ ସେହିପରି ଆସ୍ତେ ଆସ୍ତେ କହିଲା–ତା ହେଲେ ଭଲ । ମୁଁ ବର୍ତ୍ତମାନ ଚାଲିଲି । ଯଦି ସମୟ ମିଳେ କାଲି ଥରେ ଆସିବି ।

 

ଅପୂର୍ବ କିଛି କହି ପାରିଲା ନାହିଁ, ସ୍ତବ୍‌ଧ ହୋଇ ବସି ରହିଲା । ଯିବା ପୂର୍ବରୁ ଭାରତୀ କହିଲା–ସବୁ ଅଛି, କେବଳ ମହିମବତି ସରିଯାଇଛି । ମୁଁ ତଳୁ ଗୋଟାଏ ବଣ୍ଡିଲ୍‌ କିଣି ଆଣି ଦେଉଛି । ଏହା କହି ସେ ନିଃଶବ୍ଦରେ ଦ୍ଵାର ଖୋଲି ଧୀରେ ଧୀରେ ବାହାରିଗଲା । କେତେ ମିନିଟ ପରେ ମହମବତି ଧରି ଯେତେବେଳେ ଆସିଲା, ସେତେବେଳକୁ ଅପୂର୍ବ ନିଜକୁ ସଂଯତ କରି ନେଲାଣି । ଆଖି ପୋଛି ଦେଇଛି; କିନ୍ତୁ ଆଖି ଲାଲ ହୋଇ ରହିଛି । ଭାରତୀ ଘରେ ପହଞ୍ଚିବାରୁ ସେ ଅନ୍ୟ ଆଡ଼କୁ ମୁହଁ ବୁଲାଇ ନେଲା । ହାତର ବଣ୍ଡିଲ୍‌ଟି ଥୋଇ ଦେଇ ଭାରତୀ କଣ କହିବାକୁ ଯାଉଥିଲା; କିନ୍ତୁ ଅପୂର୍ବ ମୁହଁ ବୁଲାଇ ନେବାର ଦେଖି ସେ ଅନ୍ୟ କୌଣସି ପ୍ରଶ୍ନ ନ କରି ବାହାରି ଯିବାପାଇଁ ଦ୍ୱାର ଖୋଲିବାକୁ ଯିବାରୁ ଅପୂର୍ବ ଅକସ୍ମାତ୍‌ କହି ଉଠିଲା–ତେୱାରୀ ଯଦି ପାଣି ପିଇବାକୁ ଚାହେଁ ?

 

ଭାରତୀ ଫେରି ଠିଆହେଲା । କହିଲା–ପାଣି ଦେବେ ।

 

ଅପୂର୍ବ କହିଲା–ଆଉ ଯଦି କଡ଼ ଲେଉଟାଇ ଶୋଇବାକୁ କହିବ ?

 

ଭାରତୀ କହିଲା–ତା ହେଲେ ସେପରି ଶୁଆଇ ଦେବେ ।

 

କହିବାତ ସହଜ ! ମୁଁ କେଉଁଠି ଶୋଇବି କହନ୍ତୁ ତ ? ଅପୂର୍ବ କଣ୍ଠରୁ ଚାପା କ୍ରୋଧ ସ୍ପଷ୍ଟ ଜଣା ପଡୁଥିଲା । କହିଲା–ବିଛଣା ତ ଉପରେ ପଡ଼ି ରହିଲା ।

 

ଭାରତୀ କଣ ଭାବୁଥିଲା ତା ମୁହଁରୁ ଜଣାପଡୁ ନ ଥିଲା । ମୁହୂର୍ତ୍ତେ ସ୍ଥିର ରହି କହିଲା–ଆଉ ଗୋଟାଏ ବିଛଣା ତ ଆପଣଙ୍କ ଖଟ ଉପରେ ଅଛି । ସେଥିରେ ଅନାୟାସରେ ଶୋଇ ପାରିବେ ।

 

ଅପୂର୍ବ କହିଲା–ଆପଣ ତ କହିବେ ଏ କଥା ! ଆଉ ମୋ ଖାଇବାର ବନ୍ଦୋବସ୍ତ କେମିତି ହେବ ।

 

ଭାରତୀ ଚୁପ୍‌କରି ରହିଲା; କିନ୍ତୁ ଏହି ଅସଙ୍ଗତ ଓ ଏକାନ୍ତ ଖାପଛଡ଼ା ପ୍ରଶ୍ନରେ ଗୋପନ ହାସ୍ୟର ଆବେଗରେ ତାର ଓଠ ଓ ଆଖିପତା କମ୍ପିତ ହୋଇ ଉଠିଲା । କିଛି ସମୟ ପରେ ପରମ ଗାମ୍ଭୀର୍ଯ୍ୟର ସହ ସେ କହିଲା–ଆପଣ ଶୋଇବା ଓ ଖାଇବାର ବ୍ୟବସ୍ଥା କରିବାର ଭାର କଣ ମୋ ଉପରେ ଅଛି ?

 

ମୁଁ କ’ଣ ସେ କଥା କହିଲି ?

 

ଏହି ତ କହିଲେ ଏବଂ ଭଲରେ ନୁହେଁ, ଖୁବ୍‌ ରାଗରେ ।

 

ଅପୂର୍ବ ଏହାର ଉତ୍ତର ଖୋଜି ପାଇଲାନାହିଁ । ତାର ମଳିନ, ବିପନ୍ନ ମୁହଁକୁ ଚାହିଁ ଭାରତୀ ଧୀରେ ଧୀରେ କହିଲା–ଆପଣଙ୍କର କହିବା ଉଚିତ ଥିଲା ଯେ ମୋ ପାଇଁ ଏ ସବୁ ବ୍ୟବସ୍ଥା କରି ଦିଅନ୍ତୁ !

 

ଆଉ କେଉଁଆଡ଼କୁ ନ ଚାହିଁ କହିଲା–ସେ କଥା କହିବା କଣ ଖୁବ୍‌ କଷ୍ଟ ?

 

ଭାରତୀ କହିଲା–ବେଶ୍‌ତ, କହନ୍ତୁ ।

 

ସେଇ କଥା ତ କହୁଛି-କହି ଅପୂର୍ବ ମୁହଁ ଭାରୀକରି ଅନ୍ୟ ଦିଗକୁ ଫେରାଇ ନେଲା ।

 

ଭାରତୀ ପ୍ରଶ୍ନ କଲା–ଆପଣ କଣ ଜୀବନରେ କେବେ କାହାକୁ ରୋଗରେ ସେବା କରି ନାହାନ୍ତି ?

 

ନା ।

 

ଆଗରୁ କେବେ ବିଦେଶକୁ ବି ଆସି ନ ଥିଲେ ?

 

ନା । ମା’ ମତେ କୁଆଡ଼େ ଛାଡ଼ନ୍ତି ନାହିଁ ।

 

ତେବେ ଏଥର କେମିତି ଛାଡ଼ିଲେ ?

 

ଅପୂର୍ବ ଚୁପ କରି ରହିଲା । କିପରି ଓ କାହିଁକି ଯେ ମା’ ତାକୁ ଛାଡ଼ିବାକୁ ରାଜି ହେଲେ, ସେ କଥା ଅନ୍ୟ ପାଖରେ କହିବାକୁ ତାର ମନ ହେଲାନାହିଁ ।

 

ଭାରତୀ କହିଲା–ଏଡ଼େ ବଡ଼ ଚାକିରି-ନ ଛାଡ଼ିଲେ ବି ଚଳିବ କେମିତି ? କିନ୍ତୁ ସେ ସାଥିରେ ଆସିଲେ ନାହିଁ କାହିଁକି ?

 

ତାର ଏଇ ପ୍ରକାର ତୀକ୍ଷ୍‌ଣ ମନ୍ତବ୍ୟରେ କ୍ଷୁଣ୍ଣ ହୋଇ ଅପୂର୍ବ କହିଲା–ମୋ ମା’କୁ ଆପଣ ଦେଖି ନାହାନ୍ତି, ନ ହେଲେ ଏପରି କହି ନ ଥାନ୍ତି । ଅନେକ କଷ୍ଟରେ ମୋତେ ଛାଡ଼ିଛନ୍ତି; ତା ଛଡ଼ା ବିଧବା ମଣିଷ, ଏ ମ୍ଲେଚ୍ଛ ଦେଶରେ ଆସି ଚଳିବେ କେମିତି ?

 

ଭାରତୀ ମୂହୁର୍ତ୍ତକ ପାଇଁ ଚୁପ୍‌ରହି କହିଲା–ମ୍ଳେଚ୍ଛମାନଙ୍କ ପ୍ରତି ଆପଣଙ୍କର ତ ଭୟାନକ ଘୃଣା; କିନ୍ତୁ ରୋଗ ତ ଆଉ କେବଳ ଗରିବମାନଙ୍କର ହେବ ବୋଲି ନୁହେଁ, ଆପଣଙ୍କର ବି ହୋଇପାରେ । ମା’ କଣ ସେମିତି ହେଲେ ଆସିବେ ନାହିଁ ?

 

ଅପୂର୍ବର ମୁହଁ ଶୁଖିଗଲା । ସେ କହିଲା–ଆପଣ ଏମିତି ଭୟ ଦେଖାଇଲେ ମୁଁ ଚଳିବି କେମିତି ?

 

ଭାରତୀ କହିଲା–ଭୟ ନ ଦେଖାଇଲେ ବି ଆପଣ ଏକୁଟିଆ ରହି ପାରିବେ ନାହିଁ । ଆପଣ ଅତ୍ୟନ୍ତ ଭୟାଳୁ ମଣିଷ ।

 

ଅପୂର୍ବ ପ୍ରତିବାଦ କରିବାକୁ ସାହସ କଲାନାହିଁ, ଚୁପ୍‌କରି ବସି ରହିଲା ।

 

ଭାରତୀ ହଠାତ୍‌ କହିଲା–ଆଚ୍ଛା, ଆପଣଙ୍କୁ ଗୋଟିଏ କଥା ପଚାରରିବି । ମୋ ହାତରୁ ପାଣି ପିଇ ତେୱାରୀର ତ ଜାତି ଯାଇଛି, ଭଲ ହେଲେ ସେ କଣ କରିବ ?

 

ଅପୂର୍ବ ଏହାର ଶାସ୍ତ୍ରୋକ୍ତ ବିଧି ଜାଣେନାହିଁ । ଟିକିଏ ଚିନ୍ତାକରି କହିଲା–ସେ ତ ଆଉ ଜାଣିଶୁଣି ପିଇନାହିଁ । ମରଣାପନ୍ନ ଅବସ୍ଥାରେ ପିଇଛି, ନ ପିଇଲେ ହୁଏତ ସେ ମରି ଯାଇଥାନ୍ତା । ଏଥିରେ ବୋଧହୁଏ ଜାତି ଯିବନାହିଁ, ଗୋଟାଏ ପ୍ରାୟଶ୍ଚିତ୍ତ କଲେ ଚଳିବ ।

 

ଭାରତୀ ଉଠି ଭ୍ରୂକୁଞ୍ଚିତ କରି କହିଲା–ହିଁ । ତାର ଖରଚ ବୋଧହୁଏ ଆପଣ ଦେବେ, ନ ହେଲେ ଆପଣ ତା ହାତରେ ଖାଇବେ କେମିତି ?

 

ଅପୂର୍ବ ତତ୍‌କ୍ଷଣାତ୍‌ରାଜି ହୋଇଯାଇ କହିଲା–ମୁଁ ତ ନିଶ୍ଚୟ ଦେବି । ଭଗବାନ୍‌ କରନ୍ତୁ, ସେ ଶୀଘ୍ର ଭଲ ହୋଇଯାଉ ।

 

ଭାରତୀ କହିଲା–ଏବଂ ମୁଁ ତାର ସେବାଶୁଶ୍ରୂଷା ବା କରି ତାକୁ ଭଲ କରିବି, ନା ?

 

ତାର ଶାନ୍ତ କଠିନ ସ୍ଵର ଅପୂର୍ବ ଲକ୍ଷ୍ୟ କରିପାରିଲା ନାହିଁ; କୃତଜ୍ଞତା ଦର୍ଶାଇ ସେ କହିଲା–ତା ଆପଣଙ୍କ ଦୟା । ତେୱାରୀ ବଞ୍ଚି ଉଠିବ, କିନ୍ତୁ ଆପଣ ତ ତାକୁ ପ୍ରାଣ ଦେଲେ ।

 

ଭାରତୀ ସାମାନ୍ୟ ହସିଲା । କହିଲା–ଜଣେ ମ୍ଳେଚ୍ଛ ପ୍ରାଣ ଦାନକଲେ ଦୋଷ ନାହିଁ; କିନ୍ତୁ ମୁହଁରେ ପାଣି ଦେଲେ ସେଥିପାଇଁ ପ୍ରାୟଶ୍ଚିତ୍ତ ଦରକାର, ନା ? ଏହା କହି ସେ ପୁଣି ଥରେ ହସିଲା-। କହିଲା–ଆଚ୍ଛା, ମୁଁ ଏଥର ଯାଉଛି । କାଲି ଯଦି ସମୟ ମିଳେ ଥରେ ଆସି ଦେଖିଯିବି । ଏହା କହି ସେ ଯିବାକୁ ଉଦ୍ୟତ ହୋଇ ପୁଣି ବୁଲି ପଡ଼ି କହିଲା–ଆଉ ଯଦି ଆସି ନ ପାରେ ତ ତେୱାରୀ ଭଲହେଲେ ତାକୁ କହିବେ-ଆପଣ ଆସି ପହଞ୍ଚି ନ ଥିଲେ ମୁଁ ତାକୁ ଛାଡ଼ି ଯାଇନଥାନ୍ତି; କିନ୍ତୁ ମ୍ଳେଚ୍ଛମାନଙ୍କର ବି ତ ଗୋଟାଏ ସମାଜ ଅଛି, ଆପଣଙ୍କସହ ଗୋଟାଏ ଘରେ ରାତ୍ରି ଯାପନ କଲେ ସେମାନେ ବି ଭଲ କହିବେ ନାହିଁ । କାଲି ସକାଳେ ଆପଣଙ୍କ ପିଅନ ଆସିଲେ ତଲ୍‌ୱାର୍‌କାର୍‌ବାବୁଙ୍କୁ ଖବର ଦେବେ । ସେ ପକ୍‌କା ଲୋକ, ସବୁ ବ୍ୟବସ୍ଥା କରିଦେବେ । ଆଚ୍ଛା, ନମସ୍କାର ।

 

ଅପୂର୍ବ କହିଲା–ତେୱାରୀକୁ କଡ଼ ଲେଉଟାଇ ଦେଲେ ତାକୁ କାଟିବ ନାହିଁ ?

 

ଭାରତୀ କହିଲା–ନା ।

 

ରାତିରେ ଯଦି ବିଛଣା ବଦଳାଇବା ଦରକାର ହୁଏ ? କେମିତି କରିବି ?

 

ଭାରତୀ କହିଲା–ସାବଧାନ ହୋଇ କରିବେ । ମୁଁ ଜଣେ ସ୍ତ୍ରୀ ଲୋକ ହୋଇ କରି ପାରିଲି, ଆପଣ କରିପାରିବେ ନାହିଁ ?

 

ଅପୂର୍ବ ଶଙ୍କିତ ହୋଇ ଚୁପ୍‌ହୋଇ ଠିଆହେଲା । ଭାରତୀ ଯିବା ପାଇଁ ଦ୍ଵାର ଖୋଲିବାରୁ ଅପୂର୍ବ ଭୟ ଭୟରେ କହିଲା–ଆଉ ଯଦି ହଠାତ୍‌ ଉଠି ବସିପଡ଼ିବ ? ଯଦି କାନ୍ଦିବ ?

 

ଭାରତୀ ଏସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା ନ କରି ଧୀରେ ଧୀରେ ଘରୁ ବାହାରି ଦ୍ଵାର ବନ୍ଦ କରିଦେଲା । ତାର ମୃଦୁ ପଦଶବ୍ଦ କାଠ ସିଡ଼ି ଉପରେ ଯେତେବେଳ ଯାଏଁ ଶୁଣା ଯାଉଥିଲା, ସେ ପର୍ଯ୍ୟନ୍ତ ଅପୂର୍ବ କାଠ ପରି ବସି ରହିଥିଲା; କିନ୍ତୁ ଶବ୍ଦ ବନ୍ଦହେବା ସଙ୍ଗେ ସଙ୍ଗେ ଯେପରି ତା ଆଖି ଉପରେ ଗୋଟାଏ କଳା ଜାଲ ଘୋଡ଼ାଇ ହୋଇ ପଡ଼ିଲା । ତା ଦେହ କଣ ହୋଇଗଲା-ସେ ଜୀବନରେ କେବେ ଏପରି ଅନୁଭବ କରିନାହିଁ । ଭୟରେ ଦୌଡ଼ିଯାଇ ବାରଣ୍ଡାର କବାଟ ଖୋଲି ସେ ତଳକୁ ଚାହିଁ ଦେଖିଲା ଯେ ଭାରତୀ ରାସ୍ତାକୁ ଓହ୍ଲାଇ ଯାଉଛି । ମିସ୍‌ ଜୋସେଫ୍‌ନାଁଟା ସେ ଉଚ୍ଚାରଣ କରି ପାରିଲା ନାହିଁ । ଉଚ୍ଚ କଣ୍ଠରେ ଡାକିଲା-ଭାରତୀ !

 

ଭାରତୀ ମୁଣ୍ଡ ଟେକି ଚାହିଁବାରୁ ହାତଯୋଡ଼ି ଅପୂର୍ବ କହିଲା–ଦୟାକରି ଥରେ ଆସନ୍ତୁ; ଭାରତୀ ଦ୍ଵିରୁକ୍ତି ନ କରି ଫେରିଲା । ଦୁଇ ମିନିଟ୍‌ ପରେ ସେ ଆସି ଦ୍ଵାର ଖୋଲି ଦେଖିଲା ଅପୂର୍ବ ଘରେ ନାହିଁ, ତେୱାରୀ ଏକୁଟିଆ ପଡ଼ିଛି । ଚାରିଆଡ଼କୁ ଚାହିଁ ଦେଖିଲା, ସ୍ନାନ ଘରର କବାଟ ଖୋଲା । ପାଞ୍ଚ ଛଅ ମିନିଟ୍‌ ଅପେକ୍ଷା କଲାପରେ କେହି ନ ବାହାରିବାର ଦେଖି ସେ ସନ୍ଦିଗ୍‌ଧ ଚିତ୍ତରେ ଦରଜା ଭିତରେ ମୁହଁ ବଢ଼ାଇ ଯାହା ଦେଖିଲା, ତାର ଭୟର ସୀମା ରହିଲା ନାହିଁ । ଅପୂର୍ବ ଟେବୁଲ ଉପରେ ମୁହଁମାଡି ପଡ଼ି ଖରାବେଳେ ଯାହା ଖାଇଥିଲା ସବୁ ବାନ୍ତି କରୁଛି । ତାର ଆଖି ଅର୍ଦ୍ଧମୁଦ୍ରିତ ଓ ଦେହସାରା ଝାଳରେ ପୂର୍ଣ୍ଣ । ପାଖକୁ ଯାଇ ସେ ଡାକିଳା–ଅପୂର୍ବବାବୁ !

 

ପ୍ରଥମ ଡାକରେ ଅପୂର୍ବ ଆଖି ଖୋଲିଲା; କିନ୍ତୁ ପରକ୍ଷଣରେ ପୁଣି ଆଖି ବୁଜି ସ୍ଥିରହୋଇ ରହିଲା । ଭାରତୀ ମୁହୂର୍ତ୍ତକ ପାଇଁ ଦ୍ଵିଧା କରି ଅପୂର୍ବ ପାଖରେ ବସିଲା; ତାପରେ ତା ମୁଣ୍ଡରେ ଆସ୍ତେ ଆସ୍ତେ ହାତ ବୁଲାଇ କହିଲା–ଉଠି ବସନ୍ତୁ । ମୁଣ୍ଡରେ ପାଣି ମାରିଲେ ସିନା ଭଲ ଲାଗିବ !

 

ଅପୂର୍ବ ଉଠିବାରୁ ସେ ତାର ହାତଧରି କଳ ପାଖକୁ ଆଣି ପାଣି ଖୋଲିଦେଲା ଓ ଅପୂର୍ବ ମୁହଁହାତ ଧୋଇଲା । ତା’ପରେ ଭାରତୀ ଉପରେ ଭରା ଦେଇ ଅପୂର୍ବ ଆସ୍ତେ ଆସ୍ତେ ଆସିଲା । ଭାରତୀ ତାକୁ ଖଟ ଉପରେ ଶୁଆଇ ଦେଇ ଗାମୁଛା ଅଭାବରେ ଶାଢ଼ୀରେ ତା ଓଦା ମୁହଁ ହାତ ପୋଛି ଦେଇ ଗୋଟାଏ ପଙ୍ଖା ଆଣି ତାକୁ ବଞ୍ଚିବାକୁ ଲାଗିଲା । କହିଲା–ଏଥର ଶୋଇବାକୁ ଚେଷ୍ଟା କରନ୍ତୁ । ଆପଣ ସୁସ୍ଥ ବୋଧ ନ କଲା ପର୍ଯ୍ୟନ୍ତ ମୁଁ ଯିବିନାହିଁ ।

 

ଅପୂର୍ବ ଲଜ୍ଜିତ କଣ୍ଠରେ କହିଲା–କିନ୍ତୁ ଆପଣ ଯେ ଏ ପର୍ଯ୍ୟନ୍ତ ଖାଇ ନାହାନ୍ତି ।

 

ଭାରତୀ କହିଲା–ଖାଇବାକୁ ସୁଯୋଗ ଦେଲେ କେଉଁଠି ? ଆପଣ ଶୁଅନ୍ତୁ !

 

ଶୋଇ ପଡ଼ିଲେ ଆପଣ ଚାଲିଯିବେ ନାହିଁ ତ ?

 

ନା, ଆପଣଙ୍କ ନିଦ ଭାଙ୍ଗିଲା ପର୍ଯ୍ୟନ୍ତ ଅପେକ୍ଷା କରିବି । ଅପୂର୍ବ କିଛି ସମୟ ଚୁପ୍‌ରହି ପ୍ରଶ୍ନ କଲା-ଆଚ୍ଛା, ଆପଣଙ୍କୁ ମିସ୍‌ଭାରତୀ ବୋଲି ଡାକିଲେ କଣ ରାଗ କରିବେ ?

 

ନିଶ୍ଚୟ ! ଅଥଚ ଖାଲି ଭାରତୀ ବୋଲି ଡାକିଲେ କିଛି ମନେକରିବି ନାହିଁ ।

 

କିନ୍ତୁ ଅନ୍ୟ ସମସ୍ତଙ୍କ ଆଗରେ ?

 

ଭାରତୀ ଟିକିଏ ହସି କହିଲା–ହେଲା ଏବେ ସମସ୍ତଙ୍କ ଆଗରେ ! ଆଚ୍ଛା, ବର୍ତ୍ତମାନ ଟିକେ ଚୁପ୍‌କରି ଶୁଅନ୍ତୁ ତ, ମୋର ଅନେକ କାମ ଅଛି ।

 

ଅପୂର୍ବ କହିଲା–ଶୋଇବାକୁ ମୋର ଭୟ ହେଉଛି । ଆପଣ ଯଦି ଫାଙ୍କି ଦେଇ ଚାଲିଯିବେ ?

 

କିନ୍ତୁ ଚାହିଁଥିଲେ ବି ଚାଲିଗଲେ ଆପଣ ଅଟକାଇବେ କେମିତି ?

 

ଅପୂର୍ବ ଚୁପ୍‌କରି ତାକୁ ଚାହିଁରହିଲା । ଭାରତୀ କହିଲା–ଆମ ମ୍ଳେଚ୍ଛ ସମାଜରେ କଣ ସୁନାମ ଦୁର୍ନାମ ବୋଲି ଜିନିଷ ନାହିଁ ? ମତେ ତ ତାକୁ ଭୟ କରିବାକୁ ପଡ଼େ !

 

ଅପୂର୍ବର ବୁଦ୍ଧି ଠିକ୍‌ ପ୍ରକୃତିସ୍ଥ ନ ଥିଲା । ପ୍ରତ୍ୟୁଷତ୍ତରରେ ସେ ପ୍ରଶ୍ନ କରି ବସିଲା । କହିଲା–ମୋ ମା’ ଏଠି ନାହାନ୍ତି, ମୁଁ ରୋଗରେ ପଡ଼ିଲେ ଆପଣ କଣ କରିବେ ? ସେତେବେଳେ ତ ଆପଣଙ୍କୁ ରହିବାକୁ ହେବ ।

 

ଭାରତୀ କହିଲା–ମତେ ରହିବାକୁ ହେବ ! ଆପଣଙ୍କ ବନ୍ଧୁ ତଲ୍‌ଓ୍ୟାରକରଙ୍କୁ ଖବରଦେଲେ ଚଳିବନାହିଁ ?

 

ଅପୂର୍ବ ଜୋର୍‌ରେ ମୁଣ୍ଡ ହଲାଇ କହିଲା–ନା, କୌଣସିମତେ ଚଳିବନାହିଁ । ହୁଏତ ମୋ ମା, ନ ହେଲେ ଆପଣ-ଜଣକୁ କାହାକୁ ପାଖରେ ନ ଦେଖିଲେ ମୁଁ ବଞ୍ଚିବିନାହିଁ । କାଲି ଯଦି ମୋର ବସନ୍ତ ହୁଏ, ଏ କଥା ଆପଣ ଯେପରି ଭୁଲି ନ ଯାନ୍ତି । ତାର ଅନୁରୋଧ ଶେଷ ଆଡ଼କୁ ଏପରି କରୁଣ ହୋଇ ପଡ଼ିଲା ଯେ ଭାରତୀ ହଠାତ୍‌ ଆତ୍ମବିସ୍ମୃତ ହୋଇଗଲା ।

 

ବିଛଣାର ଧାରରେ ବସିପଡ଼ି ସେ ଅପୂର୍ବର ପିଠି ଉପରେ ହାତ ରଖି କହିଲା–ନା, ନା, ଭୁଲିବିନି । ଏ କଥା କଣ ମୁଁ କେବେ ଭୁଲିପାରେ ! କିନ୍ତୁ କଥାଟା ଉଚ୍ଚାରଣ କରିସାରି ସେ ନିଜର ଭୁଲ୍‌ବୁଝି ପାରିଲା ଓ ତତ୍‌କ୍ଷଣାତ ଉଠି ଠିଆହେଲା । ଜୋର କରି ଟିକିଏ ହସ ମୁଁହରେ ଆଣି କହିଲା–କିନ୍ତୁ ଭୟ ହେଲାପରେ ତ କମ୍‌ବିପଦ ପଡ଼ିବନି ଅପୂର୍ବ ବାବୁ ! ପ୍ରାୟଶ୍ଚିତ୍ତର ପାଲା ତ ରହିଛି । କିନ୍ତୁ ଭୟ ନାହିଁ, ତାର ଦରକାର ହେବନାହିଁ । ଆଚ୍ଛା, ଚୁପ୍‌କରି ଟିକିଏ ଶୋଇପଡ଼ନ୍ତୁ । ବାସ୍ତବିକ, ମୋର ଅନେକ କାମ ବାକୀ ପଡ଼ିଛି ।

 

କି କାମ ?

 

ଭାରତୀ କହିଲା–କି କାମ ! ଖାଇବା ଦୂରେ ଥାଉ, ସାରାଦିନ ଗାଧୁଆ ସାରିବା ପାଇଁ ବି ସମୟ ପାଇନି ।

 

କିନ୍ତୁ ସନ୍ଧ୍ୟାବେଳେ ଗାଧୋଇଲେ ଦେହ ଖରାପ ହେବନାହିଁ ?

 

ଭାରତୀ କହିଲା–ହୋଇପାରେ, ଅସମ୍ଭବ ନୁହେଁ; କିନ୍ତୁ ଗାଧୁଆ ଘରକୁ ଆପଣ ଯେପରି କରିଛନ୍ତି, ତାକୁ ପରିଷ୍କାର କଲାପରେ ନ ଗାଧୋଇ କାହାର ଉପାୟ ଅଛି ? ତା ପରେ ଦୁଇଟା ଖାଇବାକୁ ହେବ ତ ?

 

ଅପୂର୍ବ ଅତ୍ୟନ୍ତ ଲଜ୍ଜିତ ହୋଇ କହିଲା–ସେ ସବୁ ମୁଁ ସଫା କରିଦେବି, ଆପଣ କାହିଁକି କରିବେ । ଏହା କହି ସେ ତରତର ହୋଇ ଉଠିପଡ଼ୁଥିଲା-ଭାରତୀ ରାଗିକରି କହିଲା–ଥାଉ, ଥାଉ, ଆଉ ବାହାଦୁରୀର ଦରକାର ନାହିଁ । ବରଂ ଟିକିଏ ଶୋଇବାକୁ ଚେଷ୍ଟାକରନ୍ତୁ । ଏମିତିକା ଅକାମୀ ପୁଅଟିକୁ ମା’ କେଉଁ ସାହସରେ ବିଦେଶକୁ ପଠେଇଲେ ମୁଁ ଖାଲି ସେଇ କଥା ଭାବୁଛି । ସତ କହୁଛି–ସେ ଏଠି ନାହାନ୍ତି; ମୋ କଥା ନ ଶୁଣିଲେ ଖୁବ୍‌ ଅନ୍ୟାୟ ହେବ । ଏହା କହି ସେ କୃତିମ କ୍ରୋଧର ଭଙ୍ଗୀରେ ଶାସନର ହୁକୁମ ଜାରିକରି ପ୍ରସ୍ଥାନ କଲା ।

 

ଉଦ୍‌ବିଗ୍ନ, ଶାନ୍ତ, ନିର୍ଜୀବ ହୋଇ, ଅପୂର୍ବ ସେ କେତେବେଳେ ଶୋଇପଡ଼ିଥିଲା, ସେ ଜାଣିପାରି ନାହିଁ । ତାର ନିଦ ଭାଙ୍ଗିଲା ଭାରତୀର ଡାକରେ । ଆଖି ମଳି ମଳି ବିଛଣା ଉପରେ ବସି ଦେଖିଲା ଯେ ଟେବୁଲ ଉପର ଘଡ଼ିରେ ରାତି ବାରଟା ବାଜିଲାଣି । ଭାରତୀ ପାଖରେ ଠିଆ ହୋଇଛି । ଅପୂର୍ବର ଦୃଷ୍ଟି ପଡ଼ିଲା ତାର ଆୟତଦୀର୍ଘ କେଶରାଜି ପ୍ରତି । ସଦ୍ୟ ସ୍ନାନସିକ୍ତ ବିପୁଳ କେଶଭାର ଓଦା ହୋଇ ନିବିଡ଼ କୃଷ୍ଣବର୍ଣ୍ଣ ଧାରଣ କରିଛି ଓ ଝୁଲି ପ୍ରାୟ ମାଟିରେ ଲାଗିଛି । ସ୍ନିଗ୍‌ଧ ସାବୁନର ଗନ୍ଧରେ ଘରର ସମସ୍ତ ରୁଦ୍ଧବାୟୁ ପୁଲକିତ ହୋଇ ଉଠିଛି ଯେପରି । ଦେହରେ ଖଣ୍ଡିଏ କଳାଧଡ଼ିର ସାଧାରଣ ସୂତା ଶାଢ଼ି-ଦେହରେ ଜାମା ନଥିବାରୁ ବାହୁର ଅନେକ ଅଂଶ ଅନାବୃତ । ଭାରତୀର ଏ ଯେପରି ନୂତନ ମୂର୍ତ୍ତି, ଅପୂର୍ବ ପୂର୍ବରୁ କେବେ ଦେଖିନାହିଁ । ତା ମୁହଁରୁ ପ୍ରଥମେ ବାହାରି ଆସିଲା–ଏତେ ଓଦା ବାଳ, ଶୁଖିବ କେମିତି ?

 

ଭାରତୀ କହିଲା–ନ ଶୁଖୁ । କିନ୍ତୁ ସେଥିପାଇଁ ଭାବିବାର କଣ ଅଛି ? ଆପଣ ମୋ ସଙ୍ଗେ ଆସନ୍ତୁ ତ–

 

ତେୱାରୀ କେମିତି ଅଛି ?

 

ଭଲ ଅଛି । ଅନ୍ତତଃ ଆଜି ରାତିକ ପାଇଁ ଆପଣଙ୍କୁ ଭାବିବାକୁ ପଡ଼ିବନାହିଁ, ଆସନ୍ତୁ !

 

ଅପୂର୍ବ ତା ସଙ୍ଗେ ବାଥ୍‌ରୁମକୁ ଆସି ଦେଖିଲା–ଛୋଟ ଗୋଟିଏ ଟୋକେଇରେ କେତେଗୁଡ଼ିଏ ଫଳମୂଳ, ଗୋଟାଏ ପନିକି, ଗୋଟାଏ ଥାଳି, ଗୋଟିଏ ଗିଲାସ ଥୁଆ ହୋଇଛି । ଭାରତୀ ଦେଖାଇ ଦେଇ କହିଲା–ବେଶି କିଛି କରିବାକୁ ହେବନି । କଳରେ ସବୁ ଧୋଇ ପକାନ୍ତୁ–ପନିକି, ଥାଳୀ, ଗିଲାସ ସବୁ । ଗିଲାସରେ ପାଣି ନେଇ ଓ ସେ ସବୁ ଆଣି ଏ ଘରକୁ ଆସନ୍ତୁ–ମୁଁ ଆସନ ପକାଇ ରଖିଛି ।

 

ଅପୂର୍ବ କହିଲା–ଏ ସବୁ ଆପଣ କେତେବେଳେ ଆଣିଲେ ?

 

ଭାରତୀ କହିଲା–ଆପଣ ଶୋଇଲା ପରେ । ପାଖରେ ଗୋଟାଏ ଫଳ ଦୋକାନ ଅଛି, ଦୂରକୁ ଯିବାକୁ ପଡ଼ିଲା ନାହିଁ । ଆଉ ଟୋକେଇଟା ତ ଆପଣଙ୍କର । ଏହା କହି ସେ ଅନ୍ୟ କାମରେ ଯିବାକୁ ବାହାରିଲା-ଗଲାବେଳକୁ ସତର୍କ କରି ଦେଇଗଲା ଅପୂର୍ବ ଯେପରି ପନିକିରେ ହାତ ନ କାଟେ ।

 

ଅଳ୍ପ ସମୟ ପରେ ଆସନରେ ବସି ଅପୂର୍ବ ଫଳ କାଟୁଥିଲା ଓ ଭାରତୀ ଅଳ୍ପ ଦୂରରେ ତା କାଟିବା ଦେଖି ହସୁଥିଲା ।

 

ଅପୂର୍ବ କହିଲା–ଆପଣ ହସନ୍ତୁ, କିଛି କ୍ଷତି ନାହିଁ । ପୁରୁଷମାନେ ଯେ ପରିବା କାଟିପାରନ୍ତି ନାହିଁ, ଏ କଥା ସମସ୍ତେ ଜାଣନ୍ତି; କିନ୍ତୁ ଆପଣ ମୋ ଖାଇବା ପାଇଁ ଯେଉଁ ଯତ୍ନ କରିଛନ୍ତି, ସେଥିପାଇଁ ଆପଣଙ୍କୁ ସହସ୍ର ଧନ୍ୟବାଦ । ମା’ ଛଡ଼ା ଏପରି ଆଉ କେହି କରନ୍ତି ନାହିଁ ।

 

ତାର ଶେଷ କଥାତକ ଭାରତୀ କାନରେ ନ ପୂରାଇଲାପରି ଆଗ କଥାର ଉତ୍ତର ଦେଇ କହିଲା–ମୁଁ କଣ ଖୁସିରେ ହସୁଛି ଅପୂର୍ବବାବୁ ! ପୁରୁଷମାନେ ଯେ ପନିକିରେ କାଟି ପାରନ୍ତି ନାହିଁ, ତା ଅବଶ୍ୟ ସମସ୍ତେ ଜାଣନ୍ତି-କିନ୍ତୁ ତାର ଫଳ ଯେ ଏପରି ହେବ ସେ କଥା କଣ ସମସ୍ତେ ଜାଣନ୍ତି-? ତେୱାରୀ ଭଲ ହୋଇଗଲେ ମା’ଙ୍କୁ ମୁଁ ନିଶ୍ଚୟ ଚିଠି ଲେଖିବି, ହୁଏତ ସେ ନିଜେ ଆସନ୍ତୁ, ନ ହେଲେ ତାଙ୍କ ପୁଅକୁ ଫେରେଇ ନେଇଯାଆନ୍ତୁ । ଏପରି ମଣିଷକୁ ବାହାରେ ଛାଡ଼ିଲେ ଚଳିବନାହିଁ-

 

ଅପୂର୍ବ କହିଲା–ମା’ ତାଙ୍କ ପୁଅକୁ ଭଲ କରି ଜାଣନ୍ତି; କିନ୍ତୁ ମୁଁ ନ ହେଇ ମୋର ଭାଇଙ୍କ ଭିତରୁ କିଏ ହେଇଥିଲେ ଆପଣଙ୍କର ଏ କଥା ବାହାରନ୍ତା ନାହିଁ । ଆପଣଙ୍କଦ୍ଵାରା ସେମାନେ ସବୁ କାମ ଚଳେଇ ନିଅନ୍ତେ ।

 

ସୁରଭୀ ବୁଝି ପାରିଲା ନାହିଁ । ଅପୂର୍ବ କହିଲା–ମୋ ଭାଇମାନେ ନ ଛୁଇଁବା ନ ଖାଇବା ଜିନିଷ ପୃଥବୀରେ ନାହିଁ । କୁକୁଡ଼ା ଓ ହୋଟେଲରୁ ଡିନର୍‌ ନ ଆସିଲେ ସେମାନଙ୍କର ଚଳେନାହିଁ ।

 

ଭାରତୀ ଆଶ୍ଚର୍ଯ୍ୟ ହୋଇ କହିଲା–ସତରେ !

 

ଅପୂର୍ବ କହିଲା–ସେ ପରା ! ବାବା ତ ଅଧେ ଖ୍ରୀଷ୍ଟିୟାନ୍‌ ଥିଲେ କହିଲେ ଚଳେ । ମା’ଙ୍କୁ କଣ ଏଥିପାଇଁ କମ୍‌କଷ୍ଟ ପାଇବାକୁ ହେଇଛି ?

 

ଭାରତୀ ଉତ୍ସୁକ ହୋଇ କହିଲା–ସତ ନା କଣ ! କିନ୍ତୁ ମା’ ବୋଧହୁଏ ଅତି ମାତ୍ରାରେ ହିନ୍ଦୁ ?

 

ଅପୂର୍ବ କହିଲା–ଅତି ମାତ୍ରାରେ ଆଉ କଣ-ହିନ୍ଦୁଘରର ଝିଅ ଯଥାର୍ଥରେ ଯାହା ହେବା ଉଚିତ, ତା ଛଡ଼ା ଅଧିକ ନୁହେଁ । ମା’ର କଥା କହୁ କହୁ ତା ସ୍ଵର କରୁଣ ଓ ସ୍ନିଗ୍‌ଧ ହୋଇ ଉଠିଲା; କହିଲା–ଘରେ ଦୁଇ ବୋହୂ, ତଥାପି ମା’ଙ୍କୁ ହାତରେ ରାନ୍ଧି ଖାଇବାକୁ ହୁଏ; କିନ୍ତୁ ମା’ ଏମିତି ଯେ କେତେବେଳେ କାହା ଉପରେ ଜୋର୍‌କରନ୍ତି ନାହିଁ, କେତେବେଳେ କାହାପାଖେ ଏଥିପାଇଁ ଫେରାଦି ହୁଅନ୍ତିନାହିଁ । କହନ୍ତି–ମୁଁ ତ ନିଜ ଆଚାର ବିଚାର ତ୍ୟାଗ କରି ମୋ ସ୍ଵାମୀଙ୍କ ମତସହ ଏକମତ ହୋଇ ପାରିନି, ଏକ୍ଷଣି ଏମାନେ ଯଦି ମୋ ମତ ସହ ରାଜି ହେବେନାହିଁ, ସେଥିପାଇଁ ଆପତ୍ତି କରିବା ଉଚିତ ନୁହେଁ । ମୋ ବୁଦ୍ଧି ଓ ମୋ ସଂସ୍କାରକୁ ମାନି ଯେ ପୁଅବୋହୂ ଚଳିବେ-ୟାର ଅର୍ଥ କଣ ?

 

ଭାରତୀ ଭକ୍ତି ଓ ଶ୍ରଦ୍ଧାରେ ମୁଣ୍ଡ ନୁଆଁଇ କହିଲା–ମା’ ସେକାଳ ମଣିଷ ହେଲେ କ'ଣ ହେବ, ଧୈର୍ଯ୍ୟ ଖୁବ୍‌ ବେଶି ।

 

ଅପୂର୍ବର ମୁହଁ ଉଜ୍ଜ୍ଵଳ ହୋଇ ଉଠିଲା । ସେ କହିଲା–ଧୈର୍ଯ୍ୟ ? ମା’ଙ୍କର ଧୈର୍ଯ୍ୟର କଣ ସୀମା ଅଛି ? ଆପଣ ତାଙ୍କୁ ଦେଖି ନାହାନ୍ତି; କିନ୍ତୁ ମୁଁ କହିଦେଇ ପାରେ, ଦେଖିଲେ ଏକବାରେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀ ପ୍ରସନ୍ନ ଅଥଚ ମୌନ ହୋଇ ଏକଦୃଷ୍ଟିରେ ତାକୁ ଚାହିଁ ରହିଥିଲା । ଅପୂର୍ବ ଫଳର ଖୋଷା ଛଡ଼ାଉ ଛଡ଼ାଇ କହିଲା–ଧରିବାକୁ ଗଲେ ମା’ ଜୀବନସାରା ଦୁଃଖ ପାଇ ଆସିଛନ୍ତି ଏବଂ ସମସ୍ତ ଜୀବନ ସ୍ଵାମୀ ଓ ପୁଅମାନଙ୍କର ମ୍ଲେଚ୍ଛାଚାରକୁ ଘର ଭିତରେ ନିଃଶବ୍ଦରେ ସହି ଆସିଛନ୍ତି । ତାଙ୍କର ଏକମାତ୍ର ଭରସା ମୋ ଉପରେ । ଅସୁଖ ବିସୁଖ ହେଲେ କେବଳ ମୋ ହାତରେ ରନ୍ଧା ଦୁଇଟା ଭାତ ସେ ମୁହଁରେ ଦିଅନ୍ତି ।

 

ଭାରତୀ କହିଲା–ଏବେ ତ ତାଙ୍କର ଅନେକ ଅସୁବିଧା ହେଉଥିବ ।

 

ଅପୂର୍ବ କହିଲା–ହୋଇପାରେ, ହୁଏତ ହେଉଛି । ସେଇଥିପାଇଁ ସେ ମୋତେ ଛାଡ଼ିବାକୁ ପ୍ରଥମେ ଚାହୁଁ ନ ଥିଲେ; କିନ୍ତୁ ତା ବୋଲି ମୁଁ ତ ଆଉ ଚିରକାଳ ଘରେ ବସି ରହିବିନାହିଁ ! କେବଳ ତାର ବଡ଼ ଆଶା, ମୋ ସ୍ତ୍ରୀ ଆସିଲେ ତାକୁ ଆଉ ହାତରେ ରାନ୍ଧିବାକୁ ପଡ଼ିବନାହିଁ ।

 

ଭାରତୀ ଟିକିଏ ହସି କହିଲା–ତାଙ୍କର ସେ ଆଶାଟି ପୂରଣ କରି ଆସିଲେନାହିଁ ? ସେ ତ ଉଚିତ ହୋଇଥାନ୍ତା ।

 

ଅପୂର୍ବ ମାତୃସ୍ନେହରେ ବିଗଳିତ ହୋଇ କହିଲା–ଉଚିତ ନୁହେଁ ନା ? ବାରବ୍ରତ କରୁଥିବ; ବିଚାର ଆଚାର ଜାଣିଥିବ, ବ୍ରାହ୍ମଣ ପଣ୍ଡିତ ଘରର ଝିଅ ହୋଇଥିବ, ମା’ଙ୍କୁ କେବେ ଦୁଃଖ ଦବନି-ସେମିତି ତ ମୁଁ ଚାହେଁ । ମୋର ଗାନ-ବାଜଣା ଜାଣିଥିବା କଲେଜ୍‌-ପଢ଼ା ବିଦୁଷୀ ଝିଅ କି ଦରକାର ?

 

ଭାରତୀ କହିଲା–ଦରକାର ନାହିଁ !

 

ଅପୂର୍ବ ନିଜେ ଯେ ଦିନେ ଏ ମତର ବିରୋଧୀ ଥିଲା ଓ ଭାଉଜମାନଙ୍କ ପକ୍ଷ ଧରି ଯୁକ୍ତି କଲାବେଳେ ଗୋଟାଏ ବ୍ରାହ୍ମଣ ପଣ୍ଡିତ ଘରୁ ଝିଅ ଆଣି ବିବାହ ଅଡ଼ୁଆ ଛିଣ୍ଡାଇ ଦେବାପାଇଁ ମା’ଙ୍କୁ ରାଗରେ କହିଥିଲା, ସେ କଥା ଆଜି ସମ୍ପୂର୍ଣ୍ଣ ଭୁଲିଗଲା । କହିବାକୁ ଲାଗିଲା–ଦେଖନ୍ତୁ, ଆପଣ ଆମ ଜାତିର ନୁହନ୍ତି, ସମାଜର ବି ନୁହନ୍ତି, ପାଣି ଟିକିଏ ବି ଆପଣଙ୍କ ହାତରୁ ଗ୍ରହଣ କରାଯାଇ ପାରେନା-। ଛୁଆଁ ଛୁଇଁ ହୋଇଗଲେ ଲୁଗା ପାଲଟିବାକୁ ପଡ଼ିବ–ଏତେ ତଫାତ୍‌ । ତଥାପି ଆପଣ ଯାହା ବୁଝି ପାରିଲେ ମୋ ଭାଇମାନେ ବା ଭାଉଜମାନେ ତାହା ବୁଝିବାପାଇଁ ରାଜି ନୁହଁନ୍ତି । ଯାହାର ଯା ଧର୍ମ ତାର ତ ତାକୁ ମାନି ଚଳିବା ଉଚିତ । ଘରଟାଯାକ ଲୋକଙ୍କ ଭିତରେ ଯେ ମୋ ମା’ ଏକୁଟିଆ ଅଛନ୍ତି, ତାଠାରୁ ବଳି ଦୁର୍ଭାଗ୍ୟ ଆଉ କଣ ଅଛି ? ସେଇଥିପାଇଁ ଭଗବାନଙ୍କଠାରେ ମୋର କେବଳ ଏତିକି ପ୍ରାର୍ଥନା, ମୋର କୌଣସି ଆଚରଣରେ ମା’ ଯେପରି କଷ୍ଟ ନ ପାଆନ୍ତି । କହୁ କହୁ ଅପୂର୍ବର ଗଳା ଭାରିହୋଇ ଆଖିରେ ଲୁହ ଟଳ ଟଳ ହେବାକୁ ଲାଗିଲା ।

 

ଏହି ସମୟରେ ଘୁମନ୍ତ ତେୱାରୀ କ’ଣ ଗୋଟାଏ ଶବ୍ଦ କରିବାରୁ ଭାରତୀ ତରବର ହୋଇ ଉଠି ଚାଲିଗଲା । ଅପୂର୍ବ ହାତ ପଛପଟେ ଲୁହ ପୋଛିପକାଇ ଫଳ କାଟିବାରେ ଲାଗିଲା । ଅସଲ କଥା ଏଇ ଯେ, ଆଜି ତାର ଦେହ ମନ ଭୟ ଓ ଭାବନାରେ ବିକଳହୋଇ ଯାଇଥିଲା; ମା’ଙ୍କୁ ଏପରି ଦୁରବସ୍ଥାରେ ନିକଟରେ ପାଇବାର ଅନ୍ଧ ଆକୁଳତା ତାର ଭିତରେ ଭିତରେ କୁଜ୍‌ଝଟିକା ସୃଷ୍ଟି କରିଥିଲା । ତେଣୁ ତାର ଭବାବେଗ ସୀମା ହରାଇ ବିକୃତ ଆତିଶଯ୍ୟରେ ରୂପାନ୍ତରିତ ହୋଇଉଠିଥିଲା ।

 

ଭାରତୀର ବୁକୁଭିତରଟା ଅପମାନର ବେଦନାରେ ଟକମକ ହେବାକୁ ଲାଗିଲା । ସେ କିଛି ସମୟ ପରେ ଫେରିଆସି ଦେଖିଲା ଅପୂର୍ବ କୌଣସିମତେ ଫଳକଟା ଶେଷକରି ଚୁପ୍‌ହୋଇ ବସିଛି । କହିଲା–ବସିଛନ୍ତି କଣ, ଖାଇଲେନି ?

 

ଅପୂର୍ବ କହିଲା–ନା, ଆପଣଙ୍କ ପାଇଁ ବସିଛି ।

 

କାହିଁକି ?

 

ଆପଣ ଖାଇବେ ନି ?

 

ନା, ଦରକାର ହେଲେ ମୋ ପାଇଁ ଅଲଗା ଅଛି ।

 

ଅପୂର୍ବ ଫଳ ଥାଳିଟା ହାତରେ ଟିକିଏ ଠେଲିଦେଇ କହିଲା–ବାଃ-ସେମିତି କେମିତି ହେବ-ଆପଣ ସାରାଦିନ ଖାଇ ନାହାନ୍ତି । ଆଉ–

 

ତା କଥା ଶେଷ ନ ହେଉଣୁ ଗୋଟାଏ ଅତ୍ୟନ୍ତ ଶୁଷ୍କ ଚାପା କଣ୍ଠରେ ଜବାବ ଆସିଲା–ଆଃ ! ଆପଣ ଖୁବ୍‌ ଜଳେଇ ମାରୁଛନ୍ତି । ଭୋକହେଲେ ଖାନ୍ତୁ, ନ ହେଲେ ଝରକାବାଟେ ଫିଙ୍ଗି ଦିଅନ୍ତୁ । ଏହା କହି ସେ ମୁହୂର୍ତ୍ତେ ମାତ୍ର ଅପେକ୍ଷା ନ କରି ଆରଘରକୁ ଚାଲିଗଲା । ମୁହୂର୍ତ୍ତକ ପାଇଁ ଅପୂର୍ବ ତା ମୁହଁର ଚେହେରା ଦେଖିଲା ମାତ୍ର; କିନ୍ତୁ ସେତିକିରେ ତାର ବୁକୁରେ ମୃତ୍ୟୁପର୍ଯ୍ୟନ୍ତ ଗୋଟାଏ ଛାପା ରହିଗଲା । ଏ ମୁହଁ ସେ ଆଉ ଭୁଲି ପାରିଲାନାହିଁ । ସେଇ ଆସିଲା ଦିନଠାରୁ ଅନେକଥର ଦେଖା ହୋଇଛି-ବିବାଦରେ, ସୌହୃଦ୍ୟରେ, ଶତ୍ରୁତାବେଳେ, ବନ୍ଧୁତ୍ଵରେ-ସଂପଦ ବିପଦରେ କେତେଥର ଏଇ ଝିଅଟିକୁ ସେ ଦେଖିଛି, କିନ୍ତୁ ସେ ଦେଖାସହ ଏ ଦେଖାର ସାଦୃଶ୍ୟ ନାହିଁ । ଏ ଯେମିତି ଆଉ ଜଣେ କିଏ ।

 

ଭାରତୀ ଚାଲିଗଲା । ଫଳପାତ୍ର ସେହିପରି ପଡ଼ି ରହିଲା ଏବଂ ସେପରି ନିର୍ବାକ୍‌ ନିଷ୍ପନ୍ଦ ପରି ଅପୂର୍ବ ବସି ରହିଲା । କେଉଁଥିରୁ ଯେ କଣ ହେଲା, ତା ଯେପରି ତାର ଉପଲବ୍‌ଧିର ଅତୀତ । ପ୍ରାୟ ଘଣ୍ଟାକ ପରେ ଏ ଘରକୁ ଆସି ସେ ଦେଖିଲା ଯେ ତେୱାରୀ ମୁଣ୍ଡ ପାଖେ ଗୋଟାଏ ପଟି ପକାଇ ଭାରତୀ ବାହୁରେ ମୁଣ୍ଡ ରଖି ଶୋଇଛି । ସେ ଯେପରି ନିଃଶବ୍ଦରେ ଆସିଥିଲା, ସେପରି ଚାଲିଯାଇ ଖଟଉପରେ ଶୋଇପଡ଼ିଲା । ଶ୍ରାନ୍ତ ଆଖିପତା ମୁଦିହେବା ପାଇଁ ମୁହୂର୍ତ୍ତେ ମଧ୍ୟ ଲାଗିଲା ନାହିଁ । ତାର ନିଦ ଭାଙ୍ଗିଲା ଭୋର୍‌ରେ ।

 

ଭାରତୀ କହିଲା–ମୁଁ ଚାଲିଲି ।

 

ଅପୂର୍ବ ଧଡ଼ପଡ଼ ହୋଇ ଉଠି ବସିଲା; କିନ୍ତୁ ଭଲ କରି ଚେତନା ହେବା ପୂର୍ବରୁ ଦେଖିଲା ଯେ ଭାରତୀ ଘରୁ ବାହାରିଯାଉଛି ।

 

ଦଶ

 

ଶେଷୋକ୍ତ ଘଟନାର ପରେ ମାସାଧିକ କାଳ ଅତିବାହିତ ହୋଇଯାଇଛି । ତେୱାରୀ ଆରୋଗ୍ୟ ଲାଭକଲାଣି; କିନ୍ତୁ ଦେହରେ ଏ ପର୍ଯ୍ୟନ୍ତ ବଳ ହୋଇନାହିଁ । ଯେଉଁ ଲୋକଟି ଅପୂର୍ବ ସଙ୍ଗେ ଭାମୋ ଯାଇଥିଲା, ସେ ରନ୍ଧାରନ୍ଧି କରୁଛି । ତେୱାରୀକୁ ବଞ୍ଚାଇବା ପାଇଁ ଅଫିସ୍‌ସାରା ସମସ୍ତେ ଅବିଶ୍ରାନ୍ତ ପରିଶ୍ରମ କରିଛନ୍ତି, ରାମଦାସ କେତେଦିନ ପର୍ଯ୍ୟନ୍ତ ଅଫିସ୍‌କୁ ଯାଇ ପାରିନାହିଁ । ସହରର ଜଣେ ବଡ଼ ଡାକ୍ତର ଚିକିତ୍ସା କରୁଥିଲେ, ତାଙ୍କରି ସୁପାରିସ୍‌ ଯୋଗୁଁ ତେୱାରୀକୁ ବସନ୍ତ ହସ୍‌ପାତାଳକୁ ଯିବାକୁ ପଡ଼ିନାହିଁ । ବର୍ମା ମୁଲକ ତେୱାରୀକୁ ଭଲ ଲାଗୁ ନ ଥିଲା, ଅପୂର୍ବ ତାକୁ ଛୁଟି ଦେଇଛି; ସ୍ଥିର ହୋଇଛି ଯେ, ଦେହ ଆଉ ଟିକିଏ ଭଲ ହେଲେ ତେୱାରୀ ଘରକୁ ଚାଲିଯିବ । ତେୱାରୀର ଆଶା ଯେ ସେ ଆଗାମୀ ସପ୍ତାହକୁ ଯାଇପାରିବ । ଭାରତୀ ସେଇ ଯେ ଯାଇଛି, ଆଉ ଖବର ନେବା ପାଇଁ ମଧ୍ୟ ଆସିନାହିଁ । ଅଥଚ ଏତେ ବଡ଼ ଗୋଟାଏ ଆଶ୍ଚର୍ଯ୍ୟ ଘଟଣା ସେମାନଙ୍କ ନିଜ ନିଜ ଭିତରେ ବି ଆଲୋଚନା ହୁଏନାହିଁ । ଏଥିରେ ଅବଶ୍ୟ ତେୱାରୀର ବିଶେଷ ଅପରାଧ ନ ଥିଲା । ବରଞ୍ଚ ସେ ଭୟ କରୁଥିଲା, କେହି ଯଦି ତା ନାଁରେ କିଛି କହେ । ଅପୂର୍ବ ନିଜେ କିଛି କହେ ନାହିଁ, ତାକୁ ପଚାରିବା ପାଇଁ ତେୱାରୀର ଭୟ ହୁଏ ଯେ କାଳେ ସବୁକଥା ପଦାକୁ ବାହାରି ପଡ଼ିବ; ଝଗଡ଼ା ବିବାଦ ଚୁଲୀକି ଯାଉ, ସେ ଯେ ତା ହାତରୁ ପାଣି ପିଇଛି, ତାର ରନ୍ଧା ବାର୍ଲି ସାଗୁ ଖାଇଛି-ଏହା ଫଳରେ ସେ ଯେ ଜାତି ହରାଇଛି, ତାର ହୁଏତ ପ୍ରାୟଶ୍ଚିତ୍ତ ପର୍ଯ୍ୟନ୍ତ ନାହିଁ । ତେୱାରୀ ସ୍ଥିର କରିଥିଲା, ଯେକୌଣସି ମତେ କଲିକତା ଚାଲିଗଲେ ସିଧା ଘରକୁ ଚାଲିଯିବ । ସେଠାରେ ଗଙ୍ଗାସ୍ନାନ କରି, ଗୋପନରେ ଗୋବର ଖାଇ କୌଣସି ଗୋଟାଏ ବାହାନାରେ ବ୍ରାହ୍ମଣ ଭୋଜନ କରାଇ ଦେହଟାକୁ ଶୁଦ୍ଧ କରିନେବ; କିନ୍ତୁ ଘଣ୍ଟାଘଣ୍ଟି କଲେ କଥାଟା ଯଦି ମା’ଙ୍କ କାନ ପର୍ଯ୍ୟନ୍ତ ଯାଏ, ତେବେ ଫଳ କଣ ହେବ କହିବା ମୁସ୍କିଲ୍‌ । ତାଙ୍କ ଘରର ଚାକିରି ତ ଯିବ, ଏମିତି କି ନିଜ ଗାଁରେ ସମାଜରେ ଅଟକ ହେବା ବି ବିଚିତ୍ର ନୁହେଁ ।

 

କିନ୍ତୁ ଏଇ କେବଳ ତେୱାରୀର ଏକମାତ୍ର ଭାବନା ନ ଥିଲା । ସ୍ଵାର୍ଥ ଓ ଭୟର ଦିଗ ଛଡ଼ା ତା’ ଅନ୍ତରର ଆଉ ଗୋଟାଏ ଦିଗ ଥିଲା; ତାହା ଯେପରି ମଧୁର, ସେପରି ବେଦନା-ବ୍ୟଞ୍ଜକ-। ଅପୂର୍ବ ଅଫିସକୁ ଚାଲିଗଲା ପରେ ସେ ନିତି ଖରାବେଳେ ଗୋଟାଏ ବେତର ମୋଡ଼ା ଆଣି ବାରଣ୍ଡା ଉପରେ ବସେ । ଦୁର୍ବଳ ଦେହକୁ କାନ୍ଥରେ ଆଉଜାଇ ଗଳିର ଯେଉଁ ଅଂଶ ଯାଇ ବଡ଼ ରାସ୍ତାରେ ମିଶିଛି, ସେଇ ଆଡ଼କୁ ଚାହିଁରହେ । ଏ ବାଟ ଯେ ଭାରତୀର କେବେ ଆବଶ୍ୟକ ହେବନାହିଁ, ଏଇ ମୋଡ଼ ଅତିକ୍ରମ କଲାବେଳେ ସେ ଅଭ୍ୟାସବଶତଃ ଥରେ ବି ଏ ଆଡ଼େ ଚାହିଁବ ନାହିଁ, ଏ କଥା ସେ ଭାବିପାରେ ନା । ଅପୂର୍ବ ଭାମୋ ଚାଲିଗଲା ପରେ ଯେଉଁଦିନ ଖରାବେଳେ ହଠାତ୍‌ ଭାରତୀର ମା’ ମରିଗଲେ, ସେଦିନ ତା ସହ ତେୱାରୀର ଘନିଷ୍ଠତାର ସୂତ୍ରପାତ ହେଲା । ସେଦିନ ସେ ପର୍ଯ୍ୟନ୍ତ ତେୱାରୀ ଖାଇନି । ହଠାତ୍‌ ଭାରତୀ କାନ୍ଦିକାନ୍ଦି ଆସି ଦ୍ଵାରରେ ଆଘାତ କଲା-। ଦୁଇଦିନ ପୂର୍ବରୁ ଜୋସେଫ୍‌ସାହେବ ମରିଯାଇଥିଲା, ତେଣୁ ତେୱାରୀର ଭୟ ନ ଥିଲା । ଦ୍ଵାର ଖୋଲିଦେଲା ମାତ୍ରେ ତା ହାତ ଦୁଇଟାକୁ ଧରି ପକାଇ ଭାରତୀ କାନ୍ଦିବାକୁ ଲାଗିଲା । କିଏ କହିବ ସେ ମ୍ଳେଚ୍ଛ ଖ୍ରୀଷ୍ଟାନ୍‍ ଝିଅ ! ତେୱାରୀର ରନ୍ଧାଭାତ ସେମିତି ହାଣ୍ଡିରେ ରହିଲା, ସାରାଦିନ ଚିଠି ଧରି ୟା ପାଖରୁ ତା ପାଖକୁ ଦଉଡ଼ିଲା । ତା ପରଦିନ କଫିନ୍‌ ଉଠିଲା ବେଳକୁ ତେୱାରୀ ନିଜେ ସମ୍ଭାଳି ନ ପାରି କାନ୍ଦି ପକାଇଲା । ଏହି ସମୟରୁ ଭାରତୀକୁ ସେ କେତେବେଳେ ମା’ କେତେବେଳେ ଦିଦି ବୋଲି ଡାକୁଥିଲା । ଚାରି ପାଞ୍ଚଦିନ ଭାରତୀ ଶେଯରୁ ଉଠିନାହିଁ, ତେୱାରୀ ନିଜେ ରାନ୍ଧି ତାକୁ ଜୋର୍‌କରି ଖୁଆଇଲା । ତା’ପରେ ଯେଉଁଦିନ ଭାରତୀ ଜିନିଷପତ୍ର ଧରି ଅନ୍ୟ ବସାକୁ ଉଠିଗଲା, ସେଦିନ ସଂଧ୍ୟାବେଳଟା ତାକୁ ମାଡ଼ି ପଡ଼ିଲାପରି ଲାଗିଲା । ତା’ପରେ ବସନ୍ତରୋଗରେ ଭାରତୀ ତା ପାଇଁ କଣ କରିଛି ସେ ଭଲଭାବରେ ଜାଣିନାହିଁ, ବା ଭାବିନାହିଁ । ଭାବିଲେ ଜାତିଯିବାର କଥା ମନେ ପଡ଼ି ଭୟ ହୁଏ; କିନ୍ତୁ ଏହା ସଙ୍ଗେସଙ୍ଗେ ସେ ଆଉ ଗୋଟାଏ କଥା ମନେ ପକାଇବାକୁ ଚେଷ୍ଟାକରେ । ପ୍ରତ୍ୟେକ ଦିନ ସକାଳବେଳା ସ୍ନାନ ସାରି ଭିଜା କେଶରାଶି ପିଠି ଉପରେ ଖୋଲିଦେଇ ଭାରତୀ ତେୱାରୀ ସଙ୍ଗେ କଥାବାର୍ତ୍ତା ହେବା ପାଇଁ ଆସେ । ରନ୍ଧାଘରେ ପଶେ ନାହିଁ, କିଛି ଛୁଏଁ ନାହିଁ, ଖାଲି ଦୁଆରର ଇରୁଣ୍ଡି ଉପରେ ବସିପଡ଼ି କହେ–ଆଜି କଣ ରାନ୍ଧୁଛ ତେୱାରୀ ?

 

ଦିଦି, ଗୋଟାଏ ଆସନ ପକାଇ ଦିଏ ।

 

ନା, ତମକୁ ସେଟା ପୁଣି କାଚିବାକୁ ତ ହେବ ।

 

ତେୱାରୀ କହେ–ବାଃ, ଆସନଟା କଣ ଛୁଆଁ ହବ ନା କଣ !

 

ଭାରତୀ କହିଆ-ନିଶ୍ଚୟ, ତମ ବାବୁ ତ ଭାବନ୍ତି ଯେ ମୁଁ ଥିବାରୁ ସମଗ୍ର ଘରଟା ଛୁଆଁ ହେଇଯାଇଛି । ନଜର ଘର ହୋଇଥିଲେ ବୋଧହୁଏ ନିଆଁ ଲଗେଇ ପୋଡ଼ି ଶୁଦ୍ଧ କରି ସାରିନ୍ତେଣି-। ଠିକ୍‌ନା ତେୱାରୀ ?

 

ତେୱାରୀ ହସି କହେ–ତମର ଏଇ ଗୋଟାଏ କଥା ଦିଦି, ତମେ ଖାଲି ଦେଖିପାରୁନ ବୋଲି ଏମିତି କହୁଛ ସିନା, କିନ୍ତୁ ଆମ ବାବୁଙ୍କୁ ଥରେ ଭଲ କରି ଜାଣିଲେ କହନ୍ତି–ଏମିତି ମଣିଷ ସାରା ଦୁନିଆଁରେ ନାହିଁ ।

 

ଭାରତୀ କହେ–ମୁଁ ତ ଜାଣେ, ସାରା ଦୁନିଆରେ ନାହିଁ । ନ ହେଲେ ଚୋରୀ ଅଟକାଇବା ଲୋକକୁ ଚୋର ବୋଲି ଧରନ୍ତି ।

 

ଏହି ଘଟଣାରେ ନିଜର ଅପରାଧ ସ୍ମରଣ କରି ତେୱାରୀ ମର୍ମ୍ମାହତ ହୋଇପଡ଼େ । କଥାଟାକୁ ଚାପିଦେବାପାଇଁ ସେ ତରତରରେ କହି ଉଠେ–ତମେ ବି କମ୍‌ କରିନା ହ୍ରଦ, ସବୁ ମିଛ ବୋଲି ଜାଣି ମଧ୍ୟ ବାବୁଙ୍କୁ କୋଡ଼ିଏ ଟଙ୍କା ଜୋରିମାନା କରେଇ ଦେଲ !

 

ଭାରତୀ ଅପ୍ରତିଭ ହୋଇ କହିଲା–ସେଇଥିପାଇଁ ତ ଦଣ୍ଡ ମୁଁ ଗ୍ରହଣ କଲି ତେୱାରୀ, ତମ ବାବୁଙ୍କୁ ତ ଆଉ ଦେବାକୁ ପଡ଼ିଲାନାହିଁ ।

 

ଦେବାକୁ ପଡ଼ିଲା ନାହିଁ, କେମିତି ? ମୁଁ ପରା ଦେଖିଛି-ବାବୁ ଦି ଖଣ୍ଡ ଦଶଟଙ୍କିଆ ନୋଟ୍‌ ଦେଇଆସିଲେ ।

 

ମୁଁ ବି ଦେଖିଛି ତେୱାରୀ–ତୁମେ ଘରେ ପଶି ଦି ଖଣ୍ଡ ନୋଟ୍‌ ଗୋଟେଇ ତମ ବାବୁଙ୍କ ହାତରେ ଦେଲ !

 

ତେୱାରୀ ହାତର ଚଟୁ ହାତରେ ସେମିତି ରହିଗଲା-ସେ କିଛି ସମୟ ଠିଆହୋଇ କହିଲା–ଓଃ ଏଇୟା ତାହେଲେ !

 

-ଭଜାଟା ଯେ ପୋଡ଼ିଗଲା ତେୱାରୀ, ତାକୁ ଆଉ ପାଟିରେ ଦେଇହବନି ।

 

ତେୱାରୀ କରେଇଟା ଓହ୍ଲେଇ ଦେଇ କହିଲା–ବାବୁଙ୍କୁ ମୁଁ ଏକଥା କହିଦେବି ଦିଦି ।

 

ଭାରତୀ ହସି ହସି କହିଲା–କହୁନା ! ମୁଁ କଣ ତମ ବାବୁଙ୍କୁ ଡରିଛି ?

 

କିନ୍ତୁ ଏତେ ବଡ଼ ଆଶ୍ଚର୍ଯ୍ୟକର କଥାଟା ବାବୁଙ୍କୁ କହିବାର ସୁଯୋଗ ତେୱାରୀକୁ ମିଳିନାହିଁ । କେବେ ଓ କେମିତି ଯେ ସେ କହିବ ଭାବିପାରେ ନାହିଁ । ଦିନେ ଆଳସ୍ୟବଶତଃ ବାସି ହଳଦି ତରକାରୀରେ ପକେଇ ଥିବାରୁ ସେ ଭାରତୀଠାରୁ ଗାଳି ଶୁଣିଲା । ଆଉ ଦିନେ ସ୍ନାନ ନ କରି ରାନ୍ଧିଥିବାରୁ ଭାରତୀ ତା ହାତରେ ଖାଇନଥିଲା । ତେୱାରୀ ରାଗ କରି କହିଲା–ତମେ ସବୁ ଖ୍ରୀଷ୍ଟାନ୍‌ ଦିଦି, ତମର ଏତେ ବାଛବିଚାର କଣ ମ ! ତମେ ତ ଆମ ମା’ଙ୍କୁ ବଳେଇ ଗଲଣି !

 

ଭାରତୀ ଖାଲି ହସି ଦେଇ ଚାଲିଗଲା, କିଛି ଜବାବ୍‌ ଦେଲାନାହିଁ । ରନ୍ଧାରେ ମା’ଙ୍କ ଛଡ଼ା ତା ଶୁଚିତା ସଂପର୍କରେ ଆଉ କେହି ପ୍ରଶ୍ନ କଲେ ସେ ଆହତ ହୁଏ; କିନ୍ତୁ ଆଚାର ବିଚାର ନେଇ ଭାରତୀ ପାଖେ ତାକୁ ସତର୍କ ରହିବାକୁ ପଡ଼େ । ସେତେବେଳେ ଏ ସବୁ ଅବଶ୍ୟ ତାକୁ ଭଲ ଲାଗୁ ନ ଥିଲା, ଯାହା ବି ଭଲ ଲାଗୁଥିଲା, ତାର ଉପଯୁକ୍ତ ମର୍ଯ୍ୟାଦା ସେ ଉପଲବ୍‌ଧି କରି ନ ଥିଲା । ଅଥଚ ଏହି ସବୁ ଚିନ୍ତା ତାକୁ ବର୍ତ୍ତମାନ ବିଭୋର କରିଦିଏ । କେବଳ ଦିନ ପରେ ଦିନ ସେଇ ରାସ୍ତାଆଡ଼କୁ ନିଷ୍ଫଳ ଦୃଷ୍ଟି ପକାଇ ତେୱାରୀ ଚୁପ୍‌ହୋଇ ବସି ରହେ । ତା ଛାତି ଭିତରଟା ଖାଲି ମନ୍ଥି ହୋଇଯାଏ ।

 

ସେଦିନ ଅଫିସ୍‌ରୁ ଫେରି ଅପୂର୍ବ ହଠାତ୍‌ ପଚାରିଲା–ଭାରତୀର ବସା କେଉଁଠି ତେୱାରୀ ? ତେୱାରୀ ସନ୍ଧିଗ୍‌ଧ କଣ୍ଠରେ ଉତ୍ତରଦେଲା-ମୁଁ ତ କେବେ ଦେଖିନାହିଁ ବାବୁ !

 

ଯିବାବେଳେ ତତେ କହିଯାଇନି ?

 

ମତେ କାହିଁକି କହିବେ ବାବୁ !

 

ଅପୂର୍ବ କହିଲା–ମତେ କହିଥିଲା ଯେ, ଜାଗାଟା ଠିକ୍‌ ମନେନାହିଁ । କାଲି ଥରେ ଖୋଜି ଦେଖିବାକୁ ହେବ । ତେୱାରୀର ମନଟା ଦୋଦୋପାଞ୍ଚ ହେଲ-ହୁଏତ ଆଉ ଗୋଟାଏ କଣ ଫିସାଦ ଜୁଟିଲାଣି; କିନ୍ତୁ ପଚାରିବା ପାଇଁ ତାର ସାହସ ହେଲାନାହିଁ !

 

ଅପୂର୍ବ ନିଜେ କହିଲା–ସେ ଚାରି ଜିନିଷ ଗୁଡ଼ାକ ପୋଲିସ୍‌ ଫେରେଇ ଦେବାକୁ ଚାହେଁ-। ସେଥିପାଇଁ ଭାରତୀର ଗୋଟାଏ ଦସ୍ତଖତ ଦରକାର ।

 

ତେୱାରୀ ଅନ୍ୟ ଆଡ଼କୁ ଚାହିଁ ଚୁପ୍‌କରି ରହିଲା ।

 

ଅପୂର୍ବ କହିଲା–ସେଦିନ ଏଇ କଥା କହିବାକୁ ଆସି ତୋ ଅବସ୍ଥା ଦେଖି ସେ ଆଉ ଫେରିପାରିଲେ ନାହିଁ । ସେ ନ ଦେଖିଥିଲେ ତୁ ତ ମରି ଭୂତ ହେଇ ଯାଇଥାନ୍ତୁ, ମୋ ସଙ୍ଗେ ଦେଖା ବି ହୋଇପାରି ନ ଥାନ୍ତା ।

 

ତେୱାରୀ ହଁ ନାହିଁ କିଛି ନ କହ ଶେଷ କଥାଟା ଶୁଣିବା ପାଇଁ ନିଃଶବ୍ଦରେ କାଠ ପରି ବସି ରହିଲା । ଅପୂର୍ବ କହିଲା–ଆସି ଦେଖେ ତ, ଅନ୍ଧାର ଘରେ ତୁ ଆଉ ସେ । ଦ୍ଵିତୀୟ ଲୋକ ଆଉ କେହି ନାହିଁ, କଣ ଯେ ଘଟିବ ଠିକ୍‌ ଠିକଣା ନାହିଁ । ଖାଇବା କଣ, ଶୋଇବା କଣ-ଦି ଦିନ ତଳୁ ତାର ବାପ ମା ମରି ଯାଇଛନ୍ତି–ବଡ଼ ସାହସୀ ଝିଅ ତେୱାରୀ ! କୌଣସି କଥାକୁ ଭ୍ରୂକ୍ଷେପ ନାହିଁ-

ତେୱାରୀ ଆଉ ରହି ନ ପାରି ପଚାରିଲା–ସେ କେତେବେଳେ ଗଲେ ?

ଅପୂର୍ବ କହିଲା–ମୁଁ ଆସିବା ବାସିଦିନ । ଭୋର ହେଉ ନ ହେଉ ‘ଚାଲିଲି’ କହି ତ ଏକାବେଳେ ଅନ୍ତର୍ଦ୍ଧାନ !

ରାଗରେ ଚାଲିଗଲେ କି ?

‘ରାଗରେ’ ? ଅପୂର୍ବ ଟିକିଏ ଭାବି କହିଲା-କେଜାଣି ହେଇଥିବ । ତାଙ୍କୁ ବୁଝିବା କଷ୍ଟ-ନଇଲେ ତୋ ପ୍ରତି ଏତେ ଯତ୍ନ-ଟିକିଏ ଖବର ନେବାକୁ ଆସନ୍ତେ ନି ! ଏକଥା ତେୱାରୀକୁ ଭଲ ଲାଗିଲାନାହିଁ । କହିଲା–ହୁଏତ ତାଙ୍କ ନିଜର ଦେହ ଖରାପ ଥାଇପାରେ ।

ନିଜର ଦେହ ଖରାପ ! ଅପୂର୍ବ ଚମକି ପଡ଼ିଲା । ଭାରତୀ ସମ୍ପର୍କରେ ଅନେକ ଦିନ ଅନେକ କଥା ସେ ଭାବିଛି; କିନ୍ତୁ କୌଣସି ଦିନ ଏ ଆଶଙ୍କା ତା ମନରେ ଉଦୟ ହୋଇନାହିଁ । ଯିବାବେଳେ ସେ ରାଗ କରି ଯାଇଥିଲା । ତେଣୁ ଅପୂର୍ବ ରାଗ ସମ୍ପର୍କୀୟ ସମସ୍ତ କାରଣ ଦେଖିବା ପାଇଁ ଚେଷ୍ଟା କରିଛି; କିନ୍ତୁ ଅନ୍ୟ ସମ୍ଭାବନା ଯେ ଥାଇପାରେ, ସେ ଏ ଦିଗକୁ ଦୃଷ୍ଟିପାତ ବି କରିନାହିଁ-। ହଠାତ୍‌ ଦେହ ଖରାପ କଥା ପଡ଼ିବାରୁ ସେ ଦିନ ରାତିର ସମସ୍ତ ଆଲୋଚନା ତାର ମନେ ପଡ଼ିଲା ଓ ଅପୂର୍ବ ବସନ୍ତ ଛଡ଼ା ଅନ୍ୟ କିଛି ଭାବି ପାରିଲାନାହିଁ । ଭାରତୀର ନୂଆ ହିସାବରେ ତାକୁ ଦେଖିବା ପାଇଁ କେହି ନାହିଁ; ହୁଏତ ତାକୁ ହସ୍‌ପିଟାଲକୁ ନେଇ ଯାଇଛନ୍ତି । ହୁଏତ ସେ ଏପର୍ଯ୍ୟନ୍ତ ବଞ୍ଚିବି ନ ଥାଇ ପାରେ । ଏ ସମସ୍ତ କଥା ମନକୁ ଆସି ଅପୂର୍ବ ଅସ୍ଥିର ହୋଇ ଉଠିଲା । ଗୋଟାଏ ଚଉକୀରେ ବସି ଅଫିସ୍‌ବେଶପୋଷାକ ଫିଟାଉ ଫିଟାଉ ସେମାନଙ୍କର ଆଲୋଚନା ଆରମ୍ଭ ହୋଇଥିଲା । ତାର ହାତ ଆପେ ଆପେ ଅଟକି ଗଲା, ମୁହଁରୁ କଥା ବାହାରିଲା ନାହିଁ । ସେଇ ଚେୟାର୍‌ରେ ମାଟିର ପିତୁଳା ପରି ସେ ବସି ରହିଲା । ଏକ ଅପରିଚିତ, ଅସ୍ପଷ୍ଟ ଅନୁଭୂତିରେ ସେ ଆଚ୍ଛନ୍ନ ହୋଇ ପଡ଼ିଲା ! ତାର ମନେହେଲା ଯେପରି ଏ ସଂସାରରେ ତାର ଆଉ କିଛି କରିବାର ନାହିଁ ।

କିନ୍ତୁ ସମୟ ଯାଏଁ କେହି କଥା କହିଲେ ନାହିଁ । ଏହିପରି କୋଡ଼ିଏ ପଚିଶ ମିନିଟ୍‌ କଟିଗଲା ପରେ ବି ଅପୂର୍ବର କୌଣସି ପରିବର୍ତ୍ତନ ନ ଦେଖି ତେୱାରୀ ଆଶ୍ଚର୍ଯ୍ୟ ଓ ଉଦ୍‌ବିଗ୍ନ ହୋଇ ଉଠିଲା । ସେ ଆସ୍ତେ ଆସ୍ତେ କହିଲା–ଛୋଟବାବୁ, ଘରବାଲାର ଲୋକ ଆସିଥିଲା । କହିଲା ଯେ ତିନିତାଲା ଘରଟା ନେବାକୁ ହେଲେ ଏଇ ମାସେ ଭିତରେ ଘର ବଦଳାଇବାକୁ ପଡ଼ିବ-। ମୋର ଭାବନା, କାଳେ ଆଉ କିଏ ଆସିଯିବ ।

ଅପୂର୍ବ ମୁହଁ ଟେକି କହିଲା–ହିଁ; କିଏ ଆଉ ଆସୁଛି !

ତେୱାରୀ କହିଲା–ଆଜି ମାଙ୍କ ଠାରୁ ଖଣ୍ଡେ ପୋଷ୍ଟକାର୍ଡ଼ ପାଇଛି । ସେ ଦରୱାନ୍‌ ଦ୍ଵାରା ଲେଖେଇଛନ୍ତି ।

କଣ ଲେଖିଛନ୍ତି ?

ମୁଁ ଭଲ ଅଛି ଶୁଣି ଖୁବ୍‌ ଆନନ୍ଦିତ ହେଇଛନ୍ତି । ଦରୱାନ୍‌ର ଭାଇ ଛୁଟି ନେଇ ଦେଶକୁ ଯାଇଛି ଯେ, ତା ହାତରେ କାଶୀ ବିଶ୍ଵନାଥଙ୍କଠାରେ ପାଞ୍ଚ ଟଙ୍କା ଭୋଗ କରିବା ପାଇଁ ପଠାଇଛନ୍ତି-

ଅପୂର୍ବ କହିଲା–ମା’ ତୋତେ ପୁଅ ପରି ଭଲପାନ୍ତି ।

 

ତେୱାରୀ ଶ୍ରଦ୍ଧାରେ ବିଚଳିତ ହୋଇ କହିଲା–ପୁଅଙ୍କଠାରୁ ବେଶି । ମୁଁ ଚାଲିଯିବି । ମା’ଙ୍କ ଇଚ୍ଛା ଛୁଟି ନେଇ ଆମେ ଦି’ଜଣଯାକ ଯାଆନ୍ତେ । ଚାରିଆଡ଼େ ରୋଗ–

 

ଅପୂର୍ବ କହିଲା–ରୋଗ କେଉଁଠି ନାଇଁ ? କଲିକତାରେ କ’ଣ ହୁଏନି ? ସେୟା, ବୋଧହୁଏ ଭୟ ଦେଖାଇ ଗୁଡ଼ାଏ ତୁ ଲେଖିଥିଲୁ ?

 

‘‘ଆଜ୍ଞା ନା ।’’ ତେୱାରୀ ଭାବିଥିଲା-ଅସଲ କଥାଟା ଖାଇସାରିଲା ପରେ ରାତିରେ ଧୀରେ ସୁସ୍ଥେ ପକାଇବ ବୋଲି; କିନ୍ତୁ ଆଉ ଅପେକ୍ଷା କଲେ ଚଳିବ ନାହିଁ । କହିଲା–କାଳୀବାବୁ ନଛୋଡ଼ବନ୍ଧା ହେଇ ଧରି ବସିଛନ୍ତି । ବୋଧହୁଏ ସମସ୍ତଙ୍କର ଇଚ୍ଛା-ମଝିରେ ଚଇତ ମାସଟାକୁ ବାଦ୍‌ଦେଲେ ବୈଶାଖ ଆରମ୍ଭରେ ଶୁଭକାର୍ଯ୍ୟଟା କରି ଦେବାପାଇଁ ।

 

କାଳୀବାବୁ ଅତିଶୟ ନିଷ୍ଠାବାନ୍‌ ବ୍ରାହ୍ମଣ, ତାଙ୍କ ପରିବାରରେ ଆଚାର-ପରାୟଣତାର ଖ୍ୟାତି ପ୍ରସିଦ୍ଧ । ତାଙ୍କ ଛୋଟଝିଅକୁ ମା’ ଯେ ପସନ୍ଦ କରିଛନ୍ତି–ଏ ଆଭାସ ତାଙ୍କର କେତେ ଖଣ୍ଡି ପତ୍ରରେ ଥିଲା । ତେୱାରୀର କଥାଟା ବର୍ତ୍ତମାନ ଅପୂର୍ବକୁ ଭଲ ଲାଗିଲାନାହିଁ । ସେ କହିଲା–ଏତେ ତରତର କାହିଁକି ? କାଳୀବାବୁଙ୍କୁ ତ ଆଉ କୋଉଠି ଚେଷ୍ଟା କରିବାକୁ ପଡ଼ିବନାହିଁ !

 

ତେୱାରୀ ଟିକିଏ ହସି କହିଲା–ତରତର ତାଙ୍କର କି ମା’ଙ୍କର କେମିତି ଜାଣିବା ବାବୁ ! ଲୋକେ ହୁଏ ତ ମା’ଙ୍କୁ ଭୟ ଦେଖାଇଛନ୍ତି–ବର୍ମ୍ମା ଦେଶଟା ଭଲ ଜାଗା ନୁହେଁ-ଏଠି ପିଲାମାନେ ବିଗିଡ଼ି ଯାଆନ୍ତି ।

 

ଅପୂର୍ବ ହଠାତ୍‌ କାହିଁକି କେଜାଣି ରାଗରେ ଜଳିଉଠିଲା–କହିଲା–ଦେଖ୍‌ ତେୱାରୀ, ତୁ ଆଉ ମୋତେ ଏତେ ପାଣ୍ଡିତ୍ୟ ଦେଖାନା । ମା’ଙ୍କୁ ତୁ ରୋଜ୍‌ରୋଜ୍‌ ଏତେ ଚିଠି କାହିଁକି ଲେଖିଛୁ ? ମୁଁ କଣ ଛୋଟ ଛୁଆ ହେଇଛି ?

 

ଏହି ଅକାରଣ କ୍ରୋଧ ପାଇଁ ତେୱାରୀ ପ୍ରଥମେ ବିସ୍ମିତ ହେଲା । ତା’ପରେ ରୋଗରୁ ଉଠିଲା ଦିନଠାରୁ ନାନା କାରଣରୁ ତା ମନ ଭଲ ନଥିଲା । ସେ ବି ରାଗିଯାଇ କହିଲା–ଆସିଲାବେଳେ ମା’ଙ୍କୁ ଏ କଥା କହି ଆସିଲାନାହିଁ, ତା’ ହେଲେ ରକ୍ଷା ପାଇଯାଇଥାନ୍ତି, ଜାତି ହରେଇ ଜାହାଜ ବଢିବାକୁ ପଡ଼ି ନ ଥାନ୍ତି ।

 

ଅପୂର୍ବ ଚଟକରି କଲାର୍‌ ଓ ଟାଇ ନେଇ ପିନ୍ଧିବାକୁ ଲାଗିଲା । ତେୱାରୀ ବହୁଦିନରୁ ଏହାର ଅର୍ଥ ଜାଣେ । କହିଲା–କଣ ଜଲଖିଆ ଖାଇବେନି ?

 

ଅପୂର୍ବ କିଛି ଉତ୍ତର ନ ଦେଇ କୋଟ୍‌ଟା ଗଳାଇ ଦୁମ୍‌ଦୁମ୍‌କରି ଘରୁ ବାହାରି ଆସିଲା ।

 

ତେୱାରୀ ଗରମ ହୋଇ କହିଲା–କାଲି ରବିବାରରେ ଚଟ୍ଟଗାଁଓ ବାଟେ ଗୋଟାଏ ଜାହାଜ ଯାଏ-ମୁଁ ସେଇଥିରେ ଚାଲିଯିବି, କହି ଦେଉଛି ।

 

ଅପୂର୍ବ ଶିଡ଼ି ଉପରୁ କହିଲା–ନ ଯିବୁ ତ ତତେ ଠାକୁରଙ୍କ ରାଣ ।

 

ପାଞ୍ଚ ମିନିଟ୍‌ରେ ପ୍ରଭୁ ଓ ଭୃତ୍ୟ ଭିତରେ ଯେ କଣ ପାଇଁ ଏପରି ରଗାରଗି ହୋଇଗଲା, ଅନଭିଜ୍ଞ କେହି ଉପସ୍ଥିତ ଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତା । ସେ ଭାବି ପାରନ୍ତା ନାହିଁ ଯେ ଏପରି ଅର୍ଥହୀନ ଆଘାତର ପଥ ଦେଇ ମଣିଷର ବିକ୍ଷୁବ୍‌ଧ ଚିତ୍ତ ଚିରଦିନ ନିଜକୁ ସହଜ ପଥକୁ ଫେରେଇ ଆଣିବାର ବାଟ ଖୋଜି ପାଇଛି ।

 

Unknown

ଏଗାର

 

ଅପୂର୍ବର ଯିବା ପାଇଁ ଏକମାତ୍ର ଜାଗା ଥିଲା ତଲ୍‌ୱାର୍‌କାର୍‌ର ଘର । ଏଠି ବଙ୍ଗବାସୀଙ୍କ ସଂଖ୍ୟା କମ୍‌ ନୁହେଁ । ହେଲେ ଏପରି ଝିଞ୍ଜଟ୍‌ ଭିତରେ ତାର ଦିନ କଟିଯାଇଛି ଯେ ସେମାନଙ୍କ ସହ ପରିଚିତ ହେବା ପାଇଁ ଫୁରୁସତ୍‌ ନାହିଁ । ଅପୂର୍ବ ଘରୁ ବାହାରି ରେଲଓୟେ ଷ୍ଟେସନ୍‌ ଆଡ଼େ ଯାଉଥିଲା; କିନ୍ତୁ ହଠାତ୍‌ ମନେ ପଡ଼ିଲା ଯେ ଶନିବାର ଦିନ ତଲ୍‌ୱାର୍‌କାର୍‌ ସସ୍ତ୍ରୀକ ସିନେମା ଯିବାର କଥା । ଅତଏବ ଏଣେତେଣେ ଘୂରି ବୁଲିବା ଛଡ଼ା ତାର ଗତ୍ୟନ୍ତର ନ ଥିଲା । ସେତିକିବେଳେ ଅକସ୍ମାତ୍‌ ଭାରତୀ କଥା ମନେ ପଡ଼ି ତା ପ୍ରତି ନିଜର ଅକୃତଜ୍ଞତା ତାକୁ ଗଭୀର କଷ୍ଟ ଦେଲା । ନିଜର ଆହତ ଅପରାଧୀ ମନ ବାରମ୍ବାର ଜବାବ ସୁଆଲ୍‌ କରିବାକୁ ଲାଗିଲା–ଭାରତୀ ବୋଧହୁଏ ଭଲ ଅଛି, ତାର କିଛି ହୋଇନାହିଁ । ନ ହେଲେ ଜୀବନ ମରଣ ସମସ୍ୟା ହୋଇଥିଲେ ସେ ମୋ ପାଖରୁ ଗୋଟାଏ ଖବର ଅନ୍ତତଃ ଦେଇଥାନ୍ତା । ସେ ଜାଣିଛି ଯେ ଭାରତୀର ବସା ତେଲ କାରଖାନା ନିକଟରେ କେଉଁଠି । ତାକୁ ଖୋଜି ବାହାର କରିବାର କଳ୍ପନା ତା ମନରେ ନାଚି ଉଠିଲା; କିନ୍ତୁ ଯେଉଁ ଲୋକ ଏତେକାଳ ଆତ୍ମଗୋପନ କରିଛି, ଏତେଦିନ ପରେ ତାର ତତ୍ତ୍ଵ ନେବା ପାଇଁ ତାକୁ ଲଜ୍ଜା ଲାଗୁଥିଲା । ହୁଏତ ଭାରତୀ ଏହା ଚାହିଁବ ନାହିଁ । ହୁଏତ ସେ ତାକୁ ଦେଖି ବିରକ୍ତ ହେବ; ତେଣୁ ଯାଉ ଯାଉ ବାରମ୍ବାର ସେ ନିଜ ମନକୁ ବୁଝାଇବାରେ ଲାଗିଲା–ପୁଲିସ୍‌ ଭାରତୀର ଦସ୍ତଖତ୍‌ ଦରକାର କରେ ଓ ତାହା କହିବା ପାଇଁ ସେ ଭାରତୀ ପାଖକୁ ଯାଉଛି; ସେ କିପରି ଅଛି ବା କୋଉଠି ଅଛି–ଏ ସବୁ ଅହେତୁକ କୌତୁକ ଅନ୍ତତଃ ନିବାରଣ ପାଇଁ ନୁହେଁ । ଏତେ ଦିନ ପରେ ଏ ଅଭିଯୋଗ ଭାରତୀ ତା’ ପ୍ରତି ଆଣି ପାରିବ ନାହିଁ ।

 

ଏ ଅଞ୍ଚଳକୁ ଅପୂର୍ବ ଆଗରୁ କେବେ ଆସିନାହିଁ । ପୂର୍ବମୁହାଁ ହୋଇ ସିଧା ରାସ୍ତା ପଡ଼ିଛି-ଅନେକ ଦୂର ଚାଲିଲା ପରେ ଡାହାଣହାତି ନଦୀଧାରରେ ଆଗେଇ ଯାଇ ସେ ଜଣକୁ ପଚାରିଲା–ଏପଟେ ସାହେବ ମେମ୍‌ମାନେ ସବୁ କେଉଁଠି ରହନ୍ତି, ଜାଣ ? ଲୋକଟି ପ୍ରତ୍ୟୁତ୍ତରରେ ଆଖପାଖରେ ଥିବା ଯେଉଁ ସବୁ ଛୋଟ ବଡ଼ ବଙ୍ଗଳା ଦେଖାଇ ଦେଲା, ସେ ସବୁର ଆକୃତି ଓ ସାଜସଜ୍ଜା ଦେଖି ଅପୂର୍ବ ବୁଝିଲା ତା’ର ପ୍ରଶ୍ନ କରିବା ଭୁଲ ହୋଇଛି । ସଂଶୋଧନ କରି ପଚାରିଲା–ଅନେକ ବଙ୍ଗାଳୀ ଭଦ୍ରଲୋକ ତ ଏ ପଟେ ରହନ୍ତି–କିଏ କାରିଗର, କିଏ ମିସ୍ତ୍ରୀ । ଲୋକଟି କହିଲା–ଢେର୍‌ ଅଛନ୍ତି । ମୁଁ ତ ଜଣେ ମିସ୍ତ୍ରୀ । ମୋ ଅଧୀନରେ ପଚାଶ ଜଣ କାରିଗର । ଯାହା କରିବି ସେୟା ହେବ । ଛୋଟ ସାହେବଙ୍କୁ କହି ଜବାବ୍‌ ପର୍ଯ୍ୟନ୍ତ ଦେଇ ପାରେ । କାହାକୁ ଖୋଜୁଛନ୍ତି ?

 

ଅପୂର୍ବ କହିଲା–ଦେଖ, ମୁଁ ଯାହାଙ୍କୁ ଖୋଜୁଛି-ଆଚ୍ଛା, ଯେଉଁମାନେ ବଙ୍ଗାଳୀ ଖ୍ରୀଷ୍ଟାନ୍‌ କିମ୍ବା–

 

ଲୋକଟି ଆଶ୍ଚର୍ଯ୍ୟ ହୋଇ କହିଲା–କହୁଛନ୍ତି ବଙ୍ଗାଳୀ, ଫେର୍‌ ଖ୍ରୀଷ୍ଟାନ୍‌ କେମିତି ? ଖ୍ରୀଷ୍ଟାନ୍‌ ହୋଇଗଲା ଆଉ ବଙ୍ଗାଳୀ ରହିବ କେମିତି ? ଖ୍ରୀଷ୍ଟାନ୍‌ ଖ୍ରୀଷ୍ଟାନ୍‌, ମୁସଲ୍‌ମାନ୍‌ ମୁସଲ୍‌ମାନ୍‌-। ବାସ୍‌, ଏୟା ତ ମୋତେ ଜଣାଅଛି ।

 

ଅପୂର୍ବ କହିଲା–ଆହା, ବଙ୍ଗଳା ଦେଶର ଲୋକ ତ ! ବଙ୍ଗଳା ଭାଷା ତ କହୁଛନ୍ତି ?

 

ଲୋକଟି ଗରମ ହେଇ କହିଲା-ଭାଷା କହିଲେ ହେଇଗଲା ? ଯିଏ ଜାତି ହରେଇ ଖ୍ରୀଷ୍ଟାନ୍‍ ହୋଇଗଲା, ତାର ଆଉ ରହିଲା କଣ ? କୌଣସି ବଙ୍ଗାଳୀ ତା ସାଥିରେ ଚଳିବାର ଦେଖିଛନ୍ତି ? ଏଇ ଯେଉଁସବୁ ମାଷ୍ଟ୍ରାଣୀ ଆସି ଛୁଆ-ପିଲାଙ୍କୁ ପଢ଼ଉଛନ୍ତି, ତାଙ୍କ ସଙ୍ଗେ କିଏ ଖାଉଛି ନା ବସୁଛି ?

 

ଅପୂର୍ବ ପଚାରିଲା–ସେ ମାଷ୍ଟ୍ରାଣୀ କୋଉଠି ରହୁଛନ୍ତି ?

 

ସେ କହିଲା–ସେ କଥା ଆଉ ଜାଣିନି । ଏଇ ରାସ୍ତାରେ ସିଧା ଆଗେଇ ଯାଇ ପଚାରିବେ-ନୂଆ ସ୍କୁଲ ଘର କୋଉଠି । ଛୋଟ ପିଲାଟେ ମଧ୍ୟ ଦେଖେଇଦେବ ଡାକ୍ତର ବାବୁ ସେଠି ଥାଆନ୍ତି କିନା ! ମଣିଷ ତ ନୁହନ୍ତି, ଦେବତା ସେ । ମଲା ମଣିଷକୁ ବଞ୍ଚେଇ ଦେବେ । ଏହା କହି ଲୋକଟି ନିଜ ବାଟରେ ଚାଲିଗଲା । ସେଇ ବାଟରେ ସିଧା ଯାଇ ଅପୂର୍ବ ଲାଲ୍‌ରଙ୍ଗର ଗୋଟିଏ କାଠ ତିଆରି ଘର ଦେଖିଲା । ଘରଟା ଦି’ମହଲା-ନଈକୂଳରେ ସେତେବେଳକୁ ରାତି ହେଲାଣି, ବାଟରେ ଲୋକବାକ ନାହାନ୍ତି, ଉପରୁ ଖୋଲା ଝରକାବାଟେ ଆଲୁଅ ଦିଶୁଛି । କାହାକୁ ପଚାରିବା ପାଇଁ ସେ ସେଇଠି ଚୁପ୍‌ହୋଇ ଠିଆହେଲା ।

 

ପନ୍ଦର ମିନଟ୍‌ପରେ ଦୁଇ ତିନି ଜଣ ଲୋକ ବାହାରି ତାକୁ ଦେଖି ଚମକି ଠିଆ ହେଲେ-

 

ଜଣେ ପଚାରିଲେ.....ଆପଣ କିଏ ? କାହାକୁ ଖୋଜୁଛନ୍ତି ? ତାଙ୍କର ସନ୍ଦିଗ୍‌ଧ କଣ୍ଠସ୍ଵରରେ ଅପୂର୍ବ ସଙ୍କୁଚିତ ହୋଇ କହିଲା.....ମିସ୍‌ ଜୋସେଫ୍‌ ବୋଲି ଏଠି କିଏ ଥାଆନ୍ତି ? ଲୋକଟି ତତ୍‌କ୍ଷଣାତ୍‌ କହିଲା–ଅଛନ୍ତି ନିଶ୍ଚୟ, ଆସନ୍ତୁ ।

 

ଆମେ ଆପଣଙ୍କୁ ନେଇଯିବୁ ।

 

ଅପୂର୍ବ ଯିବାପାଇଁ ଆଗପଛ ହେଉଥିଲା, କିନ୍ତୁ ଦ୍ଵିଧା କରିବାରୁ ଲୋକଟି ପଚାରିଲା, କେତେ ସମୟ ହେଲା ଠିଆ ହେଲେଣି । ସେ ତ ଘରେ ଅଛନ୍ତି, ଆସନ୍ତୁ । ଆମେ ଆପଣଙ୍କୁ ନେଇଯିବୁ ।

 

ଲୋକଟିର ବ୍ୟଗ୍ରତା ଦେଖି ଅପୂର୍ବ ବୁଝିଲା ଯେ ଏମାନେ ତାକୁ ସନ୍ଦେହ କରୁଛନ୍ତି । ତେଣୁ ‘ଚାଲନ୍ତୁ’ କହି ସେ ଲୋକଟିର ଅନୁସରଣ କଲା ଓ ଏହି କାଠଘରର ତଳମହଲାରେ ଆସି ପହଞ୍ଚିଲା । ଘରର ଗୋଟିଏ ପାଖରେ ଉପରକୁ ଉଠିବା ପାଇଁ ସିଡ଼ି । ଘରଟି ହଲ ପରି ପ୍ରଶସ୍ତ । ଛାତିରୁ ଗୋଟିଏ ବଡ଼ ଆଲୁଅ ଝୁଲୁଛି । କେତେଟା ଟେବୁଲ୍‌ ଚେୟାର୍‌, ଗୋଟାଏ କଳାପଟା ଏବଂ କାନ୍ଥସାରା ଛୋଟବଡ଼ ନାନା ଆକାର ଓ ରଙ୍ଗର ମ୍ୟାପ୍‌ । ଏଇ ଯେ ନୂତନ ସ୍କୁଲଘର, ଅପୂର୍ବ ବୁଝି ପାରିଲା । ସେଠାରେ ଚାରି ପାଞ୍ଚଜଣ ସ୍ତ୍ରୀ ପୁରୁଷ ମିଶି ତର୍କ କରୁଥିଲେ । ହଠାତ୍‌ ଜଣେ ଅପରିଚିତ ଲୋକ ପ୍ରବେଶ କରିବାର ଦେଖି ସେମାନେ ଚୁପ୍‌ ହୋଇଗଲେ । ଅପୂର୍ବ ଥରେ ମାତ୍ର ତାଙ୍କ ଆଡ଼କୁ ଚାହିଁ ଆସ୍ତେ ଆସ୍ତେ ଉପରକୁ ଉଠିବାକୁ ଲାଗିଲା । ଭାରତୀ ଘରେ ଥିଲା, ଅପୂର୍ବକୁ ଦେଖି ତାର ମୁଖ ଉଜ୍ଜ୍ୱଳ ହୋଇ ଉଠିଲା । ପାଖକୁ ଆସି ତାର ହାତ ଧରି ତାକୁ ଚୌକୀ ଉପରେ ବସାଇ କହିଲା–ଏତେଦିନ ପର୍ଯ୍ୟନ୍ତ ମୋର ଖବର ନେଇ ନଥିଲେ ଯେ ! ଆଜି କେମିତି ମନେ ପଡ଼ିଲା ?

 

ଅପୂର୍ବ କହିଲା–ଆପଣ ବି ତ ଆମମାନଙ୍କର ଖବର ନେଇ ନାହାନ୍ତି ! କିନ୍ତୁ କଥାଟା ଯେ ଯଥାର୍ଥ ଜବାବ୍‌ ହେଲାନି, ଅପୂର୍ବ ତା ବୁଝିପାରିଲା ।

 

ଭାରତୀ ଟିକିଏ ହସିଲା ଦେଇ କହିଲା–ତେୱାରୀ ଘରକୁ ଯିବାକୁ ଚାହୁଁଛ, ତାକୁ ଛାଡ଼ିଦିଅନ୍ତୁ ! ନ ଗଲେ ତା ଦେହ ଭଲ ହବନି ।

 

ଅପୂର୍ବ କହିଲା–ଅର୍ଥାତ୍‌ ଆପଣ ଯେ ଆମର ଖବର ନିଅନ୍ତିନାହିଁ, ଏ ଅଭିଯୋଗ ସତ୍ୟ ନୁହେଁ ।

 

ଭାରତୀ ପୁଣି ଟିକିଏ ହସି କହିଲା–କାଲି ରବିବାର କାଲି କିଛି ହେଇ ପାରିବନାହିଁ, କିନ୍ତୁ ପରଦିନ ବାରଣ ମଧ୍ୟରେ କୋର୍ଟକୁ ଯାଇ ଆପଣଙ୍କ ଟଙ୍କା ଓ ଜିନିଷଗୁଡ଼ାକ ଫେରେଇ ଆଣିବେ । ଟିକିଏ ଦେଖି ଶୁଣି ଆଣିବେ, ଯେମିତି କିଏ ନ ଠକାଏ ।

 

ଆପଣଙ୍କର ଗୋଟାଏ ଦସ୍ତଖତ ଦରଦାର ।

 

ତା ଜାଣେ ।

 

ଅପୂର୍ବ ପ୍ରଶ୍ନ କଲା–ଆପଣଙ୍କ ସାଙ୍ଗରେ ତେୱାରୀ ବୋଧହୁଏ ଦେଖା ହୁଏନା ?

 

ଭାରତୀ ମୁଣ୍ଡ ହଲାଇ କହିଲା–ନା । କିନ୍ତୁ ଆପଣ ଯାଇ ତା ଉପରେ ମିଛରେ ବିଗିଡ଼ିବେ ନାହିଁ ।

 

ଅପୂର୍ବ କହିଲା–ମିଛରେ ନ ହେଉ, ସତରେ ରାଗିବା ଉଚିତ । ଆପଣ ତାକୁ ଜୀବନ ଦେଲେ, ତାର ଟିକିଏ କୃତଜ୍ଞତା ରହିବା କଥା ତ !

 

ଭାରତୀ କହିଲା–ନିଶ୍ଚୟ ଅଛି । ନ ହେଲେ, ସେତ ମୋତେ ଜେଲ୍‌କୁ ପଠାଇବା ପାଇଁ ଅନ୍ତତଃ ଥରେ ଚେଷ୍ଟା କରି ଦେଖିଥାନ୍ତା ।

 

ଅପୂର୍ବ ଏ ଇଙ୍ଗିତ ବୁଝି ପାରିଲା । ମୁଣ୍ଡ ପୋତି କିଛି ସମୟ ଚୁପ୍‌ ରହି କହିଲା–ଆପଣ ମୋ ଉପରେ ଭୟାନକ ରାଗିଯାଇଛନ୍ତି ।

 

ଭାରତୀ କହିଲା–କୌଣସିମତେ ନୁହେଁ । ସାରାଦିନ ସ୍କୁଲରେ ପୁଅଝିଅଙ୍କୁ ପଢ଼ାଇ, ଘରକୁ ଆସି ପୁଣି ସମିତିର ସେକ୍ରେଟେରୀଙ୍କ କାମରେ ଅସଂଖ୍ୟ ଚିଠିପତ୍ର ଲେଖି, ବିଛଣାରେ ପଡ଼ୁ ପଡ଼ୁ ତ ଶୋଇପଡ଼େ । ରାଗିବା ପାଇଁ ସମସ୍ତ କାହିଁ ?

 

ଅପୂର୍ବ କହିଲା–ଓଃ, ରାଗିବା ପାଇଁ ବି ଟିକିଏ ସମୟ ନାହିଁ !

 

ଭାରତୀ କହିଲା–କୋଉଠି ଆଉ ମିଳୁଛି ? ଆପଣ ବରଂ ଦିନେ ସକାଳେ ଆସି ଦେଖିବେ–ସତ କି ମିଛ ।

 

ଅପୂର୍ବର ଅଲକ୍ଷ୍ୟରେ ଗୋଟାଏ ଦୀର୍ଘଶ୍ଵାସ ବାହାରିଗଲା, କହିଲା–ଦେଖିବା ମୋର କଣ ଦରକାର ? ଟିକିଏ ରହି ପଚାରିଲେ, ସ୍କୁଲରେ ଆପଣଙ୍କୁ କେତେ ଦରମା ମିଳେ ?

 

ଭାରତୀ ହସ ଚାପି ଗମ୍ଭୀର ହୋଇ କହିଲା–ବାଃ, ବେଶ୍‌ ଲୋକ ତ ଆପଣ ! ଦରମା କଥା କଣ କାହାକୁ ଏପରି ପଚରାଯାଏ ! ଏଥିରେ ଅପମାନ ହେବ ନି ?

 

ଅପୂର୍ବ କ୍ଷୁଣ୍ଣହୋଇ କହିଲା–ମୁଁ ତ ଅପମାନ ଦେବା ପାଇଁ କହି ନଥିଲି । ଚାକିରିଟା ଯେତେବେଳେ କରିଛନ୍ତି–

 

ଭାରତୀ କହିଲା–ଚାକିରି ନ କରି ଆଉ କଣ ଶୁଖି ଶୁଖି ମରିବି ?

 

ଅପୂର୍ବ କହିଲା–ଏ ଯେଉଁ ଚାକିରି ନା, ଏ ତ ଶୁଖି ଶୁଖି ମରିବା ସଙ୍ଗେ ସମାନ । ୟା ଅପେକ୍ଷା ବରଂ ଆମ ଅଫିସ୍‌ରେ ଗୋଟାଏ ଚାକିରି ଅଛି, ଦରମା ଶହେ ଟଙ୍କା, ଘଣ୍ଟାଏ ଦୁଇଘଣ୍ଟାରୁ ବେଶି ଖଟିବାକୁ ପଡ଼ିବନି ।

 

ଭାରତୀ କହିଲା–ମୋତେ କଣ ସେଇ ଚାକିରି କରିବାକୁ କହୁଛନ୍ତି ?

 

ଅପୂର୍ବ କହିଲା–କଲେ ଦୋଷ କ’ଣ ?

 

ଭାରତୀ କହିଲା–ନା, ନା, ମୁଁ କରିବି ନାହିଁ । ଆପଣ ଯେତେବେଳେ ମାଲିକ, ଭୁଲ୍‌ଭାଲ ହେଲେ ଠେଙ୍ଗାଧରି ଦୁଆର ମୁହଁରେ ଆସି ଠିଆହେବେ ।

 

ଅପୂର୍ବ ଜବାବ୍‌ ଦେଲାନାହିଁ । ସେ ମନେ ମନେ ବୁଝିଲା ଯେ ଭାରତୀ ପରିହାସ କରୁଛି ମାତ୍ର, ତଥାପି ତାର ପ୍ରଥମ ଦିନର ଆଚରଣ ଇଙ୍ଗିତରେ ତା ଦେହ ରାଗିଗଲା । କିଛି ସମୟ ଧରି ଗୋଟିଏ ତର୍କ-ବିତର୍କର କଳରୋଳ ତଳୁ ଶୁଣାଯାଉଥିଲା, ସହସା ତାହା ଉଦ୍ଦାମ ହୋଇ ଉଠିଲା । ଅପୂର୍ବ କିଛି ନ ଜାଣିଲା ପରି ପଚାରିଲା–ଆପଣଙ୍କ ସ୍କୁଲ ବସିଲା ବୋଧହୁଏ-ପିଲାମାନେ ସବୁ ପଢ଼ାରେ ମନ ଦେଲେଣି ।

 

ଭାରତୀ ଗମ୍ଭୀର ମୁଖରେ କହିଲା–ତା’ହେଲେ ପାଟିତୁଣ୍ଡ କିଛି କମ୍‌ ହୁଅନ୍ତା । ପିଲାଙ୍କ ଶିକ୍ଷକମାନେ ବୋଧହୁଏ ବିଷୟ ନିର୍ବାଚନରେ ମନ ଦେଲେଣି ।

 

ଆପଣ ଯିବେନି ?

 

ଯିବା ତ ଉଚିତ–କିନ୍ତୁ ଆପଣଙ୍କୁ ଛାଡ଼ି ଯିବାକୁ ମନ ହେଉ ନାହିଁ । ଏହା କହି ସେ ମୁହଁ ପୋତି ହସିଲା; କିନ୍ତୁ ଅପୂର୍ବର କାନମୁଣ୍ଡା ଲାଲହୋଇ ଉଠିଲା । ସେ ଅନ୍ୟ ଦିଗକୁ ମୁହଁ ଫେରାଇ କାନ୍ଥରେ କଞ୍ଚା ଝାଉଁପତ୍ର ସଜାହୋଇ ଲେଖାଥିବା କେତୋଟି ଅକ୍ଷର ପ୍ରତି ଲକ୍ଷ୍ୟ କରି କହିଲା–ସେଠି କଣ ଲେଖା ହୋଇଛି ?

 

ଭାରତୀ କହିଲା–ପଢ଼ନ୍ତୁ ନା !

 

ଅପୂର୍ବ କ୍ଷଣକାଳ ମନଃସଂଯୋଗ କରି କହିଲା–‘ଚଲାପଥର ଦାବୀ’ । ତାର ମାନେ ?

 

ଭାରତୀ କହିଲା–ଏହା ଆମର ସମିତିର ନାମ, ଏଇ ଆମର ମନ୍ତ୍ର, ଏଇ ଆମର ସାଧନା । ଆପଣ ଆମ ସମିତିର ସଭ୍ୟ ହେବେ ?

 

ଅପୂର୍ବ କହିଲା–ଆପଣ ନିଜେ ଜଣେ ସଭ୍ୟ ନିଶ୍ଚୟ । ଆଚ୍ଛା, ସଭ୍ୟମାନଙ୍କୁ କ’ଣ କରିବାକୁ ହେବ ?

 

ଭାରତୀ କହିଲା–ଆମେ ସମସ୍ତେ ପଥିକ । ମଣିଷର ମନୁଷ୍ୟତ୍ଵର ପଥରେ ଚାଲିବାର ସର୍ବପ୍ରକାର ଦାବୀ ଅଙ୍ଗୀକାର କରି ଆମେ ସମସ୍ତ ବାଧା ବନ୍ଧନ ଭାଙ୍ଗି ଚୂରି ଚାଲିବୁ । ଆମ ପରେ ଯେଉଁମାନେ ଆସିବେ, ସେମାନେ ଯେପରି ବୀନା ଉପଦ୍ରବରେ ଚାଲିପାରନ୍ତି, ସେମାନଙ୍କ ଅବାଧ ମୁକ୍ତ ଗତିକି କେହି ଯେପରି ଅଟକାଇ ନ ପାରନ୍ତି, ଏଇ ଆମର ପଣ । ଆପଣ ଆମ ଦଳକୁ ଆସିବେ ?

 

ଅପୂର୍ବ କହିଲା–ଆମେ ତ ଗୋଟାଏ ପରାଧୀନ ଜାତି-ଇଂରେଜ, ଫରାସୀ ବା ଆମେରିକାନଙ୍କ ଭଳି ନୋହୁଁ-ଆମେ ଅପ୍ରତିହତ ଗତି କେଉଁଠି ପାଇବୁ ? ଷ୍ଟେସନର ଗୋଟାଏ ବେଞ୍ଚରେ ବସିବାର ଅଧିକାର ଆମର ନାହିଁ, ଅପମାନିତ ହୋଇ ନାଲିସ୍‌ କରିବାର ଉପାୟ ନାହିଁ–କହୁ କହୁ ସେଦିନର ସମସ୍ତ ଲାଞ୍ଛନା-ଫିରଙ୍ଗୀ ଟୋକାମାନଙ୍କର ବୁଟ୍‌ର ଅଘାତଠାରୁ ଷ୍ଟେସନମାଷ୍ଟର ବାହାର କରିଦେବା ପର୍ଯ୍ୟନ୍ତ ସକଳ ଅପମାନ, କଷ୍ଟ ମନେପଡ଼ି ତାର ଦୁଇ ଆଖି ପ୍ରଦୀପ୍ତ ହୋଇ ଉଠିଲା । ସେ କହିଲା–ଆମେ ବସିଲେ ବେଞ୍ଚ ଅପବିତ୍ର ହୁଏ, ଆମେ ଚାଲିଗଲେ ଘରର ପବନ ପର୍ଯ୍ୟନ୍ତ କଳୁଷିତ ହୁଏ ! ଆମେ ଯେପରି ମଣିଷ ନୋହୁ ! ଆମର ଯେପରି ମଣିଷର ପ୍ରାଣ, ମଣିଷର ରକ୍ତ ମାଂସ ନାହିଁ ! ଏଇ ଯଦି ଆପଣଙ୍କର ସାଧନା ହୁଏ, ମୁଁ ଆପଣଙ୍କ ଦଳରେ ଯୋଗ ଦେବାପାଇଁ ରାଜି ଅଛି ।

 

ଭାରତୀ କହିଲା–ଆପଣ କଣ ମଣିଷର ଅନ୍ତରର ଜ୍ଵାଳାର ଖବର ରଖନ୍ତି ଅପୂର୍ବ ବାବୁ-? ସତରେ କଣ ମଣିଷ ଛୁଇଁଲେ ମଣିଷର ଆପତ୍ତି କରିବାର କିଛି ନାହିଁ ? ଜଣକ ଦେହର ପବନ ବାଜିଲେ ଆଉ ଜଣକ ଘରର ପବନ ଅପବିତ୍ର ହେବା କଥା ନୁହେଁ ?

 

ଅପୂର୍ବ ତୀବ୍ରକଣ୍ଠରେ କହିଲା–ନିଶ୍ଚୟ ନୁହେଁ । ମଣିଷର ଚମଡ଼ାର ରଙ୍ଗ ତ ତାର ମନୁଷ୍ୟତ୍ଵର ମାପକାଠି ନୁହେଁ । କୌଣସି ଗୋଟାଏ ବିଶେଷ ଦେଶରେ ଜନ୍ମ ନ ହେବା ତ କାହାର ଅପରାଧ ହୋଇ ନ ପାରେ । ମାଫ୍‌ କରିବେ ଆପଣ, କିନ୍ତୁ ଜୋସେଫ୍‌ ସାହେବ ଖ୍ରୀଷ୍ଟାନ୍‌ ବୋଲି ତ କେବଳ ଅଦାଲତରେ ମୋର କୋଡ଼ିଏ ଟଙ୍କା ଜୋରିମାନା ହୋଇଥିଲା । ଧର୍ମ୍ମମତ ଭିନ୍ନହେଲେ କଣ ମଣିଷ ହୀନ ପ୍ରତିପନ୍ନ ହେବ ? ଏ କେଉଁଠାର ବିଚାର ? ମୁଁ ଆପଣଙ୍କୁ କହିରଖୁଛି, ଏଥିପାଇଁ ଏମାନେ ଦିନେ ମରିବେ । ଏଇ ଯେ ମଣିଷକୁ ଅକାରଣରେ ଛୋଟ କରି ଦେଖିବା, ଏ ଯେ ଘୃଣା, ଏଇ ଯେ ବିଦ୍ଵେଷ, ଏ ଅପରାଧ ଭଗବାନ କୌଣସି-ମତେ କ୍ଷମା କରିବେନାହିଁ ।

 

ମଣିଷ ଭିତରୁ ସତ୍ୟକୁ ଟାଣିଆଣିବା ପାଇଁ ବେଦନା ଓ ଲାଞ୍ଛନା ପରି ଦ୍ଵିତୀୟ ପଦାର୍ଥ ନାହିଁ, ସେଥିପାଇଁ ଅପୂର୍ବ ସମସ୍ତ ଭୁଲି ଅପମାନକାରୀ ବିରୁଦ୍ଧରେ ଅପମାନିତର ପୀଡ଼କ ବିରୁଦ୍ଧରେ ପୀଡ଼ିତର ମର୍ମାନ୍ତକ ଅଭିଯୋଗରେ ସହସ୍ରମୁଖ ହୋଇ ଉଠିଥିଲା । ଭାରତୀ ତାର ଦୃପ୍ତ ମୁଖ ପ୍ରତି ଚାହିଁ ଏ ପର୍ଯ୍ୟନ୍ତ ନିଃଶବ୍ଦରେ ବସିଥିଲା; କିନ୍ତୁ ତାର କଥା ଶେଷ ହେବାରୁ ଟିକିଏ ମୁରୁକି ହସିଲା ମାତ୍ର । ଅପୂର୍ବ ଚମକି ଉଠିଲା, ତା ମୁହଁ ଉପରେ କିଏ ଯେପରି ଜୋର୍‌ରେ ମାଡ଼ ଦେଲା । ଭାରତୀର କୌଣସି ପ୍ରଶ୍ନ ଏ ପର୍ଯ୍ୟନ୍ତ ସେ ଖିଆଲ କରି ନ ଥିଲା; କିନ୍ତୁ ସେଗୁଡ଼ାକ ଅଗ୍ନିକଣା ପରି ତା ଭିତରେ ଗଳିଗଲା ଓ ସେ ସମ୍ପୂର୍ଣ୍ଣ ମୂକ ହୋଇ ବସି ରହିଲେ ।

 

କେତେ ସମୟ ପରେ ଭାରତୀ ପୁନରାୟ ଯେତେବେଳେ ମୁହଁ ବୁଲାଇ ଚାହିଁଲା, ସେତେବେଳକୁ ତା ଅଧରରେ ହସର ଚିହ୍ନମାତ୍ର ନ ଥିଲା । ଭାରତୀ କହିଲା–ଆଜି ଶନିବାର-ଆମ ସ୍କୁଲ ବନ୍ଦ, କିନ୍ତୁ ସମିତିର କାମ ହୁଏ । ଚାଲନ୍ତୁ ନା, ତଳକୁ ଯାଇ ଆପଣଙ୍କୁ ଡାକ୍ତରଙ୍କ ସଙ୍ଗେ ପରିଚିତ କରାଇ ଦେବ ଓ ‘ଚଲାପଥର ଦାବୀ’ ଅନୁଷ୍ଠାନର ସଭ୍ୟ କରିନେବି ।

 

ସେ ବୋଧହୁଏ ସଭାପତି ?

 

ସଭାପତି ? ନା, ସେ ଆମ ଅନୁଷ୍ଠାନର ମୂଳକର୍ତ୍ତା । ମାଟି ତଳେ ଥାନ୍ତି, ତାଙ୍କ କାମ ଆଖିରେ ସାଧାରଣତଃ ଦେଖାଯାଏନି ।

 

ମୂଳକର୍ତ୍ତାଙ୍କ ବ୍ୟକ୍ତିତ୍ଵ ପ୍ରତି ଅପୂର୍ବର ବିନ୍ଦୁ ମାତ୍ର ଆଗ୍ରହ ନ ଥିଲା । ପଚାରିଲା–ଆପଣଙ୍କ ସଭାରେ ବୋଧହୁଏ ସମସ୍ତେ ଖ୍ରୀଷ୍ଟିୟାନ୍‌ ?

 

ଭାରତୀ କହିଲା–ନା, ମୋ ଛଡ଼ା ବାକୀ ସମସ୍ତେ ହିନ୍ଦୁ ।

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ କହିଲା–କିନ୍ତୁ ସ୍ତ୍ରୀଲୋକ କଣ୍ଠ ଶୁଣାଯାଉଛି ସେ ।

 

ଭାରତୀ କହିଲା–ସେମାନେ ବି ହିନ୍ଦୁ ।

 

ଅପୂର୍ବ ମୁହୂର୍ତ୍ତେ ଦ୍ଵିଧାକରି କହିଲା–ସେମାନେ ବୋଧହୁଏ ଜାତିଭେଦ ଅର୍ଥାତ୍‌ ଖାଇବା ପିଇବାରେ ଛୁଆଁ ଛୁଇଁ, ବିଚାର ରଖନ୍ତିନାହିଁ ?

 

ଭାରତୀ କହିଲା–ନା । ତା ପରେ ହସି ହସି କହିଲା–‘‘କିନ୍ତୁ କିଏ ଯଦି ମାନି ଚଳିବାକୁ ଚାହେଁ, ତା ମୁହଁରେ ଆମେ କେହି ଖାଇବା ଜିନିଷ ଗୁଞ୍ଜି ଦେଉନା । ମଣିଷର ବ୍ୟକ୍ତିଗତ ପ୍ରବୃତ୍ତିକୁ ଆମେ ସମ୍ମାନ କରି ଚଳୁ । ଆପଣଙ୍କର ଭୟ ନାହିଁ ।

 

ଅପୂର୍ବ କହିଲା–ନା, ଭୟ ଆଉ କଣ-ଆଚ୍ଛା, ଆପଣଙ୍କ ପରି ଶିକ୍ଷିତା ମହିଳା ବୋଧହୁଏ ଆପଣଙ୍କ ଦଳରେ ଅଛନ୍ତି ?

 

-ମୋ ପରି ? ଭାରତୀ ହସି ହସି କହିଲା–ଆମର ଯେ ପ୍ରେସିଡ଼େଣ୍ଟ, ତାଙ୍କର ନାମ ସୁମିତ୍ରା । ସେ ଏକୁଟିଆ ପୃଥିବୀ ବୁଲି ଆସିଛନ୍ତି-କେବଳ ଡାକ୍ତର ବାବୁଙ୍କ ଛଡ଼ା ବୋଧହୁଏ ତାଙ୍କ ଭଳି ବିଦୁଷୀ ଏ ଦେଶରେ ଦ୍ଵିତୀୟ ନାହାନ୍ତି ।

 

ଅପୂର୍ବ ବିସ୍ମିତ ହୋଇ ପଚାରିଲା–ଆଚ୍ଛା, ଯାହାଙ୍କୁ ଡାକ୍ତର ବୋଲି କହୁଛନ୍ତି, ସେ କିଏ ?

 

‘ଡାକ୍ତର’ ? ଶ୍ରଦ୍ଧା ଓ ଭକ୍ତିରେ ଭାରତୀର ମୁଣ୍ଡ ନଇଁଆସିଲା । ସେ କହିଲା–‘‘ତାଙ୍କ କଥା ଥାଉ ଅପୂର୍ବ ବାବୁ, ପରିଚୟ ଦେବାକୁ ଗଲେ ମୁଁ ତାଙ୍କୁ ଛୋଟ କରିଦେଇପାରେ ।’’

 

ଅପୂର୍ବ ଆଉ କୌଣସି ପ୍ରଶ୍ନ ନ କରି ଚୁପ୍‌ ରହିଲେ । ଦେଶପ୍ରୀତିର ନିଶା ତା ରକ୍ତରେ ବିଦ୍ୟମାନ, ତେଣୁ ଚଲାପଥର ଦାବୀ-ଏଇ ବିଚିତ୍ର ନାମଟା ତାକୁ ଆକୃଷ୍ଟ କଲା । ଏହି ସଙ୍ଗୀହୀନ, ବନ୍ଧୁହୀନ ବିଦେଶରେ ଏତେଗୁଡ଼ିଏ ଅସାଧାରଣ ଶିକ୍ଷିତ ନରନାରୀଙ୍କ ଆଶା ଓ ଆକାଂକ୍ଷା, ଚେଷ୍ଟା ଓ ଉଦ୍ୟମ-ସେମାନଙ୍କର ଇତିହାସ, ସେମାନଙ୍କର ରହସ୍ୟମୟ କର୍ମ-ଜୀବନର ଅପରିଜ୍ଞାତ ପଦ୍ଧତିସହ ଏହି ଅଭୁତ ନାମଟା ଜଡ଼ି ରହିଛି-ତେଣୁ ତା ସହ ଘନିଷ୍ଠ ମିଳନର ଲୋଭ ସେ ସମ୍ବରଣ କରି ପାରୁନଥିଲା, ତଥାପି କି ଏକ ପ୍ରକାର ବିଜାତୀୟ, ଧର୍ମ୍ମବିହୀନ, ଅସ୍ଵାସ୍ଥ୍ୟକର ବାତାବରଣର ଧାରଣାରେ ତା ମନ ଧୀରେ ଧୀରେ ଗ୍ଳାନିରେ ଭରିଗଲା ।

 

ତଳୁ ଖୁବ୍‌ଜୋର୍‌ରେ କଥାବାର୍ତ୍ତା । ଶୁଣାଗଲା । ଭାରତୀ କହିଲା–‘‘ଚାଲନ୍ତୁ, ଯିବା ।’’

 

ଅପୂର୍ବ କହିଲା ‘‘ହଉ, ଚାଲନ୍ତୁ ।’’ ଉଭୟେ ତଳକୁ ଓହ୍ଲାଇ ଆସିବାପରେ ଭାରତୀ ତାକୁ ଏକ ବେତର ସୋଫାରେ ବସିବାକୁ କହି ସ୍ଥାନାଭାବରୁ ତା ପାର୍ଶ୍ଵରେ ବସିପଡ଼ିଲା ।

 

ଏହି ଆସନଟା ଏପରି ସଂକୀର୍ଣ୍ଣ ଯେ ଏତେ ଲୋକଙ୍କ ଆଗରେ ଉଦ୍ରତା ରକ୍ଷାକରି ଯଥେଷ୍ଟ ପାର୍ଥକ୍ୟସହ ବସି ହେବନାହିଁ । ଏପରି ଅଭୁତ ଆଚରଣ ଭାରତୀ କୌଣସି ଦିନ କରିନାହିଁ, ତେଣୁ ଅପୂର୍ବ କେବଳ ସଙ୍କୋଚ ନୁହେଁ ଲଜ୍ଜା ବି ଅନୁଭବ କରିବାକୁ ଲାଗିଲା; କିନ୍ତୁ ଏ ସବୁ ଘଟଣାରେ ଭ୍ରୂକ୍ଷେପ କରିବା ପାଇଁ ଯେପରି କାହାର ଅବସର ନାହିଁ । ସେ ଆଉ ଗୋଟାଏ ବିଷୟ ଲକ୍ଷ୍ୟକଲା ଯେ ତା ପରି ଅପରିଚିତ ଲୋକ ଆସନ ଗ୍ରହଣ କରିବାର ଦେଖି ପ୍ରାୟ ସମସ୍ତେ ଚାହିଁଲେ ସତ; କିନ୍ତୁ ଆଲୋଚନାରେ ଲେଶମାତ୍ର ବାଧା ପଡ଼ିଲାନାହିଁ । କେବଳ ଜଣେ ଲୋକ ଯେ କୋଣରେ ଥିବା ଟେବୁଲ ପାଖେ ତା ଆଡ଼କୁ ପଛକରି ବସି କଣ ଲେଖୁଥିଲା, ସେ ଲେଖିବାରେ ଲାଗିଲା ଓ ବୋଧହୁଏ ତା ଆଗମନ ବିଷୟରେ ଜାଣି ପାରିଲା ନାହିଁ । ଅପୂର୍ବ ଗଣି ଦେଖିଲା ଯେ ଛ’ଜଣ ରମଣୀ ଓ ଆଠଜଣ ପୁରୁଷ ଏହି ତର୍କରେ ରତ ଅଛନ୍ତି । ଏମାନେ ସମସ୍ତେ ତାର ଅଚିହ୍ନା, କେବଳ ଜଣେ ଲୋକକୁ ଅପୂର୍ବ ତତ୍‌କ୍ଷଣାତ୍‌ ଚିହ୍ନି ପାରିଲା । ବେଶଭୂଷାରେ କିଛି ପରିବର୍ତ୍ତନ ଘଟିଛି ଅବଶ୍ୟ; କିନ୍ତୁ ଏହି ଲୋକକୁ ସେ ଟିକଟ୍‌ କିଣି ନ ଥିବାରୁ ମିକ୍‌ଥିଲା ଷ୍ଟେସନରେ ପୋଲିସ ହାବୁଡ଼ରେ ପଡ଼ିବାର ଦେଖିଥିଲା ଓ ନିଜେ ଅର୍ଥ ସାହାଯ୍ୟ ଦେଇ ରକ୍ଷା କରିଥିଲା । ସେ ବି ଯେତେ ଶୀଘ୍ର ସମ୍ଭବ ଟଙ୍କା ଫେରାଇ ଦେବାପାଇଁ ସ୍ଵେଚ୍ଛାରେ ପ୍ରତିଶ୍ରୁତି ଦେଇଥିଲେ । ସେ ଅପୂର୍ବ ଆଡ଼କୁ ଚାହିଁଲେ; କିନ୍ତୁ ମଦନିଶା ଥିବାବେଳେ ଯାହାଠାରୁ ହାତପାତି ସାହାଯ୍ୟ ପାଇଥିଲେ; ମଦ ନ ଖାଇଥିଲା ବେଳେ ତାକୁ ଚିହ୍ନ ବି ପାରିଲେ ନାହିଁ । ଅପୂର୍ବକୁ ବାଧିଲା ଯେ ଭାରତୀ ଏପରି ଲୋକର ସଂସର୍ଗରେ ପଡ଼ିଲା କିପରି !

 

କିଏ ଜଣେ ଠିଆ ହୋଇଥିଲେ, ବସିପଡ଼ିବାରୁ ଅପୂର୍ବର କାନ ପାଖରେ ଚୁପ୍‌କରି ଭାରତୀ କହିଲା–ଏ ଆମର ପ୍ରେସିଡ଼େଣ୍ଟ ସୁମିତ୍ରା ଦେବୀ ।

 

କହିବାର ପ୍ରୟୋଜନ ନ ଥିଲା । ଅପୂର୍ବ ଦେଖିବାମାତ୍ରେ ଜାଣି ପାରିଲା; କାରଣ କୌଣସି ସମିତିର ପରିଚାଳନା ଯଦି ଜଣେ ନାରୀଦ୍ଵାରା ହୁଏ, ତା ହେଲେ ଏହି ରମଣୀ କେବଳ ସେଥିପାଇଁ ଉପଯୁକ୍ତା । ବୟସ ବୋଧହୁଏ ତିରିଶି ପାଖାପାଖି, କିନ୍ତୁ ଯେପରି ରାଜରାଣୀ ! ବର୍ଣ୍ଣ ତରଳା ସୁନା ପରି, ଦାକ୍ଷିଣାତ୍ୟର ସ୍ତ୍ରୀଲୋକଙ୍କ ପରି କେଶବିନ୍ୟାସ, ହାତରେ କେତେପଟ ସୁନାଚୁଡ଼ି, ବେକରେ ସୁନାହାରର କିୟଦଂଶ ଚିକ୍‌ଚିକ୍‌ କରୁଛି । କାନରେ ସବୁଜ ପଥରର ଦୁଲ୍‌ ଉପରେ ଆଲୋକ ପଡ଼ି ସାପର ଆଖିପରି ଜଳୁଛି । ଲଲାଟ, ଚିବୁକ, ନାକ, ଆଖି, ଭ୍ରୂ, ଓଷ୍ଠ, ଅଧର-କୌଣସିଟାରେ ବାଛି ଦେବାପାଇଁ ନାହିଁ । ଏ କି ଅଭୁତ ଆଶ୍ଚର୍ଯ୍ୟ ରୂପ ! ବ୍ଲାକ୍‌ବୋର୍ଡ଼ ଉପରେ ଗୋଟିଏ ହାତ ରଖି ସେ ଠିଆ ହୋଇଥିଲେ, ଅପୂର୍ବର ଆଖି ପଲକ ପଡ଼ିଲାନାହିଁ । ସେ ଅଙ୍କବିଦ୍ୟାର ମଣିଷ, କାବ୍ୟ ସହ ତାର ପରିଚୟ ଅତ୍ୟନ୍ତ ବିରଳ; କିନ୍ତୁ କାବ୍ୟ ଯେଉଁମାନେ ଲେଖନ୍ତି, ସେମାନେ ଯେ କାହିଁକି ଏତେ ଜିନିଷ ଥାଉ ଥାଉ ତରୁଣ ଲତିକା ସହ ନାରୀଦେହର ତୁଳନା କରନ୍ତି, ତା ଜାଣିବାକୁ ତାର ବାକୀ ରହିଲାନାହିଁ । ସମ୍ମୁଖରେ କୋଡ଼ିଏ ବାଇଶ ବର୍ଷ ବୟସର ଜଣେ ମହିଳା ଆନତମୁଖରେ ବସିରହିଥିଲେ । ବୋଧହୁଏ ତାଙ୍କୁ କେନ୍ଦ୍ର କରି ଏହି ତର୍କର ଝଡ଼ ଉଠିଛି । ଆଉ ତାର ଅନତିଦୂରରେ ବସିଥିଲେ ଜଣେ ପ୍ରୌଢ଼ ଭଦ୍ରଲୋକ । ତାଙ୍କ ପିନ୍ଧା ଲୁଗାପଟାର କାଣ୍ଟଛାଣ୍ଟ୍‌ରୁ ବିଶୁଦ୍ଧ ବିଲାତି ପୋଷାକ ଦେଖି ଅବସ୍ଥାପନ୍ନ ବୋଲି ମନେହୁଏ । ଖୁବ୍‌ ସମ୍ଭବ ସେହି ପ୍ରତିପକ୍ଷ କଣ କହୁଥିଲେ ଅପୂର୍ବ ଭଲଭାବେ ଶୁଣିପାରିଲା ନାହିଁ; ମନୋଯୋଗ ବି ଦେଇ ନାହିଁ । ସେ ଏକାଗ୍ରଚିତ୍ତ ହୋଇ ସୁମିତ୍ରାକୁ ଦେଖୁଥିଲା । ତାର କଣ୍ଠସ୍ଵରରୁ କେଜାଣି କୌଣସି ପରମ ବିସ୍ମୟଜନକ ବସ୍ତୁ ଝରି ପଡ଼ିବ, ଏୟା ଯେପରି ତାର ଧାରଣା । ଅନତିକାଳ ପୂର୍ବରୁ କ୍ଷୋଭର କାରଣ ଆଉ ମନେ ନ ଥିଲା । ସାହେବୀ ପୋଷାକପିନ୍ଧା ଭଦ୍ରଲୋକଙ୍କୁ ପ୍ରତ୍ୟୁତ୍ତର ଦେଇ ସୁମିତ୍ରା ବର୍ତ୍ତମାନ କଥା କହିଲେ । ତାଙ୍କ କଥାର ସାମାନ୍ୟ ଅଂଶ ଯେପରି ବାଦ୍‌ ନ ଯାଏ, ସେଥିପାଇଁ ଅପୂର୍ବ କାନ ପାତି ରହିଲେ ।

 

ସୁମିତ୍ରା କହିଲେ–ମନୋହର ବାବୁ, ଆପଣ ତ ନୂଆ ଓକିଲ ନୁହନ୍ତି, ଆପଣଙ୍କ ତର୍କ ଅସଂଲଗ୍ନ ହୋଇପଡ଼ିଲେ ତ ମୀମାଂସା ହୋଇପାରିବ ନାହିଁ ।

 

ମନୋହର ବାବୁ କହିଲେ–ଅସଂଲଗ୍ନ ତର୍କ କରିବା ମୋର ପେଶା ନୁହେଁ ।

 

ସୁମିତ୍ରା ସାମାନ୍ୟ ହସି କହିଲେ–ତା ତ ଆଶା କରାଯାଏ । ବେଶ୍‌, ଆପଣଙ୍କ ବକ୍ତବ୍ୟ ଅଳ୍ପରେ ଏଇୟା ବୁଝାଏ-ଆପଣ ନବତାରାର ସ୍ଵାମୀର ବନ୍ଧୁ । ଜୋରକରି ତାକୁ ଫେରାଇ ନେଇଯିବାକୁ ଚାହାନ୍ତି; କିନ୍ତୁ ସ୍ତ୍ରୀ ସ୍ଵାମୀର ଘରକୁ ଯିବାକୁ ଚାହେଁ ନା, ଦେଶର କାମ କରିବା ପାଇଁ ଚାହେଁ । ଏଥିରେ ତ ଅନ୍ୟାୟ କିଛି ଦେଖାଯାଉ ନାହିଁ ।

 

ମନୋହର ବାବୁ କହିଲେ–କିନ୍ତୁ ସ୍ଵାମୀ ପ୍ରତି ସ୍ତ୍ରୀର ତ କର୍ତ୍ତବ୍ୟ ଅଛି ? ‘ଦେଶର କାର୍ଯ୍ୟ କରିବି’ କହିଲେ ତ ତାର ଉତ୍ତର ହେଲାନାହିଁ ?

 

ସୁମିତ୍ରା କହିଲେ–ଦେଖନ୍ତୁ ମନୋହର ବାବୁ, ନବତାରା କଣ କରିବେ, କଣ ନ କରିବେ, ସେ ବିଚାର ତାଙ୍କ ଉପରେ; କିନ୍ତୁ ତାଙ୍କ ସ୍ଵାମୀଙ୍କର ବି ତାଙ୍କ ପ୍ରତି ଯେ କର୍ତ୍ତବ୍ୟ ଥିଲା ଏବଂ ସେ ଯେ ତାହା କୌଣସି ଦିନ କରିନାହାନ୍ତି, ଏକଥା ଆପଣମାନେ ସମସ୍ତେ ଜାଣନ୍ତି । କର୍ତ୍ତବ୍ୟ ତ କେବଳ ଗୋଟାଏ ଦିଗରୁ ହୁଏନା !

 

ମନୋହର ବାବୁ ରାଗିଯାଇ କହିଲେ–କିନ୍ତୁ ତା ବୋଲି ଯେ ସ୍ତ୍ରୀକୁ ଅସତୀ ହେବାକୁ ହେବ, ତାହା ତ ଯୁକ୍ତି ନୁହେଁ । ଏହି ବୟସରେ ଏଇ ଦଳରେ ଥାଇ ଯେ ସେ ସତୀତ୍ଵ ବଜାୟ ରଖି ଦେଶସେବା କରିପାରିବେ-ଏହା ତ କୌଣସି ମତେ ଜୋର୍‌କରି କୁହାଯାଇ ପାରେନା ।

 

ସୁମିତ୍ରାଙ୍କ ମୁଖ ଈଷତ୍‌ ଆରକ୍ତ ହୋଇ ପୁଣି ସହଜ ଭଙ୍ଗୀ ଧାରଣ କଲା । କହିଲେ–ଜୋର୍‌ରେ କୌଣସି କଥା କହିବା ବି ଉଚିତ ନୁହେଁ; କିନ୍ତୁ ଆମେ ତ ଦେଖୁଛେ ନବତାରାର ହୃଦୟ ଅଛି, ପ୍ରାଣ ଅଛି, ସାହସ ଅଛି ଏବଂ ସବୁଠାରୁ ଯାହା ବଡ଼ ସେହି ଧର୍ମଜ୍ଞାନ ଅଛି । ଦେଶର ସେବା କରିବାପାଇଁ ଏଇତକ ଯଥେଷ୍ଟ ବୋଲି ଆମେ ଭାବୁଁ । ତେବେ, ଆପଣ ଯାହାକୁ ସତୀତ୍ଵ ବୋଲି କହୁଛନ୍ତି ତା ବଜାୟ ରଖିବା ତାଙ୍କ ପକ୍ଷରେ ସମ୍ଭବ ହେବ କି ନା, ସେ କଥା ସେ କହିପାରିବେ ।

 

ମନୋହର ବାବୁ ଆନତମୁଖୀ ନବତାରା ପ୍ରତି ଥରେ କଟାକ୍ଷ କରି ବିଦ୍ରୁପ ସହ କହି ଉଠିଲେ–ଖାସା ଧର୍ମଜ୍ଞାନ ତ ! ଦେଶର କାମ ପାଇଁ ଏହି ଶିକ୍ଷା ବୋଧହୁଏ ସେ ଦେଶର ଝିଅମାନଙ୍କୁ ବିତରଣ କରିବେ ?

 

ସୁମିତ୍ରା । କହିଲେ–ତାଙ୍କର ଦାୟିତ୍ଵବୋଧ ଉପରେ ଆମ୍ଭମାନଙ୍କର ବିଶ୍ଵାସ ଅଛି । ବ୍ୟକ୍ତିବିଶେଷର ଚରିତ୍ର ଆଲୋଚନା କରିବା ଆମର ନିୟମ ନୁହେଁ, କିନ୍ତୁ ସେ ଯେ ସ୍ଵାମୀଙ୍କୁ ଭଲ ପାଇପାରି ନାହାନ୍ତି, ଅନ୍ୟ ଏକ ମହତ୍ତର କାର୍ଯ୍ୟ ପାଇଁ ତାହାଙ୍କୁ ତ୍ୟାଗ କରି ଅସିବାରୁ ସେ ଅନ୍ୟାୟ ବୋଲି ଭାବି ନାହାନ୍ତି, ସେ ଶିକ୍ଷା ଯଦି ସେ ଦେଶର ଝିଅମାନଙ୍କୁ ଦିଅନ୍ତି ତ ଆମେ ଅନ୍ୟାୟ ବୋଲି ଭାବିବୁ ନାହିଁ ।

 

ମନୋହର ବାବୁ କହିଲେ–ଆମର ଏଇ ସୀତା ସାବିତ୍ରୀଙ୍କ ଦେଶରେ ଏଭଳି ଶିକ୍ଷା ସେ ଆମ ଘରର ଝିଅମାନଙ୍କୁ ଦେବେ ?

 

ସୁମିତ୍ରା ସମ୍ମତିସୂଚକ ଭଙ୍ଗୀରେ କହିଲେ–ଦେବା ତ ଉଚିତ । ଝିଅମାନଙ୍କୁ ଯଦି କେବଳ ଅର୍ଥହୀନ ସ୍ଳୋଗାନ ଉଚ୍ଚାରଣ ନ କରାଇ ନବତାରା କହନ୍ତି ଯେ, ଏଇ ଦେଶରେ ଦିନେ ସୀତା ଆତ୍ମସମ୍ମାନ ରକ୍ଷା କରିବା ପାଇଁ ସ୍ଵାମୀତ୍ୟାଗ କରି ପାତାଳ ପ୍ରବେଶ କରିଥିଲେ ଏବଂ ରାଜକନ୍ୟା ସାବିତ୍ରୀ ବିବାହ ପୂର୍ବରୁ ଦରିଦ୍ର ସତ୍ୟବାନଙ୍କୁ ଏତେ ଭଲ ପାଇଥିଲେ ଯେ ଅତ୍ୟନ୍ତ ସ୍ଵଳ୍ପାୟୁ ଜାଣି ବି ତାଙ୍କୁ ବିବାହ କରିପାରିଥିଲେ ଏବଂ ମୁଁ ନିଜେ ବି ଦୁର୍ବୃତ୍ତ ସ୍ଵାମୀଙ୍କୁ ଭଲ ନ ପାଇପାରିଥିବାରୁ ପରିତ୍ୟାଗ କରି ଆସିଛି; ଅତଏବ ମୋପରି ଅବସ୍ଥା ପଡ଼ିଲେ ତୁମେ ବି ତାହା କର-ଏ ଶିକ୍ଷା ତ ଏ ଦେଶର ଝିଅମାନଙ୍କ ପ୍ରତି ଭଲ ହେବ ମନୋହର ବାବୁ !

 

ମନୋହର ବାବୁଙ୍କ ଓଷ୍ଠାଧର କ୍ରୋଧରେ କମ୍ପିବାକୁ ଲାଗିଲା; ପ୍ରଥମେ ତ ତାଙ୍କ ମୁହଁରୁ କଥା ବାହାରି ପାରିଲାନାହିଁ, ତା’ ପରେ କହିଉଠିଲେ–ତା’ ହେଲେ ଦେଶ ଉଚ୍ଛନ୍ନ ହେବ । ହଠାତ୍‌ ହାତଯୋଡ଼ି କହିଲେ–ଦୋହାଇ ଆପଣମାନଙ୍କୁ । ନିଜର ଯାହା ଇଚ୍ଛା ତା କରନ୍ତୁ; କିନ୍ତୁ ଅପରକୁ ଏ ଶିକ୍ଷା ଦେବେନାହିଁ । ଇଉରୋପୀୟ ସଭ୍ୟତା ଆମଦାନୀ କରି ଯଥେଷ୍ଟ କ୍ଷତି ହୋଇଛି; କିନ୍ତୁ ଝିଅମାନଙ୍କ ଭିତରେ ତା ପ୍ରଚାର କରି ସମସ୍ତ ଭାରତବର୍ଷକୁ ଆଉ ରସାତଳକୁ ନିଅନ୍ତୁ ନାହିଁ ।

 

ସୁମିତ୍ରାଙ୍କ ମୁହଁରେ ଯୁଗପତ୍‌ବିରକ୍ତି ଓ କ୍ଳାନ୍ତି ପ୍ରକାଶ ପାଇଲା । କହିଲେ–ରସାତଳକୁ ଯିବାରୁ ବଞ୍ଚାଇବା ପାଇଁ ଯଦି କୌଣସି ପଥ ଥାଏ–ଏହା ଏଇ; କିନ୍ତୁ ଇଉରୋପୀୟ ସଭ୍ୟତା ସମ୍ବନ୍ଧରେ ଆପଣଙ୍କର ବିଶେଷ କୌଣସି ଜ୍ଞାନ ନାହିଁ, ସୁତୁରାଂ ତା ସମ୍ପର୍କରେ ତର୍କ କଲେ କେବଳ ସମୟ ନଷ୍ଟ ହେବ । ଅନେକ ସମୟ ଗଲାଣି-ଆମ୍ଭମାନଙ୍କର ଅନ୍ୟ କାମ ଅଛି ।

 

ମନୋହର ବାବୁ ଯଥାସାଧ୍ୟ କ୍ରୋଧ ଦମନ କରି କହିଲେ–ମୋର ବି ପର୍ଯ୍ୟାପ୍ତ ସମୟ ନାହିଁ । ନବତାରା ତା’ହେଲେ ଯିବେନାହିଁ ?

 

ନବତାରା ଏ ପର୍ଯ୍ୟନ୍ତ ମୁଣ୍ଡ ଟେକି ଚାହିଁ ନ ଥିଲା, ସେ ମୁଣ୍ଡ ହଲାଇ ଜଣାଇଲା–ନା ।

 

ମନୋହର ସୁମିତ୍ରାଙ୍କୁ ପଚାରିଲେ–ତାଙ୍କ ଦାୟିତ୍ଵ କଣ ତା’ହେଲେ ଆପଣମାନେ ନେଲେ ?

 

ନବତାରା ଏହାର ଜବାବ୍‌ ଦେଲା; କହିଲା–ମୋ ଦାୟିତ୍ଵ ମୁଁ ନେଇ ପାରିବି; ଆପଣ ଚିନ୍ତିତ ହେବେନାହିଁ ।

 

ମନୋହର ବକ୍ରଦୃଷ୍ଟିରେ ତା ପ୍ରତି ଚାହିଁ ସୁମିତ୍ରାଙ୍କୁ ପୁଣି ପ୍ରଶ୍ନକଲେ–ଆଚ୍ଛା, ମୁଁ ଆପଣଙ୍କୁ ପଚାରେ, ସ୍ଵାମୀଗୃହରେ ବିବାହିତ ଜୀବନଠାରୁ ସ୍ତ୍ରୀ ପାଇଁ ଗୌରବର ବସ୍ତୁ ଆଉ କଣ ଅଛି, କହିପାରିବେ ?

 

ସୁମିତ୍ରା କହିଲେ–ଅନ୍ୟ ପାଇଁ ଯାହା ହେଉ ନା କାହିଁକି, ଅନ୍ତତଃ ସ୍ଵାମୀଗୃହରେ ନବତାରାର ଜୀବନକୁ ମୁଁ ଗୌରବର ବସ୍ତୁ କହିପାରିବି ନାହିଁ ।

 

ଏହି ଉତ୍ତର ପରେ ମନୋହର ବାବୁ ଆଉ ଆତ୍ମସମ୍ବରଣ କରିପାରିଲେ ନାହିଁ । ଅତ୍ୟନ୍ତ କଟୁସ୍ଵରରେ ପଚାରିଲେ–କିନ୍ତୁ ଏଥର ଘର ବାହାରେ ତାର ଅସତୀ ଜୀବନଟାକୁ ବୋଧହୁଏ ଗୌରବମୟ କହିପାରିବେ ?

 

ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଏତେ ବଡ଼ କଦର୍ଯ୍ୟ ବିଦ୍ରୁପ ପରେ ବି କାହା ମୁହଁରେ କୌଣସି ଚାଞ୍ଚଲ୍ୟ ଦେଖାଗଲା ନାହିଁ । ସୁମିତ୍ରା ଶାନ୍ତସ୍ଵରରେ କହିଲେ–ମନୋହର ବାବୁ, ଆମ ସମିତି ଭିତରେ ସଂଯତ ଭାବେ କଥା କହିବା ନିୟମ ।

 

-ଆଉ ଏ ନିୟମ ଯଦି ନ ମାନେ.....

 

-ଆପଣଙ୍କୁ ବାହାର କରି ଦିଆଯିବ ।

 

ମନୋହର ବାବୁ ଉତ୍‌କ୍ଷିପ୍ତ ହୋଇଉଠିଲେ । ଜ୍ୟା-ମୁକ୍ତ ଶରସଦୃଶ ସିଧା ଠିଆହୋଇ କହିଲେ–ଆଚ୍ଛା ଚାଲିଲି-ଗୁଡ୍‌ବାଇ ! ଏହା କହି ଦ୍ଵାର ପାଖରେ ପହଞ୍ଚି ତାଙ୍କର ଉନ୍ମତ୍ତ କ୍ରୋଧ ଯେପରି ସହସ୍ର ଧାର ହୋଇ ଫାଟିପଡ଼ିଲା । ହାତ ଗୋଡ଼ ହଲାଇ, ଚିତ୍କାର କରି କହିବାକୁ ଲାଗିଲେ-ମୁଁ ତୁମମାନଙ୍କର ସବୁ ଖବର ଜାଣେ । ଇଂରେଜ ରାଜତ୍ଵ ତମେ ସବୁ ଘୁଞ୍ଚାଇବ–କଳ୍ପନା ବି କର ନା । ମୁଁ ଚଷାଭୂଷା ନୁହେଁ, ଜଣେ ଆଡ଼ଭୋକେଟ୍‌ । କେଉଁଠି ବିଚାର ପାଇବାକୁ ହୁଏ, କେଉଁଠିକି ଗଲେ ତମମାନଙ୍କୁ ହାତକଡ଼ି ପିନ୍ଧେଇ ହେବ, ମୁଁ ଖୁବ୍‌ ଭଲଭାବେ ଜାଣେ ! ଆଚ୍ଛା ! ଏହା କହି ସେ ଅନ୍ଧକାରରେ ଦ୍ରୁତବେଗରେ ଅଦୃଶ୍ୟ ହୋଇଗଲେ ।

 

ହଠାତ୍‌ ଯେପରି ଗୋଟାଏ ବିରାଟ କାଣ୍ଡ ଘଟିଗଲା । ଉତ୍ତେଜନା କେହି ପ୍ରକାଶ କଲେ କାହିଁ; କିନ୍ତୁ ସମସ୍ତଙ୍କ ମୁହଁରେ ଯେପରି ଗୋଟାଏ ଛାୟା ପଡ଼ିଲା ପରି ଜଣାଗଲା । କେବଳ ଯେଉଁ ଲୋକଟା କୋଣରେ ବସି ଲେଖୁଥିଲା, ସେ ଥରେ ବି ମୁହଁ ଟେକି ଚାହିଁଲାନାହିଁ । ଅପୂର୍ବର ମନେହେଲା, ହୁଏତ ସେ ସଂପୂର୍ଣ୍ଣ ବଧୀର, ନହେଲେ ସେ . ପାଷାଣ ପରି ନିର୍ବିକାର । ଭାରତୀର ମୁହଁର ଭଙ୍ଗୀ ଦେଖିବା ପାଇଁ ଅପୂର୍ବ ଚେଷ୍ଟା କଲା; କିନ୍ତୁ ଭାରତୀ ଯେପରି ଇଚ୍ଛା କରି ଅନ୍ୟ ଦିଗକୁ ମୁହଁ ବୁଲାଇ ରହିଲା । ମନୋହର ବ୍ୟକ୍ତିଟି ଯେ ହେଉ ନା କାହିଁକି, ରାଗରେ ଏଇ ସମିତି ବିରୁଦ୍ଧରେ ସେ ଯେ ସକଳ କଥା କହିଗଲେ, ତାହା ଅତିଶୟ ସନ୍ଦେହଜନକ । ଏତେଗୁଡ଼ିଏ ଆଶ୍ଚର୍ଯ୍ୟ ଧରଣର ନରନାରୀ କେଉଁଠୁ ବା ଆସି ଏଠାରେ ସମିତି ଗଠନ କଲେ ? କଣ ବା ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ? ହଠାତ୍‌ ଭାରତୀ ଏମାନଙ୍କର ସନ୍ଧାନ କିପରି ପାଇଲା ? ଏଇ ଯେ ଲୋକଟି ଦିନେ ଟିକେଟ୍‌ ପଇସାରେ ମଦ ଖାଇ ଧରା ପଡ଼ିଥିଲା-ସବୁଠୁ ଅଭୁତ ଏଇ ନବତରା, ସ୍ଵାମୀ ତ୍ୟାଗକରି ଯେ ଦେଶର କାମ କରିବାକୁ ଆସିଛି, ସତୀତ୍ଵ ରକ୍ଷା କରିବା କଥା ଭାବିବା ପାଇଁ ଯାହାର ସମୟ ନାହିଁ । ଅଥଚ ଏଇ ଲୋକଗୁଡ଼ାକ ଏତେ ବଡ଼ ଅନ୍ୟାୟକୁ କେବଳ ସମର୍ଥନ ନୁହେଁ, ପ୍ରାଣପଣେ ପ୍ରଶ୍ରୟ ଦେଉଛନ୍ତି ! ଯେ ଏହାଙ୍କର କର୍ତ୍ତୀ, ସ୍ତ୍ରୀ ଲୋକ ହୋଇ ମଧ୍ୟ ସେ ପ୍ରକାଶ୍ୟ ସଭାରେ ଏତେ ଜଣ ପୁରୁଷଙ୍କ ସମକ୍ଷରେ ସତୀଧର୍ମ ପ୍ରତି ତାଙ୍କର ଏକାନ୍ତ ଅବଜ୍ଞା ଅସଙ୍କୋଚରେ ପ୍ରକାଶ କରିବା ପାଇଁ ଲଜ୍ଜାବୋଧ ମଧ୍ୟ କଲେ ନାହିଁ ! କିଛିକ୍ଷଣ ପର୍ଯ୍ୟନ୍ତ ସମସ୍ତ ଘରଟା ନିସ୍ତବ୍‌ଧ ହୋଇ ରହିଲା । ବାହାରେ ଅନ୍ଧକାର, ଅପ୍ରଶସ୍ତ ରାଜପଥ ସେପରି ଜନହୀନ, ନୀରବ-କିପରି ଏକ ଉଦ୍‌ବିଗ୍ନ ଆଶଙ୍କାରେ ଅପୂର୍ବର ମନ ଭିତରଟା ଭରିଗଲା ।

ହଠାତ୍‌ ସୁମିତ୍ରାର କଣ୍ଠ ଧ୍ୱନିତ ହୋଇ ଉଠିଲା–ଅପୂର୍ବବାବୁ !

ଅପୂର୍ବ ଚକିତ ହୋଇ ମୁହଁ ଟେକି ଚାହିଁଲା ।

ସୁମିତ୍ରା କହିଲେ–ଆପଣ ଆମମାନଙ୍କୁ ଚହ୍ନନ୍ତି ନାହିଁ; କିନ୍ତୁ ଭାରତୀଠାରୁ ଶୁଣି ଆମେ ସମସ୍ତେ ଆପଣଙ୍କୁ ଚିହ୍ନୁ । ଶୁଣିଲି, ଆପଣ ଆମ ସମିତିର ସଭ୍ୟ ହେବାପାଇଁ ଚାହାନ୍ତି । ସତ୍ୟ ?

ଅପୂର୍ବ ‘ନା’ କହି ପାରିଲା ନାହିଁ, ମୁଣ୍ଡ ହଲାଇ ସମ୍ମତି ଜଣାଇଲା । ଯେଉଁ ଲୋକଟି ଏକମନରେ ବସି ଲେଖୁଥିଲା, ସୁମିତ୍ରା ତାହାକୁ ଲକ୍ଷ୍ୟକରି କହିଲେ–ଡାକ୍ତର, ଅପୂର୍ବ ବାବୁଙ୍କ ନାମ ଲେଖିନେବେ । ଅପୂର୍ବକୁ ହସି ହସି କହିଲେ–ଆମର କୌଣସି ରକମର ଚାନ୍ଦା ନାହିଁ, ଟଙ୍କା କଉଡ଼ି ଦେବାକୁ ହୁଏନା–ଏଇଟା ଆମ ସମିତିର ବିଶେଷତ୍ଵ ।

ପ୍ରତ୍ୟୁତ୍ତରରେ ଅପୂର୍ବ ନିଜେ ବି ହସିବା ପାଇଁ ଚେଷ୍ଟାକଲା; କିନ୍ତୁ ପାରିଲାନାହିଁ । ଗୋଟାଏ ମୋଟା ବନ୍ଧେଇ ଖାତାରେ ତା ନାଁ ପ୍ରକୃତରେ ଲେଖା ହୋଇଯିବାର ଦେଖି ତା ମନ ଅସ୍ଵସ୍ତିରେ ଭରିଗଲା । ଆଉ ଚୁପ୍‌ରହି ନ ପାରି କହିଲା–କିନ୍ତୁ ଉଦ୍ଦେଶ୍ୟ କଣ, ମୋତେ କଣ କରିବାକୁ ହେବ, ତା ତ କିଛି ଜାଣିପାରିଲି ନାହିଁ ।

-ଭାରତୀ ଆପଣଙ୍କୁ ଜଣାଇ ନାହିଁ ?

ଅପୂର୍ବ କିଛି ସମୟ ଚିନ୍ତା କରି କହିଲା–କିଛି କିଛି ଜଣାଇଛନ୍ତି । ଗୋଟାଏ କଥା ମୁଁ କିନ୍ତୁ ଆପଣଙ୍କୁ ପଚାରିବି–ନବତାରାଙ୍କ ବ୍ୟବହାର କଣ ଆପଣ ସତରେ ଅନ୍ୟାୟ ବୋଲି ଭାବନ୍ତି ନାହିଁ ?

ସୁମିତ୍ରା କହିଲେ–ଅନ୍ତତଃ ମୁଁ ଭାବେ ନା; କାରଣ, ଦେଶଠାରୁ ବଡ଼ ମୋ ପାଇଁ କିଛି ନାହିଁ ।

ଅପୂର୍ବ ଶ୍ରଦ୍ଧାସହ କହିଲା–ଦେଶକୁ ମୁଁ ବି ପ୍ରାଣ ଦେଇ ଭଲପାଏ ଏବଂ ଦେଶର ସେବା କରିବାରେ ସ୍ତ୍ରୀ ପୁରୁଷ ଉଭୟଙ୍କର ସମାନ ଅଧିକାର ଅଛି; କିନ୍ତୁ ଏମାନଙ୍କର କର୍ମକ୍ଷେତ୍ର ସମାନ ନୁହେଁ । ଆମେ ପୁରୁଷମାନେ ବାହାରର କାମ କରିବୁ, କିନ୍ତୁ ସ୍ତ୍ରୀମାନେ ଘର ଭିତରେ ସ୍ଵାମୀ-ପୁତ୍ରର ସେବା କରି ଜୀବନ ସାର୍ଥକ କରିବେ । ତା ଦ୍ଵାରା ପ୍ରକୃତରେ ଦେଶର ଯେତେ ବଡ଼ କଲ୍ୟାଣ ହେବ, ବାହାରେ ଆସି ପୁରୁଷଙ୍କ ସାଙ୍ଗରେ ଭିଡ଼ ସୃଷ୍ଟି କରି ଠିଆହେଲେ ତେତେଟା ହେବନା ।

ସୁମିତ୍ରା ହସିଲେ । ଅପୂର୍ବ ଲକ୍ଷ୍ୟକରି ଦେଖିଲା ସମସ୍ତେ ଯେପରି ତା ପ୍ରତି ଚାହିଁ ମୁହଁ ଲୁଚାଇ ହସୁଛନ୍ତି । ସୁମିତ୍ରା କହିଲେ–ଅପୂର୍ବବାବୁ, ଏହା ଅନେକ ଦିନର ଏବଂ ଅନେକଙ୍କ ମୁହଁର କଥା । ମୁଁ ଅସ୍ଵୀକାର କରୁନି; କିନ୍ତୁ ଆପଣ ତ ଜାଣନ୍ତି, କୌଣସି ଗୋଟାଏ କଥାକୁ କେବଳ ମାତ୍ର ବହୁଦିନ ଧରି ବହୁ ଲୋକ କହୁଥିବାରୁ ସତ୍ୟ ହୋଇପାରେନା । ଆପଣ ନିଜେ ଯେତେବେଳେ କାମରେ ଲାଗିବେ, ସେତେବେଳେ ହୃଦୟଙ୍ଗମ କରିବେ ଯେ, ଯାହାକୁ ଆପଣ ନାରୀର ଘରୁ ବାହାରକୁ ଆସି ଭିଡ଼ ସୃଷ୍ଟି କରିବା ବୋଲି କହୁଛନ୍ତି, ସତରେ ଯଦି କେତେବେଳେ ଘଟେ, ତେବେ ସେତେବେଳେ ଦେଶର କାମ ହେବ । ନ ହେଲେ କେବଳ ମାତ୍ର ପୁରୁଷମାନଙ୍କ ଭିଡ଼ରେ ଶୁଖିଲା ବାଲିପରି ସବୁ ଝଡ଼ି ପଡ଼ିବ, କୌଣସି ଦିନ ଜମାଟ ଧରିବ ନାହିଁ ।

ଅପୂର୍ବ ମନେ ମନେ ଲଜ୍ଜା ପାଇ କହିଲା–କିନ୍ତୁ ଏଥିରେ କଣ ଦୁର୍ନୀତି ବଢ଼ିବ ନାହିଁ ? ଚରିତ୍ର କଳୁଷିତ ହେବାର ଭୟ ନାହିଁ ?

ସୁମିତ୍ରା କହିଲେ–ଭୟ କଣ ଭିତରେ କମ୍‌ ଥାଏ ? ଅପୂର୍ବବାବୁ, ଏଟା ବାହାରକୁ ଆସିବାର ଦୋଷ ନୁହେଁ, ଦୋଷ ବିଧାତାର-ଯେ ନରନାରୀ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଅନୁରାଗର ଆକର୍ଷଣ ଦେଇଛନ୍ତି, ତାଙ୍କର । ଅପୂର୍ବବାବୁ, ମନ ମଧ୍ୟରେ ସାମାନ୍ୟ ବିନୟସହ ଅନ୍ୟାନ୍ୟ ଦେଶ ପ୍ରତି ଚାହିଁ ଦେଖନ୍ତୁ ତ ?

ଏହି ମନ୍ତବ୍ୟ ଶୁଣି ଅପୂର୍ବ ଖୁସି ହୋଇ ପାରିଲା ନାହିଁ; ବରଞ୍ଚ ଟିକିଏ ତୀବ୍ରତାସହ କହିଉଠିଲା-ଅନ୍ୟ ଦେଶର କଥା ଅନ୍ୟ ଦେଶ ଭାବୁ । ମୁଁ ମୋ ନିଜ ଦେଶର କଲ୍ୟାଣ ଚିନ୍ତାକରି ପାରିଲେ ଯଥେଷ୍ଟ ମନେ କରିବି । ଆପଣ ମତେ କ୍ଷମା କରିବେ, ଏଠାରେ ମୁଁ କିନ୍ତୁ ଗୋଟାଏ ଜିନିଷ ଲକ୍ଷ୍ୟ ନ କରି ରହିପାରିଲି ନାହିଁ । ତା ହେଉଚି–ବିବାହିତ ଜୀବନ ପ୍ରତି ଆପଣମାନଙ୍କର ଆସ୍ଥା ନାହିଁ; ଏପରି କି ନାରୀତ୍ଵର ଯାହା ଚରମ ଉତ୍କର୍ଷ, ସେ ସତୀତ୍ଵ ଓ ପତିବ୍ରତା ଧର୍ମକୁ ବି ଆପଣମାନେ ଅବହେଳାର ଚକ୍ଷୁରେ ଦେଖନ୍ତି । ଏହା ଦ୍ଵାରା କଣ ଦେଶର କଲ୍ୟାଣ ହେବ ?

ସୁମିତ୍ରା କ୍ଷଣକାଳ ତା ମୁହଁକୁ ଚାହିଁ ସକୌତୁକ ସ୍ନିଗ୍‌ଧ କଣ୍ଠରେ କହିଲେ–ଅପୂର୍ବବାବୁ, ଆପଣ ରାଗି ଏ କଥା କହୁଛନ୍ତି, ନ ହେଲେ ମୁଁ ତ ଠିକ୍‌ ଏଇ ଭାବ ପ୍ରକାଶ କରି ନଥିଲି । ତେବେ ଆପଣ ଯେ ସମ୍ପୂର୍ଣ୍ଣ, ଭୁଲ ବୁଝିଛନ୍ତି ତା ନୁହେଁ । ଯେଉଁ ସମାଜରେ କେବଳ ପୁତ୍ରାର୍ଥେ ଭାର୍ଯ୍ୟା ଗ୍ରହଣର ବିଧି ଅଛି, ନାରୀ ହୋଇ ମୁଁ ତ ତାକୁ ଶ୍ରଦ୍ଧା-ଚକ୍ଷୁରେ ଦେଖିପାରିବି ନାହିଁ । ଆପଣ ସତୀତ୍ଵର ଚରମ ଉତ୍କର୍ଷର ବଡ଼ାଇ କରୁଛନ୍ତି; କିନ୍ତୁ ଏ ଦେଶରେ ବିବାହର ବ୍ୟବସ୍ଥା ଯାହା, ସେଥିରେ ଏ ଦେଶରେ ତାହା ବଡ଼ ନୁହେଁ, ବରଂ ଛୋଟ । ସତୀତ୍ଵ ତ କେବଳ ଦେହରେ ପର୍ଯ୍ୟବସିତ ନୁହେଁ ଅପୂର୍ବବାବୁ, ମନରେ ବି ତ ଦରକାର ? କାୟମନରେ ଭଲ ପାଇ ନ ପାରିଲେ ତ ଏହା ଉଚ୍ଚସ୍ତରରେ ପହଞ୍ଚି ହେବ ନାହିଁ ? ଆପଣ କଣ ସତରେ ମନେକରନ୍ତି ଯେ ମନ୍ତ୍ର ପଢ଼ି ବିବାହ ଦେଇଦେଲେ ଯେକୌଣସି ନାରୀ ଯେକୌଣସି ପୁରୁଷକୁ ଭଲ ପାଇପାରେ ? ଏ କଣ ପୋଖରୀର ପାଣି ଯେ, ଯେକୌଣସି ପାତ୍ରରେ ଢାଳି ମୁହଁ ବନ୍ଦ କଲେ ଚଳିଯିବ ?

ଅପୂର୍ବ ହଠାତ୍‌ କଥା କହିବାକୁ ନ ପାଇ କହିଲା–କିନ୍ତୁ ଚିରକାଳ ଚଳି ତ ଯାଉଥିଲା.....

ସୁମିତ୍ରା ତା କଥା ଶୁଣି ହସି ମୁଣ୍ଡ ହଲାଇ କହିଲେ–ତା ଯାଉଛି । ‘ପ୍ରାଣାଧିକ ସ୍ଵାମୀ' ବୋଲି ସମ୍ବୋଧନ କରିବାରେ ବାଧା ନାହିଁ ଏବଂ କର୍ତ୍ତବ୍ୟବୋଧରେ ଶ୍ରଦ୍ଧା, ଭକ୍ତି କରିବା ପାଇଁ ବି ଅଟକେ ନାହିଁ । ବସ୍ତୁତଃ ଘରକରଣା ପାଇଁ ଏହାଠାରୁ ବେଶି ପ୍ରୟୋଜନ ନାହିଁ । ଆପଣ ତ ପଢ଼ିଥିବେ, କୌଣସି ଜଣେ ଋଷିପୁତ୍ର ଦୁଧ ବଦଳରେ ଚାଉଳ ଭଜା ବତୁରାଇ ପାଣି ପିଇ ବେଶ୍‌ ଆରାମରେ ଚଳିଯାଉଥିଲେ; କିନ୍ତୁ ଆରାମ ଯାହା ହେଉ ନା କାହିଁକି, ଯାହା ନୁହେଁ, ତାକୁ ତା ବୋଲି ଗର୍ବ କରିବା ତ ଉଚିତ ନୁହେଁ !

ଏହି ଆଲୋଚନା ଅପୂର୍ବକୁ ଖୁବ୍‌ ଖରାପ ଲାଗୁଥିଲା; କିନ୍ତୁ ଏଥର ବି ସେ ଜବାବ୍‌ ଦେଇ ନ ପାରି କହିଲା–ଆପଣ କଣ କହିବାକୁ ଚାହାନ୍ତି ଯେ ଏହାଠାରୁ ଅଧିକ କାହା ଭାଗ୍ୟରେ ଜୁଟେ ନାହିଁ ?

ସୁମିତ୍ରା କହିଲେ–ନା, ତା ମୁଁ ଅବଶ୍ୟ କହୁନି । କାରଣ ସଂସାରରେ ଦୈବାତ୍‌ ବୋଲି ତ ଗୋଟାଏ ଶବ୍ଦ ଅଛି ।

 

ଅପୂର୍ବ କହିଲା–ଓଃ..... ଦୈବାତ୍‌ ! ଯଦି ଆପଣଙ୍କ କଥା ସତ ହୋଇଥାଏ, ତେବେ ବି ମୁଁ କହିବି, ସମାଜର ମଙ୍ଗଳ ପାଇଁ, ଉତ୍ତରପୁରୁଷର କଲ୍ୟାଣ ପାଇଁ, ଆମମାନଙ୍କର ଏଇ ଭଲ ।

 

ସୁମିତ୍ରା ସେହିପରି ଶାନ୍ତ ଅଥଚ ଦୃଢ଼କଣ୍ଠରେ କହିଲେ–ନା ଅପୂର୍ବବାବୁ, ସମାଜ ଏବଂ ଆପଣଙ୍କ ଉତ୍ତରପୁରୁଷ, କାହାର ଏହାଦ୍ଵାରା ଶେଷ ପର୍ଯ୍ୟନ୍ତ ଭଲ ହେବନାହିଁ । ସମାଜ ଏବଂ ବଂଶର ନାଁରେ ବ୍ୟକ୍ତିକୁ ଦିନେ ବଳି ଦିଆଯାଉଥିଲା, କିନ୍ତୁ ତାର ଫଳ ଭଲ ହେଲାନି–ଆଜି ତା ଅଚଳ । ଭଲ ପାଇବାର ସବୁଠାରୁ ବଡ଼ ପ୍ରୟୋଜନ ଉତ୍ତରପୁରୁଷ ପାଇଁ ନ ହେଲେ ଏପରି ଭୟାନକ ସ୍ନେହର ବ୍ୟବସ୍ଥା ତା ମଝିରେ ସ୍ଥାନ ପାଆନ୍ତା ନାହିଁ । ଏହି ବ୍ୟର୍ଥ ବିବାହିତ ଜୀବନର ମୋହ ନାରୀକୁ କାଟିବାକୁ ହେବ । ତାକୁ ବୁଝେଇବାକୁ ହେବ–ଏଥିରେ ଲଜ୍ଜା ଅଛି, ଗୌରବ ନାହିଁ-

 

ଅପୂର୍ବ ବ୍ୟାକୁଳ ହୋଇ କହିଲା–କିନ୍ତୁ ଭାବି ଦେଖନ୍ତୁ, ଆପଣମାନଙ୍କର ଏଇ ଶିକ୍ଷାଦ୍ଵାରା ଆମର ସୁନିୟନ୍ତ୍ରିତ ସମାଜରେ କିପରି ଅଶାନ୍ତି ଓ ବିପ୍ଳବ ଆସି ପହଞ୍ଚିବ ।

 

ସୁମିତ୍ରା କହିଲେ–ହେଲା ବା ବିପ୍ଳବ ! ଅଶାନ୍ତି ଓ ବିପ୍ଳବ ମାନେ ତ ଅକଲ୍ୟାଣ ନୁହେଁ । ଯେ ରୁଗ୍‌ଣ, ଜୀର୍ଣ୍ଣ, ଜରାଗ୍ରସ୍ତ-ସେଇ କେବଳ ଉତ୍କଣ୍ଠିତ ସତର୍କତାସହ ନିଜକୁ ଆଗୁଳି ରଖେ କାଳେ ତା ଦେହରେ କୌଣସି ଦିଗରୁ ଧକ୍‌କା ବାଜିଯିବ ଏଇ ଭୟରେ । ଅନୁକ୍ଷଣ ଏଇ ଭୟରେ ସେ ଶିହରିତ ହୋଇଉଠେ, ଟିକିଏ ହଲ୍‌ଚଲ୍‌ ହେଲେ ତାର ପ୍ରାଣବାୟୁ ଆଖିର ପଲକରେ ବାହାରିଯିବ । ଆଉ ଏପରି ଅବସ୍ଥା ଯେଉଁ ସମାଜର ହେଉ ନା, ତାର ଗୋଟାଏ ଶେଷ ପରୀକ୍ଷା ! ଦୁଇଦିନ ଆଗ ପଛରେ କଣ ଏମିତି ଗୋଟାଏ କ୍ଷତି ହୋଇଯିବ ?

 

ଅପୂର୍ବ ଏ କଥାର ଆଉ ଜବାବ୍‌ ଦେଇନାହିଁ, ଚୁପ୍‌ହୋଇ ରହିଲା । ସୁମିତ୍ରା ନିଜେ ବି କିଛି ସମୟ ମୌନରହି କହିଲେ–ଋଷିପୁତ୍ର ଉପମା ଦେଇ ହୁଏତ ଆପଣଙ୍କୁ ମୁଁ ବ୍ୟଥା ଦେଲି; କିନ୍ତୁ ଯେ ବ୍ୟଥା ଆପଣଙ୍କର ପାଇବାର ଥିଲା, ସେଥିରୁ ମୁଁ ଆପଣଙ୍କୁ ରକ୍ଷାକରନ୍ତି କିପରି ?

 

ତାଙ୍କ କଥାର ଶେକ୍ଷାଂଶ ଅପୂର୍ବ ବୁଝି ପାରିଲା ନାହିଁ; କିନ୍ତୁ ବିରକ୍ତିର ପାତ୍ର ତାର ପୂର୍ଣ୍ଣ ହୋଇ ଯାଇଥିଲା । ସେଥିପାଇଁ ପ୍ରତ୍ୟୁତ୍ତରରେ ସେ କହିଲା–ଜଗନ୍ନାଥଙ୍କ ବଡ଼ଦାଣ୍ଡ ଉପରେ ଠିଆ ହୋଇ ବହୁ ଖ୍ରୀଷ୍ଟାନ୍‌ ମିଶନାରୀ ଯାତ୍ରୀମାନଙ୍କୁ ଅନେକ ହଇରାଣ କରନ୍ତି । ତେବେ ବି ସେଇ ପଙ୍ଗୁ ଜଗନ୍ନାଥଙ୍କୁ ତ୍ୟାଗ କରି କେହି ହାତଓୟାଲା ଖ୍ରୀଷ୍ଟଙ୍କୁ ଭଜନ୍ତି ନାହିଁ । ଏଇ ପଙ୍ଗୁକୁ ନେଇ ଯେ ସେମାନେ କାମ ଚଳେଇନିଅନ୍ତି, ଏଇ ଆଶ୍ଚର୍ଯ୍ୟ !

 

ସୁମିତ୍ରା ରାଗିଲେ ନାହିଁ, ହସି ହସି କହିଲେ–ସଂସାରରେ ଆଶ୍ଚର୍ଯ୍ୟ ଅଛି ବୋଲି ତ ମନୁଷ୍ୟର ବଞ୍ଚିବା ଅସମ୍ଭବ ହୋଇ ଉଠେନା ଅପୂର୍ବବାବୁ ! ଯେଉଁମାନେ ଆଖି ଦୋଷରୁ ରଙ୍ଗ ବାରିପାରନ୍ତି ନାହିଁ, ଗଛର ପତ୍ର ଯେ ସମସ୍ତେ ସବୁଜ ଦେଖିପାରନ୍ତି, ଏ କଥା ସେମାନେ ଜାଣନ୍ତି ବି ନାହିଁ । ତେବେ ସେ ଲୋକେ ତାକୁ ସବୁଜ କହନ୍ତି, ଏଇଟା କଣ କମ୍‌ ଆଶ୍ଚର୍ଯ୍ୟ ବିଷୟ ! ସତୀତ୍ଵର ପ୍ରକୃତ ମୂଲ୍ୟ ବୁଝିଥିଲେ କଣ......

 

‘‘ସୁମିତ୍ରା !’’ ଯେଉଁ ଲୋକଟି ନିଃଶବ୍ଦରେ ଏତେ ସମୟ ବସି ଲେଖୁଥିଲା, ସେ ଉଠି ଠିଆହେଲା । ସମସ୍ତେ ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲେ ।

 

ଅପୂର୍ବ ଦେଖିଲା–ଗିରୀଶ ମହାପାତ୍ର ।

 

ଭାରତୀ ତାର କାନରେ ଚୁପ୍‌କରି କହିଲା–ଏଇ ଆମର ଡାକ୍ତର । ଉଠି ଠିଆ ହୁଅନ୍ତୁ ।

 

କଳ-କଣ୍ଢେଇ ପରି ଅପୂର୍ବ ଉଠି ଠିଆହେଲା; କିନ୍ତୁ କ୍ରୁଦ୍ଧ ମନୋହରର ଶେଷ କଥାଗୁଡ଼ା ତାର ଆଖି ଆଗରେ ନାଚି ଯାଇ ତା ଦେହର ରକ୍ତ ଶୀତଳ ହୋଇଗଲା ।

 

ଗିରୀଶ ପାଖକୁ ଆସି କହିଲେ–ଆପଣ ବୋଧହୁଏ ମତେ ଭୁଲି ଯାଇ ନାହାନ୍ତି । ମତେ ଏମାନେ ଡାକ୍ତର ବୋଲି ଡାକନ୍ତି–ଏହା କହି ସେ ହସିଲେ ।

 

ଅପୂର୍ବ ହସି ପାରିଲା ନାହିଁ, କିନ୍ତୁ ଆସ୍ତେ ଆସ୍ତେ କହିଲା–କକାବାବୁଙ୍କ ଖାତାରେ ଆଉ କଣ ଗୋଟାଏ ଭୟଙ୍କର ନାଁ ଲେଖାଅଛି.....

 

ଗିରୀଶ ସହସା ତାର ଦୁଇହାତକୁ ନିଜ ହାତ ଭିତରକୁ ଟାଣି ଆଣି ଚୁପ୍‌କରି କହିଲେ–ସବ୍ୟସାଚୀ ତ ? ଏହା କହି ପୁଣି ହସି କହିଲେ–କିନ୍ତୁ ରାତି ହୋଇଯାଉଛି ଅପୂର୍ବବାବୁ, ଚାଲନ୍ତୁ, ଆପଣଙ୍କୁ ଟିକିଏ ଆଗେଇ ଦେଇ ଆସେ । ବାଟଟା ସେତେ ଭଲ ନୁହେଁ । ପଠାଣ ୱାର୍କମ୍ୟାନ୍‌ମାନଙ୍କର ମଦ ଖାଇଲେ କାଣ୍ଡଜ୍ଞାନ ରହେନା, ଚାଲନ୍ତୁ । ଏହା କହି ସେ ଏକପ୍ରକାର ଜୋର୍‌କରି ତାକୁ ଘର ଭିତରୁ ବାହାରକୁ ନେଇ ଆସିଲେ ।

 

ସୁମିତ୍ରାକୁ ନମସ୍କାର କରି ହେଲା ନାହିଁ, ଭାରତୀକୁ ପଦେ କଥା ବି କହି ହେଲା ନାହିଁ–କିନ୍ତୁ ସବୁଠାରୁ ଯେଉଁ ଜିନିଷଟା ଅପୂର୍ବକୁ ବେଶି ଆଘାତ ଦେଉଥିଲା, ସେଟା ହେଉଛି ଏଇ ବନ୍ଧେଇ ଖାତାଟା-ଯେଉଁଥିରେ ତା ନାଁଟା ଲେଖା ରହିଲା ।

 

କିଛିବାଟ ଆଗେଇବା ପରେ ଅପୂର୍ବ ସୌଜନ୍ୟତା ପ୍ରକାଶପୂର୍ବକ କହିଲା–ଆଉ ଆପଣଙ୍କର ଏଇ ଅସୁସ୍ଥ ଶରୀରରେ ମୋ ସାଥିରେ ଆସିବା ଦରକାର ନାହିଁ । ଏଇ ତ ସିଧା ରାସ୍ତାଟା ଯାଇ ବଡ଼ ରାସ୍ତାରେ ମିଶିଯାଇଛି-ମୁଁ ଅନାୟାସରେ ଯାଇ ପାରିବି ।

 

ଡାକ୍ତର ଚାଲୁ ଚାଲୁ ସାମାନ୍ୟ ହସି କହିଲେ–ଅନାୟାସରେ ଆସିଥିଲେ ବୋଲି କଣ ଅନାୟାସରେ ଯାଇ ପାରିବେ ଅପୂର୍ବ ବାବୁ ? ସେତେବେଳେ ସନ୍ଧ୍ୟାରେ ଯେଉଁ ରାସ୍ତାଟା ସହଜ ଥିଲା, ବର୍ତ୍ତମାନ ରାତିରେ ବେକାର ପଠାଣ ଗୁଣ୍ଡା ଓ କାଫ୍ରୀ ମିଶି ସେଇଟାକୁ ରୀତିମତ କଷ୍ଟସାଧ୍ୟ କରିଦେବେଣି । ଚାଲନ୍ତୁ, ଆଉ ଠିଆହୋଇ ଲାଭ ନାହିଁ ।

 

ଅପୂର୍ବ ବୁଝିପାରି କହିଲା–ସେମାନେ କଣ କରିବେ ? ମାଡ଼ ଦେବେ ?

 

ଡାକ୍ତର କହିଲେ–ନିଶ୍ଚୟ । ମଦ ପାଇଁ ଅନ୍ୟ ମୁଣ୍ଡରେ ହାତ ବୁଲାଇବାକୁ ସେମାନେ ନିଶ୍ଚୟ ମରାମରି କରିବାକୁ ବାଦ୍‌ ଦେବେନି । ଏଇ ଯେମିତି ଆପଣଙ୍କ ସୁନାଘଡ଼ିଟା, ଅନ୍ୟ କାହା ପକେଟକୁ ଗଲେ ଆପଣ ଆପତ୍ତି କରିବାର ସମ୍ଭାବନା ଅଛି । ତା ପରର ଘଟଣା ଅତି ସ୍ଵାଭାବିକ ।

 

ଅପୂର୍ବ ଭୟରେ କହିଲା–ଏଇଟା ତ ମୋ ବାପାଙ୍କ ଘଡ଼ି !

 

ଡାକ୍ତର କହିଲେ–ସେମାନେ କ’ଣ ତା ବୁଝିବେ ? କିନ୍ତୁ ଆଜି ତାଙ୍କୁ ବୁଝିବାକୁ ହେବ ।

 

ଅର୍ଥାତ୍‌ ?

 

ଅର୍ଥାତ୍‌ ଆଜି ୟା ବଦଳରେ କାହାର ମଦ ଖାଇବାର ସୁବିଧା ହେବନି ।

 

ଅପୂର୍ବ କିଛି ସମୟ ଚୁପ୍‌ ରହି ସନ୍ଦେହ କଣ୍ଠରେ କହିଲା–ବରଂ ଚାଲନ୍ତୁ, ଆଉ କୌଣସି ବାଟରେ ବୁଲି ଯିବା ।

 

ଡାକ୍ତର ତା ମୁହଁକୁ ଚାହିଁ ଖିଲ୍‌ଖିଲ୍‌ ହସି ଉଠିଲେ । ପ୍ରାୟ କୌଣସି ମହିଳାର ସ୍ନିଗ୍‌ଧ କୌତୁକପୂର୍ଣ୍ଣ ହସ ଭଳି । କହିଲେ–ବୁଲିକରି ? ଏଇ ଦି’ପ୍ରହର ରାତିରେ ? ନା ନା, ତାର କୌଣସି ଆବଶ୍ୟକତା ନାହିଁ । ଚାଲନ୍ତୁ ! ସେ ଧୀରେ ଅପୂର୍ବର ଡାହାଣ ହାତକୁ ସାମାନ୍ୟ ଚାପ ଦେଇ ଆଗକୁ ଟାଣିନେଲେ । ଅପୂର୍ବର ବହୁଦିନର ଜିମ୍‌ନାଷ୍ଟିକ, କ୍ରିକେଟ୍‌ ହକି ଖେଳରେ ସିଦ୍ଧ ହାଇଟା ମଟ୍‌ମଟ୍‌ ଡାକିଲା ।

 

ଅପୂର୍ବ ହାତ ଛଡ଼ାଇ ନେଇ କହିଲା–ବର୍ତ୍ତମାନ ବୁଝିଲି, ଚାଲନ୍ତୁ । ସେ ସାମାନ୍ୟ ହସିବାର ଚେଷ୍ଟାକରି କହିଲା–ସେଦିନ କକା ଆପଣଙ୍କ କଥା କହିଲାବେଳେ ଥଟ୍ଟା କରି କହିଲେ ଯେ, ଏଇ ମହାପୁରୁଷଙ୍କର ସମ୍ବର୍ଦ୍ଧନା ପାଇଁ ଆମକୁ ବହୁ ଲୋକଙ୍କୁ ସମାବେଶ କରିବାକୁ ହୁଏ । କାରଣ ଆମର ଗୁପ୍ତ ରେକର୍ଡ଼ ଅନୁଯାୟୀ, ସେ କୃପା କଲେ ପାଞ୍ଚ ସାତଜଣ ପୁଲିସ୍‌ ଅଫିସରଙ୍କୁ ଖାଲି ଚଟକଣା ମାରି ସେମାନଙ୍କର ଭବଲୀଲା ଶେଷ କରି ଦେଇ ପାରନ୍ତି । କକାବାବୁଙ୍କ କଥା ଶୁଣି ଆମେ ସବୁ ସେଦିନ ଖୁବ୍‌ ହସିଥିଲୁ; କିନ୍ତୁ ବର୍ତ୍ତମାନ ମନେ ହେଉଛି ଯେ ବୋଧହୁଏ ଏତେଗୁଡ଼ାଏ ହସିବା ଠିକ୍‌ ହୋଇ ନାହିଁ । ଆପଣ ଇଚ୍ଛାକଲେ ବୋଧହୁଏ ପାରିବେ ।

 

ଡାକ୍ତରଙ୍କ ମୁହଁର ପରିବର୍ତ୍ତନ ଦେଖାଗଲା । ସେ କହିଲେ–ଆପଣଙ୍କ କକାଙ୍କର ଏଇଟା ଅତିଶୟୋକ୍ତି; କିନ୍ତୁ ‘ଆମେ’ ସବୁ କିଏ କିଏ ?

 

ଅପୂର୍ବ କହିଲା–ମୁଁ ଓ ତାଙ୍କର ଜଣେ ଦୁଇଜଣ କର୍ମଚାରୀ ।

 

ଓଃ, ଏଇମାନେ-କହି ଡାକ୍ତର ନିଃଶ୍ଵାସ ତ୍ୟାଗକଲେ । ଅପୂର୍ବ ଏହାର ଅର୍ଥ ବୁଝିଲା ଏବଂ କିଛିସମୟ ପାଇଁ ସେ କିଛି କଥା କହିପାରିଲା ନାହିଁ । ରାସ୍ତାଟା ଆଜି କିନ୍ତୁ ସହଜ ଥିଲା; କାରଣ ଯାହାହେଲେ ବି ଉପରୋକ୍ତ କୌଣସି ବ୍ୟକ୍ତି ବାଟରେ ଦେଖାଦେଲେ ନାହିଁ । ନିର୍ଜନ ଗଳିଟା ନିଃଶବ୍ଦରେ ପାରହେଲା ପରେ ସେମାନେ ବଡ଼ ରାସ୍ତାକୁ ପାଖେଇ ଯିବାରୁ ଅପୂର୍ବ କହିଲା–ଏଥର ବୋଧହୁଏ ମୁଁ ନିର୍ଭୟରେ ଯାଇ ପାରିବି । ଧନ୍ୟବାଦ ।

 

ଡାକ୍ତର ସ୍ଵଳ୍ପାଲୋକିତ ପ୍ରଶସ୍ତ ରାଜପଥକୁ ବହୁଦୂର ପର୍ଯ୍ୟନ୍ତ ଚାହିଁ ଧୀରେ ଧୀରେ କହିଲେ–ପାରିବେ ବୋଧହୁଏ ।

 

ଅପୂର୍ବ ନମସ୍କାର କରି ବିଦାୟ ନେଲାବେଳକୁ କୌତୁହଳ ସମ୍ବରଣ ନ କରିପାରି କହିଲା–ଆଚ୍ଛା ସବ୍ୟ.....

 

ନା ନା, ସବ୍ୟ ନୁହେଁ, ସବ୍ୟନୁହେଁ–ଡାକ୍ତରବାବୁ ।

 

ଅପୂର୍ବ ସାମାନ୍ୟ ଲଜ୍ଜିତ ହୋଇ କହିଲା–ଆଚ୍ଛା ଡାକ୍ତରବାବୁ, ଆମର ସୌଭାଗ୍ୟ ଯେ ବାଟରେ କେହି ନଥିଲେ; କିନ୍ତୁ ଧରନ୍ତୁ ସେମାନେ ଯଦି ଦଳରେ ବେଶି ଥାଆନ୍ତେ, ତେବେ କଣ ସତରେ କିଛି ଭୟ କରିବାର ନ ଥିଲା ?

 

ଡାକ୍ତର କହିଲେ–ସେମାନେ ସର୍ବାଧିକ ଦଶଜଣରୁ ବେଶି ଦଳରେ ପ୍ରାୟ ନଥାନ୍ତି ।

 

ଅପୂର୍ବ କହିଲା–ଦଶଜଣ ? ଅର୍ଥାତ୍‌ ଦଶଜଣ ଥିଲେ ବି କ’ଣ ଭୟ କରିବାର କିଛି ନଥିଲା ?

 

ଡାକ୍ତର ସାମାନ୍ୟ ହସି କହିଲେ–ନା ।

 

ବଡ଼ ରାସ୍ତା ଉପରକୁ ଆସି ଅପୂର୍ବ ପଚାରିଲା–ଆଚ୍ଛା ବାସ୍ତବିକ୍‌ କଣ ଆପଣଙ୍କ ପିସ୍ତଲର ଲକ୍ଷ୍ୟ ଭୁଲ ହୁଏନା ।

 

ଡାକ୍ତର ସେଇଭଳି ହସି ହସି କହିଲେ–ନା । କିନ୍ତୁ କାହିଁକି କହନ୍ତୁ ତ ? ମୋ ପାଖେ ତ ପିସ୍ତଲ ନାହିଁ ।

 

ଅପୂର୍ବ କହିଲା–ସେଇଟା ନ ଆଣି ଏକୁଟିଆ ଆସିଛନ୍ତି-ଅଶ୍ଚର୍ଯ୍ୟ ! ରାତି, ଅନ୍ଧାର-ରାସ୍ତାରେ ଗୋଟାଏ ପୁଲିସ୍‌ ବି ନାହିଁ–ଆଲୁଅ ତ ନାହିଁ କହିଲେ ଚଳେ । ଆଚ୍ଛା ଡାକ୍ତର ବାବୁ, ମୋ ବସାଟା ଏଠୁ ପ୍ରାୟ କୋଶେ ହେବ, ନୁହେଁ ?

 

ଡାକ୍ତର କହିଲେ–ହେବ ବୋଧହୁଏ !

 

ଅପୂର୍ବ କହିଲା–ତାହେଲେ, ନମସ୍କାର ! ଆପଣଙ୍କୁ ଅନେକ କଷ୍ଟ ଦେଲି–କହି ଚାଲିବାକୁ ଅଗ୍ରସର ହୋଇ ପୁଣି କହିଲା–ଆଚ୍ଛା, ସେମାନେ ତ ଆଗରେ କୌଣସି ଜାଗାରେ ଅପେକ୍ଷା କରି ଥାଇପାରନ୍ତି ?

 

ଡାକ୍ତର କହିଲେ–କିଛି ବିଚିତ୍ର ନୁହେଁ ।

 

ଅପୂର୍ବ କହିଲା–ହଉ ନମସ୍କାର ! କିନ୍ତୁ ଦେଖନ୍ତୁ, ଯେଉଁଠି ଅସଲ ଦରକାର ସେଠି ପୁଲିସ୍‌ର ଛାଇ ପର୍ଯ୍ୟନ୍ତ ବି ନାହିଁ । ଏଇ ସେମାନଙ୍କର କର୍ତ୍ତବ୍ୟଜ୍ଞାନ; ଆଉ ଏଇଥିପାଇଁ ଆମେ ଟ୍ୟାକ୍‌ସ ଦେଇ ଦେଇ ମରୁ । ସବୁ ବନ୍ଦ କରିଦେବା ଉଚିତ, ନା କଣ କହୁଛନ୍ତି ?

ସେଥିରେ ଆଉ ସନ୍ଦେହ କଣ ଥାଇପାରେ ? –ଡାକ୍ତର କହିଲେ ।

ଆଚ୍ଛା ଚାଲନ୍ତୁ, ମୁଁ କଥାବାର୍ତ୍ତା କରି ଆଉ କିଛିବାଟ ଯାଏ ।

ଅପୂର୍ବ ଲଜ୍ଜିତ ହୋଇ ଆସ୍ତେ ଆସ୍ତେ କହିଲା–ମୁଁ ବଡ଼ ଭୟାଳୁ ଡାକ୍ତରବାବୁ, ମୋର ମୋଟେ ସାହସ ନାହିଁ । ଆଉ କିଏ ହୋଇଥିଲେ । ଅନାୟାସରେ ଯାଇ ପାରିଥାନ୍ତା, ଆପଣଙ୍କୁ ଏତେ ରାତିରେ କଷ୍ଟ ଦେଇ ନ ଥାନ୍ତା ।

ତାର ଏଇ ବିନୟ ନମ୍ର ନିରଭିମାନ ସତକଥାରେ ଡାକ୍ତର ନିଜେ ଲଜ୍ଜିତ ବୋଧ କଲେ-। ସ୍ନେହରେ ତା କାନ୍ଧରେ ହାତ ରଖିଲେ । –ସାଙ୍ଗରେ ଯିବାପାଇଁ ତ ମୁଁ ଆସିଛି, ଅପୂର୍ବବାବୁ-! ନହେଲେ ପ୍ରେସିଡେଣ୍ଟ ମୋତେ ଆସିଲାବେଳେ ଏ ଜିନିଷଟା ଦେଇ ନ ଥାନ୍ତେ; କହି ସେ ବାଁ ହାତରେ ଧରି ଠେଙ୍ଗୁଣିଟା ଦେଖାଇଲେ ।

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ କହିଲା–ସୁମିତ୍ରା ? ସେ କଣ ଆପଣଙ୍କୁ ବି ଆଦେଶ ଦିଅନ୍ତି ?

ଡାକ୍ତର ହସିଲେ, କହିଲେ–ନିଶ୍ଚୟ ।

ଅପୂର୍ବ କହିଲା–କିନ୍ତୁ ସେ ତ ସାଙ୍ଗରେ ଅନ୍ୟ ଲୋକ ବି ଦେଇପାରିଥାନ୍ତେ ।

ଡାକ୍ତର କହିଲେ–ତା ମାନେ ସମସ୍ତେ ଦଳବାନ୍ଧି ଆସିବା । ତା ଅପେକ୍ଷା ବରଂ ଏ ଅନେକ ସହଜ । ଚାଲୁଚାଲୁ କଥାବାର୍ତ୍ତା ବି ଚାଲିଥିଲା । ଡାକ୍ତର କହିଲେ–ସୁମିତ୍ରା ଆମ ଦଳର ନେତ୍ରୀ । ତାଙ୍କୁ ସବୁ ଆଡ଼କୁ ଦେଖିଚାହିଁ କାମ କରିବାକୁ ହୁଏ । ଯେଉଁଠି ଛୁରୀ ଖଣ୍ଡା, ହାତହତିଆରର କାରବାର, ସେଠିକି ଯାହାକୁ ମନ ତାକୁ ତ ପଠେଇ ହେବନି । ମୁଁ ନ ଥିଲେ ଆଜି ଆପଣଙ୍କୁ ରହିବାକୁ ପଡ଼ିଥାନ୍ତା-ସେ କୌଣସି ମତେ ଛାଡ଼ନ୍ତେ ନାହିଁ ।

ଅପୂର୍ବ ଭୟରେ ଶିହରି ଉଠି କହିଲା–କିନ୍ତୁ ଏଇ ବାଟରେ ତ ଆପଣ ଏକାକୀ ଫେରିବେ ।

ଡାକ୍ତର କହିଲେ–ନିଶ୍ଚୟ ।

ଅପୂର୍ବ ଆଉ କିଛି ପଚାରିଲା ନାହିଁ । ସେମାନଙ୍କର ଆଲୋଚନା କାଳେ ପୂର୍ବୋକ୍ତ କୌଣସି ଗୁଣ୍ଡାକୁ ଆକୃଷ୍ଟ କରିପାରେ, ଏ କଥା ତାର ମନେହେଲା । ସେ ଏକମନ ହୋଇ ରାସ୍ତାକୁ ଚାହିଁ ଚାହିଁ ଆଗେଇବାରେ ଲାଗିଲା । ପନ୍ଦର ମିନଟ୍‌ ଏଇଭଳି ଚାଲି ସହର ଭିତରେ ପ୍ରବେଶ କଲାପରେ ସେ କହିଲା–ଡାକ୍ତରବାବୁ, ମୋ ବସା ତ ଆଉ ବେଶି ଦୂର ନୁହେଁ; ଆଜି ରାତିଟା ସେଠି ରହିଲେ ବା କ୍ଷତି କଣ ?

 

ଡାକ୍ତର ତା କଥା ଶୁଣି ହସି ହସି କହିଲେ–କ୍ଷତି ତ ଅନେକ ଜିନିଷରେ ହୁଏନା, ଅପୂର୍ବବାବୁ ! କିନ୍ତୁ ବିନା ପ୍ରୟୋଜନରେ କୌଣସି କାମ କରିବା ପାଇଁ ମୋତେ ବାରଣ ଅଛି । ପ୍ରୟୋଜନ ନଥିଲେ ବି ମୋତେ ଫେରିଯିବାକୁ ହେବ ।

 

ଆପଣମାନେ କ’ଣ ବିନା ପ୍ରୟୋଜନରେ କିଛି କରନ୍ତି ନାହିଁ ?

ନା । ଆଚ୍ଛା, ମୁଁ ତାହେଲେ ବିଦାୟ ନିଏ, ଅପୂର୍ବବାବୁ !

ଅପୂର୍ବ ଅତିକ୍ରାନ୍ତ ପଥ ପ୍ରତି ଦୃଷ୍ଟିପାତ କରି ଏଇ ବାଟରେ ଏ ଲୋକଟିକୁ ଏକୁଟିଆ ଫେରିବାକୁ ହେବ ଭାବି ଥରିଉଠିଲା । ସେ କହିଲା–ଡାକ୍ତରବାବୁ, ମଣିଷର ମର୍ଯ୍ୟାଦା ରକ୍ଷାକରିବା କ’ଣ ଆପଣଙ୍କ ପାଇଁ ବାରଣ ?

ଡାକ୍ତର ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ହଠାତ୍‌ ଏ କଥା କାହିଁକି ଉଠିଲା ?

ଅପୂର୍ବ କ୍ଷୂର୍ଣ୍ଣ ହୋଇ କହିଲା–ତା ଛଡ଼ା ଆଉ କଣ କହନ୍ତୁ ! ମୁଁ ଭୟାଳୁ, ଦଳ ଦଳ ଗୁଣ୍ଡାଙ୍କ ଭିତରେ ଏକୁଟିଆ ଯିବାର ସାହସ ମୋର ନାହିଁ; କିନ୍ତୁ ମୋତେ ନିରାପଦରେ ଛାଡ଼ିଦେଇ ସେଇ ବିପଦ ଭିତରେ ଆପଣ ଯଦି ଏକୁଟିଆ ଫେରିଯାନ୍ତି, ତାହେଲେ ମୁଁ କଣ ମୁହଁ ଦେଖାଇପାରିବି ?

ଡାକ୍ତର ତତ୍‌କ୍ଷଣାତ୍‌ ସ୍ନେହରେ ତାର ଦୁଇହାତ ଧରିପକାଇ କହିଲେ–ଆଚ୍ଛା ଚାଲନ୍ତୁ ତେବେ । ଆଜି ରାତିରେ ଆପଣଙ୍କ ବସାରେ ଅତିଥି ହେବି; କିନ୍ତୁ ଏସବୁ ହାଙ୍ଗାମା ନେବା କଣ ଭଲ ଭାଇ ?

କଥାଟା ଅପୂର୍ବ ଠିକ୍‌ ବୁଝି ପାରିଲିନି; କିନ୍ତୁ କେତେ ପାଦ ଆଗେଇଲା ପରେ ହଠାତ୍‌ ଡାକ୍ତରଙ୍କୁ ଚାହିଁ କହିଲା–ଆପଣଙ୍କ ଯୋତା ଯୋଗୁଁ ବୋଧହୁଏ କଷ୍ଟ ହେଉଛି ଡାକ୍ତର ବାବୁ ! ଆପଣ କାହିଁକି ଛୋଟଉଛନ୍ତି ?

ଡାକ୍ତର ସାମାନ୍ୟ ହସି କହିଲେ–ନା, ସେ କିଛି ନୁହେଁ । ସହର ବଜାରରେ ମୋ ପାଦଟା କେମିତି ଛୋଟେଇ ହୋଇଯାଏ । ଗିରୀଶ ମହାପାତ୍ରର ଚାଲି ମନେ ନାଇଁ ? ଅପୂର୍ବ ହଠାତ୍‌ ଠିଆ ହୋଇଗଲା । କହିଲା–ଆପଣଙ୍କର ଆସିବା ଦରକାର ନାଇଁ, ଡାକ୍ତରବାବୁ !

ଡାକ୍ତର ସେଇଭଳି ହସି ହସି କହିଲେ–କିନ୍ତୁ ଆପଣଙ୍କର ମର୍ଯ୍ୟାଦା ?

ଅପୂର୍ବ କହିଲା–ଆପଣଙ୍କ ପାଖେ ମୋର ମର୍ଯ୍ୟାଦା ବା କି ତୁଚ୍ଛ ? ପଦଧୂଳି ସଙ୍ଗେ ବି ସମାନ ନୁହେଁ । ଆପଣଙ୍କ ଛଡ଼ା ପୃଥିବୀରେ ଏତେ ବଡ଼ ସାହସ ବା କା’ର ଅଛି ?

ଏଇ ଡାକ୍ତରଙ୍କ ବ୍ୟକ୍ତିଗତ ଜୀବନ ଇତିହାସ ସହ ଅପୂର୍ବର ପ୍ରତ୍ୟକ୍ଷ ପରିଚୟ ନାହିଁ । ଥିଲେ ସେ ଏଇ କ୍ଷୁଦ୍ର ଘଟଣାକୁ ନେଇ ଏଭଳି ଉଚ୍ଛ୍ୱାସ ପ୍ରକାଶ କରିବାକୁ ଲଜ୍ଜିତ ହୋଇଥାନ୍ତା ନିଶ୍ଚୟ । ସମୁଦ୍ର ନିକଟରେ ଗୋଷ୍ପଦ ଭଳି ଏଇତକ ରାସ୍ତା ଏକୁଟିଆ ଯିବା ଏହି ଲୋକଟି ପକ୍ଷରେ ବା କି ଗୋଟାଏ ଦୁରୂହ କାର୍ଯ୍ୟ ! ପୁଲିସ ଯାହାକୁ ସବ୍ୟସାଚୀ ବୋଲି କହେ, ଦଶ ବାରଜଣ ଗୁଣ୍ଡା ସେ ଲୋକର ବାଟ ଉଗାଳି ବା କଣ କରିପାରିବେ ।

ଡାକ୍ତର ହାସ୍ୟ ଗୋପନ କରି ନିରୀହ କଣ୍ଠରେ କହିଲେ–ଆଚ୍ଛା, ତାହେଲେ ଚାଲନ୍ତୁ ଉଭୟେ ଫେରିଯିବା ? ମୋତେ ଏକୁଟିଆ ଦେଖି କିଏ ଆକ୍ରମଣ କରିପାରେ; ଆପଣ ପାଖରେ ଥିଲେ ତ ଆଉ ସାହସ କରିବନି ?

ଅପୂର୍ବ ଅନିଶ୍ଚିତ ଭାବରେ କହିଲା–ଆଉ ଥରେ ଫେରିବା ?

ଡାକ୍ତର କହିଲେ–କ୍ଷତି କଣ ? ମୁଁ ଏକୁଟିଆ ଯିବାର ଆଶଙ୍କା ରହିବନି ।

ମୁଁ ରହିବି କେଉଁଠି ?

ଅଫିସରୁ ଫେରି ଅପୂର୍ବ କିଛି ଜଳଖିଆ ଖାଇନି; ତାକୁ ଭୀଷଣ ଭୋକ ହେଲାଣି । ସେ ଟିକିଏ ଦୋଦୋପାଞ୍ଚ ହୋଇ କହିଲା–ଦେଖନ୍ତୁ, ମୁଁ ଏଯାଏଁ କିଛି ଖାଇନି । ଆଚ୍ଛା, ନ ହେଲେ ଆଜି କଥା...

ଡାକ୍ତର ହସି ହସି କହିଲେ–ଚାଲନ୍ତୁ ନା, ଭାଗ୍ୟ ପରୀକ୍ଷା କରି ଦେଖାଯାଉ । କିନ୍ତୁ ଗୋଟାଏ କଥା, ତେୱାରୀ ବିଚରା ଖୁବ୍‌ ଚିନ୍ତିତ ହୋଇପଡ଼ିବ ।

ତେୱାରୀ କଥା ମନେପଡ଼ିବାରୁ ଅପୂର୍ବର ହଠାତ ହିଂସ୍ର ପ୍ରତିଶୋଧର ବାସନା ପ୍ରବଳ ହୋଇଉଠିଲା । ସେ ରାଗରେ କହିଲା–ମରୁ ସେ, ଚାଲନ୍ତୁ ଫେରିଯିବା । ଏହା କହି ସେ ଫେରିପଡ଼ି ପୂର୍ବ ରାସ୍ତାରେ ଚାଲିଲା । ଏଥର କିନ୍ତୁ ତା ମନରେ ଆଉ ଭୟ ନ ଥିଲା । ପୁଲିସ୍‌ ଥାନା ପାର ହେଲାବେଳେ ହଠାତ୍‌ ସେ ପଚାରିଲା–ଡାକ୍ତରବାବୁ, ଆପଣ କଣ ଆନାର୍କିଷ୍ଟ ?

ଡାକ୍ତର ଅନ୍ଧାରରେ ତା ମୁହଁକୁ ତୀକ୍ଷ୍‌ଣ ଦୃଷ୍ଟିପାତ କରି ପଚାରିଲେ–ଆପଣଙ୍କ କକା କଣ କହନ୍ତି ?

ଅପୂର୍ବ କହିଲା–ସେ କହନ୍ତି ଯେ ସବ୍ୟସାଚୀ ଜଣେ ଭୟଙ୍କର ଆନାର୍କିଷ୍ଟ ।

ମୁଁ ଯେ ସବ୍ୟସାଚୀ–ଏ ସମ୍ପର୍କରେ କ’ଣ ଆପଣ ସନ୍ଦେହମୁକ୍ତ ?

ହଁ ।

ଆନାର୍କିଷ୍ଟ କହିଲେ ଆପଣ କ’ଣ ବୁଝନ୍ତି ?

ଅପୂର୍ବ ଏ ପ୍ରଶ୍ନର ଜବାବ୍‌ ସଙ୍ଗେ ସଙ୍ଗେ ଦେଇପାରିଲା ନାହିଁ । ଟିକିଏ ଭାବିଚନ୍ତି କହିଲା–ରାଜଦ୍ରୋହୀ ଅର୍ଥାତ୍‌ ରଜାଙ୍କର ଶତ୍ରୁ ।

ଡାକ୍ତର କହିଲେ–ଆମର ରାଜା ଏ ଦେଶରେ ରହନ୍ତି ନାହିଁ, ରହନ୍ତି ବିଲାତରେ । ଲୋକେ କହନ୍ତି–ସେ ଅତିଶୟ ଭଦ୍ର । ମୁଁ ତାଙ୍କୁ କେତେବେଳେ ଆଖିରେ ଦେଖିନି; ସେ ବି ଆମର ଲେଶମାତ୍ର କ୍ଷତି କରିନାହାନ୍ତି । ତେଣୁ ତାଙ୍କ ପ୍ରତି ମୋର ଶତ୍ରୁତା କାହିଁକି ଆସିବ ଅପୂର୍ବବାବୁ ?

ଅପୂର୍ବ କହିଲା–କିନ୍ତୁ ଯେଉଁମାନଙ୍କର ଆସେ, କାହିଁକି ବା ଆସେ କହନ୍ତୁ ? ସେ ତ ସେମାନଙ୍କର ବି କିଛି କ୍ଷତି କରିନାହାନ୍ତି ।

ଡାକ୍ତର କହିଲେ–ତେଣୁ ଆପଣ ଯାହା କହୁଚନ୍ତି, ସେସବୁ ଏ ଦେଶରେ ହୁଏନା, ଏକବାରେ ମିଛକଥା ।

ତାଙ୍କର କଣ୍ଠର ଦୃଢ଼ତା ଓ ଅସ୍ଵୀକାରର ତୀବ୍ରତା ଦେଖି ଅପୂର୍ବ ଚମକିଗଲା । ଅବିଶ୍ଵାସ କରିବାପାଇଁ ତାର ସାହସ ହେଲାନି । କିନ୍ତୁ ଦେଶରେ ସେଭଳି କିଛି ଗୋଟାଏ ନିଶ୍ଚୟ ଅଛି; ପିଲାଦିନେ ସେଇ ସ୍ପର୍ଶ ଯୋଗୁଁ ସେ ବହୁତ ହଇରାଣ ହୋଇଛି । ବାପା ଡେପୁଟୀ ମାଜିଷ୍ଟ୍ରେଟ୍‌ ନ ଥିଲେ ଘଟଣା କେଉଁଠିକି ଯେ ଗଡ଼ି ଯାଇଥାନ୍ତା, ତା ସେ ବଡ଼ ହେଲା ପରେ ବହୁବାର ଅନୁଭବ କରିଚି । ଟିକିଏ ଭାବି କହିଲା–ରାଜା ନ ହୁଅନ୍ତୁ, ରାଜକର୍ମଚାରୀମାନଙ୍କ ବିରୁଦ୍ଧରେ ଯେ ଷଡ଼ଯନ୍ତ୍ର ଚାଲିଛି, ଏ ତ ଆଉ ମିଛ ନୁହେଁ ?

 

ଡାକ୍ତର ଅନେକ ସମୟ ଧରି ନୀରବ ରହିଲେ । ତା ପରେ ଆସ୍ତେ ଆସ୍ତେ କହିଲେ–କର୍ମଚାରୀମାନେ ରାଜାଙ୍କର ଭୃତ୍ୟ, ଦରମା ପାଆନ୍ତି ହୁକୁମ ପାଳନ କରିବା ପାଇଁ । ଜଣେ ଗଲେ ଆଉ ଜଣେ ଆସେ, ଏଇଟା ମୋଟ କଥା । କିନ୍ତୁ ଏଇ କଥାକୁ ଜଟିଳ ଓ ସୂକ୍ଷ୍ମ କରି ମଣିଷ ଯେତେବେଳେ ଦେଖେ, ସେତେବେଳେ ଭୁଲ୍‌ କରେ । ସେଇଥିପାଇଁ ସେମାନଙ୍କୁ ଆଘାତ କଲେ ରାଜଶକ୍ତିର ମୂଳରେ ଆଘାତ ବୋଲି ଆତ୍ମପ୍ରବଞ୍ଚନା ଜାତ ହୁଏ । ଏତେବଡ଼ ମାରାତ୍ମକ ବ୍ୟର୍ଥତା ଆଉ କେଉଁଠି ନାହିଁ ।

ଅପୂର୍ବ ଚୁପ୍‌ ରହି ପୁଣି ପଚାରିଲା–କିନ୍ତୁ ଏଇ ବ୍ୟର୍ଥ କାମ କରିବା ପାଇଁ ଭାରତବର୍ଷରେ କଣ ଲୋକ ନାହାନ୍ତି ?

ଡାକ୍ତର ଶାନ୍ତସ୍ଵରରେ କହିଲେ–ଥାଇପାରନ୍ତି ହୁଏତ ।

କିନ୍ତୁ ଅପୂର୍ବ ସହସା ଆଗ୍ରହାନ୍ଵିତ ହୋଇ ପଚାରିଲା–ଆଚ୍ଛା ଡାକ୍ତରବାବୁ, ଏମାନେ ସବୁ ଆଜିକାଲି କେଉଁଠି ଅଛନ୍ତି ? ସେମାନେ କଣ କରୁଛନ୍ତି ?

ଡାକ୍ତର ତାର ଔତ୍ସୁକ୍ୟ ଓ ବ୍ୟଗ୍ରତା ଦେଖି ସାମାନ୍ୟ ହସିଲେ କେବଳ ।

ଅପୂର୍ବ କହିଲା–ହସିଲେ ଯେ !

ଡାକ୍ତର ସେଇଭଳି ହସି ହସି କହିଲେ–ଆପଣଙ୍କର କକା ଥିଲେ କିଛି ବୁଝିଥାନ୍ତେ ଅବା-। ଆପଣଙ୍କର ବିଶ୍ଵାସ ଯେ ମୁଁ ଆନାର୍କିଷ୍ଟମାନଙ୍କର ଜଣେ ନେତା । ତେଣୁ ମୋ ମୁହଁରୁ ଏ ପ୍ରଶ୍ନର ଜବାବ୍‌ କ’ଣ ଆଶା କରାଯାଏ ?

ନିଜର ବୁଦ୍ଧିହୀନତାର ଏଇ ସ୍ପଷ୍ଟ ପ୍ରମାଣରେ ଅପୂର୍ବ ଅପ୍ରତିଭ ହେଲା । ତା ମନରେ ରାଗ ବି ହେଲା । କହିଲା–ଆଶା କରିବା ସମ୍ପୂର୍ଣ୍ଣ ଅନୁଚିତ ହୋଇଥାନ୍ତା; ଯଦି ଆପଣମାନେ ମୋତେ ଆଜି ସଭ୍ୟ କରି ନ ନେଇଥାନ୍ତେ । ସଭ୍ୟମାନଙ୍କର ଏ କଥା ଜାଣିବାର ଅଧିକାର ଅଛି, ଆପଣ ବୋଧହୁଏ ଅସ୍ଵୀକାର କରିବେ ନାହିଁ । ଏ ତ ପିଲାଖେଳ ନୁହେଁ, ୟାର ଦାୟିତ୍ଵ ଭୀଷଣ ।

 

‘‘ଦାୟିତ୍ଵ ନିଶ୍ଚୟ ଅଛି ।’’ ଡାକ୍ତର ସେମିତି ହସି ହସି ଉତ୍ତର ଦେଲେ । ଏଇ ସହଜ କଥାଟା ଅପୂର୍ବକୁ ବ୍ୟଙ୍ଗୋକ୍ତି ଭଳି ମନେହେଲା । ବିଦ୍ରୋହୀ ଦଳର ଖାତାରେ ଯାହା ନାଁ ରହିଲା, ତାକୁ ଏଇ ଯଥାର୍ଥ ଉତ୍ତର ? ୟାଠୁ ବେଶି ଜାଣିବାର ପ୍ରୟୋଜନ ତାର ନାହିଁ । ମନେ ମନେ ଭୀତ ଓ କ୍ରୋଦ୍ଧ ହୋଇ ସେ ଭୁଲ ବୁଝିବାକୁ ଆରମ୍ଭ କଲା । କିନ୍ତୁ ଏଇ ଭୁଲ ସଂଶୋଧନ କରି ପରବର୍ତ୍ତୀ ଅନେକ ସମୟରେ ସେ ଦେଖିଛି-କୌଣସି ଅବସ୍ଥାରେ କୌଣସି କାରଣରୁ ଏଇ ଲୋକର ମୁହଁର ହସ ବା କଣ୍ଠସ୍ଵର ଉଦ୍‌ବେଗ ବା ଉତ୍ତେଜନାରେ କେବେ ଚଞ୍ଚଳ ହୋଇଉଠେନା ।

 

ନିଃଶବ୍ଦ ଗମ୍ଭୀରଭାବେ ଅପୂର୍ବ ଡାକ୍ତରଙ୍କର ଏଇ କଥାକୁ ହଜମ କରି ଆଗେଇଲା; କିନ୍ତୁ ଅଧିକ ସମୟ ରହିପାରିଲା ନାହିଁ । ତିକ୍ତ ସ୍ଵରରେ କହିଲା–ଦଳର ଖାତାରେ ତ ତରତରରେ ନାଁ ଲେଖିଦେଲେ ହୁଏନା, ତାର ଫଳାଫଳ ବୁଝେଇ ଦେବାକୁ ହୁଏ ।

 

ସେ କଥା କ’ଣ ସେମାନେ ବୁଝେଇ ନାହାନ୍ତି ?

 

ଅପୂର୍ବ କହିଲା–ମୋଟେ ନୁହେଁ । ‘ଚଲାପଥର ଦାବୀ’; କିନ୍ତୁ ଦାବୀର ଦାୟିତ୍ଵ କେତେ, କିଏ ଜାଣେ ଏବଂ ଆପଣ ବି ତ ସେଠି ଥିଲେ, ନାଁ ଲେଖିବା ପୂର୍ବରୁ ଆପଣଙ୍କର ତ ଜାଣିବା ଉଚିତ ଥିଲା ମୋର ଯଥାର୍ଥ ମତାମତ କ’ଣ ?

 

ଡାକ୍ତର ସାମାନ୍ୟ ଲଜ୍ଜିତ ବୋଧକରି କହିଲେ–ଝିଅମାନେ କଣ ଗୋଟାଏ ଅନୁଷ୍ଠାନ କରିଛନ୍ତି, ସେମାନେ ଜାଣନ୍ତୁ କାହାକୁ ସଭ୍ୟ କରିବେ ଏବଂ କାହାକୁ କରିବେନି । ମୁଁ ହଠାତ୍‌ ଜୁଟିଯାଇଛି ମାତ୍ର । ବାସ୍ତବିକ୍‌ ମୁଁ ଏମାନଙ୍କ ସଭା ସମ୍ପର୍କରେ ବିଶେଷ କିଛି ଜାଣେନା ।

 

ଅପୂର୍ବ ଭାବିଲା । ଇଏ ବି ଥଟ୍ଟାର କଥା । ଉତ୍କଣ୍ଠା ଓ ଆଶଙ୍କାରେ ସମସ୍ତ ଘଟଣାଟା ତାକୁ ଅତ୍ୟନ୍ତ ଅସୁନ୍ଦର ବୋଧ ହେଉଥିଲା; ସେ ନିଜକୁ ସମ୍ବରଣ କରି ପାରିଲା ନାହିଁ । ରାଗରେ ଜଳିଉଠି କହିଲା–କାହିଁକି ଛଳନା କରୁଛନ୍ତି ଡାକ୍ତରବାବୁ ! ସୁମିତ୍ରାଙ୍କୁ ପ୍ରେସିଡେଣ୍ଟ କରନ୍ତୁ ବା ଆଉ ଯାହାକୁ କରନ୍ତୁ, ଦଳ ଆପଣଙ୍କର ଏବଂ ଆପଣ ଯେ ସବୁକିଛି, ସେଥିରେ ଲେଶମାତ୍ର ସନ୍ଦେହ ନାହିଁ । ପୁଲିସ ଆଖିରେ ଧୂଳିଦେଇ ପାରନ୍ତି; କିନ୍ତୁ ମତେ ଫାଙ୍କିଦେଇ ପାରିବେ ନାହିଁ ।

 

ତା କଥା ଶୁଣି ଡାକ୍ତର ଅକୃତ୍ରିମ ବିସ୍ମୟରେ ଚକ୍ଷୁ ବିସ୍ଫାରିତ କରି କହିଲେ–ମୋ ଦଳମାନେ ଆନାର୍କିଷ୍ଟ ଦଳ ତ ! ଆପଣ ମିଛରେ ଶଙ୍କିତ ହେଉଛନ୍ତି ଅପୂର୍ବବାବୁ, ଆପଣଙ୍କର ମୂଳରୁ ଭୁଲ୍‌ ହୋଇଛି । ସେମାନଙ୍କର ଜୀବନ ମୃତ୍ୟୁ ସଙ୍ଗେ ଖେଳ, ସେମାନେ ଆପଣଙ୍କ ଭଳି ଭୟାଳୁ ଲୋକକୁ ଦଳରେ ନେବେ କାହିଁକି ? ସେମାନେ କ’ଣ ପାଗଳ ?’’

 

ଅପୂର୍ବ ଲଜ୍ଜିତ ହେଲା; କିନ୍ତୁ ତା ଛାତି ଉପରୁ ଗୋଟାଏ ବଡ଼ ଓଜନ ଓହ୍ଲାଇଗଲା ।

 

ଡାକ୍ତର କହିଲେ– ‘ଚଲାପଥର ଦାବୀ’ ନାଁରେ ସୁମିତ୍ରା ଏଇ ଛୋଟ ଦଳଟି ପ୍ରତିଷ୍ଠା କରିଛନ୍ତି । ଜୀବନଯାତ୍ରାରେ ମଣିଷର ବାଟ ଚାଲିବାର ଅଧିକାର ଯେ କେତେ ମହାନ୍‌ ଓ ପବିତ୍ର, ଏଇ ବଡ଼ ସତ୍ୟଟା ମଣିଷ ଭୁଲିଯାଇଛି । ଆପଣମାନେ, ଅର୍ଥାତ୍‌ ଯେଉଁମାନେ ଦଳର ସଭ୍ୟ, ସେମାନେ ଜୀବନସାରା ଏଇ କଥା ମଣିଷକୁ ସ୍ମରଣ କରାଇଦେବେ । ସୁମିତ୍ରା ଅନୁରୋଧ କଲେ ଯେ, ମୁଁ ସେ କେତେଦିନ ଏଇଠି ଅଛି, ତାଙ୍କ ଦଳଟିକୁ ଯେଭଳି ଗଢ଼ି ଦେବି । ମୁଁ ରାଜି ହେଲି, ୟା ଛଡ଼ା ଆପଣମାନଙ୍କ ସହ ମୋର କୌଣସି ସମ୍ବନ୍ଧ ନାହିଁ । ଆପଣମାନେ ହେଲେ ସମାଜ ସଂସ୍କାରକ; ମୋର ସମାଜ ସଂସ୍କାର କରି ବୁଲିବାର ସମୟ ନାହିଁ, ଧୈର୍ଯ୍ୟ ବି ନାହିଁ । ହୁଏତ କିଛିଦିନ ଅଛି, ହୁଏତ କାଲି ବି ଚାଲିଯାଇପାରେ । ବଞ୍ଚିଛି କି ନାହିଁ, ଏଇତକ ଖବର ହୁଏତ ଆପଣଙ୍କ କାନରେ ପହଞ୍ଚି ନ ପାରେ ।

 

କଥାଗୁଡ଼ିକ ଶାନ୍ତ, ଧୀର-ଉଚ୍ଛ୍ୱାସ ବା ଆବେଗ ନାହିଁ । ଏ ବ୍ୟକ୍ତି ଯେ ହେଉ, ସବ୍ୟସାଚୀର ଯେ ବିବରଣ ଅପୂର୍ବ କଳାଙ୍କଠାରୁ ଶୁଣିଥିଲା, ତା ହଠାତ୍‌ ତାର ମନେ ପଡ଼ିଲା ।

 

କିଛି ସମୟ ପରେ ସେ ପଚାରିଲେ–ଡାକ୍ତର ବାବୁ, ସୁମିତ୍ରା କିଏ ? ଆପଣ ତାଙ୍କୁ ଜାଣିଲେ କେମିତି ?

 

ଉତ୍ତରରେ ଡାକ୍ତର ହସିଲେ କେବଳ । ଉତ୍ତର ନ ପାଇ ଅପୂର୍ବ ବୁଝିଲା ତାର ଏ କୌତୁହଳ ସଙ୍ଗତ ନୁହେଁ । ଏଇ ଅଳ୍ପ ସମୟ ଭିତରେ ଏଇ ନବପରିଚିତ ବନ୍ଧୁ, ସମାଜର ବୈଚିତ୍ର୍ୟ ସେ ଲକ୍ଷ୍ୟ କରିଥିଲା । ତେଣୁ ଭାରତୀ ସମ୍ପର୍କରେ ପ୍ରବଳ କୌତୁହଳ ହେଲେ ବି ସେ କିଛି ନ ପଚାରି ମୌନ ରହିଲା । ପ୍ରାୟ ପାଞ୍ଚମିନିଟ୍‌ ଏଇପରି କଟିଲା ପରେ ଡାକ୍ତର ପ୍ରଥମେ କଥା ଆରମ୍ଭ କରି କହିଲେ–ଆପଣଙ୍କ ସୁବିଧା ପାଇଁ ବୋଧହୁଏ ଆଜି ରାସ୍ତା ସମ୍ପୂର୍ଣ୍ଣ ନିରାପଦ । ଏମିତି ପ୍ରାୟ ହୁଏନା–କିନ୍ତୁ କଣ ଭାବୁଛନ୍ତି ?

 

ଅପୂର୍ବ କହିଲା–ଅନେକ କଥା ଭାବୁଛି । ଆଚ୍ଛା, ଆପଣ କହିଲେ, ମଣିଷର ନିର୍ବିଘ୍ନରେ ବାଟ ଚାଲିବାର ଅଧିକାର ଅଛି, ଏଇ ଯେମିତି ଆମେ ନିର୍ବିଘ୍ନରେ ଚାଲିଛେ-ନା କଣ ?

ଡାକ୍ତର ହସି ଉଠି କହିଲେ–ଏମିତି କଣ ଗୋଟାଏ ହେବ ବୋଧହୁଏ ।

ଅପୂର୍ବ କହିଲା–ସେଇ ଯେ ସ୍ତ୍ରୀଲୋକଟି ସ୍ଵାମୀ ପରିତ୍ୟାଗ କରି ସମିତିର ସଭ୍ୟ ହେବା ପାଇଁ ଆସିଛନ୍ତି, ସେଟା ମୁଁ ଠିକ୍‌ ବୁଝିପାରିଲି ନାହିଁ ।

ଡାକ୍ତର କହିଲେ–ମୁଁ ବି ଯେ ଠିକ୍‌ ବୁଝିଛି ତା କହିପାରିବିନି । ଏ ସବୁ ଘଟଣା ସୁମିତ୍ରା ବୁଝନ୍ତି ।

ଅପୂର୍ବ ପଚାରିଲା–ତାଙ୍କର ବୋଧହୁଏ ସ୍ଵାମୀ ନାହାନ୍ତି ? ଡାକ୍ତର ଚୁପ୍‌ ରହିଲେ । ଅପୂର୍ବକୁ ଲଜ୍ଜା ଓ କ୍ଷୋଭର ସହ ପୁଣି ସ୍ମରଣ କରିବାକୁ ହେଲା ଯେ ଅହେତୁକ ଔତ୍ସୁକ୍ୟର ସେ ଉତ୍ତର ଦେବେ ନାହିଁ । ଏଇ କଥା ଭାବି ସେ ଡାକ୍ତରଙ୍କ ମୁହଁକୁ ଚାହିଁ ହଠାତ୍‌ ବିସ୍ମିତ ହୋଇଗଲା । ଅଳ୍ପ ଦୂରରେ ଥିବା ବତିଖୁଣ୍ଟରୁ ଗୋଟାଏ କ୍ଷୀଣ ଆଲୋକରେଖା ମୁହଁରେ ପଡ଼ିଥିଲା । ଅପୂର୍ବ ସ୍ପଷ୍ଟ ଦେଖିବାକୁ ପାଇଲା ସେ ଏଇ ଭୟଙ୍କର ସତର୍କ ଲୋକଟିର ଆଖିରେ ଏକ ଅଦ୍ଭୁତ ଦୃଷ୍ଟିଭଙ୍ଗୀ-ଏଇ ମୁହୂର୍ତ୍ତରେ ସେ ଯେମିତି ସବୁକିଛି ଭୁଲି କଣ ଗୋଟାଏ ମନେ ମନେ ଖୋଜୁଚନ୍ତି ।

ଅପୂର୍ବ ଆଉ ପଚାରିଲା ନାହିଁ, ନୀରବରେ ଚାଲିବାକୁ ଲାଗିଲା । କିନ୍ତୁ ପ୍ରାୟ ଦୁଇ ତିନି ମିନଟ୍‌ ପରେ ଅକସ୍ମାତ୍‌ ହସି ଉଠି ଡାକ୍ତର କହିଲେ–ଦେଖନ୍ତୁ ଅପୂର୍ବ ବାବୁ, ଆପଣଙ୍କୁ ମୁଁ ସତ କହୁଛି; ଝିଅମାନଙ୍କର ଏଇ ପ୍ରେମ-ବିବାହ ବିରହ ଜନିତ ଘଟଣା ମୁଁ କିଛି ବୁଝିପାରେ ନା । ବୁଝିବାକୁ ଚେଷ୍ଟା କଲେ ବି ବୃଥା ସମୟ ନଷ୍ଟ । ମୋର ବା ସମୟ କାହିଁ ?

ଏହା ଅପୂର୍ବର ପ୍ରଶ୍ନର ଉତ୍ତର ନୁହେଁ, ତେଣୁ ସେ ଚୁପ୍‌ରହିଲା ।

ଡାକ୍ତର କହିଲେ–ଭାରି ମୁସ୍କିଲ କଥା, ଏମାନଙ୍କୁ ବାଦ୍‌ଦେଲେ କାମ ଚଳେନା, ଏଣେ ନେଲେ ବି ଅସୁବିଧା ।

ମନ୍ତବ୍ୟ ବି ଅସଂଲଗ୍ନ । ଅପୂର୍ବ ନିରୁତ୍ତର ରହିଲା ।

କଣ ହେଲା ? କଥା କହୁନାହାନ୍ତି ଯେ ?

ଅପୂର୍ବ କହିଲା–କ’ଣ ବା କହିବି ?

ଡାକ୍ତର କହିଲେ–ଯାହା ଆପଣଙ୍କ ଇଚ୍ଛା । ଦେଖନ୍ତୁ ଅପୂର୍ବ ବାବୁ, ଏଇ ଭାରତୀଟି ବଡ଼ ଭଲ ଝିଅ । ଯେମିତି ବୁଦ୍ଧି ମତୀ, ସେମିତି କର୍ମଠ ଓ ଭଦ୍ର ।

ଅପୂର୍ବ କହିଲା–ହଁ ! ସେ ଇଚ୍ଛା କରି ପଚାରିଲା ନାହିଁ ଯେ-ଆପଣ ତାକୁ କେତେ ଦିନ ହେଲା ଜାଣିଲେ ଓ କେମିତି ଜାଣିଲେ ।

ଡାକ୍ତର କହିଚାଲିଲେ–ସେଦିନ ଆପଣଙ୍କ ପ୍ରସଙ୍ଗରେ ସେ କହୁଥିଲେ ଯେ ଆପଣ କୁଆଡ଼େ ଭୟାନକ ହିନ୍ଦୁ-ସମ୍ପୂର୍ଣ୍ଣ ରକ୍ଷଣଶୀଳ । ଭାରତୀ କହୁଥିଲେ ଯେ ଏତେ ବଡ଼ ଭୟଙ୍କର ବ୍ରାହ୍ମଣଙ୍କର ସେ ଜାତି ମାରା କରି ଦେଇଛନ୍ତି ।

 

ଅପୂର୍ବ କହିଲା–ହେଇଥିବ । ଏଇ ଭଦ୍ରଲୋକଙ୍କ ସହ ତର୍କ କରିବା ପାଇଁ ଅପୂର୍ବର ଇଚ୍ଛା ନଥିଲା । ବଡ଼ ରାସ୍ତା ପ୍ରାୟ ଶେଷ ହେଲାଣି, ଗଳିମୋଡ଼ର ସାମନାସାମନି ଆଲୁଅ ଦୁଇଟା ଦେଖାଦେଲାଣି । ଆଉ ଦଶମିନଟ୍‌ ପରେ ହୁଏତ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ହେବ । ଏଇ ସମୟରେ ଡାକ୍ତର ତାର ଘୁମନ୍ତ ମନକୁ ଜାଗ୍ରତ କଲାଭଳି ଅକସ୍ମାତ୍‌ କହିଲେ–ଅପୂର୍ବ ବାବୁ !

 

ଅପୂର୍ବ ତାଙ୍କ କଣ୍ଠର ତୀକ୍ଷ୍‌ଣତାରେ ସଚେତନ ହୋଇ କହିଲା–କ’ଣ କହନ୍ତୁ ।

 

ଡାକ୍ତର କହିଲେ–ଏ ଦେଶରେ ମୁଁ ଥିଲା ପର୍ଯ୍ୟନ୍ତ ହୁଏତ ଆପଣଙ୍କର କିଛି କାମ ନାହିଁ, କିନ୍ତୁ ମୁଁ ଗଲା ପରେ ଆପଣ ନିଃସଙ୍କୋଚରେ ସୁମିତ୍ରାଙ୍କୁ ସାହାଯ୍ୟ କରନ୍ତି ଯେଭଳି । ତାଙ୍କ ଭଳି ଲୋକ ଆପଣ ପୃଥିବୀସାରା ଖୋଜିଲେ ବି ପାଇବେ ନାହିଁ । ତାଙ୍କର ‘ଚଲାପଥର ଦାବୀ’ ଯେଭଳି ଅବହେଳାରେ ମରି ନ ଯାଏ । ଏତେବଡ଼ ଗୋଟାଏ ଆଇଡ଼ିଆ କଣ କେତେ କଣ ମହିଳା ମିଶି ସମ୍ପନ୍ନ କରିପାରିବେ । ଆପଣଙ୍କ ଏକନିଷ୍ଠ ସାହାଯ୍ୟର ଏକାନ୍ତ ପ୍ରୟୋଜନ ଏଇ ଲୋକର ଧାରଣା ଯେ ସୁମିତ୍ରା ସତରେ ଏତେ ବଡ଼ଲୋକ, ଅପୂର୍ବ ତା ପ୍ରତ୍ୟୟ କଲାନାହିଁ । କହିଲା–ଏତେବଡ଼ ଆଇଡ଼ିଆଟାକୁ ଆପଣ ବା କାହିଁକି ଛାଡ଼ି ଚାଲିଯିବେ ?

 

ଡାକ୍ତର କହିଲେ–ଅପୂର୍ବ ବାବୁ, ଯେଉଁଠି ଛାଡ଼ି ଚାଲିଯିବା ମଙ୍ଗଳ, ସେଠି ଟାଣି ଧରିବାରେ ସମସ୍ତ ଅକଲ୍ୟାଣ । ମୋର ସାହାଯ୍ୟ ଆପଣମାନଙ୍କର ଦରକାର ନାହିଁ–ଆପଣମାନେ ନିଜେ ଏଇଟାକୁ ଗଢ଼ନ୍ତୁ-ହୁଏତ ବା ଏହାଦ୍ଵାରା ଦେଶର ସବୁଠାରୁ ବଡ଼ କାମ ସାଧିତ ହେବ ।

 

ଅପୂର୍ବ କହିଲା–ନବତାରାଙ୍କ ଘଟଣାଟା ମୁଁ ଗ୍ରହଣ କରିପାରୁନି, ଡାକ୍ତର ବାବୁ !

 

ଡାକ୍ତର କହିଲେ–କିନ୍ତୁ ସୁମିତ୍ରାଙ୍କୁ ବିଶ୍ଵାସ କରିବେ । ବିଶ୍ଵାସ ପାଇଁ ଏତେବଡ଼ ମହତ୍‌କ୍ଷେତ୍ର ଆପଣ ଆଉ କେଉଁଠି ପାଇବେ ନାହିଁ । ଟିକିଏ ରହି କହିଲେ–ଆପଣଙ୍କୁ ମୁଁ ଆଗରୁ କହିଛି-ଝିଅମାନଙ୍କ ଘଟଣା ମୁଁ କିଛି ବୁଝେନା । କିନ୍ତୁ ସୁମିତ୍ରା ଯେତେବେଳେ କହନ୍ତି ଯେ ଜୀବନଯାତ୍ରାରେ ମଣିଷର ବାଟ ଚାଲିବାର ବାଧାବନ୍ଧନହୀନ ସ୍ଵାଧୀନ ଅଧିକାର ଅଛି, ସେତେବେଳେ କୌଣସି ଯୁକ୍ତି ଦେଇ ତାକୁ ରୋକି ହେବନି । କେବଳ ତ ମନୋହର ନୁହେଁ, ବହୁ ଲୋକଙ୍କ ନିର୍ଦ୍ଦିଷ୍ଟ ପଥରେ ଚାଲିଥିଲେ ନବତାରାଙ୍କ ଜୀବନ ନିର୍ବିଘ୍ନ ହୋଇଥାନ୍ତା, ଏ କଥା ମୁଁ ବୁଝେ ଏବଂ ଯେଉଁ ବାଟଟା ସେ ନିଜେ ବାଛିନେଲେ । ସେ ବାଟଟା ବି ନିରାପଦ ନୁହେଁ । କିନ୍ତୁ ନିଜେ ବିପଦ ମଝିରେ ବୁଡ଼ିରହି ମୁଁ ବା କିଭଳି ତାର ବିଚାର କରି ପାରିବି ? ସୁମିତ୍ରା କହନ୍ତି–ଜୀବନଟା ନିର୍ବିଘ୍ନରେ କଟାଇବା କଣ ମଣିଷର ଚରମ କଲ୍ୟାଣ ? ମଣିଷର ଚିନ୍ତା ଓ ପ୍ରବୃତ୍ତ ତାର କର୍ମକୁ ନିୟନ୍ତ୍ରିତ କରେ । କିନ୍ତୁ ପରର ନିର୍ଦ୍ଧାରିତ ଚିନ୍ତା ଓ ପ୍ରବୃତ୍ତିକୁ ନେଇ ସେ ଯେତେବେଳେ ତାର ନିଜ ସ୍ଵାଧୀନ ଚିନ୍ତାର ମୁହଁ ବନ୍ଦ କରେ ସେତେବେଳେ ତା’ଠୁଁ ବଳି ଆତ୍ମହତ୍ୟା ଆଉ ନାହିଁ । ଏ କଥାର ଉତ୍ତର ମୁଁ ତ ଦେଇପାରେ ନି ।

 

ଅପୂର୍ବ କହିଲା–କିନ୍ତୁ ସମସ୍ତେ ଯଦି ନିଜ ଚିନ୍ତା ଅନୁଯାୟୀ.....

 

ଡାକ୍ତର ବାଧା ଦେଇ କହିଲେ–‘‘ଅର୍ଥାତ୍‌, ସମସ୍ତେ ଯଦି ନିଜ ଖିଆଲ ଅନୁସାରେ କାମ କରିବାକୁ ଚାହାନ୍ତି ?’’ ସେ ଟିକିଏ ମୁରୁକି ହସି କହିଲେ–ତା ହେଲେ କଣ ହେବ, ଆପଣ ଦିନେ ସୁମିତ୍ରାଙ୍କୁ ପଚାରି ବୁଝିବେ । ତା ପରେ କହିଲେ–ଆଉ ତର୍କ ପାଇଁ ସମୟ ନାହିଁ, ଆମେ ପହଞ୍ଚିଗଲେଣି । ଆଉ ଦିନେ ଏ ଆଲୋଚନା ଶେଷ କରିବା ।

 

ଅପୂର୍ବ ସାମନାକୁ ଚାହିଁ ଦେଖିଲା–ସେଇ ଲାଲରଙ୍ଗର ବିଦ୍ୟାଳୟ ଓ ତାର ଦୁଇ-ମହଲାରେ ଭାରତୀର ଘରୁ ସେ ପର୍ଯ୍ୟନ୍ତ ଆଲୋକ ଦେଖାଯାଉଛି ।

 

ଡାକ୍ତର ଡାକିଲେ–ଭାରତୀ !

ଭାରତୀ ଝରକା ବାଟେ ମୁହଁଗଳାଇ କହିଲା–ବିଜୟ ସାଥିରେ ଆପଣଙ୍କର ଦେଖାହୋଇଛି ଡାକ୍ତରବାବୁ ? ଆପଣଙ୍କୁ ସେ ଡାକିବାକୁ ଯାଇଛି ।

ଡାକ୍ତର ହସି କହିଲେ–ତୁମ ପ୍ରେସିଡ଼େଣ୍ଟ୍‌ଙ୍କ ଆଦେଶ ତ ! କିନ୍ତୁ କୌଣସି ସେ ହୁକୁମ୍‌ଏତେ ରାତିରେ ତାଲିମ କରି ହେବନି । ଦେଖ, କାହାକୁ ଫେରାଇ ଆଣିଛ ।

ଭାରତୀ ଅନ୍ଧାରରେ ଠଉରେଇ କହିଲା–ଭଲ କଲେନି । ଆପଣ କିନ୍ତୁ ଶୀଘ୍ର ଯାଆନ୍ତୁ, ନରହରି ମଦ ଖାଇ ହେମର ମୁଣ୍ଡ ଫଟେଇ ଦେଇଛି-ବଞ୍ଚିବ କି ନା ସନ୍ଦେହ । ସୁମିତ୍ରା ବା ସେଇଠି ଅଛନ୍ତି ।

ଡାକ୍ତର କହିଲେ–ଭଲ ହେଲା–ମଲେ ମରୁ । କିନ୍ତୁ ଆମ ଅତିଥି ?

ଭାରତୀ କହିଲା–ସ୍ତ୍ରୀଲୋକମାନଙ୍କ ପ୍ରତି ଆପଣଙ୍କର ଅସୀମ ଅନୁଗ୍ରହ ! ହେମ ନ ହେଇ ନରହରି ହେଇଥିଲେ ଏତେବେଳକୁ ଧଇଁସଇଁ ହେଇ ଦୌଡ଼ନ୍ତେଣି !

ଡାକ୍ତର କହିଲେ–ହେଲା, ମୁଁ ଏବେ ଦୌଡ଼ିବି । କିନ୍ତୁ ଅତିଥି ?

‘‘ମୁଁ ଯାଉଛି’’ କହି ଭାରତୀ ଆଲୁଅ ନେଇ ତଳକୁ ଆସି ଦ୍ଵାର ଖୋଲିଲା । କହିଲା–ବାସ୍ତବିକ ଆଉ ଡେରି କରନ୍ତୁନି ଡାକ୍ତରବାବୁ । କିନ୍ତୁ ଅପୂର୍ବ ବାବୁ କ’ଣ ଖ୍ରୀଷ୍ଟାନ୍‌ ଆତିଥ୍ୟ ଗ୍ରହଣ କରିବେ ?

ଡାକ୍ତର ମନେ ମନେ ଟିକିଏ ବିପଦଗ୍ରସ୍ତ ହୋଇ କହିଲେ–ତେବେ ତାଙ୍କୁ ଛାଡ଼ି ମୁଁ କୁଆଡ଼େ ଯିବି ? ଡାକ୍ତରଖାନାକୁ ପଠାଇବାକୁ ବ୍ୟବସ୍ଥା କାହିଁକି କଲନି ?

ଭାରତୀ ରାଗିଯାଇ କହିଲା–ଯାହା କରିବାର କରନ୍ତୁ । ଆପଣଙ୍କ ଗୋଡ଼ ଧରୁଛି, ଆଉ ଡେରି କରନ୍ତୁ ନାହିଁ । ମୋର ଅଭ୍ୟାସ ଅଛି, ମୁଁ ଅପୂର୍ବବାବୁଙ୍କୁ ଚଳାଇନେବି । ଆପଣ ଦୟାକରି ଟିକିଏ ଶୀଘ୍ର ଯାଆନ୍ତୁ ।

ଅପୂର୍ବ । ପର୍ଯ୍ୟନ୍ତ ଚୁପ୍‌ଥିଲା । କିନ୍ତୁ ତା ପାଇଁ ଗୋଟାଏ ଲୋକ ମରିଯିବ, ଏକଥା ସେ ସହିପାରିଲା ନାହିଁ । ସେ କଣ ଗୋଟାଏ କହିବାକୁ ଯାଉଥିଲା; ଡାକ୍ତର ତା ପୂର୍ବରୁ ଅନ୍ଧାର ଭିତରେ ଅଦୃଶ୍ୟ ହୋଇଗଲେ ।

 

ବାର

 

ଭାରତୀ ତଳଘରର ଦୁଆର ବନ୍ଦ କରି ଆସୁ ଆସୁ ଅପୂର୍ବ ଉପରକୁ ଶିଡ଼ିରେ ଉଠି ଆସିଲା ଓ ଗୋଟିଏ ଆରାମ ଚଉକିରେ ଗୋଡ଼ ଲମ୍ବେଇ ପଡ଼ିଗଲା । ଆଖି ବୁଜି ସେ ଶାନ୍ତିରେ ନିଃଶ୍ଵାସ ମାରି ଶୋଇଗଲା ଓ ସେ ଯେ କେତେ ହାଲିଆ ହୋଇପଡ଼ିଛି ସେତିକିବେଳେ ଜାଣିପାରିଲା ।

 

କିଛି ସମୟ ପରେ ଭାରତୀ ଆଲୁଅ ଧରି ଆସି ପହଞ୍ଚିଲା । ଏଇ ଅନ୍ଧାର ରାତିରେ ଏକା ଘରେ ଭାରତୀ ସହ ରହିବା କଥା ଅପୂର୍ବ ମନରେ ଉଦୟ ହେବାକ୍ଷଣି ସେ ଲଜ୍ଜିତ ବୋଧକଲା ଓ ଶୋଇପଡ଼ିଥିବାର ଅଭିନୟ କଲା । ଅଥଚ ଏହା ନୂଆ ନୁହେଁ । ଏହା ପୂର୍ବରୁ ଭାରତୀ ତା ଘରେ ରାତ୍ରି ଯାପନ କରିଛି; କିନ୍ତୁ ସେ ଲଜ୍ଜିତ ବୋଧ କରିନାହିଁ । ମନେ ମନେ ଏହାର କାରଣ ଅନୁସନ୍ଧାନ କରୁ କରୁ ତାର ତେୱାରୀ କଥା ମନେ ପଡ଼ିଲା । ତେୱାରୀ ସେତେବେଳେ ମରଣାପନ୍ନ, ତାର ଜ୍ଞାନ ନ ଥିଲା ! ତଥାପି ତାର ଉପସ୍ଥିତ ମନେପଡ଼ି ସେ କେତେକାଂଶରେ ନିଜକୁ ବୁଝାଇ ପାରିଥିଲ ।

 

ଭାରତୀ ଘରେ ପହଞ୍ଚି ଅପୂର୍ବକୁ ଟିକିଏ ଚାହିଁ, ତାର ଅନ୍ୟାନ୍ୟ ଅସମ୍ପୂର୍ଣ୍ଣ କାମ ସାରିବାକୁ ଲାଗିଲା; କିନ୍ତୁ ଅପୂର୍ବକୁ ଉଠାଇଲା ନାହିଁ । ସେ ଝରକା ଦ୍ଵାରା ବନ୍ଦ କଲାବେଳେ ଯେଉଁ ଶବ୍ଦ ହେଲା ସେଥିରେ ଯେ କୌଣସି ନିଦ୍ରିତ ବ୍ୟକ୍ତି ଉଠି ବସିଥାନ୍ତା । ଅପୂର୍ବ ସେଇ ସୁଯୋଗରେ ଆଖି ମଳି ମଳି ଉଠି ବସିଲା ଓ କହିଲା–ଓଃ, ଏଇ ରାତିରେ ପୁଣି ଫେରିବାକୁ ପଡ଼ିଲା । ଭାରତୀ ଗୋଟାଏ ଝରକା ବନ୍ଦ କରୁଥିଲା, ତା ଆଡ଼କୁ ନ ଚାହିଁ କହିଲା–ଗଲା ବେଳକୁ କହିଗଲେନି କାହିଁକି-? ପଜାରୀକୁ କହି ଆପଣଙ୍କ ପାଇଁ ଖାଇବା ବ୍ୟବସ୍ଥା କରି ଦେଇଥାନ୍ତି ।

 

ଅପୂର୍ବ ତୀକ୍ଷ୍‌ଣ ସ୍ତରରେ କହିଲା–ତାର ମାନେ ? ମୁଁ କଣ ଫେରିଆସିବି ବୋଲି ଜାଣିଥିଲି ?

 

ଭାରତୀ ସହଜ ଭଙ୍ଗୀରେ କହିଲା–ନା, ମୋର ଭୁଲ୍‌ । ଖାଇବା ପାଇଁ ସେତେବେଳେ ବ୍ୟବସ୍ଥା କରିବା ଉଚିତ ଥିଲା । ଏତେ ରାତିରେ ଆଉ ହଇରାଣ ପଡ଼ି ନ ଥାନ୍ତା । ଏତେ ସମୟ ଦୁଇଜଣ କେଉଁଠି ବସିଥିଲେ ?

 

ଅପୂର୍ବ କହିଲା–ତାଙ୍କୁ ପଚାରିବେ । ତିନିକୋଣ ଯିବା ଆସିବାକୁ ବସିବା କୁହାଯିବା କଷ୍ଟ ।

 

ଭାରତୀ ସେ ପର୍ଯ୍ୟନ୍ତ ସବୁ ଝରକା ବନ୍ଦ କରି ସାରିନାହିଁ । ଛିଟ ପର୍ଦ୍ଦାଟା ଟାଣି ଦେଉ ଦେଉ ସେ ଫେରିପଡ଼ି କହିଲା–ତା ହେଲେ ଗୋଲକଧନ୍ଦାରେ ପଡ଼ି ଯାଇଥିଲେ । କେବଳ ଚାଲିବା ସାର ହେଲା । ଏହା କହି ସେ ସାମାନ୍ୟ ହସି କହିଲା–ଆଚ୍ଛା, ସନ୍ଧ୍ୟା କରିବା ଜଞ୍ଜାଳ ଅଛି ନା ଛାଡ଼ିଲେଣି ? ଯଦି ଥାଏ, ତେବେ ମୁଁ ଲୁଗା ଦେଉଛି–ପାଲଟି ପକାନ୍ତୁ । ତାପରେ କାନିରୁ ଚାବି ନେଇ ଟ୍ରଙ୍କ୍‌ଖୋଲୁ ଖୋଲୁ କହିଲା–ତେୱାରୀ ବିଚରା ଭାବି ଭାବି ସାରା ହେଇଯିବଣି । ଆଜି ତ ବୋଧହୁଏ ଅଫିସ୍‌ରୁ ବସାକୁ ମୋଟେ ଯାଇନାହାନ୍ତି ।

 

ଅପୂର୍ବ ରାଗିଯାଇ କହିଲା–ଥାଉ ଥାଉ, ଲୁଗା ବାହାର କରିବା ଦରକାର ନାହିଁ । ସନ୍ଧ୍ୟା ଆହ୍ନିକର ଜଞ୍ଜାଳ ମୋର ଯାଇନାହିଁ, ଏ ଜନ୍ମରେ ଯିବ ବୋଲି ମନେ ହୁଏନା । କିନ୍ତୁ ଆପଣଙ୍କ ଦେବା ଲୁଗାରେ ସେ କାମ ହୋଇପାରିବନି । ଥାଉ, କଷ୍ଟ କରନ୍ତୁନି ।

 

ଭାରତୀ କହିଲା–ଦେଖନ୍ତୁ, ମୁଁ କଣ ଦେଉଛି ।

 

ଅପୂର୍ବ କହିଲା–ମୁଁ ଜାଣେ ପାଟ ବା ମଠା ହୋଇଥିବ । କିନ୍ତୁ ମୋର ଦରକାର ନାହିଁ, ଆପଣ ବାହାର କରନ୍ତୁ ନାହିଁ ।

 

ସନ୍ଧ୍ୟା କରିବେନି ?

 

ନା ।

 

ଶୋଇବେ କଣ ପିନ୍ଧି ? ଏଇ ପ୍ୟାଣ୍ଟ୍‌କୋଟ୍‌ ?

 

ହଁ ।

 

ଖାଇବେନି ?

 

ନା ।

 

ସତରେ ?

 

ଅପୂର୍ବ ଖିଙ୍କାରି ହେଲା ଭଳି କହିଲା–ଆପଣ କଣ ଥଟ୍ଟା ଖେଳୁଛନ୍ତି ?

 

ଭାରତୀ ତା ମୁହଁକୁ ସିଧା ଚାହିଁ ରହି ଧୀରେ ଧୀରେ କହିଲା–ଥଟ୍ଟା ଆପଣ କରୁଛନ୍ତି ନା ମୁଁ ? ଆପଣଙ୍କର ଏଠି ଉପାସ ରହିବାର ସାଧ୍ୟ ଅଛି ? ତାପରେ ସେ ଟ୍ରଙ୍କ ଖୋଲି ଗୋଟିଏ ସୁନ୍ଦର ମଠାଶାଢ଼ି ବାହାର କରି କହିଲା–ଏଇଟା ଭାଙ୍ଗ ବି ଖୋଲିନାହିଁ–ସଂପୂର୍ଣ୍ଣ ପବିତ୍ର । ଯାଆନ୍ତୁ–ସେଇ ଛୋଟ ଘର ଭିତରକୁ ଯାଇ ଲୁଗା ପାଲଟି ଆସନ୍ତୁ । ତଳେ କଳ ଅଛି–ମୁଁ ଆଲୁଅ ଦେଖାଉଛି-। ସେଇଠି ଗୋଡ଼ ହାତ ଧୋଇ ସନ୍ଧ୍ୟା କରି ନିଅନ୍ତୁ । ବିଶେଷ କିଛି ଅପରାଧ ହେବନି-

 

ହଠାତ୍ ତାର କଥା କହିବାର ଭଙ୍ଗୀ ଏପରି ବଦଳିଗଲା ଯେ ଅପୂର୍ବ ଥତମତ ହୋଇଗଲା । ତାର ମନେପଡ଼ିଲା–ସେଦିନ ସଂଧ୍ୟାବେଳେ ଠିକ୍ ଏଇଭଳି କଥା କହି ସେ ଘରୁ ବାହାରି ଆସିଥିଲା । ଅପୂର୍ବ ହାତ ବଢ଼ାଇ କହିଲା–ଦିଅନ୍ତୁ, ଲୁଗା । ମୁଁ ନିଜେ ଆଲୁଅ ଧରି ତଳକୁ ଯାଉଛି । ମୁଁ କିନ୍ତୁ ଯାହା ତା ହାତରୁ ଭାତ ଖାଇ ପାରିବି ନାହିଁ ।

 

ଭାରତୀ ନରମ ଗଳାରେ କହିଲା–ଏଠିକାର ପୂଜାରୀ ଭଲ ବ୍ରାହ୍ମଣ । ଗରିବ ଲୋକ, ତେଣୁ ହୋଟେଲ କରିଛନ୍ତି; କିନ୍ତୁ ଅନାଚାରୀ ନୁହନ୍ତି । ନିଜେ ରାନ୍ଧନ୍ତି, କେହି ଖାଇବା ପାଇଁ ଆପତ୍ତି କରନ୍ତି ନାହିଁ । ଆମ ଡାକ୍ତରବାବୁଙ୍କ ପାଇଁ ବି ତାଙ୍କ ପାଖରୁ ଖାଇବା ଜିନିଷ ଆସେ ।

 

ଅପୂର୍ବ ତଥାପି କୁନ୍ଥକୁନ୍ଥ ହୋଇ କହିଲା–ଯାହା ତା ହାତେ ଖାଇବାକୁ ମତେ ଖୁବ୍ ଘୃଣା ଲାଗେ ।

 

ଭାରତୀ ହସି କହିଲା–ମୁଁ କଣ ଆପଣଙ୍କୁ ଯାହା ମନ ତା ଖାଇବାକୁ ଦେଇପାରିବି ?

 

ମୁଁ ନିଜେ ଠିଆ ହୋଇ ତାଙ୍କର ସବୁ ଜିନିଷ ସଜାଡ଼ି ଅଣେଇବି–ତାହେଲେ ତ ଆପତ୍ତି ନାହିଁ ?

 

ଅପୂର୍ବ ଆଉ ପ୍ରତିବାଦ ନ କରି ଆଲୁଅ ଓ ଲୁଗା ନେଇ ତଳକୁ ଚାଲିଗଲା । କିନ୍ତୁ ତା ମୁହଁ ଦେଖି ଭାରତୀର ସ୍ପଷ୍ଟ ଧାରଣା ହେଲା ଯେ ସେ ହୋଟେଲ୍‌ରୁ ଖାଇବାପାଇଁ ସଙ୍କୋଚ ବୋଧ କରୁଛି । କିଛି ସମୟ ପରେ ଭାରତୀ ଦ୍ଵାର ଖୋଲି ବାହାରକୁ ଗଲା ଓ ଅପୂର୍ବକୁ କହିଗଲା ସେ ପୂଜାରୀକୁ ନେଇ ଫେରିବାକୁ ତାର ଡେରି ହେବନାହିଁ; ସେ ଯେପରି ଦ୍ଵାର ଖୋଲି ତଳେ ଥିବ ।

 

ପ୍ରକୃତରେ ଆସିବାକୁ ବିଶେଷ ଡେରି ହେଲା ନାହିଁ । ଅପୂର୍ବର ସନ୍ଧ୍ୟା ଶେଷ ହେଉ ହେଉ ଭାରତୀ ଆଲୁଅ ଧରି ଫେରିଆସିଲା । ତା ସଙ୍ଗରେ ପୂଜାରୀ ଓ ତା ହାତରେ ଗୋଟାଏ ଥାଳି, ପିତଳରେ ଘୋଡ଼ା ହୋଇଛି । ତା ପଛେ ପଛେ ଆଉ ଜଣେ ଲୋକ ହାତରେ ପାଣି ଗ୍ଳାସ ଓ ଆସନ ଧରି ଆସିଛି । ସେ ଘରର ଗୋଟାଏ ପାଖ ପାଣି ପକାଇ ଧୋଇଦେଲା, ପୂଜାରୀ ଭାତଥାଳି ସେଇଠି ଥୋଇଲା । ସମସ୍ତେ ଯିବା ପରେ ଭାରତୀ କବାଟ ବନ୍ଦ କରି ହାତ ଯୋଡ଼ି କହିଲା–ଏ ମ୍ଳେଚ୍ଛ ଅନ୍ନ ନୁହେଁ, ସବୁ ପଇସା ଡାକ୍ତରବାବୁ ଦେଇଛନ୍ତି । ଆପଣ ନିଃସଙ୍କୋଚରେ ଗ୍ରହଣ କରନ୍ତୁ ।

 

ଭାରତୀର ଏଇ କୌତୁକପୂର୍ଣ୍ଣ ପରିହାସ ଅପୂର୍ବ ପ୍ରସନ୍ନ ଭାବେ ଗ୍ରହଣ କରି ପାରିଲା ନାହିଁ । ସେ ଜାତି ମାନେ, ଯାହା ତାହା ଛୁଆଁ ଖାଏ ନା, ହୋଟେଲ୍‌ରେ ଖାଇବା ତାର ରୁଚିବହିର୍ଗତ–କିନ୍ତୁ ତା ବୋଲି ଖାଇବାର ଦାମ୍ ମ୍ଳେଚ୍ଛ ଦେଲା କି ଶ୍ରୋତ୍ରୀୟ ବ୍ରାହ୍ମଣ ଦେଲେ, ସେ ପାର୍ଥକ୍ୟ ସେ ଦେଖେନା । ସମୟ ଅସମୟରେ ତାର ଏଇ ଆଚାରନିଷ୍ଠାକୁ ନେଇ ଭାରତୀର ଥଟ୍ଟା କରିବା ଦେଖି ଅପୂର୍ବ ଉତ୍ତ୍ୟକ୍ତ ହୋଇ ଉଠିଲା । ତଥାପି କୌଣସି ଉତ୍ତର ନ ଦେଇ ସେ ଆସନରେ ବସିଲା ଓ ଘୋଡ଼ଣୀ ଖୋଲି ଖାଇବାକୁ ଲାଗିଲା । ଭାରତୀ ସାବଧାନ ସହକାରେ ଯଥାସମ୍ଭବ ଦୂରତ୍ଵ ରକ୍ଷାକରି ଦେଖିଲା । ସେ ଖ୍ରୀଷ୍ଟାନ୍‌ବୋଲି ହୋଟେଲ୍‌ର ରନ୍ଧାଘରକୁ ଯାଇନାହିଁ–ରାତିଅଧରେ ସମସ୍ତେ ଖାଇ ସାରିଲା ପରେ ଯାହା ବଳକା ଥିଲା, ତାକୁ ଯୋଗାଡ଼ କରି ଯେ ପୂଜାରୀ ଦେଇ ଯାଇଛି, ଏକଥା ସେ ଜାଣି ନ ଥିଲା । ଘରେ ଯଥେଷ୍ଟ ଆଲୁଅ ନ ଥିଲା, ତଥାପି ଘୋଡ଼ଣୀ ଉଠାଇଲା ପରେ ଖାଦ୍ୟର ଯେଉଁ ଚେହେରା ପ୍ରକାଶ ପାଇଲା, ତା ଦେଖି ତା’ ପାଟିରୁ କଥା ବାହାରିଲା ନାହିଁ । ଅନେକ ଦିନ ସେ ଉପରଘରୁ ଅପୂର୍ବର ଖାଇବା ଲୁଚେଇ ଲୁଚେଇ ଲକ୍ଷ୍ୟ କରିଛି, ତେୱାରୀର ସାମାନ୍ୟ ତ୍ରୁଟୀ ଯୋଗୁ ଅପୂର୍ବ ଖାଇ ପାରେନା । ସେ ଯେତେବେଳେ ନିଃଶବ୍ଦରେ ଏଇ ଖାଦ୍ୟ ଖାଇବାକୁ ଲାଗିଲା, ଭାରତୀ ଆଉ ଚୁପ୍ ରହିପାରିଲା ନାହିଁ । ବ୍ୟାକୁଳ ହୋଇ କହିଲା–ଥାଉ, ଥାଉ, ୟାକୁ ଖାଇ କିଛି ଲାଭ ନାହିଁ–ଆପଣ ଏ ଜିନିଷ ଖାଇ ପାରିବେ ନାହିଁ-

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ କହିଲା–ଖାଇ ପାରିବି ନାହିଁ ? କାହିଁକି ?

 

ଭାରତୀ କେବଳ ମୁଣ୍ଡ ହଲାଇ କହିଲା–ନା, ଖାଅନ୍ତୁ ନାହିଁ ।

 

ଅପୂର୍ବ ବାଧାଦେଇ କହିଲା–ନା, ନା, ମୁଁ ଖାଇ ପାରିବି । ଏହା କହି ସେ ଭାତ ଭାଙ୍ଗିବାକୁ ଉଦ୍ୟତ ହେବାରୁ ଭାରତୀ କହିଲା–ନା, ନା, ଉଠନ୍ତୁ । ଆପଣ ପାରିଲେ ବି ମୁଁ ରାଜି ହେବିନି । ରୁଚି ନ ଥାଇ ଖାଇଲେ ଏ ବିଶେଷ ଜାଗାରେ ଦେହ ପୁଣି ଅସୁସ୍ଥ ହେବ । ସେତେବେଳେ ମତେ ଭୋଗିବାକୁ ପଡ଼ିବ, ଉଠନ୍ତୁ ।

 

ଅପୂର୍ବ ଭାତ ଛାଡ଼ି ଉଠିବାର ଉଦ୍ୟମ କଲା ଓ କହିଲା–କଣ ଖାଇବ ତାହେଲେ ? ଯାହା ପାରିବି ଏଥିରୁ ଦୁଇଟି ଖାଇନିଏ ? ଏହା କହି ସେ ଭାରତୀ ମୁହଁକୁ ଏପରି ବିକଳ ହୋଇ ଚାହିଁଲା ଯେ ଭାରତୀ ତାର ଅପରିସୀମ କ୍ଷୁଧାର ପରିଚୟ ପାଇବାକୁ ସନ୍ଦେହ ରହିଲା ନାହିଁ ।

 

ଭାରତୀ ମ୍ଳାନ ହସ ହସି କହିଲା–ମୁଁ ମରିଗଲେ ବି ଆପଣଙ୍କୁ ଏ ଖାଦ୍ୟ ଦେଇ ପାରିବି ନାହିଁ ଅପୂର୍ବବାବୁ–ହାତ ଧୋଇ ଉପରକୁ ଆସନ୍ତୁ । ମୁଁ ବରଂ ଅନ୍ୟ କିଛି ବ୍ୟବସ୍ଥା କରିବି ।

 

ଅନୁରୋଧ ଅଥବା ଆଦେଶ ଅନୁଯାୟୀ ଅପୂର୍ବ ଶାନ୍ତ ଶିଶୁଟି ଭଳି ହାତ ଧୋଇ ଉପରକୁ ଆସିଲା । ଦଶମିନିଟ୍ ମଧ୍ୟରେ ପୁନରାୟ ସେଇ ପୂଜାରୀ ଓ ତାଙ୍କ ସହଚର ଆସି ପହଞ୍ଚିଲେ । ଏଥର କିନ୍ତୁ ହାତରେ ମୁଢ଼ି, ଗରମ ଦୁଧ ଓ ସାମାନ୍ୟ ଫଳ, ଢାଳରେ ପାଣି । ଅପୂର୍ବ ମନେ ମନେ ଖୁସି ହେଲା । ଏଇ ଅଳ୍ପ ସମୟ ଭିତରେ ଏଭଳି ବ୍ୟବସ୍ଥା କରାଯାଇ ପାରେ, ସେ କଳ୍ପନା କରି ନ ଥିଲା । ସେମାନେ ଚାଲିଗଲା ପରେ ସେ ମନଖୁସିରେ ଖାଇ ବସିଲା । ଦ୍ଵାର ବାହାରେ ଭାରତୀ ଠିଆ ହୋଇ ଦେଖୁଥିଲା; ଅପୂର୍ବ କହିଲା–ଆପଣ ଆସି ଘରେ ବସନ୍ତୁ । କାଠରେ ସ୍ପର୍ଶ ଦୋଷ ଧରିଲେ ବର୍ମ୍ମାରେ ବାସ କରି ହେବନି ।

 

ଭାରତୀ ଖିଲ୍ ଖିଲ୍‌ ହସି କହିଲା–ଆଶ୍ଚର୍ଯ୍ୟ କଥା ! ଆପଣଙ୍କ ମନ ଯେ ସଂପୂର୍ଣ୍ଣ ଉଦାର ହୋଇଗଲାଣି ।

 

ଅପୂର୍ବ କହିଲା–ନା, ଏଥିରେ ପ୍ରକୃତରେ ଦୋଷ ନାହିଁ । ଡାକ୍ତରବାବୁ କହିଲେ, ଚାଲନ୍ତୁ ଫେରିଯିବା । ମୁଁ ବି ଫେରିଆସିଲି । ଏଠି ସେ ମାତାଲଗିରି ଖୁନ୍‌ ଜଖମ୍‌ ହେବାର ଉପକ୍ରମ–ସେ କଥା କିଏ ଜାଣିଥିଲା ?

 

ଭାରତୀ କହିଲା–ଜାଣିଥିଲେ କଣ କରିଥାନ୍ତେ ?

 

ଜାଣିଥିଲେ ? ଅର୍ଥାତ୍ ମୋ ପାଇଁ ଆପଣଙ୍କୁ ଏତେ କଷ୍ଟ ପାଇବାକୁ ହେବ, ଏ କଥା ଜାଣିଥିଲେ ମୁଁ କେବେ ଫେରି ନ ଥାନ୍ତି ।

 

ଭାରତୀ କହିଲା–ହୁଏତ ସତ, କିନ୍ତୁ ମୁଁ ଭାବିଥିଲି ଆପଣ ନିଜେ ଇଚ୍ଛା କରି ଫେରିଆସିଲେ ।

 

ଅପୂର୍ବର ମୁହଁ ଲାଲ ପଡ଼ିଗଲେ । ସେ ଖୁବ୍ ଜୋର୍‌ରେ ପ୍ରତିବାଦ କରି କହିଲା–ମୋଟେ ନୁହେଁ; ବରଂ କାଲି ଆପଣ ଡାକ୍ତର ବାବୁଙ୍କୁ ପଚାରି ପାରନ୍ତି ।

 

ଭାରତୀ ଶାନ୍ତଭାବେ ଉତ୍ତର ଦେଲା–ଏଥିରେ ପ୍ରଚରାଉଚରାରେ କଣ ଅଛି ? ଆପଣଙ୍କ କଥା କଣ ମୁଁ ଅବିଶ୍ୱାସ କରୁଛି ?

 

ତାର ଶାନ୍ତକଣ୍ଠ ଶୁଣି ବି ଅପୂର୍ବ ହଠାତ୍ କାହିଁକି ରାଗି ଉଠିଲା । ସେ ଫେରିଆସିବାରୁ ଭାରତୀ ଯେଉଁ ମନ୍ତବ୍ୟ କରିଥିଲା ତା ସ୍ମରଣ କରି ସେ ଜୋର୍‌ରେ କହିଲା–ମୁଁ ମିଛ କଥା କହେନି–ଆପଣ ଅବଶ୍ୟ ବିଶ୍ଵାସ ନ କରି ପାରନ୍ତି ।

 

ଭାରତୀ କହିଲା–ମୁଁ ବିଶ୍ଵାସ ନ କରିବି ବା କାହିଁକି ?

 

ଅପୂର୍ବ କହିଲା–ସେ କଥା ମୁଁ ଜାଣେନି । ଯାହାର ଯେମିତ ପ୍ରକୃତି ।

 

ଭାରତୀ କିଛି ସମୟ ଚୁପ୍ ରହି କହିଲା–ଆପଣ ତୁଚ୍ଛା ରାଗୁଛନ୍ତି । ଡାକ୍ତରଙ୍କ କଥା ଅନୁସାରେ ନ ହୋଇ ନିଜ ଇଚ୍ଛାରେ ଫେରିଆସିଥିଲେ ବା ଦୋଷ କଣ, ଏଇ କଥା ମୁଁ ପଚାରୁଥିଲି-। ସନ୍ଧ୍ୟାବେଳେ ସେ ମୋତେ ଖୋଜି ଖୋଜି ଏଠି ଆସି ପହଞ୍ଚିଲେ, ସେଇଟା କଣ ଦୋଷକଥା ?

 

ଅପୂର୍ବ ଥାଳିରୁ ମୁହଁ ନ ଉଠାଇ କହିଲା–ସନ୍ଧ୍ୟାବେଳେ ଖବର ନେବାପାଇଁ ଆସିବା ଓ ଅଧରାତିରେ ବିନାକାରଣରେ ଫେରିଆସିବା ଏକା କଥା ନୁହେଁ ।

 

ଭାରତୀ କହିଲା–ନୁହେଁ ତ । ସେଇଥିପାଇଁ ଆପଣଙ୍କୁ ପଚାରୁଥିଲି, ଟିକିଏ ଖବର ଦେଇ ଯାଇଥିଲେ ତ ଖାଦ୍ୟଗୁଡ଼ାକ ନଷ୍ଟ ହୁଅନ୍ତା ନାହିଁ । ସବୁ ପ୍ରସ୍ତୁତ କରି ରଖିଥାନ୍ତି ।

 

ଅପୂର୍ବ ନୀରବରେ ଖାଇବାକୁ ଲାଗିଲା, କିଛି କହିଲା ନାହିଁ । ଖାଇବା ସରିଆସିଲାବେଳକୁ ହଠାତ୍ ମୁହଁ ଟେକି ଦେଖିଲା–ଭାରତୀ ସ୍ନିଗ୍‌ଧ ଦୃଷ୍ଟିରେ ତା ଆଡ଼କୁ ଚାହିଁ ରହିଛି । ତାକୁ ଚାହିଁ କହିଲା–ଦେଖନ୍ତୁ, ଖାଇବା ପାଇଁ କି କଷ୍ଟ ନ ହେଲା !

 

ଅପୂର୍ବ ଗମ୍ଭୀର ହୋଇ କହିଲା–ଆଜି ଆପଣଙ୍କର କଣ ହୋଇଛି ମୁଁ ଜାଣେନୋ– ଖୁବ୍ ସିଧା କଥା ବି ବୁଝି ପାରୁ ନାହାନ୍ତି ।

 

ଭାରତୀ କହିଲା–ଏମିତି ହୁଏତ ହୋଇପାରେ–ସିଧା ନୁହେଁ ବୋଲି ବୁଝିପାରୁନି–କହ ଫିକ୍ କରି ହସି ପକାଇଲା ।

 

ଭରତୀର ହସିବା ଦେଖି ଅପୂର୍ବ ନିଜେ ହସିଲା । ତାର ସନ୍ଦେହ ହେଲା ହୁଏତ ଭାରତୀ ଏତେ ସମୟ ତାକୁ ବୃଥା ଚିଡ଼ଉଥିଲା । ସଙ୍ଗେ ସଙ୍ଗେ ତାର ମନେପଡ଼ିଲା ଯେ, ଏମିତି ଛୋଟ ଛୋଟ ଘଟଣାରେ ଏଇ ଖ୍ରୀଷ୍ଟାନ୍ ତରୁଣୀଟି ତା ସଙ୍ଗେ ଅନେକଥର ଯୁକ୍ତି କରିଛି; ଅଥଚ ଏହା ପଛରେ କୌଣସି ବିଦ୍ଵେଷ ନାହିଁ । କାରଣ ଯେ କୌଣସି ବିପଦ ଭିତରେ ଏତେ ବଡ଼ ନିଃସଂଶୟ ନିର୍ଭୟର କ୍ଷେତ୍ର–ଅପୂର୍ବ ପାଇଁ ବିଦେଶ ଜାଗାରେ ଆଉ କେଉଁଠି ନାହିଁ ? ଏ ସତ୍ୟ ସେ ସ୍ଵତଃସିଦ୍ଧ ଭଳି ଗ୍ରହଣ କରିଛି ।

 

ଆଉ କ’ଣ ପାଣି ନାଇଁ–

 

ପାଣି ଅଛି ଯେ–ପାଣି ଢାଳଟାକୁ ଶିବୁ ତଳେ ଟୁଲ୍ ଉପରେ ଥୋଇ ଦେଇ ଆସିଛି । ମୋର ବି ମନେ ନାହିଁ । ବର୍ତ୍ତମାନ ତ ଆଉ ଉପାୟ ନାହିଁ–ଆଞ୍ଚେଇଲା ପରେ ପାଣି ପିଇବେ । ରାଗିଲେ ଆଉ କଣ ହେବ ?

 

ଅପୂର୍ବ ହସି କହିଲା–ଏଥିରେ ରାଗିବାର କଣ ଅଛି ?

 

ଭାରତୀ ଦୁଃଖ ପ୍ରକାଶ କରି କହିଲା–ଖାଇଲାବେଳେ ଶୋଷ ହେଉଥିବ–ପାଣି ନ ପିଇଲେ ବଡ଼ ଅତୃପ୍ତି ଆସେ–ମନେହୁଏ ଯେମିତି ପେଟ ପୂରିଲା ନାହିଁ । ତା’ ବୋଲି କିନ୍ତୁ କିଛି ଛାଡ଼ି ଉଠି ପାରିବେ ନାହିଁ । ଆଚ୍ଛା, ଯାଇ ଶିବୁକୁ ଚଟ୍‌କରି ଡାକିଆଣିବି ?

 

ଅପୂର୍ବ ତା ମୁହଁକୁ ଚାହିଁ କହିଲା–ଏଥିପାଇଁ ଯିବେ ଶିବୁକୁ ଡାକିବାକୁ ? ଏଇ ରାତି ଅନ୍ଧାରରେ ? ମୋର କ’ଣ କିଛି ମନୁଷ୍ୟତ୍ଵ ନାହିଁ ଭାବିଛନ୍ତି ?

 

ଅପୂର୍ବର ଖାଇବା ସରିଯାଇଥିଲା । ତଥାପି ସେ ବାଧ୍ୟହୋଇ ଆଉ ଦୁଇ ଚାରି ଗୁଣ୍ଡା ପାଟିରେ ଭରି ଯେତେବେଳେ ଉଠିଲା, ସେତେବେଳେ କାହିଁକି କେଜାଣି ସେ ଲଜ୍ଜିତ ବୋଧକଲା । କହିଲା–ବାସ୍ତବିକ ମୋର କୌଣସି ଅସୁବିଧା ହୋଇନି । ମୁଁ ଆଞ୍ଚେଇ ସାରି ପାଣି ପିଇବି–ଆପଣ ବୃଥା ମନ ଦୁଃଖ କରିବେନି ।

 

ଭାରତୀ ମ୍ଳାନ ହସି କହିଲା–ଦୁଃଖ କାହିଁକି କରିବି ? ମୁଁ ଜାଣେ ଦୁଃଖ କରିବାର ମୋର କିଛି ନାହିଁ । ତା’ପରେ ସେ ଆଲୁଅଟା ଟେକି ଧରି ଅନ୍ୟ ଆଡ଼କୁ ମୁହଁ ଫେରାଇ କହିଲା–ଆପଣ ତଳୁ ଯାଇ ମୁହଁ ଧୋଇ ଆସନ୍ତୁ । ପାଣି ଢାଳଟା ସେଇଠି ଥୁଆ ହୋଇଛି, ଭୁଲିବେ ନାହିଁ ।

 

ଅପୂର୍ବ ତଳକୁ ଚାଲିଗଲା । କିଛି ସମୟ ପରେ ମୁହଁ ଧୋଇ ଉପରକୁ ଆସି ଦେଖିଲା–ଭାରତୀ ଇତିମଧ୍ୟରେ ଖାଇବା ଜାଗାଟା ଧୋଇ ପରିଷ୍କାର କରିଦେଇଛି ! ଦୁଇ ଚାରିଟା ଚଉକୀ ଘୁଞ୍ଚାଇ ତା ପାଇଁ ଖାଇବା ଜାଗା କରାଯାଇଥିଲା, ସେଗୁଡ଼ାକ ପୂର୍ବ ସ୍ଥାନକୁ ଆସିଛି । ଯେଉଁ ଇଜିଚେୟାର୍‌ରେ ସେ ଏହାପୂର୍ବରୁ ବସିଥିଲା, ତା ପାଖରେ ଗୋଟିଏ ଛୋଟ ଟିପୟ ଉପରେ ପ୍ଲେଟରେ ଅଳେଇଚ ଲବଙ୍ଗ ଇତ୍ୟାଦି ମସଲା ଥୁଆହୋଇଛି ।

 

ଭାରତୀ ହାତରୁ ତଉଲିଆ ନେଇ ମୁହଁ ହାତ ପୋଛି ମସଲା ପାଟିରେ ଦେଇ ସେ ଆରାମଚଉକୀରେ ଆଉଜି ବସିପଡ଼ିଲା ଓ ଆଉଜି ତୃପ୍ତି ସହକାରେ କହିଲା–ଏତେବେଳକୁ ଯାଇ ଦେହରେ ପ୍ରାଣ ପଶିଲା ! କି ଯେ ଭୋକ ହେଉଥିଲା ।

 

ଭାରତୀ ଆଲୁଅଟା ଘୁଞ୍ଚାଇ ଗୋଟାଏ ପାଖକୁ ଥୋଇଥିଲା । ସେଇ ଆଲୁଅରେ ତା ମୁହଁକୁ ଚାହିଁ ଅପୂର୍ବ କହିଲା–ଆପଣଙ୍କର ସର୍ଦ୍ଦି ହୋଇଛି ନା କଣ !

 

ଭାରତୀ କହିଲା–କାହିଁ ନାଇଁ ତ !

 

ନାହିଁ କଣ ? ଆଖି ଦୁଇଟା ଲାଲ୍ ଦିଶୁଛି ଓ ଫୁଲଯାଇଛି, ଗଳା ମୋଟା ଶୁଭୁଛି–ନିଶ୍ଚୟ ଥଣ୍ଡା ଧରିଛି । ମୁଁ ଏତେ ସମୟ ଖିଆଲ କରିପାରି ନ ଥିଲି ।

 

ଭାରତୀ ଉତ୍ତର ଦେଲାନାହିଁ । ଅପୂର୍ବ କହିଲା–ଥଣ୍ଡା ଧରିବା ବିଚିତ୍ର କ’ଣ ? ଏଇ ଯେଉଁ ରାତିରେ ଦୌଡ଼ାଦୌଡ଼ି କଲେ ନା !

 

ଭାରତୀ ଏ କଥାରେ ବି କିଛି ଜବାବ୍ ଦେଲାନି ।

 

ଅପୂର୍ବ କ୍ଷୁଣ୍ଣ ହୋଇ କହିଲା–ଫେରିଆସି ନିରର୍ଥକ ଆପଣଙ୍କୁ କଷ୍ଟ ଦେଲି; କିନ୍ତୁ କିଏ ଜାଣିଛି କହନ୍ତୁ–ଡାକ୍ତରବାବୁ ଡାକିଆଣି ଆପଣଙ୍କ ଉପରେ ବୋଝ ଲଦିଦେଇ ନିଜେ ଖସିସିବେ–ଶେଷରେ ଆପଣଙ୍କୁ ଭୋଗିବାକୁ ହେଲା ।

 

ଭାରତୀ ଝରକା ଆଡ଼କୁ ଚାହିଁ କହିଲା–ତା’ ତ ଠିକ୍ । କିନ୍ତୁ ଭଗବାନ ବୋଝ ଲଦିଦେଲେ ଆଉ କାହା ପାଖେ ଆପତ୍ତି କରିବି ?

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ କହିଲା–ତାର ମାନେ ?

 

ଭାରତୀ ସହଜ କଣ୍ଠରେ ଉତ୍ତରଦେଲା–ମାନେ ମୁଁ ଆଉ କ’ଣ ଜାଣେ ! କିନ୍ତୁ ଦେଖୁଛି ଯେ ଆପଣ ବର୍ମ୍ମାରେ ପାଦ ଦେଲାଠାରୁ ବୋଝବୋହି ମରୁଛି ଖାଲି ମୁଁ । ବାବାଙ୍କ ସଙ୍ଗେ ଝଗଡ଼ା କଲେ, ଜୋରିମାନା ଦେଲି ମୁଁ । ଘରେ ଜଗିବାକୁ ତେୱାରୀକୁ ରଖିଗଲେ, ତାର ସେବା କରି ମୁଁ ପ୍ରାଣାନ୍ତ । ଆଜି ଡାକିଆଣିଲେ ଡାକ୍ତରବାବୁ, ହଇରାଣ ମତେ ହେବାକୁ ହେଲା । ଭୟ ହେଉଛି, ସାରା ଜୀବନଟା ଶେଷ ପର୍ଯ୍ୟନ୍ତ ମତେ ଯଦି ଆପଣଙ୍କ ବୋଝ ବୋହି କଟେଇବାକୁ ହେବ ! ଛାଡ଼ନ୍ତୁ, ରାତି ସରିଆସିଲାଣି–ଶୋଇବେ କେଉଁଠି କହନ୍ତୁ ତ ।

 

ଅପୂର୍ବ କହିଲା–ବାଃ, ମୁଁ କଣ ଜାଣେ ।

 

ଭାରତୀ କହିଲା–ହୋଟେଲରେ ଡାକ୍ତରବାବୁଙ୍କ ଘରେ ଆପଣଙ୍କ ପାଇଁ ବିଛଣା କରିବାକୁ କହି ଆସିଥିଲି–ବୋଧହୁଏ ବ୍ୟବସ୍ଥା ହୋଇଥିବ ।

 

କିଏ ନେବ ସେଠିକି ? ମୁଁ ତ ଚିହ୍ନିନି ।

 

ଚାଲନ୍ତୁ, ମୁଁ ନେଇଯିବି, ସେମାନଙ୍କୁ ପୁଣି ଡକାଡକି କଣ୍ଠ ଉଠେଇବାକୁ ହେବ । “ଚାଳନ୍ତୁ” କହି ଅପୂର୍ବ ଉଠିପଡ଼ିଲା । ଟିକିଏ ସଙ୍କୋଚ ସହ କହିଲା–କିନ୍ତୁ ଆପଣଙ୍କ ଭଳିଆ ଓ ବିଛଣା ଚାଦରଟା ନେଇଯିବି । ଅନ୍ତତଃ ଏ ଦୁଇଟା ମୋର ନିହାତ ଦରକାର । ମୁଁ ପର ବିଛଣାରେ ଶୋଇ ପାରିବି ନାହିଁ । ଏହା କହି ଶେଯରୁ ସେ ଦୁଇଟା ଉଠାଇବାକୁ ଗଲା ।

 

ଭାରତୀର ମଳିନ ଗମ୍ଭୀର ମୁହଁ ହଠାତ୍‌ ସ୍ନିଗ୍‌ଧ କୋମଳ ସ୍ମିତ ହାସ୍ୟରେ ଭରିଗଲା । କିନ୍ତୁ ସେ ତାହା ଗୋପନ କରି କହିଲା–ଏଇଟା ବି ତ ପରର ବିଛଣା ଅପୂର୍ବ ବାବୁ ! ଆପଣଙ୍କୁ ଘୃଣା ନ ଲାଗିବା ଖୁବ୍‌ ଆଶ୍ଚର୍ଯ୍ୟ କଥା । ତାହେଲେ ଆପଣ ଆଉ ହୋଟେଲକୁ ଯିବେ କାହିଁକି–ବରଂ ଏଇ ଖଟରେ ଶୁଅନ୍ତୁ । ଭାରତୀ ଇଚ୍ଛା କରି କହିଲା ନାହିଁ ଯେ ମାତ୍ର କେତେଘଣ୍ଟା ପୂର୍ବରୁ ତାର ଅଶୁଚି ଲୁଗା ପିନ୍ଧି ଉପାସନା କରିବାକୁ ଅପୂର୍ବ ସଙ୍କୋଚ ବୋଧ କରୁଥିଲା ।

 

ଅପୂର୍ବ କହିଲା–ତାହେଲେ ଆପଣ କେଉଁଠି ଶୋଇବେ ? ଆପଣଙ୍କର ତ ଅସୁବିଧା ହେବ ?

 

ଭାରତୀ କହିଲା–ମୋର ସାମାନ୍ୟ ବି ଅସୁବିଧା ହେବନି । ଏଇ ଘରେ ତଳେ, ଗୋଟାଏ କିଛି ପକେଇ ମୁଁ ଶୋଇ ଯାଇ ପାରିବି । ଖାଲି ତଳେ, ହାତରେ ମୁଣ୍ଡ ରଖି ଶୋଇ ତେୱାରୀ ପାଖରେ କେତେ ରାତି ଯେ କଟାଇବାକୁ ହେଇଛି, ତା ତ ଆପଣ ଜାଣନ୍ତିନି ?

 

ଅପୂର୍ବ ସ୍ମରଣ କରି କହିଲା–ଗୋଟାଏ ରାତି ଅନ୍ତତଃ ମୁଁ ଦେଖିଛି–ବିଲ୍‌କୁଲ୍ ଦେଖିନି ତା ନୁହେଁ ।

 

ଭାରତୀ କହିଲା–ସେ କଥା ଆପଣଙ୍କର ମନେ ଅଛି ? ବେଶ୍‌, ତା ହେଲେ ଆଉ ଗୋଟାଏ ରାତି ସେଭଳି ଦେଖିବେ ।

 

ଅପୂର୍ବ କିଛି ସମୟ ମୁଣ୍ଡ ପୋତି ତଳକୁ ଚାହିଁ କହିଲା–ସେତେବେଳେ ତେୱାରୀର ଦେହ ଖରାପ ଥିଲା, ବର୍ତ୍ତମାନ ଲୋକେ କଣ କହିବେ ?

 

ଭାରତୀ ଜବାବ ଦେଲା–କେହି କିଛି କହିବେ ନାହିଁ । କାରଣ ପର ଲୋକ କଥା ନେଇ ନିରର୍ଥକ ଚର୍ଚ୍ଚା । କରିବା ଭଳି ଲୋକ ଏଠି କେହି ନାହାନ୍ତି ।

 

ଅପୂର୍ବ କହିଲା–ତଳଘରେ ବେଞ୍ଚ ଉପରେ ମୁଁ ତ ଶେଯ ପକାଇ ଶୋଇପାରନ୍ତି ?

 

ଭାରତୀ କହିଲା–ଆପଣ ପାରିଲେ ବି ମୁଁ କରେଇ ଦେବିନି । କାରଣ ତାର ଦରକାର ନାହିଁ । ମୁଁ ଆପଣଙ୍କର ଅସ୍ପୃଶ୍ୟା, ମୋର ଆପଣଙ୍କଦ୍ଵାରା କିଛି କ୍ଷତି ହୋଇପାରେ, ଏ ଭୟ ନାହିଁ ।

 

ଅପୂର୍ବ ଆବେଗ ସହ କହିଲା–ମୋ ଦ୍ଵାରା ଆପଣଙ୍କର କ୍ଷତି ହୋଇପାରେ, ଏ ଭୟ ମୋର ବି ନାହିଁ, କିନ୍ତୁ ଆପଣ ‘ଅସ୍ପୃଶ୍ୟା’ ବୋଲି କହିଲେ, ଏଇ ଯା ମୋର ବଡ଼ ଦୁଃଖ । ଅସ୍ପୃଶ୍ୟ କଥାଟା ଭିତରେ ଘୃଣା ଭାବ ଅଛି; କିନ୍ତୁ ଆପଣଙ୍କୁ ତ ମୁଁ ଘୃଣା କରେନି । ମୋର ଜାତି ଅଲଗା, ଆପଣଙ୍କର ଦବା ଜିନିଷ ମୁଁ ଖାଇପାରେନି; କିନ୍ତୁ ତାର କାରଣ କଣ ଘୃଣା ? ଏତେ ବଡ଼ ମିଥ୍ୟାକଥା ମୁଁ ଆଉ ଶୁଣିନି । ବରଂ ଏଥିପାଇଁ ଆପଣ ମତେ ମନେ ମନେ ଘୃଣା କରନ୍ତି । ସେଦିନ ସକାଳୁ ମତେ ଯେ ଛାଡ଼ିଦେଇ ଚାଲିଆସିଲେ, ସେ କଥା ଏବେ ବି ମୋର ମନେ ଅଛି । ସେଦିନ ଆପଣଙ୍କ ମୁହଁର ଚେହେରା ମୁଁ ଜୀବନରେ ଭୁଲିବି ନାହିଁ ।

 

ଭାରତୀ କହିଲା–ଆଉ କିଛି ନ ଭୁଲନ୍ତୁ ପଛେ, ସେ ଦୋଷ ଭୁଲିବେନି ?

 

-କେବେ ନୁହେଁ ।

 

ସେ ମୁହଁରେ ମୋର କଣ ଥିଲା ? ଘୃଣା ?

 

-ନିଶ୍ଚୟ ।

 

ଭାରତୀ ତା ମୁହଁକୁ ଚାହିଁ ହସିଲା । ତା ପରେ ଧୀରେ ଧୀରେ କହିଲା–ଅର୍ଥାତ୍‍ ମଣିଷ ମନ ବୁଝିବା ବିଷୟରେ ଆପଣଙ୍କର ଭୟଙ୍କର ସୂକ୍ଷ୍ମ ବିଚାରବୁଦ୍ଧି । ଛାଡ଼ନ୍ତୁ, ଆପଣ ଏଇଠି ଶୁଅନ୍ତୁ । ମୋର ରାତିରେ ଚାହିଁବାର ଅଭ୍ୟାସ ଅଛି, କିନ୍ତୁ ଆପଣ ଆଉ ବେଶି ସମୟ ଚାହିଁଲେ ହୁଏତ ଦେହ ଖରାପ ହେବ । ଏହା କହି ସେ ଆଲ୍‌ନାରୁ ଦୁଇଟା କମ୍ବଳ ଓ ଚାଦର ନେଇ ପାଖର ଛୋଟ ଘରକୁ ଚାଲିଗଲା ।

 

କିଛି ସମୟ ପରେ ଫେରିଆସି ମଶାରି ପକାଇ ଚାରିଆଡ଼ ଭଲକରି ଦେଖି ଭାରତୀ ଚାଲିଗଲା । କିନ୍ତୁ ଅପୂର୍ବର ଆଖିରେ ପଲକ ପଡ଼ିଲା ନାହିଁ । ଘରର ଗୋଟାଏ କୋଣରେ ଆଲୁଅଟା ମିଞ୍ଜି ମିଞ୍ଜି ଜଳୁଛି, ବାହାରେ ଅନ୍ଧକାର, ରାତି ଗଭୀର–ହୁଏତ ତା ଛଡ଼ା ଆଉ କିଏ କେଉଁଠି ଶୋଇନାହିଁ; କେତେବେଳେ ଯେ ନିଦ ଆସିବ ତାର ସ୍ଥିରତା ନାହିଁ । ତେବେ ବି ଏଇ ଚେଇଁରହିବା ଭିତରେ ନିଦ୍ରାହୀନତାର ବିନ୍ଦୁମାତ୍ର ଅସ୍ଵସ୍ତି ସେ ଅନୁଭବ କଲା ନାହିଁ । ତାର ସମସ୍ତ ଦେହ ମନରେ ସେ ଯେମିତି ଉପଲବଧି କଲା ଯେ ଏଇ ଘରେ, ଏଇ ଶେଯରେ ଠିକ୍ ଏମିତି ଚୁପ୍ ହୋଇ ପଡ଼ିରହିବା ଭଳି ସୁନ୍ଦର ଅନୁଭୂତି ତାର ଆଗରୁ ହୋଇନାହିଁ । ଏମିତି ଏକାନ୍ତ ଭାବନାହୀନ ନଶ୍ଚିନ୍ତ ବିଶ୍ରାମ ଓ ଆନନ୍ଦ ସେ କେବେ ପାଇନି ଆଗରୁ । ସକାଳୁ ତାର ନିଦ ଭାଙ୍ଗିଲା ଭାରତୀର ଡାକରେ । ଆଖି ଖୋଲିଲାମାତ୍ରେ ଦେଖିଲା ଗୋଡ଼ ପାଖେ ଭାରତୀ ଠିଆ ହୋଇଛି । ପୁର୍ବଦିଗର ଝରକା ବାଟେ ପ୍ରଭାତ ସୂର୍ଯ୍ୟର ରକ୍ତାଲୋକ ତାର ସଭ୍ୟସ୍ନାତ ଓଦା କେଶରାଶି, ତାର ପିନ୍ଧା ମଠାଶାଢ଼ୀର ଲାଲଧଡ଼ି ଉପରେ ଓ ତାର ସୁନ୍ଦର ସ୍ନିଗ୍‌ଧ ଶ୍ୟାମଅଙ୍ଗ ଓ ମୁହଁ ଉପରେ ପଡ଼ି ଅପରୂପ ଲାବଣ୍ୟ ସୃଷ୍ଟି କରିଛି ।

 

ଭାରତୀ କହିଲା–ଉଠନ୍ତୁ, ଅଫିସକୁ ଯିବେ ତ ?

 

ତା ତ ନିଶ୍ଚୟ–କହି ଅପୂର୍ବ ଶେଯ ଛାଡ଼ି ଉଠି ପଡ଼ିଲା । ଆପଣଙ୍କର ତ ଦେଖୁଛି ଗାଧୁଆ ବି ସରିଲାଣି ।

 

ଭାରତୀ କହିଲା–ଆପଣଙ୍କୁ ବି ଶୀଘ୍ର ସାରି ନେବାକୁ ହେବ । କାଲି ଅତିଥିସତ୍କାରରେ ଯଥେଷ୍ଟ ତ୍ରୁଟି ହୋଇଛି । ଆଜି ଆମ ପ୍ରେସିଡେଣ୍ଟଙ୍କ ଆଦେଶ, ଆପଣଙ୍କୁ ଭଲକରି ନ ଖୁଆଇ ଛାଡ଼ିବାକୁ ହେବନି ।

 

ଅପୂର୍ବ ପଚାରିଲା–କାଲିର ସେ ଝିଅଟି ବଞ୍ଚିଛି ?

 

ତାକୁ ହାସପାତାଳାକୁ ପଠା ହୋଇଛି, ବଞ୍ଚିଯିବ ବୋଲି ଆଶା ।

 

ସେ ଝିଅଟିକୁ ଅପୂର୍ବ ଆଖିରେ ଦେଖିନାହିଁ । ତଥାପି ତାର ସୁଖବର ଶୁଣି ସେ ଖୁସି ହେଲେ ।

 

ସେ ଗାଧୁଆ ସାରି ଉପରକୁ ଆସିଲାବେଳକୁ ନଅଟା ବାଜିଲାଣି । ଏ ଭିତରେ ପୂଜାରୀ ଆସି ଖାଇବା ବାଢ଼ି ଦେଇ ଗଲେଣି । ଅପୂର୍ବ ଆସନରେ ବସି କହିଲା–କାଇଁ, ଆପଣଙ୍କର ପ୍ରେସିଡେଣ୍ଟଙ୍କ ସଙ୍ଗେ ତ ଦେଖା ହୋଇ ପାରିଲାନି ? ଏଇ କଣ ତାଙ୍କର ଅତିଥିସତ୍କାରର ରୀତି ?

 

ଭାରତୀ କହିଲା–ଆପଣ ଯିବା ପୂର୍ବରୁ ଦେଖା ହେବ ନିଶ୍ଚୟ । ତାଙ୍କର ବୋଧହୁଏ ଆପଣଙ୍କ ସଙ୍ଗେ କଣ କାମ ଅଛି ।

 

ଅପୂର୍ବ କହିଲା–ଆଉ ଡାକ୍ତରବାବୁ, ଯେ ମୋତେ ଡାକି ଆଣିଥିଲେ–ସେ ବୋଧହୁଏ ଏ ପର୍ଯ୍ୟନ୍ତ ବିଛଣାରେ ? ଏହା କହି ସେ ହସିବାକୁ ଲାଗିଲା ।

 

ଭାରତୀ ହସରେ ଯୋଗ ଦେଇ ପାରିଲା ନାହିଁ । କହିଲା–ତାଙ୍କର ବିଛଣା ଦେଖିବାକୁ ଏ ପର୍ଯ୍ୟନ୍ତ ସମୟ ହୋଇନି । ଏଇକ୍ଷଣି ତ ହସ୍ପିଟାଲରୁ ଆସିଲେ । ଶୋଇବା ବା ନଶୋଇବା–କୌଣସିଟାର ତାଙ୍କ ପାଖେ ମୂଲ୍ୟ ନାହିଁ ।

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ ପଚାରିଲା–ଏଥିରେ ତାଙ୍କର ଦେହ ଖରାପ ହୁଏନା ?

 

ଭାରତୀ କହିଲା–କୌଣସି ଦିନ ତ ଦେଖିନି । ଭଲ ଓ ଖରାପ ଦୁଇଟା ଯାକ ବୋଧହୁଏ ତାଙ୍କ ପାଖେ ହାର ମାନିଛି । ସାଧାରଣ ମଣିଷ ସଙ୍ଗେ ତାଙ୍କର ତୁଳନା ହୁଏନା ।

 

ଅପୂର୍ବର ଗତରାତି କଥା ମନେ ପଡ଼ିଲା । ସେ ମୁଗ୍‌ଧ କଣ୍ଠରେ କହିଲା ଆପଣମାନେ ସମସ୍ତେ ବୋଧହୁଏ ତାଙ୍କୁ ଅତିଶୟ ଭକ୍ତି କରନ୍ତି ?

 

ଭକ୍ତି ? ଭକ୍ତି ତ ଅନେକ ଲୋକ କରନ୍ତି । ହଠାତ୍‌ ଭାରତୀର କଣ୍ଠସ୍ଵର ଗମ୍ଭୀର ହୋଇଗଲା । ସେ କହିଲା–ସେ ଚାଲିଗଲେ ମନେହୁଏ ତଳେ ପଡ଼ି ରହିଥାନ୍ତି, ସେ ଛାତି ଉପରେ ପାଦସ୍ପର୍ଶ କରି ଯାଆନ୍ତେ । ଅକସ୍ମାତ୍ ସେ ମୁହଁ ବୁଲାଇ ଆଖି ପୋଛିଲା ।

 

ଅପୂର୍ବ ଆଉ କିଛି ପଚାରିଲା ନାହିଁ । ମୁଣ୍ଡ ପୋତି ଖାଇବାକୁ ଲାଗିଲା । ତାର ଗୋଟାଏ କଥା ବାରମ୍ବାର ମନକୁ ଆସିଲା–ସୁମିତ୍ରା ଓ ଭାରତୀ ଭଳି ଶିକ୍ଷିତ ଓ ବୁଦ୍ଧିମତୀ ନାରୀଙ୍କ ହୃଦୟରେ ଯାହାଙ୍କ ସ୍ଥାନ ଏତେ ଉଚ୍ଚରେ, ଭଗବାନ ତାଙ୍କୁ କିଭଳି ତିଆରି ନ କରିଛନ୍ତି । ତାଙ୍କ ଦ୍ଵାରା ନିଶ୍ଚୟ କିଛି ଅସାଧାରଣ କାର୍ଯ୍ୟ ସମ୍ପନ୍ନ ହେବ ।

 

ଦୂରରେ ଦ୍ଵାର ପାଖରେ ଭାରତୀ ଚୁପ୍ ହୋଇ ବସି ରହିଲା, ଅପୂର୍ବ ବି କିଛି କଥାବାର୍ତ୍ତା କଲାନାହିଁ । ଅତଃପର ଖାଇବା ନିଃଶବ୍ଦରେ ଶେଷ ହେଲା । ଅପ୍ରୀତିକର କିଛି ନ ଘଟି ବି, ଅପୂର୍ବର ମନେହେଲା ସେ ସକାଳଟା ଖୁବ୍ ସୁନ୍ଦରଭାବେ ଆରମ୍ଭ ହୋଇଥିଲା; ଅକାରଣ ଯେମିତିକି ଗୋଟାଏ ଅନ୍ଧାରର ଛାୟାପାତ ହେଲା ।

 

ଅଫିସ ଯିବାପାଇଁ ଲୁଗାପଟା ପିନ୍ଧି ସେ ପ୍ରସ୍ତୁତ ହେଲା । କହିଲା–ଚାଲନ୍ତୁ, ଡାକ୍ତରବାବୁଙ୍କ ସଙ୍ଗେ ଦେଖାକରି ଯିବି ।

 

ଚାଲନ୍ତୁ, ସେ ବି ଆପଣଙ୍କୁ ଡକାଇଛନ୍ତି ।

 

ପୂର୍ବକଥିତ ହୋଟେଲ୍‌ର ଅତି ଭିତରେ ଗୋଟାଏ ଜରାଜୀର୍ଣ୍ଣ ଘରେ ଡାକ୍ତରବାବୁଙ୍କ ବସା । ଆଲୁଅ ନାହିଁ, ପବନ ନାହିଁ–ଆଖ-ପାଖରେ ମଇଳାପାଣି ଜମି ଗୋଟାଏ ଦୁର୍ଗନ୍ଧ ବାହାରୁଛି; ଏମିତି ଗୋଟାଏ କଦର୍ଯ୍ୟ ଘରକୁ ଭାରତୀ ଯେତେବେଳେ ତାକୁ ବାଟ ଦେଖାଇ ଆଣିଲା, ଅପୂର୍ବର ବିସ୍ମୟର ସୀମା ରହିଲା ନାହିଁ । ଘରେ ପହଞ୍ଚି କିଛି ସମୟ ସେ ପ୍ରାୟ କିଛି ଦେଖି ପାରିଲା ନାହିଁ । ଡାକ୍ତରବାବୁ ଅଭ୍ୟର୍ଥନା କରି କହିଲେ–ଆସନ୍ତୁ ଅପୂର୍ବବାବୁ ।

 

ଉଃ, କି ଭୀଷଣ ଘର ଆପଣ ଆବିଷ୍କାର କରିଛନ୍ତି, ଡାକ୍ତରବାବୁ ?

 

କିନ୍ତୁ କି ଶସ୍ତା ଜାଣନ୍ତି ତ ? ମାସକୁ ମାସ ଦଶଅଣା ଭଡ଼ା ।

 

ଅପୂର୍ବ କହିଲା–ବେଶି ବେଶି–ଢେର ବେଶି । ଦଶପଇସା ହେବା ଉଚିତ ।

 

ଡାକ୍ତର କହିଲେ–ଆମେ ଦୁଃଖୀ ଲୋକେ କି ଭଳି ରହୁ, ଆପଣ ଆଖିରେ ଦେଖିବା ଉଚିତ । ଅନେକ ଲୋକଙ୍କ ପାଇଁ ଏ ତ ରାଜପ୍ରାସାଦ ।

 

ଅପୂର୍ବ କହିଲା–ତା ହେଲେ ଭଗବାନ ଯେପରି ଚିରଦିନ ମତେ ରାଜପ୍ରସାଦରୁ ବଞ୍ଚିତ କରି ରଖନ୍ତି ।

 

ଡାକ୍ତର କହିଲେ, ଶୁଣିଲି, ଆପଣଙ୍କୁ କାଲି ରାତିରେ ଖୁବ୍ କଷ୍ଟ ହେଲା । ମୋତେ କ୍ଷମା କରିବେ ସେଥିପାଇଁ ।

 

ଅପୂର୍ବ କହିଲା–କ୍ଷମା କରିବି କେବଳ ଆପଣ ଏ ଘର ଛାଡ଼ିଲେ–ତା ଆଗରୁ ନୁହେଁ ।

 

ପ୍ରତ୍ୟୁତ୍ତରରେ ଡାକ୍ତର ହସି କହିଲେ–ଆଚ୍ଛା, ଦେଖାଯାଉ ।

 

ଅପୂର୍ବ ଏ ପର୍ଯ୍ୟନ୍ତ ଦେଖି ନ ଥିଲା ଯେ କାନ୍ଥ ପାଖରେ ଗୋଟାଏ ଟୁଲ୍ ଉପରେ ବସିଛି ସୁମିତ୍ରା । ସେ କହିଲା–ଆପଣ ଏଠି ? ମତେ କ୍ଷମା କରିବେ, ମୁଁ ଆପଣଙ୍କୁ ଦେଖି ନ ଥିଲି ।

 

ସୁମିତ୍ରା କହିଲେ–ସେ ଦୋଷ ତ ଆପଣଙ୍କର ନୁହେଁ, ଅନ୍ଧାରର ।

 

ଅପୂର୍ବ ସୁମିତ୍ରାଙ୍କ କଣ୍ଠସ୍ଵର ଶୁଣି ବିସ୍ମିତ ହେଲା । ସ୍ଵର କରୁଣ ଓ ବିଷଣ୍ଣ । କଣ ଗୋଟାଏ ଘଟିଛି ବୋଲି ତାର ଭୟ ହେଲା । ଭଲକରି ଡାକ୍ତରଙ୍କୁ ଦେଖି ସେ କହିଲା, ଡାକ୍ତରବାବୁ, ଏ ଆପଣଙ୍କର କି ରକମର ପୋଷାକ ? କଣ କୁଆଡ଼େ ଯାଉଛନ୍ତି ?

 

ଡାକ୍ତରଙ୍କ ମୁଣ୍ଡରେ ପଗଡ଼ି, ଦେହରେ ଲମ୍ବା କୋଟ୍ ଓ ଢିଲା ପାଇଜାମା, ପାଦରେ ନାଗରା ଜୋତା, ପାଖରେ ଗୋଟାଏ ଚମଡ଼ା ବ୍ୟାଗରେ କଣ ଗୁଡ଼ାଏ ବଣ୍ଡିଲ୍‌ ଭର୍ତ୍ତି ହୋଇଛି । କହିଲେ–ମୁଁ ଏଥର ଚାଲିଲି ଅପୂର୍ବ ବାବୁ, ଏମାନେ ସବୁ ରହିଲେ । ଆପଣ ଦେଖିବେ । ୟାଠୁ ବେଶି ଆପଣଙ୍କୁ କହିବା ମୋର ଆବଶ୍ୟକ ନାହିଁ ।

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ କହିଲା–ହଠାତ୍ ଚାଲିଲେ ମାନେ ? କୁଆଡ଼େ ?

 

ଡାକ୍ତର ସେହିଭଳି ସହଜ ଓ ଶାନ୍ତ ସ୍ଵାଭାବିକ କଣ୍ଠରେ ଉତ୍ତର ଦେଲେ–ଆମ ଅଭିଧାନରେ କଣ ‘ହଠାତ୍’ ଶବ୍ଦ ଅଛି ଅପୂର୍ବ ବାବୁ ? ବର୍ତ୍ତମାନ ଯାଉଛି ଭାମୋ ଏବଂ ଆଉ ଉତ୍ତରକୁ । କିଛି ଖାଣ୍ଟି ମାଲ୍‌ ଅଛି । ସିପାହୀମାନଙ୍କ ପାଖରେ ଭଲ ଦାମ୍‌ରେ ବିକ୍ରି ହୁଏ । ଏହା କହି ସେ ହସିବାକୁ ଲାଗିଲେ ।

 

ସୁମିତ୍ରା ଏ ପର୍ଯ୍ୟନ୍ତ କିଛି କହି ନ ଥିଲେ । ହଠାତ୍ କହି ଉଠିଲେ–ସେମାନେ ପେଶାବାରରୁ ଏକାଥରେ ଭାମୋକୁ ଉଠାଇ ଆଣିଛନ୍ତି । ତମେ ଜାଣ ସେମାନଙ୍କ ଉପରେ କିପରି କଡ଼ା ନଜର । ତମକୁ ତ ଅନେକେ ଚିହ୍ନନ୍ତି, କେବେ ଭାବନି ଯେ ସମସ୍ତଙ୍କ ଆଖିରେ ତମେ ଧୂଳି ଦେଇ ପାରିବ । ଏକ୍ଷଣି କିଛିଦିନ ନ ଗଲେ ଚଳନ୍ତାନି ? ଶେଷକୁ ତାଙ୍କର ସ୍ଵର ଅଦ୍ଭୁତ ଭାବେ କରୁଣ ଶୁଣାଗଲା ।

 

ଡାକ୍ତର ମୃଦୁ ହସି କହିଲେ–ତମେ ତ ଜାଣ, ନ ଗଲେ ନ ଚଳେ ।

 

ସୁମିତ୍ରା ଆଉ କଥା କହିଲେ ନାହିଁ, କିନ୍ତୁ ଅପୂର୍ବ ଘଟଣାଟା ବୁଝି ପାରିଲା । ତାର ଆଖି ଓ ଦୁଇ କାନମୂଳ ଗରମ ହୋଇଗଲା । ସେ ଆତଙ୍କିତ ହୋଇ ପଚାରିଲା–ଧରନ୍ତୁ ଯଦି ସେମାନଙ୍କ ଭିତରୁ କିଏ ଚିହ୍ନିବ ? ଯଦି ଧରି ପକାଏ ?

 

ଡାକ୍ତର କହିଲେ–ତାହେଲେ ବୋଧହୁଏ ଫାଶୀ ଦେବେ । କିନ୍ତୁ ଦଶଟାଗାଡ଼ି ଆଉ ଡେରି ନାହିଁ, ଅପୂର୍ବ ବାବୁ ! ମୁଁ ଚାଲିଲି । ଏହା କହି ସେ ଷ୍ଟ୍ରାପ୍‌ରେ ବନ୍ଧା ବୁଜୁଳିଟା ଅବଲୀଳାକ୍ରମେ ପିଠିରେ ପକାଇ ଚମଡ଼ା ବ୍ୟାଗ୍‌ଟା ହାତରେ ଧରିଲେ ।

 

ଭାରତୀ କିଛି କହିଲା ନାହିଁ, କେବଳ ପାଦ ଛୁଇଁ ପ୍ରଣାମ କଲା । ସୁମିତ୍ରା ବି ପ୍ରଣାମ କଲେ, କିନ୍ତୁ ପାଦ ଛୁଇଁ ନୁହେଁ ପାଦରେ ମୁଣ୍ଡ ଲଗାଇ ।

 

ଡାକ୍ତର ଘରୁ ବାହାରିଆସି ଅପୂର୍ବର ହାତଧରି କହିଲେ–ଚାଲିଲେ ଅପୂର୍ବ ବାବୁ–ମୁଁ ସବ୍ୟସାଚୀ ।

 

ଅପୂର୍ବର ମୁହଁ ଶୁଖି ଯାଇଥିଲା–ତା’ ପାଟିରୁ କଥା ବାହାରିଲାନାହିଁ, ସେ କିନ୍ତୁ ଅନ୍ୟମାନଙ୍କ ଭଳି ପାଦ ଛୁଇଁ ପ୍ରଣାମ କଲା । ଡାକ୍ତର ତା ମୁଣ୍ଡରେ ହାତଦେଲେ, ଆଉ ଗୋଟାଏ ହାତ ଭାରତୀର ମୁଣ୍ଡରେ ଦେଇ କ’ଣ ଅସ୍ପଷ୍ଟ କଣ୍ଠରେ କହିଲେ, ଶୁଣାଗଲା ନି । ତା’ ପରେ ଜୋର୍‌ରେ ବାହାରିଗଲେ ।

 

ଅପୂର୍ବ ଦେଖିଲା–ଭାରତୀ ପାଖେ ସେ ଏକୁଟିଆ ଠିଆ ହୋଇଛି । ପଛରେ ସେ ଭଙ୍ଗା ଘର ଭିତରେ କର୍ତ୍ତବ୍ୟ-କଠିନ, ଅଶେଷ ବୁଦ୍ଧିଶାଳିନୀ, ‘ଚଲାପଥର ଦାବୀ’ ସଙ୍ଘର ଭୟଲେଶହୀନା ତେଜସ୍ଵନୀ ସଭାନେତ୍ରୀ କ’ଣ କରୁଥିଲେ ସେ ଜାଣିପାରିଲା ନାହିଁ ।

 

ତେର

 

ଭାରତୀ ଓ ଅପୂର୍ବ ଉଭୟେ ସେ ଘରକୁ ଫେରି ଚାହିଁଲେ, କିନ୍ତୁ କେହି କିଛି କହିଲେ ନାହିଁ । ଉଭୟେ ନୀରବରେ ହୋଟେଲରୁ ବାହାରି ଆସିବା ପରେ ଭାରତୀ କହିଲା–ଅପୂର୍ବ ବାବୁ, ଚାଲନ୍ତୁ–ଘରକୁ ଯିବା ।

 

ମୋର ଯେ ଅଫିସ୍ ଯିବାର ବେଳ–

 

ରବିବାରରେ ବି ଅଫିସ୍ ?

 

ସତେ ତ, ରବିବାର । ଅପୂର୍ବ ଖୁସି ହୋଇ କହିଲା–ସକାଳେ ଏ କଥା ମନେ ପଡ଼ିଥିଲେ ଗାଧୋଇବା ଓ ଖାଇବା ପାଇଁ ଏତେ ବ୍ୟସ୍ତ ହେବାକୁ ପଡ଼ି ନ ଥାନ୍ତା । ଆପଣଙ୍କର ଏତେ ବିଷୟ ମନେ ଥାଏ, କିନ୍ତୁ ଏଇତକ ଭୁଲିଗଲେ ।

 

ଭାରତୀ ଟିକିଏ ହସି କହିଲା–ହେଇଥିବ, କିନ୍ତୁ କାଲି ରାତିରେ ଆପଣ ନ ଖାଇବା କଥା ଭୁଲିନି ।

 

ଅପୂର୍ବ ହଠାତ୍‍ ଚମକି ଠିଆହୋଇ ପଡ଼ିଲା ଓ କହିଲା–ମୋର ଡେରି କରିବାର ଉପାୟ ନାହିଁ–ତେୱାରୀ ହୁଏତ ଭାବି ଭାବି ସାରା ହେବଣି ।

 

ଭାରତୀ କହିଲା–ହେବନାହିଁ ନିଶ୍ଚୟ, ସେ ଖବର ପାଇଛି ଯେ ଆପଣ ସର୍ବକୁଶଳରେ ଏଠି ବିଦ୍ୟମାନ ଅଛନ୍ତି ।

 

ସେ ଜାଣେ ଯେ, ମୁଁ ଆପଣଙ୍କ ପାଖରେ ଅଛି ?

 

ଭାରତୀ ମୁଣ୍ଡହଲାଇ କହିଲା–ହିଁ, ମୁଁ ସକାଳୁ ଲୋକ ପଠାଇ ଖବର ଦେଇଛି ।

 

ଏଇ ସମ୍ବାଦ ଶୁଣି ଅପୂର୍ବ ମୁଣ୍ଡ ଉପରୁ ଗୋଟାଏ ବୋଝ ଓହ୍ଲାଇଗଲା । କାଲି ରାତିରେ ଫେରିଲାବେଳେ, ଖାଇବା ଓ ଶୋଇବା ବେଳେ–ସବୁ କାମରେ ସବୁବେଳେ ତା ମନକୁ ଆସିଛି ଯେ କେଜାଣି କାଲି ସକାଳେ ତେୱାରୀ ବିଶ୍ଵାସ କରିବ କି ନାହିଁ । ଏଇ ବର୍ମା ସମ୍ପର୍କରେ କେତେ ଗଳ୍ପ ପ୍ରଚଳିତ ଅଛି । ହୁଏତ ଘରକୁ ମାଙ୍କ ପାଖକୁ କଣ ଗୋଟାଏ ଲେଖିଦେବ–ନ ହେଲେ ଫେରିଯିବା ପରେ ନାନା କଥା ଗପିବ–କାଳି ଥରେ ଲାଗିଲେ କାଳି ସିନା ଚାଲିଯାଏ, ଦାଗ ଲିଭେ ନା–ଏଇ ସାମାନ୍ୟ କଥାଟା ରାତିସାରା ତାର ମନକୁ ଲାଗୁଥିଲା । ବର୍ତ୍ତମାନ ସେ ଯେପରି ନିର୍ଭୟ ହେଲା । ତେୱାରୀ ଆଉ ଯାହା କଲେ ବି ଭାରତୀର କଥା ସେ କେବେ ଅବିଶ୍ଵାସ କରିବ ନାହିଁ । ଭାରତୀ ତାର ଯାହା ସେବା କରିଛି, ତା ପରି ନିଷ୍କଳୁଷତାର ବଡ଼ ଦଲିଲ୍‍ ତେୱାରୀ ପାଖେ ଆଉ କିଛି ନାହିଁ, ଏ କଥା ଅପୂର୍ବ ଜାଣେ । ମନ ଖୁସିରେ ସେ କହିଲା–ଆପଣଙ୍କର ସବୁ ଦିଗକୁ ଦୃଷ୍ଟି ଅଛି । ଘରେ ଭାଉଜମାନଙ୍କୁ ଦେଖିଛି, ଅନ୍ୟ ସବୁ ସ୍ତ୍ରୀଲୋକଙ୍କୁ ଦେଖିଛି, ଏପରି କି ମୋ ମା ବି–କିନ୍ତୁ ଏମିତି ସବୁଆଡ଼େ ନଜର ଥିବା ଲୋକ ମୁଁ ଏ ଯାଏଁ ଦେଖିନି । ପ୍ରକୃତରେ ଆପଣ ଯେଉଁ ଘରର ବୋହୂ ହୋଇ ଯିବେ, ସେ ଘରେ ସବୁ ଲୋକେ ନାହିରେ ତେଲ ଦେଇ ଶୋଇ ଯିବେ-କାହାକୁ କିଛି ଭାବିବାକୁ ପଡ଼ିବ ନାହିଁ ।

 

ଭାରତୀ ମୁହଁରେ ବିଜୁଳି ଖେଳିଗଲା । ଅପୂର୍ବ କିଛି ଦେଖି ପାରିଲା ନାହି–ସେ ପଛରେ ଆସୁଥିଲା । ପଛରୁ କହିଲା–ଏଇ ବିଦେଶ ଜାଗାରେ ଆପଣ ନଥିଲେ ମୋର କଣ ହୁଅନ୍ତା କହନ୍ତୁ ତ ! ସବୁ ଚୋରି ଯାଇଥାନ୍ତା, ତେୱାରୀ ହୁଏତ ଘରେ ପଡ଼ି ପଡ଼ି ମରିଥାନ୍ତା–ବ୍ରାହ୍ମଣଟାକୁ ହାଡ଼ି ବାଉରୀ ଟାଣି ନେଇଥାନ୍ତ–ମୁଁ କ’ଣ ଆଉ ରହି ପାରିଥାନ୍ତି ? ଚାକିରି ଛାଡ଼ିଦେଇ ହୁଏତ ଚାଲି ଯାଇଥାନ୍ତି । ତାପରେ ଯଥାପୂର୍ବଂ ତଥାପରଂ–ସେଇ ଭାଉଜମାନଙ୍କର ଗଞ୍ଜଣା ଆଉ ମା’ର ଆଖିର ଲୁହ । ଆପଣ ତ ସବୁ ! ସବୁ ବଞ୍ଚେଇ ଦେଇଛନ୍ତି ।

 

ଭାରତୀ କହିଲା–ଅଥଚ ଆସି ପ୍ରଥମେ ମୋ ସଙ୍ଗେ ଝଗଡ଼ା କଲେ ।

 

ଅପୂର୍ବ ଲଜ୍ଜିତ ହୋଇ କହିଲା–ସବୁ ଦୋଷ ସେଇ ତେୱାରୀର; କିନ୍ତୁ ମା’ ଏସବୁ ଶୁଣିଲେ ଆପଣଙ୍କୁ କେତେ ଯେ ଆଶୀର୍ବାଦ କରିବେ !

 

ଭାରତୀ କହିଲା–କେମିତି ଜାଣିବି ? ମା’ ଆସିଲେ ସିନା ତାଙ୍କ ମୁହଁରୁ ଶୁଣିବି ।

 

ଅପୂର୍ବ ଆଶ୍ଚର୍ଯ୍ୟ ହୋଇ କହିଲା–ମା ବର୍ମ୍ମାକୁ ଆସିବେ ? ଆପଣ କ’ଣ ଯେ କହୁଛନ୍ତି ।

 

ଭାରତୀ ଜୋର୍‌ ଦେଇ କହିଲା–କାହିଁକି ଆସିବେନି ? କେତେ ଲୋକଙ୍କ ମା’ତ ନିତି ଆସୁଛନ୍ତି । ଏଠିକି ଆସିଲେ କ’ଣ କାହାର ଜାତି ବୁଡ଼ିଯିବ ?

 

ଅପୂର୍ବ ଘରେ ପହଞ୍ଚି ସେଇ ଆରାମଚଉକିଟାରେ ଆସି ବସିଲା । ପାଖ ଝରକାବାଟେ ତା ମୁହଁରେ ଆସି ଖରା ପଡ଼ିବାରୁ ଭାରତୀ ସେଇଟା ବନ୍ଦ କରିଦେଇ କହିଲା–ଭାଉଜମାନେ ମା’ଙ୍କର ଯତ୍ନ ନିଅନ୍ତୁ ନାହିଁ ଏବଂ ଆପଣଙ୍କୁ ଯଦି ସବୁବେଳେ ବିଦେଶରେ ରହି ଚାକିରି କରିବାକୁ ପଡ଼େ, ତେବେ ଏ ବୟସରେ କିଏ ମା’ଙ୍କର ଯତ୍ନ ନେବ–କହନ୍ତୁ ତ ?

 

ଅପୂର୍ବ କହିଲା–ମା’ ସବୁବେଳେ କହେ ଯେ ସାନବୋହୂ ଆସିଲେ ତାର ଯତ୍ନ ନେବ ।

 

ଭାରତୀ କହିଲା–ସେ ଯଦି ଯତ୍ନ ନ ନିଏ ? ଆପଣ ବିଦେଶରେ ରହିବେ । ବଡ଼ ଜାଆମାନଙ୍କ ଦେଖାଦେଖି ସେ ଯଦି ସେମାନଙ୍କ ପରି ବ୍ୟବହାର କରେ, ମା’ଙ୍କ ଯତ୍ନ ନ ନେଇ କଷ୍ଟ ଦିଏ, ତେବେ କ’ଣ କରିବେ ?

 

ଅପୂର୍ବ ତ୍ରସ୍ତ ହୋଇ କହିଲା–ସେପରି କେବେ ହବନି । ନିଷ୍ଠାବାନ୍‌ ବ୍ରାହ୍ମଣ ବଂଶରୁ ବୋହୂ, ଆସିଲେ ମା’କୁ କେବେ କଷ୍ଟ ଦେବନି–ଏ କଥା ମୁଁ କହିପାରେ ।

 

ନିଷ୍ଠାବାନ୍‌ ବ୍ରାହ୍ମଣ ବଂଶ ? ଭାରତୀ ମୁରୁକି ହସି କହିଲା–ଆଚ୍ଛା, ବର୍ତ୍ତମାନ ଥାଉ, ସେ କଥା ଆଉ ଦିନେ ଆପଣଙ୍କୁ କହିବି । କିଛି ସମୟ ଚୁପ୍ ରହି କହିଲା–କେବଳ ଯଦି ମା’ଙ୍କ ସେବା କରିବା ପାଇଁ ଆପଣ ତାକୁ ଛାଡ଼ିଦେଇ ଆସିବେ, ତେବେ କଣ ତା ପ୍ରତି ଅବିଚାର ହେବନି ?

 

ଅପୂର୍ବ ତା ମୁହଁକୁ ଚାହିଁ ସ୍ଵୀକାର କଲା । କହିଲା–ହଁ, ତା ଠିକ୍‌ ।

 

ଭାରତୀ କହିଲା–ଏବଂ ସେଇ ଅବିଚାର ବଦଳରେ ଆପଣ ତା’ ଠାରୁ ସୁବିଚାର ଅପୂର୍ବ ଦାବୀ କରିବେ ?

 

ଅପୂର୍ବ ଅନେକ ସମୟ ଚିନ୍ତା କରି କହିଲା–କିନ୍ତୁ ତା’ ଛଡ଼ା ମୋର ଉପାୟ ବା କଣ ?

 

ଭାରତୀ କହିଲା–ଉପାୟ ହୁଏତ ନ ଥାଇ ପାରେ, କିନ୍ତୁ ଏ ଅସମ୍ଭବ କଥା ଆପଣ ଖୁବ୍‌ ନିଷ୍ଠାବାନ୍ ଘରୁ ବି ଆଶା କରିବେ ନାହିଁ । ଏହାର ଫଳ ଭଲ ହେବନି । ଆପଣଙ୍କ ନିଷ୍ଠୁରତା ସତ୍ତ୍ୱେ ସେ ଯଦି ତାର କର୍ତ୍ତବ୍ୟ ପାଳନ କରେ, ତେବେ ଆପଣ ତା ନିକଟରେ ଛୋଟ ହୋଇଯିବେ । ସ୍ତ୍ରୀ ପାଖେ ଅଶ୍ରଦ୍ଧେୟ ଓ ହୀନ ହେବାଠାରୁ ଦୁର୍ଭାଗ୍ୟ ସଂସାରରେ ଆଉ କିଛି ନାହିଁ, ଅପୂର୍ବ ବାବୁ !

 

କଥାଟା ଏତେ ସତ୍ୟ ଯେ ଅପୂର୍ବ କିଛି କହିପାରିଲେ ନାହିଁ । ଶାସ୍ତ୍ରରେ ସ୍ତ୍ରୀର କର୍ତ୍ତବ୍ୟ କ’ଣ, ପତିବ୍ରତା କାହାକୁ କୁହାଯାଏ, ନିଃସ୍ଵାର୍ଥଭାବେ ଶାଶୁଙ୍କ ସେବା କଲେ କି ପୁଣ୍ୟ, ସ୍ଵାମୀ ଇଚ୍ଛା ପାଳନରେ କି ପୁଣ୍ୟ ଇତ୍ୟାଦି ନାନାବିଧ ଉପାଖ୍ୟାନ କହି ବନ୍ଧୁମାନଙ୍କ ଆଧୁନିକତାର ବିରୁଦ୍ଧରେ ଲଢ଼ାଇ କଲାବେଳେ ଶାସ୍ତ୍ରଗ୍ରନ୍ଥରୁ ନଜିର ଦେଇ ସେ ସ୍ତବ୍‌ଧ କରି ଦେଇଛି; କିନ୍ତୁ ଭାରତୀ ଆଗରେ ସେଥିରୁ ଧାଡ଼ିଏ ମାତ୍ର କହିବାକୁ ତାର ପାଟି ଫିଟିଲା ନାହିଁ । କିଛି ସମୟ ପରେ ସେ ମନକୁ ମନ କହିଲା ଭଳି କହିଲା–ବାସ୍ତବିକ୍ ଆଜିକାଲି ଏଭଳି ବୋହୂଟିଏ ପାଇବା ବୋଧହୁଏ ଦୁଷ୍କର ।

 

ଭାରତୀ ହସିଲା । କହିଲା–ଏକାବେଳେ କେହି ନାହିଁ ବୋଲି କେମିତି କହୁଛନ୍ତି ? ନିଷ୍ଠାବାନ୍ ବ୍ରାହ୍ମଣ ଘରେ ନଥିଲେ ଆଉ କେଉଁଠି ଯେ ନ ଥାଇ ପାରେ, ଏ କଥା ଆପଣ କେମିତି କହିବେ ? କିନ୍ତୁ ଆପଣଙ୍କ ପାଇଁ ନିଜକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେବ–ଏଭଳି ଲୋକ ଆପଣ ଖୋଜି ପାଇବେ କେଉଁଠୁ ?

 

ଅପୂର୍ବ ନିଜ ଚିନ୍ତାରେ ବ୍ୟସ୍ତ ଥିଲା; ଭାରତୀ କଥା ସେ ଭଲ କରି ଶୁଣିନାହିଁ କହିଲା–ସେ କଥା ସତ ।

 

ଭାରତୀ ପଚାରିଲା–ଆପଣ କେବେ ଘରକୁ ଯାଉଛନ୍ତି ? ଅପୂର୍ବ ଅନ୍ୟମନସ୍କ ହୋଇ କହିଲା–ମା ଯେବେ ଚିଠି ଲେଖି ପଠାଇବେ । କିଛି ସମୟ ଚୁପ୍ ରହି କହିଲା–ବାବାଙ୍କ ସହ ମତଭେଦ ହେତୁ ମା’ ଜୀବନରେ କୌଣସି ଦିନ ସୁଖ ପାଇନି । ସେଇ ମା’ କୁ ଏକୁଟିଆ ଛାଡ଼ିଦେଇ ଆସିବାକୁ ମୋର କେବେ ହେଲେ ମନ ହୁଏନା । ଏଥର ଗଲେ ଫେରିଆସି ପାରିବି କି ନାହିଁ କେଜାଣି ! ଭାରତୀ ମୁହଁକୁ ଚାହିଁ ସେ କହିଲା–ବାହାରୁ ଆମ ପରିବାରର ଅବସ୍ଥା ସ୍ଵଚ୍ଛଳ ମନେହେଉଥିଲେ ବି ଭିତରେ ବଡ଼ ଅଭାବ । ସହରରେ ଅଧିକାଂଶ ଗୃହସ୍ଥଙ୍କ ଘରର ଅବସ୍ଥା ଏଇଭଳି । ଭାଇମାନେ ମୋତେ ଯେକୌଣସି ଦିନ ଭିନ୍ନ କରି ଦେଇ ପାରନ୍ତି । ମୁଁ ଫେରି ନ ଆସିଲେ କଷ୍ଟର ସୀମା ରହିବ ନାହିଁ ।

 

ଭାରତୀ କହିଲା–ଆପଣଙ୍କୁ ଆସିବାକୁ ପଡ଼ିବ ।

 

ମା’ ଠାରୁ ସବୁବେଳେ ଅଲଗା ରହିବି ?

 

ତାଙ୍କୁ ରାଜି କରି ସାଙ୍ଗରେ ନେଇ ଆସନ୍ତୁ । ମୁଁ ଭଲଭବେ ଜାଣେ, ସେ ଆସିବେ ।

 

ଅପୂର୍ବ ହସି କହିଲା–କେବେ ନୁହେଁ । ଆପଣ ମା’କୁ ଜାଣନ୍ତି ନାହିଁ । ଆଚ୍ଛା, ଧରନ୍ତୁ ଯଦି ସେ ଆସେ, ଏଠି କିଏ ତାର ସେବା କରିବ ।

 

ଭାରତୀ ହସି ହସି କହିଲା–ମୁଁ କରିବି ।

 

ଆପଣ ? ଆପଣ ତ ଘରେ ପଶିଲେ ମା ହାଣ୍ଡି ଫିଙ୍ଗିଦେବେ !

 

ଭାରତୀ ଉତ୍ତର ଦେଲା–କେତେଦିନ ହାଣ୍ଡି ବାହାର କରିବେ ? ମୁଁ ତ ନିତି ନିତି ଘରକୁ ଯିବି । ଦୁଇଜଣ ଏକାସଙ୍ଗେ ହସି ଉଠିଲେ । ଭାରତୀ ହଠାତ୍ ଗମ୍ଭୀର ହୋଇ କହିଲା–ଆପଣ ତ ନିଜେ ଏଇ ହାଣ୍ଡିଫିଙ୍ଗାଙ୍କ ଦଳରେ–କିନ୍ତୁ ଖାଲି ହାଣ୍ଡି ବାହାର କରିଦେଲେ ଯଦି ସବୁ ଜଞ୍ଜାଳ ଛିଣ୍ଡି ଯାଅନ୍ତା, ତାହେଲେ ପୃଥିବୀର ସବୁ ସମସ୍ୟା ଖୁବ୍‌ ଶୀଘ୍ର ଛିଣ୍ଡି ଯାଉଥାନ୍ତା । ବିଶ୍ଵାସ ନ ହେଲେ ତେୱାରୀକୁ ପଚାରି ବୁଝିନେବେ ।

 

ଅପୂର୍ବ ସ୍ଵୀକାର କରି କହିଲା–ତା ସତ । ତେୱାରୀ ହୁଏତ ହାଣ୍ଡି ଫିଙ୍ଗି ଦେଇପାରେ; କିନ୍ତୁ ତା ଆଖିରୁ ସଙ୍ଗେ ସଙ୍ଗେ ଝର ଝର ଲୁହ ବୋହିପଡ଼ିବ । ଆପଣଙ୍କୁ ସେ ଏତେ ଭକ୍ତି କରେ ଯେ ଟିକିଏ ପଟେଇଲେ ବି ଖ୍ରୀଷ୍ଟାନ୍ ହୋଇଯିବ ।

 

ଭାରତୀ କହିଲା–ଏ ପୃଥିବୀରେ ଆଗରୁ କିଛି କହିହେବନି । ଚାକର କଥା ନୁହେଁ କି ମାଲିକ କଥା ବି ନୁହେଁ । ଏହା କହି ସେ ହାସ୍ୟ ଗୋପନ କରିବା ପାଇଁ ମୁହଁ ପୋତି ଦେଲା ।

 

ଅପୂର୍ବର ମୁହଁ ଆରକ୍ତ ହୋଇଗଲା । ସେ କହିଲା–କିନ୍ତୁ ଚାକର ଓ ମାଲିକର ବୁଦ୍ଧିର ତାରତମ୍ୟ ତ ଅଛି ।

 

ଭାରତୀ ମୁହଁଟେକି କହିଲା–ଅଛି, ତା ନିଶ୍ଚୟ । ସେଥିପାଇଁ ତାଙ୍କୁ ରାଜି ହେବାକୁ ହୁଏତ ଡେରି ହେବ । ଚାପା କୌତୁକରେ ସେ ଚଞ୍ଚଳ ହୋଇ ଉଠିଲା । ଅପୂର୍ବ କହିଲା–ଆଚ୍ଛା, ଥଟ୍ଟା ନୁହେଁ, ବାସ୍ତବିକ ମୁଁ ଧର୍ମ ତ୍ୟାଗ କରେ, ଏ କଥା ଆପଣ ଭାବନ୍ତି ?

 

ଭାରତୀ କହିଲା–ହଁ ।

 

ସତରେ ଭାବନ୍ତି ?

 

ହଁ ।

 

ଅପୂର୍ବ କହିଲା–କିନ୍ତୁ ପ୍ରାଣ ଗଲେ ବି ମୁଁ ପାରିବିନି !

 

ଭାରତୀ କହିଲା–ପ୍ରାଣ ଯିବା କିଭଳି ଅଭିଜ୍ଞତା, ତା ତ ଆପଣଙ୍କର ନାହିଁ–ତେୱାରୀର ଅଛି । କିନ୍ତୁ ଏ ସବୁ ନେଇ ତର୍କ କରି ବା ଲାଭ କଣ । ଆପଣଙ୍କ ଭଳି ଅନ୍ଧକାରକୃତ ମଣିଷକୁ ଆଲୋକ ଦାନ କରିବା ଅପେକ୍ଷା ମୋର ଅନେକ ଜରୁରୀ କାମ ଅଛି । ଆପଣ ବରଂ ବିଶ୍ରାମ କରନ୍ତୁ ।

 

ଅପୂର୍ବ କହିଲା–ଦିନବେଳେ ମୁଁ ଶୁଏନା, କିନ୍ତୁ ଜରୁରୀ କାମଟା ଆପଣଙ୍କର କ’ଣ ?

 

ଭାରତୀ କହିଲା–ଆପଣଙ୍କ କାମରେ ବେକାର ଖଟି ବୁଲିବା ମୋର ଏକମାତ୍ର କାମ ନା କଣ ? ମତେ ଦୁଇଟା ରାନ୍ଧି ଖାଇବାକୁ ହେବ । ଶୋଇ ନ ପାରିଲେ ମୋ ସଙ୍ଗେ ତଳକୁ ଚାଲନ୍ତୁ । ମୁଁ କଣ ରାନ୍ଧେ, କିଭଳି ରାନ୍ଧେ ଦେଖିବେ । ହାତରେ ଯେତେବେଳେ ଦିନେ ନା ଦିନେ ଖାଇବାକୁ ହେବ, ସେତେବେଳେ ସଂପୂର୍ଣ୍ଣ ଅନଭିଜ୍ଞ ଥିବା ଭଲ ନୁହେଁ । ଏହା କହି ସେ ଖିଲ୍ ଖିଲ୍ କରି ହସି ଉଠିଲା ।

 

ଅପୂର୍ବ କହିଲା–ମୁଁ ମରିଗଲେ ବି ଆପଣଙ୍କ ହାତରେ ଖାଇବି ନାହିଁ ।

 

ଭାରତୀ କହିଲା–ମୁଁ ବଞ୍ଚିଲାବେଳେ ଖାଇବା କଥା କହୁଛି–କହ ସେ ହସି ହସି ତଳକୁ ଓହ୍ଲାଇଗଲା ।

 

ଅପୂର୍ବ ଡାକି କହିଲା–ମୁଁ ତା’ହେଲେ ବର୍ତ୍ତମାନ ବସାକୁ ବାହାରୁଛି, ତେୱାରୀ ବ୍ୟସ୍ତ ହେବଣି । ସେ କିଛି ସମୟ ଜବାବ ଆଶାରେ ଉତ୍କର୍ଣ୍ଣ ରହି ତା ପରେ ଆସ୍ତେ ଆସ୍ତେ ଆରାମଚଉକିରେ ଆଉଜି ପଡ଼ିଲା । ଦେହ ମନ ତାର ଅଳସ ଶିଥିଳ ହୋଇ ଆସିଲା । ଶେଷରେ ସେଇ ଚଉକି ଉପରେ ମୁହଁରେ ହାତ ଦେଇ ସେ ଶୋଇପଡ଼ିଲା ।

 

Unknown

ଚଉଦ

 

ବେଳ ଗଡ଼ିଗଲାଣି, ଉଠନ୍ତୁ ।

 

ଅପୂର୍ବ ଆଖି ମଳି ଉଠି ବସିଲା । କାନ୍ଥଘଡ଼ିକୁ ଚାହିଁ କହିଲା–ଇସ୍‌, ତିନି ଚାରି ଘଣ୍ଟା ଶୋଇପଡ଼ିଲି । ମତେ ଉଠେଇ ଦେଲେ ନି କାହିଁକି ? ବାଃ, ମୁଣ୍ଡତଳେ ଗୋଟାଏ ତକିଆ ବି ଦେଇଛନ୍ତି । ଏଥିରେ କଣ କାହାର ନିଦ ଭାଙ୍ଗେ ?

 

ଭାରତୀ କହିଲା–ଭାଙ୍ଗିବାର ଥିଲେ ନିଶ୍ଚୟ ଭାଙ୍ଗିଥାନ୍ତା । ଏଇଟା ନ ଦେଇଥିଲେ କେବଳ ବେକ ରକା ହୋଇଥାନ୍ତା । ଯାଆନ୍ତୁ, ମୁହଁ ହାତ ଧୋଇ ଆସିବେ । ପୂଜାରୀ ଜଳଖିଆ ଧରି ଠିଆହୋଇଛନ୍ତି । ସେ ବ୍ୟସ୍ତ ମଣିଷ, ତାଙ୍କୁ ଶୀଘ୍ର ଛୁଟି ଦିଅନ୍ତୁ । ଦ୍ଵାର ପାଖରେ ଯେଉଁ ଲୋକଟି ଠିଆ ହୋଇଥିଲା, ସେ ଶୀଘ୍ର ଚାଲିଯିବାକୁ ନିବେଦନ କଲା ।

 

ଅପୂର୍ବ କଳା ପାଖରୁ ମୁହଁ ଧୋଇ ଆସି ଜଳଖିଆ ଖାଇଲା ଓ ଗୁଆ, ଅଳେଇଚ ପ୍ରଭୃତି ଗ୍ରହଣ କରି କହିଲା–ଏଥର ମତେ ଛୁଟି ଦିଅନ୍ତୁ, ମୁଁ ବସାକୁ ଯିବି ।

 

ଭାରତୀ କହିଲା–ସେ କଥା ହେବନି । ତେୱାରୀକୁ ଖବର ଦେଇଛି ଯେ ଆସନ୍ତା କାଲି ଉପରବେଳା ଆପଣ ବସାକୁ ଫେରିବେ ଏବଂ ଖବର ଦେଇଛି ଯେ ଉତ୍ତମରୂପେ ଆପଣଙ୍କ ଘର ଜଗିଛି । ଏଣୁ ଚିନ୍ତା କରିବାର କିଛି ନାହିଁ ।

 

-କିନ୍ତୁ କାହିଁକି ?

 

ଭାରତୀ କହିଲା–ଆପଣ ବର୍ତ୍ତମାନ ଆମର ଅଭିଭାବକ । ଆଜି ସୁମିତ୍ରାଦି ଅସୁସ୍ଥ, ନବତାରା ଅତୁଲବାବୁଙ୍କ ସହ ବାହାରକୁ ଯାଇଛନ୍ତି । ଆପଣଙ୍କୁ ମୋ ସଙ୍ଗେ ଯିବାକୁ ହେବ । ଆପଣଙ୍କ ପ୍ରତି ପ୍ରେସିଡେଣ୍ଟ୍‌ଙ୍କର ଏଇ ଆଦେଶ । ଏଇ ଧୋତି ଆଣିଛି, ପାଲଟି ବର୍ତ୍ତମାନ ଚାଲନ୍ତୁ ।

 

-କେଉଁଆଡ଼େ ?

 

ଶ୍ରମିକ ବସ୍ତିକୁ । ଅର୍ଥାତ୍‌ ବଡ଼ ବଡ଼ କୋଟୀପତି ମାଲିକଗଣ ୱାର୍କମେନ୍‌ମାନଙ୍କ ପାଇଁ ସେ ନରକକୁଣ୍ଡ ତିଆରି କରୁଛନ୍ତି, ସେଇ ଜାଗାକୁ । ଆଜି ରବିବାର, ଛୁଟିଦିନ । ତେଣୁ ଆମର କାମ ।

 

ଅପୂର୍ବ କହିଲା–ସେଠି କି କାମ ?

 

ଭାରତୀ କହିଲା–ନ ହେଲେ ‘ଚଲାପଥର ଦାବୀ’ ଅନୁଷ୍ଠାନର ଯଥାର୍ଥ କାମ କଣ ଏଇ ଘରେ ହେବ ? ଟିକିଏ ହସି କହିଲା–ଆପଣ ଅନୁଷ୍ଠାନର ଜଣେ ପଦସ୍ଥ ସଭ୍ୟ, ସରଜମିନ୍‌କୁ ନ ଗଲେ କାମ ଜାଣିବେ କେମିତି ?

 

ଚାଲନ୍ତୁ–କହି ଅପୂର୍ବ ପାଞ୍ଚ ମିନଟ୍ ଭିତରେ ପ୍ରସ୍ତୁତ ହୋଇ ଆସିଲା ।

 

ଭାରତୀ ଆଲ୍‌ମାରି ଖୋଲି କଣ ଗୋଟାଏ ଜିନିଷ ଲୁଚାଇ ଧରିବାରୁ ଅପୂର୍ବ ଦେଖିପାରି ପଚାରିଲା–ସେଇଟା କଣ ଧରିଛନ୍ତି ?

 

–ପିସ୍ତଲ୍ ।

 

–ପିସ୍ତଲ୍ ? ପିସ୍ତଲ୍ କଣ ହେବ ?

 

–ଆତ୍ମରକ୍ଷା ପାଇଁ ।

 

-ସେଥିପାଇଁ ପାଶ୍‌ ଅଛି ?

 

–ନା ।

 

ଅପୂର୍ବ କହିଲା–ପୋଲିସ୍ ଧରିଲେ ତ ଦୁଇଜଣଙ୍କର ଆତ୍ମରକ୍ଷା ହେବ । କେତେ ବର୍ଷ ଜେଲୁ ?

 

-ଜେଲ ହେବନି, ଚାଲନ୍ତୁ ।

 

ଅପୂର୍ବ ନିଃଶ୍ଵାସ ପକାଇ କହିଲା–ଦୁର୍ଗା ଦୂର୍ଗା–ହରି ହରି । ଚାଲନ୍ତୁ ।

 

ବଡ଼ ସଡ଼କରେ ବର୍ମ୍ମା ଓ ଚୀନା ସାହି ପାରହୋଇ ବଜାର ବାଟେ ପ୍ରାୟେ ମାଇଲିଏ ଖଣ୍ଡେ ଚାଲିଲା ପରେ ଉଭୟେ ଆସି ଗୋଟାଏ ବଡ଼ କାରଖାନା ଆଗରେ ପହଞ୍ଚିଲେ ଓ ଫାଟକ ଭିତରେ ପଶି ଆଗେଇଲେ । ଡାହାଣ ପଟେ ଧାଡ଼ି ଧାଡ଼ି କରୋଗେଟେଡ୍ ଲୁହାର ଗୋଦାମ ଓ ତାର ଅପର ଦିଗରେ ଭଙ୍ଗା କାଠ ଓ ଭଙ୍ଗା ଟିଣରେ ତିଆରି ଲମ୍ବା ବସ୍ତି ଲାଇନ୍ । ସାମନାରେ କେତେଟା ପାଣିକଳ ଓ ପଛରେ ଧାଡ଼ି ଧାଡ଼ି ଟିଣ ପାଇଖାନା ।

 

ଭାରତୀ କହିଲା–ଆଜି କାମଦିନ ନୁହେଁ, ନ ହେଲେ ଏଇ କଳ ପାଖେ ଦୁଇଟା ହଣାମରା ଦେଖିଥାନ୍ତେ ।

 

ଅପୂର୍ବ କହିଲା–ଛୁଟିଦିନରେ ମଧ୍ୟ ଭିଡ଼ ଦେଖି ତା ଅନୁମାନ କରି ପାରୁଚି ।

 

ଏଇ ଲୋକଙ୍କ ଆଗରେ ଜଣେ ମାନ୍ଦ୍ରାଜୀ ସ୍ତ୍ରୀ ପର୍ଦ୍ଦା ଉଠାଇ ପାଇଖାନା ଭିତରକୁ ପଶିଲା । ପର୍ଦ୍ଦାର ଅବସ୍ଥା ଦେଖି ଅପୂର୍ବ ଲଜ୍ଜାରେ ମ୍ରିୟମାଣ ହୋଇ କହିଲା–ଅନୁଷ୍ଠାନର କାମ କରିବେ ତ ଆଉ କେଉଁଠିକୁ ଶୀଘ୍ର ଚାଲନ୍ତୁ; ମୁଁ ଏଠି ଠିଆ ହୋଇ ପାରିବି ନାହିଁ ।

 

ଭାରତୀ ନିଜେ ତା ଦେଖିଥିଲା, ଉତ୍ତରରେ ସେ ସାମାନ୍ୟ ହସିଲା କେବଳ । ମଣିଷ ଅବସ୍ଥାରୁ ଯେଉଁମାନଙ୍କୁ ଓହ୍ଲାଇ ପଶୁ କରାଯାଇଚି, ସେମାନଙ୍କର ଆଉ ଏ ସବୁ ଭଦ୍ରତା ଦରକାର କ’ଣ ?

 

କେତେଟା ଘର ପାର ହୋଇ ସେମାନେ ଜଣେ ବଙ୍ଗାଳୀ ମିସ୍ତ୍ରୀ ଘରେ ପହଞ୍ଚିଲେ । ଲୋକଟାର ବୟସ ଅଧିକ, କାରଖାନାରେ ପିତଳ ଢଲେଇ କାମ କରେ । ମଦ ଖାଇ ଖଟ ଉପରେ ପଡ଼ି କାହାକୁ ଅକଥ୍ୟ ଭାଷାରେ ଗାଳି ଦେଉଥିଲେ । ଭାରତୀ କହିଲା–ମାଣିକ, କାହା ଉପରେ ଗାଳି ? ସୁଶୀଳା କାହିଁ ? ସେ ଦି’ଦିନ ହେଲା ପଢ଼ିବାକୁ ଯାଇନି କାହିଁକି ?

 

ମାଣିକ କୌଣସି ମତେ ହାତଗୋଡ଼ରେ ଭରା ଦେଇ ଉଠି ବସିଲା, ଆଖି ଖୋଲି ଦେଖିଲା । କହିଲା–ଦିଦି, ଆସ, ବସ । ରାନ୍ଧି ବାଢ଼ି ବାସନ ମାଜି ସାନପିଲାଙ୍କୁ ସମ୍ଭାଳୁ ଅବସ୍ଥା ଖରାପ–ଛାତି ଫାଟିଯାଉଛି, ଯଦୁ ଶାଲାକୁ ଯଦି ମୁଁ ଖୁନ୍ ନ କରେ ତ ମୁଁ କୈବର୍ତ୍ତ ନୁହେଁ । ବଡ଼ ସାହେବ ପାଖେ ଏମିତି ଦର୍ଖାସ୍ତ ଦେବି ଯେ ଶଳାର ଚାକିରି ଖାଇଦେବି ।

 

ଭାରତୀ ହସି ହସି କହିଲା–ହଉ ଦିଅ । ଆଉ ଯଦି କହିବ, ସୁମିତ୍ରାଦିଙ୍କ ହାତରେ ଦର୍ଖାସ୍ତ ଲେଖିନେବ । କିନ୍ତୁ କାଲି ଆମର ଫୟାର୍ ପଡ଼ିଆରେ ମିଟିଂ, ମନେ ଅଛି ତ ?

 

ଏଇ ସମୟରେ ଦଶବାର ବର୍ଷର ଗୋଟିଏ ଝିଅ ଆସି ପହଞ୍ଚିଲା । ସେ ଲୁଗାକାନିରେ ଗୋଟାଏ ମଦ ବୋତଲ ଘୋଡ଼େଇ ଧରିଥିଲା–ବାହାର କରି କହିଲା–ବାପା ଘୋଡ଼ା ମାର୍କା ମଦ ଆଉ ନାହିଁ । ଟୋପି ମାର୍କା ମଦ ଆଣିଲା । ଚାରି ପଇସା ବାକି ରହିଲା । ଦେଖ ବାପା, ରାମ ଆଇଆର ମାତାଲ ହେଇ ମତେ କଣ କହିଲା, ଜାଣୁ ?

 

ପ୍ରତ୍ୟୁତ୍ତରରେ ତା ବାପ ରାମିଆ ଉଦ୍ଦେଶ୍ୟରେ ଗୋଟାଏ କଦର୍ଯ୍ୟ ଶବ୍ଦ ବ୍ୟବହାର କଲା-

 

ଭାରତୀ କହିଲା–ଏ ସବୁ ଜାଗାକୁ ତୁ ଆଉ ଯିବୁନି । ତୋ ମା’ କେଉଁଠି ସୁଶୀଳା ?

 

ମା’ ? ମା’ ପରଦିନ ରାତିରୁ ଯଦୁକାକା ସାଥିରେ ପଳେଇ ଯାଇ ଲାଇନ ବାହାରେ ଘର ଭଡ଼ା କରି ରହିଛି । ସେ ଆଉ କଣ କହିବାକୁ ଯାଉଥିଲା–କିନ୍ତୁ ତା ବାପ ଗର୍ଜ୍ଜନ କରି ଉଠିଲା–ଦେଖିବି ମୁଁ । ମୋର ବାହାସାହା ହେଇ ଝିଅ ବୋହୂ ନେଇ ଘର–ବେଶ୍ୟା ଆଡ୍‌ଡା ନୁହେଁ । ଏହା କହି ସେ କମ୍ପିତ ହାତରେ ସ୍କୃ, ଅଭାବରେ ନିହଣ ଦ୍ଵାରା ବୋତଲ ଖୋଲିବାକୁ ଲାଗିଲା ।

 

ଭାରତୀ ହଠାତ୍‌ ତାର ଶାଢ଼ିରେ ପ୍ରବଳ ଆକର୍ଷଣ ଅନୁଭବ କରି ପଛକୁ ଫେରି ଦେଖିଲା, ଅପୂର୍ବର ମୁହଁ କଳା ପଡ଼ିଯାଇଛି । ସେ କେବେ ଭାରତୀକୁ ସ୍ପର୍ଶ କରିନାହିଁ–କିନ୍ତୁ ବର୍ତ୍ତମାନ ତାର ସେ ଜ୍ଞାନ ନ ଥିଲା । କହିଲା–ଚାଲନ୍ତୁ, ଏଠୁ ଯିବା ।

 

ଟିକିଏ ରହନ୍ତୁ ।

 

ନା, ଗୋଟାଏ ମିନିଟ୍ ବି ନୁହେଁ । ଏହା କହି ସେ ଜୋର କରି ତାକୁ ବାହାରକୁ ଟାଣି ଆଣିଲା ।

 

ଘର ଭିତରୁ ମାଣିକର ବୀରଗର୍ଜ୍ଜନ ଶୁଭୁଥିଲା–ଖୁନ୍ କରି ଫାଶୀ ହେଲେବି ଭଲ । ମୁଁ ପକ୍କା ଗୁଣ୍ଡା–ଜେଲ ବା ଫାଶୀ କୌଣସିଟାକୁ ଭୟ କରେନା ।

 

ବାହାରକୁ ଆସି ଅପୂର୍ବ ନିଆଁ ପରି ଜଳିଉଠିଲା–ହାରମଜାଦା, ପାଜି, ମାତାଲ । ଘରଟାକୁ ନରକ କୁଣ୍ଡ କରି ରଖିଛି । ଏଠି ପାଦ ଦେବାକୁ ଆପଣଙ୍କୁ ଘୃଣା ଲାଗିଲାନି ?

 

ଭାରତୀ ତା ମୁହଁକୁ ଚାହିଁ ଆସ୍ତେ ଆସ୍ତେ କହିଲା–ନା । ତାର କାରଣ, ନରକକୁଣ୍ଡ ତ ଏମାନେ ତିଆରି କରି ନାହାନ୍ତି । ଏମାନେ କେବଳ ପ୍ରାୟଶ୍ଚିତ୍ତ କରୁଛନ୍ତି ମାତ୍ର ।

 

ଅପୂର୍ବ କହିଲା–ନା, ଏମାନେ ତିଆରି କରି ନାହାନ୍ତି, ମୁଁ କରିଛି । ଝିଅଟାର କଥା ଶୁଣିଲେ ତ ? ମା ଯେମିତ ତୀର୍ଥଯାତ୍ରା କରି ଯାଇଚି ! ଆଉ କେଉଁଦିନ ଯଦି ଏଠିକି ଆସନ୍ତି ତ, ଦେଖିବେ ।

 

ଭାରତୀ ସାମାନ୍ୟ ହସି କହିଲା–ମୁଁ ମ୍ଳେଚ୍ଛ, ଖ୍ରୀଷ୍ଟିୟାନ୍ । ମୋର ଏଠିକି ଆସିବାରେ ଦୋଷ କଣ ?

 

ଅପୂର୍ବ ରାଗ କରି କହିଲା–ଦୋଷ ନାହିଁ ? ଖ୍ରୀଷ୍ଟିଆନ୍ ବୋଲି କଣ ସତ୍‌ ଅସତ୍‌ କିଛି ନାହିଁ ? ନିଜ ସମାଜ ପାଖରେ ସେମାନଙ୍କୁ କୈଫିୟତ୍‌ ଦେବାକୁ ହୁଏନା ?

 

ଭାରତୀ ଉତ୍ତର ଦେଲା–ମୋର କିଏ ଅଛି ଯେ କୈଫିୟତ୍‌ ତଲବ କରିବ ? ମୋ ପାଇଁ କାହାର ମୁଣ୍ଡ ବଥାଇବ, କହନ୍ତୁ ?

 

ଅପୂର୍ବ ହଠାତ୍ କୌଣସି ଉତ୍ତର ନ ପାଇ କହିଲା–ଏ ସବୁ ଆପଣଙ୍କର ଚାଲାକି । ଆପଣ ଘରକୁ ଫେରିଚାଲନ୍ତୁ ।

 

ମତେ ଆଉ ପାଞ୍ଚଜାଗା ଯିବାକୁ ହେବ । ଆପଣଙ୍କୁ ଭଲ ଲାଗୁନି ତ ଆପଣ ଫେରିଯାଆନ୍ତୁ ।

 

-ଫେରିଯାଆନ୍ତୁ କହିଲେ କଣ ମୁଁ ଫେରିଯିବି ?

 

ତା ହେଲେ ସାଙ୍ଗରେ ଆସନ୍ତୁ । ମଣିଷ ପ୍ରତି ମଣିଷ କି ଅତ୍ୟାଚାର କରିଛି ଆଖି ଖୋଲି ଦେଖନ୍ତୁ । କେବଳ ଛୁଆଁ ଛୁଇଁ ମାନି ନିଜେ ସାଧୁ ହୋଇ ଭାବିଛନ୍ତି ପୁଣ୍ୟ ସଞ୍ଚୟ କରି ସିଧା ସ୍ଵର୍ଗକୁ ଯିବେ ? ସେ କଥା ଭାବିବେନି । କହୁ କହୁ ଭାରତୀର ମୁହଁର ଚେହେରା କଠୋର ଓ ସ୍ଵର ତୀକ୍ଷ୍‌ଣ ହୋଇଗଲା । ଏଇ ଯୁକ୍ତି ଓ ସ୍ଵର ଅପୂର୍ବର ପରିଚିତ ।

 

ଭାରତୀ କହିଲା–ଏଇ ଝିଅଟିର ମା’ ଓ ଯଦୁ ଯେଉଁ ଅପରାଧ କରିଛନ୍ତି, ତା କେବଳ ଏଇମାନଙ୍କୁ ଦଣ୍ଡ ଦେଲେ ଶେଷ ହେବ ? ଆପଣ ସେମାନଙ୍କର କେହି ନୁହନ୍ତି ? ଡାକ୍ତରବାବୁଙ୍କୁ ଜାଣି ନଥିଲା ପର୍ଯ୍ୟନ୍ତ ମୁଁ ଏଇଭଳି ଭାବୁଥିଲା । କିନ୍ତୁ ଆଜି ମୁଁ ନିଶ୍ଚିତଭାବେ ଜାଣେ ଯେ ଏଇ ନରକକୁଣ୍ଡରେ ଯେତେ ପାପ ଜମା ହେବ, ତାର ଓଜନ ଆପଣଙ୍କୁ ସ୍ଵର୍ଗରୁ ଟାଣିଆଣି ଏଇଠି ଡୁବେଇବ । ଆମେ ନିଜ ଦରକାର ପାଇଁ ଆସୁ ଅପୂର୍ବବାବୁ, ଏଇ ଉପଲବ୍ଧି ଆମର ‘ଚଲାପଥର ଦାବୀ’ର ସବୁଠାରୁ ବଡ଼ ସାଧନା । ଚାଲନ୍ତୁ ।

 

ଅପୂର୍ବ ନିରୀହ ଓ ନିସ୍ପୃହ କଣ୍ଠରେ କହିଲା–ଚାଲନ୍ତୁ । ଭାରତୀର କଥା ସେ ବୁଝି–ପାରିଲାନି, ବିଶ୍ଵାସ ବି କଲାନାହିଁ ।

 

କିଛି ଦୂରରେ ଗୋଟାଏ ସାଗୁଆନ୍ ଗଛ ଥିଲା; ଭାରତୀ ଆଙ୍ଗୁଠି ଦେଖାଇ କହିଲା– ଏଇ ଆଗରେ କେତେଜଣ ବଙ୍ଗାଳୀ ଅଛନ୍ତି, ଚାଳନ୍ତୁ ସେଇଠିକି ଯିବା ।

 

ଅପୂର୍ବ କହିଲା–ବଙ୍ଗାଳୀ ଭିନ୍ନ ଅନ୍ୟ ଜାତିର ଲୋକଙ୍କ ଭିତରେ କଣ ଆପଣମାନେ କାମ କରନ୍ତି ନାହିଁ ?

 

ଭାରତୀ କହିଲା–କରୁ, ସମସ୍ତେ ଆମର ପ୍ରୟୋଜନ । କିନ୍ତୁ ପ୍ରେସିଡେଣ୍ଟ୍‌ଙ୍କ ଛଡ଼ା ତ ଅନ୍ୟ କେହି ସମସ୍ତଙ୍କ ଭାଷା ଜାଣନ୍ତି ନାହିଁ । ସେ ସୁସ୍ଥ ଥିଲେ ଏ କାମ ତାଙ୍କର; ମୋର ନୁହେଁ ।

 

ସେ କଣ ଭାରତବର୍ଷର ସବୁ ଭାଷା ଜାଣନ୍ତି ?

 

ହଁ ?

 

ଆଉ ଡାକ୍ତରବାବୁ ?

 

ଭାରତୀ ସାମାନ୍ୟ ହସି କହିଲା–ଡାକ୍ତରବାବୁଙ୍କ ସଂପର୍କରେ ଆପଣଙ୍କର ଖୁବ୍ କୌତୁହଳ । ଆପଣ ଏ କଥା ଗ୍ରହଣ କରିନେଇ ପାରନ୍ତି ସେ ପୃଥିବୀରେ ଯାହା କିଛି ଜାଣିବାର କଥା ସେ ଜାଣନ୍ତି, ଯାହା କିଛି କରାଯାଇ ପାରେ, ସେ କରି ପାରନ୍ତି । କିଏ ତାଙ୍କ ନାଁ ସବ୍ୟସାଚୀ ରଖିଥିଲେ ମୁଁ ଜାଣେ ନା; କିନ୍ତୁ ତାଙ୍କର ଅସାଧ୍ୟ, ଅଜ୍ଞାତ ପୃଥିବୀରେ କିଛି ନାହିଁ । ଏହା କହି ସେ ସ୍ଵାଭାବିକ ରୀତିରେ ଆଗେଇଗଲା; କିନ୍ତୁ ପଛରୁ ଅପୂର୍ବ ଛାତିରୁ ଗୋଟାଏ ଦୀର୍ଘଶ୍ଵାସ ବାହାରିଗଲା-। ଅକସ୍ମାତ୍‌ ଏଇ କଥା ତାକୁ ଉଦ୍‌ବେଳିତ କଲା ଯେ, ଏଇ ପରାଧୀନ ଦେଶରେ ଏତେବଡ଼ ଗୋଟାଏ ମହାନ୍ ଜୀବନର କୌଣସି ମୂଲ୍ୟ ନାହିଁ, ଯେ କୌଣସି ମୁହୂର୍ତ୍ତରେ ଶିଆଳ କୁକୁର ପରି ତାଙ୍କୁ ଗୁଳିକରି ମାରିଦିଆଯାଇପାରେ । ସମସ୍ତ ଜଗତରେ ଏହାଠାରୁ ବଳି ଅବିଚାର ଆଉ କଣ ଅଛି ?

 

ଉଭୟେ ଗୋଟାଏ ଘରେ ଯାଇ ପହଞ୍ଚିଲେ । ଭାରତୀ ଡାକିଲା–ପାଞ୍ଚକଡ଼ି, ଆଜି କେମିତି ଅଛ ?

 

ଅନ୍ଧାର କୋଣରୁ ଶବ୍ଦ ଶୁଭିଲା–ଟିକିଏ ଭଲ ଅଛି । ଏହା କହି ଜଣେ ପ୍ରୌଢ଼ ବ୍ୟକ୍ତି ଡାହାଣ ହାତଟା ଟେକିଧରି ଆସି ପହଞ୍ଚିଲା । ହାତରେ କଣ ଗୁଡ଼ାଏ ଲେପ ବୋଳା ଯାଇଛି । କହିଲା–ମା, ଝିଅଟାର ନାଳରକ୍ତ ଝାଡ଼ା ହେଉଚି । ପୁଅଟାର କାଲିଠାରୁ ଭୀଷଣ ଜର । ପାଖରେ ଗୋଟାଏ ପଇସା ନାହିଁ ଯେ ଟୋପାଏ ଔଷଧ କିଣି ଆଣିବି; ଟିକିଏ ସାଗୁ, ବାର୍ଲି କିଣିବାକୁ ବି ପଇସା ନାହିଁ । ତାର ଆଖି ଦୁଇଟା ଛଳଛଳ ହୋଇଗଲା ।

 

ଅପୂର୍ବର ମୁହଁରୁ ହଠାତ୍ ବାହାରିଗଲା–ପଇସା ନାହିଁ କାହିଁକି ?

 

ଏଇ ଅପରିଚିତ ବାବୁକୁ ଲୋକଟା କିଛି ସମୟ ନିରୀକ୍ଷଣ କରି କହିଲା–ପୁଲିର ଶିକୁଳି ପଡ଼ି ଡାହାଣ ହାତଟା ଜଖମ ହୋଇଯାଇଛି । ମାସେ ହେଲା କାମକୁ ବାହାରିପାରୁନି । ପଇସା କେଉଁଠୁ ଆସିବ ବାବୁ ?

 

ଅପୂର୍ବ ପଚାରିଲା–କାରଖାନାର ମ୍ୟାନେଜର ଏହାର କିଛି ବ୍ୟବସ୍ଥା କଲେନି ?

 

ପାଞ୍ଚକଡ଼ି କପାଳ ଛୁଇଁ କହିଲା–ହାୟ ହାୟ, ଦିନ ମଜୁରିଆର ପୁଣି ବ୍ୟବସ୍ଥା ! ଏବେତ କହୁଛୁ–କାମ କରି ନ ପାରିଲେ ଘର ଛାଡ଼ି ଦେ, ଭଲ ହେଲେ ଆସିବୁ, କାମ ଦେବି । ଏ ଅବସ୍ଥାରେ କୁଆଡ଼େ ଯିବି, କହନ୍ତୁ ତ ? ଛୋଟସାହେବର ହାତ ଗୋଡ଼ ଧରି ଆଉ ସପ୍ତାହେ ଖଣ୍ଡେ ରହିବି । କୋଡ଼ିଏ ବର୍ଷ କାମ କରିଛି ଆଜ୍ଞା, ଶେଷକୁ ଏଇ ଅବସ୍ଥା ।

 

ଏକଥା ଶୁଣି ଅପୂର୍ବ ରାଗରେ ଜଳିବାକୁ ଲାଗିଲା । ତାହାର ଇଚ୍ଛା ହେଲା–ମ୍ୟାନେଜର ଲୋକଟାକୁ ପାଇଲେ କାନ ଧରି ଟାଣି ଆଣି ଦେଖାନ୍ତା–ସୁଦିନରେ ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରେଇଚନ୍ତି, ସେଇ କୁଲି ମଜୁରିଆ ଦୁର୍ଦ୍ଦିନରେ କି ଦୁଃଖ ଭୋଗ କରନ୍ତି ! ଅପୂର୍ବର ଘର ପାଖରେ ଗୋରୁଗାଡ଼ି ଭର୍ତ୍ତି । ତାର ମନେ ପଡ଼ିଲା, ବଳଦ ଜୀବନ ସାରା ବୋଝ ଟାଣି ଟାଣି ଶେଷରେ ବୁଢ଼ା ଓ ଅକ୍ଷମ ହେଲାବେଳକୁ ମାଲିକ ତାକୁ କିପରି କଂସେଇକୁ ବିକିଦିଏ ।

 

ସହସା ଭାରତୀର କଥା ମନେ ପଡ଼ିବାରୁ ସେ ଭାବିଲା–ଠିକ୍ କଥା, କିଏ କେଉଁଠି କରୁଛି, ମୁଁ ତ କରୁନି, କିମ୍ବା ଏଇଭଳି ତ ଚଳିଆସୁଛି–ଏଇ କଥା କହି ଏତେ ବଡ଼ ଅପରାଧକୁ ଭଣ୍ଡି ଦେଇ ହେବନି । ଗୋରୁ, ଘୋଡ଼ା ବା ଏଇ ହାତଭଙ୍ଗା ପାଞ୍ଚକଡ଼ି ତ କେବଳ ଉପଲକ୍ଷ୍ୟ ମାତ୍ର ।

 

ଘରର ଗୋଟାଏ କୋଣରେ ଶତଛିନ୍ନ ଶେଯରେ ଝିଅ ପୁଅ ଦୁଇଟା ମଲାପରି ପଡ଼ିଥିଲେ । ଭାରତୀ ପାଖକୁ ଯାଇ ସେମାନଙ୍କୁ ପରୀକ୍ଷା କଲା । ଅପୂର୍ବ ଭୟରେ ସେ ଆଡ଼କୁ ଯାଇ ପାରିଲା ନାହିଁ, କିନ୍ତୁ ଦରିଦ୍ର ଓ ପୀଡ଼ିତ ଶିଶୁ ଦୁଇଟିର ନିଃଶବ୍ଦ ବେଦନା ତା ଛାତିରେ ମୁଗୁର ଭଳି ପିଟିହେଉଥିଲା । ସେ ମନକୁ ମନ ଭାବିହେଲା–ଲୋକେ କହନ୍ତି, ଏଇ ତ ଦୁନିଆ ! ଏଇଭଳି ସଂସାରର ସବୁ କାମ ହେଇଆସିଛି; କିନ୍ତୁ ଏଇ କଣ ମୁକ୍ତି ! ପୃଥିବୀ କଣ କେବଳ ଅତୀତ ପାଇଁ ! ମଣିଷ କଣ କେବଳ ତାର ପୁରୁଣା ସଂସ୍କାର ନେଇ ଅଚଳ ହେଇ ରହିଥିବ !

 

-ଚାଲନ୍ତୁ ।

 

ଅପୂର୍ବ ଚମକିପଡ଼ି ଦେଖିଲା, ଭାରତୀ । ପାଞ୍ଚକଡ଼ି ନୀରବ ହୋଇ ଠିଆ ହୋଇଥିଲା, ତାକୁ ଡାକି ଭାରତୀ ସ୍ନିଗ୍‌ଧ କଣ୍ଠରେ କହିଲା–ଭୟ ନାଇଁ, ଏମାନେ ଭଲ ହୋଇଯିବେ । କାଲି ସକାଳେ ମୁଁ ଡାକ୍ତର, ଔଷଧ ସବୁ ପଠାଇ ଦେବି । ତାର କଥା ସରୁ ନ ସରୁ ଅପୂର୍ବ ପକେଟରେ ହାତ ପୂରାଇ ଟଙ୍କା ବାହାର କରୁଥିଲା । ଭାରତୀ ତା ହାତକୁ ଚାପିଧରି ତାକୁ ଇଙ୍ଗିତରେ ବାରଣ କଲା । ପାଞ୍ଚକଡ଼ିର ଦୃଷ୍ଟି ଅନ୍ୟତ୍ର ଥିଲା, ସେ ଦେଖିପାରିଲା ନାହିଁ । ଭାରତୀ ନିଜେ ଚାରଣ ପଇସା ବାହାର କରି ତା ହାତରେ ଦେଇ କହିଲା–ପୁଅ ପାଇଁ ଚାରିପଇସାର ମିଶ୍ରି, ଚାରି ପଇସାର ସାଗୁ, ଆଉ ବାକୀ ନିଜପାଇଁ କଣ ଆଣି ତୁମେ ଏ ଓଳି ଚଳେଇ ନିଅ ପାଞ୍ଚକଡ଼ି ! କାଲି ମୁଁ ତୁମ ପାଇଁ ସବୁ ବ୍ୟବସ୍ଥା କରିଦେବି । ଆଜି ଆମେ ଯାଉଛୁ । ଏହା କହି ଅପୂର୍ବକୁ ସାଙ୍ଗରେ ଧରି ସେ ବାହାରି ଆସିଲା ।

 

ବାଟରେ ଆସିଲାବେଳେ କ୍ଷୁଣ୍ଣ ହୋଇ ଅପୂର୍ବ କହିଲା–ଆପଣ ଭାରି କୃପଣ । ମତେ ଦିଆଇ ଦେଲେ ନି, ନିଜେ ବି ଦେଲେନି ।

 

ଭାରତୀ କହିଲା–ଦେଇ ଆସିଲି ତ ।

 

ଏହାକୁ ଦିଆ କୁହାଯାଏ ? ତାର ଏଇ ଦୁଃସମୟରେ ତାକୁ ଚାରିଅଣା ପଇସା ଦେବା ତ ଅପମାନ ।

 

ଭାରତୀ କହିଲା–ଆପଣ କେତେ ଦେଇଥାନ୍ତେ ?

 

ଅପୂର୍ବ କିଛି ଠିକ୍ କରି ନ ଥିଲା, ଖୁବ ସମ୍ଭବ ଯାହା ହାତରେ ପଡ଼ିଥାନ୍ତା ଦେଇଥାନ୍ତା । ବର୍ତ୍ତମାନ ଭାବିଚିନ୍ତି କହିଲା–ଅନ୍ତତଃ ପାଞ୍ଚଟଙ୍କା ।

 

ଭାରତୀ ବିସ୍ମିତ ହୋଇ କହିଲା–ଆରେ ବାପ୍‌ରେ । ସର୍ବନାଶ କରିଥିଲେ ତ ! ବାପ ମଦ ଖାଇ ବେହୋସ୍ ହୋଇ ପଡ଼ିଥାନ୍ତା, ପିଲା ଦୁଇଟି ମରିଯାଇଥାନ୍ତେ ।

 

ମଦ ଖାଇଥାନ୍ତା ?

 

ଖାଇ ନ ଥାନ୍ତା ? ହାତରେ ଟଙ୍କା ପଡ଼ିଲେ ମଦ ଖାଇବନି, ଏଭଳି ଅସାଧାରଣ ବ୍ୟକ୍ତି କିଏ ଅଛି କହନ୍ତୁ ତ ?

 

ଅପୂର୍ବ କିଛି ସମୟ ସ୍ତବ୍‌ଧ ହୋଇ ରହି କହିଲା–ଆପଣଙ୍କର ସବୁ କଥାରେ ଥଟ୍ଟା । ରୁଗ୍‌ଣ ସନ୍ତାନ ପାଇଁ ଚକିତ୍ସାର ଟଙ୍କାରେ ବାପ ମଦ ଖାଇବ, ଏ କଥା କଣ ସମ୍ଭବ ?

 

ଭାରତୀ କହିଲା–ବିଶ୍ଵାସ କରୁ ନାହାନ୍ତି ତ ଆପଣ, ଯେଉଁ ଦିଅଁ ଦେବତାଙ୍କ ନାଁ କହିବେ, ମୁଁ ତାଙ୍କ ନାଁ ଧରି ରାଣ ପକେଇବାକୁ ରାଜି । ସାମାନ୍ୟ ହସି କହିଲା–ନ ହେଲେ ଦାତାର ହାତକୁ ଅଟକେଇ ଧରି ଟଙ୍କା ଦିଆଇ ଦେବନି, ସତ କହନ୍ତୁ ମୁଁ କଣ ଏତେ ଛୋଟ ?

 

ଅପୂର୍ବ ପଚାରିଲା–ଏମାନଙ୍କର ମା’ ନାହିଁ ?

 

-ନା ।

 

-କେଉଁଠି କିଏ ଆତ୍ମୀୟ ନାହିଁ ବୋଧହୁଏ ?

 

ଭାରତୀ କହିଲା–ଥିଲେ ବି ଏବେ କେହି ସାହାଯ୍ୟ କରିବେନି । ଦଶ ବାର ବର୍ଷ ତଳେ ପାଞ୍ଚକଡ଼ି ଗାଁକୁ ଯାଇଥିଲା । କୌଣସି ଜଣେ ବିଧବା ସ୍ତ୍ରୀକୁ ଭୁଲଭୁଲି କର ଏଠିକି ନେଇ ଆସିଲା । ପୁଅ ଝିଅ ଦୁଇଟି ତାର । ଦୁଇବର୍ଷ ହେଲା, ଗଳାରେ ଦଉଡ଼ି ଦେଇ ବିଚାରୀ ଉଦ୍ଧାର ପାଇ ଯାଇଛି । ଏଇ ପାଞ୍ଚକଡ଼ିର ସଂକ୍ଷିପ୍ତ ଇତିହାସ ।

 

ଅପୂର୍ବ ନିଃଶ୍ଵାସ ପକାଇ କହିଲା–ସତରେ ନରକକୁଣ୍ଡ !

 

ଭାରତୀ ନିତାନ୍ତ ସହଜଭାବେ କହିଲା–ସେ ସମ୍ପର୍କରେ ଲେଶମାତ୍ର ସନ୍ଦେହ ନାହିଁ । କିନ୍ତୁ ମୁସ୍କିଲକଥା ଯେ, ଏମାନେ ସମସ୍ତେ ଆମର ଭାଇଭଉଣୀ !

 

ଅପୂର୍ବ ଗମ୍ଭୀର ହୋଇ କହିଲା–ବର୍ତ୍ତମାନ ମନେ ହେଉଛି ଅସମ୍ଭବ ନୁହେଁ । କ୍ଷଣକପୂର୍ବରୁ ପାଞ୍ଚକଡ଼ି ଘରେ ଠିଆହୋଇ ଯେସବୁ ଚିନ୍ତା ତା ମନକୁ ଆସିଥିଲା, ବିଦ୍ୟୁତ୍‌ବେଗରେ ତାର ମନେ ପଡ଼ିଗଲା । କହିଲା–ମୁଁ ଯେତେବେଳେ ମଣିଷ, ମୋର ଦାୟିତ୍ଵ ଅଛି ନିଶ୍ଚୟ ।

 

ଭାରତୀ ରାଜି ହେଲା । କହିଲା–ଆଗେ ମୁଁ ବି ଏଇଭଳି ବିରକ୍ତ ହେଉଥିଲି । ବର୍ତ୍ତମାନ ଏଇସବୁ ଅଜ୍ଞାନ ଦୁଃଖୀ ଦୁର୍ବଳଚିତ୍ତ ଭାଇଭଉଣୀଙ୍କ ମୁଣ୍ଡରେ ଏଇ ଅସହ୍ୟ ପାପର ବୋଝ କିଏ ଲଦି ଦେଉଛି, ତାହା ମୁଁ ବୁଝିପାରୁଚି ।

 

ପାଖ ଘରେ ଜଣେ ଓଡ଼ିଆ ମିସ୍ତ୍ରୀ ରହେ । ତା ପାଖ ଘରୁ ମଝିରେ ମଝିରେ ତୀକ୍ଷ୍‌ଣ ହସ ଓ ଉଚ୍ଚ କୋଳାହଳ ଶୁଣା ଯାଉଥିଲା । ସେଇ ଘରେ ଉଭୟେ ଆସି ପହଞ୍ଚିଲେ । ଭାରତୀ ଏମାନଙ୍କର ପରିଚିତ । ସମସ୍ତେ ଉଠି ତାକୁ ଅଭ୍ୟର୍ଥନା କଲେ । ଜଣେ ଦୌଡ଼ି ଯାଇ ଗୋଟାଏ ଟୁଲ୍ ଓ ବେତର ମୋଡ଼ା ଆଣି ରଖିଲା । ଗୋଟାଏ କାଠଖଟ ଉପରେ ଛଅ ସାତଜଣ ପୁରୁଷ ଓ ଆଠ ଦଶଜଣ ସ୍ତ୍ରୀଲୋକ ମିଶି ମଦ ଖାଉଥିଲେ । ଗୋଟାଏ ଭଙ୍ଗା ହାରମୋନିୟମ ଓ ତାବଲା ମଝିରେ ନାନା ରଙ୍ଗର ଓ ଆକାରର ଖାଲି ବୋତଲ ଚାରିଆଡ଼େ ଗଡ଼ୁଛି । ଜଣେ ବୁଢ଼ୀ ମାତାଲ୍‌ ହୋଇ ଶୋଇ ଯାଇଛି–ସେ ସମ୍ପୂର୍ଣ୍ଣ ଲଙ୍ଗଳା କହିଲେ ଚଳେ । ପଚିଶ ଛବିଶ ବର୍ଷରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀ ପୁରୁଷ ଏକାଠି ବସିଛନ୍ତି ।

 

ଆଜି ରବିବାର, ଛୁଟି ଦିନ । ମାଂସ ତରକାରୀ ସହ ଶସ୍ତା ମଦ ଗନ୍ଧରେ ଅପୂର୍ବକୁ ବାନ୍ତି କରିପକେଇଲା ପରି ଲାଗିଲା । ଜଣେ ଅଳ୍ପବୟସ୍କା ସ୍ତ୍ରୀ ହାତରେ ମଦ ଧରିଥିଲା, ସେ ବୋଧହୁଏ ସମ୍ପୂର୍ଣ୍ଣ ଅଭ୍ୟସ୍ତା ହୋଇନାହିଁ । ସେ ବା ହାତରେ ଜୋର୍‌ରେ ନିଜର ନାକ ଚିପିଧରି ଢକ ଢକ କରି ମଦ ପିଇଦେଲା ଓ ପରେ ପରେ ଘର ସାରା ଛେପ ପକାଇବାକୁ ଲାଗିଲା । ଜଣେ ପୁରୁଷ ତରତରରେ ତା ପାଟିରେ କିଛି ତରକାରୀ ମାଡ଼ି ଦେଲା । ଭାରତୀୟ ପୁରୁଷ ସ୍ତ୍ରୀଙ୍କୁ ନିଜ ଆଖିରେ ଏକାଠି ବସି ମଦ ଖାଇବାର ଦେଖି ଅପୂର୍ବ ଘୃଣାରେ ଶିହରିଉଠିଲା ।

 

ଭାରତୀ ସହିପାରିଲା ନାହିଁ । ସେ ବ୍ୟସ୍ତହୋଇ କହିଲା, ମିସ୍ତ୍ରୀ, କାଲି ଆମର ମିଟିଙ୍ଗ, ଏକଥା ବୋଧହୁଏ ଭୁଲିନାହଁ ? ଯିବ ନିଶ୍ଚୟ ।

 

ନିଶ୍ଚୟ ଦିଦି–ଏହା କହି ମିସ୍ତ୍ରୀ ଗିଲାସେ ମଦ ଉଠାଇ ପିଇଲା ।

 

ଭାରତୀ କହିଲା–ପିଲାଦିନେ ପଢ଼ିଥିବ, କୁଟା ଏକାଠି କରି ବଳିଦେଲେ ସେ ଦଉଡ଼ିରେ ହାତୀ ବନ୍ଧାହୋଇ ପାରିବ । ଏକାଠି ନ ହେଲେ ତମେ କେବେ କିଛି କରି ପାରିବ ନାହିଁ । ତମପାଇଁ ସୁମିତ୍ରା ଦିଦି କେତେ ପରିଶ୍ରମ ନ କରୁଚନ୍ତି !

 

ଏ କଥାରେ ସମସ୍ତେ ମୁଣ୍ଡ ହଲାଇଲେ । ଭାରତୀ କହିଲା–ତମେ ସବୁ ନ ଥିଲେ କାରଖାନା କଣ ଚଳିବ ? ତମେ ତ କାରଖାନାର ପ୍ରକୃତ ମାଲିକ; ଏ କଥା ତମେ ନ ବୁଝିଲେ ଚଳିବ କେମିତି ?

 

ସମସ୍ତେ କହିଲେ ଯେ ଏ କଥା ସତ, ସେମାନେ ନ ଗଲେ କାରଖାନା ବନ୍ଦ ।

 

ଭାରତୀ କହିଲା–ଅଥଚ ତମର କେତେ କଷ୍ଟ, କହତ । ଯେତେବେଳେ ଇଚ୍ଛା ସାହେବ ତମକୁ ଲାଠି ଜୋତା ମାରି ବାହାର କରିଦେବ । ଏଇ ପାଖ ଘରର ପାଞ୍ଚକଡ଼ି, କାମ କଲାବେଳେ ହାତ ଭାଙ୍ଗିଗଲା ବୋଲି ସେ ଖାଇବାକୁ ପାଉନି । ତାର ପିଲା ଦୁଇଟା ଔଷଧ ପଥି ନ ପାଇ ମରିବା ଉପରେ । ବଡ଼ ସାହେବ ତାକୁ ଘରୁ ବାହାର କରିଦେବାକୁ ଧମକାଉଚି । ଏଇ ଯେ କୋଟି କୋଟି ଟଙ୍କା ସେମାନେ ଲାଭ କରୁଛନ୍ତି, ସେ କାହାପାଇଁ ? ତମେ ବା ପାଅ କଣ ? ଏଇ ଯେ ସେଦିନ ଶ୍ୟାମଲାଲ୍‌କୁ ସାନସାହେବ ଠେଲିଦେଲା, ଏବେ ବି ସେ ହସ୍‌ପାତାଳରେ, ଏସବୁ ତମେ ସହିବ କାହିଁକି ? ଥରେ ସମସ୍ତେ ଏକାଠି ଠିଆହୋଇ ଜୋରରେ କହ–ଏ ନିର୍ଯାତନା ଆମେ ସହିବୁ ନାହିଁ–ଦେଖିବା କିଏ ତମକୁ ଛୁଇଁପାରିବ ? କେବଳ ଥରେ ତମେ ନିଜ ଜୋର ପରୀକ୍ଷା କରି ଦେଖ–ଆମେ ଆଉ କିଛି ଚାହୁଁନା ।

 

ଜଣେ ମାତାଲ୍ ଏପର୍ଯ୍ୟନ୍ତ ହାଁ କରି ଶୁଣୁଥିଲା । ସେ କହିଲା–ଆମେ ପାରିବୁନି କଣ ? ଏତିକି ଟିକିଏ ଡିନାମାଇଟ୍ ରଖିଦେଲେ–କଡ୍‌, କଡ଼୍‌, କଡ଼ାତ୍‌ବାସ୍ ଅଧେ କାରଖାନା ସଫା । ଭାରତୀ ଭୟରେ କହିଲା–ନା, ନା, ଦୁଲାଲ, ସେ ସବୁ କାମ କେବେ କରିବନି । ଏଥିରେ ତ ତମର ସର୍ବନାଶ । ହୁଏତ ବହୁ ଲୋକ ମରିବେ–ନା, ନା, ଏସବୁ କଥା ତମେ ଯେପରି ସ୍ଵପ୍ନରେ ବି ଭାବିବ ନାହିଁ ।

 

ଲୋକଟା ହୋ ହୋ ହସି କହିଲା–ନା, ନା, ତା କଣ ଆମେ ଜାଣିନୁ ! ମୁଁ ଖାଲି କହୁଚି, ଆମେ କଣ କରି ପାରିବୁନି ?

 

ଭାରତୀ କହିଲା–ତମକୁ ସତ୍‌ପଥରେ ଠିଆ କରିବା ଆମର ଲକ୍ଷ୍ୟ । ସେଥିରେ ତମେ ସବୁ ପାଇବ । ସେମାନଙ୍କ ପାଖେ ତମର ବହୁ ଟଙ୍କା ପାଉଣା ଅଛି–ତା କଡ଼ାଗଣ୍ଡା ଅସୁଲ କରିନେବାକୁ ହେବ । ତା’ପରେ ଭାରତୀ କହିଲା–ସନ୍ଧ୍ୟା ହେଲାଣି, ବର୍ତ୍ତମାନ ଆଉ ଗୋଟାଏ ଜାଗାକୁ ଯିବାକୁ ହେବ । ଆମେ ଚାଲିଲୁ, କିନ୍ତୁ କାଲିକଥା ଭୁଲିବ ନାହିଁ । ଏହା କହି ସେ ଉଠିଲା ।

 

ଏଇ ଆଡ଼କୁ ଆସିବା ବେଳଠାରୁ ଅପୂର୍ବକୁ ଅତି ଖରାପ ଲାଗୁଥିଲା; କିନ୍ତୁ ଶେଷବେଳକୁ ଭାରତୀର କଥା ଶୁଣି ସେ ବିରକ୍ତ ହୋଇ କହିଲା–ଏସବୁ କଥା ତାଙ୍କୁ କହିବା କଣ ଦରକାର ଥିଲା ?

 

ଭାରତୀ କହିଲା–କେଉଁ କଥା ?

 

ଅପୂର୍ବ କହିଲା–ଏଇ ମାତାଲ୍ ଦୁଲାଲ୍ ଯାହା କହିଲା, ଶୁଣିଲ ତ ? ଏକଥା ଯଦି ସାହେବର କାନକୁ ଯାଏ ?

 

-କାନକୁ ଗଲେ କଣ ହେବ ?

 

ଆରେ, ଏମାନେ ତ ଯାଇ କହିଦେବେ । ଏମାନେ ଯୁଧିଷ୍ଠିର ନା କଣ ? ମଦ ନିଶାରେ କେତେବେଳେ କି କାଣ୍ଡ କରିବେ, ସେତେବେଳେ ତମ ନାଁରେ ଦୋଷ ଦେବେ । ହୁଏତ କହିବେ, ତମେ ଶିଖେଇ ଦେଇଚ ।

 

-କିନ୍ତୁ ତା ତ ମିଛ କଥା !

 

ଅପୂର୍ବ ଅଧୀର ହୋଇ କହିଲା ମିଛ କଥା ! ଇଂରେଜ ରାଜତ୍ଵରେ କାହାର ମିଛ କଥାରେ ଜେଲ୍ ହୁଏନି ନା କଣ ! ରାଜତ୍ଵଟାତ କେବଳ ମିଛ ଉପରେ ଠିଆ ।

 

ଭାରତୀ କହିଲା–ମୋର ତାହେଲେ ଜେଲ୍‌ ହେବ ?

 

ଅପୂର୍ବ କହିଲା–ତମେ ତ କହିଦେଲ–ଜେଲ୍ ହେବ । ନା, ନା, ସେ ସବୁ ହେଇପାରିବ ନାହିଁ । ଏଠିକି ଆସିବା ତମର ମୋଟେ ଚଳିବନି ।

 

କିଛି ଦୂରରେ ଆଉ ଜଣକ ଘରକୁ ଯିବାର ଥିଲା । ତା ଦ୍ଵାରରେ ତାଲା ପଡ଼ିଥିବାର ଦେଖି ଉଭୟେ ସେଇ ବାଟେ ଫେରିଲେ । ଆଡ଼ାରେ ସେତେବେଳେ ଗୀତ କମିଯାଇଛି–କିନ୍ତୁ ଯୁକ୍ତିତର୍କ ଚାଲିଛି ଜୋରରେ । ଜଣେ ସ୍ତ୍ରୀଲୋକ ମାତାଲ୍ ହୋଇ ସ୍ଵାମୀପାଇଁ କାନ୍ଦର ଧାର ଲମ୍ବେଇଛି, ଆଉ ଜଣେ ସ୍ତ୍ରୀ ତାକୁ ସାନ୍ତ୍ୱନା ଦେଉଛି ସେ ଘର କଥା ମନେ ପକେଇ ଲାଭ ନାହିଁ, ଏଠି ତାକୁ ସବୁ ମିଳିବ । ସେ ବରଂ ପୂର୍ଣ୍ଣିମାକୁ ପୁର୍ଣ୍ଣିମା ସତ୍ୟନାରାୟଣଙ୍କୁ ଶିରଣୀ ଭୋଗ ଦେଉ । ଆଉ ଦଳେ ପାଟି କରୁଛନ୍ତି ଯେ ଏଇ ଖ୍ରୀଷ୍ଟିଆନ୍ ଝିଅଗୁଡ଼ାକ କାରଖାନାରେ ଧର୍ମଘଟ କରିବାକୁ ଚାହାନ୍ତି । ତା’ ହେଲେ ସେମାନଙ୍କ କଷ୍ଟର ସୀମା ରହିବ ନାହିଁ । ଏମାନଙ୍କୁ ଘରେ ପୂରାଇବା କଥା ନୁହେଁ । ଜଣେ ମିସ୍ତ୍ରୀ ତାଙ୍କୁ ବୁଝାଇ କହୁଛି ଯେ, ସେ ବୋକା ନୁହେଁ । ଏମାନଙ୍କ ଦୌଡ଼ କେତେ ଦୂର ସେ ଦେଖିବାକୁ ଚାହେଁ । ଜଣେ ସ୍ତ୍ରୀଲୋକ ସାବଧାନ କରି କହିଲା ଯେ ଆଜିଠାରୁ ସାନସାହେବଙ୍କୁ ଏମାନଙ୍କ ଖବର ଦେବା ଉଚିତ ।

 

ଅପୂର୍ବ ଏ ସବୁ ଶୁଣି ଭାରତୀକୁ ସେଠାରୁ ଜୋର୍‌ କରି ଟାଣିନେଇ କହିଲା–ଏମାନଙ୍କର ଭଲ କରିବ ? ନିମକ୍‌ହାରାମ୍‌, ପାଜି ! ପାଖ ଘରେ ଦି’ଦିଟା ପିଲା ମରିବା ଉପରେ ! ଏଠି ବସି ମଦ ଖାଇ ମାତାଲ୍ ହେଉଛନ୍ତି ।

 

ଭାରତୀ ତା ମୁହଁକୁ ଚାହଁ କହିଲା–ହଠାତ୍‌ ଆପଣଙ୍କର କଣ ହେଲା ?

 

ଅପୂର୍ବ କହିଲା–ମୋର କାଇଁ କଣ ହେବ, ମୁଁ ତ ଆଗରୁ ଜାଣିଥିଲି । ତମେ ଏବେ ଶୁଣିଲ ତ ?

 

ଭାରତୀ କହିଲା–ଏ ତ ନୂଆ କଥା ନୁହେଁ । ନିତି ଆମେ ଏମିତି ଶୁଣୁ ।

 

ଅପୂର୍ବ ଗର୍ଜି ଉଠି କହିଲା–ଏମିତି ଶଇତାନୀ ? ଏମିତି କୃତଘ୍ନତା ? ଏଇମାନଙ୍କୁ ତମେ ଦଳକୁ ଆଣିବାକୁ ଚାହଁ ଦଳବଦ୍ଧ କରିବାପାଇଁ ? ଏମାନଙ୍କର ତମେ ପୁଣି ଭଲ କରିବାକୁ ଚାହଁ-?

 

ଭାରତୀର କଥାରେ କୌଣସି ଉତ୍ତେଜନା ପ୍ରକାଶ ପାଇଲା ନାହିଁ । ବରଂ ସେ ସାମାନ୍ୟ ହସି କହିଲା–ଏମାନେ କିଏ ଅପୂର୍ବବାବୁ ? ଏମାନେ ତ ଆମେ ସମସ୍ତେ । ଏଇ ସାଧାରଣ ସତ୍ୟ ଭୁଲିଯିବାରୁ ଆପଣଙ୍କର ବୁଝିବାରେ ଗୋଳମାଳ ହେଉଛି । ଆଉ, ଭଲ ? ଭଲ କରିବାର ଯଦି କୌଣସି ଅର୍ଥ ଥାଏ, ତେବେ ସେ ତ ଏଇଠି ପରୀକ୍ଷା କରିବାର କ୍ଷେତ୍ର । ଡାକ୍ତରବାବୁଙ୍କର ତ ଆଉ ଉପକାର କରିଯାଇ ପାରିବନି !

 

ଅପୂର୍ବ ଏ କଥାର କୌଣସି ଉତ୍ତର ଦେଲା ନାହିଁ ।

 

ଦୁଇଜଣଯୋକ ଫାଟକ ପାର ହୋଇ ବର୍ମ୍ମାପଲ୍ଲୀ ଭିତର ଦେଇ ବଡ଼ ରାସ୍ତାରେ ପହଞ୍ଚିଲେ । ସେତେବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ଯାଇଛି । ବାଟର ଦୁଇ ପାଖରେ ଛୋଟ ଛୋଟ ଦୋକାନରେ ବିକାକିଣା ହେଉଛି । ଭାରତୀ ମୁଣ୍ଡରେ ଲୁଗା ଦେଇ ଦ୍ରୁତପଦରେ ବଜାର ପାର ହୋଇଗଲା । ପୁଣି ଖୋଲାଜାଗା ପଡ଼ିବାରୁ ସେ ପଛକୁ ଫେରି ଅପୂର୍ବକୁ କହିଲା–ଆପଣ ବସାକୁ ଯିବେ ତ ? ସହରକୁ ଯିବାପାଇଁ ଡାହାଣ ହାତ ବାଟ ।

 

ଅପୂର୍ବ ଅନ୍ୟମନସ୍କ ଭାବେ ଉତ୍ତର ଦେଲା–ଆପଣ କଣ କହିଲେ ?

 

ଭାରତୀ କହିଲା–ବର୍ତ୍ତମାନ ମୁଣ୍ଡ ଥଣ୍ଡା ହେଲାଣି ନିଶ୍ଚୟ । ସମ୍ବୋଧନର ଭାଷା ଅତିଶୟ ମର୍ଯ୍ୟାଦାସମ୍ପନ୍ନ ।

 

ତାର ମାନେ ?

 

ତାର ମାନେ–ରାଗରେ ଏ ପର୍ଯ୍ୟନ୍ତ ଆପଣ ଓ ତୁମେ ଭିତରେ ବିଶେଷ ଭେଦ ନ ଥିଲା–ବର୍ତ୍ତମାନ ଫେରି ଆସିଲାଣି ।

 

ଅପୂର୍ବ ଅତିଶୟ ଲଜ୍ଜିତ ହୋଇ କହିଲା–ଆପଣ ରାଗି ନାହାନ୍ତି ତ ?

 

ଭାରତୀ ହସି ପକାଇ କହିଲା–ରାଗିଲେ କଣ ହେଲା ? ଆଚ୍ଛା,ଚାଲନ୍ତୁ ।

 

ପୁଣି ଯିବି ?

 

ଯିବେନି ତ ମୁଁ କଣ ଏକୁଟିଆ ଏ ବାଟରେ ଯିବ ?

 

ଅପୂର୍ବ ଆଉ ଦ୍ଵିରୁକ୍ତି ନ କରି ଆଗେଇଲା । ଆଜି ତା ମନ ଭିତରଟା ଅନେକ କଥାରେ ଘାଣ୍ଟି ଚକଟି ହେଉଥିଲା । ମାତାଲ୍ ଗୁଡ଼ାକର କଥା ସେ କୌଣସିମତେ ଭୁଲି ପାରୁ ନ ଥିଲା । ଚାଲୁ ଚାଲୁ ହଠାତ୍‌ କହିଲା–ଏ ସବୁ ହେଲା ସୁମିତ୍ରା ଦେବୀଙ୍କର କାମ; ଆପଣଙ୍କର ନେତାଗିରି କରିବା କଣ ଦରକାର ? କିଏ କେଉଁଠି କଣ କରିବ–ଶେଷକୁ ଆପଣଙ୍କୁ ନେଇ ଟଣାଓଟରା ପଡ଼ିବ ।

 

ଭାରତୀ କହିଲା–ପଡ଼ିଲେ ପଡ଼ିବ ।

 

ଅପୂର୍ବ କହିଲା–ବାଃ, ଆଚ୍ଛା କଥା !! ଅସଲ କଥା ହେଉଛି–ସର୍ଦ୍ଦାରୀ କରିବା ଆପଣଙ୍କର ସ୍ଵଭାବ । କିନ୍ତୁ ସେଥିପାଇଁ ଆହୁରି ଅନେକ ଜାଗା ଅଛି ।

 

ଗୋଟାଏ ଦେଖାଇ ଦିଅନ୍ତୁ ।

 

ମୋର କଣ ଦରକାର ?

 

କିଛି ବାଧ୍ୟ ପରେ ଗୋଟାଏ ଜାଗାରେ ରାସ୍ତା ମରାମତି ହେଉଥିଲା । ଦିନବେଳେ ସେବାଟେ ଯିବାକୁ ବିଶେଷ ଅସୁବିଧା ହୋଇନି; କିନ୍ତୁ ରାତିରେ କୃଷ୍ଣଚୂଡ଼ା ଗଛକୁ ଧରି ରାସ୍ତାର ଧାରରେ ଚାଲିବା କଷ୍ଟକର । ଭାରତୀ ହାତ ବଢ଼ାଇ ଅପୂର୍ବର ବାଁ ହାତଟା ଶକ୍ତକରି ଧରିଲା ଓ କହିଲା–ସ୍ଵଭାବ ତ ମୋର ଯିବନି, ଅପୂର୍ବବାବୁ–କିଛି ଗୋଟାଏ କରିବା ଦରକାର । ଅବଶ୍ୟ ଆପଣଙ୍କ ଭଳି ଅନାଡ଼ି ଲୋକ ଉପରେ ସର୍ଦ୍ଦାରୀ କରିବା ମିଳିଲେ ମୁଁ ଆଉ ସବୁ ଛାଡ଼ି ଦେବି ।

 

ଆପଣଙ୍କ ସଙ୍ଗେ କଥାରେ ପାରି ହେବନି–କହି ଅପୂର୍ବ ସାବଧାନରେ ପାଦ ଚିପି ଚିପି ଆଗେଇଲା ।

 

ପନ୍ଦର

 

ତା ପରଦିନ ସୁମିତ୍ରାଙ୍କ ନେତୃତ୍ଵରେ ସେ ସଭା ଆହୁତ ହେଲା, ସେଥିରେ ବେଶି ଲୋକ ନ ଥିଲେ । ବକ୍ତୃତା ଦେବାପାଇଁ ଯେଉଁମାନେ ଆମନ୍ତ୍ରିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆସି ପାରିଲେ ନାହିଁ । ନାନା କାରଣରୁ ସଭା କାର୍ଯ୍ୟ ଡେରିରେ ଆରମ୍ଭ ହେଲା ଏବଂ ଆଲୁଅର ବନ୍ଦୋବସ୍ତ ହୋଇ ନ ଥିବାରୁ ସନ୍ଧ୍ୟା ପୂର୍ବରୁ ସଭା ଭାଙ୍ଗି ଦେବାକୁ ହେଲା । ସୁମିତ୍ରାଙ୍କ ବକ୍ତୃତା ବ୍ୟତୀତ, ଉଲ୍ଲେଖଯୋଗ୍ୟ, କିଛି ନ ଥିଲା; କିନ୍ତୁ ‘ଚଲାପଥର ଦାବୀ’ ଅନୁଷ୍ଠାନର ଏଇ ପ୍ରଥମ ଉଦ୍ୟମଟି ବ୍ୟର୍ଥ ବୋଲି କୁହାଯାଇ ପାରେନା । ମଜୁରିଆମାନଙ୍କ ଭିତରେ କଥାଟା ପ୍ରଚାର ହେବାକୁ ଯେପରି ଡେରି ହେଲା ନାହିଁ, ସେଭଳି କାରଖାନାର କର୍ତ୍ତୃପକ୍ଷଙ୍କ କାନରେ ପଡ଼ିବାକୁ ବିଳମ୍ବ ହେଲାନାହିଁ । ଯେଭଳି ହେଉ, ସର୍ବତ୍ର ପ୍ରଚାର ହେଲା ଯେ–ଜଣେ ଭାରତୀୟ ମହିଳା ସମସ୍ତ ପୃଥବୀ ବୁଲି ଶେଷରେ ବର୍ମ୍ମାରେ ଆସି ପହଞ୍ଚିଛନ୍ତି, ତାଙ୍କର ରୂପ ଯେପରି ଶକ୍ତି ସେଇଭଳି । ତାଙ୍କୁ ବାଧାଦେବାରୁ ସାଧ୍ୟ କାହାର ! ସାହେବମାନଙ୍କ କାନ ଧରି କିପରି ମଜୁରିଅମାନଙ୍କ ପାଇଁ ସବୁପ୍ରକାର ସୁବିଧା ହାସଲ କରିହେବ ଓ ଦରମା ଦୁଇଗୁଣ କରିହେବ, ନିଜ ମୁହଁରେ ସେ ସବୁ ଶୁଣାଇଲେ । ଯେଉଁମାନେ ଖବର ନ ପାଇ ସେ ଦିନ ସଭାରେ ଯାଇ ଯୋଗଦେଇ ପାରିନାହାନ୍ତି, ସେମାନେ ଯେମିତି ଆଗାମୀ ଶନିବାର ଦିନ ଯାଇ ସଭାରେ ଯୋଗଦେବେ ।

 

କୋଡ଼ିଏ, ପଚିଶ କୋଶ ଭିତରେ ଯେତେଗୁଡ଼ିଏ କଳକାରଖାନା ଥିଲା, ସବୁଠି ଯାଇ ସମ୍ବାଦ ପ୍ରଚାର ହୋଇଗଲା । ସୁମିତ୍ରାକୁ ଖୁବ୍ କମ୍ ଲୋକ ଦେଖିଛନ୍ତି; କିନ୍ତୁ ତାର ରୂପ ଓ ଶକ୍ତିର ଖ୍ୟାତି ଅତିରଞ୍ଜିତ, ଏପରିକି ଅସାଧାରଣ ଭାବେ ଯେତେବେଳେ ଲୋକଙ୍କ କାନକୁ ଗଲା, ସେତେବେଳେ ଅଶିକ୍ଷିତ ମଜୁରିଆମାନଙ୍କ ଭିତରେ ଗୋଟାଏ ଚମକ ଖେଳିଗଲା । ଚିରଦିନ ସଂସାରରେ ଅତ୍ୟାଚାରିତ, ପୀଡ଼ିତ ଓ ଦୁର୍ବଳ ବୋଲି ମଣିଷର ସହଜ ଅଧିକାରରୁ ଯେଉଁମାନେ ସବୁବେଳେ ବଞ୍ଚିତ, ନିଜ ଉପରେ ବିଶ୍ଵାସ କରିବା ପାଇଁ ଯେଉଁମାନେ କାରଣ ଖୋଜି ପାଆନ୍ତି ନାହିଁ, ଦେବତା ଓ ଦୈବ ପ୍ରତି ସେମାନଙ୍କର ସବୁ ଠାରୁ ବେଶି ବିଶ୍ଵାସ । ସୁମିତ୍ରାଙ୍କ ସମ୍ପର୍କରେ ଜନଶ୍ରୁତି ସେମାନଙ୍କୁ ଅସଙ୍ଗତ ମନେହେଲାନାହିଁ–ସେମାନେ ଏକ ପ୍ରକାର ସ୍ଥିର କରି ନେଲେ ଯେ ଗୋଟାଏ ଦିନ କମାଇ କରି ପ୍ରତି ଶନିବାର ଦିନ ସଭାରେ ପହଞ୍ଚିବେ । ତାଙ୍କ କଥା ବା ଉପଦେଶ ଭିତରେ ହୁଏତ ଏ ଭଳି କିଛି ଅଛି, ଯାହା ବଳରେ କିମିଆ ଭଳି ମଜୁରିଆମାନଙ୍କ କପାଳ ସୌଭାଗ୍ୟ-ଦୀପ୍ତିରେ ଆଲୋକିତ ହୋଇ ଉଠିବ, ଯେ ଉପାୟରେ ହେଉ ସେ ଦୁର୍ଲ୍ଲଭ ବସ୍ତୁ ସେମାନଙ୍କୁ ଲାଭ କରିବାକୁ ହେବ ।

 

`ସେ ଦିନ ସଭାରେ ବକ୍ତା ଅଭାବରୁ ଅପୂର୍ବ ଭଳି ଅନଭ୍ୟସ୍ତ ବ୍ୟକ୍ତିକୁ ସମସ୍ତଙ୍କ ଅନୁରୋଧ ଓ ତାଡ଼ନାବଶତଃ ଠିଆ ହୋଇ ଦୁଇ ଚାରି ପଦ କହିବାକୁ ହୋଇଥିଲା । ବକ୍ତୃତା ଦେବାର ଅଭ୍ୟାସ ତାର କୌଣସି କାଳେ ନ ଥିଲା, ତେଣୁ ଭଲ କହି ପାରିଲା ନାହିଁ । ଏଥିପାଇଁ ସେ ମନେ ମନେ ଯତ୍ପରୋନାସ୍ତି ଲଜ୍ଜିତ ହୋଇଛି; କିନ୍ତୁ ଆଜି ଯେତେବେଳେ ସେ ଖବର ପାଇଲା ଯେ ତାର ସେଦିନର ବକ୍ତୃତା ବୃଥା ହୋଇ ନାହିଁ, ବରଂ ସେମାନଙ୍କର ଆଗାମୀ ସଭାରେ ମଜୁରିଆମାନେ କଳକାରଖାନା ବନ୍ଦ କରି ଉପସ୍ଥିତ ରହିବାପାଇଁ ସ୍ଥିର କରିଛନ୍ତି, ସେତେବେଳେ ଆତ୍ମପ୍ରସାଦରେ ତାର ଛାତି ଫୁଲି ଉଠିଲା । ସେଦିନ ସେ ଭାରି ବକ୍ତବ୍ୟ ପରିସ୍ପୁଟ କରି ପାରି ନ ଥିଲା; କିନ୍ତୁ ତାର ଭୟ ଭାଙ୍ଗି ଯାଇଥିଲା । ବଡ଼ଲୋକଙ୍କ ମଧ୍ୟରେ ଠିଆହୋଇ ଜନତାକୁ ସମ୍ବୋଧନ କରିବାରେ ଯେ ନିଶା ଅଛି, ସେଦିନ ସେ ତାର ସ୍ଵାଦ ପାଇଥିଲା । ଆଜି ଅଫିସରେ ସୁମିତ୍ରାଙ୍କ ଚିଠିରୁ ଆଗାମୀ ସଭାପାଇଁ ବକ୍ତୃତା ଦେବାପାଇଁ ନିମନ୍ତ୍ରଣ ପାଇ ସେ ଚଞ୍ଚଳ ହୋଇଉଠିଲା । ସେ ଅଫିସ କାମରେ ମନଦେଇ ପାରିଲା ନାହିଁ ଏବଂ କିଭଳି ଆହୁରି ସୁନ୍ଦର କରି ବକ୍ତୃତା ଦେଇହେବ, ସେଥିପାଇଁ ମସୁଧା କରିବାକୁ ଲାଗିଲା । ଖରାବେଳେ ଜଳଖିଆ ଖାଇଲାବେଳେ ସେ ହଠାତ୍ ରାମଦାସକୁ ଏସବୁ କଥା କହିବାକୁ ଲାଗିଲା । ଦିନେ ତାପାଇଁ ରାମଦାସ ଭାରତୀକୁ ଅପମାନ ଦେଇଥିଲା, ସେଥିପାଇଁ ଭାରତୀ ସମ୍ପର୍କରେ ରାମଦାସକୁ କହିବାପାଇଁ ତାକୁ ଲଜ୍ଜା ଲାଗେ । ଅଦାଲତରେ ଜୋରିମାନା ଦେବା ବା କେତେଦିନ ହେଇଛି ! ଏ ଭିତରେ ଦୁଷ୍ଟ ସାହେବ ମରିଗଲା, ତାର ସ୍ତ୍ରୀ ବି ମରିଛି ଏବଂ ତାର ଶୟତାନ ଖ୍ରୀଷ୍ଟାନ୍‌ଝିଅଟା ବସାଛାଡ଼ି କୁଆଡ଼େ ଚାଲି ଯାଇଛି–ରାମଦାସ ଏତିକି ମାତ୍ର ଜାଣେ । କିନ୍ତୁ ଏଇ ଭିତରେ ସେଇ ଝିଅ ସହ ଗୋପନରେ ତା ବନ୍ଧୁର ଜୀବନରେ କେତେବଡ଼ କାବ୍ୟ ଓ ଦୁଃସହ ଦୁଃଖର ଇତିହାସ ଦ୍ରୁତବେଗରେ ରଚିତ ହୋଇଛି, ସେ ତାହାର କିଛି ମାତ୍ର ଜାଣେନା । ଆଜି ଅପୂର୍ବ ଯେତେବେଳେ ଆନନ୍ଦ ଆତିଶଯ୍ୟରେ ଏ ସବୁ କଥା ବ୍ୟକ୍ତିକଲା, ସେ ଚୁପ୍‌ହୋଇ ତା ମୁହଁକୁ ଚାହିଁ ବସି ରହିଲା । ଭାରତୀ, ସୁମିତ୍ରା, ଡାକ୍ତରବାବୁ, ନବତାରା ଏପରିକି ସେ ମାତାଲ୍‌ଟାର କଥା ଉଲ୍ଲେଖ କରି ସେ ‘ଚଲାପଥର ଦାବୀ’ର ଲକ୍ଷ୍ୟ ଓ କର୍ମ ବର୍ଣ୍ଣନା କରିଗଲା । ଏପରିକି ମଜୁରିଆମାନଙ୍କ ଲାଇନ୍‌କୁ ଯିବା ପର୍ଯ୍ୟନ୍ତ । ରାମଦାସ କିଛି ପ୍ରଶ୍ନ କଲାନାହିଁ । ଏକଦା ଏହି ବ୍ୟକ୍ତି ଦେଶ ପାଇଁ ଜେଲ୍‌କୁ ବରଣ କରିଛି, ବେତ ଖାଇଛି, ହୁଏତ ଆଉ କେତେ କଣ ନିର୍ଯାତନ ଭୋଗ କରିଛି–କେବଳ ଦିନକ ଛଡ଼ା ରାମଦାସଠାରୁ ସେ ଏ ସମ୍ପର୍କରେ କିଛି ଶୁଣିନାହିଁ । ତଥାପି ନିଜ କଳ୍ପନା ସାହାଯ୍ୟରେ ସମ୍ଭାବ୍ୟ ଘଟଣା ସବୁର ଚିତ୍ର ଭାବି ଅପୂର୍ବ ଅଫିସରେ ନିଜକୁ ସର୍ବଦା ତାଠାରୁ ଛୋଟ ବୋଲି ମନେ କରେ । ରାମଦାସ ତାର ବନ୍ଧୁ–ବନ୍ଧୁ ପ୍ରତି ତାର ବିଦ୍ଵେଷ ନ ଥିଲା–କିନ୍ତୁ ଏହି ଭାବଟା ସେ ମନରୁ ଦୂର କରିପାରୁନଥିଲା । ଏଇ ଭାବରେ ଉଭୟଙ୍କ ଘନିଷ୍ଠତାର ମଝିରେ ବ୍ୟବଧାନର ଗୋଟିଏ ପ୍ରାଚୀର ଥିଲା । ଆଜି ସୁମିତ୍ରାର ପତ୍ରଟି ରାମଦାସ ଆଗରେ ରଖି ନିଜକୁ ‘ଚଲାପଥର ଦାବୀ’ ଅନୁଷ୍ଠାନର ଜଣେ ବିଶିଷ୍ଟ ସଭ୍ୟ ଓ ଦେଶ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ବୋଲି ପ୍ରମାଣିତ କରି ପାରି ସେ ଯେପରି ବନ୍ଧୁର ସମକକ୍ଷ ହୋଇ ପାରିଲା I

 

ଚିଠିଟି ଇଂରାଜୀରେ ଲେଖା । ତଲୱାର୍‌କାର ଆଦ୍ୟୋପ୍ରାନ୍ତ ଦୁଇଥର ନିଃଶବ୍ଦରେ ପଢ଼ି ପଚାରିଲା–ବାବୁଜୀ, ଏ ସବୁ କଥା ମତେ ଆପଣ ଦିନେ ବି କହି ନାହାନ୍ତି କାହିଁକି ?

 

ଅପୂର୍ବ କହିଲା–କହିଲେ କଣ ଆପଣ ବର୍ତ୍ତମାନ ଆମ ସହିତ ଯୋଗଦାନ କରି ପାରିବେ ?

 

ତାର କଣ୍ଠସ୍ଵରରେ ଅଭିମାନର ଚିହ୍ନ ସ୍ପଷ୍ଟ ।

 

ଅପୂର୍ବ କିଛି ସମୟ ମୌନରହି କହିଲା–ତାର କାରଣ ଅଛି ରାମଦାସ ବାବୁ । ଆପଣ ତ ଜାଣନ୍ତି, ଏସବୁ କାମରେ କେତେ ଦାୟିତ୍ଵ, କେତେ ଆଶଙ୍କା । ଆପଣ ବିବାହ କରିଛନ୍ତି, ଆପଣଙ୍କ ଝିଅ ଅଛି, ସ୍ତ୍ରୀ ଅଛନ୍ତି, ଆପଣ ଗୃହସ୍ଥ–ତେଣୁ ଏ ଝଡ଼ ଭିତରକୁ ମୁଁ ଆପଣଙ୍କୁ ଡାକି ଆଣିବାକୁ ଚାହିଁଲା ନାହିଁ ।

 

ତଲୱାର୍‌କାର ବିସ୍ମିତ ହୋଇ କହିଲା–ଗୃହସ୍ଥର କଣ ଦେଶସେବାରେ ଅଧିକାର ନାହିଁ ? ଜନ୍ମଭୂମି କଣ କେବଳ ଆପଣମାନଙ୍କର, ଆମର ନୁହେଁ ?

 

ଅପୂର୍ବ ଲଜ୍ଜିତ ହୋଇ କହିଲା–ସେ ଇଙ୍ଗିତ ମୁଁ କରିନାହିଁ । ମୁଁ କେବଳ ଏଇ କଥା କହିଲି ଯେ ଆପଣ ବିବାହିତ, ଗୃହସ୍ଥ । ଅନ୍ୟତ୍ର ଆପଣଙ୍କର ଅନେକ ଦାୟିତ୍ଵ– ତେଣୁ ଏ ବିଦେଶରେ ବିପଦ ଭିତରକୁ ଯିବା ଆପଣଙ୍କ ପକ୍ଷରେ ବୋଧହୁଏ ଠିକ୍‌ ନୁହେଁ ।

 

ତଲୱାର୍‌କାର କହିଲା–ବୋଧହୁଏ ତା ଠିକ୍‌; କିନ୍ତୁ ବିଜିତ, ପରାଧୀନ ଦେଶର ସେବା କରିବାମାତ୍ରେ ତ ବିପଦ । ତାହାର ଯେ ଅନ୍ୟ କୌଣସି ନାମ ନାହିଁ, ଏକଥା ମୁଁ ଚିରଦିନ ଜାଣେ । ଆମର ହିନ୍ଦୁ ଘରେ ବିବାହଟା ଧର୍ମ୍ମ; କିନ୍ତୁ ମାତୃଭୂମିର ସେବା ତା ଅପେକ୍ଷା ବୃହତ୍ତମ ଧର୍ମ । ଗୋଟିଏ ଧର୍ମ ଅନ୍ୟ ଏକ ଧର୍ମକୁ ବାଧା ହେବ, ଏ କଥା କୌଣସି ଦିନ ମନେକରିଥିଲେ ମୁଁ ବିବାହ କରି ନ ଥାନ୍ତି ବାବୁଜୀ !

 

ତା ମୁହଁକୁ ଚାହିଁ ଅପୂର୍ବ ଆଉ ପ୍ରତିବାଦ କଲାନାହିଁ, ଚୁପ୍‌କରି କହିଲା; କିନ୍ତୁ ଏହି ଯୁକ୍ତିକୁ ସେ ମନେ ମନେ ସମର୍ଥନ କଲାନାହିଁ । ଏକଦା ସ୍ଵଦେଶର କାମ କରି ଏଇ ଲୋକଟି ବହୁ ଦୁଃଖ ପାଇଛି, ଆଜି ବି ତାର ଅନ୍ତରର ତେଜ ଲିଭିଯାଇ ନାହିଁ, ସାମାନ୍ୟ ପ୍ରସଙ୍ଗରେ ସହସା ସେ ସ୍ଫୀତ ହୋଇଉଠିଛି–ଏ କଥା ବିଚାରି ଅପୂର୍ବର ମନ ତା ପ୍ରତି ଶ୍ରଦ୍ଧାରେ ଭରିଗଲା; କିନ୍ତୁ ତାଠାରୁ ଅଧିକ ସେ ଆଶା କଲାନାହିଁ । ଆହ୍ଵାନ କଲେ ଯେ ସେ ସ୍ତ୍ରୀ କନ୍ୟାର ମାୟା କାଟି, ସେମାନଙ୍କ ପ୍ରତିପାଳନର ପନ୍ଥା କଣ୍ଟକାକୀର୍ଣ୍ଣ କରି ସଭ୍ୟ ହେବାପାଇଁ ଛୁଟିଆସିବ, ଏ କଥା ସେ ବିଶ୍ଵାସ କଲାନାହିଁ–ଉଚିତ ବି ମନେକଲା ନାହିଁ । ସ୍ଵଦେଶସେବା ଅଧିକାରର ସ୍ପର୍ଦ୍ଧା ଏ କେତେଦିନ ହେଲା ତାର ଖୁବ୍ ଉଚ୍ଚ ହୋଇଯାଇଥିଲା । ସହସା ଏ ପ୍ରସଙ୍ଗ ବନ୍ଦକରି ଆଗାମୀ ସଭାର କାରଣ ଓ ଉଦ୍ଦେଶ୍ୟ ବ୍ୟାଖ୍ୟା କରିବାକୁ ଯାଇ ଅତି ସରଲଭାବେ କହିଲା ଯେ ସେଇ ଗୋଟିଏ ଦିନ ଭିନ୍ନ ଜୀବନରେ କେବେ ବକ୍ତୃତା କରିନାହିଁ । ସୁମିତ୍ରାର ନିମନ୍ତ୍ରଣ ସେ ଉପେକ୍ଷା କରିପାରିବ ନାହିଁ–କିନ୍ତୁ ସଭାରେ ବକ୍ତୃତା ଦେଲାଭଳି ଭାଷା ବା ଅଭିଜ୍ଞତା ତାର ନାହିଁ ।

 

ତଲୱାର୍‌କାର ପଚାରିଲା–ତା ହେଲେ କଣ କରିବେ ?

 

ଅପୂର୍ବ କହିଲା ଯେ ବକ୍ତୃତା ଭଳି ସେ ଗୋଟିଏ ଦିନ ମାତ୍ର ଦେଖିଛି । ସେଠାରେ କୁଲି ମଜୁରିଆମାନେ ଯେ ପଶୁଭଳି ଜୀବନ ଯାପନ କରନ୍ତି–ଏ କଥା ସେ ଦେଖିଛି; କିନ୍ତୁ କାହିଁକି, କଣ ପାଇଁ– ତା ସେ ଜାଣେ ନା ।

 

ରାମ ଦାସ ହସି ହସି କହିଲା–ତେବେ ବି ଆପଣ କହିବେ ? ନ କହିଲେ କ୍ଷତି କ’ଣ ?

 

ଅପୂର୍ବ ଚୁପ୍ ହୋଇ ରହିଲା; କିନ୍ତୁ ତା ମୁହଁରୁ ସ୍ପଷ୍ଟ ଜଣାଗଲା ଯେ ଏତେ ବଡ଼ ମର୍ଯ୍ୟାଦା ତ୍ୟାଗକରିବା ତା ପକ୍ଷରେ କଠିନ ।

 

ରାମଦାସ ସେତେବେଳେ କହିଲା–ମୁଁ କିନ୍ତୁ ଏମାନଙ୍କ କଥା କିଛି କିଛି ଜାଣେ ।

 

କେମିତି ଜାଣିଲେ ?

 

ବହୁଦିନ ଏମାନଙ୍କ ଭିତରେ ଥିଲି, ଅପୂର୍ବବାବୁ ! ମୋ ଚାକିରିର ସାର୍ଟିଫିକେଟ ଗୁଡ଼ାକ ଦେଖିଲେ ଜାଣିବେ ଯେ ସ୍ଵଦେଶରେ ମୁଁ କଳକାରଖାନାର କୁଲି ମଜୁରିଆଙ୍କ ଭିତରେ କାଳ କାଟିଛି-। ଯଦି ହୁକୁମ୍ କରନ୍ତେ, ତେବେ ଅନେକ ଦୁଃଖର କହନ୍ତି ।

 

ଅପୂର୍ବ କହିଲା–ସୁମିତ୍ରା ଠିକ୍ ଏଇ କଥା କହନ୍ତି ।

 

ରାମଦାସ କହିଲା–ନ କହି ତ ଉପାୟ ନାହିଁ । ଜାଣନ୍ତି ବୋଲି ତ ସେ ‘ଚଲାପଥର ଦାବୀ’ ଅନୁଷ୍ଠାନର କର୍ତ୍ତ୍ରୀ । ବାବୁଜୀ, ଆତ୍ମତ୍ୟାଗର ଉତ୍ସ ଏଇଠି । ଦେଶସେବାର ବୁନିଆଦି ତା ଉପରେ–ତାର ଯଥାର୍ଥ ପତ୍ତା ନ ପାଇଲେ ଆପଣଙ୍କର ସବୁ ଉଦ୍ୟମ, ସବୁ ଇଚ୍ଛା ମରୁଭୂମିରେ ଜଳଧାର ପରି ଦୁଇଦିନରେ ଶୁଖିଯିବ ।

 

କଥାଗୁଡ଼ାକ ଅପୂର୍ବ ନୂଆ ଶୁଣିଲାନାହିଁ; କିନ୍ତୁ ରାମଦାସ ମୁହଁରୁ ବାହାରି ସଶବ୍ଦରେ କଥାଗୁଡ଼ାକ ତା ଛାତିରେ ଆଘାତ କଲା ଯେମିତି । ରାମଦାସ ଆଉ କଣ କହିବାକୁ ଯାଉଥିଲା, ଅକସ୍ମାତ୍‌ପର୍ଦ୍ଦା ଆଡ଼େଇ ସାହେବ ପ୍ରବେଶ କରିବାରୁ ଉଭୟେ ଚମକି ଉଠିଲେ । ସାହେବ ଅପୂର୍ବକୁ ଚାହିଁ କହିଲେ–ମୁଁ ଚାଲିଲି । ତମ ଟେବୁଲ ଉପରେ ଗୋଟାଏ ଚିଠି ରଖିଦେଇ ଯାଇଛି, କାଲି ତାର ଜବାବ୍‌ ଦେବା ଦରକାର । ଏହା କହି ସେ ତତ୍‌କ୍ଷଣାତ୍ ବାହାରିଗଲେ । ଉଭୟେ ଘଡ଼ିକୁ ଚାହିଁ ଦେଖିଲେ ଚାରିଟା ବାଜିଗଲାଣି ।

 

ଷୋହଳ

 

ସାହେବ ଚାଲିଗଲା ପରେ ଅଫିସ ଶୀଘ୍ର ବନ୍ଦ କରି ଅପୂର୍ବ ଓ ତଲୱାର୍‌କାର ସଭାସ୍ଥଳକୁ ବାହାରିଲେ । ପାଞ୍ଚଟାରେ ମିଟିଙ୍ଗ୍‌ ଆରମ୍ଭ ହେବା କଥା, ଆଉ ଡେରି ନାହିଁ । ବାଟରେ ଅପୂର୍ବ ପ୍ରାୟ କିଛି କଥାବାର୍ତ୍ତା କରିନାହିଁ । ତା ଜୀବନରେ ଆଜି ଗୋଟାଏ ବିଶିଷ୍ଟ ଦିନ । ଆଶଙ୍କା ଓ ଆନନ୍ଦର ଉତ୍ତେଜନାରେ ତା ମନରେ ଝଡ଼ ବହୁଥିଲା ଯେପରି । କଳକାରଖାନା ଓ କୁଲିମଜୁରିଆଙ୍କ ସଂପର୍କରେ କିଛି ଖବର ସେ ଗୋଟାଏ ବହିରୁ ଓ କିଛି ରାମଦାସଠାରୁ ଯୋଗାଡ଼ କରି ନେଇଥିଲା । ସେଇ ସବୁ କଥା ସେ ମନେ ମନେ ସଜାଇ ଆବୃତ୍ତି କରୁଥିଲା । ୧୮୯୩ ଖ୍ରୀ: ରେ ବମ୍ବେରେ କେଉଁଠି ପ୍ରଥମେ ତୂଳା କାରଖାନା ପ୍ରତିଷ୍ଠିତ ହୋଇଥିଲା, ତା ପରେ ବଢ଼ି ବଢ଼ି ବର୍ତ୍ତମାନ ତାହାର ସଂଖ୍ୟା କେତେ, ସେତେବେଳେ କୁଲି ମଜୁରିଆଙ୍କର ଅବସ୍ଥା କିଭଳି ଶୋଚନୀୟ ଥିଲା, ସେତେବେଳେ ଓ ବର୍ତ୍ତମାନ ବିଲାତ ଓ ଭାରତବର୍ଷର ମଜୁରିର ପାର୍ଥକ୍ୟ କେତେ, ଏମାନଙ୍କୁ ସଂଘବଦ୍ଧ କରିବା କଳ୍ପନା କିଏ କେବେ କରିଥିଲେ, ତାର ଫଳ କଣ ହୋଇଛି ଇତ୍ୟାଦି ସଂଗୃହୀତ ସଂବାଦ ସେ ବାରମ୍ବାର ଆଉଡ଼ାଉଥିଲା । ତାର ସ୍ମରଣଶକ୍ତି ତୀକ୍ଷଣ, ବକ୍ତୃତା ମଝିରେ ସେ ହଠାତ୍ ଭୁଲି ଯିବନି–ଅନେକ ଗୁଡ଼ାଏ ପରୀକ୍ଷା ପାଶ୍ କରିଥିବାରୁ ଏ ଭରସା ତାର ଥିଲା । ସୁତରାଂ ତା ମୁହଁରୁ ଏଇ ସକଳ ସାରଗର୍ଭକ ବାକ୍ୟଧାରା ଯେତେବେଳେ ଉଚ୍ଚ, ଗମ୍ଭୀର ବା ଗର୍ଜନ ସହ ନିଃସୃତ ହେବ, ସେତେବେଳେ ବିପୁଳ ଶ୍ରୋତୃମଣ୍ଡଳୀର କରତାଳି ସହଜରେ ବନ୍ଦ ହେବନାହିଁ । ସୁମିତ୍ରାର ପ୍ରସନ୍ନ ଦୃଷ୍ଟି ସେ ମାନସଚକ୍ଷୁରେ ସ୍ପଷ୍ଟ ଦେଖିପାରିଲା । ଆଉ ଭାରତୀ ! ଏଇ ସାମାନ୍ୟ ସମୟ ଭିତରେ ଏତେଗୁଡ଼ାଏ ଜ୍ଞାନ ଓ ଅଭିଜ୍ଞତା ସେ କିପରି ଆୟତ୍ତ କଲା, ଏଇ ଆନନ୍ଦ ଓ ବିସ୍ମୟରେ ତା ମୁହଁ ସମୁଜ୍ଜ୍ୱଳ ହୋଇଉଠିଛି, କଳ୍ପନାରେ ଅପୂର୍ବ ଏଇୟା ଦେଖିଲା ଯେମିତି ! ଅପୂର୍ବର ଶିରାରେ ଶିରାରେ ବିଦ୍ୟୁତ୍‌ ଖେଳିଗଲା । ଆଜି ତଲ୍‌ୱାଲ୍‌କାର ତା ସଙ୍ଗେ ପାଦ ମିଶାଇ ଚାଲିପାରିଲା ନାହିଁ ।

 

ସଭାସ୍ଥଳରେ ପହଞ୍ଚି ସେମାନେ ଦେଖିଲେ ଯେ ସୋରିଷ ପକାଇବା ପାଇଁ ବି ଜାଗା ନାହିଁ । ଲୋକ ଯେ କେତେ ଜମା ହୋଇଛନ୍ତି ଗଣିହେବ ନାହିଁ । ପୂର୍ବଥରର ବକ୍ତା ହିସାବରେ ଯେଉଁମାନେ ଅପୂର୍ବକୁ ଚିହ୍ନି ପାରିଲେ ସେମାନେ ବାଟ ଛାଡ଼ିଦେଲେ; ଯେଉଁମାନେ ଜାଣି ନ ଥିଲେ, ସେମାନେ ଅନ୍ୟମାନଙ୍କ ଦେଖାଦେଖି ଆଡ଼େଇ ହୋଇଗଲେ । ବିପୁଳ ଜନତା ମଝିରେ ସଭାମଞ୍ଚ । ଡାକ୍ତର ଆଜି ବି ଅନୁପସ୍ଥିତ; ତାଙ୍କ ଛଡ଼ା ଅନ୍ୟାନ୍ୟ ସମସ୍ତ ସଭ୍ୟ ଆସିଛନ୍ତି । ବନ୍ଧୁକୁ ଧରି କୌଣସିମତେ ଠେଲିପେଲି ଅପୂର୍ବ ଯାଇ ମଝିରେ ପହଞ୍ଚିଲା । ମଞ୍ଚ ଉପରେ ସାମାନ୍ୟ ସ୍ଥାନ ଖାଲି ଥିଲା, ସୁମିତ୍ରା ସେମାନଙ୍କୁ ବସିବା ପାଇଁ ଇଙ୍ଗିତ ଦେଲେ । ଆଗରେ ଠିଆ ହୋଇ ଜଣେ ପଞ୍ଜାବୀ ଭୟଙ୍କର ଚିତ୍କାର ସହ ବକ୍ତୃତା ଦେଉଥିଲା–ବୋଧହୁଏ ମିସ୍ତ୍ରୀ ହେବ କି କଣ ! ଅପୂର୍ବ ଆସିବାର ଦେଖି ମିନଟ୍‌ ବା ଦୁଇମିନଟ୍ ବନ୍ଦ ରହି ସେ ପୁଣି ଚିତ୍କାର କରିବାକୁ ଲାଗିଲା । ଭଲ ବକ୍ତାଠାରୁ ଜନତା ଯୁକ୍ତିତର୍କ ଚାହେଁ ନା । ଯାହା ମନ୍ଦ, ତା କାହିଁକି ମନ୍ଦ ଏ ଖବର ସେମାନଙ୍କର ଆବଶ୍ୟକ ନାହିଁ । କେବଳ ମନ୍ଦ ଜିନିଷ କେତେଦୂର ମନ୍ଦ, ଅସଂଖ୍ୟ ବିଶେଷଣଯୋଗରେ ତାହା ଶୁଣିବାକୁ ସେମାନେ ଭଲ ପାଆନ୍ତି । ପଞ୍ଜାବୀ ମିସ୍ତ୍ରୀର ପ୍ରଚଣ୍ଡ ବକ୍ତୃତା ଭିତରେ ଏଇ ଗୁଣଟା ବୋଧହୁଏ ପର୍ଯ୍ୟାପ୍ତ ଥିଲା ଓ ତା ଶୁଣି ଶ୍ରୋତାମାନେ ଚଞ୍ଚଳ ହୋଇ ଉଠିଲେ ।

 

ଅକସ୍ମାତ୍‌ ଗୋଟାଏ ଭୟଙ୍କର ବିଘ୍ନ ପଡ଼ିଲା । ପଡ଼ିଆରେ ଗୋଟିଏ କଣରୁ ରୂପା ଫିସ୍‌ ଫିସ୍‌ ଓ ପରେ କଲରବ ଉଠିଲା । ପର ମୁହୂର୍ତ୍ତରେ ଦେଖାଗଲା ସେ ବହୁତ ଲୋକ ଠେଲାଠେଲି କରି ପଳାଉଛନ୍ତି ଓ ସେମାନଙ୍କୁ ଦୁଇ ଭାଗରେ ବିଭକ୍ତ କରି କୋଡ଼ିଏ ପଚିଶଜଣ ବଡ଼ ବଡ଼ ଘୋଡ଼ାରେ ଚଢ଼ି ଗୋରା ପୋଲିସ୍‌ କର୍ମଚାରୀ ଅଗ୍ରସର ହେଉଛନ୍ତି । ସେମାନଙ୍କର ଗୋଟାଏ ହାତରେ ଲଗାମ ଓ ଅନ୍ୟ ହାତରେ ଚାବୁକ୍‌–ଅଣ୍ଟାରେ ପିସ୍ତଲ୍‌ଓ ଗୁଳି ରହିଛି । ସେମାନଙ୍କ ମୁହଁ କ୍ରୋଧ ଓ ଖରାତାପରେ ସିନ୍ଦୂର ଭଳି ଲାଲ୍‌ ଦେଖାଯାଊଛି । ଯେ ବ୍ୟକ୍ତି ବକ୍ତୃତା ଦେଉଥିଲା, ହଠାତ୍‌ ତାର ସ୍ଵର ବନ୍ଦ ହୋଇଆସିଲା ଓ ଆଖି ପିଛୁଳାକେ ସେ ସଭାମଞ୍ଚରୁ ଓହ୍ଳାଇ ଭିଡ଼ ଭିତରେ ଲୁଚିଗଲା ।

 

ଜଣେ ଗୋରା ସଭାମଞ୍ଚ ସାମ୍ନାରେ ଠିଆହୋଇ କହଲା–ମିଟିଙ୍ଗ୍‌ବନ୍ଦ କରିବାକୁ ହେବ ।

 

ସୁମିତ୍ରା ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିନାହାନ୍ତି, କ୍ଳିଷ୍ଟ ମୁଖରେ ପାଣ୍ଡୁର ଛାୟା ସୁସ୍ପଷ୍ଟ; କିନ୍ତୁ ତତ୍‌କ୍ଷଣାତ୍‌ ଠିଆହୋଇ ପଚାରିଲେ–କାହିଁକି ?

 

ସେ କହିଲା–ହୁକୁମ୍‌ ।

 

କାହାର ହୁକୁମ୍‌ ?

 

ଗଭର୍ଣ୍ଣମେଣ୍ଟର ।

 

କାହିଁକି ?

 

ଷ୍ଟ୍ରାଇକ୍‌ କରିବା ପାଇଁ ଶ୍ରମିକମାନଙ୍କୁ ଉତ୍ତେଜିତ କରିବା ନିଷେଧ ।

 

ସୁମିତ୍ରା କହିଲେ–ବୃଥା ଉତ୍ତେଜିତ କରି ତାମ୍‌ସା ଦେଖିବା ପାଇଁ ଆମର ସମୟ ନାହିଁ । ଇଉରୋପ ଭଳି ଏମାନଙ୍କୁ ଦଳବଦ୍ଧ ହେବାର ପ୍ରୟୋଜନୀୟତା ବୁଝାଇଦେବା ଏଇ ସଭାର ଉଦ୍ଦେଶ୍ୟ ।

 

ସାହେବ ଚମକି ଉଠି କହିଲା–ଦଳବଦ୍ଧ ? ଶିଳ୍ପାନୁଷ୍ଠାନ ବିରୁଦ୍ଧରେ ? ସେ ତ ଏ ଦେଶରେ ବେଆଇନ୍ ! ସେଥିରେ ନିଶ୍ଚୟ ଶାନ୍ତିଭଙ୍ଗ ହୋଇପାରେ ।

 

ସୁମିତ୍ରା କହିଲେ–ନିଶ୍ଚୟ ହୋଇପାରେ–ଯେ ଦେଶରେ ଗଭର୍ଣ୍ଣମେଣ୍ଟ ମାନେ ଇଂରେଜ ବ୍ୟବସାୟୀ ଏବଂ ସମସ୍ତ ଦେଶର ରକ୍ତ ଶୋଷଣ କରିବାପାଇଁ ଏଇ ବିରାଟ ଯନ୍ତ୍ର ଠିଆକରାଯାଇଛି-

 

ବକ୍ତବ୍ୟ ତାଙ୍କର ଶେଷ ନ ହେଉଣୁ ଗୋରାର ଚକ୍ଷୁ ଲାଲ ହୋଇ ଉଠିଲା । ଧମକ୍ ଦେଇ କହିଲା–ଦ୍ଵିତୀୟ ଥର ଏ କଥା ଉଚ୍ଚାରଣ କଲେ ମୁଁ ଆରେଷ୍ଟ କରିବାକୁ ବାଧ୍ୟ ହେବି ।

 

ସୁମିତ୍ରାଙ୍କର ଆଚରଣରେ ସାମାନ୍ୟ ଚାଞ୍ଚଲ୍ୟ ପ୍ରକାଶ ପାଇଲାନାହିଁ । କେବଳ ଏକଦୃଷ୍ଟିରେ ତା ମୁହଁକୁ ଚାହିଁ ସାମାନ୍ୟ ହସିଲେ ଓ କହିଲେ–ସାହେବ, ମୁଁ ଅସୁସ୍ଥ ଓ ଅପଶୟ ଦୁର୍ବଳ । ତା ନ ହେଲେ କେବଳ ଦ୍ଵିତୀୟ ଥର କାହିଁକି, ଏକ ଶହ ଥର ଚିତ୍କାର କରି ଏଇକଥା ଶୁଣେଇ ପାରିଥାନ୍ତି; କିନ୍ତୁ ଆଜି ମୋର ସେ ଶକ୍ତି ନାହିଁ । ଏହା କହି ସେ ଆଉ ଥରେ ହସିଲେ ।

 

ଏଇ ପୀଡ଼ିତା ରମଣୀର ଶାନ୍ତ ହସ ଦେଖି ସାହେବ ବୋଧହୁଏ ମନେ ମନେ ଲଜ୍ଜିତ ହେଲା । କହିଲା–ଅଲ୍‌ରାଇଟ୍‌, ଆପଣଙ୍କୁ ସାବଧାନ କରିଦେଲି । ଘଡ଼ି ଖୋଲି କହିଲା– ମିଟିଙ୍ଗ୍ ବନ୍ଦ କରିଦେବାର ହୁକୁମ୍ ଅଛି, କିନ୍ତୁ ଭାଙ୍ଗି ଦେବାର ନାହିଁ । ଦଶମିନଟ୍ ସମୟ ଦେଲି, ଦୁଇଚାରି କଥା ଏମାନଙ୍କୁ ଶାନ୍ତଭାବେ ଶୁଣାଇ ଦିଅନ୍ତୁ । ଆଉ କେବେ ଯେମିତି ଏଭଳି ନ ହୁଏ ।

 

କିଛିଦିନ ହେଲା ସୁମିତ୍ରାଙ୍କର ଉପବାସରେ କଟୁଥିଲା । ସମସ୍ତଙ୍କ ମନା ସତ୍ତ୍ୱେ ଦେହରେ ସାମାନ୍ୟ ଜର ଥାଇ ବି ସଭାରେ ଉପସ୍ଥିତ ଥିଲେ । ବର୍ତ୍ତମାନ ଏତିକି କଥାବାର୍ତ୍ତାରେ ସେ ଶ୍ରାନ୍ତ ହୋଇ ପଡ଼ିଲେ । ଚୌକି ଉପରେ ଆଉଜି ପଡ଼ି ସେ ଅସ୍ଫୁଷ୍ଟ ସ୍ଵରରେ କହିଲେ–ଅପୂର୍ବବାବୁ, ଦଶମିନିଟ୍ ମାତ୍ର ସମୟ–ହୁଏତ ତା’ ବି ମିଳିବ ନାହିଁ । ଚିତ୍କାର କରି ସମସ୍ତଙ୍କୁ ଜଣେଇ ଦିଅନ୍ତୁ–ସଂଘବଦ୍ଧ ନ ହେଲେ ଏମାନଙ୍କର ଉପାୟ ନାହିଁ । କାରଖାନାର ମାଲିକମାନେ ଆଜି ଯେଉଁ ଅପମାନ କଲେ, ମଣିଷ ହୋଇଥିଲେ ଏମାନେ ଯେମିତି ତାର ପ୍ରତିଶୋଧ ନେବେ । କହୁ କହୁ ତାଙ୍କର ସ୍ଵର ବନ୍ଦ ହୋଇଆସିଲା, କିନ୍ତୁ ସଭାନେତ୍ରୀଙ୍କ ଏ ଆଦେଶ ଶୁଣି ଅପୂର୍ବର ମୁହଁ କଳାପଡ଼ିଗଲା । ସେ ବିହ୍ଵଳ ନେତ୍ରରେ ସୁମିତ୍ରାଙ୍କୁ କିଛି ସମୟ ଚାହିଁ କହିଲା–ଉତ୍ତେଜିତ କରିବା କଣ ବେଆଇନ୍‌ ନୁହେଁ ?

 

ସୁମିତ୍ରା ବିସ୍ମିତ କଣ୍ଠରେ କହିଲେ–ପିସ୍ତଲ ଜୋର୍‌ରେ ସଭା ଭଙ୍ଗ କରିଦେବା କ’ଣ ଆଇନସଙ୍ଗତ ? ବୃଥା ରକ୍ତପାତ ମୁଁ ଚାହେଁନି; କିନ୍ତୁ ଏଇ କଥାଟା ଆପଣ ସମସ୍ତଙ୍କୁ ଶୁଣାଇ ଦିଅନ୍ତୁ ଯେ ଆଜିର ଅପମାନ ଶ୍ରମିକମାନେ ଯେପରି ନ ଭୁଲନ୍ତି ।

 

‘ଚଲାପଥର ଦାବୀ’ର ଆଉ ଯେ ଚାରି ପାଞ୍ଚ ଜଣ ପୁରୁଷ ସଭ୍ୟ ସଭାମଣ୍ଡପରେ ବସିଥିଲେ, ଚେହେରା ଦେଖିଲେ ମନେହୁଏ ଯେ ସେମାନେ ଅତି ସାଧାରଣ ବ୍ୟକ୍ତି, ହୁଏତ କାରିଗର ବା ମଜୁରିଆ । ଅପୂର୍ବ ନୂଆ ହେଲେ ବି ସମିତିର ଜଣେ ଶିକ୍ଷିତ ଓ ବଶିଷ୍ଟ ସଭ୍ୟ । ଏତେ ବଡ଼ ଜନତାକୁ ସମ୍ବୋଧନ କରିବାର ଦାୟିତ୍ଵ ତେଣୁ ତା ଉପରେ ଦିଆଗଲା ।

 

ସେ ଶୁଷ୍କ କଣ୍ଠରେ କହିଲା–ମୁଁ ତ ଭଲ ହିନ୍ଦୀ ଜାଣେ ନା ।

 

ସୁମିତ୍ରା କଥା କହି ପାରୁ ନ ଥିଲେ, ତଥାପି କହିଲେ–ଯାହା ଜାଣନ୍ତି ଦି’ ପଦ କିଛି କହନ୍ତୁ ଅପୂର୍ବ ବାବୁ, ବୃଥା ସମୟ ନଷ୍ଟ କରନ୍ତୁନାହିଁ ।

 

ଅପୂର୍ବ ସମସ୍ତଙ୍କ ମୁହଁକୁ ଚାହିଁଲା । ଭାରତୀ ଅନ୍ୟ ଦିଗକୁ ଚାହିଁଥିଲା, ତେଣୁ ତାର ଅଭିମତ ଜଣା ପଡ଼ିଲାନାହିଁ । ସେ ଗୋରା ସିପାହୀର ମୁହଁକୁ ଚାହିଁଲା । କହିବା ପାଇଁ ସେ ଠିଆହେଲା, ତାର ଓଠ ଥରିଲା, କିନ୍ତୁ ଓଠରୁ ବଙ୍ଗଳା, ହିନ୍ଦୀ, ଇଂରାଜୀ–କିଛି ବାହାରିଲା ନାହିଁ । କିଛି ସମୟ ପରେ ସେ ଥରି ଥରି ଯାହା ଖଣ୍ଡିଆ ଭାଷାରେ କହିଲା, ତା ଆଉ ଯାହା ହେଉ ପଛେ ଏ ଅନୁଷ୍ଠାନର ଜଣେ ସଭ୍ୟର ଯୋଗ୍ୟ ବକ୍ତୃତା ନୁହେଁ ।

 

ତଲୱାଲ୍‌କାର ଉଠି ଠିଆ ହେଲା । ସୁମିତ୍ରାଙ୍କୁ ଚାହିଁ କହିଲା–ମୁଁ ବାବୁଜୀଙ୍କ ବନ୍ଧୁ । ଆଦେଶ ହେଲେ ତାଙ୍କ ବକ୍ତବ୍ୟ ବଡ଼ ପାଟିରେ କହିଦେବି ।

 

ଭାରତୀ ମୁହଁ ଫେରାଇ ଚାହିଁଲା, ସୁମିତ୍ରା ତୀକ୍ଷ୍‌ଣ ଦୃଷ୍ଟିରେ ତଲୱାଲ୍‌କାରକୁ ଚାହିଁ ରହିଲେ ଏବଂ ଏ ଉଭୟଙ୍କ ଉନ୍ମୁଖ ଦୃଷ୍ଟି ଆଗରେ ଅଭିଭୂତ ବାକ୍ୟହୀନ ଅପୂର୍ବ ବସି ପଡ଼ିଲା ।

 

ରାମଦାସ ତା ଚତୁର୍ଦ୍ଦିଗସ୍ଥ ବିକ୍ଷୁବ୍‌ଧ, ଭୀତ, ଚଞ୍ଚଳ ଜନସମଷ୍ଟିକୁ ସମ୍ବୋଧନ କରି କହିଲା–ଭାଇମାନେ, ମୋର ଅନେକ କଥା କହିବାର ଥିଲା; କିନ୍ତୁ ଏମାନେ କ୍ଷମତାବଳରେ ଆମର ମୁହଁ ବନ୍ଦ କରି ଦେଇଛନ୍ତି । ଏହା କହି ସେ ଅଙ୍ଗୁଳି ନିର୍ଦ୍ଦେଶ କରି ପୋଲିସ୍‌କୁ ଦେଖାଇଲା ଓ କହିଲା–ଏଇ ଡାହାଳ କୁକୁରଦଳକୁ ସେ ଆମ ବିରୁଦ୍ଧରେ, ତମ ବିରୁଦ୍ଧରେ ଲଗାଇଛନ୍ତି, ସେମାନେ ତମ କାରଖାନାର ମାଲିକଦଳ ସେମାନେ କୌଣସିମତେ ଚାହାନ୍ତି ନାହିଁ ଯେ କିଏ ତମ ଦୁଃଖ ଦୁର୍ଦ୍ଦଶା କଥା ତମକୁ ସ୍ପଷ୍ଟଭାବେ ଜଣାଉ । ତମେ ସେମାନଙ୍କର କଳ ଚଳାଇବା ପାଇଁ, ବୋଝ ବୋହିବା ପାଇଁ ପୋଷା ଜାନୁଆର । ଅଥଚ ତମେ ସେମାନଙ୍କ ଭଳି ମଣିଷ; ତୁମର ଯେ ସେମାନଙ୍କ ପରି ପେଟପୂରା ଖାଇବାର, ସେ ଭଳି ପ୍ରାଣ ଖୋଲି ଆନନ୍ଦ ଉପଭୋଗ କରିବାର ଜନ୍ମଗତ ଅଧିକାର ଅଛି–ଏଇ ସତ୍ୟ ସେମାନେ ସମସ୍ତ ଶକ୍ତି, ସକଳ ଶଠତା ସାହାଯ୍ୟରେ ତମ ପାଖରୁ ଲୁଚାଇ ରଖିବାକୁ ଚାହାନ୍ତି । ଥରେ ଯଦି କେବଳ ତମର ଏ ନିଦ ଭାଙ୍ଗେ, କେବଳ ଥରେ ମାତ୍ର ତମେ ଯଦି ଏଇ ସତ୍ୟ ଉପଲବ୍‌ଧି କରି ପାରିବ ଯେ ତମେ ବି ମଣିଷ, ତମେ ଯେତେ ଦୁଃଖୀ, ଯେତେ ଦରିଦ୍ର, ଯେତେ ଅଶିକ୍ଷିତ ହୁଅ ବି ମଣିଷ–ତେବେ ତମର ମନୁଷ୍ୟତାର ଦାବୀ କୌଣସି ଛଳନାକ୍ରମେ କେହି ଅଟକାଇ ରଖିପାରିବେ ନାହିଁ । ତା ହେଲେ ଏଇ କେତେ ଜଣ ମାଲିକ ବା ତମର କଣ କରିପାରିବେ ? ଏ ସତ୍ୟ କଣ ତମେମାନେ ବୁଝିବ ନାହିଁ ? ଏ କେବଳ ଧନୀ ବିରୁଦ୍ଧରେ ଦରିଦ୍ରର ଆତ୍ମରକ୍ଷା ପାଇଁ ଲଢ଼େଇ । ଏଥିରେ ଦେଶ ନାହିଁ, ଜାତି ନାହିଁ, ଧର୍ମ୍ମ ନାହିଁ, ମତବାଦ ନାହିଁ–ହିନ୍ଦୁ ବା ମୁସଲମାନ ନାହିଁ–ଜୈନ, ଶିଖ୍ କୌଣସି ସଂପ୍ରଦାୟ ନାହିଁ–ଅଳ୍ପ କେବଳ ଧନୋନ୍ମତ୍ତ ମାଲିକ ଓ ତାର ଅସଂଖ୍ୟ ପ୍ରବଞ୍ଚିତ ଅଦ୍ଭୁକ୍ତ ଶ୍ରମିକ । ଦରିଦ୍ରର ଏଇ ବଞ୍ଚିବା ପାଇଁ ଲଢ଼େଇରେ ତମେମାନେ କଣ ସକଳ ଶକ୍ତି ଦେଇ ଯୋଗଦେବନି ?

 

ଗୋରା ସର୍ଦ୍ଦାର ଏ ଦେଶରେ ରହି ଯେ ସାମାନ୍ୟ ହିନ୍ଦୀ ଜ୍ଞାନ ଲାଭ କରିଥିଲା, ସେଥିରେ ସେ ବକ୍ତୃତାରୁ କିଛି ବି ବୁଝିପାରିଲା ନାହିଁ; କିନ୍ତୁ ସମବେତ ଶ୍ରୋତୃବର୍ଗଙ୍କ ମୁହଁ ଓ ଆଖିରେ ଉତ୍ତେଜନାର ଚିହ୍ନ ଲକ୍ଷ୍ୟ କରି ସେ ନିଜେ ଉତ୍ତେଜିତ ହୋଇ ଉଠିଲା । ସେ ତାର ରିଷ୍ଟୱାଚ୍‌କୁ ଲକ୍ଷ୍ୟ କରି କହିଲା–ଆଉ ମାତ୍ର ପାଞ୍ଚମିନିଟ୍‌ ସମୟ ଅଛି, ଆପଣ ଶେଷ କରନ୍ତୁ !

 

ତଲ୍‌ୱାର୍‌କାର କହିଲା–କେବଳ ପାଞ୍ଚମିନଟ ! ତା’ ଠାରୁ ଆଉ ମୁହୁର୍ତ୍ତେ ବି ବେଶି ନୁହେଁ-। ତେବେ ବି ଏଇ ଅମୂଲ୍ୟ କେତୋଟି ମିନିଟ ମୁଁ କେବେ ନଷ୍ଟ କରିବି ନାହିଁ । ଭାଇ ବଞ୍ଚିତ ଦଳ ! ତମ ପାଖରେ ଏଇ ମୋର ମିନତି–ଆମକୁ ତମେ ଅବିଶ୍ଵାସ କରନାହିଁ । ଶିକ୍ଷିତ ବୋଲି, ଭଦ୍ର ବୋଲି, କାରଖାନାରେ ଦିନ ମଜୁରି କରୁ ନା ବୋଲି ଆମକୁ ଶଙ୍କା ଦୃଷ୍ଟିରେ ଦେଖି ନିଜର ସର୍ବନାଶ ତମେ ନିଜେ କରନା । ତମର ନିଦ ଭାଙ୍ଗିବା ପାଇଁ ପ୍ରଥମ ଶଙ୍ଖଧ୍ୱନି ସବୁ ଦେଶରେ ସବୁକାଳେ ଆମେମାନେ କରି ଆସିଛୁ । ଆଜି ହୁଏତ ବୁଝି ପାରିବନି, କିନ୍ତୁ ନିଶ୍ଚିତ କଥା ଯେ ଏଇ ‘ଚଲାପଥର ଦାବୀ’କୁ ଛାଡ଼ି ବଡ଼ ବନ୍ଧୁ ଏ ଦେଶରେ ତମର ଆଉ ନାହାନ୍ତି । ତାର କଣ୍ଠ ଶୁଖିଆସୁଥିଲା, ତଥାପି ପ୍ରାଣପଣେ ଚିତ୍କାର କରି କହିଲା–ମୁଁ ବହୁଦିନ ତମମାନଙ୍କ ଭିତରେ କାମ କରି ଆସିଛି, ତମେ ହୁଏତ ଆମମାନଙ୍କୁ ଚିହ୍ନିନା; କିନ୍ତୁ ମୁଁ ତମମାନଙ୍କୁ ଜାଣେ । ଯେଉଁମାନଙ୍କୁ ତମେ ମାଲିକ ବୋଲି କହୁଛ, ମୁଁ ସେମାନଙ୍କ ଭିତରୁ ଜଣେ ଥିଲି । ସେମାନେ କେବେ ହେଲେ ତମକୁ ମଣିଷ ହେବା ପାଇଁ, ମଣିଷ ରୂପେ ବଞ୍ଚିରହିବା ପାଇଁ ସୁଯୋଗ ଦେବେନାହିଁ । କେବଳ ପଶୁପରି ବ୍ୟବହାର କରି ସେମାନେ ତମର ମନୁଷ୍ୟତ୍ଵର ଅଧିକାରକୁ ଅଟକାଇ ରଖିପାରିବେ, ଆଉ କୌଣସି ଉପାୟରେ ନୁହେଁ–ଏ କଥା ତୁମେମାନେ ଆଜି ନ ବୁଝିଲେ ଚଳିବନି । ତମେମାନେ ଅସାଧୁ, ତମେ ସବୁ ଉଚ୍ଛୃଙ୍ଖଳ, ଇନ୍ଦ୍ରିୟାସକ୍ତ, କେବଳ ଏଇ ମିଥ୍ୟା ତୁମକୁ ସେମାନେ ଅନୁକ୍ଷଣ ବୁଝେଇ ଆସିଛନ୍ତି ଯେ ଭଲ ନ ହେଲେ କାହାର କୌଣସି ଉନ୍ନତି ହୋଇପାରେ ନା । ମୁଁ ଆଜି ଅସଂକୋଚରେ ଅକପଟ ଚିତ୍ତରେ ତମକୁ କହିପାରେ ଯେ ସେମାନଙ୍କର ଏକଥା ସମ୍ପୂର୍ଣ୍ଣ ଅସତ୍ୟ । ତମ ଚରିତ୍ର କେବଳ ଅବସ୍ଥା ପାଇଁ ଦାୟୀ ନୁହେଁ, ତମର ଏଇ ପ୍ରବଞ୍ଚିତ ହୀନ ଅବସ୍ଥା ବି ତମ ଚରିତ୍ରର ଅଧଃପତନ ପାଇଁ ଦାୟୀ । ସେମାନଙ୍କର ଏଇ ମିଥ୍ୟା ପ୍ରଚାରର ନିର୍ଭୟ ପ୍ରତିବାଦ ତମକୁ କରିବାକୁ ହେବ । କହୁ କହୁ ତାର କଣ୍ଠ ଅତ୍ୟନ୍ତ ପ୍ରଖର ହୋଇ ଉଠିଲା । ସେ ଚିତ୍କାର କରି କହିଲା–ବିନା ଶ୍ରମରେ ସଂସାରରେ କିଛି ଉତ୍ପନ୍ନ ହୋଇପାରେ ନା–ତେଣୁ ଶ୍ରମିକ ବି କଳକାରଖାନାର ମାଲିକ–କାରଖାନାର ସବୁ ଜିନିଷର ସମାନ ଅଧିକାରୀ !

 

ଏଇ ସମୟରେ ଜଣେ ପଞ୍ଜାବୀ ଗୋରା ସିପାହୀର କାନରେ ଫିସ୍‌ଫିସ୍‌ କରି କଣ କହିବାରୁ ତାର ଆଖି ଜ୍ଵଳନ୍ତ ଅଗ୍ନି ଖଣ୍ଡ ଭଳି ଉଗ୍ର ହୋଇ ଉଠିଲା ସେ ଗର୍ଜ୍ଜନ କରି କହିଲା–ଷ୍ଟପ୍‌, ଏ ଚାଲି ପାରିବ ନାହିଁ । ଏଥିରେ ଶାନ୍ତିଭଙ୍ଗ ହେବ ।

 

ଅପୂର୍ବ ଚମକି ଉଠିଲା । ରାମଦାସର ଜାମାକୁ ସେ ଟଣାଟଣି କରି କହିଲା–ସେତିକି ଥାଉ ରାମଦାସ, ସେତିକି ଥାଉ । ଏଇ ନିଃସହାୟ ନିର୍ବାନ୍ଧବ ଦେଶରେ ତମର ସ୍ତ୍ରୀ ଅଛି, ଛୋଟ ଝିଅ ଅଛି । ସେମାନଙ୍କ ଅବସ୍ଥା କଅଣ ହେବ ?

 

ରାମଦାସ କର୍ଣ୍ଣପାତ କଲା ନାହିଁ । ଚିତ୍କାର କରି କହିଲା- ଏମାନେ ଅନ୍ୟାୟକାରୀ ! ଏମାନେ ଭୀରୁ, ଏମାନେ ତୁମକୁ ସତକଥା ଶୁଣିବାକୁ ଦେବେନାହିଁ; କିନ୍ତୁ ଏମାନେ ଜାଣନ୍ତି ନାହିଁ ଯେ ସତ୍ୟକୁ ଗଳା ଚିପି ହତ୍ୟା କରାଯାଇ ପାରେ ନା । ସେ ଚିରଜୀବୀ ! ସେ ଅମର !

 

ଗୋରା ସିପାହୀ ଏକଥା ବୁଝି ପାରିଲା ନାହିଁ; କିନ୍ତୁ ଅକସ୍ମାତ୍‌ ସହସ୍ର ଲୋକଙ୍କ ଦେହରୁ ଯେପରି ଛିଟିକି ଆସି ଉତ୍ତେଜନାର ଉତ୍ତାପ ତାର ସର୍ବାଙ୍ଗ ସ୍ପର୍ଶ କଲା । ସେ ହୁଙ୍କାର ଦେଇ କହିଲା–ଏ ସବୁ ଚଳିବନି, ଏ ରାଜଦ୍ରୋହ ।

 

ଆଖିପଲକ ନ ପଡ଼ୁଣୁ ପାଞ୍ଚ ଛ’ ଜଣ ସିପାହୀ ଘୋଡ଼ାରୁ ଓହ୍ଲାଇ ଆସି ରାମଦାସର ଦୁଇହାତକୁ ଟାଣି ତାକୁ ତଳକୁ ଖସାଇ ପକାଇଲେ । ତାର ଶରୀର ମୁହୂର୍ତ୍ତକରେ ଘୋଡ଼ା ଓ ଘୋଡ଼ସବାରଙ୍କ ମଝିରେ ଆଉ ଦେଖାଗଲା ନାହିଁ ସତ, କିନ୍ତୁ ତାର ସ୍ଵର କୌଣସିମତେ ଅଟକିଗଲା ନାହିଁ । ଏଇ ବିକ୍ଷୁବ୍‌ଧ ଜନତାର ଏକ ପାର୍ଶ୍ଵରୁ ଅପର ପାର୍ଶ୍ଵ ପର୍ଯ୍ୟନ୍ତ ତାର ଶେଷ କଥା ଧ୍ୱନିତ ହେବାକୁ ଲାଗିଲା–ଭାଇମାନେ, ଆଉ ହୁଏତ କେବେ ମତେ ଦେଖିବେ ନାହିଁ, କିନ୍ତୁ ମଣିଷ ହୋଇ ଜନ୍ମ ହେବାର ସମସ୍ତ ମର୍ଯ୍ୟାଦା ଯଦି ମାଲିକର ପାଦତଳେ ବିସର୍ଜ୍ଜନ ଦେଇ ନ ଥାଅ, ତେବେ ଏ ଉତ୍‌ପୀଡ଼ନ, ଏ ଅପମାନ ତମେ ସହ୍ୟ କରିବ ନାହିଁ ।

 

କିନ୍ତୁ ତାର କଥା ସରୁ ନ ସରୁଣୁ ଘୋଡ଼ା ଛୁଟିଲା, ଚାବୁକ୍ ଚାଲିଲା ଏବଂ ତ୍ରସ୍ତ ଅଭିଭୂତ ଶ୍ରମିକଦଳ କିଏ କୁଆଡ଼େ ଛୁଟି ପଳାଇଲେ । କେତେଜଣ ଆହତ ଲୋକଙ୍କ ଛଡ଼ା ସମସ୍ତ ପଡ଼ିଆ ଅଳ୍ପ ସମୟ ଭିତରେ ଜନଶୂନ୍ୟ ହୋଇଗଲା ।

 

ଯେଉଁ ଲୋକ ଗାଡ଼ି ଡାକିବାକୁ ଯାଇଥିଲା, ଦଶମିନଟ୍ ପରେ ସେ ଗାଡ଼ି ନେଇ ଫେରିଲା ପରେ ସୁମିତ୍ରା ଭାରତୀର ହାତ ଧରି ଧୀରେ ଧୀରେ ଯାଇ ସେଥିରେ ବସିଲେ ।

 

ଭାରତୀ ଫେରିଆସି ଅପୂର୍ବକୁ କହିଲା–ଚାଲନ୍ତୁ ।

 

ଅପୂର୍ବ ମୁହଁ ଟେକି ଚାହିଁଲା, କ୍ଷଣକାଳ ଚିନ୍ତାକରି ପଚାରିଲା–କେଉଁଠିକି ଯିବାକୁ କହୁଛନ୍ତି ?

 

ଭାରତୀ କହିଲା–ମୋ ବସାକୁ ।

 

ଅପୂର୍ବ କେତେ ମୁହୂର୍ତ୍ତ ମାତ୍ର ଚୁପ୍ ରହିଲା, ଶେଷରେ ଆସ୍ତେ ଆସ୍ତେ କହିଲା–ଆପଣମାନେ ତ ଜାଣନ୍ତି, ମୁଁ ଆପଣଙ୍କ ସମିତି ପାଇଁ ଅଯୋଗ୍ୟ । ସେଠାରେ ମୋ ପାଇଁ ଆଉ ସ୍ଥାନ ନାହିଁ ନିଶ୍ଚୟ ।

 

ଭାରତୀ କହିଲା–ତା’ ହେଲେ ବର୍ତ୍ତମାନ କେଉଁଠିକୁ ଯିବେ ? ବସାକୁ ?

 

ବସାକୁ । ହଁ ଥରେ ଯିବାକୁ ହେବ–ଏହା କହୁ କହୁ ଅପୂର୍ବର ଆଖି ସଜଳ ହୋଇ ଉଠିଲା । ସେ କୌଣସି ମତେ ନିଜକୁ ସଂବରଣ କରି କହିଲା–କିନ୍ତୁ ଏଇ ବିଦେଶରେ ଆଉ ଗୋଟାଏ ଜାଗାକୁ ଯେ କିଭଳି ଯିବି, ମୁଁ ଭାବି ପାରୁନାହିଁ ।

 

ସୁମିତ୍ରା ଗାଡ଼ିରୁ କ୍ଷୀଣ କଣ୍ଠରେ ଡାକିଲେ–ତମେ ସବୁ ଆସ ଜଲ୍‌ଦି ।

 

ଭାରତୀ ପୁନର୍ବାର କହିଲା–ଚାଲନ୍ତୁ !

 

ଅପୂର୍ବ ମୁଣ୍ଡ ହଲାଇ କହିଲା–‘ଚଲାପଥର ଦାବୀ’ ଅନୁଷ୍ଠାନରେ ମୋର ଆଉ ସ୍ଥାନ ନାହିଁ ।

 

ଭାରତୀ ହଠାତ୍‍ ତାର ହାତ ଧରିପକାଇବାକୁ ଯାଉଥିଲା, କିନ୍ତୁ ନିଜକୁ ସମ୍ଭାଳି ନେଇ ଅପୂର୍ବର ମୁହଁ ଉପରେ ଦୃଷ୍ଟି ନିବଦ୍ଧ କରି ମୃଦୁ କଣ୍ଠରେ କହିଲା–ସେଠାରେ ଆପଣଙ୍କର ସ୍ଥାନ ନ ଥାଇପାରେ, କିନ୍ତୁ ଆଉ ଗୋଟାଏ ଜାଗାରୁ ଆପଣଙ୍କୁ ସ୍ଥାନଚ୍ୟୁତ କରିବାପାଇଁ ତ କୌଣସି ଶକ୍ତି ନାହିଁ ଅପୂର୍ବବାବୁ !

 

ଗାଡ଼ିଭିତରୁ ସୁମିତ୍ରା ଅସହିଷ୍ଣୁ ହୋଇ କହିଲେ–ତମମାନଙ୍କର କ’ଣ ଆସିବାକୁ ଡେରି ହେବ ଭାରତୀ ?

 

ଭାରତୀ ଗାଡ଼ୋୟାନକୁ ଯିବା ପାଇଁ ଇଙ୍ଗିତ ଦେଇ କହିଲା–ଆପଣ ଯାନ୍ତୁ, ଏଇ ସାମାନ୍ୟ ବାଟ ଆମେ ଚାଲିକରି ଯିବୁ ।

ବାଟରେ ଯାଉ ଯାଉ ଅପୂର୍ବ ହଠାତ୍‌ କହି ଉଠିଲା–ତୁମେ ମୋ ସାଙ୍ଗେ ଚାଲ ଭାରତୀ !

ଭାରତୀ କହିଲା–ସାଙ୍ଗରେ ତ ଯାଉଛି ।

ଅପୂର୍ବ କହିଲା–ତଲୱାର୍‌କାର୍‌ର ସ୍ତ୍ରୀ ପାଖକୁ ମୁଁ କିଭଳି ଯିବି, ଯାଇ ତାକୁ କଣ କହିବି, ତା ପାଇଁ କଣ ବ୍ୟବସ୍ଥା କରିବି–କିଛି ଭାବି ପାରୁନି । ରାମଦାସକୁ ଏଠାକୁ ଆଣିବାର ଦୁର୍ବୁଦ୍ଧି ମୋର ବା ହେଲା କାହିଁକି ?

ଭାରତୀ ଚୁପ୍‌ ରହିଲା ।

ଅପୂର୍ବ କହିଲା–ଏ ବିଦେଶ ଜାଗାରେ ହଠାତ୍‌ କି ସର୍ବନାଶ ହେଇ ନ ଗଲା ! ମୁଁ ତ କୂଳକିନାରା ପାଉନି–ଭାରତୀ କୌଣସି ମନ୍ତବ୍ୟ ପ୍ରକାଶ କଲାନାହିଁ । ଉଭୟେ କିଛି ସମୟ ନୀରବରେ ଚାଲିବା ପରେ ଅପୂର୍ବ ଦୁଶ୍ଚିନ୍ତାରେ ବ୍ୟାକୁଳ ହୋଇ ଚିତ୍କାର କରି ଉଠିଲା–ମୋର ବା ଦୋଷ କଣ ? ବାରମ୍ବାର ସାବଧାନ କଲେ ବି କିଏ ଯଦି ଗଳାରେ ଦଉଡ଼ି ଦେଇ ଝୁଲିବ, ତାକୁ ମୁଁ ବଞ୍ଚାଇବି କେମିତି ? ମୁଁ କ’ଣ କହିଥିଲି ଯାହା ତା’ ବକ୍ତୃତା ଦେବାକୁ ? ସ୍ତ୍ରୀ ଅଛି, ଝିଅ ଅଛି, ଘର ସଂସାର ଅଛି, ଏ ହୋସ୍ ଯାହାର ନାହିଁ, ସେ ମରିବନି ତ ମରିବ କିଏ ? ଖାଟୁ ଆଉ ଦି ବରଷ ଜେଲ୍‌ !

ଭାରତୀ କହିଲା–ଆପଣ କ’ଣ ତାଙ୍କ ସ୍ତ୍ରୀଙ୍କ ପାଖକୁ ବର୍ତ୍ତମାନ ଯିବେନାହିଁ ?

ଅପୂର୍ବ ତା ମୁହଁକୁ ଚାହିଁ କହିଲା–ଯିବାକୁ ହେବ ନିଶ୍ଚୟ; କିନ୍ତୁ ସାହେବକୁ କାଲି କ’ଣ କୈଫିୟତ୍‌ ଦେବି ? ମୁଁ କିନ୍ତୁ କହି ରଖୁଛି ଭାରତୀ, ସାହେବ ପଦେ କଣ କହିଲେ ମୁଁ ଚାକିରି ଛାଡ଼ିଦେବି ।

ଛାଡ଼ିଦେଇ କ’ଣ କରିବେ ?

ଘରକୁ ଚାଲିଯିବି । ଏ ଦେଶରେ ମଣିଷ ରହେ ?

ଭାରତୀ କହିଲା–ରାମଦାସ ବାବୁଙ୍କ ଉଦ୍ଧାର ପାଇଁ ଚେଷ୍ଟାକରିବେ ନାହିଁ ?

ଅପୂର୍ବ ହଠାତ୍‌ ଠିଆହୋଇ ପଡ଼ିଲା କହିଲା–ଚାଲ ନା ଜଣେ ଭଲ ବାରିଷ୍ଟର ପାଖକୁ ଯିବା, ଭାରତୀ ! ମୋ ପାଖରେ ପ୍ରାୟ ହଜାରେ ଟଙ୍କା ଅଛି, ସେଥିରେ ମୋର ଘଡ଼ି, ମୁଦି ବିକ୍ରିକଲେ ହୁଏତ ଆଉ ପାଞ୍ଚ ଛଶ ଟଙ୍କା ହେବ । ଚାଲ ଯିବା ।

ଭାରତୀ କହିଲା–କିନ୍ତୁ ତାଙ୍କ ସ୍ତ୍ରୀ ପାଖକୁ ଯିବା ପ୍ରଥମେ ଦରକାର ଅପୂର୍ବବାବୁ । ମୋ ସାଙ୍ଗରେ ଆଉ ଆସନ୍ତୁ ନାହିଁ, ଏଇଠାରୁ ଗୋଟାଏ ଗାଡ଼ି ନେଇ ଷ୍ଟେସନକୁ ଚାଲି ଯାଅନ୍ତୁ । ତାର କଣ ଦରକାର ହୋଇପାରେ–ଅନ୍ତତଃ ଗୋଟାଏ ଖବର ତ ଦେବା ଉଚିତ ।

ଅପୂର୍ବ ରାଜିହୋଇ ମୁଣ୍ଡ ହଲାଇଲା, ତଥାପି ଭାରତୀ ସଙ୍ଗେ ଆଗେଇଲା ।

ଭାରତୀ କହିଲା–ଏତକ ବାଟ ମୁଁ ଏକା ଯାଇ ପାରିବି, ଆପଣ ଫେରନ୍ତୁ ।

ଉତ୍ତର ଦେବାକୁ ଅପୂର୍ବର ଦ୍ଵିଧା ହେଲା, କିନ୍ତୁ କ୍ଷଣକ ପାଇଁ ସେ କହିଲା–ମୁଁ ଏକୁଟିଆ ଯାଇପାରିବି ନାହିଁ ।

 

ଭାରତୀ କହିଲା–ନ ହେଲେ ତେୱାରୀକୁ ଘରୁ ନେଇଯିବେ ।

 

ନା ତମେ ସାଙ୍ଗରେ ଚାଲ ।

 

ମୋର ଯେ ଜରୁରୀ କାମ ଅଛି ।

 

ଥାଉ, ତଥାପି ତମେ ଚାଲ ।

 

କିନ୍ତୁ କାହିଁକି ମତେ ଏଥିରେ ଯୋଡ଼ୁଛନ୍ତି, ଅପୂର୍ବବାବୁ ?

 

ଅପୂର୍ବ ଚୁପ୍‌ ହୋଇ ରହିଲା ।

 

ଭାରତୀ ତା ମୁହଁକୁ ଚାହିଁ ସାମାନ୍ୟ ହସିଲା, କହିଲା–ଆଚ୍ଛା, ଚାଲନ୍ତୁ ମୋ ସାଙ୍ଗରେ । ନିଜ କାମତକ ଆଗ ସାରିନିଏ ।

 

ବାଟରେ ଚାଲୁ ଚାଲୁ ଭାରତୀ କହିଲା–ଯେ ଆପଣଙ୍କୁ ଚାକିରି କରିବା ପାଇଁ ବିଦେଶକୁ ପଠାଇଛି, ସେ ଆପଣଙ୍କୁ ଚିହ୍ନେନାହିଁ । ତେୱାରୀ ଦେଶକୁ ଯାଉଛି, ମୁଁ ଆପଣଙ୍କୁ ବ୍ୟବସ୍ଥା କରି ତା ସାଙ୍ଗେ ପଠାଇଦେବି ।

 

ଅପୂର୍ବ ଚୁପ୍ ରହିଲା ।

 

ଭାରତୀ କହିଲା–କିଛି କହୁନାହାନ୍ତି ଯେ ?

 

ଅପୂର୍ବ କହିଲା–କହିବାର କିଛି ନାହିଁ । ମା’ ବଞ୍ଚି ନ ଥିଲେ ମୁଁ ସନ୍ନ୍ୟାସୀ ହୋଇଥାନ୍ତି ।

 

ଭାରତୀ ଆଶ୍ଚର୍ଯ୍ୟ ହୋଇ କହିଲା–ସନ୍ନ୍ୟାସୀ ? କିନ୍ତୁ ମା’ ତ ବଞ୍ଚିଛନ୍ତି ।

 

ଅପୂର୍ବ କହିଲା–ଆମର ଗାଁରେ ଗୋଟାଏ ଛୋଟ ଘର ଅଛି, ମୁଁ ମା’କୁ ନେଇ ସେଠାକୁ ଚାଲିଯିବି ।

 

ତା ପରେ ?

 

ମୋର ସେ ହଜାରେ ଟଙ୍କା ଅଛି, ସେଥିରେ ଗୋଟାଏ ଡାଲି ଚାଉଳ ଦୋକାନ ଖୋଲିବି । ଆମ ଦୁଇଜଣଙ୍କର ଚଳିଯିବ ।

 

ଭାରତୀ କହିଲା–ହୁଏତ ଚଳିଯିବ, କିନ୍ତୁ ହଠାତ୍‌ ତାର ଦରକାର ପଡ଼ିଲା କାହିଁକି ?

 

ଅପୂର୍ବ କହିଲା–ଆଜି ମୁଁ ମତେ ଚିହ୍ନି ପାରିଛି, କେବଳ ମା’ ଛଡ଼ା ସଂସାରରେ କାହାପାଖରେ ମୋର ମୂଲ୍ୟ ନାହିଁ । ଭଗବାନ କରନ୍ତୁ ଏହାଠାରୁ ବେଶି ମୁଁ ଯେମିତି କାହାଠାରୁ ନ ଚାହେଁ ।

 

ଭାରତୀ ସ୍ଥିର ଦୃଷ୍ଟିରେ ତା ମୁହଁକୁ ଚାହିଁରହି କହିଲା–ମା’ ନିଶ୍ଚୟ ଆପଣଙ୍କୁ ଖୁବ୍ ବେଶି ଭଲ ପାଆନ୍ତି ?

 

ଅପୂର୍ବ କହିଲା–ହଁ । ଚିରକାଳ ମା’ର ଦୁଃଖରେ କଟିଲା, କେବଳ ଭୟ ତା ଯେପରି ଆଉ ନ ବଢ଼େ । ମୋର ସମସ୍ତ କାମରେ ମୋର ଅଧେ ଯେମିତି ମା’ ରୂପେ ମୋର ଆର ଅଧକୁ ଦିନରାତି ଧରି ରଖିଛି । ଏଥିରୁ ମୁଁ ମୁହର୍ତ୍ତକ ପାଇଁ ବି ମୁକ୍ତ ପାଏ ନି ଭାରତୀ; ତେଣୁ ମୁଁ ଭୟାଳୁ, ସମସ୍ତଙ୍କର ଅଶ୍ରଦ୍ଧାର ପାତ୍ର । ଏହା କହି ସେ ଦୀର୍ଘନିଃଶ୍ଵାସ ପକାଇଲା ।

 

ଭାରତୀ ଏହାର ଉତ୍ତର ଦେଲାନାହିଁ, କେବଳ ହାତ ବଢ଼ାଇ ଧୀରେ ଅପୂର୍ବର ହାତକୁ ଧରିଲା ।

 

ସନ୍ଧ୍ୟାର ଅନ୍ଧକାର କ୍ରମଶଃ ଗାଢ଼ହେଲା । ଅପୂର୍ବ ଉଦ୍‌ବିଗ୍ନ ହୋଇ ପଚାରିଲା ରାମଦାସ ପରିବାରର କଣ ହେବ ଭାରତୀ ? କେବଳ ଚାକରାଣୀ ଛଡ଼ା ତାଙ୍କର ଘରେ ଆଉ କେହି ନାହିଁ । ଥିଲେ ବି କିଏ ତାଙ୍କର ଦାୟିତ୍ଵ ନେବ ?

 

ଭାରତୀ ନିଜେ ସେ ସମ୍ପର୍କରେ କିଛି ଭାବିନାହିଁ, କେବଳ ସାହସ ଦେବା ପାଇଁ କହିଲା–ଚାଲନ୍ତୁ, କଣ କରାଯାଇ ପାରିବ ଦେଖିବା । ଉପାୟ କିଛି କରାଯିବ ନିଶ୍ଚୟ ।”

 

ଅପୂର୍ବ ବୁଝିଲା–ଏ ଖାଲି ଫାଙ୍କା କଥା । ତାର ମନ କୌଣସି କ୍ରମେ ମାନିଲାନାହିଁ ।

 

ସେ କହିଲା–ତମକୁ ହୁଏତ ସେଠାରେ ରହିବାକୁ ପଡ଼ିବ ।

 

କିନ୍ତୁ ମୁଁ ତ ଖ୍ରୀଷ୍ଟାନ, ତାଙ୍କୁ ବା କଣ ସାହାଯ୍ୟ କରିବି ?

 

ତା ନିଶ୍ଚୟ–ଅପୂର୍ବ ଏ କଥାଟା ନୂଆ ଶୁଣିଲା ଯେପରି ।

 

ଉଭୟେ ବସାରେ ପହଞ୍ଚିଲାବେଳକୁ ରାତି ହୋଇଗଲାଣି । ଏଇ ରାତିରେ କଣ କରାଯାଇ ପାରିବ, ଏଇ କଥା ଚିନ୍ତାକରି ସେମାନଙ୍କର ମନରେ ଉଦ୍‌ବେଗର ସୀମା ନ ଥିଲା । ତଳଘର ଖୋଲା ଥିଲା, ଘରେ ପାଦ ଦେଉ ଦେଉ ଭାରତୀ ଦେଖିଲା ଯେ ସେ ପାଖର ଖୋଲା ଝରକା ପାଖରେ ଇଜିଚେୟାର୍‌ରେ କିଏ ଜଣେ ଶୋଇରହିଛି । ସେ ମୁହଁଟେକି ଚାହିଁଲା ମାତ୍ରେ ଭାରତୀ ଚିହ୍ନିପାରି ଆନନ୍ଦରେ ଚିତ୍କାରକରି କହିଲା–ଡାକ୍ତରବାବୁ, ଆପଣ କେତେବେଳେ ଏଠିକି ଆସିଲେ ? ସୁମିତ୍ରାଦିଦିଙ୍କ ସାଙ୍ଗେ ଦେଖା କଲେଣି ?

 

ନା ।

 

ଅପୂର୍ବ କହିଲା–ଭୟଙ୍କର ଘଟଣା ଘଟିଲା ଡାକ୍ତର ବାବୁ, ଆମର ଆକାଉଣ୍ଟେଣ୍ଟ୍ ରାମଦାସ ତଲ୍‌ୱାର୍‌ କରକୁ ପୋଲିସ୍‌ ଧରି ନେଇଯାଇଛି ।

 

ଭାରତୀ କହିଲା–ଇନସିନ୍‌ରେ ତାଙ୍କ ବସା । ସେଠି ତାଙ୍କ ସ୍ତ୍ରୀ ଅଛନ୍ତି, ଝିଅ ଅଛି, ସେମାନେ ଏ ପର୍ଯ୍ୟନ୍ତ କିଛି ଜାଣନ୍ତି ନାହିଁ ।

 

ଅପୂର୍ବ କହିଲା–ଏତେ ଦୂର ଏଇ ଅନ୍ଧାର ରାତିରେ–କି ଭୟଙ୍କର ବିପଦ ପଡ଼ିଲା, ଡାକ୍ତରବାବୁ !

 

ଡାକ୍ତର ହାଇମାରି ସିଧା ହୋଇ ବସିଲେ ଓ ହସି ହସି ଭାରତୀକୁ କହିଲେ–ମୁଁ ବଡ଼ ଶ୍ରାନ୍ତ, ମତେ ଟିକିଏ ଚା’ ତିଆରି କରି ଖୁଆଇବ ?

 

ଭାରତୀ କହିଲା–ହଁ, କିନ୍ତୁ ଆମକୁ ତ ଏଇଲେ ବାହାରିବାକୁ ପଡ଼ିବ, ଡାକ୍ତରବାବୁ !

 

କେଉଁଠି କି ?

 

ଇନସିନ । ତଲ୍‌ୱାର୍‌କରଙ୍କ ବସାକୁ ।

 

କୌଣସି ଦରକାର ନାହିଁ ।

 

ଅପୂର୍ବ ବିସ୍ମିତ ହୋଇ ତାଙ୍କ ମୁହଁକୁ ଚାହିଁ କହିଲା–ଦରକାର ନାହିଁ କେମିତି, ଡାକ୍ତରବାବୁ-? ତାର ବିପନ୍ନ ପରିବାରର ବ୍ୟବସ୍ଥା କରିବା, ଅନ୍ତତଃ ଖୋଜଖବର ନେବା ତ ଦରକାର-

 

ଡାକ୍ତର ହସି କହିଲେ–ସେଥିରେ ଆଉ ସନ୍ଦେହ ନାହିଁ; କିନ୍ତୁ ସେ ଭାର ମୋର, ଆପଣମାନେ ଏଇ ନିବିଡ଼ ଅନ୍ଧାର ରାତିରେ ଇନସିନର ଜଙ୍ଗଲରେ ବାଟ ଭୁଲି ବୁଲିବେ– ଶେଷ ପର୍ଯ୍ୟନ୍ତ ହୁଏତ ଘରଟା ଖୋଜି ପାଇବେ ନାହିଁ । ଏଇ କଥା କହି ସେ ପୁନର୍ବାର ହସି ହସି କହିଲେ–ତା ଅପେକ୍ଷା ବରଂ ଆପଣ ବସନ୍ତୁ ଓ ଭାରତୀ ଚା ତିଆରିକରି ଆଣୁ । କିନ୍ତୁ ଆପଣଙ୍କର ହୁଏତ ଚଳିବନି । ବେଶ୍‌, ହୋଟେଲର ପୂଜାରୀ ପବିତ୍ରଭାବେ କିଛି ତିଆରି କରି ଆଣୁ, ଆପଣ ଖାଇପିଇ ବିଶ୍ରାମ ନିଅନ୍ତୁ ।

 

ଭାରତୀ ନିଶ୍ଚିନ୍ତ ଓ ପ୍ରଫୁଲ୍ଲ ଚିତ୍ତରେ ଚା ତିଆରି କରିବାକୁ ଉପରକୁ ଯିବାକୁ ବାହାରିଲା, କିନ୍ତୁ ଅପୂର୍ବ କିଛି ବିଶ୍ଵାସ କଲାନାହିଁ । ଡାକ୍ତରଙ୍କ ସବୁ କଥା ତାକୁ ପ୍ରହେଳିକା ପରି ଜଣାଗଲା, ବରଂ ଖରାପ ଲାଗିଲା । ଭାରତୀକୁ ଲକ୍ଷ୍ୟ କରି କହିଲା–ଏଇ ରାତିରେ ଯିବା କଷ୍ଟରୁ ତମେ ହୁଏତ ରକ୍ଷା ପାଇଲ, କିନ୍ତୁ ମୋର ଦାୟିତ୍ଵ ଢେର୍‌ ବେଶି । ଯେତେ ରାତି ହେଉନା କାହିଁକି ମୋତେ ସେଠିକି ଯିବାକୁ ହେବ ।

 

ତା କଥା ଶୁଣି ଭାରତୀ ହଠାତ୍‌ ଅଟକିଗଲା, କିନ୍ତୁ ଡାକ୍ତରଙ୍କ ମୁହଁକୁ ଚାହିଁ ସ୍ଵଚ୍ଛନ୍ଦ ମନରେ ଉପରକୁ ଚାଲିଗଲା ।

 

ଡାକ୍ତରବାବୁ ଖଣ୍ଡେ ମହମବତୀ ଲଗାଇ ପକେଟରୁ କେତେଖଣ୍ଡ ଚିଠି ବାହାର କରି ତାର ଉତ୍ତର ଲେଖିବାକୁ ବସିଲେ । ଦଶମିନିଟ୍ ନୀରବରେ ଅପେକ୍ଷା କରି ଅପୂର୍ବ ବିରକ୍ତ ଓ ଉତ୍କଣ୍ଠ ହୋଇ ଉଠିଲା । ପଚାରିଲା–ଚିଠି ଗୁଡ଼ାକ କ’ଣ ଅତ୍ୟନ୍ତ ଜରୁରୀ ?

 

ଡାକ୍ତର ମୁହଁ ନ ଟେକି ଉତ୍ତର ଦେଲେ–ହଁ ।

 

ଅପୂର୍ବ କହିଲା–ସେ ଆଡ଼େ ଗୋଟାଏ କିଛି ବ୍ୟବସ୍ଥା କରିବା ତ କମ୍‌ ଜରୁରୀ ନୁହେଁ ? ଆପଣ କଣ ତା ବସାକୁ କାହାକୁ ପଠାଇବେ ନାହିଁ ?

 

ଡାକ୍ତର କହିଲେ–ଏତେ ରାତିରେ ? କାଲି ସକାଳ ପୂର୍ବରୁ ବୋଧହୁଏ ଲୋକ ମିଳିବେନି ।

 

ଅପୂର୍ବ କହିଲା–ତାହେଲେ ସେଥିପାଇଁ ଆପଣ ଆଉ ବ୍ୟସ୍ତ ହେବେନାହିଁ, ସକାଳୁ ମୁଁ ନିଜେ ଯାଇପାରିବି । ଭାରତୀକୁ ଆପଣ ମନା ନ କରିଥିଲେ ଆଜି ଆମେ ଯାଇପାରିଥାନ୍ତୁ ଓ ମୋର ମନେହୁଏ ସେଇଟା ବୋଧହୁଏ ଭଲ ହୋଇଥାନ୍ତା ।

 

ଡାକ୍ତରଙ୍କ ଚିଠିଲେଖାରେ ବାଧା ପଡ଼ିଲାନାହିଁ, ସେ ମୁହଁ ଟେକି ବି ଚାହିଁଲେନାହିଁ । ଖାଲି କହିଲେ–ଆବଶ୍ୟକ ନ ଥିଲା ।

 

ଅପୂର୍ବ ମନ ଭିତରର ଉଷ୍ମତାକୁ ଯଥେଷ୍ଟ ଚାପିରଖି କହିଲା–ଆବଶ୍ୟକତାର ଧାରଣା ଏ କ୍ଷେତ୍ରରେ ଆପଣଙ୍କର ଓ ମୋର ସମାନ ନୁହେଁ । ମୋର ସେ ବନ୍ଧୁ ।

 

ଭାରତୀ ଚା’ ସରଞ୍ଜାମ ନେଇ ତଳକୁ ଆସିଲା ଏବଂ ଦୁଇକପ୍‌ ଚା ତିଆରି କରି ପାଖରେ ବସିଲା । ଡାକ୍ତରଙ୍କ ଚିଠି ଲେଖା .ଏବଂ ଚା ଖାଇବା ଦୁଇକାମ ଏକାସାଙ୍ଗରେ ଚାଲିଲା । ଦୁଇ ତିନି ମିନିଟ୍‌ ନିଃଶବ୍ଦରେ କଟିଲା ପରେ ଭାରତୀ ଅଭିମାନରେ କହିଲା–ଆପଣ ସବୁବେଳେ ବ୍ୟସ୍ତ । ଦୁଇମିନିଟ୍‌ ଆପଣଙ୍କ ପାଖରେ ବସି କଥାବାର୍ତ୍ତା ହେବାପାଇଁ ବି ସମୟ ନାହିଁ ।

 

ଭାରତୀର ଏଇ ଅଭିମାନ ଡାକ୍ତରଙ୍କ କାନରେ ବାଜିଲା । ସେ ଚା’ କପରୁ ମୁହଁ ଉଠାଇ ହସି ହସି କହିଲେ–କଣ କରିବି କହ, ଏଇ ଦୁଇଟା ଟ୍ରେନ୍‌ରେ ମତେ ପୁଣି ବାହାରିଯିବାକୁ ହେବ ।

 

ଏ କଥା ଶୁଣି ଭାରତୀ ଆଶ୍ଚର୍ଯ୍ୟ ହେଲା ଏବଂ ବନ୍ଧୁ ସମ୍ପର୍କରେ ଅପୂର୍ବ ମନର ସନ୍ଦେହ ଘନୀଭୂତ ହୋଇଉଠିଲା । ଭାରତୀ ପଚାରିଲା–ଗୋଟାଏ ରାତି ପାଇଁ ବି ବିଶ୍ରାମ ନେବାକୁ ଆପଣ କଣ ସମୟ ପାଆନ୍ତିନାହିଁ ?

 

ଡାକ୍ତର ଚା ଶେଷକରି କହିଲେ–ମୋତେ କେବଳ ଗୋଟିଏ ଦିନ ଅବସର ମିଳିବ ଭାରତୀ, ସେ ଦିନ ଏ ପର୍ଯ୍ୟନ୍ତ ଆସିନାହିଁ ।

 

ଭାରତୀ ବୁଝି ନ ପାରି ପଚାରିଲା–ସେ ଦିନ କେବେ ଆସିବ ?

 

ଡାକ୍ତର ଏହାର ଉତ୍ତର ଦେଲେନାହିଁ ।

 

ଅପୂର୍ବ ମନରେ କେବଳ ସେଇ ଗୋଟାଏ କଥା ଗୋଳେଇ ଘାଣ୍ଟି ହେଉଥିଲା । ସେ କଥାର ଖିଅ ଧରି କହିଲା ସମିତିର ସଭ୍ୟ ନ ହୋଇ ରାମଦାସ ଯେ ଶାସ୍ତି ଭୋଗକଲା, ତା ଅସାଧାରଣ–

 

ଡାକ୍ତର କହିଲେ–ଶାସ୍ତି ହୁଏତ ନ ହୋଇପାରେ ।

 

ଅପୂର୍ବ କହିଲା–ନ ହେବ ତ ସେ ତାର ଭାଗ୍ୟ; କିନ୍ତୁ ଯଦି ହୁଏ ସବୁ ଅପରାଧ ମୋର । ମୁଁ ତାକୁ ଡାକି ଆଣିଥିଲି । ପ୍ରତ୍ୟୁତ୍ତରରେ ଡାକ୍ତର କେବଳ ମୁରୁକି ହସିଲେ ମାତ୍ର ।

 

ଅପୂର୍ବ କହିବାକୁ ଲାଗିଲା–ଦେଶପାଇଁ ଯେଉଁ ଲୋକ ଦୁଇବର୍ଷ ଜେଲ୍ ଖଟିଛି, ଅସଂଖ୍ୟ ବେତଦାଗ ଯା ପିଠିରୁ ଏପର୍ଯ୍ୟନ୍ତ ଲିଭିନି, ଏଇ ବିଦେଶରେ ସ୍ତ୍ରୀ କନ୍ୟା ଯାହାର ମୁହଁ ଚାହିଁ ବସିଛନ୍ତି, ତାର ଏତେ ବଡ଼ ସାହସ ଅସାମାନ୍ୟ । ଏହାର ତୁଳନା ନାହିଁ । ତାର ବନ୍ଧୁ ପ୍ରତି ଉଚ୍ଛ୍ଵସିତ ଏଇ ଅକୃତ୍ରିମ ପ୍ରଶଂସାବାକ୍ୟ ଭିତରେ ଗୋଟାଏ ଗୋପନ ଆଘାତ ଥିଲା, କିନ୍ତୁ ତା ସମ୍ପୂର୍ଣ୍ଣ ବ୍ୟର୍ଥ ହେଲା ।

 

ଡାକ୍ତର ଉଚ୍ଛ୍ଵସିତ କଣ୍ଠରେ କହିଲେ–ସେଥିରେ ଆଉ ସନ୍ଦେହ କଣ, ଅପୂର୍ବବାବୁ ? ପରାଧୀନତାର ଅଗ୍ନି ଯାହା ଛାତି ଭିତରେ ଦିନରାତି ଜଳୁଛି, ଏହାଛଡ଼ା ତା’ର ତ ଉପାୟ ନାହିଁ । ସାହେବ ଦୋକାନରେ ବଡ଼ ଚାକିରି ବା ଇନ୍‌ସିନ ବସାରେ ସ୍ତ୍ରୀ କନ୍ୟା-ପରିବାର କିଛି ତାକୁ ଅଟକାଇ ରଖିପାରିବ ନାହିଁ । ଏଇ ତାର ଏକମାତ୍ର ବାଟ ।

 

ଦୁଶ୍ଚିନ୍ତା ଓ ତୀବ୍ର ସଂଶୟ ଭିତରେ ଅପୂର୍ବର ବୁଦ୍ଧି ଓ ଜ୍ଞାନ ଆଚ୍ଛନ୍ନ ନ ଥିଲେ ସେ ଏତେବଡ଼ ଭୁଲ୍‌ କରିନଥାନ୍ତା । ଡାକ୍ତରଙ୍କ ଉକ୍ତିରେ ସେ ଥଟ୍ଟା ଆରୋପ କଣ୍ଠ ହଠାତ୍‍ କ୍ରୂଦ୍ଧ ହୋଇ ଉଠି କହିଲା–ଆପଣ ତା ମହତ୍ତ୍ଵ ଉପଲବଧି କରି ନ ଥାଇ ପାରନ୍ତି; କିନ୍ତୁ ସାହେବ ଦୋକାନରେ ଚାକିରି ତଲ୍‌ୱାର୍‌କାର ପରି ଲୋକକୁ ଛୋଟ କରି ଦେଇ ପାରେନା । ମତେ ଆପଣ ଯେତେ ଥଟ୍ଟା କରନ୍ତୁ, କିନ୍ତୁ ରାମଦାସ କୌଣସି ଗୁଣରେ ଆପଣଙ୍କଠାରୁ ଛୋଟ ନୁହେଁ ।

 

ଡାକ୍ତର ଆଶ୍ଚର୍ଯ୍ୟ ହୋଇ କହିଲେ–ମୁଁ ତ ସେକଥା ନିଶ୍ଚିତ ଭାବେ ଜାଣେ । ମୁଁ ତ ତାଙ୍କୁ ଥଟ୍ଟା କରିନି ।

 

ଅପୂର୍ବ କହିଲା–ନିଶ୍ଚୟ ଥଟ୍ଟା କରିଛନ୍ତି । ତାକୁ ଓ ମତେ ଆପଣ ଥଟ୍ଟା କରିଛନ୍ତି । ମୁଁ ଜାଣେ ଜନ୍ମଭୂମି ତାର ପ୍ରାଣ ଅପେକ୍ଷା ପ୍ରିୟ । ସେ ନିର୍ଭୀକ, ସେ ବୀର । ଆପଣଙ୍କ ପରି ସେ ଲୁଚି ଲୁଚି ବୁଲେନା । ଆପଣଙ୍କ ପରି ପୁଲିସ ଭୟରେ ଛୋଟେଇ ଛୋଟେଇ ଚାଲେନା । ଆପଣତ ଭୀରୁ !

 

ପ୍ରଚଣ୍ଡ ବିସ୍ମୟରେ ଭାରତୀ ଅବାକ୍‌ ହୋଇ ଯାଇଥିଲା । ସେ ଆଉ ସହି ନ ପାରି ତୃପ୍ତ କଣ୍ଠରେ କହିଲା–“ଆପଣ କାହାକୁ କଣ କହୁଛନ୍ତି, ଅପୂର୍ବବାବୁ ? ହଠାତ୍‌ ପାଗଳ ହୋଇଗଲେ କି-?

 

ଅପୂର୍ବ କହିଲା–ନା ପାଗଳ ହୋଇନି । ଏ ଯେ ହୁଅନ୍ତୁ, ରାମଦାସ ତଲୱାରକାର୍‌ର ପଦଧୂଳିର ଯୋଗ୍ୟ ନୁହନ୍ତି, ଏ କଥା ମୁଁ ମୁକ୍ତ କଣ୍ଠରେ କହିବି । ତାର ତେଜ, ତାର ବାଗ୍ମିତା, ତାର ନିର୍ଭୀକତାକୁ ଏ ମନେ ମନେ ଈର୍ଷା କରନ୍ତି । ତେଣୁ ତମକୁ ଯିବାକୁ ଦେଲେନାହିଁ, ମତେ କୌଶଳରେ ଅଟକାଇ ରଖିଲେ ।

 

ଭାରତୀ ଉଠି ଠିଆହେଲା । ନିଜକୁ ଅପରିସୀମ ଚେଷ୍ଟାରେ ସଂଯତ କରି ସେ ସହଜ କଣ୍ଠରେ କହିଲା–ଆପଣଙ୍କୁ ମୁଁ ଅପମାନିତ କରିବି ନାହିଁ ଅପୂର୍ବବାବୁ; କିନ୍ତୁ ଆପଣ ବର୍ତ୍ତମାନ ଏଠାରୁ ଚାଲିଯାଅନ୍ତୁ । ଆପଣଙ୍କୁ ଆମେ ଭୁଲ ବୁଝିଥିଲୁ । ଭୟରେ ଯାହାର ହିତାହିତ ଜ୍ଞାନ ରହେନା, ସେ ଉନ୍ମାଦ ପାଇଁ ଏଠାରେ ସ୍ଥାନ ନାହିଁ । ଆପଣଙ୍କ କଥା ସତ୍ୟ, ‘ଚଲାପଥର ଦାବୀ’ ଅନୁଷ୍ଠାନରେ ଆପଣଙ୍କର ସ୍ଥାନ ନାହିଁ । ଏହାପରେ କୌଣସି ଛଳନା କ୍ରମେ ଏ ବସାରେ ପାଦ ଦେବାପାଇଁ ଚେଷ୍ଟା କରିବେନାହିଁ ।

 

ଅପୂର୍ବ ନିରୁତ୍ତର ହୋଇ ଠିଆହେବାର ଦେଖି ଡାକ୍ତର ତାର ହାତ ଧରି ପକାଇ କହିଲେ–ଆଉ ଟିକିଏ ବସନ୍ତୁ ଅପୂର୍ବବାବୁ, ଏ ଅନ୍ଧାରରେ ଏକୁଟିଆ ଯିବେନି । ମୁଁ ଷ୍ଟେସନକୁ ଯିବା ବାଟରେ ଆପଣଙ୍କୁ ବସାରେ ପହଞ୍ଚେଇ ଦେଇ ଯିବି ।

 

ଅପୂର୍ବର ଚେତା ଫେରିଆସିଲା, ସେ ଅଧୋମୁଖରେ ସେଇଠି ବସିରହିଲା ।

 

ଡାକ୍ତର ଭୁକ୍ତାବଶିଷ୍ଟ ବିସ୍କୁଟଖଣ୍ଡମାନ ପକେଟରେ ପୂରାଉଥିବାର ଦେଖି ଭାରତୀ ପଚାରିଲା–ଏ କଣ ହେଉଛି ?

 

ରସିଦ ସଂଗ୍ରହ କରୁଛି ।

 

ସତରେ ଆଜି ରାତିରେ ଯିବେ ?

 

ନ ହେଲେ କଣ ମିଛରେ ଅପୂର୍ବବାବୁଙ୍କୁ ଅଟକାଇ ରଖିଲି ? ସମସ୍ତେ ମିଶି ଏମିତି ଅବିଶ୍ଵାସ କଲେ ମୁଁ ବଞ୍ଚିବି କେମିତି ?

 

ଭାରତୀ ଅଭିମାନ କରି କହିଲା–ନା, ଆଜି ଆପଣଙ୍କର ଯିବା ହେବନି; ଆପଣ ବଡ଼ କ୍ଳାନ୍ତ । ତା’ ଛଡ଼ା ସୁମିତ୍ରା ଦିଦି ଅସୁସ୍ଥ । ଆପଣ ତ କେବଳ କେଉଁଆଡ଼େ ଚାଲି ଯାଉଛନ୍ତି, କୌଣସି ଗୋଟାଏ କଥା ଶୁଣିପାରୁନି, କୌଣସି ଉପଦେଶ ନେଇ ପାରୁନି । ଏ ଅନୁଷ୍ଠାନ ମୁଁ ଏକୁଟିଆ କେମିତି ଚଳାଇବି କହନ୍ତୁ ତ ? ତାହେଲେ ମୁଁ ଯୁଆଡ଼େ ଇଚ୍ଛା ସିଆଡ଼େ ଚାଲିଯିବି ।

 

ଲେଖିଥିବା ଚିଠିଗୁଡ଼ିକ ତା ହାତରେ ଦେଇ ଡାକ୍ତର ହସି ହସି କହିଲେ–ଖଣ୍ଡେ ତମର, ଖଣ୍ଡେ ସୁମିତ୍ରାର ଏବଂ ଆଉ ଖଣ୍ଡେ ତମ ଅନୁଷ୍ଠାନ ପାଇଁ । ମୋର ଉପଦେଶ କହ ବା ଆଦେଶ କହ, ସବୁ ଏଇ ଭିତରେ ଅଛି ।

 

ଚିଠିଗୁଡ଼ିକ ହାତରେ ଧରି ଭାରତୀ ମୁହଁ ଶୁଖାଇ କହିଲା–ଏଥର କଣ ଆପଣ ବେଶି ଦିନ ପାଇଁ ଯାଉଛନ୍ତି ?

 

‘ଦେବା ନ ଜାନନ୍ତି’ କହି ଡାକ୍ତର ହସିଲେ ।

 

ଭାରତୀ କହିଲା–ମୁସ୍କିଲ୍‌ ଏଇ ଯେ ଆପଣଙ୍କ ମନର କଥା ମୁହଁ ଦେଖି ବା କଥାବାର୍ତ୍ତାରୁ ଜାଣିବାର ଉପାୟ ନାହିଁ । ଠିକ୍‌କରି କହନ୍ତୁ–କେବେ ଫେରିବେ ?

 

କହିଲି ପରା, ‘ଦେବା ନ ଜାନନ୍ତି’–

 

ନା, ସେ କଥା ହେବନି, ଠିକ୍‌କରି କୁହନ୍ତୁ ନା, କେବେ ଫେରିବେ ।

 

କାହିଁକି । ଏତେ ଜରୁରୀ କଣପାଇଁ ?

 

ଭାରତୀ କହିଲା–କେଜାଣି, ମତେ କାହିଁକି ଖୁବ୍‌ ଭୟ ଭୟ ଲାଗୁଛି । ମନେହେଉଛି ସବୁ ଯେମିତି ଭାଙ୍ଗି ଛିନ୍ନଚ୍ଛତ୍ର ହୋଇଯିବ । କହୁ କହୁ ତା ଆଖି ସଜଳ ହୋଇଉଠିଲା ।

 

ତା ମୁଣ୍ଡରେ ହାତ ବୁଲାଉ ବୁଲାଉ ଡାକ୍ତର କହିଲେ–କିଛି ହେବନି, ସବୁ ଠିକ୍‌ ହୋଇଯିବ । କହି ହଠାତ୍‌ ହସିପକାଇ କହିଲେ–କିନ୍ତୁ ଏଇ ଲୋକଟି ସଙ୍ଗେ ତୁଚ୍ଛା କଥାରେ ଝଗଡ଼ା କଲେ ପ୍ରକୃତରେ କାନ୍ଦିବାକୁ ହେବ । ଅପୂର୍ବବାବୁ ରାଗିଯାଆନ୍ତି; କିନ୍ତୁ ଯାହାକୁ ଭଲ ପାଆନ୍ତି, ତାକୁ ଭଲ ପାଇବା ଭଳି । ମନୁଷ୍ୟ ଭିତରେ ଯେଉଁ ହୃଦୟ ଜିନିଷଟି ଅଛି, ତାଙ୍କର ସେ ଜନିଷଟି ଆମ ସଂସର୍ଗରେ ଆସି ଶୁଖିଯାଇନି–ଫୁଟନ୍ତା ପଦ୍ମଭଳି ତାଜା ଅଛି ।

 

ଭାରତୀ କଣ ଗୋଟାଏ କହିବାକୁ ଯାଉଥିଲା; କିନ୍ତୁ ଅପୂର୍ବ ହଠାତ୍‌ ମୁଣ୍ଡ ଟେକି ଚାହିଁବାରୁ ତା ମୁହଁକୁ ଚାହିଁ ତା କଥା ଅଟକିଗଲା ।

 

ଏଇ ସମୟରେ ଦ୍ଵାର ପାଖରେ ଆସି ଗୋଟାଏ ଘୋଡ଼ାଗାଡ଼ି ଅଟକିଲା ଓ ଅଳ୍ପକାଳ ମଧ୍ୟରେ ଦୁଇଜଣ ଲୋକ ଘର ଭିତରେ ପ୍ରବେଶ କଲେ । ଜଣଙ୍କର ଦେହରେ ପୁରା ସାହେବୀ ପୋଷାକ–ଡାକ୍ତରଙ୍କ ଛଡ଼ା ଅନ୍ୟମାନଙ୍କ ପାଖରେ ଅପରିଚିତ । ଆଉ ଜଣେ ରାମଦାସ ତଲୱାରକାର । ଅପୂର୍ବର ମୁହଁ ଉଜ୍ଜ୍ୱଳ ହୋଇଉଠିଲା, କିନ୍ତୁ ସେ ବନ୍ଧୁକୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା କରିପାରିଲାନାହିଁ । ରାମଦାସ ଆଗେଇଯାଇ ଡାକ୍ତରବାବୁଙ୍କ ପାଦଧୂଳି ମୁଣ୍ଡରେ ଲଗାଇଲା । ଅପୂର୍ବକୁ ଏ କଥା ଅଦ୍ଭୁତ ମନେହେଲା । ସେ କେବଳ ଡାକ୍ତରଙ୍କ ମୁହଁକୁ ଚାହିଁ ନୀରବରେ ବସିରହିଲା ।

 

ସାହେବ ପୋଷାକ ପିନ୍ଧା ଲୋକଟି ଇଂରାଜୀରେ କହିଲେ–ଜାମିନ୍‌ପାଇଁ ଏତେ ଡେରିହେଲା; ଗଭର୍ଣ୍ଣମେଣ୍ଟ ବୋଧହୁଏ ମକଦ୍ଦମା ଚଳାଇବ ନାହିଁ ।

 

ଡାକ୍ତର ଉତ୍ତର ଦେଲେ–ତା ମାନେ ଗଭର୍ଣ୍ଣମେଣ୍ଟ୍‌କୁ ଆଜି ବି ତୁମେ ଚିହ୍ନିପାରିନା, କୃଷ୍ଣ ଆୟାର !

 

ଏଇ କଥାରେ ରାମଦାସ ହସି ହସି ଯୋଗଦେଇ ପଚାରିଲା–ପଡ଼ିଆଠାରୁ ଥାନା ପର୍ଯ୍ୟନ୍ତ ସବୁବେଳେ ଆପଣଙ୍କୁ ଦେଖିଥିଲି; କିନ୍ତୁ କେତେବେଳେ ସେ ହଠାତ୍‌ ଅନ୍ତର୍ହିତ ହୋଇଗଲେ ଜାଣିପାରିଲି ନାହିଁ ।

 

ଡାକ୍ତର ହସି ହସି କହିଲେ–ଅନ୍ତର୍ଦ୍ଧାନର ଗଭୀର କାରଣ ଅଛି ରାମଦାସ ବାବୁ ! ଏପରି କି ରାତାରାତି ଏଠାରୁ ଅନ୍ତର୍ହିତ ହେବାକୁ ପଡ଼ୁଛି ।

 

ରାମଦାସ କହିଲା–ସେଦିନ ରେଲଓୟେ ଷ୍ଟେସନରେ ଆପଣଙ୍କୁ ଚିହ୍ନି ପାରିଥିଲି !

 

ଡାକ୍ତର କହିଲେ–ଜାଣିଛି; କିନ୍ତୁ ସିଧା ବସାକୁ ନ ଯାଇ ଏଠିକି କାହିଁକି ?

 

ରାମଦାସ କହିଲା–“ଆପଣଙ୍କୁ ସାକ୍ଷାତ କରିବାପାଇଁ ।” ପୁନାର ସେଣ୍ଟ୍ରାଲ୍‌ଜେଲ୍‌ରେ ମୁଁ ଯାଇ ପହଞ୍ଚିବା ପରେ ତ ଆପଣ ଏହି ଚାଲିଗଲେ । ସେତେବେଳେ ସୁଯୋଗ ପାଇନି । ନୀଳକାନ୍ତ ଯୋଷୀଙ୍କର କଣ ହେଲା ଜାଣନ୍ତି ? ସେ ତ ଆପଣଙ୍କ ସଙ୍ଗେ ଥିଲେ ।

 

ଡାକ୍ତର କହିଲେ–ହଁ । ବ୍ୟାରାକ୍‌ ପାଚିରି ଡେଇଁ ନ ପାରି ଧରାପଡ଼ି ସିଙ୍ଗାପୁରରେ ତାର ଫାଶୀ ହେଲା ।

 

ଅପୂର୍ବକୁ ଏସବୁ ଅତ୍ୟଭୁତ ଅଚିନ୍ତନୀୟ ଦୁଃସ୍ଵପ୍ନ ଭଳି ମନେ ହେଉଥିଲା । ସେ ଆଉ ରହି ନ ପାରି ଅକସ୍ମାତ୍‌ ପଚାରିଲା–ଡାକ୍ତରବାବୁ, ଆପଣଙ୍କର କ’ଣ ତା’ ହେଲେ ଫାଶୀ ହୋଇଥାନ୍ତା ?

 

ଡାକ୍ତର ତା ମୁହଁକୁ ଚାହିଁ ସାମାନ୍ୟ ହସିଲେ ମାତ୍ର । ଏଇ ହସ ଦେଖି ଅପୂର୍ବର ଦେହ ସାରା ଥରିବାକୁ ଲାଗିଲା ।

 

ଡାକ୍ତର କହିଲେ–ଥରେ ଏଇ ସିଙ୍ଗାପୁରରେ ମତେ ତିନିବର୍ଷ ଅଟକି ରହିବାକୁ ପଡ଼ିଥିଲା-। କର୍ତ୍ତୃପକ୍ଷ ମୋତେ ଚିହ୍ନନ୍ତି । ତେଣୁ ସିଧା ରାସ୍ତାକୁ ଛାଡ଼ି ବ୍ୟାଂକକ୍‌ ବାଟେ ପାହାଡ଼ ଡେଇଁ ଟେଭୟେରେ ଆସି ପହଞ୍ଚିଲେ । କପାଳ ଜୋର–ହଠାତ୍‍ ଭଗବାନ ବଣ ଭିତରେ ଗୋଟାଏ ହାତୀଛୁଆ ଯୋଗାଡ଼ କରିଦେଲେ । ସେଇଟା ସାଙ୍ଗରେ ଥିବାରୁ ଅନେକ ସୁବିଧା ହେଲା । ଶେଷରେ ହାତୀଛୁଆ ବିକ୍ରି କରି, ଦେଶୀ ଜାହାଜରେ ନଡ଼ିଆ ଚାଲାନ୍‌ କରି ନିଜକୁ ଚାଲାନ୍‌ ଦେଇ ତିନିମାସ ଭିତରେ ଅସି ଆରାକାନ୍‌ରେ ପହଞ୍ଚିଲି । ଏଠି ବେଶ୍‌ ଚଳୁଥିଲା ରାମଦାସ, ହଠାତ୍‌ ଆଜି ଥାନାରେ ଏକ ପରମବନ୍ଧୁଙ୍କ ସହ ମୁହାଁମୁହିଁ ସାକ୍ଷାତ୍‌ ହେଲା । ତାଙ୍କ ନାଁ ଭି. ଏ. ଚେଲିଆ । ମତେ ଖୁବ୍‌ ଶ୍ରଦ୍ଧା କରନ୍ତି । ବହୁଦିନ ଖୋଜି ଖୋଜି ସିଙ୍ଗାପୁରରୁ ସିଧା ଆସି ବର୍ମ୍ମାରେ ପହଞ୍ଚି ଯାଇଛନ୍ତି । କୁଆଡ଼ୁ କେମିତି ଖବର ପାଇଛନ୍ତି ବୋଧହୁଏ । ତେବେ ଆଜି ଭିଡ଼ ଭିତରେ ଅଧିକ ନଜର ଦେଇପାରି ନାହାନ୍ତି, ନ ହେଲେ ପୈତୃକ ଗଳାଟାର–ଏହା କହି ସେ ହାଃ ହାଃ କରି ହସି ଉଠୁଥିଲେ-। ହଠାତ୍‌ ଅପୂର୍ବ ମୁହଁକୁ ଚାହିଁ ଚମକି ଉଠି କହିଲେ–ଏ କଣ ଅପୂର୍ବ ବାବୁ ? ଆପଣଙ୍କର କଣ ହେଲା ?

 

ଅପୂର୍ବ ଓଠକୁ ଦାନ୍ତରେ କାମୁଡ଼ି ନିଜକୁ ସମ୍ଭାଳି ନେବାକୁ ଚେଷ୍ଟା କରୁଥିଲା । ଡାକ୍ତରଙ୍କ କଥା ଶେଷ ହେଉ ନ ହେଉଣୁ ଦୁଇ ହାତରେ ମୁହଁ ଘୋଡ଼ାଇ ଘର ଭିତରୁ ଛୁଟି ପଳାଇଗଲା ।

 

ସତର

 

ଅପୂର୍ବର ଏଭଳି ବାହାରିଯିବାଟା ସମସ୍ତଙ୍କୁ ବିସ୍ମିତ କଲା । ଘରେ ଯଥେଷ୍ଟ ଆଲୁଅ ନ ଥିଲା, ତାର ଅସ୍ଵାଭାବିକ ମୁଖଭଙ୍ଗୀ ଓ ଅଶ୍ରୁରୁଦ୍ଧ କଣ୍ଠସ୍ଵର ଖୁବ୍‌ ବେଖାପ ଜଣାଗଲା । ବାରିଷ୍ଟର କୃଷ୍ଣ ଆୟାର କିଛି ସମୟ ନୀରବ ରହି ପଚାରିଲେ–ଏ କିଏ ଡାକ୍ତର ? ଅତ୍ୟନ୍ତ ସେଣ୍ଟିମେଣ୍ଟାଲ । ତାର କଥାରେ ଯେପରି ଅଭିଯୋଗର ସ୍ପଷ୍ଟ ଚିହ୍ନ । ଅର୍ଥାତ୍‌ ଏଭଳି ଲୋକ ଏଠି କାହିଁକି ?

 

ଡାକ୍ତର ଟିକିଏ ହସିଲେ କେବଳ, କିନ୍ତୁ ଏ ପ୍ରଶ୍ନର ଉତ୍ତର ଦେଲା ତଲୱାରକାର କହିଲା–“ସେ ମିଷ୍ଟର୍‌ହାଲ୍‌ଦାର–ଅପୂର୍ବ ହାଲ୍‌ଦାର । ଆମେ ଏକା ଅଫିସରେ କାମ କରୁ, ସେ ମୋର ପରିଚୟ ଅଫିସର ।” ଟିକିଏ ଅଟକି କହିଲା–କିନ୍ତୁ ମୋର ଅନ୍ତରଙ୍ଗ ବନ୍ଧୁ । ସେଣ୍ଟି ମେଣ୍ଟାଲ-? ଇୟେସ–ଡାକ୍ତର ବାବୁ ! ଆପଣ ବୋଧହୁଏ ତାଙ୍କର ରେଙ୍ଗୁନର ପ୍ରଥମ ଅଭିଜ୍ଞତା ଶୁଣିନାହାନ୍ତି-? ସେ ଗୋଟାଏ–ହଠାତ୍‌ ଭାରତୀ ମୁହଁକୁ ଚାହିଁ ସେ ଅଟକିଗଲା, କହିଲା–ସେ ଯାହା ହଉ, ପ୍ରଥମ ପରିଚୟ ଦିନରୁ ଆମେ ବନ୍ଧୁ ପରମବନ୍ଧୁ ।

 

ତଲୱାର୍‌କାରର ବ୍ୟଗ୍ରତା ଓ ବିଶେଷ କରି ‘ପରମବନ୍ଧୁ’ ଶବ୍ଦଟାର ପୁନଃ ପୁନଃ ପ୍ରୟୋଗରେ ବାରିଷ୍ଟର ଆୟାର ଆଉ ବେଶି ଆଗେଇଲେ ନାହିଁ; କିନ୍ତୁ ତାଙ୍କ ମୁହଁର ଚେହେରା ଅପ୍ରସନ୍ନ ଓ ସନ୍ଦିଗ୍‌ଧ ହୋଇ ଉଠିଲା ।

 

ଡାକ୍ତର କହିଲେ–ସେଣ୍ଟିମେଣ୍ଟ୍‌ ଜିନିଷଟା ନିଛକ ମନ୍ଦ ନୁହେଁ କୃଷ୍ଣ ଆୟାର ଏବଂ ସମସ୍ତେ ତମ ପରି ଟାଣ ପଥର ନ ହେଲେ ଚଳିବନି, ଏ କଥା ବି ନୁହେଁ ।

 

କୃଷ୍ଣ ଆୟାର ଖୁସିହୋଇ ପାରିଲେନାହିଁ । କହିଲେ–ମୁଁ ସେ କଥା କହୁନି; କିନ୍ତୁ ଏ କଥାଟା ବୋଧହୁଏ ଭୁଲ୍‌ନୁହେଁ ଡାକ୍ତର ଯେ ଏ ଘର ଛଡ଼ା ଘୂରିବୁଲିବା ପାଇଁ ଯଥେଷ୍ଟ ପ୍ରଶସ୍ତ ଜାଗା ତାଙ୍କପାଇଁ ପୃଥିବୀରେ ଅଛି ।

 

ତଲ୍‌ୱାର୍‌କାର ମନେ ମନେ କ୍ରୂଦ୍ଧ ହେଲା । ଯାହାକୁ ସେ ପରମବନ୍ଧୁ ବୋଲି ବାରମ୍ବାର ଅଭିହିତ କରିଛି, ତାକୁ ତା ସାମନାରେ ଅବାଞ୍ଛିତ ପ୍ରତିପାଦିତ କରିବାରେ ସେ ନିଜକୁ ଅପମାନିତ ମନେ କଲା । ସେ କହିଲା–ମିଷ୍ଟର ଆୟାର୍‌, ଅପୂର୍ବବାବୁଙ୍କୁ ମୁଁ ଜାଣେ । ଆମର ମନ୍ତ୍ରରେ ଦୀକ୍ଷା ତାଙ୍କର ବେଶିଦିନ ନ ହେଲେ ବି ବନ୍ଧୁର ଅନପେକ୍ଷିତ ମୁକ୍ତିରେ ବିଚଳିତ ହୋଇପଡ଼ିବା ବୋଧହୁଏ ମାରାତ୍ମକ ଅପରାଧ ନୁହେଁ । ସଂସାରରେ ଘୂରିବୁଲିବାପାଇଁ ଅପୂର୍ବ ବାବୁଙ୍କର ଯଥେଷ୍ଟ ଜାଗା ଅଛି ଓ ଆଶାକରେ ଏ ଘରେ ତାଙ୍କପାଇଁ କୌଣସି ଦିନ ସ୍ଥାନର ଅଭାବ ହେବନାହିଁ ।

 

କୃଷ୍ଣ ଆୟାର ସଭା ଭିତରେ ଠିଆହୋଇ ଅପୂର୍ବକୁ ଆଗରୁ ଲକ୍ଷ୍ୟ କରିଥିଲେ– ସେ ଚୁପ୍‌ହୋଇ ରହିଲେ; କିନ୍ତୁ ଡାକ୍ତର ଶାନ୍ତ କଣ୍ଠରେ କହିଲେ, ନିଶ୍ଚୟ ହେବନାହିଁ, ତଲୱାର୍‌କାର ।” ଏହା କହି ସେ ସମସ୍ତଙ୍କ ପ୍ରତି ଥରେ ଆଖି ବୁଲାଇ ନେଇ ଭାରତୀକୁ ବିଶେଷଭାବେ ଲକ୍ଷ୍ୟକରି ଗମ୍ଭୀର ସ୍ଵରରେ କହିଲେ–ଏଇ ବନ୍ଧୁତ୍ଵ ଜିନିଷଟି କେତେ କ୍ଷଣଭଙ୍ଗୁର ଭାରତୀ ! ଗୋଟାଏ ଦିନ ଯାହା କଥା ମନେ ନ କରି ଯାଏନା, ହୁଏତ କେଡ଼େ ଛୋଟ ଘଟଣାରେ ତା ସହ ଚିର ବିଚ୍ଛେଦ ହୋଇଯାଏ । ସେଟା ତ ଦୁନିଆରେ ଅସ୍ଵାଭାବିକ ନୁହେଁ ତଲୱାର୍‌କାର । ତା ପାଇଁ ବି ପ୍ରସ୍ତୁତ ଥିବା ଭଲ । ମଣିଷ ବଡ଼ ଦୁର୍ବଳ, କୃଷ୍ଣ ଆୟାର–ସେତେବେଳେ ଏଇ ସେଣ୍ଟି ମେଣ୍ଟ ଧକ୍‌କା ସମ୍ଭାଳିବା ପାଇଁ ଦରକାର ହୁଏ ।

 

ଏ ସମସ୍ତ କଥାର ଉତ୍ତର ଦେବାପାଇଁ କିଛିନାହିଁ, ପ୍ରତିବାଦ ବି କରିହେବନି । ଉଭୟେ ମୌନ ରହିଲେ; କିନ୍ତୁ ଭାରତୀର ମୁହଁ ଶୁଖିଗଲ । ଡାକ୍ତରଙ୍କ ପ୍ରତି ତାର ଅବିଚଳିତ ଓ ଅସୀମ ଶ୍ରଦ୍ଧା–ଅହେତୁକ ଗୋଟିଏ ବାକ୍ୟ ବି ଉଚ୍ଚାରଣ କରିବା ତାଙ୍କର ସ୍ଵଭାବ ନୁହେଁ । ଏ ସତ୍ୟ ଭାରତୀ ଭଲଭାବେ ଜାଣେ । କାହାକୁ ଇଙ୍ଗିତ କରି ସେ ଏ କଥା କହିଲେ, ତାର ତାତ୍ପର୍ଯ୍ୟ ଧରି ନ ପାରି ତା ମନ ଉଦ୍‌ବେଗ ଓ ଆଶଙ୍କାରେ ଭରିଗଲା ।

 

ଡାକ୍ତର କାନ୍ଥ ଘଣ୍ଟାକୁ ଚାହିଁ କହିଲେ–“ମୋର ତ ଯିବାବେଳ ହୋଇଗଲା ଭାରତୀ । ଆଜି ରାତି ଗାଡ଼ିରେ ମୁଁ ଯାଉଛି ତଲୱାର୍‌କାର ।”

 

କେଉଁଠିକୁ ଓ କାହିଁକି, ନିଜେ ନ କହିଲେ, ଏଭଳି ଅହେତୁକ କୌତୁହଳ ପ୍ରକାଶ କରିବା ଏମାନଙ୍କର ରୀତି ନୁହେଁ । ଡାକ୍ତରଙ୍କ ମୁହଁକୁ ମୁହର୍ତ୍ତକ ପାଇଁ ଚାହିଁ ରାମଦାସ ପଚାରିଲା–ମୋ ପ୍ରତି ଆପଣଙ୍କର କଣ ଆଦେଶ ?

 

ଡାକ୍ତର ହସି କହିଲେ–ଆଦେଶ ନିଶ୍ଚୟ । ଗୋଟାଏ କଥା–ବର୍ମ୍ମାରେ ଅସୁବିଧା ହେଲେ ନିଜ ଦେଶକୁ ତ ଫେରିଯିବାକୁ ହେବ–ଶ୍ରମିକ ସମସ୍ୟା ପ୍ରତି ଟିକିଏ ଦୃଷ୍ଟି ରଖିବ ।

 

ତଲ୍‌ୱାର୍‌କାର ସମ୍ମତି ଜଣାଇ କହିଲା–“ଆଚ୍ଛା ପୁଣି କେବେ ଦେଖା ହେବ ?”

 

ଡାକ୍ତର କହିଲେ–“ତମେ ନୀଳକାନ୍ତ ଯୋଷୀର ଶିଷ୍ୟ, ପ୍ରଶ୍ନ କାହିଁକି ?”

 

ତଲୱାର୍‌କାର ଚୁପ୍‌ ରହିଲେ । ଡାକ୍ତର ପୁଣି କହିଲେ–ଆଉ ଡେରି କରନା, ଯାଅ ! ବସାରେ ପହଞ୍ଚୁ ପହଞ୍ଚୁ ବୋଧହୁଏ ସକାଳ ହୋଇଯିବ । ପ୍ରାକ୍‌ଟିସ୍‌ ତାହାହେଲେ ଏଇଠି ଠିକ୍‌ କଲ, କୃଷ୍ଣ ଆୟାର୍‌ ?

 

କୃଷ୍ଣ ଆୟାର୍‌ ସମ୍ମତି ଜଣାଇଲେ । ଭଡ଼ା ଗାଡ଼ି ବାହାରେ ଅପେକ୍ଷା କରିଥିଲା । ଦୁଇଜଣ ବାହାରି ଗଲାବେଳକୁ ତଲଓ୍ୱାର୍‌କାର କହିଲା–ଅନ୍ଧାରରେ ଅପୂର୍ବବାବୁ କୁଆଡ଼େ ଚାଲିଗଲେ, ଦେଖି ହେଲାନାହିଁ; କିନ୍ତୁ କେହି ଏ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ ବୋଲି ମନେ କଲେନି । କିଛି ସମୟ ପରେ ବାହାରେ ଗାଡ଼ି ଶବ୍ଦରୁ ଜଣାଗଲା ଯେ ସେମାନେ ଚାଲିଗଲେ ।

 

ଡାକ୍ତର କହିଲେ–ତମର କଣ ମନେହୁଏ ଭାରତୀ, ଅପୂର୍ବ ବସାକୁ ଚାଲିଯାଇଛି ?

 

ଭାରତୀ କହିଲା–ନା, ବୋଧହୁଏ ଏଇଠି ପାଖରେ କେଉଁଠି ଅଛନ୍ତି । ଟିକିଏ ଖୋଜି ଦେଖିଲେ ଜଣାପଡ଼ିବ । ଆପଣଙ୍କ ସଙ୍ଗେ ଆଉଥରେ ଦେଖା ନ କରି ସେ ନିଶ୍ଚୟ ଚାଲିଯିବେ ନାହିଁ-

 

ଡାକ୍ତର କହିଲେ–ତା ହେଲେ ଦଶ ପନ୍ଦର ମିନିଟ୍‌ରେ ସେ ଏ କାମଟା ସାରିନେବା ଉଚିତ । ତା’ ଠାରୁ ବେଶି ସମୟ ମୁଁ ତ ଆଉ ଦେଇପାରିବି ନାହିଁ ।

 

“ନା ଏଇ ଭିତରେ ସେ ଆସିଯିବେ”–ଭାରତୀ ଏଇ କଥା କହି ଖାଲି ଡାକ୍ତରଙ୍କୁ ନୁହେଁ, ନିଜକୁ ବି ଭରସା ଦେଲା । ଏକାକୀ ଏ ଅନ୍ଧକାରଭିତରେ ଅପୂର୍ବ କେବେ ଯିବନାହିଁ, ଅତଏବ ନିଶ୍ଚୟ ଏଇ ପାଖରେ କେଉଁଠି ଅଛି–ଏ ବିଷୟରେ ସେ ନିଃସନ୍ଦେହ । ତାପରେ ଏଇ ଭକ୍ତି ଓ ଶ୍ରଦ୍ଧାଭାଜନ ଅତିଥିମାନଙ୍କ ବିଦାୟ ପୂର୍ବରୁ ତାଙ୍କଠାରୁ ଅପୂର୍ବର ସର୍ବାନ୍ତଃକରଣରେ କ୍ଷମା ମାରିନେବା ଉଚିତ ଏ କଥା ବି ତାର ଧାରଣା ଥିଲା ନାନା ଦିଗରୁ ନାନା କାରଣବଶତଃ ଅପୂର୍ବ ଆଜି ବହୁ ଅପରାଧ କରିଛି, ସମୟ ଥାଉ ଥାଉ ସେଗୁଡ଼ିକର କ୍ଷାଳନ ନ କରି ଭାରତୀ ବଞ୍ଚିବ କେମିତି ? କିନ୍ତୁ ସେଇ ସମୟ ଶେଷ ହେବାକୁ ବସିଲା, ଅପୂର୍ବର ଦେଖାନାହିଁ । ଭାରତୀ ବାରମ୍ବାର ଅନ୍ଧାରୁଆ ଦ୍ଵାରଆଡ଼କୁ ଚାହିଁଥିଲା ଏବଂ ଉତ୍କର୍ଣ୍ଣ ହୋଇ ପରିଚିତ ପଦଶବ୍ଦ ପ୍ରତୀକ୍ଷାରେ ଅଧୀର ହୋଇପଡ଼ିଲା । ବୋଧହୁଏ ସେ ଏଇ ପାଖରେ କେଉଁଠି ଅଛି, ଇଚ୍ଛାହେଲା ଦୌଡ଼ିଯାଇ ଖୋଜି ଆଣିବାକୁ; କିନ୍ତୁ ଏପରି ବ୍ୟାକୁଳତା ପ୍ରକାଶ କରିବାକୁ ଭାକୁ ଅତ୍ୟନ୍ତ ଲଜ୍ଜା ଲାଗିଲା । ଡାକ୍ତର ତାଙ୍କ ବ୍ୟାଗ୍‌କୁ ଚାହିଁ କିଛି ସମୟ ପରେ ହାଇମାରି ଉଠି ଠିଆହେଲେ । ଭାରତୀ କାନ୍ଥର ଘଡ଼ିକୁ ଚାହିଁ ଦେଖିଲା– ଆଉ ପାଞ୍ଚ ଛ’ ମିନିଟ୍‌ରୁ ବେଶି ସମୟ ନାହିଁ । କହିଲା–ଆପଣ କଣ ଚାଲି ଚାଲି ଯିବେ-?

 

ଡାକ୍ତର ମୁଣ୍ଡ ହଲାଇ କହିଲେ–ନା । ଦୁଇଟା କୋଡ଼ିଏ ମିନିଟ୍‌ରେ ଗୋଟାଏ ଘୋଡ଼ାଗାଡ଼ି ଖୁବ୍‌ସମ୍ଭବ ରୋଡ୍‌ଉପରେ ଯିବ, ପଇସା ଛ’ଣା ଦେଲେ ଷ୍ଟେସନରେ ପହଞ୍ଚାଇ ଦେବ-

 

ଭାରତୀ କହିଲା–ପଇସା ନ ଦେଲେ ବି ଯିବ; କିନ୍ତୁ ଯିବା ପୁର୍ବରୁ ଟିକିଏ ସୁମିତ୍ରା ଦିଦିଙ୍କୁ ଦେଖାକରି ଯିବେନି ? ସେ ସତରେ ପୀଡିତ ।

 

‘ଡାକ୍ତର କହିଲେ ମୁଁ ତ କହିନି ସେ ଅସୁସ୍ଥ ନୁହନ୍ତି; କିନ୍ତୁ ଡାକ୍ତର ନ ଦେଖାଇଲେ ରୋଗ ଭଲହେବ କେମିତି ?

 

ଭାରତୀ କହିଲା–ତା ହେଲେ ଆପଣଙ୍କଠାରୁ ଭଲ ଡାକ୍ତର ବା ପୃଥିବୀରେ କିଏ ଅଛି ?

 

ଡାକ୍ତର ଥଟ୍ଟା କରି କହିଲେ–ତା ହେଲେ କିଛି ଫଳ ହେବନି । ଅଭ୍ୟାସ ଅଭାବରୁ ଏ ବିଦ୍ୟା ମନରୁ ପୋଛିହୋଇ ଗଲାଣି । ତା ଛଡ଼ା ବସି ଚକିତ୍ସା କରିବାକୁ ମୋର ବା ସମୟ କାଇଁ ?

 

ତାଙ୍କ କଥା ନ ସରୁଣୁ ଭାରତୀ କହଉଠିଲା–ସମୟ କାହିଁ ? କେହି ମରିଗଲେ ବି ସମୟ ହେବନି, ଏମିତି କଣ ଦେଶକାମ ! ଦେଖନ୍ତୁ ଡାକ୍ତରବାବୁ, ପୋଛି ହୋଇଯିବା ଭଲ ମନ ତ ଆପଣଙ୍କର ନୁହେଁ, ଯଦି କିଛି ପୋଛି ହୋଇ ଯାଇଥାଏ, ତାହେଲେ ଦୟାମାୟା ।

 

ଡାକ୍ତରଙ୍କ ମୁହଁ କ୍ଷଣକପାଇଁ ଗମ୍ଭୀର ହୋଇଗଲା । ତୀକ୍ଷଣଦୃଷ୍ଟିରେ ଭାରତୀ ତା ଦେଖିପାରି ନିଜର ଭୁଲ୍‌ବୁଝିପାରିଲା । ସେମାନଙ୍କ ଘନିଷ୍ଠତା ବହୁଦୂର ଯାଇଛି ସତ୍ୟ; କିନ୍ତୁ ଏଇ ବ୍ୟକ୍ତିଗତ ଦିଗ ପ୍ରତି ସେ କେବେ ଅଙ୍ଗୁଳି ସଙ୍କେତ କରିନଥିଲା । ସୁମିତ୍ରା କିଏ, ଡାକ୍ତରଙ୍କ ସହ ତାଙ୍କର ସମ୍ପର୍କ କଣ ଓ କେବେ ସେ ଏଇ ଦଳଭୁକ୍ତ ହେଲା–ଏସବୁ କଥା ଭାରତୀ କିଛି ଜାଣେନା । ସେମାନଙ୍କ ଦଳରେ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କୌତୂହଳୀ ହେବା ନିଷିଦ୍ଧ; ସୁତରାଂ ଅନୁମାନ ବ୍ୟତୀତ ସଠିକ ଜାଣିବାର ତାର ଉପାୟ ନ ଥିଲା । କେବଳ ନିଜେ ନାରୀ ବୋଲି ସେ ସୁମିତ୍ରାର ମନୋବ୍ୟଥା କିଛି କିଛି ବୁଝିପାରିଥିଲା । ଏପରିକି ତାଙ୍କର ଅସୁସ୍ଥତା ସମ୍ପର୍କରେ ବି ଅଧିକ ଆଲୋଚନା କରିବାକୁ କେହି ସାହସ କରନ୍ତିନାହିଁ; କିନ୍ତୁ ଥରେମାତ୍ର ତାଙ୍କର ଦୁର୍ଲ୍ଲଂଘ୍ୟ କଠୋରତା ଭେଦକରି ଅତ୍ୟନ୍ତ ଗୋପନ ଦୁର୍ବଳତା ଅପୂର୍ବ ଓ ଭାରତୀ ଆଗରେ ଧରାପଡ଼ି ଯାଇଥିଲା–ଯେଉଁଦିନ ଡାକ୍ତରଙ୍କ ବିଦାୟବେଳେ ସୁମିତ୍ରା ଆତ୍ମସମ୍ବରଣ କରିପାରି ନ ଥିଲେ । ସେ ଦିନଠାରୁ ସେ ନିଜକୁ ଅନ୍ୟମାନଙ୍କଠାରୁ ଆଉରି ଦୂରକୁ ଅପସାରିତ କରିନେଇଛନ୍ତି । ଅପର ବ୍ୟକ୍ତିର ଅଯାଚିତ ସହାନୁଭୂତିର ଆକର୍ଷଣରେ ତାଙ୍କର ସେ ଦୀର୍ଘାୟତ ବ୍ୟବଧାନ ସଙ୍କୁଚିତ ହେବାକୁ ଯାଉଛି, ଏ ଆଭାସ ପାଇଲାମାତ୍ରେ ତାଙ୍କର ଆତ୍ମାଶ୍ରୟୀ ଅନ୍ତର୍ଗତ ବେଦନା ନିଶ୍ଚୟ କ୍ଷିପ୍ତ ହୋଇଉଠିବ । ମନେ ମନେ ଏଇସବୁ କଥା ଭାବି ଭାରତୀ ଶଙ୍କିତ ହେଲା ।

 

ଡାକ୍ତର ଆରାମଚଉକିରେ ଆଉଜି ଶୋଇ ଟେବୁଲ୍ ଉପରକୁ ଗୋଡ଼ଟେକି ହଠାତ୍‌ ନିଃଶ୍ଵାସ ତ୍ୟାଗ କରି କହିଲେ–ଅଃ !

 

ଭାରତୀ ବିସ୍ମିତ ହୋଇ ପଚାରିଲା–କଣ ଶୋଇଲେଣି ?

 

ଡାକ୍ତର କୃତ୍ରିମ କ୍ରୋଧସହ କହିଲେ–କାହିଁକି ? ମୁଁ କଣ ଘୋଡ଼ା ଯେ ଟିକିଏ ଶୋଇପଡ଼ିଲେ ବାତ ଧରିଯିବ ? ମତେ ନିଦ ଲାଗିଲାଣି–ତମମାନଙ୍କ ଭଳି ମୁଁ ଠିଆରେ ଶୋଇ ପାରେନା ।

 

ଭାରତୀ କହିଲା–ଠିଆହୋଇ ମୁଁ ବି ଶୋଇ ପାରେନା; କିନ୍ତୁ କିଏ ଯଦି କହିବ ଯେ ଆପଣ ଦୌଡ଼ୁ ଦୌଡୁ, ଶୋଇପଡ଼ନ୍ତି, ମୁଁ ଅବିଶ୍ଵାସ କରିବିନାହିଁ । ଆପଣଙ୍କର ଏଇ ଦେହରେ ସଂସାରରେ ଯେ କଣ ନ ହୋଇ ପାରିବ, ତା କିଏ କହିବ ? ସମୟ ହେଲାଣି, ଏକ୍ଷଣି ନ ବାହାରିଲେ ଗାଡ଼ି ମିଳିବନି ।

 

ନ ମିଳୁ ।

 

ନ ମିଳୁ ମାନେ ? ଆପଣ କଣ ଯିବେନି ?

 

ଉଃ–ଭୟଙ୍କର ନିଦ ଲାଗୁଛି ଭାରତୀ, ଆଖି ଖୋଲିପାରୁନି । ଏହା କହି ଡାକ୍ତର ଆଖି ବନ୍ଦ କଲେ ।

 

ଏ କଥା ଶୁଣି ଭାରତୀ ଅତିଶୟ ଖୁସି ହେଲା । ସେ ଜାଣିଲା ଯେ କେବଳ ତା ପାଇଁ ଆଜି ଯାତ୍ରା ବନ୍ଦ । ନ ହେଲେ ନିଦ କଣ, ବଜ୍ରାଘାତ ହେଲେ ବି ଡାକ୍ତରଙ୍କ ସଂକଳ୍ପରେ ବାଧା ଦିଆଯାଇ ପାରେନା । କହିଲା–ନିଦ ଯଦି ସତରେ ଲାଗୁଛି, ତା’ ହେଲେ ଆର ଘରକୁ ଯାଇ ଶୋଇପଡ଼ନ୍ତୁ ।

 

ଡାକ୍ତର ଆଖିବୁଜି ପଚାରିଲେ–ତମେ ନିଜେ କଣ କରିବ ? ଅପୂର୍ବ ପାଇଁ ସାରାରାତି ଚାହିଁ ବସିବ ?

 

ଭାରତୀ କହିଲା–ମୋର ସରୁ ନଥିଲା ଚାହିଁ ବସିବାକୁ ? ପାଖ ଛୋଟ ଘରେ ଶେଯ ପକାଇ ଏଇଲାଗେ ଶୋଇପଡ଼ିବି ।

 

ଡାକ୍ତର କହିଲେ–ରାଗରେ ଶେଯକୁ ଯିବ ସିନା; କିନ୍ତୁ ନିଦ ଲାଗିବନି । ବିଛଣାରେ ପଡ଼ି ଛଟ୍‌ପଟ୍‌ ହେବାଠାରୁ ଅଧିକ ଯନ୍ତ୍ରଣା ଆଉ ନାହିଁ । ବରଂ ଯାଇ ଖୋଜିଆସ–ମୁଁ କାହାକୁ’ କହିବିନି ।

 

ଭାରତୀର ମୁହଁ ଲାଲ୍‌ ହୋଇଗଲା; କିନ୍ତୁ ତାର ଲଜ୍ଜା ଧରା ପଡ଼ିଲାନାହିଁ । ଡାକ୍ତର ଆଖିବୁଜି ଶୋଇଥିଲେ । ତାଙ୍କ ମୁହଁକୁ କିଛି ସମୟ ଚାହିଁ ଭାରତୀ ପଚାରିଲା–ଆଚ୍ଛା ଡାକ୍ତରବାବୁ ବିଛଣାରେ ପଡ଼ି ଛଟ୍‌ପଟ୍‌ ହେବା କଥା ଆପଣ କେମିତି ଜାଣିଲେ ?

 

ଡାକ୍ତର କହିଲେ–ଲୋକେ କହନ୍ତି, ଶୁଣିଛି ।

 

ନିଜ ଅନୁଭୂତିରୁ ଜାଣିନାହାନ୍ତି ?

 

ଡାକ୍ତର ଆଖି ଖୋଲି କହିଲେ–ଦେଖ, ମୋ ଭଳି ଅଭାଗାମାନଙ୍କୁ ତ ବିଛଣାରେ ଶୋଇବାକୁ ମିଳେନା, ସେଥିରେ ପୁଣି ଛଟ୍‌ପଟ୍‌ ହେବା କଥା । ଏଡ଼େବଡ଼ ବାବୁଆନି ପାଇଁ ସମୟ ନାହିଁ ? ଏହା କହି ସେ ମୁରୁକି ହସିଲେ ।

 

ଭାରତୀ ହଠାତ୍‌ କହିଲା–ଆଚ୍ଛା ଡାକ୍ତରବାବୁ, ସମସ୍ତେ ଯେ କହନ୍ତି–ଆପଣଙ୍କ ଭିତରେ ରାଗ ନାହିଁ, ଏ କଣ ସତ କଥା ?

 

ଡାକ୍ତର କହିଲେ–ସତ କଥା ? ମୋଟେ ନୁହେଁ, ମୋଟେ ନୁହେଁ । ଲୋକେ ମିଛରେ ମୋ ବିରୁଦ୍ଧରେ ଚୁଗୁଲି କରୁଛନ୍ତି–ସେମାନେ ମୋତେ ଦେଖିପାରନ୍ତି ନାହିଁ ।

 

ଭରତୀ ହସି ହସି କହିଲା–କିମ୍ବା ଅତ୍ୟନ୍ତ ଭଲପାଆନ୍ତି ବୋଲି ହୁଏଟ ଏପରି ଗୁଜ୍ଜବ । ସେମାନେ ପୁଣି କହନ୍ତି ଯେ ଆପଣଙ୍କର ମାନ ଅଭିମାନ ନାହିଁ, ଦୟାମାୟା ନାହିଁ, ଛାତି ଭିତରତା ମୂଳରୁ ଶେଷଯାଏଁ ପଥରରେ ତିଆରି ।

 

ଡାକ୍ତର କହିଲେ–ଏ ବି ଅତ୍ୟନ୍ତ ଭଲପାଇବାର ଲକ୍ଷଣ । ତା’ ପରେ ଆଉ କଣ କହନ୍ତି-?

 

ଭାରତୀ କହିଲା–ତା ପରେ ସେଇ ପଥର ଭିତରେ ଅଛି କେବଳ ଗୋଟିଏ ବସ୍ତୁ ଜନନୀ ଜନ୍ମଭୂମି । ତାର ଆଦି ନାହିଁ, ଅନ୍ତ ନାହିଁ, କ୍ଷୟ ନାହିଁ, ବ୍ୟୟ ନାହିଁ–ତାର ଭୟାନକ ଚେହେରା ଆମ ଆଖିରେ ପଡ଼େନା ବୋଲି ଆମେ ଆପଣଙ୍କ ପାଖରେ ରହିପାରୁଛୁ କହ ସେ ଟିକିଏ ଅଟକିଗଲା । ତା ପରେ ଆରମ୍ଭ କଲା–“ବୁଝିଲେ ଡାକ୍ତରବାବୁ, ସେଦିନ ସୁମିତ୍ରାଦି’ଙ୍କ ସାଥିରେ ବର୍ମା ଅଏଲ୍‌କମ୍ପାନୀର କାରଖାନା ଘରବାଟେ ଯାଉଥିଲି । ସେଦିନ ସେମାନେ ନୂଆ ବଏଲର୍‌ ପରୀକ୍ଷା କରୁଥିଲେ । ଅନେକ ଲୋକ ଜମାହୋଇ ଦେଖୁଥିଲେ । ପାହାଡ଼ ପରି ଗୋଟାଏ ଜଡ଼ପିଣ୍ଡ–ତା ଠାରୁ ବେଶି କିଛି ନୁହେ । ହଠାତ୍‌ ଗୋଟାଏ ଦ୍ଵାର ତାର ଖୋଲିଗଲା ଓ ଦେଖାଗଲା ତା ଭିତରେ ଅଗ୍ନିର ପ୍ଲାବନ । ତା ଭିତରେ ପୃଥିବୀର ଯେକୌଣସି ଜିନିଷ ପକାଇଦେଲେ ନିମିଷକେ ଭସ୍ମସାତ୍‌ କରିଦେବ । ଦ୍ଵାର ବନ୍ଦ ହୋଇଗଲା, ବାହାରକୁ ଦେଖାଗଲା ପୁଣି ସେଇ ଶାନ୍ତ ଜଡ଼ପିଣ୍ଡ, ଭିତରର କୌଣସି ଚିହ୍ନ ବାହାରେ ନାହିଁ । ସୁମିତ୍ରାଦି’ଙ୍କ ମୁହଁରୁ ଦୀର୍ଘ ନିଃଶ୍ଵାସ ବାହାରିଗଲା । ସେ ମତେ କହିଲେ–ଏଇ ଭୟଙ୍କର ଯନ୍ତ୍ରଟାକୁ ମନେ ରଖିଲେ ଭାରତୀ ତମ ଡାକ୍ତରବାବୁଙ୍କୁ ଚିହ୍ନି ପାରିବ । ଏଇ ତାଙ୍କର ପ୍ରକୃତ ପ୍ରତିମୂର୍ତ୍ତି ।

 

ଡାକ୍ତର ଅନ୍ୟମନସ୍କ ଭାବେ ଟିକିଏ ହସି କହିଲେ–ସମସ୍ତେ କେତେ ଭଲପାଆନ୍ତି ମତେ-! ଛାଡ଼–ବର୍ତ୍ତମାନ ଭୀଷଣ ନିଦ ଲାଗି ଲାଣି ଭାରତୀ, ଲୋକଟା କୁଆଡ଼େ ଗଲା ତମେ କଣ ଟିକିଏ ଖୋଜିବନି ?

 

ଆପଣ କାହାକୁ କହିବେନି ତ ?

 

ନା, କିନ୍ତୁ ମତେ ବୋଧହୁଏ ଲଜ୍ଜା କରିବାର ଦରକାର ନାହିଁ ।

 

ଭାରତୀ କହିଲା–ନା । ମଣିଷ ପାଖରେ କେବଳ ମଣିଷ ଲଜ୍ଜା କରେ । ଏହା କହି ସେ ଲଣ୍ଠନଟା ହାତରେ ଧରି ବାହାରିଗଲା ।

 

ଦଶମିନଟ୍ ପରେ ଫେରିଆସି ଭାରତୀ କହିଲା–ଅପୂର୍ବବାବୁ ନାହାନ୍ତି, ଚାଲିଗଲେ ବୋଧହୁଏ ।

 

ଡାକ୍ତର ବିସ୍ମିତ ହୋଇ କହିଲେ–ଏଇ ଅନ୍ଧାରରେ ? ଏକା ? ଆଶ୍ଚର୍ଯ୍ୟ !

 

ଭାରତୀ କହିଲା–ମୋର ବିଛଣା ପଡ଼ିଛି, ଚାଲନ୍ତୁ ଶୋଇବେ ।

 

ତମେ ?

 

ମୁଁ ତଳେ କମ୍ବଳ ବା ଚାଦର–କଣ ଗୋଟାଏ ପକାଇ ଶୋଇଯିବି । ଚାଲନ୍ତୁ !

 

ଡାକ୍ତର ଠିଆହୋଇ କହିଲେ–ଚାଲ–ଲଜ୍ଜା, ସଙ୍କୋଚ ମଣିଷ ମଣିଷକୁ କରେ । ମୁଁ ତ ପଥରଠାରୁ ବି ବଳି ।

 

ଉପର ଘରେ ଡାକ୍ତର ଶେଯରେ ଶୋଇଲେ ଓ ଭାରତୀ ମଶାରି ପକାଇଦେଲା । କିଛି ଦୂରରେ ତଳେ ନିଜପାଇଁ ଶେଯ ପକାଇଲା । ଡାକ୍ତର ସେଠିକି ଚାହିଁ କୃତ୍ରିମ କ୍ରୋଧ ପ୍ରକାଶ କରି କହିଲେ–ସମସ୍ତେ ମିଶି ମତେ ଏଭଳି ଅଗ୍ରାହ୍ୟ କରି ରଖିଲେ ମୋର ଆତ୍ମସମ୍ମାନରେ ଆଘାତ ଲାଗେ ।

 

ଭାରତୀ ହସି କହିଲା–ଆମେ ସମସ୍ତେ ମିଶି ଆପଣଙ୍କୁ ମଣିଷଗୋଷ୍ଠୀରୁ ବାହାରକରି ପଥରର ଦେବତା କରିଦେଇଛୁ ।

 

ତା ମାନେ ମତେ ଭୟ ବି ନାହିଁ ?

 

ଭାରତୀ ସଙ୍କୋଚହୀନ ଭାବରେ କହିଲା–ଏକବିନ୍ଦୁ ବି ନୁହେଁ । ଆପଣଙ୍କଦ୍ଵାରା କାହାର ଅକଲ୍ୟାଣ ଘଟିପାରେ, ଏ କଥା ଆମେ ଭାବି ପାରିବୁନି ।

 

ଡାକ୍ତର ସାମାନ୍ୟ ହସି କହିଲେ–ହଉ, ଦିନେ ଟେର୍‌ ପାଇବ ।

 

ଶେଯକୁ ଯାଇ ଭାରତୀ ପଚାରିଲା–ଆଚ୍ଛା, କିଏ ଆପଣଙ୍କୁ ସବ୍ୟସାଚୀ ନାଁ ଦେଲା । ଏ ତ ଆପଣଙ୍କ ଅସଲ ନାଁ ନୁହେଁ ।

 

ଡାକ୍ତର ହସିବାକୁ ଲାଗିଲେ । କହିଲେ–ଅସଲ ଯା ହେଉ, ନକଲ ନାଁଟି ଦେଇଛନ୍ତି ଆମ ପାଠଶାଳାର ପଣ୍ଡିତେ । ତାଙ୍କର ଗୋଟାଏ ବଡ଼ ଉଚ୍ଚ ଆମ୍ବଗଛ ଥିଲା, କେବଳ ମୁଁ ଟେକାମାରି ସେ ଗଛରୁ ଆମ୍ବ ଝଡ଼ାଇ ପାରୁଥିଲି । ଥରେ ଛାତ ଉପରୁ ଡେଇଁ ପଡ଼ି ଡାହାଣ ହାତଟା ମୋର ମଚକି ଗଲା । ଡାକ୍ତର ଆସି ବ୍ୟାଣ୍ଡେଜ୍‌ବାନ୍ଧି ଦେଇଗଲେ । ସମସ୍ତେ ଆହା ଆହା କହିଲେ । କେବଲ ପଣ୍ଡିତେ ଖୁସି ହୋଇ କହିଲେ–ଯାହାହେଉ, ଆମ୍ବକେତେଟା ଟେକାରୁ ରକ୍ଷା ପାଇଲା ! ପାଚିଲେ ଦୁଇଟି ପାଟିରେ ଦେଇହେବ ।

 

ଭାରତୀ କହିଲା–ବଡ଼ ଦୁଷ୍ଟ ଥିଲେ ତ !

 

ଡାକ୍ତର କହିଲେ–ହଁ, ସେଭଳି ଦୁର୍ନାମ ମୋର ଥିଲା । ଯା ହେଉ, ପରଦିନ ପୁଣି ଯାଇ ଟେକା ମାରିବାରେ ଲାଗିଗଲି । ପଣ୍ଡିତେ କେମିତି ଖବର ପାଇ ଆସି ମତେ ଧରି ପକାଇଲେ । କିଛି ସମୟ ଅବାକ୍‌ହୋଇ କହିଲେ–ଯଥେଷ୍ଟ ହେଲା ଆଉ ଆମ୍ବପାଇଁ ଆଶା ରଖନି । ଡାହାଣଟା ଭାଙ୍ଗିଲା, ବାଁ ହାତ ଚାଲିଲା । ବାଁ ଟା ଭାଙ୍ଗିଲେ ବୋଧହୁଏ ପାଦ ଦୁଇଟା ଚାଲିବ । ଥାଉ ବାବା, ଆଉ କଷ୍ଟପାଇ ଲାଭନାହିଁ, ସେ କେତେଟା କଞ୍ଚା ଆମ୍ବ ଅଛି, ଲୋକ ଲଗେଇ ତୋଳେଇ ଦେଉଛି ।

 

ଭାରତୀ ଖିଲ୍‌ଖିଲ୍‌ ହସି କହିଲା–ପଣ୍ଡିତଙ୍କ ଅନେକ ଦୁଃଖରେ ଦିଆ ନା ।

 

ଡାକ୍ତର ନିଜେ ହସି ପକାଇ କହିଲେ–ହଁ, ଅନେକ ଦୁଃଖ । ସେଇ ଦିନଠାରୁ ଲୋକେ ମୋ ଅସଲ ନାଁଟା ଭୁଲିଗଲେ ।

 

ଭାରତୀ କିଛି ସମୟ ଚୁପ୍‌ରହିଲା–ଆଚ୍ଛା, ସମସ୍ତେ ଯେ କହନ୍ତି, ଦେଶ ଓ ଆପଣ ଏ ଦୁଇଟା ସଜ୍ଞା ଏକାଠି ହୋଇ ଯାଇଛି–ତା କେମିତି ହେଲା ?

 

ଡାକ୍ତର କହିଲେ–ସେ ବି ପିଲାଦିନର ଗୋଟାଏ ଘଟଣା ଭାରତୀ । ଏ ଜୀବନରେ ଅନେକ କିଛି ଆସିଲା ଓ ଗଲା, କିନ୍ତୁ ସେ ଦିନଟା ଜୀବନରେ ଅକ୍ଷୟ ହୋଇ ରହିଗଲା । ଆମ ଗାଁରେ ବୈଷ୍ଣବମାନଙ୍କର ଗୋଟାଏ ମଠ ଥିଲା । ଦିନେ ସେ ମଠରେ ଡକାଏତମାନେ ଆସି ପହଞ୍ଚିଲେ । ପାଟିତୁଣ୍ଡ, କନ୍ଦାକଟାରେ ଗାଁର ବହୁଲୋକ ଆସି ଜମାହେଲେ; କିନ୍ତୁ ଡକାଏତମାନଙ୍କ ପାଖରେ ଗୋଟାଏ ବନ୍ଧୁକ ଥିଲା । ସେମାନେ ବନ୍ଧୁକ ଫୁଟାଇବାରୁ କେହି ତାଙ୍କର ପାଖେ ପଶିପାରିଲେ ନାହିଁ । ମୋର ଜଣେ କକାପୁଅ ବଡ଼ଭାଇ ଥିଲେ, ସେ ଅତ୍ୟନ୍ତ ସାହସୀ ଓ ପରୋପକାରୀ । ଯିବାପାଇଁ ସେ ଛଟ୍‌ପଟ୍‌ ହେଲେ; କିନ୍ତୁ ଗଲେ ନିଶ୍ଚିତ ମୃତ୍ୟୁ ଜାଣି ସମସ୍ତେ ତାଙ୍କୁ ଧରି ରଖିଲେ । କୌଣସିମତେ ଖସି ଯାଇ ନ ପାରି ସେ କେବଳ ନିଷ୍ଫଳ ଆସ୍ଫାଳନ ଓ ଡକାଏତମାନଙ୍କୁ ଗାଳିଦେବାକୁ ଲାଗିଲେ । ସେଥିରେ କିଛି ଫଳ ହେଲାନି । ଗୋଟିଏ ବନ୍ଧୁକ ଜୋର୍‌ରେ ଡକାଏତମାନେ ଦୁଇଶ ତିନିଶ ଲୋକଙ୍କ ଆଗରେ ମଠର ମହନ୍ତଙ୍କୁ ବାନ୍ଧି ଜୀଅନ୍ତା ପୋଡ଼ି ପକାଇଲେ । ଭାରତୀ, ମୁଁ ସେତେବେଳେ ପିଲା; କିନ୍ତୁ ଆଜି ବି ତାଙ୍କର କାକୁତିମିନତି, ବ୍ୟାକୁଳ ଚିତ୍କାର ମଝିରେ ମଝିରେ ମୋ ମନରେ ଜାଗିଉଠେ । ଉଃ, ସେ କି ଭୟଙ୍କର ଛାତିଫଟା ଆର୍ତ୍ତନାଦ !

 

ଭାରତୀ ରୁଦ୍ଧଶ୍ଵାସ ହୋଇ ପଚାରିଲା–ତାପରେ ?

 

ଡାକ୍ତର କହିଲେ–ତାପରେ ଧୀରେ ଧୀରେ ବାବାଜୀଙ୍କ ଜୀବନଭିକ୍ଷାର ଚିତ୍କାର ବନ୍ଦ ହୋଇଗଲା ଓ ଡକାଏତମାନେ ନଶ୍ଚିନ୍ତ ଭାବେ ଲୁଟି କରିନେଲେ । ଗଲାବେଳକୁ ଡକାଏତ ସର୍ଦ୍ଦାର ବଡ଼ଭାଇଙ୍କୁ ବାପ ନାଁ ଧରି ଶପଥ କରି କହିଗଲା ଯେ ଏମାନେ ଏବେ ଶ୍ରାନ୍ତ; କିନ୍ତୁ ମାସେ ପରେ ଆସି ଗାଳିରୁ ପ୍ରତିଶୋଧ ନେବେ । ବଡ଼ଭାଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପାଖରେ କାନ୍ଦି କାନ୍ଦି କହିଲେ–ଗୋଟାଏ ବନ୍ଧୁକ ଦିଅନ୍ତୁ; କିନ୍ତୁ ପୁଲିସ କହିଲେ–ନା । ଦୁଇବର୍ଷ ପୂର୍ବରୁ ସେ ଜଣେ ଅତ୍ୟାଚାରୀ ପୁଲିସ୍‌ ସବ୍‌ଇନ୍‌ସ୍ପେକ୍ଟରର କାନ ମୋଡ଼ି ଦେଇଥିବାରୁ ତାଙ୍କର ଦୁଇମାସ ଜେଲ୍ ହୋଇଥିଲେ । ସେଇ ଅପରାଧରୁ ମାଜିଷ୍ଟ୍ରେଟ୍‌ ମନାକଲେ । ଭାଇ କହିଲେ–ସାହେବ, ଆମେ କଣ ତାହେଲେ ମରିଯିବୁ ? ସାହେବ ହସି ହସି କହିଲେ–ଯାହାର ଏତେ ଭୟ, ସେ ଜମିବାଡ଼ି ବିକିଦେଇ ଏ ଜିଲ୍ଲାରୁ ଚାଲିଯାଉ ।

 

ଭାରତୀ ଉତ୍ତେଜନାରେ ଶେଯରୁ ଉଠିପଡ଼ି କହିଲା–ବନ୍ଧୁକଟାଏ ବି ରଖିବାକୁ ଦେଲେନାହିଁ ।

 

ଡାକ୍ତର କହିଲେ–ନା, କେବଳ ତା ନୁହେଁ, ଭାଇ ଯେତେବେଳେ ବ୍ୟାକୁଳହୋଇ ଆତ୍ମରକ୍ଷା ପାଇଁ ଧନୁ, ଶର ଓ ବର୍ଚ୍ଛା ତିଆରି କରାଇଲେ, ପୋଲିସ୍‌ର ଲୋକ ସେଗୁଡ଼ିକ ଛଡ଼ାଇ ନେଇଗଲେ ।

 

ତା ପରେ ?

 

ଡାକ୍ତର କହିଲେ–ତାପର ଘଟଣା ଅତି ସଂକ୍ଷିପ୍ତ । ସେଇ ମାସ ଭିତରେ ସର୍ଦ୍ଦାର ତା ପ୍ରତିଜ୍ଞା ପାଳନ କଲା । ଏଥର ସେ ଅଧିକ ଗୋଟାଏ ଦୁଇଟା ବନ୍ଧୁକ ଆଣିଥିଲା । ଘରୁ ସମସ୍ତେ ପଳାଇଲେ, କେବଳ ଭାଇଙ୍କୁ କେହି ଘୁଞ୍ଚାଇ ପାରିଲେ ନାହିଁ । ଶେଷରେ ଡକାଏତର ଗୁଳିରେ ସେ ପ୍ରାଣଦେଲେ ।

 

ଭାରତୀର ମୁହଁ ଶେତା ହୋଇଯାଇଥିଲା; ସେ ପଚାରିଲା–ପ୍ରାଣ ଦେଲେ ?

 

ଡାକ୍ତର କହିଲେ–ହିଁ । ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିଥିଲେ । ଗାଁ ସାରା ଲୋକ ହୈ ଚୈ କରିବାକୁ ଲାଗିଲେ–କିଏ ଡକାଏତମାନଙ୍କୁ, କିଏ ବା ମାଜିଷ୍ଟ୍ରେଟ୍‌ ସାହେବଙ୍କୁ ଗାଳି ଦେବାକୁ ଲାଗିଲେ । ଭାଇ କେବଳ ଚୁପ୍‌ହୋଇ ଦେଖୁଥାନ୍ତି । ମଫସଲ ଗାଁ, ଡାକ୍ତରଖାନା ଦଶ ବାର କୋଶ ଦୂର, ରାତ୍ରି କାଳ । ଗାଁର ଜଣେ ଡାକ୍ତର ବ୍ୟାଣ୍ଡେଜ୍‌ କରିବାକୁ ଆସିବାରୁ ସେ କହିଲେ–ଥାଉ, ମୁଁ ବଞ୍ଚିବାକୁ ଚାହେଁନା । କହୁ କହୁ ଡାକ୍ତରଙ୍କ କଣ୍ଠ ସ୍ଵର ସାମାନ୍ୟ କମ୍ପି ଉଠିଲା ପରି ମନେ ହେଲା । କିଛି ସମୟ ଚୁପ୍‌ରହି କହିଲେ–ଭାଇ ମୋତେ ଭାରି ଭଲ ପାଆନ୍ତି । ମୁଁ କାନ୍ଦୁଛି ଦେଖି ଥରେ ଆଖି ଖୋଲି ଚାହିଁଲେ । ତା’ପରେ ଆସ୍ତେ ଆସ୍ତେ କହିଲେ–ଛି, ଝିଅଙ୍କ ପରି ଏ ସବୁ ଗୋରୁଛେଳିଙ୍କ ସାଥିରେ ସ୍ଵର ମିଶେଇ ତୁ କାନ୍ଦନା ଶୈଳ, କିନ୍ତୁ ରାଜତ୍ଵର ଲୋଭରେ ଯେଉଁମାନେ ଦେଶସାରା ସମସ୍ତଙ୍କୁ ଅମଣିଷ କରି ଦେଇଛନ୍ତି, ସେମାନଙ୍କୁ ତୁ ଯେପରି ଜୀବନରେ କେବେ କ୍ଷମା ନ କରୁ । ତାଙ୍କ ମୁହଁରୁ ମଲାବେଳେ ଉଃ, ଆଃ ବାହାରି ନାହିଁ–ଏଇ ଅଭିଶପ୍ତ ପରାଧୀନ ଦେଶ ଛାଡ଼ି ଚିରଦିନ ପାଇଁ ଚାଲିଗଲେ । କେବଳ ମୁଁ ଜାଣେ ଭାରତୀ, କେତେ ବଡ଼ ଗୋଟାଏ ଜୀବନ ସେଦିନ ନଷ୍ଟ ହୋଇଗଲା ।

 

ଭାରତୀ ନୀରବରେ ସ୍ଥିର ହୋଇ ରହିଲା । କେବେ କେଉଁ ପଲ୍ଲୀ ଅଞ୍ଚଳର ଗୋଟାଏ ଦୁର୍ଘଟଣାର କାହାଣୀ । ଡକାୟତିରେ ଜଣେ ଦୁଇଜଣ ଅଜ୍ଞାତ, ଅଖ୍ୟାତ ଲୋକଙ୍କ ଜୀବନ ଯାଇଛି ଅଥଚ ଏ ଜୀବନରେ କେତେ ଗଭୀର କ୍ଷତ ରହି ନ ଯାଇଛି । ତୁଳନା କରିବାକୁ ଗଲେ ଦୁର୍ବଳ ଜନସାଧାରଣଙ୍କ ଇତିହାସ ଭିତରେ ଏ ହତ୍ୟାର ନିଷ୍ଠୁରତା ଅକିଞ୍ଚିତ୍‍କର । ଏ ଦେଶରେ ତ ନିତି ଶହ ଶହ ଲୋକ ଚୋର, ଡକାୟତଙ୍କ ହାତରେ ପ୍ରାଣ ଦେଉଛନ୍ତି; କିନ୍ତୁ ଏ ଘଟଣା କଣ କେବଳ ସେତିକି ? ବିଜୁଳି ଯେପରି ଅକସ୍ମାତ୍ ଅନ୍ଧାରର ବୁକୁ ବିଦୀର୍ଣ୍ଣ କରି ଅଦୃଶ୍ୟବସ୍ତୁକୁ ଆଖି ଆଗକୁ ଟାଣିଆଣେ, ସେପରି ଏଇ ପଥରପ୍ରାୟ ବ୍ୟକ୍ତିଟିର ଅଜ୍ଞାତ ରହସ୍ୟ ଭାରତୀ ଆଗରେ ଉଦ୍‌ଘାଟିତ ହୋଇଗଲା । ସେ ଦେଖିଲା ଏଇ ବେଦନା ପ୍ରଚୁର ଜୀବନରେ ମୃତ୍ୟୁ ଅତି ସାମାନ୍ୟ ବସ୍ତୁ । ମରଣ ଏ ବ୍ୟକ୍ତିଟିକୁ ଆଘାତ କରିନାହିଁ; କିନ୍ତୁ ମର୍ମ୍ମଭେଦୀ ଆଘାତ କରିଛି, ଏଇ ଦୁଇଟି ଲୋକଙ୍କ ମୃତ୍ୟୁ ଭିତରଦେଇ ଶୃଙ୍ଖଳିତ ପଦାନତ ସମସ୍ତ ଭାରତବାସୀଙ୍କ ଉପାୟବିହୀନ ଅକ୍ଷମତା । ନିଜ ଭାଇର ଆସନ୍ନ ହତ୍ୟା ନିବାରଣ କରିବା ଅଧିକାରରୁ ସେ ବଞ୍ଚିତ, ଅଧିକାର ଅଛି କେବଳ ନିଃଶବ୍ଦରେ ଆଖି ଖୋଲି ଦେଖିବାର । ଭାରତୀର ହଠାତ୍‌ ମନେହେଲା, ସମଗ୍ର ଜାତିର ଦୁଃସହ ଲାଞ୍ଛନା ଓ ଅପମାନର ଗ୍ଳାନି ଏଇ ପାଷାଣହୃଦୟ ବ୍ୟକ୍ତିଟିର ମୁହଁ ଉପରେ ନିବିଡ଼ କାଳି ଲେପିଦେଇଛି ଯେପରି ।

 

ଭାରତୀ ମୁହଁରେ ଯନ୍ତ୍ରଣାର ଚିହ୍ନ ସୁସ୍ପଷ୍ଟ; ସେ ଡାକିଲା–ଭାଇ !

 

ଡାକ୍ତର ବିସ୍ମିତ ହୋଇ ପଚାରିଲେ–ମତେ କହୁଛ ?

 

ଭାରତୀ କହିଲା–ହଁ ତମକୁ । ଆଚ୍ଛା, ଇଂରେଜମାନଙ୍କ ସଙ୍ଗେ ତୁମର କଣ କେବେ ବୁଝାମଣା ହୋଇପାରେ ନା ?

 

ନା, ମୋଠାରୁ ବଡ଼ ଶତ୍ରୁ ତାଙ୍କର କେହି ନାହିଁ ।

 

ଭାରତୀ କ୍ଷୁଣ୍ଣ ହୋଇ କହିଲା–ତମେ ଯେ କାହାର ଅକଲ୍ୟାଣ କାମନା କରି ପାର, ଏ କଥା ମୁଁ ଭାବି ପାରେନା, ଭାଇ !

 

ଡାକ୍ତର ଚୁପ୍‌ହୋଇ କିଛି ସମୟ ଭାରତୀ ମୁହଁକୁ ଚାହିଁ ରହିଲେ ତା ପରେ କହିଲେ ଭାରତୀ, ଏକଥା ତମ ମୁହଁରେ ଶୋଭାପାଏ ଓ ଏଥିପାଇଁ ମୁଁ ଆଶୀର୍ବାଦ କରୁଛି, ତୁମେ ସୁଖୀ ହୁଅ-। ତା ପରେ ଆସ୍ତେ ଆସ୍ତେ କହିଲେ–କିନ୍ତୁ ମନେରଖ ଭାରତୀ, ଆମ ଦେଶ ପରାଧୀନ ହୋଇଛି ବୋଲି ମୁଁ ଏମାନଙ୍କର ଶତ୍ରୁ ନୁହେଁ । ଦିନେ ମୁସଲମାନମାନେ ଏ ଦେଶ ଶାସନ କରୁଥିଲେ; କିନ୍ତୁ ଇଂରେଜଙ୍କ ଭଳି ସମସ୍ତ ମନୁଷ୍ୟତ୍ଵର ପରମ ଶତ୍ରୁ ଆଉ କେହି ନାହିଁ । ସ୍ଵାର୍ଥପାଇଁ ଧୀରେ ଧୀରେ ମଣିଷକୁ ଅମଣିଷ କରିବା ଏମାନଙ୍କର ଅସ୍ଥି ମଜ୍ଜାଗତ । ଏଇ ଏମାନଙ୍କର ବ୍ୟବସାୟ, ଏମାନଙ୍କର ମୂଳଧନ, ଯଦି କେବେ ପାରିବ, ଏ ସତ୍ୟ ଦେଶରେ ଶିକ୍ଷା ଦେବା ପାଇଁ ଭୁଲିବ ନାହିଁ ।

 

କାନ୍ଥ ଘଡ଼ିରେ ଠଂ ଠଂ ହୋଇ ଚାରିଟା ବାଜିଲା । ଖୋଲା ଝରକା ଆଡ଼କୁ ଚାହିଁରହି ଭରତୀ ଅନେକ କିଛି ଭାବୁଥୁଲା; କିନ୍ତୁ ଗୋଟାଏ ଜାତି ବିରୁଦ୍ଧରେ ଏତେ ବଡ଼ ଅଭିଯୋଗକୁ ସତ୍ୟ ବୋଲି ବିଶ୍ଵାସ କରିବାକୁ ତାର ପ୍ରବୃତ୍ତି ହେଲାନାହିଁ ।

 

Unknown

ଅଠର

 

କାଲି ସାରାରାତି ଭାରତୀ ଶୋଇ ପାରିନି । ଦିନରେ ବି ତା ଦେହ ଖରାପ ଲାଗୁଥିଲା । ତେଣୁ ଭାବିଲା, ସଅଳ ଖିଆପିଆ ସାରି ଶୋଇଯିବ । ତେଣୁ ସନ୍ଧ୍ୟାବେଳୁ ସେ ରାନ୍ଧିବାକୁ ବସିଗଲା-। ଏଇ ସମୟରେ ଦଳର ଜଣେ ଲୋକ ତାକୁ ଆସି ଖଣ୍ଡିଏ ଚିଠି ଦେଲା । ସୁମିତ୍ରାଙ୍କ ଲେଖା, ସେ ଗୋଟିଏ ଧାଡ଼ିରେ ଲେଖିଛନ୍ତି ଯେ, ଯେକୌଣସି ଅବସ୍ଥାରେ ଥିଲେ ବି ସେ ଯେପରି ପତ୍ରବାହକ ସହ ତତ୍‌କ୍ଷଣାତ୍‌ ବାହାରି ଆସିବ ।

 

ସୁମିତ୍ରାଙ୍କ ଆଦେଶ ଲଙ୍ଘନ କରିବାର ଉପାୟ ନାହିଁ, କିନ୍ତୁ ଭାରତୀ ବିସ୍ମିତ ହୋଇଗଲା-। ପଚାରିଲା–ତାଙ୍କର କଣ ଦେହ ଖରାପ ଅଛି ? ପତ୍ରବାହକ ଜଣାଇଲା– ନା । ବାରଣ୍ଡାରୁ ଓହ୍ଲାଇ ଦେଖିଲା–ପରିଚିତ ଘୋଡ଼ାଗାଡ଼ି, କିନ୍ତୁ ଗାଡ଼ୋୟାନ ବଦଳି ହୋଇଛି । ଏହାକୁ ଦେଖିଲେ ଗାଡ଼ି ଚଳାଇବା ଏହାର ପେଶା ଭଳି ମନେ ହୁଏ ନା । ତା ଛଡ଼ା ଗାଡ଼ି ବା କଣ ଦରକାର-? ସୁମିତ୍ରାର ବସାକୁ ଯିବାକୁ ତିନି ମିନିଟ୍‌ରୁ ବେଶି ସମୟ ଲାଗେନା । ଅଧିକତର ବିସ୍ମୟ ସହ ପଚାରିଲା–ଘଟଣା କଣ ହୀରା ସିଂ ? ସୁମିତ୍ରା ଦେବୀ କେଉଁଠି ?

 

ଏଇ ହୀରା ସିଂ ଲୋକଟି ସେମାନଙ୍କ ଅନୁଷ୍ଠାନର ସଭ୍ୟ ନ ହେଲେ ବି ଅତ୍ୟନ୍ତ ବିଶ୍ଵାସୀ । ଜାତିରେ ଶିଖ୍‌, ପୂର୍ବେ ହଂକଂରେ ପୋଲିସ୍‌ ଚାକିରି କରୁଥିଲା, ବର୍ତ୍ତମାନ ରେଙ୍ଗୁନ୍‌ ଟେଲିଗ୍ରାଫ୍‌ ଅଫିସ୍‌ରେ ପିଅନ୍‌ କାମ କରେ । ସେ ନିମ୍ନ କଣ୍ଠରେ କହିଲା–ଚାରି ପାଞ୍ଚ ମାଇଲ୍‌ଦୂରରେ ଅତି ଗୋପନୀୟ ଓ ଜରୁରୀ ସଭା ବସିଛି, ସେ ନ ଗଲେ ନ ଚଳେ । ଭାରତୀ କୌଣସି ପ୍ରଶ୍ନ ନ କରି ଗାଡ଼ିର ଝରକା ବନ୍ଦ କରି ବସିଲା । ପରେ ଭାରତୀର ମନେ ପଡ଼ିଲା ଯେ ଗାଡ଼ି ଫେରାଇ ରିଭଲଭର୍ ନେଇ ଆସିଥିଲେ ହୋଇଥାନ୍ତା; କିନ୍ତୁ ଡେରି ହେବା ଭୟରେ ଆଉ ଫେରିପାରିଲା ନାହିଁ । ଗାଡ଼ି ଯେ ଅପରିଚିତ ରାସ୍ତାରେ ଯାଉଛି, ତା ସେ ଭିତରେ ଥାଇ ବି ବୁଝି ପାରିଲା । କିଛି ସମୟ ପରେ ବାଟରେ ଅସମତଳତା ଲକ୍ଷ୍ୟ କରି ସେ ବୁଝିଲା ଯେ ସେମାନେ ସହର ଛାଡ଼ି ବାହାରକୁ ଯାଉଛନ୍ତି । ସାଙ୍ଗରେ ଘଡ଼ି ନ ଥିଲା; କିନ୍ତୁ ପ୍ରାୟ ରାତି ଦଶଟା ପାଖାପାଖି । ଗାଡ଼ି ଯାଇ ଗୋଟାଏ ବଗିଚା ଆଗରେ ଠିଆ ହେଲା । ହୀରା ସିଂ ଆଗରୁ ପହଞ୍ଚିଥିଲା, ସେ ଗାଡ଼ିର ଦରଜା ଖୋଲିଦେଲା । ମୁଣ୍ଡ ଉପରେ ବଡ଼ ବଡ଼ ଗଛ ରହି ଅନ୍ଧାର ଏଭଳି ଦୁର୍ଭେଦ୍ୟ ହୋଇଛି ଯେ ନଜର ହାତ ପର୍ଯ୍ୟନ୍ତ ଦେଖାଯାଉନି । ତଳେ ମାଟି, ଉପରେ ଗୋଟାଏ ସରୁ ଚଲାରାସ୍ତାର ଚିହ୍ନ ଅଛି ମାତ୍ର । ଏଇ ଭୟାନକ ବାଟରେ ହୀରା ସିଂ ତାର ସାଇକେଲ୍‌ ଆଲୁଅ ଦେଖାଇ ଆଗେ ଆଗେ ଚାଲିଲା । ଚାଲୁ ଚାଲୁ ଭାରତୀର ମନେ ହେଲା ଯେ ସେ ଏଠାକୁ ଆସି ଭଲ କରିନାହିଁ । ଅନତିକାଳ ପରେ ସେମାନେ ଗୋଟାଏ ଜୀର୍ଣ୍ଣ ଅଟ୍ଟାଳିକା ପାଖରେ ଆସି ପହଞ୍ଚିଲେ । ଅନ୍ଧାରରେ ଭାରତୀ ତାର ଆଭାସ ଦେଖି ଠଉରେଇ ନେଲା ଯେ ଏହା ବହୁଦିନ ପରିତ୍ୟକ୍ତ ଗୋଟାଏ ଚାଉଙ୍ଗ୍‌ କେଉଁ ଦୂର ଅତୀତରେ ଏଠାରେ ବୌଦ୍ଧଶ୍ରମଗଣ ବାସ କରୁଥିଲେ । ସମ୍ଭବତଃ ପାଖରେ ଗାଁ ଗଣ୍ଡା ବି ନାହିଁ ।

 

ଗୋଟାଏ ଭଙ୍ଗା କୋଠା, ଆଲୁଅ ନାହିଁ, ମଣିଷର ଚିହ୍ନ ନାହିଁ । ସାମନା ଘର ଭିତରେ ପାଦ ଦେଉ ନ ଦେଉଣୁ ବାଦୁଡ଼ି ଓ ଚେମେଣୀଙ୍କ ଭୟଙ୍କର ଗନ୍ଧରେ ଭାରତୀର ନିଃଶ୍ଵାସ ଅଟକିଗଲା–ତାରି ଭିତର ଦେଇ ଯିବାକୁ ହେବ । ଘରର ଗୋଟାଏ କୋଣରେ ଉପରକୁ ଉଠିବାର ଶିଡ଼ି–କାଠ ଶିଡ଼ିରେ ମଝିରେ ମଝିରେ ପଟା ନାହିଁ । ବହୁ କଷ୍ଟରେ ସ୍ତ୍ରୀର ସିଂର ହାତ ଧରି ଭାରତୀ ନିର୍ଦ୍ଦିଷ୍ଟ ସ୍ଥାନରେ ଆସି ପହଞ୍ଚିଲା । ଘରେ ଚଟେଇ ପଡ଼ିଛି, ଗୋଟାଏ ଦୁଇଟା ବଡ଼ ମହଣବତି ଜଳୁଛି ଓ ତା ପାଖରେ ସଭାନେତ୍ରୀ ଆସନରେ ସୁମିତ୍ରା ବସିଛନ୍ତି । ଆର ପାଖେ ଡାକ୍ତର ବସିଥିଲେ-। ସେ ତାକୁ ସ୍ନେହରେ ଡାକିଲେ–ଆସ ଭାରତୀ, ମୋ ପାଖେ ବସ ।

 

ଅଜଣା ଆଶଙ୍କାରେ ଭାରତୀର ଛାତି ଥରି ଉଠିଲା, ମୁହଁରୁ କଥା ବାହାରିଲା ନାହିଁ । ସେ ଦ୍ରୁତଗତିରେ ଯାଇ ଡାକ୍ତରଙ୍କ ପାଖରେ ଲାଗିକରି ବସି ରହିଲା । ତା କାନ୍ଧ ଉପରେ ବାଁ ହାତ ଥୋଇ ଡାକ୍ତର ତାକୁ ନୀରବ ଆଶ୍ୱାସନା ଦେଲେ । ହୀରା ସିଂ ଘର ଭିତରକୁ ଆସିଲା ନାହିଁ, ଦୁଆର ମୁହଁରେ ଠିଆ ହୋଇ ରହିଲା । ଭାରତୀ ଚାହିଁ ଦେଖିଲା, ଯେଉଁମାନେ ବସିଛନ୍ତି, ସେମାନଙ୍କ ଭିତରୁ ଚାରି ପାଞ୍ଚଜଣଙ୍କୁ ସେ ଚିହ୍ନେନା । ପରିଚିତଙ୍କ ଭିତରେ ଡାକ୍ତର, ସୁମିତ୍ରା, କୃଷ୍ଣଆୟାର୍‌ ଓ ଗୁମଦାସ ତଲ୍‌ଓ୍ୱାର୍‌କାର । ଆଉ ଜଣେ ଭୀଷଣାକୃତି ଲୋକ ପ୍ରଥମେ ଆଖିରେ ପଡ଼େ–ତାର ଦେହରେ ଗେରୁଆ ଆଲ୍‌ଖାଲ ଓ ମୁଣ୍ଡରେ ବୃହତ୍‌ ପଗଡ଼ି । ମୁହଁଟା ବଡ଼ ହାଣ୍ଡି ପରି ଗୋଲକାର ଓ ଦେହଟା ଗଣ୍ଡାପରି ସ୍ଥୂଳ, ମାଂସଳ ଓ କର୍କଶ । ଆଖି ଉପରେ ଭ୍ରୂଲତା ନାହିଁ, ଦାଢ଼ୀ ଓ ମୁଣ୍ଡର ବାଳ କହରା ଓ ଠିଆଠିଆ, ଦେହର ବର୍ଣ୍ଣ ତମ୍ବାପରି । ଲୋକଟା ଯେ ମଙ୍ଗୋଲ ଜାତୀୟ, ଭାରତୀ ଦେଖିଲାମାନେ ଜାଣି ପାରିଲା । ଦୁଇମିନଟ୍ ଭିତରେ ଘରର ସ୍ତବ୍‌ଧତା ସେ ଲକ୍ଷ୍ୟ କଲା ।

 

ସୁମିତ୍ରା କହିଲେ–ଭାରତୀ, ତମ ମନକଥା ମୁଁ ଜାଣେ । ତେଣୁ ତମକୁ ଡାକି ଆଣି କଷ୍ଟ ଦେବା ମୋ ଇଚ୍ଛା ନ ଥିଲା; କିନ୍ତୁ ଡାକ୍ତର ତା କରେଇ ଦେଲେନାହିଁ । ଅପୂର୍ବବାବୁ କଣ କରିଛନ୍ତି ଜାଣ ?

 

ଭାରତୀ ମନ ଭିତରେ ଦିନସାରା ଏଇଭଳି ଗୋଟାଏ ଶଙ୍କା ଆନ୍ଦୋଳିତ ହେଉଥିଲେ । ତା ମୁହଁ ବିବର୍ଣ୍ଣ ହୋଇଗଲା–ସେ ନୀରବରେ ଚାହିଁ ରହିଲା କେବଳ ।

 

ସୁମିତ୍ରା କହିଲେ–ବୋଥାକମ୍ପାନୀ ରାମଦାସକୁ ଆଜି ଡିସ୍‌ମିସ୍‌ କରିଛି । ଅପୂର୍ବ ବାବୁଙ୍କର ସେ ଦଶା ହୋଇଥାନ୍ତା, କେବଳ ପୁଲିସ୍ କମିଶନର ପାଖରେ ଆମ ବିଷୟରେ ସବୁ କଥା ବ୍ୟକ୍ତ କରିଥିବାରୁ ତାଙ୍କ ଚାକରିଟା ବଞ୍ଚି ଯାଇଛି । ଦରମା ତ କମ୍‌ ନୁହେଁ, ମାସକୁ ପାଞ୍ଚଶ ।

 

ରାମ ଦାସ କହିଲା–ହଁ ।

 

ସୁମିତ୍ରା ପୁଣି କହିଲେ–କେବଳ ଏତିକି ନୁହେଁ–‘ଚଲାପଥର ଦାବୀ’ ଯେ ବିଦ୍ରୋହୀ ଦଳ ଓ ଆମେ ଯେ ଲୁଚେଇ ପିସ୍ତଲ୍, ରିଭଲ୍‌ଭର ରଖୁ, ସେ ସଂବାଦ ସେ ଗୋପନ କରି ନାହାନ୍ତି । ଏହାର ଶାସ୍ତି କଣ ଭାରତୀ ? ସେ ଭୀଷଣାକୃତି ଲୋକଟା ଗର୍ଜ୍ଜି ଉଠି କହିଲା–ଡେଥ୍‌ । ଭାରତୀ ନିର୍ନିମେଷ ନୟନରେ ଲୋକଟାର ମୁହଁକୁ ଚାହିଁ ରହିଲା ।

 

ରାମଦାସ କହିଲା–ସବ୍ୟସାଚୀ ଯେ ଡାକ୍ତର, ଏ ଖବର ପୁଲିସ ଜାଣେ । ହୋଟେଲ ଘର ଭିତରୁ ତାଙ୍କୁ ଧରାଯାଇ ପାରେ, ଏକଥା ଜଣାଇବାକୁ ଅପୂର୍ବବାବୁ ତ୍ରୁଟି କରି ନାହାନ୍ତି; ଏପରିକି, ମୁଁ ଯେ ଏ ପୂର୍ବରୁ ପଲଟିକାଲ୍‌ କାରଣରୁ ଦୁଇବର୍ଷ ଜେଲ୍‌ ଭୋଗିଥିଲା, ସେ ଖବର ବି ।

 

ସୁମିତ୍ରା କହିଲେ–ଭାରତୀ, ଡାକ୍ତର ଧରାପଡ଼ିଲେ ତାର ଫଳ କଣ ଜାଣ ? ଫାଶୀ । ତା ନ ହେଲେ ଟ୍ରାନ୍‌ସପୋର୍ଟେସନ୍‌ । ଜେଣ୍ଟଲ୍‌ମେନ୍‌, ଏ ଅପରାଧ ପାଇଁ ଆପଣମାନେ କି ଶାସ୍ତି ଅନୁମୋଦନ କରନ୍ତି ?

 

ସମସ୍ତେ ଏକ ସ୍ଵରରେ କହିଲେ–ଡେଥ୍ ।

 

ଭାରତୀ, ତମର କିଛି କହିବାର ଅଛି–ସୁମିତ୍ରା ପଚାରିଲେ ।

ଭାରତୀ କଥା କହି ପାରିଲା ନାହିଁ, କେବଳ ମୁଣ୍ଡହଲାଇ ଜଣାଇଲା ଯେ ତାର କିଛି କହିବାର ନାହିଁ ।

ସେଇ ଭୟଙ୍କର ବ୍ୟକ୍ତି ଏଥର ବଙ୍ଗଳାରେ କଥା କହିଲା, ଉଚ୍ଚାରଣରୁ ମନେହେଲା ଯେ ସେ ଚଟ୍ଟଗ୍ରାମ୍‌ ଅଞ୍ଚଳର ମୁସଲମାନ । ସେ କହିଲା–ଏକ୍‌ଜିକ୍ୟୁସନର ଭାର ମୁଁ ନେଉଛି । ମୁଁ କିନ୍ତୁ ଗୁଳିଗୋଳା ବା ଛୁରିଛୁରା ବୁଝେନା–ଏଇ ମୋର ଗୁଳି–କହି ସେ ବାଘପରି ନିଜର ଦୁଇ ପଞ୍ଝାକୁ ଉପରକୁ ଉଠାଇଲା ।

କୃଷ୍ଣଆୟାର ଦ୍ଵାରପାଖେ ଠିଆ ହୋଇଥିବା ହୀରା ସିଂକୁ ଲକ୍ଷ୍ୟକରି କହିଲେ–ବଗିଚାର ଉତ୍ତର କୋଣରେ ଗୋଟାଏ ଶୁଖିଲା କୂଅ ଅଛି–ଟିକିଏ ବେଶି ମାଟି ମଡ଼ାଇ ଦେଇ କିଛି ଡାଳପତ୍ର ଘୋଡ଼ାଇଦେଲେ ଚଳିବ । ଯେମିତି ଗନ୍ଧ ନ ବାହାରେ ।

ହୀରା ସିଂ ଜଣାଇଲା ଯେ ସେ ଦିଗରେ କୌଣସି ତ୍ରୁଟି ହେବନାହିଁ ।

ତଲୱାରକାର କହିଲା–ବାବୁଜୀଙ୍କୁ ଦଣ୍ଡାଜ୍ଞା ଶୁଣାଇ ଦିଆଯାଉ ।

ଅପୂର୍ବର ଅପରାଧର ବିଚାର ପାଞ୍ଚମିନିଟ ଭିତରେ ସମାଧାନ ହୋଇଗଲା । ବିଚାରକଙ୍କ ରାୟ ଯେପରି ସଂକ୍ଷିପ୍ତ, ସେପରି ସ୍ପଷ୍ଟ–ନ ବୁଝିପାରିବାର ଜଟିଳତା ନାହିଁ । ଭାରତୀ ସବୁ ଶୁଣିଲା, କିନ୍ତୁ ତା କାନ ଓ ବୁଦ୍ଧିର ମଝିରେ କେଉଁଠି ଗୋଟାଏ ଦୁର୍ଭେଦ୍ୟ ପ୍ରାଚୀର ଠିଆ ହୋଇଥିଲା, ବାହାରର କିଛି ଖବର ଯେପରି ସେ ଭିତରେ ପହଞ୍ଚି ପାରୁ ନଥିଲା । ତେଣୁ ମୂଳରୁ ଶେଷଯାଏଁ ଯେ କେହି କଥା କହୁଥିଲା, ସେ ତା ମୁହଁକୁ ବ୍ୟାକୁଳ ଆଖିରେ ନିର୍ବୋଧ ପରି ଚାହୁଁଥିଲା କେବଳ । ଏତିକି ସେ ବୁଝିପାରିଥିଲା ଯେ ଅପୂର୍ବ ଗୁରୁତର ଅପରାଧ କରିଛି ଓ ଏମାନେ ତାକୁ ହତ୍ୟା କରିବା ପାଇଁ ଦୃଢ଼ସଂକଳ୍ପ । ଏଠି ତାର ଜୀବନ ସଂକଟାପନ୍ନ । କିନ୍ତୁ ଏ ବିପଦର ରୂପରେଖ ସେ ସମ୍ପୂର୍ଣ୍ଣ ହୃଦୟଙ୍ଗମ କରିପାରୁ ନ ଥିଲା । ସୁମିତ୍ରାଙ୍କ ଇଙ୍ଗିତରେ ଜଣେ ବ୍ୟକ୍ତି ଉଠି ବାହାରକୁ ଗଲା ଏବଂ ଦୁଇ ମିନିଟ ପରେ ସେ ଦୃଶ୍ୟ ତା ଆଖିରେ ପଡ଼ିଲା, ତା ସ୍ଵପ୍ନାତୀତ । ସେ ଲୋକଟା ଅପୂର୍ବକୁ ନେଇ ଘରେ ପହଞ୍ଚିଲା । ଅପୂର୍ବର ଦୁଇହାତ ଦଉଡ଼ିରେ ପିଠିପାଖକୁ ବନ୍ଧା ହୋଇଛି ଏବଂ ଅଣ୍ଟାରୁ ଗୋଟାଏ ବିରାଟ ପଥର ଝୁଲୁଛି । ମୁହୂର୍ତ୍ତକ ମଧ୍ୟରେ ଭାରତୀ ଜ୍ଞାନହରାଇ ଡାକ୍ତରଙ୍କ ଉପରକୁ ଢଳି ପଡ଼ିଲା । ସମସ୍ତେ ଅପୂର୍ବ ପ୍ରତି ଚାହିଁ ଥିବାରୁ ଜଣକ ବ୍ୟତୀତ ଅନ୍ୟମାନେ ଏହା ଜାଣିପାରିଲେ ନାହିଁ ।

ଭାରତୀ ଏଠାକୁ ଆସିବା ପୁର୍ବରୁ ଅପୂର୍ବର ଜବାବ୍‌ ସୁଆଲ୍‌ ଶେଷ ହୋଇଯାଇଥିଲା । ଅଫିସ୍‌ର ବଡ଼ ସାହେବ ଓ ପୋଲିସ ସାହେବ ମିଶି ତାଠାରୁ ସମସ୍ତ ତଥ୍ୟ ଆଦାୟ କରି ନେଇଛନ୍ତି, କିନ୍ତୁ କାହିଁକି ସେ ଦଳର ଓ ଦେଶର ଏ ଶତ୍ରୁତା କଲା, ତା ସେ କହି ପାରିଲା ନାହିଁ ।

ଆଜି ବାରଟା ବେଳେ ରାମଦାସ ଏ ଖବର ସୁମିତ୍ରାକୁ ଦେଲା । ଦଣ୍ଡ ସ୍ଥିର ହୋଇଗଲା ଓ ଅପୂର୍ବକୁ ହସ୍ତଗତ କରିବାପାଇଁ ଉପାୟ କରାଗଲା । ଅଫିସ ଛୁଟିପରେ ଆଜି ଅପୂର୍ବ ଚାଲି ଚାଲି ବସାକୁ ଯିବାକୁ ସାହସ କରିବନାହିଁ, ଏ କଥା ଅନୁମାନ କରି ସେମାନଙ୍କର ଭଡ଼ା ଗାଡ଼ିକୁ ହୀରା ସିଂ ସାହାଯ୍ୟରେ ଅଫିସ ଆଗରେ ରଖାଗଲା । ଅପୂର୍ବ ସହଜରେ ଏ ଫାନ୍ଦରେ ପଡ଼ିଗଲା । କିଛି ଦୂର ପରେ ଗାଡ଼ୋୟାନ ଜଣାଇଲା ଯେ ପୋଲ ଭାଙ୍ଗି ଯାଇଥିବାରୁ ରାସ୍ତା ବନ୍ଦ ଅଛି; ଅନ୍ୟବାଟେ ଘୂରି ଯିବାକୁ ହେବ । ଅପୂର୍ବ ରାଜିହେଲା । ଏହାପରେ ସେ ବୋଧହୁଏ ଅନ୍ୟମନସ୍କ ହୋଇ ପଡ଼ିଥିଲା । ଘଣ୍ଟାଏ ପରେ ସେ ଯେତେବେଳେ କୁଆଡ଼େ ଯାଉଛି ବୋଲି ପଚାରିଲା, ହୀରା ସିଂ ତାକୁ ପିସ୍ତଲ୍‌ଦେଖାଇ ଏଠାକୁ ନେଇଆସିଲା ।

ସୁମିତ୍ରା କହିଲେ–ଅପୂର୍ବ ବାବୁ, ଆମେ ଆପଣଙ୍କୁ ଡେଥ୍‌ ସେଣ୍ଟନ୍‌ସ୍‌ ଦେଲୁ । ଆପଣଙ୍କର ଆଉ କିଛି କହିବାର ଅଛି ?

ଅପୂର୍ବ ମୁଣ୍ଡ ହେଲାଇ ଜଣାଇଲା–ନା । ତା ମୁହଁରୁ ଜଣା ପଡ଼ୁଥିଲା ଯେ ସେ କିଛି ବୁଝିନାହିଁ ।

ଡାକ୍ତର ଏ ପର୍ଯ୍ୟନ୍ତ କିଛି କହି ନଥିଲେ । ହୀରା ସିଂକୁ କହିଲେ–ହୀରା, ତମ ପିସ୍ତଲ୍‌ଟା କାହିଁ ?

ହୀରା ସିଂ ସୁମିତ୍ରାଙ୍କୁ ଦେଖାଇ ଦେଲା । ଡାକ୍ତର ହାତ ବଢ଼ାଇ କହିଲେ–ସୁମିତ୍ରା, ପିସ୍ତଲ୍‌ଟା ଦେଖି ।

ସୁମିତ୍ରା ବେଲ୍‌ଟ ଖୋଲି ପିସ୍ତଲ୍‌ଟା ବଢ଼ାଇ ଦେଲେ । ଡାକ୍ତର ପଚାରିଲେ–ଆଉ କାହା ପାଖରେ ପିସ୍ତଲ୍‌ ଅଛି ?

 

ଆଉ କାହା ପାଖେ ନ ଥିଲା । ସେତେବେଳେ ପିସ୍ତଲ୍‌ଟା ପକେଟ୍‌ରେ ରଖି ଡାକ୍ତର ସାମାନ୍ୟ ହସି କହିଲେ–ସୁମିତ୍ରା, ତୁମେ କହିଲ, ଆମେ ଡେଥ୍‌ସେଣ୍ଟେନ୍‌ସ ଦେଲୁ । କିନ୍ତୁ ଭାରତୀ ତ ଦେଇନି ।

 

ସୁମିତ୍ରା ମୁହୂର୍ତ୍ତକ ପାଇଁ ଭାରତୀ ମୁହଁକୁ ଚାହିଁ ଦୃଢ଼କଣ୍ଠରେ କହିଲେ–ଭାରତୀ ଦେଇପାରେନା ।

 

ଡାକ୍ତର କହିଲେ–ପାରିବା ଉଚିତ ବି ନୁହେଁ । ସେଇ କଥା ନା ? ଭାରତୀ କଥା କହିପାରିଲା ନାହିଁ, ସେ ଏଇ କଠିନ ପ୍ରଶ୍ନରେ ବିମୂଢ଼ ହୋଇ ନଇଁପଡ଼ି ଡାକ୍ତରଙ୍କ କୋଳରେ ମୁହଁମାଡ଼ି ପଡ଼ିରହିଲା କେବଳ ।

 

ଡାକ୍ତର ତା ମୁଣ୍ଡ ଉପରେ ଗୋଟାଏ ହାତ ରଖି କହିଲେ–ଅପୂର୍ବ ବାବୁ ଯାହା କରିଛନ୍ତି, ତା ଆଉ ଫେରିବ ନାହିଁ । ତାର ଫଳ ଆମକୁ ଭୋଗ କରିବାକୁ ହେବ । ଶାସ୍ତି ଦେଲେ ବି, ନ ଦେଲେ ବି । ମୁଁ କହେ ଏଥିରେ କିଛି ଲାଭନାହିଁ–ଭାରତୀ ତାଙ୍କ ଭାର ନିଅନ୍ତୁ । ଏଇ ଦୁର୍ବଳ ମଣିଷଟାକୁ ମଜ୍‌ଭୁତ୍‌ କରି ତିଆରି କରନ୍ତୁ । କଣ କହୁଛ ସୁମିତ୍ରା ?

 

ସୁମିତ୍ରା । କହିଲେ–ନା ।

 

ସମସ୍ତେ ଏକ ସଙ୍ଗେ କହିଲେ–ନା ।

 

ସେହି କଦାକାର ଲୋକଟା ସର୍ବାପେକ୍ଷା ଅଧିକ ଆସ୍ଫାଳନ କଲା । ସେ ହାତଉଠାଇ ଭାରତୀକୁ ଇଙ୍ଗିତ କରି କଣ ଗୋଟାଏ କହିଲା ।

 

ସୁମିତ୍ରା କଠିନ କଣ୍ଠରେ କହିଲେ–ଆମେ ସମସ୍ତେ ଏକମତ ଯେ ଏତେ ବଡ ଅନ୍ୟାୟକୁ ପ୍ରଶୟ ଦେଲେ ସମସ୍ତ ଭାଙ୍ଗି ଚୁର୍‌ମାର୍‌ ହୋଇଯିବ ।

 

ଡାକ୍ତର କହିଲେ–ଯଦି ଯାଏ, ତେବେ ଉପାୟ କଣ ? ସୁମିତ୍ରାଙ୍କ ସହ ଅନ୍ୟମାନେ ଗର୍ଜିଉଠି କହିଲେ–ଉପାୟ କଣ ? ଦେଶପାଇଁ, ସ୍ଵାଧୀନତା ପାଇଁ, ଆମେ କଛି ମାନିବୁ ନାହିଁ । ଆପଣଙ୍କର ଜଣକ କଥାରେ କିଛି ହୋଇପାରିବ ନାହିଁ ।

 

ଚିତ୍କାର ବନ୍ଦ ହେଲା ପରେ ଡାକ୍ତର କଥା କହିଲେ । ଏଥର ତାଙ୍କ କଣ୍ଠ ଆଶ୍ଚର୍ଯ୍ୟ ରକମର ଶାନ୍ତ ଓ ମୃଦୁ । ସେଥିରେ ଉତ୍ସାହ ବା ଉତ୍ତେଜନା ନ ଥିଲା । ସେ କହିଲେ–ସୁମିତ୍ରା, ବିଦ୍ରୋହକୁ ପ୍ରଶ୍ରୟ ଦିଅନାହିଁ । ତମେ ତ ଜାଣ, ମୋର ଜଣକର ମତ– ତମମାନଙ୍କର ଶହେଜଣକ ମତ ଅପେକ୍ଷା ଅଧିକ କଠିନ । ସେଇ ଭୟଙ୍କର ଲୋକଟା ପ୍ରତି ଲକ୍ଷ୍ୟ କରି କହିଲେ–ବ୍ରଜେନ୍ଦ୍ର, ତମର ଔଦ୍ଧତ୍ୟ ପାଇଁ ବାଟାଭିୟାରେ ଥରେ ମତେ ଶାସ୍ତି ଦେବାପାଇଁ ବାଧ୍ୟ କରିଥିଲ, ଦ୍ୱିତୀୟଥର କରନି ।

 

ଭାରତୀ ମୁହଁ ନ ଉଠାଇ ସେପରି ପଡ଼ି ରହିଥିଲା; କିନ୍ତୁ ତା ଦେହସାରା ଥରୁଥିଲା । ତାର ପିଠି ଉପରେ ସ୍ନେହରେ ହାତବୁଲାଇ ଡାକ୍ତର ସହଜ ସ୍ତରରେ କହିଲେ–ଭୟ ନାହିଁ ଭାରତୀ, ମୁଁ ଅପୂର୍ବକୁ ଅଭୟ ଦେଉଛି ।

 

ଭାରତୀ ମୁହଁ ଟେକିଲା ନାହିଁ, ଭରସା ବି ପାଇଲାନାହିଁ । ଡାକ୍ତରଙ୍କ ଡାହାଣ ହାତର ସବୁ ଆଙ୍ଗୁଠିଗୁଡ଼ାକ ନିଜ ହାତ ଭିତରେ ଧରିନେଇ ଆସ୍ତେ ଆସ୍ତେ କହିଲା– କିନ୍ତୁ ସେମାନେ ?

 

ଡାକ୍ତର କହିଲେ–ସେମାନେ ସହଜରେ ଭୁଲିବେ ନାହିଁ । କିନ୍ତୁ ସେମାନେ ବୁଝନ୍ତି ଯେ ମୁଁ ଯାହାକୁ ଅଭୟ ଦେଲି, ତାକୁ ସ୍ପର୍ଶ କରାଯାଇ ପାରେନା । ଟିକିଏ ହସି କହିଲେ–ଭଲ ଖାଇବାକୁ ପାଏନା ଭାରତୀ, ଅଧାଖାଇ ପ୍ରାୟ ପ୍ରତିଦିନ ରହେ–ତଥାପି ସେମାନେ ଜାଣନ୍ତି ଯେ ଏଇ କେତେଟାର ସରୁ ଆଙ୍ଗୁଠିର ଚାପରେ ଆଜି ବି ବ୍ରଜେନ୍ଦ୍ରର ଟାଣୁଆ ପଞ୍ଝା ଗୁଣ୍ଡା ହୋଇଯିବ । କଣ କହୁଛ ବ୍ରଜେନ୍ଦ୍ର ?

 

ବ୍ରଜେନ୍ଦ୍ରର ମୁହଁ କଳା ପଡ଼ିଗଲା, ସେ ନୀରବରେ ବସି ରହିଲା । ଡାକ୍ତର ପୁଣି କହିଲେ–କିନ୍ତୁ ଅପୂର୍ବ ଯେପରି ଆଉ ଏ ଦେଶରେ ନ ରହେ, ସେ ଦେଶକୁ ଫେରିଯାଉ । ଅପୂର୍ବ ଟ୍ରେଟର୍‌ ନୁହେଁ, ସେ ମାତୃଭୂମିକୁ ହୃଦୟ ଦେଇ ଭଲପାଏ; କିନ୍ତୁ ଅଧିକାଂଶ ବଙ୍ଗାଳୀ–ଥାଉ, ଆଉ ସ୍ଵଜାତିର ନିନ୍ଦା କରି ଲାଭନାହିଁ–ବଡ଼ ଦୁର୍ବଳ । ତାକୁ ମଜବୁତ କରିବାର ଦାୟିତ୍ଵ ତମକୁ ଦେଲି ସତ; କିନ୍ତୁ ମୋର ଭରସା ନାହିଁ ଭାରତୀ । ଘରକୁ ଫେରିଗଲେ ତାକୁ ଆଜିର କଥା ବା ତମ କଥା–କୌଣସିଟା ଭୁଲିବାକୁ ବେଶି ସମୟ ଲାଗିବନାହିଁ । ଯାହାହେଉ, ସେ ସବୁ ପରେ । ଆପାତତଃ ମୁଁ ସଭାନେତ୍ରୀଙ୍କୁ ଅନୁରୋଧ କରୁଛି ଆଜି ପାଇଁ ସଭା ଭଙ୍ଗହେଉ । ଏହା କହି ସେ ସୁମିତ୍ରାକୁ ଚାହିଁଲେ ।

 

ସୁମିତ୍ରା ପୂର୍ବଭଳି କହିଲେ–ଅଧିକାଂଶଙ୍କ ମତ ଯେଉଁଠି ବ୍ୟକ୍ତିବିଶେଷର ଦେହର ଜୋର ବଳରେ ପରାଭୂତ ହୁଏ, ତାକୁ ଆଉ ଯାହା କହନ୍ତୁ, ସଭା କୁହାଯାଇ ପାରିବନାହିଁ, କିନ୍ତୁ ଏଇ ନାଟକ ଅଭିନୟ କରିବା ଯଦି ଆପଣଙ୍କ ଇଚ୍ଛା ଥିଲା, ତେବେ ଆଗରୁ କହିଲେନି କାହିଁକି ?

 

ଡାକ୍ତର କହିଲେ–ନ ହୋଇଥିଲେ ହୁଏତ ଭଲ ହୋଇଥାନ୍ତା, କିନ୍ତୁ ଅବସ୍ଥା ବିଶେଷରେ ଯଦି ନାଟକ ହୋଇଥାଏ, ତେବେ ଅଭିନୟଟା ସେ ଉତ୍କୃଷ୍ଟ ହୋଇଛି, ଏକଥା ତମକୁ ସ୍ଵୀକାର କରିବାକୁ ହେବ ।

 

ରାମଦାସ କହିଲା–ଏ ଭଳି ହେବ ବୋଲି ମୋର ମୋଟେ ଧାରଣା ନ ଥିଲା ।

 

ଡାକ୍ତର କହିଲେ–ବନ୍ଧୁତ୍ଵ ଜିନିଷଟା ଏଭଳି କ୍ଷଣଭଙ୍ଗୁର; ଏ ଧାରଣା କଣ ତମର ଥିଲା, ରାମଦାସ ? ଅଥଚ ତା ଭଳି ସଭ୍ୟ ଜଗତରେ ଦୁର୍ଲଭ ।

 

କୃଷ୍ଣ ଆୟାର କହିଲେ–ବାର୍ମାରେ ଆମର ଆକ୍‌ଟିଭିଟି ଶେଷହେଲା । ଏଥର ପଳେଇବାକୁ ହେବ ।

 

ଡାକ୍ତର କହିଲେ–ହଁ, କିନ୍ତୁ ସମୟ ଅନୁଯାୟୀ ସ୍ଥାନ ତ୍ୟାଗକରିବା ଓ ଆକଟିଭିଟି ତ୍ୟାଗ କରିବା, ଏକା କଥା ନୁହେଁ, ଆୟାର ! ଦୀର୍ଘକାଳ କୌଣସି ଜାଗାରେ ନିଶ୍ଚିନ୍ତଭାବେ ରହି ହେଲାନି ବୋଲି ଅଭିଯୋଗ କରିବା ଆମ ମୁହଁରେ ସାଜେ ନା । ଏହା କହି ସେ ଭାରତୀକୁ ଉଠିବାକୁ ଇଙ୍ଗିତ ଦେଇ ଠିଆହୋଇ କହିଲେ–ହୀରା ସିଂ, ଅପୂର୍ବର ଦଉଡ଼ିଟା ଖୋଲିଦିଅ–ଚାଲ ଭାରତୀ, ତମକୁ ଟିକିଏ ନିରାପଦରେ ଛାଡ଼ିଦେଇ ଆସେ ।

 

ହୀରା ସିଂ ଆଦେଶ ପାଳନ କରିବାକୁ ଗଲାପରେ ସୁମିତ୍ରା ରୁକ୍ଷକଣ୍ଠରେ କହିଲେ–ଅଭିନୟର ଶେଷ ଅଙ୍କରେ ଆନନ୍ଦରେ ଢାଳି ଦେବାକୁ ଇଚ୍ଛାହୁଏ । ପିଲାଦିନେ ଏମିତି ଗୋଟାଏ କେଉଁ ଉପନ୍ୟାସରେ ପଢ଼ିଥିଲି–କିନ୍ତୁ ଟିକିଏ ବାଦ୍ ପଡ଼ିଗଲା । ଯୁଗଳମିଳନ ଆମ ଆଗରେ ହୋଇ ଯାଇଥିଲେ ଅଭିନୟରେ ଆଉ ଦୋଷ ନଥାନ୍ତା, କଣ କହୁଛ ଭାରତୀ ?

 

ଭାରତୀ ଲାଜରେ ଜଡ଼ସଡ଼ ହୋଇଗଲା । ଡାକ୍ତର କହିଲେ–ଏଥିରେ ଲଜ୍ଜିତ ହେବାର କିଛି ନାହିଁ, ଭାରତୀ ! ବରଂ ମୁଁ କାମନା କରୁଛି ଯେ ଅଭିନୟ ସମାପ୍ତ କରିବାର କର୍ତ୍ତା, ସେ ଯେମିତି କୌଣସିଦିନ ଏଟା ବାକୀ ନ ରଖନ୍ତି । ପକେଟ୍‌ରୁ ପିସ୍ତଲଟା ବାହାର କରି ସୁମିତ୍ରା ପାଖେ ରଖିଦେଇ ଡାକ୍ତର କହିଲେ–ମୁଁ ଏମାନଙ୍କୁ ଛାଡ଼ିଦେବାକୁ ଚାଲିଲି, କିନ୍ତୁ ଭୟନାହିଁ, ମୋ ପାଖେ ଆଉ ଗୋଟାଏ ପିସ୍ତଲ ଅଛି । ବ୍ରଜେନ୍ଦ୍ର ପ୍ରତି ଦୃଷ୍ଟି ପକାଇ କହିଲେ–ତମେ ସବୁ ତ ଥଟ୍ଟା କରି କହ, ଅନ୍ଧାରରେ ମୁଁ ପେଚାପରି ଦେଖିପାରେ–ଆଜି ଯେପରି କେହି ସେ କଥା ଭୁଲି ନ ଯାଏ । ଏହା କହି ସେ ଭାରତୀ ଓ ଅପୂର୍ବକୁ ନେଇ ବାହାରିଲେ ।

 

ସୁମିତ୍ରା ହଠାତ ଠିଆ ହୋଇ କହି ଉଠିଲେ–ଫାଶୀ ଦଉଡ଼ିଟା ନିଜ ହାତରେ ଗଳାରେ ନ ପିନ୍ଧିଲେ ଚଳିବ ନାହିଁ ?

 

ଡାକ୍ତର ହସି ଉଠି କହିଲେ–ସାମାନ୍ୟ ଗୋଟାଏ ଦଉଡ଼ିକୁ ଭୟ କଲେ ଚଳିବ କେମିତି, ସୁମିତ୍ରା ?

 

ସୁମିତ୍ରା ବ୍ୟାକୁଳ କଣ୍ଠରେ କହିଉଠିଲେ–ସବୁ ତ ଛତ୍ରଭଙ୍ଗ ହୋଇଗଲା, ପୁଣି କେବେ ଦେଖା ହେବ ।

 

ଡାକ୍ତର କହିଲେ–ପ୍ରୟୋଜନ ଥିଲେ ହେବ ନିଶ୍ଚୟ ।

 

ପ୍ରୟୋଜନ କଣ ହେଇନି ?

 

ହୋଇଥିଲେ ନିଶ୍ଚୟ ଆଉ ଥରେ ଦେଖାହେବ–କହି ଡାକ୍ତର ଅପୂର୍ବ ଓ ଭାରତୀକୁ ସଙ୍ଗରେ ଧରି ସାବଧାନରେ ତଳକୁ ଓହ୍ଲାଇ ଆସିଲେ ।

 

ଯେଉଁ ଗାଡ଼ି ଭାରତୀକୁ ଧରି ଆସିଥିଲା, ତାହା ଅପେକ୍ଷା କରିଥିଲା । ସେଥିରେ ବସି ତିନି ଜଣଯାକ ବାହାରିଲେ । କିଛି ସମୟ ପରେ ଭାରତୀ ପଚାରିଲା–ଭାଇ, ଆମେ କୁଆଡ଼େ ଯାଉଛେ ?

 

ଅପୂର୍ବ ବାବୁଙ୍କ ବସାକୁ–କହି ଡାକ୍ତର ଗାଡ଼ିରୁ ମୁହଁ ବଢ଼ାଇ ଅନ୍ଧାରକୁ ତୀକ୍ଷ୍‌ଣଦୃଷ୍ଟିରେ ଚାହିଁ ରହିଲେ । ପ୍ରାୟ ଦୁଇମାଇଲ ଖଣ୍ଡେ ଆଗେଇଲା ପରେ ଗାଡ଼ି ଅଟକାଇ ଡାକ୍ତର ଓହ୍ଲାଇ ପଡ଼ିଲେ । ଭାରତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା–ଏଠି କାହିଁକି ଓହ୍ଲାଇଲେ ?

 

ଡାକ୍ତର କହିଲେ–ମୁଁ ଫେରିବି । ସେମାନେ ଅପେକ୍ଷା କରିଥିବେ, ଗୋଟାଏ ବୁଝାମଣା ହବା ତ ଦରକାର ।

 

ଭାରତୀ ବ୍ୟାକୁଳ ହୋଇ ତାଙ୍କ ହାତ ଧରିପକାଇ କହିଲା–ସେ କଥା ହେଇ ପାରିବ ନାହିଁ, ତୁମେ ସାଙ୍ଗରେ ଆସ । କିନ୍ତୁ କହିସାରି ସେ ଅପ୍ରତିଭ ହୋଇଉଠିଲା; କାରଣ ଡାକ୍ତରଙ୍କ କହିବାମାତ୍ରେ ସ୍ଥିର ନିଷ୍ପତ୍ତି, ସଂସାରରେ କୌଣସି ଭୟ ତାଙ୍କୁ ବିଚଳିତ କରି ପାରିବ ନାହିଁ । ତଥାପି ଭାରତୀ ତାଙ୍କ ହାତ ନ ଛାଡ଼ି ଧୀରେ ଧୀରେ କହିଲା– ତମଠି ସେ ମୋର ବହୁତ ଜରୁରୀ କାମ ଅଛି, ଭାଇ !

 

ସେ କଥା ମୁଁ ଜାଣେ । ଅପୂର୍ବବାବୁ, ଆପଣ କ’ଣ ପ’ରଦିନ ଜାହାଜରେ ଘରକୁ ଯାଇ ପାରିବେ ନାହିଁ ?

 

ଅପୂର୍ବ କହିଲା–ପାରିବି ।

 

ଭାରତୀ କହିଲା–ଭାଇ, ମତେ ଯେ ଏଇନେ ବସାକୁ ଯିବାକୁ ହେବ ।

 

ଡାକ୍ତର କହିଲେ–ନା । ତମର କାଗଜପତ୍ର, ଅନୁଷ୍ଠାନ ଖାତା, ପିସ୍ତଲ ଟୋଟା, ସବୁ ନବତାରା ନେଇଯାଇଥିବ । ଭୋରପୂର୍ବରୁ ଖାନ୍‌ତଲ୍ଲାସି ହେବ–ଆର୍ଟିଷ୍ଟ ବସିଥିବେ ତାଙ୍କ ମଦ ବୋତଲ ଓ ଭଙ୍ଗା ବେହେଲାଟା ନେଇ । ଅପୂର୍ବବାବୁ, ଆପଣଙ୍କର ସେ ବେହେଲା ଉପରେ ଦାବୀ ଅଛି, ନା ? ସାମାନ୍ୟ ହସି ଡାକ୍ତର ପୁଣି କହିଲେ–ୟା ଛଡ଼ା ଆଉ କିଛି ଭୟଙ୍କର ଜିନିଷ ପୋଲିସ୍‌ ସାହେବଙ୍କ ହାତରେ ପଡ଼ିବ ନାହିଁ । କାଲି ନ’ଟା-ଦଶଟା ବେଳକୁ ବସାକୁ ଫେରି ରନ୍ଧାବଢ଼ା ସାରି ଖାଇପିଇ ଟିକେ ଶୋଇବାକୁ ବି ସମୟ ପାଇବ, ଭାରତୀ ! ରାତି ଦୁଇଟା ତିନିଟାବେଳକୁ ଦେଖା ହେବ–କିଛି ଖାଇବାକୁ ରଖିଥବ ।

 

ଭାରତୀ ଅବାକ୍‌ ହୋଇ ରହିଲା । ମନେ ମନେ ଭାବିଲା–ଏଭଳି ସଜାଗ ନ ହେଲେ ଏ ମରଣ-ଯଜ୍ଞରେ କିଏ ଝାସଦେବ ? କହିଲା–ଭାଇ, ତମର ଦୃଷ୍ଟି କିଛି ଏଡ଼ାଏ ନାହିଁ; ସମସ୍ତଙ୍କର ତମେ ଭଲ ମନ୍ଦ ଚିନ୍ତାକର । ମୋର ଏ ସଂସାରରେ ଆପଣାର କେହି ନାହିଁ । ତମ ଅନୁଷ୍ଠାନରୁ ମତେ ବିଦାୟ ଦିଅନି ଭାଇ !

 

ଅନ୍ଧାରରୁ ବାରମ୍ବାର ମୁଣ୍ଡ ହଲାଇ ଡାକ୍ତର କହିଲେ–ଭଗବାନଙ୍କ କାମରୁ ବାଦ୍‌ ଦେବାର ଅଧିକାର କାହାର ନାହିଁ; କିନ୍ତୁ ତମକୁ କାମର ଧାରା ବଦଳାଇବାକୁ ହେବ ।

 

ଭାରତୀ କହିଲା–ତମେ ବଦଳାଇ ଦିଅ ।

 

ଡାକ୍ତର ଏ ପ୍ରଶ୍ନର ଉତ୍ତର ନ ଦେଇ ହଠାତ୍‌ ବ୍ୟଗ୍ର ହୋଇ କହିଲେ–ଭାରତୀ, ମୋର ଆଉ ସମୟ ନାହିଁ, ମୁଁ ଚାଲିଲି । ଅନ୍ଧାର ଭିତରେ ସେ ଧୀରେ ଧୀରେ ଅଦୃଶ୍ୟ ହୋଇଗଲେ ।

 

ଊଣେଇଶି

 

ଗାଡ଼ି ଚାଲିବାରୁ ଭାରତୀ ଅପୂର୍ବର ବସାର ଠିକଣା କହିବାକୁ ଯାଇ କହିଲା–ଦେଖ, ତିରିଶ ନମ୍ବର–

 

‘ଆଇ ନୋ, ଆଇ ନୋ’ କହି ଗାଡ଼ୋୟାନ ସମ୍ମତି ଦେଇ । ଗାଡ଼ିର ପରିସର କ୍ଷୁଦ୍ର ହୋଇଥିବାରୁ ଉଭୟେ ଲାଗିକରି ବସିଥିଲେ । ଗାଡ଼ୋୟାନର ମୁଖର କଥା ଶୁଣି ଅପୂର୍ବର ଦେହ ଯେ ଶିହରି ଉଠିଲା, ଭାରତୀ ତା ସ୍ପଷ୍ଟ ଅନୁଭବ କଲା । ପ୍ରାୟ ଘଣ୍ଟାଏ ଖଣ୍ଡେ ଧଡ଼ର୍‌ଧଡ଼ର୍‌ ହୋଇ ଗାଡ଼ି ଚାଲିବାକୁ ଲାଗିଲା । ଅନ୍ଧାର ରାତିରେ ନିଃଶବ୍ଦ ରାସ୍ତା ଉପରେ ଗାଡ଼ିର ଯେ ଶବ୍ଦ ହେଉଥିଲା, ଅପୂର୍ବର ଭୟ ହେବାକୁ ଲାଗିଲା–ସାଇସାରା ସମସ୍ତଙ୍କର ଏଥିରେ ନିଦ ଭାଙ୍ଗିବା ଓ ପୋଲିସ୍‌ ଆସି ପହଞ୍ଚିବ । କିନ୍ତୁ କୌଣସି ଦୁର୍ଘଟଣା ଘଟିଲା ନାହିଁ; ଗାଡ଼ି ଆସି ଦୁଆରମୁହଁରେ ଲାଗିଲା । ଭାରତୀନିଜେ ଓହ୍ଳାଇ ଆସି ଅପୂର୍ବକୁ ଓହ୍ଲାଇବା ପାଇଁ ଇଙ୍ଗିତରେ ଜଣାଇଲା ଓ ଗାଡ଼ିବାଲାକୁ ପଚାରିଲା–କେତେ ଭଡ଼ା ?

 

ଗାଡୋୟାନ ସାମାନ୍ୟ ହସି କହିଲା–ନଟ୍‌ ଏ ପାଇ । ଗୁଡ଼ ନାଇଟ୍‌ ଟୁ ଇଉ । ତା ପରେ ଗାଡ଼ି ନେଇ ଚାଲିଗଲା ।

 

ଭାରତୀ ପଚାରିଲା–ତେୱାରୀ ଅଛି ତ ?

 

ଅଛି ।

 

ଉପରକୁ ଉଠି ଦ୍ଵାରରେ ବାଡ଼େଇବା ପୂର୍ବରୁ ତେୱାରୀ ଉଠିସାରିଥିଲା । କବାଟ ଖୋଲି ସେ ପ୍ରଥମେ ଭାରତୀକୁ ଦେଖିଲା । କାଲି ଅପୂର୍ବ ପ୍ରାୟ ସକାଳୁ ଫେରିଥିଲା, ଆଜି ଫେରିଛି ପାହାନ୍ତିଆରେ, ସାଙ୍ଗରେ ଭାରତୀ । ତେଣୁ ବୁଝିବା ପାଇଁ ତେୱାରୀର କିଛି ବାକୀ ରହିଲା ନାହିଁ । ରାଗରେ ସେ ଗୋଟାସୁଦ୍ଧା ଲାଲ୍‌ ପଡ଼ିଗଲା ଓ ଦ୍ରୁତ ପଦକ୍ଷେପରେ ଯାଇ ଚାଦର ଘୋଡ଼େଇ ହୋଇ ଶୋଇଗଲା । ତେୱାରୀ ଭାରତୀକୁ ଭଲପାଏ । ଦିନେ ତାକୁ ସେ ଆସନ୍ନ-ମୃତ୍ୟୁରୁ ରକ୍ଷା କରିଥିଲା ବୋଲି ଖ୍ରୀଷ୍ଟାନ୍‌ ହେଲେ ବି ସେ ତାକୁ ଶ୍ରଦ୍ଧା କରେ । କିନ୍ତୁ ଗତ କିଛି ଦିନ ଧରି ଘଟଣାର ଗତିରେ ଅପୂର୍ବ ସମ୍ପର୍କରେ ନାନା ଦୁଶ୍ଚିନ୍ତା ତେୱାରୀର ମନକୁ ଆଚ୍ଛନ୍ନ କରି ପକାଇଥିଲା । ଜାତି ନଷ୍ଟ ହେବାର ପ୍ରକଟ ମୂର୍ତ୍ତି ଆଦି ତା ମନରେ ସ୍ପଷ୍ଟ ଆଙ୍କି ହୋଇଗଲା । ତାକୁ ଏଭଳି ଶୋଇପଡ଼ିବାର ଦେଖି ଅପୂର୍ବ ପଚାରିଲା–ଦୁଆର ଦେଲୁନି ତେୱାରୀ ?

 

ତେୱାରୀର ଉଦ୍‌ଭ୍ରାନ୍ତ ବ୍ୟବହାର ଭାରତୀ ଲକ୍ଷ୍ୟ କରିଥିଲା । ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲା–ମୁଁ ବନ୍ଦ କରି ଦେଉଛି ।

 

ଅପୂର୍ବ ଶୋଇବାଘରେ ଆସି ଦେଖିଲା–ଶେଯ ଗୋଟାହୋଇ ରହିଛି । ପ୍ରକୃତରେ ଆଜି ଉପରବେଳା କେବଳ ବାରଣ୍ଡାରେ ବସି ବସି ତେୱାରୀର କଟିଯାଇଛି, ସେ ଶେଯ ପକାଇ ନାହିଁ । ଭାରତୀ ବ୍ୟସ୍ତ ହୋଇ କହିଲା–ଆପଣ ଆରାମ୍‍ ଚଉକିରେ ବସନ୍ତୁ, ମୁଁ ମୁହୂର୍ତ୍ତକରେ ଠିକ୍‌ କରି ଦେଉଛି ।

 

ଚେୟାର୍‌ରେ ଆଉଜିପଡ଼ି ଅପୂର୍ବ ଡାକିଲା–ଗିଲାସେ ପାଣି ଦେଲୁ ତେୱାରୀ ?

 

ତା ପାଖରେ ଟୁଲ ଉପରେ ମାଠିଆ ଓ ଗିଲାସ ଥିଲା । ଭାରତୀ ଶେଯ ପକାଉ ପକାଉ କହିଲା–ଆଉ ତାକୁ କାହିଁକି ନିଦରୁ ଉଠାଇବେ, ଆପଣ ନିଜେ ଢାଳି ନେଇ ପିଅନ୍ତୁ ।

 

ଅପୂର୍ବ ହାତ ବଢ଼ାଇ ମାଠିଆଟାକୁ ଟେକି ପାରିଲା ନାହିଁ । ଉଠି ଆସି କୌଣସି ମତେ ଏକନିଃଶ୍ଵାସରେ ଗିଲାସେ ପାଣି ପିଇନେଲା । ଭାରତୀ କହିଲା–ମୁଁ ଶେଯ ପକାଇଲିଣି, ଆଉ ଚୌକିରେ ନ ବସି ସିଧା ଆସନ୍ତୁ ଶୋଇପଡ଼ିବେ ।

 

ଅପୂର୍ବ ଶାନ୍ତ ବାଳକ ପରି ଆସି ଆଖି ବୁଜି ଶୋଇପଡ଼ିଲା ଓ ଭାରତୀ ମଶାରି ପକାଇ ଦେଲା । ଅପୂର୍ବ ହଠାତ୍‌ ପଚାରିଲା–ତମେ କେଉଁଠି ଶୋଇବ ?

 

ମୁଁ ? ଭାରତୀ ସାମାନ୍ୟ ଆଶ୍ଚର୍ଯ୍ୟ ହେଲା; ଏଇ ଘରର କେଉଁଠି କଣ ଅଛି ସେ ଜାଣେ-। ଏ ଅନାବଶ୍ୟକ ପ୍ରଶ୍ନର ଉତ୍ତରରେ ସେ ଆରାମ୍‌ଚଉକି ଦେଖାଇଦେଲା ଓ କହିଲା–ରାତି ଆଉ ଦୁଇ ତିନି ଘଣ୍ଟା ବାକୀ ଅଛି, ଆପଣ ଶୁଅନ୍ତୁ ।

 

ଅପୂର୍ବ ହାତ ବଢ଼ାଇ ତା ହାତଟା ଧରି ପକାଇ କହିଲା–ନା, ସେଠି ନୁହେଁ, ତୁମେ ମୋ ପାଖେ ବସ ।

 

ଆପଣଙ୍କ ପାଖରେ ! –ଭାରତୀର ବିସ୍ମୟର ସୀମା ରହିଲା ନାହିଁ । ଅପୂର୍ବ ଏ ସବୁ ଘଟଣାର ଖୁବ୍‌ ସଜାଗ । ଏଭଳି କେତେଦିନ ଉଭୟେ ଏକାଘରେ ରାତି କଟାଇଛନ୍ତି, କିନ୍ତୁ ମର୍ଯ୍ୟାଦାହାନିକର ଗୋଟାଏ କଥା ବା ଇଙ୍ଗିତ ତା’ ଠାରେ ସେ ଦେଖିନାହିଁ ।

 

ଅପୂର୍ବ କହିଲା–ଏଇ ଦେଖ, ସେମାନେ ମୋ ହାତ ଭାଙ୍ଗି ଦେଇଛନ୍ତି । କାହିଁକି ତମେ ମୋତେ ସେମାନଙ୍କ ଭିତରକୁ ଟାଣିନେଲ ? କଥାଟା ଶେଷ ଆଡ଼କୁ ଅକସ୍ମାତ୍‌ କାନ୍ଦରେ ଅଟକିଗଲା । ଭାରତୀ ମଶାରୀର ଗୋଟାଏ ପାଖ ଟେକି ତା ପାଖେ ବସିଲା ଓ ପରୀକ୍ଷା କରି ଦେଖିଲା–ବହୁ ସମୟ ଧରୀ ଶକ୍ତକରି ବନ୍ଧା ହୋଇଥିବାରୁ ହାତର ଠାଏ ଠାଏ କଳାଶିରା ବାହାରି ଫୁଲିଯାଇଛି । ଅପୂର୍ବ ଆଖିରୁ ଥପ୍ ଥପ୍ ଲୁହ ଗଡ଼ି ପଡୁଥିଲା । ଭାରତୀ ତା କାନରେ ପୋଛି ଦେଇ ସାହସ ଦେବା ପାଇଁ କହିଲା–ଭୟ ନାହିଁ, ମୁଁ ତଉଲିଆ ଓଦା କରି ବାନ୍ଧି ଦେଉଛି, ଦିନେ ଦୁଇ ଦିନରେ ଭଲ ହୋଇଯିବ । ଏହା କହି ସେ ଉଠି ଯାଇ ଗାଧୁଆଘରୁ ଗୋଟାଏ ଗାମୁଛା ଓଦା କରି ଆଣିଲା ଓ ହାତରେ ଗୁଡ଼ାଇ ଦେଲା । କହିଲା–ଟିକିଏ ଶୋଇବା ପାଇଁ ଚେଷ୍ଟା କରନ୍ତୁ, ମୁଁ ଆପଣଙ୍କ ମୁଣ୍ଡରେ ହାତ ବୁଲାଇ ଦେଉଛି । ଏହା କହି ସେ ଧୀରେ ଧୀରେ ତା ମୁଣ୍ଡରେ ହାତ ବୁଲାଇବାକୁ ଲାଗିଲା ।

 

ଅପୂର୍ବ ଅଶ୍ରୁ ବିକୃତ ସ୍ଵରରେ କହିଲା–କାଲି ଜାହାଜ ଥିଲେ ମୁଁ କାଲି ଚାଲି ଯାଇଥାନ୍ତି-

 

ଭାରତୀ କହିଲା–ନ ହେଲେ ପ’ର ଦିନ ଯିବେ । ଗୋଟାଏ ଦିନ ଭିତରେ ଆପଣଙ୍କର କିଛି ଅମଙ୍ଗଳ ହେବନାହିଁ ।

 

ଅପୂର୍ବ କିଛି ସମୟ ନୀରବ ରହି କହିଲା–ଗୁରୁଜନଙ୍କ କଥା ନ ଶୁଣିଲେ, ଏଇ ସବୁ ହୁଏ-। ମା’ ମତେ ବାରମ୍ବାର ନିଷେଧ କରୁଥିଲେ ।

 

ମା’ ବୋଧହୁଏ ଆପଣଙ୍କୁ ଆସିଲାବେଳେ ମନା କରୁଥିଲେ ?

 

ଶହେଥର ମନା କଲେ, ମୁଁ କିନ୍ତୁ ଶୁଣିଲନି । ତା ଫଳ ଏଇଆ ହେଲା ଯେ କେତେଗୁଡ଼ାଏ ଭୟଙ୍କର ଲୋକଙ୍କର ଚିରଦିନ ପାଇଁ ବିଷଦୃଷ୍ଟିରେ ପଡ଼ିଲି । ସେ ଯା’ ହେଲାଣି ହଉ, ଦୁର୍ଗା ଦୁର୍ଗା କହି ପରଦିନ ଜାହାଜରେ ଚଢ଼ିଲେ ରକ୍ଷା–ଏହା କହି ସେ ଦୀର୍ଘନିଶ୍ଵାସ ପକାଇଲା-। ତା ସଙ୍ଗେ ସଙ୍ଗେ ଆଉ ଜଣଙ୍କର ହୃଦୟରୁ ଉତଥିତ ଗଭୀର ନିଶ୍ଵାସ ତାର ସମସ୍ତ ସତ୍ତାକୁ ନିଃଶବ୍ଦରେ ତରଙ୍ଗାୟିତ କରିଦେଲା, ତା ସେ ଜାଣିପାରିଲା ନାହିଁ । ଆଉ ଗୋଟାଏ ଦିନ ଅପୂର୍ବର ଡେରି ହେବନି, ଦୁର୍ଗା ଦୁର୍ଗା କହି ଜାହାଜରେ ଉଠିଲେ ହେଲା, ବର୍ମ୍ମାକୁ ଆସିବା ତାର ସପୂର୍ଣ୍ଣ ଭାବେ ବିଫଳ ହୋଇଛି, ଘରକୁ ଫେରିଲେ କେତେଜଣଙ୍କ ବିଷଦୃଷ୍ଟି କଥା ତାର ମନେରହିବ କେବଳ; କିନ୍ତୁ ସମସ୍ତଙ୍କ ଅନ୍ତରାଳରେ ଆଉ ଜଣଙ୍କର ଦୃଷ୍ଟିର ପ୍ରତିବିନ୍ଦୁରୁ ଯେ ଅମୃତ ଝରୁଛି, ଗୋଟିଏ ଦିନ ବି ସେ କଥା ତାର ମନେ ରହିବ ନାହିଁ ।

 

ଅପୂର୍ବ କହିବାକୁ ଲାଗିଲା–ଏ ଘରେ ପାଦ ଦେଉ ଦେଉ ତମ ବାପାଙ୍କ ସହ ଝଗଡ଼ା ହେଲା, କୋର୍ଟରେ ଜରିମାନା ପର୍ଯ୍ୟନ୍ତ ହେଲା, ଯାହା ଆଜି ପର୍ଯ୍ୟନ୍ତ ମୁଁ କେବେ ଭୋଗ କରିନଥିଲି-। ସେଇଥିରୁ ମୋର ଚୈତନ୍ୟୋଦୟ ହେବା ଉଚିତ ଥିଲା ।

 

ଭାରତୀ ନୀରବରେ ବସିଥିଲା, ନୀରବ ରହିଲା । ଅପୂର୍ବ ନିଜେ ମୁହୂର୍ତ୍ତେ ନୀରବ ରହି କହିଲା–ତେୱାରୀ ମତେ ବାରମ୍ବାର ତାଗିଦ କରି କହିଥିଲା–ବାବୁ, ସେମାନେ ଗୋଟାଏ ଜାତି, ଆମେ ଅନ୍ୟ ଜାତି ଏ ସବୁ କରିବେନି । କିନ୍ତୁ କପାଳରେ ଦୁର୍ଯ୍ୟୋଗ ଥିଲେ କିଏ କାଟିଦେବ ? ଚାକିରି ଗଲା–ଏ ବୟସରେ କେତେ ଜଣ ଲୋକ ପାଞ୍ଚଶ ଟଙ୍କା ଦରମା ପାଆନ୍ତି ? ତା’ଛଡ଼ା ଏ ହାତ ମୁଁ ଲୋକଙ୍କୁ ଦେଖାଇବି କିପରି ?

 

ଭାରତୀ ଆସ୍ତେ ଆସ୍ତେ କହିଲା– କେତେଦିନ ଭିତରେ ହାତ ଭଲ ହୋଇଯିବ ଯେ । ଏହାଠାରୁ ବେଶି କଥା ତା ମୁହଁରୁ ବାହାରିଲା ନାହିଁ । ମୁଣ୍ଡରେ ସେ ହାତ ବୁଲାଉଥିଲା, ସେ ହାତ ତାର ଚାଲିଲା ଏବଂ ଏହି ତୁଚ୍ଛ, ଅତି ସାଧାରଣ ଲୋକଟାକୁ ଯେ ମନେ ମନେ ଭଲପାଇଛି, ଭାବି ଲଜ୍ଜାରେ ସେ ସଢ଼ିଗଲା । ଏ କଥା ଦଳର ଅନେକ ଲୋକ ଜାଣନ୍ତି, ଆଜି ଅପୂର୍ବର ପ୍ରାଣ ବଞ୍ଚାଇବାକୁ ଯାଇ ସେ ସେମାନଙ୍କ ପାଖେ ଅପରାଧୀ ଓ ସୁମିତ୍ରାଙ୍କ ଦୃଷ୍ଟିରେ ଛୋଟ ହୋଇଯାଇଛି, କିନ୍ତୁ ଏଇ ତୁଚ୍ଛ ମଣିଷଟାକୁ ହତ୍ୟା କରିବାର ଅସମ୍ମାନ ଓ କ୍ଷୁଦ୍ରତାରୁ ସେ ଯେ ଦଳକୁ ରକ୍ଷା କରିପାରିଛି; ଏ କଥା ଭାବି ଭାରତୀ କିଛିଟା ଆଶ୍ଵସ୍ତ ହେଲା ।

 

ଅପୂର୍ବ କହିଲା–ଦାଗ ସହଜରେ ଯିବ ନାହିଁ । କିଏ ପଚାରିଲେ କଣ ଉତ୍ତର ଦେବି ଭାବି ପାରୁନାହିଁ । ଭାରତୀ ନିକଟରୁ କିଛି ନ ଶୁଣି ସେ ନିଜେ ନିଜେ କହିବାକୁ ଲାଗିଲା–ସମସ୍ତେ ଭାବିବେ, ମୁଁ କାମ ଚଳାଇ ପାରିଲି ନାହିଁ । ସେଇଥିପାଇଁ ଲୋକେ କହନ୍ତି ବଙ୍ଗାଳୀ–ପିଲା ବି.ଏ., ଏମ୍‌.ଏ. ପାଶ୍‌ କରନ୍ତି ସିନା; କିନ୍ତୁ ବଡ଼ ଚାକିରି ପାଇଲେ ରଖିପାରନ୍ତି ନାହିଁ । ମୋ କଲେଜ ସହପାଠୀମାନେ ମତେ ଛି-ଛି କରିବେ, ମୁଁ ମୁହଁ ଦେଖାଇ ପାରିବି ନାହିଁ ।

 

ଯା’ ହେଉ କିଛି ଗୋଟାଏ ବନେଇଚୁନେଇ କହିଦେବେ । ଆଚ୍ଛା, ଶୁଅନ୍ତୁ । ଆଉ ଟିକିଏ ମୋ ମୁଣ୍ଡରେ ହାତ ବୁଲେଇ ଦିଅ ଭାରତୀ !

 

ନା, ମୁଁ ବଡ଼ କ୍ଳାନ୍ତ ।

 

ଆଚ୍ଛା, ତା’ହେଲେ ଥାଉ । ରାତି ବି ଆଉ ବେଶି ନାହିଁ ।

 

ଭାରତୀ ପାଖଘରକୁ ଆସି ଦେଖିଲା, ଆଲୁଅଟା ମିଞ୍ଜି ମିଞ୍ଜି ହୋଇ ଜଳୁଛି ଓ ତେୱାରୀ ଚାଦର ଘୋଡ଼ାଇ ହୋଇ ଶୋଇଛି । ପାଖରେ ଗୋଟାଏ ଭଙ୍ଗା ଡେକ୍‌ଚେୟାର ପଡ଼ିଥିଲା ଭାରତୀ ଆସି ସେଥିରେ ବସିଲା । ଅପୂର୍ବର ଶୋଇବାଘରେ ଭଲ ଆରାମଚୌକି ଥିଲା; କିନ୍ତୁ ଏଇ ଲୋକଟାର ଆଗରେ ବସି ଏକାଘରେ ରାତ୍ରି ଯାପନ କରିବାକୁ ତାକୁ ଭୀଷଣ ଘୃଣା ଲାଗିଲା । ଡେକ୍ ଚଉକିଟାରେ ଆଉଜି କେତେ କଣ ଯେ ସେ ଭାବିଲା ତାର ଇୟତ୍ତା ନାହିଁ । ଇତିପୂର୍ବେ ଏଇ ଘର ଭିତରେ ସେ ଏକାଧିକବାର କଠିନ ଧକ୍‌କା ଖାଇଛି; କିନ୍ତୁ ଆଜି ପରି କୌଣସି ଦିନ ନୁହେଁ । ଭାରତୀର ପ୍ରଥମେ ମନେହେଲା, କିପରି ଓ କାହାର ଅପରିସୀମ କରୁଣାରୁ ଅପୂର୍ବ ସୁନିଶ୍ଚିତ ଓ ପ୍ରତ୍ୟାସନ୍ନ ମୃତ୍ୟୁ ହାତରୁ ଆଜି ରକ୍ଷା ପାଇଲା; ଅଥଚ ରାତି ନ ପାହୁଣୁ ଏତେବଡ଼ କଥାଟା ସେ ଭୁଲିଗଲା ! ତାହାର ପରମବନ୍ଧୁ, ତଲ୍‌ୱାରକାର ପ୍ରତି, ଦଳ ପ୍ରତି ଏବଂ ବିଶେଷ କରି ଏଇ ଡାକ୍ତରଙ୍କ ପ୍ରତି ସେ କି ଅପରିସୀମ ଅପରାଧ କରିଛି, ତାର ଆଉ ମନେ ନାହିଁ ! ସେ ଜାଗାରେ ବଡ଼ ଚାକିରି ଓ ହାତର ଦାଗଟା ତା ମନ ଭିତରେ ପ୍ରଧାନ ସ୍ଥାନ ପାଇଛି । ସେଠାରେ ବସି ହଠାତ୍‍ ଭାରତୀର ଆଖିରେ ପଡ଼ିଲା, ସାମ୍‌ନାର ଖୋଲା ଝରକା ଫାଙ୍କଦେଇ ସକାଳର ଆଲୋକ ଦେଖାଦେଲାଣି । ସେ ଉଠି ଦ୍ଵାର ଖୋଲିଲା ଓ ଅସ୍ଵାଭାବିକ ବା ଅପ୍ରତ୍ୟାଶିତ ସ୍ଥାନରେ ମାତାଲ୍‌ର ନିଶା ଛାଡ଼ିଗଲେ ସେ ଯେମିତି ମୁହଁ ଘୋଡ଼ାଇ ପଳାଏ, ଠିକ୍‌ ସେଇଭଳି ଦ୍ରୁତପଦରେ ରାସ୍ତାକୁ ଓହ୍ଲାଇଗଲା ।

 

କୋଡ଼ିଏ

 

ସବୁ ଘଟଣା ଡାକ୍ତରଙ୍କୁ ପୁଙ୍ଖାନୁପୁଙ୍ଖ ରୂପେ କହିସାରି ଭାରତୀ କହିଲା–ଅପୂର୍ବବାବୁ ଯେ ମହାମାନବ ଏ ଭୁଲ୍‌ ମୁଁ ଦିନେ ସୁଦ୍ଧା କରିନି; କିନ୍ତୁ ସେ ଯେ ଏତେ କ୍ଷୁଦ୍ର, ଏତେ ତୁଚ୍ଛ–ଏ ଧାରଣା ବି ମୋର ନ ଥିଲା ।

 

ଡାକ୍ତର ଭାରତୀଘରେ ଖଟ ଉପରେ ବସି ଖଣ୍ତିଏ ବହି ଲେଉଟାଉଥିଲେ । ସବୁ ଶୁଣି ଗମ୍ଭୀର ହୋଇ କହିଲେ–କିନ୍ତୁ ମୁଁ ଜାଣିଥିଲି । ଲୋକଟା ଏତେ କ୍ଷୁଦ୍ର ନ ହୋଇଥିଲେ ତମର ଏତେ ଭଲପାଇବା ବୃଥା ଯାଇଥାନ୍ତା । ଯା’ ହେଉ, ରକ୍ଷା ମିଳିଲା, କାହାକୁ କଣ ଭାବି ବୃଥା ଦୁଃଖ ପାଇଲ ସିନା !

 

ଇତସ୍ତତଃ ବିକ୍ଷିପ୍ତ ଜିନିଷପତ୍ର–ବିଶେଷକରି ଟେବୁଲ ଉପରେ ବିଂଛା ହୋଇଥିବା ବହିଗଦା ଦେଖିଲେ ଜଣାପଡ଼େ ଯେ, ଏ ଘର ପୁଲିସ ଖାନତଲାସ କରିଛନ୍ତି । ସେଗୁଡ଼ାକ ସବୁ ସଜାଉ ସଜାଉ ଭାରତୀ କଥା କହୁଥିଲା । ସେ କାମ ବନ୍ଦ କରି ବିସ୍ମୟରେ ମୁହଁ ଟେକି ପଚାରିଲା–ତମେ ଥଟ୍ଟା କରୁଛ, ଭାଇ ?

 

ନା ।

 

ନିଶ୍ଚୟ ।

 

ଡାକ୍ତର କହିଲେ–ମୋ ଭଳି ଭୟଙ୍କର ଲୋକ, ଯେ ବୋମା ପିସ୍ତଲ୍‌ ନେଇ କେବଳ ମଣିଷ ଖୁନ୍‌କରି ବୁଲେ, ସେ ଥଟ୍ଟା କରିବ ?

 

ଭାରତୀ କହିଲା–ମୁଁ ତ କହିନି ତମେ ମଣିଷ ଖୁନ୍‌ କର ବୋଲି–ଏ କାମ ତମେ କରିପାରିବନି । କିନ୍ତୁ ଥଟ୍ଟା ଛଡ଼ା ଇଏ ଆଉ କଣ ? ଦୁଇ-ତିନି ଘଣ୍ଟା ଭିତରେ ଯେ ଲୋକ ସବୁ ଭୁଲି କେବଳ ମନେରଖିଲା ହାତର ଦାଗ ଆଉ ପାଞ୍ଚଶ ଟଙ୍କାର ଚାକିରି, ତା’ଠାରୁ ଅଧମ, କ୍ଷୁଦ୍ର ବ୍ୟକ୍ତି ତ ମୁଁ ଦେଖିନି ! ତମେ କହୁଥିଲ ଏଇଟା ମୋର ମୋହ । ଭଲ କଥା, ତମେ ଆଶୀର୍ବାଦ କର, ଏ ମୋହ ମୋର ଯେପରି ଚିରଦିନ ପାଇଁ ତୁଟିଯାଏ; ମୁଁ ସମସ୍ତ ଦେହ ମନ ଦେଇ ଦେଶକାମରେ ଲାଗିଯିବି ।

 

ଡାକ୍ତରଙ୍କ ଓଠରେ ଚାପାହସ ଦେଖାଗଲା । କହିଲେ–ତମ ମୁହଁରୁ କଥା ଶୁଣିଲେ ନିଃସନ୍ଦେହରେ ମନେହେବ ଯେ ମୋହ ତୁଟିଯାଇଛି; କିନ୍ତୁ ମୁସ୍କିଲ ଏଇ ଯେ କଥା ଓ ସ୍ଵରରେ ତାର ଆଭାସ ପର୍ଯ୍ୟନ୍ତ ନାଇଁ । ସେ ଯାହାହେଉ ଭାରତୀ, ତମ ଦ୍ଵାରା ସୂତାଏ ବି ହେବନାହିଁ । ତା ଅପେକ୍ଷା ଅପୂର୍ବବାବୁ ଢେର୍‌ ଭଲ । ଦେଣା-ପାଉଣାର ଟିକିନିଖି ହିସାବ କରୁ କରୁ ତମର ବୁଝାମଣା ହୋଇ ଯାଇପାରେ । ବରଂ ସେଇ କଥା କର ।

 

ଭାରତୀ କହିଲେ–ତା ମାନେ ମୁଁ ଦେଶକୁ ଭଲ ପାଇପାରିବି ନାହିଁ ?

 

ଡାକ୍ତର ହସି ହସି କହିଲେ–ଅନେକ ପରୀକ୍ଷା ନ ଦେଲେ କିଛି ଠିକ୍‌ରୂପେ କହି ହେବନି-

 

ଭାରତୀ କିଛି ସମୟ ଚୁପ୍‌ ରହି ଜୋର୍‌ଦେଇ କହିଲା–ତମକୁ ଆଜି କହିରଖିଲି ଭାଇ, ସବୁ ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହୋଇପାରିବି । ସେ କାମରେ ଏତେ ସ୍ଵାର୍ଥ, ଏତେ ସଂଶୟ ବା କ୍ଷୂଦ୍ରତାର ସ୍ଥାନ ନାହିଁ ।

ତାର ଉତ୍ତେଜନା ଦେଖି ଡାକ୍ତର ହସିଲେ; କୃତ୍ରିମ କ୍ରୋଧରେ ମୁଣ୍ଡରେ ହାତମାରି କହିଲେ–ହାୟରେ ପୋଡ଼ା କପାଳ ! ଦେଶ ମାନେ ତମେ କଣ ଭାବିଛ ବିରାଟ ଲମ୍ବା ମାଟି, ନଦନଦୀ, ଆଉ ପାହାଡ଼ପର୍ବତ ? ଜଣେ ଅପୂର୍ବକୁ ନେଇ ଜୀବନରେ ଧକ୍‌କା ଆସିଗଲା–ବୈରାଗୀ ହେବାକୁ ବାହାରିଲଣି–ସେଠି ତ ଖାଲି ଅପୂର୍ବ ନୁହେଁ, ତାର ବଡ଼ଭାଇମାନେ ଚଲାବୁଲା କରନ୍ତି । ପରାଧୀନ ଦେଶର ସବୁଠାରୁ ବଡ଼ ଅଭିସମ୍ପାତ ହେଲା କୃତଘ୍ନତା । ଯାହାର ସେବା କରିବ, ସେଇମାନେ ତମକୁ ସନ୍ଦେହ ଆଖିରେ ଦେଖିବେ; ଯାହାର ପ୍ରାଣ ବଞ୍ଚାଇବ, ସେମାନେ ତମକୁ ବିକ୍ରି କରିଦେବେ । ମୂଢ଼ତା ଓ ଅକୃତଜ୍ଞତା ପ୍ରତି ପଦକ୍ଷେପରେ ତମକୁ ଆଘାତ କରିବ । ବିଷାକ୍ତ ସାପ ଭଳି ତମକୁ ଦେଖି ଲୋକେ ଦୂରେଇଯିବେ । ଦେଶକୁ ଭଲ ପାଇବାର ଏଇ ଆମର ପୁରସ୍କାର ଭାରତୀ ! ଏହାଠାରୁ ବେଶି ଯଦି କିଛି ଦାବୀ କରିବାର ଥାଏ, ତେବେ ତା ପରଲୋକରେ । ଏତେବଡ଼ ଭୟଙ୍କର ପରୀକ୍ଷା ତମେ କାହିଁକି ଦେବାକୁ ଯିବ ଭଉଣୀ ? ବରଂ ଆଶୀର୍ବାଦ କରୁଛି, ଅପୂର୍ବକୁ ନେଇ ତମେ ସୁଖୀ ହେବ–ତାର ସମସ୍ତ ଦ୍ଵିଧା, ସକଳ ସଂସ୍କାର ଡେଇଁ ଦିନେ ନା ଦିନେ ତମର ମୂଲ୍ୟ ତା’ ଆଖିରେ ପଡ଼ିବ ।

ଭାରତୀର ଆଖିରେ ଲୁହ ଭରିଗଲା । କିନ୍ତୁ କେତେ ମୁହୂର୍ତ୍ତ ଚୁପ୍‌ରହି ସେ ଉଦ୍‌ଗତ ଅଶ୍ରୁକୁ ରୂପି ନେଇ ପଚାରିଲା–ତମେ କ’ଣ ମତେ ବିଶ୍ଵାସ କରିପାରୁନା ବୋଲି ମତେ କୌଣସିମତେ ବିଦାୟ କରିଦେବାକୁ ଚାହୁଁଛ ?

ତାର ଏଇ ସରଳ ନିଃସଙ୍କୋଚ ପ୍ରଶ୍ନର କିଛି ଉତ୍ତର ଡାକ୍ତର ହଠାତ୍‍ ଦେଇପାରିଲେ ନାହିଁ । ହସି ହସି କହିଲେ–ତମଭଳି ସୁନା ଭଉଣୀର ମାୟା ଏଡ଼ିଦେବା କଣ ସହଜ କିନ୍ତୁ କାଲି ତ ଦେଖିଲ–ୟା ଭିତରେ କେତେ ହିଂସା, ମର୍ମ୍ମାନ୍ତିକ କ୍ରୋଧ ଜଡ଼ିତ । ତମକୁ ଚାହିଁଲେ ମନେହୁଏ ତମେ ଏସବୁ ପାଇଁ ପାତ୍ରୀ ନୁହଁ–ତମକୁ ୟା ଭିତରକୁ ଟାଣିଆଣି ଭଲ ହେଇନି । କେବଳ ତମଠାରୁ କାମ ଆଦାୟ କରିବା ପାଇଁ ଗୋଟାଏ ଦିନ ପହଞ୍ଚିବ, ସେ ଦିନ ମୋର ଛୁଟି ହେଇଯାଇଥିବ ।

ଭାରତୀ ଆଖିର ଲୁହ ପୋଛୁ ପୋଛୁ କହିଲା–ତମେ ଆଉ ସେ ଭିତରେ ରହନା ଭାଇ !

ତା କଥା ଶୁଣି ଡାକ୍ତର କହିଲେ–ଏଥର କିନ୍ତୁ କଥାଟା ଅତି ବୋକାମିର ପରିଚୟ ।

ଭାରତୀ ଅପ୍ରତିଭ ନ ହୋଇ କହିଲା–ତା ଜାଣେ, କିନ୍ତୁ ସେମାନେ ସବୁ ଭୟଙ୍କର ନିର୍ଦ୍ଦୟ ।

ଆଉ ମୁଁ ?

ତମେ ବି ଖୁବ୍‌ ନିଷ୍ଠୁର ।

ସୁମିତ୍ରାକୁ କିଭଳି ମନେହେଲା ଭାରତୀ ?

ଏ ପ୍ରଶ୍ନ ଶୁଣି ଭାରତୀର ମୁଣ୍ଡ ନଇଁଗଲା । ଲଜ୍ଜାରେ ସେ ଉତ୍ତର ଦେଇ ପାରିଲା ନାହିଁ । କିଛି ସମୟ ପାଇଁ ଉଭୟେ ନୀରବ ରହିଲେ । ଏଇ ମୌନତାର ଅବକାଶ ଭିତରେ ଏ ଅତ୍ୟାଶ୍ଚର୍ଯ୍ୟ ମଣିଷଟିର ରହସ୍ୟାବୃତ ହୃଦୟରେ ଅକସ୍ମାତ୍‌ ବିଦ୍ୟୁତ୍ ଖେଳିଗଲା ଯେପରି ।

ସହସା ଡାକ୍ତର ସ୍ନିଗ୍‌ଧ କଣ୍ଠରେ କହିଲେ–ଅପୂର୍ବ ପ୍ରତି ତୁମେ ବଡ଼ ଅବିଚାର କରିଛ ଭାରତୀ ! ଏ ଭିତରେ ଏତେ ବଡ଼ ମାରାତ୍ମକ ଯୋଜନା ଅଛି, ସେ ବିଚରା ବୋଧହୁଏ କଳ୍ପନା କରି ନଥିଲା । ବାସ୍ତବିକ ସେ ଏତେ ନୀଚ ବା କ୍ଷୁଦ୍ର ନୁହେଁ । ଚାକିରି କରିବାକୁ ବିଦେଶ ଆସିଛି, ଘରେ ମା’ ଅଛି, ଭାଇ ଭାଉଜ ଅଛନ୍ତି, ଦେଶରେ ବନ୍ଧୁ ବାନ୍ଧବ ଅଛନ୍ତି, ସଂସାରରେ ଉନ୍ନତି କରି ଆଉ ଦଶଜଣଙ୍କ ପରି ହେବ–ଏଇ ତାର ଆଶା । ଲେଖାପଢ଼ା ଶିଖିଛି, ଭଦ୍ରଘରର ପିଲା–ପରାଧୀନତାର ଲଜ୍ଜା ସେ ଅନୁଭବ କରେ । ଆଉ ଦଶଜଣ ବଙ୍ଗାଳୀ ପିଲାଙ୍କ ପରି ପ୍ରକୃତରେ ସ୍ଵଦେଶର କଲ୍ୟାଣ କାମନା କରେ । ତେଣୁ ତମେ ଯେତେବେଳେ କହିଲ–‘ଚଲାପଥର ଦାବୀ’ ଅନୁଷ୍ଠାନର ସଭ୍ୟ ହୁଅ, ଦେଶକାମ କର, ସେ କହିଲା–ବହୁତ ଆଚ୍ଛା । ତମ କଥା ଶୁଣିଲେ ତାର ଅମଙ୍ଗଳ ହେବନି–ଏଇତକ ସେ ନିଃସଂଶୟ ଭାବେ ଜାଣିଛି । ଏ ବିଦେଶରେ ସବୁ ଆପଦ-ବିପଦରେ ତମେ ତା’ର ଏକମାତ୍ର ଅବଲମ୍ବନ । କିନ୍ତୁ ତମେ ତାକୁ ମରଣ ମୁହଁକୁ ଠେଲିଦେବ, ଏ କଥା ସେ କେମିତି ଜାଣିବ-?

 

ଭାରତୀ ତଳକୁ ମୁଣ୍ଡ ପୋତି କହିଲା–ତମେ କାହିଁକି ତାଙ୍କ ପାଇଁ ଏତେ ଓକିଲାତି କରୁଛ ଭାଇ, ସେ ତାର ଯୋଗ୍ୟ ନୁହନ୍ତି । ଯାହାସବୁ କଥା ତାଙ୍କ ମୁହଁରୁ କାଲି ଶୁଣିଛି, ତା ପରେ ତାଙ୍କୁ ଶ୍ରଦ୍ଧା କରିବା ଉଚିତ ନୁହେଁ ।

 

ଡାକ୍ତର ହସି ହସି କହିଲେ–ଅନୁଚିତ କାର୍ଯ୍ୟ ନ ହେଲେ ବା ଗୋଟାଏ ଜୀବନରେ କରିବ, କ୍ଷତି କଣ ? ଏହା କହି କିଛି ସମୟ ଚୁପ୍‌ ରହିଲେ, ପୁଣି କହିଲେ–ତମେ ତ ଆଖିରେ ଦେଖିନ ଭାରତୀ, ମୁଁ ଦେଖିଛି । ସେ ଯେତେବେଳେ ଦଉଡ଼ିରେ ବନ୍ଧାହେଲା, ଅବାକ୍ ହୋଇ ରହିଲା । ତାକୁ ପଚାରିଲେ ଏ ସବୁ କଥା କହିଛ ? ସେ କହିଲା–ହଁ । ସେମାନେ କହିଲେ–ଏହାର ଶାସ୍ତି ମୃତ୍ୟୁ । ସେତେବେଳେ ସେ ବୋକା ଭଳି ଚାହିଁ ରହିଲା । ମୁଁ ଜାଣେ ତାର ବିହ୍ୱଳ ଦୃଷ୍ଟି ସେତେବେଳେ କାହାକୁ ଖୋଜୁଥିଲା । ସେଥିପାଇଁ ତ ତମକୁ ଡକାଇ ପଠାଇଲି ଭଉଣୀ ! ବର୍ତ୍ତମାନ ସେ ତମକୁ ଯାହା କହୁ ନା କାହିଁକି ଭାରତୀ, ସେ ଧକ୍‌କା ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭୁଲିପାରିନି ।

 

ଭାରତୀ ନିଜକୁ ସମ୍ବରଣ କରି ନ ପାରି କାନ୍ଦିପକାଇଲା । କହିଲା–ତମେ କାହିଁକି ଏସବୁ ଶୁଣାଉଛ ଭାଇ ? ତମଠାରୁ ତ କାହାର ବେଶି ଆଶଙ୍କା ନାହିଁ, ତାଙ୍କୁ ଛାଡ଼ିଦେବାରେ ତମଠୁ ତ ବେଶି ବିପଦ କାହାର ନାହିଁ ! ତଥାପି ମୋ ମୁହଁକୁ ଚାହିଁ ତାଙ୍କୁ ବଞ୍ଚାଇବାକୁ ଯାଇ ତମେ ଏ ବିପଦରେ ପଡ଼ିଲ !

 

ଇସ୍‌, ସତରେ ନା କଣ !

 

ତେବେ କାହିଁକି ତାଙ୍କୁ ବଞ୍ଚାଇବାକୁ ଗଲ ?

 

ବଞ୍ଚାଇଲି ଅପୂର୍ବକୁ ? ଛିଃ–ମୁଁ ବଞ୍ଚାଇଲି ଭଗବାନଙ୍କର ଏଇ ଅମୂଲ୍ୟ ସୃଷ୍ଟିକୁ–ଯେଉଁ ବସ୍ତୁ ତମପରି ଦୁଇଜଣ ସାମାନ୍ୟ ନରନାରୀଙ୍କୁ ଉପଲକ୍ଷ୍ୟ କରି ଗଢ଼ି ଉଠିଛି । ତାର କଣ ଦାମ୍‌ ଅଛି ଯେ, ବ୍ରଜେନ୍ଦ୍ର ଭଳି ବର୍ବରଗୁଡ଼ାକ ତାକୁ ନଷ୍ଟ କରି ଦେବେ ? କେବଳ ଏଇଥିପାଇଁ ଭାରତୀ, ନ ହେଲେ ମଣିଷ ପ୍ରାଣରେ କଣ ମୂଲ୍ୟ ମୋ ପାଖରେ ଅଛି ? ଗୋଟାଏ କଣାକଉଡ଼ି ବି ନାହିଁ । ଏହା କହି ଡାକ୍ତର ଠୋ-ଠୋ ହସିବାକୁ ଲାଗିଲେ ।

 

ଭାରତୀ ଆଖି ପୋଛି ପୋଛି କହିଲା–ତମେ ସେମିତି ହସ ନା ଭାଇ, ମୋ ଦିହ ଜଳିଯାଏ । ମୋର ଇଚ୍ଛା ହୁଏ ଯେ ତମକୁ ପଣନ୍ତକାନିରେ ଘୋଡ଼େଇ ନେଇ କେଉଁ ଦୂର–ଦୂରାନ୍ତର ବଣଜଙ୍ଗଲ ଭିତରେ ଲୁଚି ରହନ୍ତି । ତମକୁ ଧରି ଯେଉଁମାନେ ଫାଶୀ ଦେବେ, ସେମାନେ ତମର କି ଦାମ୍‌ ବା ବୁଝନ୍ତି ? ସେମାନେ କଣ ଜାଣିବେ ଜଗତର ସେମାନେ କି ସର୍ବନାଶ କଲେ ? ନିଜ ଦେଶ ଲୋକ ତମକୁ ଖୁଣୀ, ଡକାଏତ, ରକ୍ତପିପାସୁ–କଣ ନ କହନ୍ତି ? ମୁଁ ଭାବେ, ହୃଦୟରେ ଏତେ ସ୍ନେହ, ଏତେ କରୁଣା ନେଇ ତମେ ଏମାନଙ୍କ ଭିତରେ କାହିଁକି ଅଛ ?

 

ଏଥର ଡାକ୍ତର ଅନ୍ୟଆଡ଼େ ମୁହଁ ଫେରାଇନେଲେ, ଜବାବ୍‌ ଦେଇ ପାରିଲେ ନାହିଁ । ତା’ପରେ ମୁହଁ ବୁଲାଇ ହସିବାକୁ ଚେଷ୍ଟାକଲେ–ପାରିଲେ ନାହିଁ । କହିଲେ–ନିଷ୍ଠୁରତା ଦ୍ଵାରା କଣ....ଛାଡ଼ ସେ କଥା । ତମକୁ ଗୋଟାଏ ଗପ କହିବି । ନୀଳକାନ୍ତ ଯୋଷୀ ବୋଲି ଗୋଟିଏ ମରାଠୀ ପିଲାକୁ ତମେ ଦେଖିନ; କିନ୍ତୁ ତମକୁ ଦେଖି ଆଜି ତା କଥା ମନେପଡ଼ୁଛି । ରାସ୍ତାରେ ମଡ଼ା ନେଇ ଯିବାର ଦେଖିଲେ ତା ଆଖିରୁ ପାଣି ଗଡ଼େ । ଦିନେ ରାତିରେ କଲମ୍ବୋରେ ଗୋଟାଏ ପାର୍କରେ ଆମେ ଦୁଇଜଣ ଆଶ୍ରୟ ନେଲୁ । ଗଛ ତଳେ ଗୋଟାଏ ବେଞ୍ଚରେ ଶୋଇବାକୁ ଗଲାଦେଲେ ଦେଖିଲୁ ଯେ ଆଉ ଜଣେ ସେଠି ଶୋଇଛି । ଆମକୁ ଦେଖି ସେ ‘ପାଣି, ପାଣି’ ବୋଲି ଚିତ୍କାର କଲା । ତାର ଚାରିପାଖେ ଭୀଷଣ ଦୁର୍ଗନ୍ଧ । ଦିଆସିଲି ଜାଳି ଦେଖିବାରୁ ଜଣାଗଲା କଲେରା । ନୀଳକାନ୍ତ ତା ଶୁଶ୍ରୁଷାରେ ଲାଗିଗଲ । ସକାଳ ହେଇଆସିଲାଣି–ମୁଁ କହିଲି, ଯୋଷୀ, ଲୋକଟା ସନ୍ଧ୍ୟାରେ ଚପ୍ରାଶୀର ଦୃଷ୍ଟି ଏଡ଼ି ଏ ବଗିଚାରେ ପଶିଯାଇଛି, ସକାଳେ ନିଶ୍ଚୟ ଜଣାପଡ଼ିବ । ଆମେ ୱାରେଣ୍ଟ ଆସାମୀ–ସେ ତ ନିଶ୍ଚୟ ମରିବ; ଆମକୁ ବି ଯିବାକୁ ହେବ । ଚାଲ୍‌, ଖସିଯିବା । ନୀଳକାନ୍ତ କାନ୍ଦିବାକୁ ଲାଗିଲା । କହିଲା–ଏ ଅବସ୍ଥାରେ କେମିତି ଯିବି ଭାଇ; ବରଂ ତମେ ଚାଲିଯାଅ, ମୁଁ ଅଛି । ଅନେକ ବୁଝେଇଲି, ଯୋଷୀକୁ ଘୁଞ୍ଚାଇ ପାରିଲି ନାହିଁ ।

 

ଭାରତୀ କହିଲା–ତା ପରେ କଣ ହେଲା ?

 

ଡାକ୍ତର କହିଲେ–ଲୋକଟାର ବିଚାର ଥିଲା, ସକାଳୁ ଆଖି ବୁଜିଲା । ତେଣୁ ସେଥର ନୀଳକାନ୍ତକୁ ଉଦ୍ଧାର କରି ପାରିଲି । କିଛି ସମୟ ଚୁପ୍‌ ରହି କହିଲେ–ସିଙ୍ଗାପୁରରେ ଯୋଷୀର ଫାଶୀ ହେଲା । ପଲ୍‌ଟନ୍‌ର ଯେ ସିପାହୀ ସବୁ ଆମକୁ ସାହାଯ୍ୟ କରୁଥିଲେ, ତାଙ୍କ ନାଁ କହି ଦେଇଥିଲେ ରକ୍ଷା ପାଇଥାନ୍ତା । ଗଭର୍ଣ୍ଣମେଣ୍ଟ୍‌ ତରଫରୁ ଅନେକପ୍ରକାର ଚେଷ୍ଟା ହେଲା । କିନ୍ତୁ ଯୋଷୀ କହିଲା–ମୁଁ ଜାଣେନା । ତା କଥାର ଆଉ ପରିବର୍ତ୍ତନ ହେଲାନାହିଁ । ଅତଏବ ଆଇନ୍ ଅନୁସାରେ ତାର ଫାଶୀ ହେଲା । ଅଥଚ ଯେଉଁମାନଙ୍କ ପାଇଁ ସେ ପ୍ରାଣ ଦେଲା, ସେମାନଙ୍କୁ ସେ ଭଲ କରି ଚିହ୍ନେନା । ବର୍ତ୍ତମାନ ବି ଆମ ଦେଶରେ ଏଭଳି ଯୁବକ ଜନ୍ମ ହେଉଛନ୍ତି ଭାରତୀ; ନ ହେଲେ ମୁଁ ବାକୀ ଜୀବନଟା ତମ ଆଶ୍ରୟରେ ଲୁଚି ରହିବାକୁ ରାଜି ହୋଇଯାଆନ୍ତି ।

 

ଭାରତୀ ଶୁଣି ଦୀର୍ଘଶ୍ଵାସ ତ୍ୟାଗ କଲା ମାତ୍ର । ଡାକ୍ତର କହିଲେ–ନରହତ୍ୟା ମୋର ବ୍ରତ ନୁହେଁ; ତମକୁ ସତ କହୁଛି, ମୁଁ ଏ ସବୁ ଚାହେଁନା ।

 

ଚାହିଁ ନ ପାର, କିନ୍ତୁ ପ୍ରୟୋଜନ ହେଲେ ?

 

ପ୍ରୟୋଜନ ହେଲେ ? କିନ୍ତୁ ବ୍ରଜେନ୍ଦ୍ରର ପ୍ରୟୋଜନ ଓ ସବ୍ୟସାଚୀର ପ୍ରୟୋଜନ ତ ଏକ ନୁହେଁ ଭାରତୀ !

 

ଭାରତୀ କହିଲା–ମୁଁ ତା ଜାଣେ । ମୁଁ ତମ ପ୍ରୟୋଜନ କଥା ପଚାରୁଛି ଭାଇ !

 

ପ୍ରଶ୍ନ ଶୁଣି ଡାକ୍ତର କିଛି ସମୟ ଚୁପ ରହିଲେ । ମନେହେଲା ସେ ଯେପରି ଉତ୍ତର ଦେବା ପାଇଁ ଦ୍ଵିଧା କରୁଛନ୍ତି । ତା’ପରେ ଅନ୍ୟମନସ୍କ ଭାବେ କହିଲେ–କିଏ ଜାଣେ କେବେ ସେଇ ପରମ ପ୍ରୟୋଜନର ଦିନଟି ଆସିବ ! କିନ୍ତୁ ଆଉ ଭାରତୀ, ଏ କଥା ତୁମେ ଜାଣିବାକୁ ଚାହଁନି । ତାର ଚେହେରା ତୁମେ କଳ୍ପନାରେ ବି ସହ୍ୟ କରି ପାରିବନି ।

 

ଭାରତୀ ମନେ ମନେ ଶିହରି ଉଠି କହିଲା– ୟା ଛଡ଼ା କଣ ଆଉ ବାଟ ନାହିଁ ? ନା ।

 

ଡାକ୍ତରଙ୍କ ମୁହଁରୁ ଏହି ସଂଶୟବିହୀନ ଅକୁଣ୍ଠିତ ଉତ୍ତର ଶୁଣି ଭାରତୀ ହତବୁଦ୍ଧି ହୋଇଗଲା । ଏଇ ଭୟଙ୍କର ‘ନା’ ସେ ସହ୍ୟ କରି ପାରିଲା ନାହିଁ । ବ୍ୟାକୁଳ ହୋଇ କହିଲା–ଏହାଛଡ଼ା ଆଉ କଣ ବାଟ ନାହିଁ ? କିନ୍ତୁ ଏମିତି ତ ହୋଇପାରେନା ଭାଇ !

 

ଡାକ୍ତର ମୁରୁକି ହସି କହିଲେ–ପଥ ନାଇଁ ଆଉ କଣ ! ନିଜକୁ ଭୁଲାଇବା ପାଇଁ ଅନେକ ରାସ୍ତା ଅଛି ଭାରତୀ, କିନ୍ତୁ ସତ୍ୟରେ ପହଞ୍ଚିବା ପାଇଁ ନାହିଁ ।

 

ଭାରତୀ ସ୍ଵୀକାର କରି ପାରିଲା ନାହିଁ । ଶାନ୍ତ କଣ୍ଠରେ କହିଲା–ଭାଇ, ତୁମେ ଅଶେଷ ଜ୍ଞାନୀ । ଗୋଟିଏ ଲକ୍ଷ୍ୟ ସ୍ଥିର କରି ତମେ ପୃଥିବୀ ଘୂରିବୁଲିଛ, ତମର ଅଭିଜ୍ଞତାର ଅନ୍ତ ନାହିଁ । ତମଭଳି ମଣିଷ ମୁଁ କେଉଁଠି ଦେଖିନି । ମୋର ସମୟେ ସମୟେ ମନେହୁଏ, ତମର ସେବା କରି ଜୀବନଟା କାଟିଦିଅନ୍ତି । ତମ ସାଙ୍ଗରେ ତର୍କ କରି ହେବନି, ଗୋଟାଏ କଥା କହିବି–ଦୋଷ ଧରିବିନି ।

 

ଡାକ୍ତର ହସିପକାଇ କହିଲେ–ଦୋଷ ଧରିବି କାହିଁକି ?

 

ଭାରତୀ ବିନତୀଭାବେ କହିଲା–ମୁଁ ଖ୍ରୀଷ୍ଟିଆନ, ପିଲାଦିନରୁ ଇଂରେଜଙ୍କୁ ଆତ୍ମୀୟ ବୋଲି, ବନ୍ଧୁ ବୋଲି ଜାଣିଆସିଛି । ଆଜି ସେମାନଙ୍କୁ ଘୃଣା କରିବାକୁ ମନରେ ଭୀଷଣ କଷ୍ଟ ହୁଏ । କିନ୍ତୁ ତମ ଛଡ଼ା ମୁଁ ଏକଥା ଆଉ କାହାକୁ କହିପାରିବି ନାହିଁ; ଅଥଚ ତମ ପରି ମୁଁ ଭାରତବର୍ଷର–ବଙ୍ଗଳା ଦେଶର କନ୍ୟା । ମତେ ତମେ କେବେ ଅବିଶ୍ଵାସ କରିବନି ।

 

ତା କଥା ଶୁଣି ଡାକ୍ତର ଆଶ୍ଚର୍ଯ୍ୟ ହେଲେ । ସ୍ନେହରେ ତା ମୁଣ୍ଡରେ ହାତ ରଖି କହିଲେ–ଏ ଆଶଙ୍କା କାହିଁକି ଭାରତୀ ? ତମେ ତ ଜାଣ–ମୁଁ ତମକୁ କେତେ ସ୍ନେହ, କେତେ ବିଶ୍ଵାସ କରେ ।

 

ଭାରତୀ କହିଲା–ଜାଣେ । ତମେ ତ ଠିକ୍‌ ସେଇ କଥା ସ୍ପଷ୍ଟଭାବେ ଜାଣ ଭାଇ ! ତମର ଭୟ ନାହିଁ, ତମକୁ ଭୟ ଦେଖାଯାଇ ପାରେ ନା । ସେଥିପାଇଁ କେବଳ ତମକୁ କହିପାରନି–ତମେ ଆଉ ଏ ଘରକୁ ଆସନା । କିନ୍ତୁ ଈଶ୍ଵରଙ୍କ ପାଖେ ନିରନ୍ତର ଏଇ ପ୍ରାର୍ଥନା କରିଆସିଛି–ଏତେ ବଡ଼ ବିଦ୍ଵେଷ ଯେପରି ତମ ଅନ୍ତରର ସମସ୍ତ ସତ୍ୟକୁ ଆଚ୍ଛନ୍ନ କରି ନ ରଖେ । ଭାଇ, ସବୁ ସତ୍ତ୍ୱେ ମୁଁ ତମମାନଙ୍କ ଦଳର ।

 

ଡାକ୍ତର ହସି ହସି କହିଲେ–ହଁ, ମୁଁ ଜାଣେ, ତୁମେ ଆମ ଗୋଷ୍ଠୀର ।

 

ତା ହେଲେ ତମେ ଏ ବାଟ ଛାଡ଼ ।

 

ଡାକ୍ତର ଚମକି ଉଠି କହିଲେ–କେଉଁ ବାଟ ?

 

ବିପ୍ଳବୀର ଏଇ ନିର୍ମ୍ମମ ପଥ ।

 

ଛାଡ଼ିବାକୁ କାହିଁକି କହୁଛ ?

 

ଭାରତୀ କହିଲା–ମୁଁ ତମକୁ ମରିବାକୁ ଛାଡ଼ି ଦେଇ ପାରିବି ନାହିଁ । ସୁମିତ୍ରା ହୁଏତ ପାରିବେ; ମୁଁ ପାରିବି ନାହିଁ । ଭାରତର ମୁକ୍ତି ଆମେ ଚାହୁଁ, ଭାରତବାସୀଙ୍କ ପାଇଁ ଅନ୍ନବସ୍ତ୍ର ଚାହୁଁ । ମନୁଷ୍ୟ ଜନ୍ମ ନେଇ ମଣିଷର ଏକମାତ୍ର କାମ୍ୟ ସ୍ଵାଧୀନତାର ଆନନ୍ଦ ଉପଲବ୍‌ଧି କରିବାକୁ ଚାହୁଁ । ଭଗବାନଙ୍କର ଏତେ ବଡ଼ ସତ୍ୟରେ ଉପନୀତ ହେବାପାଇଁ ଏଇ ନିଷ୍ଠୁର ବାଟ ଛଡ଼ା ଆଉ କୌଣସି ପଥ ଖୋଲାନାହିଁ, ଏ କଥା ମୁଁ କୌଣସିମତେ ବିଶ୍ଵାସ କରି ପାରୁନି । ଭାଇ, ମନୁଷ୍ୟତାର ଏତେବଡ଼ ପରିପୂର୍ଣ୍ଣତା ତମ ଛଡ଼ା ମୁଁ ଆଉ କେଉଁଠି ଦେଖିନି–ନିଷ୍ଠୁରତାର ଏଇ ଗତିପଥରେ ତମେ ଆଉ ଚାଲନି । ଦୁଆର ହୁଏତ ଆଜି ବନ୍ଦ ଅଛି, ତା ତୁମେ ଆମ ପାଇଁ ଖୋଲିଦିଅ–ଏ ଜଗତର ସମସ୍ତଙ୍କୁ ଭଲପାଇବାର ପଥରେ ଆମେ ତମକୁ ଅନୁସରଣ କରି ଚାଲୁ ।

 

ଡାକ୍ତର ମ୍ଳାନ ହସ ହସି ଠିଆହେଲେ । ତା’ପରେ ଭାରତୀର ମୁଣ୍ଡକୁ ଥାପୁଡ଼ାଇ କହିଲେ–ମୋର ତ ଆଉ ସମୟ ନାଇଁ ଭଉଣୀ, ମୁଁ ଚାଲିଲି; ।

 

ଉତ୍ତର ଦେଲନି ଭାଇ ?

 

ଡାକ୍ତର କହିଲେ–ଭଗବାନ ତମର ଭଲକରନ୍ତୁ, ଭଉଣୀ । ଏହା କହି ସେ ଆସ୍ତେ ଆସ୍ତେ ବାହାରିଗଲେ ।

 

Unknown

ଏକୋଇଶି

 

ଜଳପଥରେ ଶତ୍ରୁ ପକ୍ଷୀୟ ଜାହାଜର ଗତିରୋଧ କରିବା ପାଇଁ ସହର ଶେଷରେ ନଦୀକୂଳରେ ଗୋଟିଏ ଛୋଟ ଦୂର୍ଗ ଅଛି । ସେଠି ସିପାହି ବେଶି ନ ଥାନ୍ତି–କେବଳ କମାଣ ଚଳାଇବା ପାଇଁ ଅଳ୍ପ କେତେଜଣ ଗୋଲନ୍ଦାଜ ସୈନ୍ୟ ଥାଆନ୍ତି ମାତ୍ର । ସେଇ ପାଖରେ ଗୋଟାଏ ପଥରବନ୍ଧା ଘାଟ ଅଛି । ହୁଏତ କୌଣସି ଉଚ୍ଚପଦସ୍ଥ ରାଜକର୍ମଚାରୀଙ୍କ ଆଗମନ ଉପଲକ୍ଷରେ ଏହା ତିଆରି ହୋଇଥଲା । ବର୍ତ୍ତମାନ ଏହା ବ୍ୟବହୃତ ହୁଏ ନାହିଁ । ଭାରତୀ ମଝିରେ ମଝିରେ ଏକାକୀ ଏଠାରେ ଆସି ବସେ । ଦିନେ ସେ ବସିଥିବା ସମୟରେ ନଈର ଡାହାଣ ଦିଗଆଡୁ ଖଣ୍ଡିଏ ଛୋଟ ଶାମ୍ପାନ ନୌକା ତା ଆଗରେ ଆସି ପହଞ୍ଚିଲା । ନୌକାରେ ନାଉରିଆ ଛଡ଼ା ଆଉ କେହି ନ ଥିଲେ । ନାଉରିଆ ଚଟ୍ଟଗ୍ରାମୀ ମୁସଲମାନ ମାଝି । କିଛି ସମୟ ଭାରତୀ ଆଡ଼କୁ ଚାହିଁ ଚଟ୍ଟଗ୍ରାମୀ ଦୁର୍ବୋଧ୍ୟ ବଙ୍ଗଳାରେ କହିଲା–ଆମ୍ମା, ସେପଟକୁ ଯିବ ? ଅଣାଏ ପଇସା ଦେଲେ ପାର କରିଦେବି-

 

ଭାରତୀ କହିଲା–ନା, ମୁଁ ସେପଟକୁ ଯିବିନାହିଁ ।

 

ମାଝି କହିଲା–ଆଚ୍ଛା, ଦୁଇଟା ପଇସା ଦିଅ, ଆସ ।

 

ଭାରତୀ କହିଲା–ନା, ତୁମେ ଯାଅ–ମୋ ଘର ଏପଟେ, ମୋର ସେପଟକୁ ଯିବା ଦରକାର ନାହିଁ ।

 

ମାଝି ନ ଯାଇ ସାମାନ୍ୟ ହସି କହିଲା–ପଇସା ନ ଦେଲେ ନାହିଁ, ଚାଲ, ତମକୁ ଟିକିଏ ବୁଲେଇ ଆଣିବି । ଏହା କହି ସେ ଘାଟରେ ନାଆ ଭିଡ଼ିବାକୁ ଲାଗିଲା ।

 

ଭାରତୀକୁ ଭୟ ଲାଗିଲା । ସ୍ଥାନଟା ନିର୍ଜ୍ଜନ ଓ ଅନ୍ଧାର ମାଡ଼ିଆସିଲାଣି । ଦୀର୍ଘ ଦିନ ବର୍ମ୍ମାରେ ରହିବା ଫଳରେ ଭାରତୀ ଏହି ନାଉରିଆମାନଙ୍କୁ ଜାଣେ । ଚଟ୍ଟଗ୍ରାମୀ ମୁସଲମାନ ମାଝିଗୋଷ୍ଠୀ ଅତିଶୟ ଦୁର୍ବୃତ୍ତ । ତରତରରେ ଠିଆହୋଇ ସେ କ୍ରୁଦ୍ଧ କଣ୍ଠରେ କହିଲା–ତୁମେ ଯାଅ ଏଠୁ କହୁଛି, ନ ହେଲେ ପୋଲିସ୍‌କୁ ଡାକିବି ।

 

ତାର କଥା ଓ କ୍ରୋଧ ଦେଖି ମାଝି ବୋଧହୁଏ ଟିକିଏ ଭୀତ ହେଲା । ଭାରତୀ ଦେଖିଲା–ଲୋକଟାର ବୟସ ପଚାଶ ପାରହୋଇଗଲାଣି, କିନ୍ତୁ ସଉକ୍‌ କମ୍‌ ନୁହେଁ । ପିନ୍ଧିଛି ଲତାପକା ଲୁଙ୍ଗୀ, ଅବଶ୍ୟ ତେଲ ଓ ମଇଳାରେ ଅତି ମଳିନ ଦେଖାଯାଉଛି । ଦେହରେ ମୂଲ୍ୟବାନ୍‌ ମିଲିଟାରୀ ଫ୍ରକ୍‌ କୋଟ; କିନ୍ତୁ ମଇଳା ଓ ଜରାଜୀର୍ଣ୍ଣ ହୋଇଗଲାଣି, ବୋଧହୁଏ କେଉଁ ପୁରୁଣା ଲୁଗା ଦୋକାନରୁ କିଣା । ମୁଣ୍ଡରେ ଟୋପି କପାଳ ଉପରକୁ ଟଣାହୋଇଛି । ଭାରତୀ ମାଝିକୁ କିଛ ସମୟ ରୋଷଦୃପ୍ତ ଦୃଷ୍ଟିରେ ଚାହିଁ କିଛି ସମୟ ପରେ ହସିପକାଇ କହିଲା–ଭାଇ, ଚେହେରା ଯା ହେଉ, ସ୍ଵରଟା ବି ଚଟ୍ଟଗାଁ ମୁସଲମାନଙ୍କ ପରି କରିଦେଇଛ ।

 

ମାଝି କହିଲା–କ’ଣ ଯିବ ନ । ପୋଲିସ ଡାକିବ ?

 

ଭାରତୀ କହିଲା–ପୋଲିସ ଡାକି ତମକୁ ଧରେଇଦେବା ଉଚିତ । ଅପୂର୍ବବାବୁଙ୍କ ଇଚ୍ଛାଟା ବା ଅପୂର୍ଣ୍ଣ ରଖିବି କାହିଁକି ?

 

ମାଝି କହିଲା–ସେଇ କଥା ତ କହୁଛି । ଆସ, ଜୁଆର ଆଉ ବେଶି ନାହିଁ, ପ୍ରାୟ ଦୁଇକୋଶ ଯିବାକୁ ହେବ ।

 

ଭାରତୀ ନାଆରେ ବସିଲା ପରେ ଡାକ୍ତର ପକ୍‌କା ମାଝି ପରି ଦ୍ରୁତଗତିରେ ଆଗେଇବାକୁ ଲାଗିଲେ । ଯେପରି କାତ ମାରିବା ତାଙ୍କର ପେଶା । କହିଲେ–ଲାମା ଜାହାଜ ଗଲା, ଦେଖିଲ ?

 

ଭାରତୀ କହିଲା–ହଁ ।

 

ଡାକ୍ତର କହିଲେ–ଅପୂର୍ବ ଫାଷ୍ଟକ୍ଲାସ ଡେକ୍‌ ଉପରେ ଠିଆ ହୋଇଥିଲା, ଦେଖିଲ ?

 

ଭାରତୀ କହିଲା–ନା ।

 

ଡାକ୍ତର କହିଲେ–ତା ବସାକୁ ବା ଅଫିସ୍‌କୁ ଯିବା ମୋ ପକ୍ଷେ ସମ୍ଭବ ନଥିଲା, ତେଣୁ ଜେଟି ଉପରେ ଶାମ୍ପାନ୍ ଧରି ମୁଁ ଠିଆ ହୋଇଥିଲି । ହାତ ଉଠାଇ ସଲାମ୍ କଲାରୁ...

 

ଭାରତୀ ବ୍ୟାକୁଳ ହୋଇ କହିଲା–କାହିଁକି, କାହାପାଇଁ ତମେ ଏଡ଼େ ସାଙ୍ଘାତିକ ସ୍ଥାନକୁ ଯାଇଥିଲା ଭାଇ ? ତମର କଣ ପ୍ରାଣଟା ଖେଳର କଥା ?

 

ଡାକ୍ତର କହିଲେ–ନା, ନା, ମୋଟେ ନୁହେଁ । ଆଉ ଗଲି କାହିଁକି ? ତୁମେ ଯେଉଁଥିପାଇଁ ଏଠି ଚୁପ୍ ହୋଇ ବସିଥିଲ ।

 

ଭାରତୀ ଉଚ୍ଛ୍ଵସିତ କ୍ରନ୍ଦନକୁ ଚାପିପାରିଲା ନାହିଁ । କାନ୍ଦିପକାଇ କହିଲା–କଦାପି ନୁହେଁ-। ମୁଁ ଏମିତି ଆସିଥିଲି–ପ୍ରାୟ ଏଠି ଆସି ବସେ । କାହାପାଇଁ ମୋଟେ ଆସିନାହିଁ । ସେ ତମକୁ ଚିହ୍ନି ପାରିଲେ ?

 

ଡାକ୍ତର କହିଲେ–ମୋଟେ ନୁହେଁ । ଏ ବିଦ୍ୟା ମୋର ବହୁଦିନର ଅଭ୍ୟାସ । ଏ ଦାଢ଼ିନିଶ ଧରିବା ସହଜ କଥା ନୁହେଁ.... କିନ୍ତୁ ମୋର ଇଚ୍ଛା ଥିଲା ଅପୂର୍ବବାବୁ ମତେ ଯଦି ଧରିପାରନ୍ତେ । ସେ କିନ୍ତୁ ଏତେ ବ୍ୟସ୍ତ ଯେ ତାଙ୍କର ସମୟ ନ ଥିଲା ।

 

ଭାରତୀ ନୀରବରେ ଚାହିଁଥିଲା । ପଚାରିଲା–ତାପରେ କଣ ହେଲା ?

 

‘ବିଶେଷ କିଛି ନୁହେଁ–ଡାକ୍ତର କହିଲେ ।

 

ଭାରତୀ ଚେଷ୍ଟାକରି ସାମାନ୍ୟ ହସି କହିଲା–ବିଶେଷ କିଛି ଯେ ହେଇନି, ସେଇଟା ମୋ ଭାଗ୍ୟ । ଚିହ୍ନିପାରିଲେ ତମକୁ ଧରାଇ ଦିଅନ୍ତେ, ଆଉ ସେ ଅପମାନ ଏଡ଼ିବାପାଇଁ ମତେ ଆତ୍ମହତ୍ୟା କରିବାକୁ ପଡ଼ନ୍ତା । ଏହା କହି ସେ ଦୀର୍ଘ ନିଃଶ୍ଵାସ ତ୍ୟାଗକଲା ।

 

ଡାକ୍ତର ନୀରବରେ ନୌକା ଚଳାଇବାକୁ ଲାଗିଲେ ।

 

କିଛି ସମୟ ଚୁପ୍‌ଚାପ୍ କଟିଲା ପରେ ଭାରତୀ ମୁଣ୍ଡ ଟେକି ଚାହିଁଲା, ପଚାରିଲା–କଣ ଭାବୁଛ ଭାଇ ?

 

କୁହ ତ ଦେଖି ?

 

କହିବି ? ତମେ ଭାବୁଛ, ଏଇ ଭାରତୀ ମୋ ଅପେକ୍ଷା ଖୁବ୍ ବେଶି ମଣିଷ ଚିହ୍ନିପାରେ । ନିଜର ଜୀବନ ବଞ୍ଚାଇବାକୁ କୌଣସି ଶିକ୍ଷିତ ବ୍ୟକ୍ତି ଯେ ଏତେବଡ଼ ହୀନତା ସ୍ଵୀକାର କରିପାରେ–ଲଜ୍ଜା ନାଇଁ, କୃତଜ୍ଞତା ନାହିଁ–ଖବର ଦେଲାନାହିଁ ବା ଖବର ନେବା ପାଇଁ ସାମାନ୍ୟ ଚେଷ୍ଟା ବି କଲାନାହିଁ–ଭୟରେ ଜନ୍ତୁ ପରି ଦୌଡ଼ି ପଳାଇଗଲା–ଏ କଥା ମୁଁ କଳ୍ପନା କରି ନ ଥିଲି; କିନ୍ତୁ ଭାରତୀ ଠିକ୍‌ ଜାଣିଥିଲା । ଏଇଆ ନା ? ସତ କୁହ ।

 

ଡାକ୍ତର କାତ ମାରି ନାଆ ବୋହିବାକୁ ଲାଗିଲେ, କିଛି କହିଲେ ନାହିଁ ।

 

ମୋ ଆଡ଼କୁ ଚାହଁନା ଭାଇ !

 

ଡାକ୍ତର ମୁହଁ ଫେରାଇ ଚାହିଁଲାମାତ୍ରେ ଭାରତୀର ଦୁଇ ଓଠ ଥରିବାକୁ ଲାଗିଲା । ସେ କହିଲା–ମଣିଷ ହୋଇ ମନୁଷ୍ୟତ୍ଵର ସାମାନ୍ୟ ଗୁଣ ନାହିଁ–ଏ କିଭଳି ସମ୍ଭବ ଭାଇ ? ଏହା କହି ସେ ଦାନ୍ତରେ ଓଠ କାମୁଡ଼ି ନିଜକୁ ସମ୍ଭାଳିନେବାକୁ ଚେଷ୍ଟାକଲା । କିନ୍ତୁ ତାର ସମସ୍ତ ଚେଷ୍ଟା ସତ୍ତ୍ୱେ ଆଖିରୁ ଧାରଧାର ଲୁହ ବୋହିବାକୁ ଲାଗିଲା ।

 

ଡାକ୍ତର ପ୍ରତିବାଦ କଲେ ନାହିଁ ବା ସମ୍ମତି ଜଣାଇଲେ ନାହିଁ, ତାଙ୍କ ମୁହଁରୁ କିଛି କଥା ବାହାରିଲା ନାହିଁ । ମନେହେଲା ମୁହୂର୍ତ୍ତକ ପାଇଁ ସେଇ ସୁର୍ମାଟଣା ଆଖିର ଦୀପ୍ତି ଈଷତ୍‌ ନିଷ୍ପ୍ରଭ ହୋଇଗଲା ।

 

ଈରାବତୀର ଏଇ ଶାଖାନଦୀଟିର ଅଗଭୀର ଓ ଅପ୍ରଶସ୍ତ ହୋଇଥିବାରୁ ବଡ଼ ବଡ଼ ନାଆ ଏଠି ଦେଖାଯାଏ ନାହିଁ । ମଝିରେ ମଝିରେ କେଉଟ ଜଣେ ଜଣେ ମାଛ ମାରୁଥିଲେ; କିନ୍ତୁ ଲୋକ କୋଳାହଳ ନାହିଁ । ଉଭୟ କୂଳର ବୃକ୍ଷଶ୍ରେଣୀ ଯେମିତି ଉପରେ ମିଶିଯାଇଛନ୍ତି । ଭାରତୀ ସ୍ଥିର ହୋଇ ଘନବିନ୍ୟସ୍ତ ଶାଖାପଲ୍ଲବ ପ୍ରତି ଦୃଷ୍ଟି ନିବଦ୍ଧ କରି ବସି ରହିଥିଲା । ଶାମ୍ପାନ୍‌ ନୌକାଟି କୁଆଡ଼େ ଯାଉଛି ସେ ଜାଣେନା; ଜାଣିବାପାଇଁ ଔତ୍ସୁକ୍ୟ ବି ତାର ନ ଥିଲା । କିନ୍ତୁ ହଠାତ୍‌ ଗୋଟାଏ ଗଛ ଛାଇତଳେ ଗୁଳ୍ମଲତାସମାଚ୍ଛନ୍ନ ସଂକୀର୍ଣ୍ଣ ନାଳରେ ନାଆ ପ୍ରବେଶ କରିବାର ଦେଖି ସେ ପଚାରିଲା–ମତେ କୁଆଡ଼େ ନେଇଯାଉଛ ଭାଇ ?

 

ମୋ ବସାକୁ ।

 

ସେଠାରେ ଆଉ କିଏ ଅଛି ?

 

କେହି ନାହିଁ ।

 

ମୋତେ କେତେବେଳେ ବସାରେ ପହଞ୍ଚେଇଦେବ ?

 

ପହଞ୍ଚାଇଦେବି ? ଆଜି ରାତିରେ, ନ ହେଲେ ସକାଳେ ।

 

ଭାରତୀ ବ୍ୟସ୍ତ ହୋଇ କହିଲା–ନା ଭାଇ, ସେ କଥା ହେବନି । ତମେ ମତେ ଯେଉଁଠାରୁ ଆଣିଛ, ସେଇଠି ନେଇ ଛାଡ଼ିଦିଅ ।

 

କିନ୍ତୁ ମୋର ଯେ ଅନେକ କଥା କହିବାର ଅଛି ।

 

ଭାରତୀ ଏହାର କୌଣସି ଉତ୍ତର ନ ଦେଇ ମୁଣ୍ଡପୋତି କହିଲା–ନା ଭାଇ, ତମେ ନାଆ ଫେରାଇ ମତେ ଛାଡ଼ିଦେଇ ଆସ ।

 

କିନ୍ତୁ କାହିଁକି ଭାରତୀ ? ମତେ କଣ ତମର ବିଶ୍ଵାସ ହୁଏ ନା ?

 

ଭାରତୀ ମୁଣ୍ଡପୋତି ନୀରବ ହୋଇ ବସିରହିଲା କେବଳ ।

 

ଡାକ୍ତର କହିଲେ–ଏଇଭଳି ବହୁ ରାତି ତମେ ଏକାକୀ ଅପୂର୍ବ ସାଙ୍ଗରେ କାଟିଛ ।

 

ସେ କଣ ମୋ ଅପେକ୍ଷା ତମର ବେଶି ବିଶ୍ଵାସୀ ?

 

ଭାରତୀ ସେଇଭଳି ନିର୍ବାକ୍‌ ହୋଇ ବସିରହିଲା । ନାଳର ଏହି ସ୍ଥାନଟା ଅନ୍ଧାରିଆ ଓ ଅପ୍ରଶସ୍ତ । ଦୁଇପଟର ଗଛର ଡାଳ ଠାଏ ଠାଏ ତାଙ୍କ ଦେହରେ ଆସି ବାଜୁଥିଲା । ଏଣେ ନଈରେ ଭଟ୍ଟା ଯୋଗୁଁ ଓଲଟା ସୁଅ ହେଲାଣି । ଡାକ୍ତର ନାଆରୁ ଲଣ୍ଠନ ବାହାରକରି ଜଳେଇ ଆଗରେ ରଖିଲେ ଓ ଗୋଟାଏ ଲମ୍ବା ବାଉଁଶରେ କାତ ମାରୁ ମାରୁ କହିଲେ–ଆଜି ତମକୁ ଯେଉଁଠାକୁ ନେଇ ଯାଉଛି ଭାରତୀ ପୃଥବୀରେ କେହି ନାହିଁ ତମକୁ ସେଠୁ ଉଦ୍ଧାର କରି ଆଣିବାକୁ । ମୋ ମନକଥା ବୁଝିବାକୁ ତମର ବୋଧହୁଏ ଆଉ ଡେରି ନାହିଁ ? ଏହା କହି ସେ ଠୋ-ଠୋ ହସିବାକୁ ଲାଗିଲେ । ଅନ୍ଧାରରେ ଭାରତୀ ତାଙ୍କ ମୁହଁ ଦେଖି ପାରୁନଥିଲା; କିନ୍ତୁ ତାଙ୍କ ହସ ପରେ ତା ଭିତରୁ କିଏ ଯେମିତି ତାକୁ ଧିକ୍‌କାର ଦେବାକୁ ଲାଗିଲା । ସେ ମୁହଁ ଟେକି ଅସଙ୍କୋଚ ନିଃଶଙ୍କ ସ୍ଵରରେ କହିଲା–ତମ ମନକଥା ବୁଝିବାକୁ ମୋର ବୁଦ୍ଧି ନାହିଁ । କିନ୍ତୁ ତମ ଚରିତ୍ର ମୁଁ ଜାଣେ । ଏକୁଟିଆ ରହିବା ମୋ ପକ୍ଷରେ ଉଚିତ ହେବନି ବୋଲି କେବଳ ମୁଁ କହିଲି ଭାଇ, ତମେ ମୋତେ କ୍ଷମା କର-

 

ଡାକ୍ତର କିଛି ସମୟ ରହି ଶାନ୍ତଭାବେ କହିଲେ–ଭାରତୀ, ତମକୁ ଛାଡ଼ିଯିବାକୁ ମତେ ଖୁବ୍‌କଷ୍ଟ ହୁଏ । ତମେ ମୋର ଭଉଣୀ, ମା’–ଏ ବିଶ୍ଵାସ ନିଜ ଉପରେ ନ ଥିଲେ ଏ ବାଟରେ ମୁଁ ଆସିନଥାନ୍ତି । ଏ ସଂସାରରେ ତମର ଯଥାର୍ଥ ମୂଲ୍ୟାୟନ କରିବା ପାଇଁ ମୋ ଛଡ଼ା ଆଉ କେହି ନାହିଁ । ଏହାର ଶତାଂଶରୁ ଏକ ଅଂଶ ଯଦି କୌଣସି ଦିନ ଅପୂର୍ବ ବୁଝେ, ତେବେ ତା ଜୀବନ ଧନ୍ୟ ହୋଇଯିବ । ଭଉଣୀ, ତମେ ସଂସାର ଭିତରକୁ ଫେରିଯାଅ, ଆମ ଭିତରେ ଆଉ ରହନାହିଁ । କେବଳ ତମ କଥା କହିବା ପାଇଁ ମୁଁ ଆଜି ଅପୂର୍ବ ସଙ୍ଗେ ଦେଖା କରିବାକୁ ଯାଇଥିଲି ।

 

ଭାରତୀ ଚୁପ୍‌ ହେଲା । ଅପୂର୍ବ ଆଜି ପଦେ କଥା ବି ନ କହି ଚାଲିଯାଇଛି । ଚାକିରି କରିବାକୁ ବର୍ମ୍ମା ଆସିଥିଲା, କେତେଦିନର ବା ପରିଚୟ ! ସେ ନିଷ୍ଠାବାନ୍‌ ବ୍ରାହ୍ମଣ ସନ୍ତାନ; ତାର ଘର ଅଛି, ସମାଜ ଅଛି, ଅତ୍ମୀୟ-ସ୍ୱଜନ ଅଛନ୍ତି । ଆଉ ଅସ୍ପୃଶ୍ୟ ଖ୍ରୀଷ୍ଟାନ୍‌-କନ୍ୟା ଭାରତୀ ! ଦେଶ ନାହିଁ, ଘର ନାହିଁ, ମା’ ବାପା ନାହାନ୍ତି, ନିଜର ବୋଲି କେହି ନାହିଁ । ଏ ଉଭୟର ଯଦି ପରିଚୟ ଶେଷ ହୋଇଥାଏ, ତେବେ ଅଭିଯୋଗ କରିବାର କଣ ଅଛି ?

 

ଭାରତୀ ସେମିତି ସ୍ଥିର ହୋଇ ରହିଲା, କେବଳ ଅନ୍ଧାରରେ ତା ଆଖିରୁ ଅବିରଳ ଅଶ୍ରୁ, ବହିବାକୁ ଲାଗିଲା ।

 

ଅଳ୍ପ ଦୂରରେ ଗଛ ଗହଳି ଭିତରୁ ସାମାନ୍ୟ ଆଲୋକ ଦେଖାଯାଉଥିଲା । ଡାକ୍ତର ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ–ଏଇ ମୋର ବସା । ତା’ପରେ ମନେ ମନେ କହିଲେ–ଖୁବ୍‌ ମୁକ୍ତ ଥିଲି....କେମିତି ଗୋଟାଏ ମାୟାରେ ଜଡ଼ିତ ହୋଇପଡ଼ିଲି ଭାରତୀ, ତମ ପାଇଁ ତ ମୋର ଏତେ ଭାବନା । ଯିବା ଆଗରୁ ତମେ ଯେ ଗୋଟାଏ ନିରାପଦ ଆଶ୍ରୟ ପାଇଛ, ଏତିକି ଯଦି ଦେଖିଯାଇ ପାରନ୍ତି !

 

ଭାରତୀ ଲୁଗାକାନିରେ ଆଖିରୁ ଲୁହ ପୋଛିଲା । କହିଲା–ମୁଁ ତ ବେଶ୍‌ଭଲ ଅଛି, ଭାଇ-!

 

ଡାକ୍ତରଙ୍କ ମୁହଁରୁ ଗୋଟାଏ ଦୀର୍ଘନିଶ୍ଵାସ ବାହାରିଆସିଲା । ଏଇଟା ଏଭଳି ଅସ୍ଵାଭାବିକ ଯେ ଭାରତୀକୁ ଖୁବ୍‌ ଜୋର୍‌ରେ ଆଘାତ କଲା । କହିଲେ–କେଉଁଠି ଆଉ ଭଲ ଅଛ ? ମୋ ଲୋକ ଆସି ଖବର ଦେଲା, ତମେ ଘରେ ନାହଁ । ଭାବିଲି ଜେଟି ଉପରେ ଯଦି ତୁମକୁ ପାଇବି–ସେଠି ପାଇଲି ନାହିଁ । ତା’ପରେ ମନେହେଲା ଏଇ ନଦୀକୂଳରେ କେଉଁଠି ନା କେଉଁଠି ନିଶ୍ଚୟ ଦେଖିବି । ହତଭାଗା କେବଳ ତମର ଆନନ୍ଦ ଚୋରିକରି ନେଇନି ଭାରତୀ, ତମର ସାହସ ବି ନଷ୍ଟ କରିଦେଇଛି ।

 

ଏ କଥାର ସଂପୂର୍ଣ୍ଣ ତାତ୍ପର୍ଯ୍ୟ ବୁଝି ନ ପାରି ଭାରତୀ ମୁଣ୍ଡ ପୋତି ବସିଲା । ଡାକ୍ତର କହିଲେ–ସେ ଦିନ ରାତିରେ ମୋତେ ବିଛଣା ଛାଡ଼ିଦେଇ ତମେ ନିଶ୍ଚିନ୍ତରେ ତଳେ ଶୋଇଲ; ହସି କହିଲ–ଭାଇ, ତମେ କଣ ମଣିଷ ଯେ ତମକୁ ଲାଜ ନା ଭୟ ଅଛି ? କିନ୍ତୁ ଆଜି ତମର ସେ ସାହସ ନାହିଁ । ଅପୂର୍ବ ବିଶେଷ ନିର୍ଭରଯୋଗ୍ୟ ନୁହେଁ, ତଥାପି ସେ ପାଖରେ ଥିଲା ବୋଲି ତମ ମନରେ ଏ ସନ୍ଦେହ ହେଇ ନ ଥିଲା । ଆଶ୍ଚର୍ଯ୍ୟ କଥା ଏଇ ଯେ ତମ ଭଳି ଝିଅର ନିର୍ଭର ସ୍ଵାଧୀନତାକୁ ଅପୂର୍ବ ପରି ଗୋଟାଏ ଅକ୍ଷମ ଲୋକ କେତେ ସହଜରେ ଭାଙ୍ଗି ଦେଇ ପାରେ !

 

ଭାରତୀ ମୃଦୁକଣ୍ଠରେ କହିଲା–କିନ୍ତୁ ଉପାୟ କଣ ?

 

ଡାକ୍ତର କହିଲେ–ଉପାୟ ହୁଏ ତ ନାହିଁ । କିନ୍ତୁ ମୁଁ କଣ ଭାବୁଛି ଜାଣ ଭଉଣୀ, ତମ ଚରିତ୍ରକୁ ସନ୍ଦେହ କରିବାକୁ ପାଖରେ କେହି ନାହିଁ ବୋଲି ତମ ନିଜ ମନ ତମକୁ ଅହରହ ସନ୍ଦେହ କଲେ ତମେ ବଞ୍ଚିବ କିପରି ?

 

ଭାରତୀ ନିଜକୁ ଏଭଳି ବିଶ୍ଳେଷଣ କରି ଦେଖି ନ ଥିଲା । ତାର ବା ସମୟ ଥିଲା କେତେବେଳେ ? ତାର ଶ୍ରଦ୍ଧା ଓ ବିସ୍ମୟର ସୀମା ରହିଲା ନାହିଁ । ସେ ନିର୍ବାକ୍‌ ହୋଇ ରହିଲା ।

 

ଡାକ୍ତର କହିବାକୁ ଲାଗିଲେ–କେବେ ତମ ସଙ୍ଗେ ଆଉ ଥରେ ଦେଖାହେବ ମୁଁ ଜାଣେ ନା; କିନ୍ତୁ ଭବିଷ୍ୟତରେ ବୋଧହୁଏ ହେବ ନିଶ୍ଚୟ । ତମର ଭଲପାଇବାର ତୁଳନା ନାହିଁ, ଅପୂର୍ବକୁ କେହି ସେଠାରୁ ଘୁଞ୍ଚାଇ ପାରିବେନାହିଁ–କିନ୍ତୁ ନିଜକୁ ତାର ଗ୍ରହଣଯୋଗ୍ୟ କରି ରଖିବା ପାଇଁ ଆଜିଠାରୁ ଏଇ ଯେ ଜୀବନବ୍ୟ । ପୀ ଅତି ସତର୍କ ସାଧନା ଆରମ୍ଭ ହେବ, ତାର ପ୍ରତ୍ୟେକ ଦିନ ଅସମ୍ମାନର ଗ୍ଳାନି ତମର ମନୁଷ୍ୟତ୍ଵକୁ ଏକବାରେ ଖର୍ବ କରି ଦେବ ଭାରତୀ । ଯେଉଁଠି ଚିରଶୁଦ୍ଧ ହୃଦୟର ମୂଲ୍ୟ ନାହିଁ, ସେଠି ଏଇଭଳି ସହିବାକୁ ହୁଏ । ପଦ୍ମଫୁଲ ଚୋବେଇ ନ ଖାଇଲେ ଯେଉଁମାନେ ତୃପ୍ତି ପାଆନ୍ତି ନାହିଁ, ଦେହର ଶୁଦ୍ଧତା ଦ୍ଵାରା ଏଇଭଳି ସେମାନଙ୍କଠାରୁ କାନିମୋଡ଼ି ଦାମ୍ ଆଦାୟ କରାଯାଏ । ହୁଏତ ସେତେଦିନ ବଞ୍ଚିରହିବା ମୋ କପାଳରେ ଅଛି କି ନାହିଁ; କିନ୍ତୁ ଯଦି ଥାଏ, ତେବେ ଭଉଣୀ ବୋଲି ସବ୍ୟସାଚୀର ଗର୍ବ କରିବା ପାଇଁ କିଛି ନ ଥିବ ।

 

ଭାରତୀ ପଚାରିଲା–ମତେ ତା’ହେଲେ କଣ କରିବାକୁ ହେବ କହ ? ତମେ ତ ମତେ ବାରମ୍ବାର ସଂସାର ଭିତରକୁ ଫେରିଯିବାକୁ କହୁଛ ।

 

କିନ୍ତୁ ମୁଣ୍ଡ ପୋତି ଯିବାକୁ ତ କହିନି ।

 

ଭାରତୀ କହିଲା–କିନ୍ତୁ ସ୍ତ୍ରୀଲୋକର ମୁଣ୍ଡ ଟେକି ଚାଲିବା ତ ସମସ୍ତେ ପସନ୍ଦ କରନ୍ତି ନାହିଁ ।

 

ଡାକ୍ତର କହିଲେ–ତେବେ ଯାଅ ନାହିଁ ।

 

ଭାରତୀ ମ୍ଳାନ ହସ ହସି କହିଲା–ତମେ ସେ ବିଷୟରେ ନିଶ୍ଚିନ୍ତ ରହିପାର ଭାଇ, ମୁଁ ଯାଉନାହିଁ । ସବୁ ବାଟ ବନ୍ଦ କରି କେବଳ ଗୋଟିଏ ବାଟ ଖୋଲା ରଖିଥିଲି, ସେ ବି ଆଜି ବନ୍ଦ ହେଇଗଲା । ଏଥର ତମେ ମତେ ଯେଉଁ ବାଟ ଦେଖେଇଦେବ, ମୁଁ ସେଇ ବାଟେ ଯିବି । କେବଳ ମୋର ଏଇ ମିନତି–ତମର ସେ ଭୟଙ୍କର ପଥରେ ତମେ ମତେ ଡାକନା ।

 

ଡାକ୍ତର କହିଲେ–ଏଇ ମୋର ବସା । ତା’ପରେ ସେ ଛୋଟ ନାଆଟିକୁ ଜୋର୍‌ରେ ଠେଲି କୂଳରେ ଲଗାଇଲେ ଓ ଲଣ୍ଠନ ହାତରେ ଧରି ଓହ୍ଲେଇଗଲେ । ଭାରତୀକୁ ବାଟ ଦେଖାଇ କହିଲେ–ଜୋତା ଖୋଲି ଆସ, ପାଦରେ କାଦୁଅ ଲାଗିବ ।

 

ଭାରତୀ ଓହ୍ଲେଇ ଆସିଲା । ମୋଟା ମୋଟା ଚାରିଟା ଶାଗୁଆନ ଖୁଣ୍ଟି ଉପରେ ଅଦରକାରୀ ତକ୍ତା ଯୋଡ଼ି ଗୋଟାଏ କାଠର ଘର ତିଆରି ହୋଇଛି । ଜୁଆର ପାଣି ଛାଡ଼ିଯିବା ପରେ ତଳେ ଆଣ୍ଠୁ ଏ ପଙ୍କ, ସେଥିରେ ପଚା ଦଳ ଓ ପତ୍ର ପଡ଼ି ଭୀଷଣ ଗନ୍ଧ ହେଉଛି । ମଝିରେ ସରୁଆ ହାତେ ଚଉଡ଼ାର ରାସ୍ତାଟିକୁ ଛାଡ଼ିଦେଲେ ଚାରିପାଖେ କିଆ ଓ କେତକୀ ବଣ । ଏହା ଭିତରେ ମଣିଷ ବାସକରିପାରେ, ଏ କଥା ନ ଦେଖିଲେ ବିଶ୍ଵାସ ହେବନାହିଁ । ଭଙ୍ଗା ସିଡ଼ିରେ ଗୋଟାଏ ଦଉଡ଼ି ଧରି ଧରି ତଳକୁ ଆସି ଗୋଟିଏ ଛୋଟ ପିଲା ଦ୍ଵାର ଖୋଲିଲା । ଘର ଭିତରକୁ ପଶି ଭାରତୀ ଦେଖିଲା–ଘରେ ପଟି ପକାଇ ଜଣେ ଅଳ୍ପବୟସ୍କ ବର୍ମି ସ୍ତ୍ରୀ, ତିନି ଚାରୋଟି ଶିଶୁ ଯିଏ ଯେଉଁଠି ପଡ଼ିଛନ୍ତି । ଗୋଟାଏ ଦୁଃସହ ଦୁର୍ଗନ୍ଧରେ ଗୃହର ବାୟୁ ବିଷାକ୍ତ । ଘରସାରା ଭାତ ବୁଣାହୋଇଛି, ମାଛକଣ୍ଟା ଓ ପିଆଜ ଚୋପା ଏଣେତେଣେ ପଡ଼ିଛି । ଗୋଟାଏ କଣରେ ଦୁଇ ତିନିଟା କଳା ମାଟିହାଣ୍ଡି । ପିଲାମାନେ ସେଥିରେ ହାତ ବୁଡ଼ାଇ ଭାତ ଆଣି ଖାଆନ୍ତି ବୋଧହୁଏ । ଏଇ ଘର ପାର ହୋଇ ଭାରତୀ ଡାକ୍ତରଙ୍କ ପଛେ ପଛେ ଯାଇ ଆଉ ଗୋଟାଏ ଘରେ ପହଞ୍ଚିଲା । ସେ ଘରେ କୌଣସି ଆସବାବ ନାହିଁ । ଗୋଟାଏ ପଟି ପଡ଼ିଥିଲା ଓ ଆଉ ଗୋଟାଏ ଗୁଡ଼ାହୋଇ ଥୁଆ ହୋଇଥିଲା–ସେଇଟା ଝାଡ଼ି ଡାକ୍ତର ଭାରତୀକୁ ବସିବାକୁ ଦେଲେ । ଭରତ ନିଃଶବ୍ଦରେ ବସି ଦେଖିଲା ସେଇ ପ୍ରକାଣ୍ଡ ବୁଜୁଳିଟି ଡାକ୍ତରଙ୍କ ପାଖରେ ଥୁଆ ହୋଇଛି; ଅର୍ଥାତ ପ୍ରକୃତରେ ଏହାହିଁ ତାଙ୍କର ବାସସ୍ଥାନ । ସେ ଘରୁ ବର୍ମି ସ୍ତ୍ରୀଲୋକଟି କଣ ଗୋଟାଏ ପଚାରିଲା; ଡାକ୍ତର ବର୍ମି ଭାଷାରେ ତାକୁ ଉତ୍ତର ଦେଲେ । ଅଳ୍ପ ସମୟ ପରେ ବାଳକଟି ମାଟି ପଲମରେ ଭାତ, ଆଉ ଗୋଟାଏ ପଲମରେ ଝୋଳ ଓ ଗୋଟାଏ ପତ୍ରରେ ମାଛପୋଡ଼ା ଆଣି ଥୋଇଲା । ଡାକ୍ତର ନୌକାରୁ ଲଣ୍ଠନଟି ଆଣିଥିଲେ । ସେ ଆଲୁଅରେ ଏ ସମସ୍ତ ଖାଦ୍ୟ ଦେଖି ଭାରତୀକୁ ବାନ୍ତି ଆସିବାର ଉପକ୍ରମ ହେଲା ।

 

ଡାକ୍ତର କହିଲେ–ତମକୁ ବି ବୋଧହୁଏ ଭୋକ ହେବଣି; କିନ୍ତୁ ଏସବୁ ଜିନିଷ….

 

ଭାରତୀ ପ୍ରବଳ ବେଗରେ କହିଲା–ନା, ନା । ମୁଁ ଖ୍ରୀଷ୍ଟାନ୍‌ ଝିଅ, ଜାତିଭେଦ ମାନେ ନାହିଁ; କିନ୍ତୁ ଯେଉଁଠୁ ଏସବୁ ଜିନିଷ ଆସିଲା, ତା ମୁଁ ଦେଖି ଆସିଛି ।

 

ଡାକ୍ତର କହିଲେ–ମତେ ତ ଖୁବ ଭୋକ ହେଲାଣି, ମୁଁ ତା’ହେଲେ ଆଗ ଖାଇନିଏ, ତା ପରେ କଥାବାର୍ତ୍ତା । ଏହା କହି ସେ ହାତଧୋଇ ଖାଇବସିଲେ । ଭାରତୀ ସେ ଆଡ଼କୁ ଚାହିଁ ପାରିଲା ନାହିଁ–ଅପରିସୀମ ଘୃଣା ଓ ବ୍ୟଥାରେ ମୁହଁ ଫେରାଇ ନେଲା । ତା ବୁକୁ ଭିତରୁ ଶୋକର ଆବେଗ ସହସ୍ରାଧାରରେ ଉଛୁଳି ଉଠିଲା । ହାୟ ଦେଶ ! ହାୟରେ ମୁକ୍ତି-ପିପାସା ! ତାର ଅପୂର୍ବ କଥା ମନେପଡ଼ିଲା । ତାର ଚାକିରି ପାଇଁ ଶୋକ, ହାତର କଳାଶିରା ପାଇଁ ଲଜ୍ଜା–ଏଇ ତ ମାଆର ସହସ୍ରକୋଟି ସନ୍ତାନ ! ଏଇମାନେ ତ ଦେଶର ମେରୁମଜ୍ଜା ଖାଇ ପିନ୍ଧି, ଚାକିରିରେ କୃତକାର୍ଯ୍ୟ ହୋଇ ସେମାନଙ୍କର ଜୀବନ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପରମ ନିରାପତ୍ତାରେ କଟୁଛି । ଆଉ ଏଇ ଯେ ଲୋକଟି ଏକାନ୍ତ ତୃପ୍ତି’ରେ ନିର୍ବିକାର ମନରେ ଭାତ ଗିଳୁଛି–ଭାରତୀର ମନେହେଲା ଡାକ୍ତରଙ୍କ ସଙ୍ଗେ ସେମାନଙ୍କୁ ତୁଳନା କଲେ ହିମାଳୟ ପାଖରେ ଉପଳର ତିଳାର୍ଦ୍ଧ ପରି ମନେହେବ । ସେଇମାନଙ୍କ ଭିତରୁ ଜଣକୁ ଭଲ ପାଇ, ତା ଘରେ ଗୃହିଣୀପଣିଆରୁ ବଞ୍ଚିତ ହୋଇଥିବାରୁ ଆଜି ତାର ବୁକୁ ଫାଟି–ଯାଉଛି !

 

ଅକସ୍ମାତ୍‌ ଭାରତୀ କହିଲା–ଭାଇ, ତମର ନିର୍ଦ୍ଦିଷ୍ଟ ଏଇ ରକ୍ତମୁଖା ବାଟ କେବେହେଲେ ଭଲ ନୁହେଁ । ଅତୀତର ଯେତେ ନଜିର ତମେ ଦିଅ, ଯାହା ଅତୀତ, ତା ସବୁବେଳେ ଅନାଗତର ତଣ୍ଟି ଚିପି ଧରି ତାକୁ ନିୟନ୍ତ୍ରିତ କରିବ, ଏ କଥା ନୁହେଁ । ଆଜିଠାରୁ ମୁଁ ସବୁ ବିସର୍ଜନ ଦେଇ ଦେଶସେବା ବ୍ରତ ଗ୍ରହଣ କରିନେଲି । ମୋର ବଞ୍ଚିବାର ବାଟ ମତେ ମିଳିଗଲା ।

 

ଡାକ୍ତର ମୁହଁ ଟେକି ବିସ୍ମୟରେ ପଚାରିଲେ–କଣ ହେଲା ଭାରତୀ ?

 

ଭାରତୀ ମୁଣ୍ଡପୋତି ବସିରହିଲା ।

 

ହାତ ମୁହଁ ଧୋଇ ଡାକ୍ତର ଆସି ସେଇ ବୁଜୁଳିକୁ ଆଉଜି ବସିଲେ । ପୂର୍ବୋକ୍ତ ବାଳକଟି ଗୋଟାଏ ମୋଟା ବର୍ମୀ ଚୁରୁଟ୍‌ ଟାଣି ଟାଣି ଆସିଲା ଓ କେତେ ସମୟ ଅପର୍ଯ୍ୟାପ୍ତ ଧୂମ ଉଦ୍‌ଗିରଣ କରି ସେଇଟି ଡାକ୍ତରଙ୍କ ହାତରେ ଦେଇ ପ୍ରସ୍ଥାନ କଲା । ଭାରତୀର ବିସ୍ମିତ ମୁହଁକୁ ଚାହିଁ ଡାକ୍ତର ହସି ହସି କହିଲେ–ପାଇଲେ ସଂସାରରେ ମୁଁ କିଛି ବାଦ୍‌ଦେବାକୁ ଚାହେଁନା ଭାରତୀ । ଅପୂର୍ବର କାକା ମତେ ଯେଉଁଦିନ ରେଙ୍ଗୁନ୍‌ ଜେଟୀରେ ଗିରଫ କଲେ, ସେତେବେଳେ ମୋ ପକେଟ୍‌ରୁ ଗୋଟାଏ ଗଞ୍ଜେଇ ଚିଲମ ବାହାରିଲା । ସେଇଟା ନ ଥିଲେ ବୋଧହୁଏ ରକ୍ଷା ପାଇ ନ ଥାନ୍ତି ।

 

ଭାରତୀ ସେ ଘଟଣା ଶୁଣିଥିଲା । କହିଲା–ମୁଁ ଜାଣେ ଏବଂ ସେଇଟା ତମେ ଯେ ଖାଅନି, ତା ବି ଜାଣେ । ଏ ଘର କାହାର ଭାଇ ?

 

ମୋର ।

 

ଆଉ ଏ ବର୍ମ୍ମୀ ସ୍ତ୍ରୀଲୋକଟି ଓ ପିଲାଗୁଡ଼ିକ ?

 

ଡାକ୍ତର ହସି ହସି କହିଲେ–ସେ ସବୁ ମୋର ଜଣେ ମୁସଲମାନ ବନ୍ଧୁଙ୍କ ସମ୍ପତ୍ତି । ମୋ ପରି ସେ ଫାଶୀକାଠର ଆସାମୀ, କିନ୍ତୁ ଅନ୍ୟ କାରଣ ଯୋଗୁଁ । ବର୍ତ୍ତମାନ ସ୍ଥାନାନ୍ତର ଯାଇଛନ୍ତି, ପରିଚୟ ହେବାର ସୁଯୋଗ ହେବନି ।

 

ଭାରତୀ କହିଲା–ମୁଁ ପରିଚୟ ପାଇଁ ବ୍ୟାକୁଳ ନୁହେଁ । ତମେ ଯେଉଁ ସ୍ଵର୍ଗପୁରୀରେ ଆସି ଆଶ୍ରୟ ନେଇଛ, ତା ଅପେକ୍ଷା ମତେ ନେଇ ବସାରେ ଛାଡ଼ିଆସ । ମୋର ଦମ୍ ବନ୍ଦ ହେବାର ଉପକ୍ରମ ହେଲାଣି ।

 

ଡାକ୍ତର କହିଲେ–ଏ ସ୍ଵର୍ଗପୁରୀ ଯେ ତମର ସହ୍ୟ ହେବନି, ମୁଁ ତମକୁ ଏଠାକୁ ଆଣିବା ପୂର୍ବରୁ ଜାଣିଥିଲି; କିନ୍ତୁ ତମକୁ ମୋର ଯାହା କହିବାର ଅଛି, ଯାହା ସ୍ଵର୍ଗପୁରୀ ଛଡ଼ା ଅନ୍ୟ କେଉଁଠି ପ୍ରକାଶ କରିବାର ଉପାୟ ନାହିଁ । ଆଜି ତମକୁ ଟିକିଏ କଷ୍ଟ ପାଇବାକୁ ହେବ ।

 

ଭାରତୀ କହିଲା–ତୁମେ କଣ ଆଉ କୁଆଡ଼େ ଯାଉଛ ଭାଇ ?

 

ଡାକ୍ତର କହିଲେ–ହଁ । ଉତ୍ତର ଓ ପୁର୍ବ ଦେଶଗୁଡ଼ିକ ଆଉ ଥରେ ବୁଲି ଆସିବାକୁ ହେବ-। ଫେରିଲାବେଳକୁ ବୋଧହୁଏ ଆଉ ଦୁଇବର୍ଷ ଲାଗିଯିବ । ଆଜି ଅବଶ୍ୟ ତମେ ଏତେ କଷ୍ଟ ପାଇଛ ଯେ ଏ ସବୁ କହିବାକୁ ମତେ ଲଜ୍ଜିତ ହେବାକୁ ପଡ଼ୁଛି; କିନ୍ତୁ ଆଜିର ଏଇ ରାତି ପରେ ତମକୁ ଯେ ସହଜରେ ଦେଖିପାରିବି ସେ ଭରସା ତ ମୋର ନାହିଁ ।

 

ଏ କଥା ଶୁଣି ଉଦ୍‌ବିଗ୍ନ ହୋଇ ଭାରତୀ ପଚାରିଲା–ତମେ କଣ କାଲି ଚାଲିଯାଉଛ ?

 

ଡାକ୍ତର ମୌନ ହୋଇ ରହିଲେ । ଭାରତୀ ବୁଝିଲା ଏହାର ଆଉ ପରିବର୍ତ୍ତନ ନାହିଁ । ତା’ପରେ, ଏଇ ରାତିର ଅବସାନ ପରେ–ସେ ସଂପୂର୍ଣ୍ଣ ଏକାକୀ । ତାକୁ ଆଉଁ ଖୋଜିବା ପାଇଁ ଏ ସଂସାରରେ କେହି ରହିବନି ।

 

ଡାକ୍ତର କହିଲେ–ଚଳାବାଟରେ ମତେ ଦକ୍ଷିଣ ଚୀନ୍‌ର କ୍ୟାଣ୍ଟନ୍ ଭିତରେ ଦେଇ ଆଗେଇବାକୁ ହେବ । ସେଇ କର୍ମ୍ମସୂତ୍ରରେ ଯଦି ଆମେରିକା ନ ଯାଏ ତ ପ୍ରଶାନ୍ତ ମହାସାଗରର ଦ୍ଵୀପଗୁଡ଼ିକ ଘୂରିଆସି ପୁଣି ଏଇ ଦେଶରେ ଆଶ୍ରୟ ନେବି । ତା ପରେ ଯଦି ନିଆଁ ନ ଲାଗେ, ତାହେଲେ ଏଇଠି ମୁଁ ରହିଲି ଭାରତୀ ! ସାମାନ୍ୟ ହସି କହିଲେ–ଯଦି ଫେରି ନ ପାରେ ଭଉଣି, ତେବେ ଗୋଟାଏ କିଛି ଖବର ପାଇବ ନିଶ୍ଚୟ ।

 

ଭାରତୀ କିଛି ସମୟ ସ୍ତବ୍‍ଧ ରହି କହିଲା–ଚଲବାଟରେ ଚୀନ୍ ଭିତରେ ଯିବା କେତେ ଭୟଙ୍କର, ମୁଁ ତା ଜାଣିଛି । ମୁଁ ତମକୁ ଭୟ ଦେଖାଇବାକୁ ଚାହୁଁନି ଭାଇ–ମୁଁ ତମକୁ ଠିକ୍ ଚିହ୍ନିଛି; କିନ୍ତୁ ଯଦି ଯିବ, ତେବେ ଏଠିକି ଫେରିବାକୁ କାହିଁକି ଚାହୁଁଛ ? ତମ ନିଜ ଜନ୍ମଭୂମିରେ କଣ ତମର କାମ ନାହିଁ ?

 

ଡାକ୍ତର କହିଲେ–ସେଇ କାମରେ ତ ମୁଁ ଏ ଦେଶ ଛାଡ଼ିଯିବା ପାଇଁ କହୁନି । ଝିଅମାନେ ଏ ଦେଶର ସ୍ଵାଧୀନ; ସ୍ଵାଧୀନତାର ମର୍ମ ସେମାନେ ବୁଝିବେ । ମୋର ସେମାନଙ୍କଠାରେ ଯଥେଷ୍ଟ କାମ । ନିଆଁ ଯଦି ଏ ଦେଶରେ କେବେ ଲାଗେ ଭାରତୀ–ଯେଉଁଠି ଥାଅ ପଛକେ ମୋ କଥା ମନେପକାଇବ–ତେବେ ଝିଅମାନେ ସେ ନିଆଁ ଲଗାଇବେ । ମୋ କଥାଟା ମନେ ରହିବ ତ ?

 

ଭାରତୀ ଡାକ୍ତରଙ୍କ ଇଙ୍ଗିତ ବୁଝି କହିଲା–ମୁଁ ତ ତମ ବାଟର ପଥିକ ନୁହେଁ ଭାଇ !

 

ଡାକ୍ତର କହିଲେ–ବାଟ ତମର ଯାହା ହେଉନା କାହିଁକି, ବଡ଼ଭାଇର କଥା ମନେ ପକେଇଲେ ତ ଦୋଷ ନାହିଁ । ଅନ୍ତତଃ ଭାଇ, କଥାଟା ମଝିରେ ମଝିରେ ମନେ ପଡ଼ିବ ତ !

 

ଭାରତୀ କହିଲା–ବଡ଼ଭାଇକି ମନେ ପକାଇବା ପାଇଁ ମୋର ଅନେକ ଜିନିଷ ଅଛି । ଏହା କହି ସେ ହଠାତ୍ ଉଠିପଡ଼ିଲା ଓ ଗୁଡ଼ାହୋଇଥିବା ଶତରଞ୍ଜିଟା ଝାଡ଼ି ପରିଷ୍କାର କରି ପକାଇଦେଲା । ବାଉଁଶ ଅଳଗୁଣିରୁ କମ୍ବଳ ଓ ତକିଆ ପ୍ରଭୃତି ଆଣି ଶେଯ ବିଛେଇ ଦେଲା । କହିଲା–ଅପୂର୍ବବାବୁଙ୍କ ଜାହାଜ ଆଜି ମତେ ଯେ ବାଟର ସନ୍ଧାନ ଦେଇଛି, ଏ ଜୀବନରେ ତାହାହିଁ ମୋର ଏକମାତ୍ର ବାଟ । ଯେଉଁଦିନ ଆଉ ଥରେ ଦେଖାହେବ, ଏକଥା ତମେ ବି ସ୍ଵୀକାର କରିବ ।

 

ଡାକ୍ତର ବ୍ୟସ୍ତ ହୋଇ କହିଲେ–ହଠାତ୍‌ ଏ ସବୁ କାହିଁକି ଆରମ୍ଭ କଲ ଭାରତୀ ?

 

ଛିଣ୍ଡା କମ୍ବଳଟା ମୁଁ କଣ ପକାଇ ପାରି ନ ଥାନ୍ତି । ଏହାର କିଛି ଦରକାର ନ ଥିଲା ?

 

ଭାରତୀ କହିଲା–ଦରକାର ତ ତମର ନଥିଲା, ମୋର ଥିଲା । ଯାହା ପାଇଁ ଯେତେବେଳେ ବିଛଣା ବି ପକାଏ ଭାଇ, ତମରି ଏ ଛିଣ୍ଡା କମ୍ବଳ ମୁଁ କେବେ ଭୁଲିପାରିବି ନାହିଁ । ଜଣେ ଝିଅର ଜୀବନରେ ଏ ସବୁ କଣ ଦରକାର ନାହିଁ ଭାଇ ।

 

ଡାକ୍ତର ହସି ହସି କହିଲେ–ଏ କଥାର ଉତ୍ତର ମୁଁ ଆଜି ଦେଇପାରିଲି ନାହିଁ ଭଉଣି ! ତମ ପାଖେ ଆଜି ହାର ମାନୁଛି; କିନ୍ତୁ ତମ ଛଡ଼ା ଏଭଳି କୌଣସି ସ୍ତ୍ରୀଲୋକ ପାଖରେ ପରାଜୟ ସ୍ଵୀକାର ମୁଁ କରିନି ।

 

ଭାରତୀ ହସି ହସି କହିଲା–ସୁମିତ୍ରା ଦିଦି ପାଖେ ବି ନୁହେଁ ?

 

ଡାକ୍ତର କହିଲେ–ନା ।

 

ଡାକ୍ତର ତାଙ୍କ ବୁଜୁଳି ଛାଡ଼ି ଶେଯ ଉପରେ ଆସି ବସିଲେ । ଭାରତୀ କିଛି ସମୟ ମୁଣ୍ଡପୋତି ପଚାରିଲା–ଭାଇ, ଯିବା ଆଗରୁ ଯଦି ଗୋଟାଏ କଥା ପଚାରିବି, ମୋ ଦୋଷ ଧରିବନି ତ ?

 

ନା ।

 

ତେବେ କୁହ, ସୁମିତ୍ରା ଦିଦି ତମର କିଏ ?

 

ଡାକ୍ତର ଏ ପ୍ରଶ୍ନ ଶୁଣି ଅନେକ ସମୟ ଚୁପ୍‌ ରହିଲେ । ତା ପରେ ଧୀରେ ଧୀରେ କହିଲେ–ସେ ଯେ ମୋର କଣ, ଏ କଥାର ଉତ୍ତର ସେ ନିଜେ ନ ଦେଲେ ଜାଣିବାର ଉପାୟ ନାହିଁ-। କିନ୍ତୁ ଯେତେବେଳେ ତାକୁ ଚିହ୍ନି ନ ଥିଲି କହିଲେ ଚଳେ, ସେଦିନ ସ୍ତ୍ରୀ ବୋଲି ପରିଚୟ ଦେଉଥିଲି-। ସୁମିତ୍ରା ନାଁ ମୁଁ ଦେଇଛି–ଆଜି ବୋଧହୁଏ ସେଇଟା ତାର ପରିଚୟ ।

 

ଭାରତୀ ଗଭୀର କୌତୁହଳ ସହ ଚାହିଁ ରହିଲା । ଡାକ୍ତର କହିଲେ–ଶୁଣିଛି, ତା ମା’ ଥିଲେ ଇହୁଦୀ ଓ ବାପ ବଙ୍ଗାଳୀ ବ୍ରାହ୍ମଣ । ପ୍ରଥମେ ସେମାନେ ଗୋଟିଏ ସର୍କସ୍‌ ଦଳ ସାଙ୍ଗରେ ଜାଭା ଯାଇଥିଲେ; ପରେ ତା ବାପା ସୁରଭାୟାରେ ରେଲଓୟେ ଷ୍ଟେସନ୍‌ରେ ଚାକିରି କରିଥିଲେ । ସେ ଯେତେଦିନ କଞ୍ଚିଥିଲେ, ସୁମିତ୍ରା ମିଶନାରି ସ୍କୁଲରେ ପଢ଼ାପଢ଼ି କରୁଥିଲା । ସେ ମରିଯିବା ପରେ ପାଞ୍ଚ ଛଅ ବର୍ଷର ଇତିହାସ ଶୁଣି ତମର ଲାଭ ନାହିଁ ।

 

ଭାରତୀ କହିଲା–ନାହିଁ ଭାଇ, ତମେ ସବୁ କହ ।

 

ଡାକ୍ତର କହିଲେ–ମୁଁ ବି ସବୁ ଜାଣେନା ଭାରତୀ ! କେବଳ ଏତିକି ଜାଣେ ଯେ ମା, ଝିଅ, ଦୁଇ ମାମୁଁ, ଜଣେ ଚୀନା ଓ ଦୁଇଜଣ ମାନ୍ଦ୍ରାଜୀ ମୁସଲମାନ ମିଶି ଜାଭାରେ ଚୋରା ଅଫିମ ଗଞ୍ଜେଇ ବ୍ୟବସାୟ କରୁଥିଲେ । ସେତେବେଳେ ସେମାନେ କଣ କରୁଥୁଲେ ମୁଁ ଜାଣେ ନା; କେବଳ ସୁରଭାୟାଠାରୁ ବାଟାଭାୟା ପର୍ଯ୍ୟନ୍ତ ରେଲଗାଡ଼ିରେ ସୁମିତ୍ରାକୁ ଯିବା ଆସିବା କରିବା ଦେଖେ । ଅତି ସୁଶ୍ରୀ ବୋଲି ଅନ୍ୟମାନଙ୍କ ଭଳି ମୋର ଦୃଷ୍ଟି ଆକୃଷ୍ଟ ହୋଇଥିଲା; କିନ୍ତୁ ହଠାତ୍ ଦିନେ ତେଗ୍‌ ଷ୍ଟେସନ୍‌ର ଓୟେଟିଂ ରୁମ୍‌ରେ ଦେଖାହେଲା । ବଙ୍ଗାଳୀ ଝିଅ ବୋଲି ସେଇଦିନ ପରିଚୟ ପାଇଲି ।

 

ଭାରତୀ କହିଲା–ସୁନ୍ଦରୀ ବୋଲି ଭୁଲିପାରିଲନି, ନା ?

 

ଡାକ୍ତର କହିଲେ–ସେ ଯାହା ହେଉ, ଦିନେ ଜାଭା ଛାଡ଼ି ଅନ୍ୟଆଡ଼େ ଚାଲ ଯାଇଥିଲି । ଏ କଥା ଭୁଲି ବି ଯାଇଥିଲି । ବର୍ଷେ ପରେ ଅକସ୍ମାତ୍‌ ବେଙ୍ଗ୍‌କୁଲାନ ସହରର ଜେଟିରେ ଦେଖାସାକ୍ଷାତ୍ । ଗୋଟାଏ ଟ୍ରଙ୍କ୍‌ ଅଫିମ, ଚାରିଆଡ଼େ ପୋଲିସ ଘେରିଛନ୍ତି, ମଝିରେ ସୁମିତ୍ରା । ମତେ ଦେଖି ତା ଆଖିରୁ ଲୁହ ଝରିଲା–ମୋର ସନ୍ଦେହ ରହିଲାନି ସେ ତାକୁ ବଞ୍ଚେଇବାକୁ ହେବ । ଅଫିମ ସିନ୍ଦୁକଟାକୁ ପୂର୍ଣ୍ଣ ଅସ୍ଵୀକାର କରି ମୋ ସ୍ତ୍ରୀ ବୋଲି ପରିଚୟ ଦେଲି । ସେ ଏକଥା ଭାବି ନ ଥିଲା, ହଠାତ୍‌ ଚମକି ପଡ଼ିଲା । ସୁମାତ୍ରାର ଘଟଣା ବୋଲି ସୁମିତ୍ରା ନାଁଟା ଦେଇଥିଲି–ନହେଲେ ତାର ମୂଳ ନାଁଟା ଥିଲା ରୋଜ୍‌ଦାଉଦ୍‌ । ସେତେବେଳେ ବେଙ୍ଗ୍‌କୁଲାନ୍‌ର ମକଦ୍ଦମା ପାଦାଙ୍ଗରେ ହେଉଥିଲା । ମୋର ଜଣେ ପରମ ବନ୍ଧୁ ଥିଲେ ପଲ୍ ତ୍ରୁଗାର୍‌ । ତାଙ୍କ ଘରକୁ ସୁମିତ୍ରାକୁ ନେଇ ଆସିଲି । ମକଦ୍ଦମାରେ ମାଜିଷ୍ଟ୍ରେଟ ସୁମିତ୍ରାକୁ ଖଲାସ ଦେଲେ ସିନା, ସେ ଆଉ ମତେ ଖଲାସ ଦେଲାନାହିଁ ।

 

ଭାରତୀ ହସି ହସି କହିଲା–ଖାଲାସ କେବେ ବି ପାଇବିନି ।

 

ଡାକ୍ତର କହିଲେ–କ୍ରମଶଃ ତା ଦଳର ଲୋକ ଆସି ଉଙ୍କି ମାରିଦେଇ ଗଲେ । ବନ୍ଧୁ କ୍ରୁଗାର ବି ଦେଖିଲି ତା ସୌନ୍ଦର୍ଯ୍ୟ ଦେଖି ଚଞ୍ଚଳ ହୋଇଉଠିଲେଣି । ଅତଏବ ତାଙ୍କ ଜିମାରେ ତାକୁ ଛାଡ଼ି ଚୁପ୍‌ଚାପ୍ ସୁମାତ୍ରା ଛାଡ଼ି ଖସି ଚାଲିଆସିଲି ।

 

ଭାରତୀ ଆଶ୍ଚର୍ଯ୍ୟ ହୋଇ କହିଲା–ଏମାନଙ୍କ ଭିତରେ ତାଙ୍କୁ ଛାଡ଼ି ଦେଇ ଚାଲି ଆସିଲ-? ତମେ ବଡ଼ ନିଷ୍ଠୁର !

 

ଡାକ୍ତର କହିଲେ–ହଁ, ଅନେକଟା ଅପୂର୍ବ ପରି । ପୁଣି ବର୍ଷେ ଖଣ୍ଡେ କଟିଗଲା । ସେତେବେଳେ ସେଲ୍‌ବିସ୍‌ଦ୍ଵୀପର ମ୍ୟାକେସାର୍‌ ସହରର ଗୋଟିଏ ଅପରିଚିତ ହୋଟେଲରେ ରହୁଥିଲା । ଦିନେ ସନ୍ଧ୍ୟାରେ ଦେଖେ, ଘରେ ସୁମିତ୍ରା ବସିଛି । ପିନ୍ଧିଛି ହିନ୍ଦୁ ଝିଅ ପରି ଟସର ଶାଢ଼ୀ-। ମୋ ପଦତଳେ ମୁଣ୍ଡିଆ ମାରି ଭକ୍ତି ନିବେଦନ କଲା । କହିଲା–ମୁଁ ସବୁ ଛାଡ଼ି ଚାଲି ଆସିଲି । ସମ୍ପସ୍ତ ଅତୀତକୁ ପୋଛି ଫିଙ୍ଗି ଦେଇଛି, ମତେ ତମ କାମରେ ଗ୍ରହଣ କରିନିଅ । ମୋ’ ଠାରୁ ଅଧିକ ବିଶ୍ଵସ୍ତ ଅନୁଚର ତମେ ପାଇବନି ।

 

ଭାରତୀ ପଚାରିଲା–ତା ପରେ ?

 

ଡାକ୍ତର କହିଲେ–ତା ପର ଘଟନା ବୋଧହୁଏ ଏତିକି ଯେ, ସୁମିତ୍ରା ବିରୁଦ୍ଧରେ ମୋର ଏ ପର୍ଯ୍ୟନ୍ତ କିଛି କହିବାର ନାହିଁ । ଯେ ଏକୋଇଶ ବର୍ଷର ସମସ୍ତ ଗ୍ଳାନି ପୋଛିଦେଇ ଚାଲିଆସିପାରେ, ତାକୁ ମୁଁ ଶ୍ରଦ୍ଧା କରେ । କିନ୍ତୁ ସେ ବଡ଼ ନିଷ୍ଠୁର ।

 

ଭାରତୀ ଚୁପ୍‌ କରି ବସିରହିଲା । ତାର ଇଚ୍ଛା ହେଉଥିଲା ପଚାରିବ–ନିଷ୍ଠୁର ହେଉ ପଛେ, ତମେ ତାକୁ ଭଲ ପାଅ କି ନାହିଁ ? କିନ୍ତୁ ଲଜ୍ଜାରେ ସେ ପଚାରି ପାରିଲା ନାହିଁ ।

 

ଡାକ୍ତର କହିଲେ–ତା ପରେ ମୁଁ ସୁମିତ୍ରାକୁ ନେଇ କ୍ୟାଣ୍ଟିନ୍‌ ଚାଲିଆସିଲି । ସୁମିତ୍ରା ମୁଁ ରହିବା ହୋଟେଲରେ ଦୁଇମହଲା ଘରଟା ଭଡ଼ା ନେଇ ରହିଲା । ମୁଁ ଅନେକ ମନା କଲି, କିନ୍ତୁ ଶୁଣିଲା ନାହିଁ । ଯେତେବେଳେ କହିଲି–ତା’ ହେଲେ ମତେ ଅନ୍ୟତ୍ର ଯିବାକୁ ହେବ, ସେତେବେଳେ ତା ଆଖିରୁ ଲୁହ ବହିଲା । କହିଲା–ଆପଣ ମତେ ଆଶ୍ରୟ ଦିଅନ୍ତୁ । ତା ପରଦିନ ଅବଶ୍ୟ ଘଟଣାଟା ପରିଷ୍କାର ହୋଇଗଲା । ସେଇ ଦାଉଦ୍‌ର ଦଳ ଦେଖାଦେଲେ । ଦଶଜଣ ଲୋକ, ଜଣେ ଅଧା ନିଗ୍ରୋ, ଗୋଟାଏ ଛୋଟ ହାତୀ ଭଳି ଚେହେରା– ସେ ଆସି ସୁମିତ୍ରାକୁ ତାର ସ୍ତ୍ରୀ ବୋଲି ଦାଗ କରି ବସିଲା ।

 

ଭାରତୀ କହିଲା–ତମ ଆଗରେ ? ତମ ଦୁଇଜଣଙ୍କର ତ ଖୁବ୍‌ ଝଗଡ଼ା ହୋଇଥିବ ।

 

ଡାକ୍ତର କହିଲେ–ହଁ । ସୁମିତ୍ରା ବାରମ୍ବାର ଅସ୍ଵୀକାର କରି କହିଲା–ସବୁ ମିଛ, ଗୋଟିଏ ଷଡ଼ଯନ୍ତ୍ର । ସେମାନେ ତାକୁ ପୁଣି ସେଇ ଚୋର ଅଫିମ କାରବାର କରିବାକୁ ଫେରେଇ ନେବାକୁ ଚାହାନ୍ତି । ପ୍ରଶାନ୍ତ ମହାସାଗରର ସବୁ ଦ୍ଵୀପରେ ସେମାନଙ୍କର ଘାଟୀ ଅଛି । ଗୋଟାଏ ପ୍ରକାଣ୍ଡ, ଦୁର୍ବୃତ୍ତଦଳ । ଏମାନେ ନ ପାରିବେ ଏମିତି କିଛି କାମ ନାହିଁ । ବୁଝିଲି, ସୁମିତ୍ରା କାହିଁକି ମୋ ପାଖରୁ ଅଲଗା ହେବାକୁ ଚାହୁଁ ନ ଥିଲା ଏବଂ ବୁଝିଲୁ ଯେ ଏ ଘଟଣାର ସହଜେ ମୀମାଂସା ହେବନାହିଁ । ସେମାନଙ୍କର ପୁଣି ବିଳମ୍ବ ସହୁନି । ଶୀଘ୍ର ଗୋଟାଏ ରଫା କରି ସୁମିତ୍ରାକୁ ଟାଣି ନେଇ ଯିବାକୁ ତିଆର I ବାଧା ଦେଲି ଓ ପୋଲିସ୍‌ ଡାକି ଧରେଇ ଦେବାର ଭୟ ଦେଖାଇଲି । ସେମାନେ ଚାଲିଗଲେ; କିନ୍ତୁ ଧମକ୍‌ ଦେଇଗଲେ ଯେ ସେମାନଙ୍କ ହାତରୁ କେହି ନିସ୍ତାର ପାଇନି । କଥାଟା ଅବଶ୍ୟ ନିହାତ ମିଛ ନୁହେଁ ।

 

ଭାରତୀ ପଚାରିଲା–ତା ପରେ ?

 

ଡାକ୍ତର କହିଲେ–ରାତିଟା ସାବଧାନ ରହିଲି । ସେମାନେ ଯେ ଦଳବଳ ନେଇ ଆକ୍ରମଣ କରିବେ ସେକଥା ଜାଣିଥିଲି ।

 

ଭାରତୀ ବ୍ୟଗ୍ର ହୋଇ ପଚାରିଲା–ସେତେବେଳେ ତମେ ପଳେଇଲନି କାହିଁକି ? ଡଚ୍‌ ଗଭର୍ଣ୍ଣମେଣ୍ଟର କଣ ପୋଲିସ୍‌ ବ୍ୟବସ୍ଥା ନାହିଁ ?

 

ଡାକ୍ତର କହିଲେ–ନ ଥିଲା ଭଳି କହିଲେ ଚଳେ । ତା ପରେ ପୋଲିସ୍‌କୁ ଖବର ଦେବା ବି ମୋ ପକ୍ଷରେ ଖୁବ ନିରାପଦ ନୁହେଁ । ଯା ହେଉ, ରାତିଟା ନିରାପଦରେ କଟିଲା । ସେଇଟା ସମୁଦ୍ରକୂଳ ବୋଲି ଅନେକ ବ୍ୟବସାୟୀ ନାଆ ମିଳେ । ତା ଆରଦିନ ସକାଳେ ଗୋଟାଏ ଠିକ୍‌ କରି ଆସିଲି; କିନ୍ତୁ ସୁମିତ୍ରାର ଜ୍ଵର ହେଲା–ସେ ଉଠିପାରିଲା ନାହିଁ । ଅନେକ ରାତିରେ ଦ୍ଵାର ଖୋଲାହେବାର ଶବ୍ଦରେ ନିଦ ଭାଜିଗଲା । ଝରକା ବାଟେ ଦେଖିଲି ସେ ହୋଟେଲବାଲା ଦ୍ଵାର ଖୋଲିଦେଲା ଓ ଦଶ-ବାର ଜଣ ଲୋକ ଘରେ ପଶିଲେ । ସେମାନଙ୍କର ଇଚ୍ଛାଥିଲା ଯେ ମୋ ଦ୍ଵାରଟା କୌଣସିମତେ ବନ୍ଦ ରଖି ସେମାନେ ପାଖ ସିଡ଼ି ବାଟେ ସୁମିତ୍ରା ଘରେ ପଶିବେ ।

 

ଭାରତୀ ନିଃଶ୍ଵାସ ବନ୍ଦକରି ପଚାରିଲା–ତା ପରେ ? ତମେ ଗଲ କେଉଁ ବାଟେ ?

 

ଡାକ୍ତର କହିଲେ–ଯିବାପାଇଁ ଆଉ ସମୟ କେଉଁଠି ଥିଲା ? ସେମାନଙ୍କ ଆଗରୁ ମୁଁ ଦ୍ଵାର ଖୋଲି ସିଡ଼ିବାଟରେ ଅଟକାଇଲି ।

 

ଭାରତୀ ଆତଙ୍କିତ ହୋଇ ପଚାରିଲା–ଏକୁଟିଆ ?

 

ଡାକ୍ତର କହିଲେ–ହଁ । ତାପରେ ସବୁ ଯାହା ଅନ୍ଧାରରେ ଘଟିଲା, ଠିକ୍‌ ବିବରଣ ଦେଇହେବନି । ତେବେ ନିଜ ଘଟଣାଟା ଜାଣେ । ଗୋଟାଏ ଗୁଳି ବାଁ କାନ୍ଧରେ ଲାଗିଲା, ଆଉ ଗୋଟିଏ ଆଣ୍ଠୁ ତଳକୁ । ସକାଳୁ ପୋଲିସ ଆସିଲା, ଗାଡ଼ି ଆସିଲା, ଛ’ ଜଣ ଲୋକଙ୍କୁ ଟେକି ନେଇଗଲେ । ହୋଟେଲବାଲା କହିଲା–ଡକାୟତ । ଇଂରେଜ ରାଜତ୍ଵ ହୋଇଥିଲେ କଣ ହୋଇଥାନ୍ତା କହିହେବନି, କିନ୍ତୁ ସେଲବିସ୍‌ର ଆଇନକାନୁନ ଅଲଗା, ଲୋକଗୁଡ଼ାକ ଚିହ୍ନଟ ନ ହେବାରୁ ପୋତିଦେଲେ ବୋଧହୁଏ ।

 

ଏ କଥା ଶୁଣି ଭୟରେ ଭାରତୀର ତଣ୍ଟି ଶୁଖିଗଲା । ସେ ଅସ୍ପଷ୍ଟ ସ୍ଵରରେ କହିଲା– ପୋତିଦେଲେ ? ତମ ହାତରେ କଣ ଏତେଗୁଡ଼ାଏ ଲୋକ ମରିଗଲେ ?

 

ଡାକ୍ତର କହିଲେ–ମୁଁ କେବଳ ଉପଲକ୍ଷ୍ୟ...ନ ହେଲେ ସେମାନେ ନିଜ ହାତରେ ମଲେ କହିବା ଉଚିତ ।

 

ଭାରତୀ ଆଉ କଥା କହିପାରିଲା ନାହିଁ, କେବଳ ଗୋଟାଏ ଦୀର୍ଘନିଃଶ୍ଵାସ ପକାଇ ଚୁପ୍‌ ରହିଲା । ଡାକ୍ତର ନିଜେ ବି ଚୁପ୍ ରହିଲେ । କିଛି ସମୟ ପରେ କହିଲେ–ତା’ପରେ କେତେ ବାଟ ନାଆରେ, କେତେ ବାଟ ଘୋଡ଼ାଗାଡ଼ିରେ ଷ୍ଟିମର୍‌ରେ ହେଇ ମୀନାଡୋ ସହରରେ ପହଞ୍ଚିଲୁ । ସେଠାରୁ ନା ବଦଳେଇ ଗୋଟାଏ ଚୀନା ଜାହାଜରେ ଗଲୁ କ୍ୟାଣ୍ଟନ୍‌ । ଆଉ ବୋଧହୁଏ ତମର ଶୁଣିବା ଇଚ୍ଛା ନାହିଁ ଭାରତୀ ? ତମେ ବୋଧହୁଏ ଭାବୁଛ, ଭାଇଙ୍କ ହାତରେ ବି ମଣିଷରକ୍ତ ଲାଗିଛି-?

 

ଭାରତୀ ଅନ୍ୟମନସ୍କଭାବେ ତାଙ୍କ ମୁହଁକୁ ଚାହିଁ କହିଲା–ମତେ ନେଇ ବସାରେ ପହଞ୍ଚେଇଦେବ ଭାଇ ?

 

ଏଇକ୍ଷଣି ଯିବ ?

 

ହଁ, ତମେ ମତେ ଛାଡ଼ିଦେଇ ଆସ ।

 

ଚାଲ ତେବେ ।

 

ଡାକ୍ତର ଗୋଟାଏ ପଟାତଳୁ କଣ ଗୋଟାଏ ଜିନିଷ ବାହାର କରି ପକେଟ୍‌ରେ ରଖିଲେ-। ଭାରତୀ ବୁଝିଲା ସେଇଟା ପିସ୍ତଲ୍‌ । ପିସ୍ତଲ୍‌ ତାର ତ ଅଛି ଓ ସୁମିତ୍ରାର ଉପଦେଶ ଅନୁଯାୟୀ ସେ ଗୋପନରେ ପିସ୍ତଲ୍‌ ନେଇ ବାହାରେ; କିନ୍ତୁ ଏଇଟା ଯେ ମଣିଷ ମାରିବା ଯନ୍ତ୍ର ଏ ଜ୍ଞାନ ତାର ଆଜି ପ୍ରଥମେ ହେଲା । ଯେଉଁଟା ଡାକ୍ତର ପକେଟ୍‌ରେ ରଖିଲେ, ସେଥିରେ କେତେ ନରହତ୍ୟା ହୋଇଥିବ, ଏଇ କଥା ଭାବି ତା ଦେହ ଥରିଉଠିଲା ।

 

ନୌକାରେ ବସିଲା ପରେ ଭାରତୀ କହିଲା–ତମେ ଯାହା କର ପଛେ, ତମ ଛଡ଼ା ସଂସାରରେ ମୋର ଦ୍ୱିତୀୟ ଆଶ୍ରୟ ନାହିଁ । ମୋ ମନ ଯେତେଦିନ ନ ବଦଳିଛି, ତମେ ମତେ ଛାଡ଼ି କୁଆଡ଼େ ଯିବନି ଭାଇ !

 

ଡାକ୍ତର ସାମାନ୍ୟ ହସି କହିଲେ–“ଆଚ୍ଛା, ଦେଖ । ଯାଉ । ତୁମକୁ ଖବର ଦେଇ ମୁଁ ଯିବି-

 

ବାଇଶି

 

ନାଆରେ ଆସିଲାବେଳେ ଭାରତୀ ଯେ କେତେ କଣ ଭାବୁଥିଲା, ତାର ଇୟତ୍ତା ନାହିଁ । ସୁମିତ୍ରାକୁ ବନ୍ଧୁ ବୋଲି ଗ୍ରହଣ କରିବା କୌଣସି ସ୍ତ୍ରୀଲୋକ ପକ୍ଷରେ ସହଜ ନୁହେଁ, ଭାରତୀ ତେଣୁ ତାକୁ ଭଲପାଇ ପାରିନଥିଲା; କିନ୍ତୁ ସବୁ ବିଷୟରେ ତାର ଅସାଧାରଣ ଶ୍ରେଷ୍ଠତା ପାଇଁ ତା ହୃଦୟରେ ଗଭୀର ଭକ୍ତି ଥିଲା । ସେଦିନ ଅପୂର୍ବର ଅପରାଧ ପାଇଁ ଜଣେ ନାରୀ ହୋଇ ସୁମିତ୍ରା ଯେ ଅବଲୀଳାକ୍ରମେ ହତ୍ୟାର ଆଦେଶ ଦେଇପାରିଲା, ସେଥିପାଇଁ ତାର ଭକ୍ତି ଭୟରେ ରୂପାନ୍ତରିତ ହୋଇଗଲା–ବଳିପଶୁ ରକ୍ତରଞ୍ଜିତ ଖଣ୍ଡା ଆଗରେ ଯେପରି ଅଭିଭୂତ ହୋଇପଡ଼େ, ସେଇଭଳି । ଭାରତୀ ଅପୂର୍ବକୁ କେତେ ଭଲପାଏ, ତା ସୁମିତ୍ରାର ଅଜ୍ଞାତ ନୁହେଁ । ଭଲପାଇବା କିଭଳି ଜିନିଷ, ତା ବି ତାର ଅବିଦିତ ନୁହେଁ । ତଥାପି ନାରୀ ହୋଇ ପ୍ରାଣଦଣ୍ଡ ଆଦେଶ ଦେବାପାଇଁ ସୁମିତ୍ରା ତିଳାର୍ଦ୍ଧ ସଙ୍କୋଚ କରିନାହିଁ । ଭାରତୀର ଛାତି ଯେତେବେଳେ ଯନ୍ତ୍ରଣାରେ ହୁ-ହୁ ଜଳୁଥିଲା, ସେତେବେଳେ ସେ ନିଜକୁ ରୁଝାଉଥିଲା ଯେ–କର୍ତ୍ତବ୍ୟ ପ୍ରତି ଏଭଳି ନିଷ୍ଠା ଥିଲେ ସେ ଅନୁଷ୍ଠାନର ନେତ୍ରୀ ହୋଇଥାନ୍ତା କାହିଁକି ? ଯେଉଁମାନଙ୍କର ନିଜ ଜୀବନର ମୂଲ୍ୟ ନାହିଁ, ରାଜାଜ୍ଞାରେ ଯାହାର ନିଜ ଜୀବନର ମୂଲ୍ୟ ବାଜ୍ୟାପ୍ତି ହୋଇଯାଇଛି, ସେମାନେ କାହା ଉପରେ ନିର୍ଭର କରିବେ କେମିତି । ସେମାନଙ୍କ ଜନ୍ମ, ଶିକ୍ଷା, କୈଶୋର ଓ ଯୌବନର ବିଚିତ୍ର ଇତିହାସ, ସେମାନଙ୍କ ଅପରିବର୍ତ୍ତନୀୟ ଦୃଢ଼ ସଂସକ୍ତି, ସେମାନଙ୍କ କର୍ତ୍ତବ୍ୟବୋଧ–ଏସବୁରେ ଭାରତୀ ଆଜି ସଂଗତ ଦେଖିପାରିଲା । ନାରୀ ବୋଲି ସୁମିତ୍ରାଠାରେ ଭାରତୀର ଅଭିମାନ ଥିଲା, ଆଜି ତାହା ଯେପରି ମୂଲ୍ୟହୀନ ମନେହେଲା । ତାର ମନେହେଲା–ସ୍ନେହ ଓ କରୁଣା ପାଇଁ ସୁମିତ୍ରା ପାଖରେ ଭିକ୍ଷା କରିବା ସମ୍ପୂର୍ଣ୍ଣ ମୁଁ ହାସ୍ୟକର ।

 

ନାଆ ଘାଟରେ ଲାଗିବାରୁ ଜଣେ ଲୋକ କୂଳର ଗଛମୂଳରୁ ବାହାରି ଆସିଲା । ଡାକ୍ତରଙ୍କ ହାତ ଧରି ଭାରତୀ ଓହ୍ଲାଉଥିଲା, ହଠାତ୍‌ ଲୋକଟା ପ୍ରତି ଦୃଷ୍ଟି ପଡ଼ିବାରୁ ଭୟରେ ଅଟକିଗଲା ।

 

ଡାକ୍ତର ଧୀରେ କହିଲେ–ସେ ଆମର ହୀରା ସିଂ, ତମକୁ ଘରେ ପହଞ୍ଚାଇଦେବ ବୋଲି ଆସିଛି । କ୍ୟା ସିଂଜୀ, ଖବର କ’ଣ ?

 

ହୀରା ସିଂ କହିଲେ–ସବ୍‌ ଆଚ୍ଛା ।

 

ମୁଁ ଯାଇପାରିବି ?

 

ହୀରା ସିଂ କହିଲା–ଆପ୍‌କୋ କହିଁ ଯାନା ଦୁନିଆମେ କୋଇ ରୋକ୍‌ ସକ୍‌ତା ?

 

ଜଣାଗଲା ଯେ ପୋଲିସ ଲୋକ ଭାରତୀର ଘରକୁ ଦୃଷ୍ଟି ରଖିଛନ୍ତି, ଯିବା ନିରାପଦ ନୁହେଁ । ଭାରତୀ ଡାକ୍ତରଙ୍କ ହାତ ନ ଛାଡ଼ି କହିଲା–ମୁଁ ଯିବିନି ଭାଇ !

 

କିନ୍ତୁ ତମର ଲୁଚି ରହିବା ଦରକାର ନାହିଁ ।

 

ଦରକାର ଥିଲେ ବି ଲୁଚିପାରିବ ନାହିଁ; କିନ୍ତୁ ୟା ସାଙ୍ଗରେ ଯାଇପାରିବି ନାହିଁ ।

 

ଡାକ୍ତର ଆପତ୍ତିର କାରଣ ବୁଝିପାରିଲେ । ଅପୂର୍ବକୁ ସେଦିନ ହୀରା ସିଂ ଭୁଲେଇ ଘୋଡ଼ାଗାଡ଼ିରେ ନେଇଯାଇଥିଲା; ତେଣୁ ତା ପ୍ରତି ଭାରତୀର ଡର । ଟିକିଏ ଚିନ୍ତାକରି କହିଲେ–ତମେ ତ ଜାଣ ଭାରତୀ, ସେ ଜାଗାଟା କେଡ଼େ ଭୟଙ୍କର । ତମେ ତ ଏତେ ରାତିରେ ଏକୁଟିଆ ଯାଇପାରିବନି । ଆଉ ମୁଁ ଯଦି....

 

ଭାରତୀ ବ୍ୟାକୁଳ ହୋଇ ବାଧାଦେଇ କହିଲା–ନା ଭାଇ, ମୁଁ କଣ ପାଗଳ ସେ ତମକୁ ଏ ଅବସ୍ଥାରେ କହିବି ମତେ ଛାଡ଼ିଆସିବା ପାଇଁ ?

 

ଡାକ୍ତର କିଛି ସମୟ ଚିନ୍ତାକରି କହିଲେ–ମୋ ବସାକୁ ତମକୁ ଫେରାଇନେବା ଭଲ ହେବନି । କିନ୍ତୁ ଆଉ ଗୋଟାଏ ଜାଗାକୁ ଯିବ ଭଉଣୀ ? ଆମ କବିଙ୍କ ଘରକୁ ? ସେ ଠିକ୍‌ ନଦୀ ଆରପାଖରେ ରହେ । ଯିବ ?

 

ଭାରତୀ ପଚାରିଲା–କବି କିଏ ଭାଇ ?

 

ଡାକ୍ତର କହିଲେ–ଆମର ଓସ୍ତାଦ୍‌ଜୀ–ଯେ ବେହେଲା ବଜାନ୍ତି ।

 

ଭାରତୀ ଖୁସିହୋଇ କହିଲା–ସେ କଣ ଘରେ ଥିବେ ? ଆଉ ମଦ ଜୁଟିଲେ ତ ଅଜ୍ଞାନ-

 

ଡାକ୍ତର କହିଲେ–ଆଶ୍ଚର୍ଯ୍ୟ ନୁହେଁ; କିନ୍ତୁ ମୋ ପାଟି ଶୁଣିଲେ ତାଙ୍କର ନିଶା ଛାଡ଼ିଯାଏ । ତା’ଛଡ଼ା ପାଖରେ ନବତାରା ଅଛନ୍ତି–ହୁଏତ ତମପାଇଁ ଦୁଇଟା ଖାଇବାର ବ୍ୟବସ୍ଥା କରିଦେଇ ପାରିବି ।

 

ଭାରତୀ ବ୍ୟସ୍ତହୋଇ କହିଲା–ରକ୍ଷାକର ଭାଇ, ରାତି ଆସି ପାହିବା ଉପରେ.....ଆଉ ମୋ ଖାଇବାପାଇଁ ଚେଷ୍ଟା କରନି । ତେବେ ଚାଲ, ସକାଳୁ ଚାଲିଆସିବା ।

 

ଡାକ୍ତର ପୁଣି ନାଆ ଛାଡ଼ିବାରୁ ହୀରା ସିଂ ଅନ୍ଧାରରେ ଲୁଚିଗଲା । ଭାରତୀ କୌତୁହଳୀ ହୋଇ ପଚାରିଲା–ଭାଇ, ପୁଲିସ କେମିତି ଏ ଲୋକଟିକୁ ସନ୍ଦେହ କରିନି ?

 

ଡାକ୍ତର କହିଲେ–ସେ ଟେଲିଗ୍ରାମ୍ ଅଫିସ୍‌ର ପିଅନ । ଜରୁରୀ ତାର ବାଣ୍ଟିବା ତା କାମ; ତେଣୁ ଦିନରାତି ତାକୁ କେଉଁଠି ଦେଖିଲେ ସନ୍ଦେହ କରାଯାଏନି ।

 

ଜୁଆର ଆରମ୍ଭ ହୋଇଛି ମାତ୍ର; ତେଣୁ ଖୁବ୍ ଧୀରେ ଧୀରେ କୂଳରେ ନାଆ ଚଳେଇ ଡାକ୍ତର ସାବଧାନତା ସହ ଆଗଉଥିଲେ ।

 

ଭାରତୀ କହିଲା–ଥାଉ ଭାଇ, ଏତେ କଷ୍ଟରେ ସେଠାକୁ ଯିବା ଦରକାର ନାହିଁ; ବରଂ ତମ ବସାକୁ ଚାଲ ଫେରିଯିବା । ଜୁଆରରେ ଅଧଘଣ୍ଟାଏ ବି ଲାଗିବନି ।

 

ଡାକ୍ତର କହିଲେ–ଖାଲି ତମପାଇଁ ନୁହେଁ ଭାରତୀ, ମୋର ବି ଦେଖାର ପ୍ରୟୋଜନ ଅଛି-

 

ଭାରତୀ ଥଟ୍ଟାକରି କହିଲା–ତାଙ୍କ ସଙ୍ଗେ କାହାର କିଛି ପ୍ରୟୋଜନ ଥାଇପାରେ, ମୋର ତ ବିଶ୍ଵାସ ହେଉନି ଭାଇ ।

 

ଡାକ୍ତର କିଛି ସମୟ ସ୍ତବ୍‌ଧ ହୋଇ କହିଲେ–ତମେ କେହି ତାକୁ ଭଲକରି ଜାଣନି ଭାରତୀ ! ତା’ପରି ପ୍ରକୃତ ଗୁଣିଲୋକ ଖୋଜିଲେ ମିଳବନି । ଏଇ ଭଙ୍ଗା ବେହେଲାଟିକୁ ପୁଞ୍ଜି କରି ସେ କେଉଁ ଦେଶ ନ ଯାଇଛି, ଏମିତି ନାହିଁ । ତା’ଛଡ଼ା ସେ ପଣ୍ଡିତ ଲୋକ । କେଉଁଠି କେଉଁ ବହିରେ କଣ ଲେଖା ଅଛି, ତା’ ଛଡ଼ା ଜାଣିବାଭଳି ଦ୍ଵିତୀୟ ବ୍ୟକ୍ତି ମୁଁ ଦେଖିନି । ମୁଁ ତାକୁ ପ୍ରକୃତରେ ଭଲପାଏ ।

ଭାରତୀ ଅପ୍ରତିଭ ହୋଇ କହିଲା–ତା’ ହେଲେ ତମେ ତାକୁ ମଦ ଛଡ଼ାଇବା ପାଇଁ ଚେଷ୍ଟା କରନି କାହିଁକି ?

ଡାକ୍ତର କହିଲେ–ମୁଁ କାହାକୁ କିଛି ଛଡ଼ାଇବାକୁ ଚେଷ୍ଟା କରେନି ଭାରତୀ ! ଟିକିଏ ଚୁପ୍‌ ରହି କହିଲେ–ତାଛଡ଼ା ସେ କବି, ଗୁଣୀ; ସେମାନଙ୍କର ଜାତି ଅଲଗା । ସେମାନଙ୍କ ଭଲ ମନ୍ଦ.....ଠିକ୍‌ ଆମ ସଙ୍ଗେ ମିଶେନା; କିନ୍ତୁ ତା ବୋଲି ଦୁନିଆର ଭଲମନ୍ଦର ବନ୍ଧା ଆଇନ୍‌ରେ ତାଙ୍କୁ ମାପିବା ଚଳେନା । ତା ଗୁଣର ଫଳ ସମସ୍ତେ ମିଶି ଭୋଗକରନ୍ତି; କେବଳ ଦୋଷର ଶାସ୍ତି ସେ ନିଜେ ଭୋଗକରେ । ତେଣୁ ମଝିରେ ମଝିରେ ସେ ଯେତେବେଳେ ଖୁବ୍‌ କଷ୍ଟ ପାଏ, ସେତେବେଳେ ମୁଁ ଜଣେ ଲୋକ ଯେ ତା ଦୁଃଖରେ ସମଦୁଃଖୀ ହୁଏ ।

ଭାରତୀ କହିଲା–ତମେ ସମସ୍ତଙ୍କ ଦୁଃଖରେ ଦୁଃଖୀ ଭାଇ ! ତମ ମନ ଜଣେ ସ୍ତ୍ରୀଲୋକର ମନ ଭଳି କୋମଳ; କିନ୍ତୁ ତମେ କବିଙ୍କୁ ବିଶ୍ଵାସ କର କିଭଳି ? ସେ ତ ମାତାଲ୍‌ ହେଲେ ସବୁକଥା କହିହେଉଥିବେ ?

ଡାକ୍ତର କହିଲେ–ସେତକ ଜ୍ଞାନ ତାର ରହେ । ଆଉ ଗୋଟାଏ ସୁବିଧା ଯେ ତା’ କଥାରେ କେହି ବିଶ୍ୱାସ ବି କରନ୍ତି ନାହିଁ ।

ଭାରତୀ ପଚାରିଲା–ତାଙ୍କ ନାଁ କଣ ଭାଇ ?

ଡାକ୍ତର କହିଲେ–ଅତୁଲ୍‌, ସୁରେନ୍‌, ଧୀରେନ୍‌,…..ଯାହା ଯେତେବେଳେ ତା ମନକୁ ଆସିଲା । ଅସଲ ନାଁ ହେଲା ଶଶିପଦ ଭୌମିକ ।

ମୋର ମନେହୁଏ ସେ ନବତାରାଙ୍କର ଅତି ବାଧ୍ୟ....ତାଙ୍କ କଥାରେ ବସନ୍ତି ଉଠନ୍ତି ।

ଡାକ୍ତର ହସି କହିଲେ–ମୋର ବି ତ ସେଇ କଥା ମନେହୁଏ । ତା’ ପରେ ସେ ଅନ୍ୟ କୂଳ ଆଡ଼କୁ ନାଆକୁ ମୁହାଁଇଲେ । ସ୍ରୋତ ଓ କାତ ଦ୍ଵାରା କ୍ଷୁଦ୍ର ତରଣୀଟି ପ୍ରବଳ ବେଗରେ ଚାଲିଲା ଓ ଦେଖୁ ଦେଖୁ ଏ କୂଳରେ ଆସି ଲାଗିଗଲା । ଚାରିଆଡ଼େ କମ୍ପାନୀର କାଠ ଗଦା ହୋଇଛି, ତାରି ଫାଙ୍କରେ ଦୂରବର୍ତ୍ତୀ ଜାହାଜର ଆଲୁଅ ପ୍ରତିଫଳିତ ହେଉଛି । ଡାକ୍ତର ସେଇ ଭିତରେ ନୌକା ମୁହାଁଇ ଭାରତୀର ହାତ ଧରି ଓହ୍ଲାଇପଡ଼ିଲେ । ଖସଡ଼ା କାଠ ଉପରେ ପାଦ ଚିପି କିଛି ବାଟ ଆଗେଇଲା ପରେ ଗୋଟାଏ ସରୁ ରାସ୍ତା ଦେଖାଗଲା । ଦୁଇ ପାଖରେ ଛୋଟ ବଡ଼ ଲତା, ଗୁଳ୍ମ ଓ କଣ୍ଟାଗଛ ।

ଭାରତୀ ଭୟରେ ପଚାରିଲା–ଭାଇ, ସେ କୂଳର ଗୋଟିଏ ଭୟଙ୍କର ଜାଗାରୁ ଏ କୂଳର ଆଉ ଗୋଟାଏ ଭୟଙ୍କର ଜାଗାକୁ ନେଇଆସିଲ । ବାଘ, ଭାଲୁ ଭଳି କଣ ତମେ କେବଳ ରହି ଜାଣ ? ଆଉ କିଛି ନଥିଲେ ବା ସାପ ଭୟ ତ ଅଛି ?

ଡାକ୍ତର ହସି ହସି କହିଲେ–ସାପ ତ ବିଲାତରୁ ଆସିନି ଭଉଣି, ତାର ଧର୍ମଜ୍ଞାନ ଅଛି; ବିନା ଦୋଷରେ କାମୁଡ଼ିବ ନାହିଁ ।

ଏ ମନ୍ତବ୍ୟ ଶୁଣି ଭାରତୀର ମନେପଡ଼ିଲା ଯେ ଆଉ ଦିନେ ସେମିତି ଥଟ୍ଟାରେ ଇଉରୋପ ବିରୁଦ୍ଧରେ ଡାକ୍ତର କି ଅପରିସୀମ ଘୃଣା ପ୍ରକାଶ କରିଥିଲେ । ଡାକ୍ତର ପୁଣି କହିଲେ–ବାଘଭାଲୁ କଥା କହୁଛ ନା ! ଅନେକ ଥର ଭାବେ, ଭାରତବର୍ଷରେ ମଣିଷ ନ ଥାଇ ଯଦି ଖାଲି ବାଘଭାଲୁ ଥାଆନ୍ତେ, ହୁଏତ ଏଇ ଶାସକମାନେ ବିଦେଶରୁ କେତେବେଳେ କିମିତି ଶିକାର କରିବାକୁ ଆସନ୍ତେ; ଏମିତି ଅହର୍ନିଶ ରକ୍ତ ଶୋଷୁ ନ ଥାନ୍ତେ ତ !

 

ଭାରତୀ ଚୁପ୍‌ ରହିଲା । ଜାତି-ନିର୍ବିଶେଷରେ କାହା ପ୍ରତି ବି ହେଉ, ବିଦ୍ଵେଷ ତାକୁ ଖୁବ୍‌ କଷ୍ଟଦିଏ । ବିଶେଷକରି ଏଇ ମଣିଷଟିର ବିଶାଳ ବକ୍ଷତଳୁ ଯେତେବେଳେ ଗରଳ ଉଛୁଳି ଉଠେ, ସେତେବେଳେ ତାର ଦୁଇ ଚକ୍ଷୁ ଲୋତକରେ ପୂର୍ଣ୍ଣ ହୋଇଯାଏ । ସେ ମନେମନେ ପ୍ରାଣପଣେ କହେ–ଏ ସତ୍ୟ ନୁହେଁ, ଏ ସତ୍ୟ ହୋଇ ପାରେନା ।

 

କିଛି ସମୟ ଧରି ଗୋଟିଏ ଅତି ସୁନ୍ଦର ବେହେଳା ଧ୍ୱନି କାନରେ ବାଜୁଥିଲା । ହଠାତ୍‌ ଅଟକି ଯାଇ ଡାକ୍ତର କହିଲେ–ଓସ୍ତାଦଜୀ ଜାଗ୍ରତ ଅବସ୍ଥାରେ ଅଛନ୍ତି । ଏ ଭଳି ବେହେଲା ତମେ କେବେ ଶୁଣି ନଥିବ ଭାରତୀ !

 

କିଛି ବାଟ ଆଗେଇଲା ପରେ ଭାରତୀ ସ୍ତବ୍‌ଧ ହୋଇଗଲା । କେଉଁଠି କେଉଁ ଅନ୍ଧାରର ବୁକୁ ଚିରି ଶୋକରାଗିଣୀ ଭାସିଆସୁଛି ଯେମିତି–ଦୁଇ ମିନିଟ ପର୍ଯ୍ୟନ୍ତ ଭାରତୀର ପ୍ରାୟ ସଜ୍ଞା ରହିଲା ନାହିଁ । ଡାକ୍ତର ତା ହାତକୁ ସାମାନ୍ୟ ହଲାଇ ଦେଇ କହିଲେ–ଚାଲ ।

 

ଭାରତୀ ଚମକି ଉଠି କହିଲେ–ଚାଲ ! ମୁଁ ଏଭଳି ଭାବି ନ ଥିଲି । କେବେ ଏତେ ସୁନ୍ଦର ବେହେଲା ଶୁଣିନି ।

 

ଡାକ୍ତର ଧୀରେ ଧୀରେ କହିଲେ–ପୃଥିବୀରେ ମୋର ଅଗମ୍ୟ ସ୍ଥାନ ନାହିଁ କହିଲେ ଚଳେ । ମୁଁ ବି ୟାଠାରୁ ଭଲ ବେହେଲା ଶୁଣିଛି ବୋଲି ମନେହୁଏନା । ଟିକିଏ ହସି କହିଲେ–କିନ୍ତୁ ପାଗଳଟାର ହାତରେ ପଡ଼ି ଏ ବେହେଲାର ଦୁର୍ଦ୍ଦଶାର ସୀମା ନାହିଁ । ମୁଁ ବୋଧହୁଏ ଦଶଥର ଉଦ୍ଧାର କରିଥିବି । ଏବେ ଶୁଣିଛି ଯେ ଅପୂର୍ବ ପାଖେ ପାଞ୍ଚ ଟଙ୍କାରେ ବନ୍ଧା ପଡ଼ିଛି ।

 

ଭାରତୀ କହିଲା–ହଁ, ତାଙ୍କ ନାଁରେ ମୁଁ ପାଞ୍ଚଟଙ୍କା ପଠାଇଦେବି ।

 

ଗଛ ଆଢ଼ୁଆଳରେ ଗୋଟାଏ କାଠର ଦୋତାଲା ଘର । ତଳତାଲାଟା ପଙ୍କ ଜୁଆରର ପାଣି ଦଖଲ କରିଛି । ସାମନାରେ ଗୋଟିଏ କାଠ ଶିଡ଼ି । ତାର ସବା ଉପର ପାହାଚ ପାଖେ ଗୋଟାଏ ଚୀନା ଲଣ୍ଠନ ଝୁଳୁଛି । ଆଲୋକରେ ପରିଷ୍କାର କଳା ଅକ୍ଷରରେ ଲେଖା ହୋଇଛି–ଶଶିତାରା ଲଜ୍‌ ।

 

ଭାରତୀ କହିଲା–ଘର ନାଁ ରଖାଯାଇଛି ଶଶିତାରା ଲଜ୍‌ ? ଲଜ ତ ବୁଝିଲି; ଶଶିତାରା କିଏ ?

 

ଡାକ୍ତର ମୁହଁ ପୋତି ହସି ହସି କହିଲେ–ବୋଧହୁଏ ଶଶିପଦରୁ ଶଶି ଓ ନବତାରାରୁ ଭାଗ ମିଶି ଶଶିତାରା ଲଜ୍‌ ହୋଇଛି ।

 

ଡାକ୍ତର ମୁହଁ ଗମ୍ଭୀର କରି କହିଲେ–ଏ ବଡ଼ ଅନ୍ୟୟ । ତୁମେ ଏ ସବୁ ପ୍ରଶ୍ରୟ ଦିଅ କେମିତି ?

 

ଡାକ୍ତର ହସି ପକାଇଲେ । କହିଲେ–ତମ ଭାଇକୁ ତମେ କଣ ସର୍ବଶକ୍ତିମାନ୍ ମନେକର-? କିଏ କାହା ଲଜ୍‌ର ନାଁ ଶଶିତାରା ଦେବ ବା କିଏ କାହା ପ୍ୟାଲେସ୍‌ର ନାଁ ଅପୂର୍ବଭାରତୀ ରଖିବ, ମୁଁ ଅଟକେଇବି କେମିତି ?

 

ଭାରତୀ ରାଗିଉଠି କହିଲା–ନା ଭାଇ, ଏସବୁ କଦର୍ଯ୍ୟ ଘଟଣା ତମେ ବାରଣ କରିବା ଉଚିତ । ନହେଲେ ମୁଁ ଆଉ କେବେ ତାଙ୍କ ଘରକୁ ଆସିବିନି ।

 

ଶୁଣି ତାଙ୍କର ଖୁବ୍ ଶୀଘ୍ର ବିବାହ ହେବ ।

 

ଭାରତୀ ବ୍ୟାକୁଳ ହୋଇ କହିଲା–ବିବାହ ହେବ କେମିତି ? ତାର ଯେ ସ୍ଵାମୀ ବଞ୍ଚିଛି ।

 

ଡାକ୍ତର କହିଲେ–ଭାଗ୍ୟ ସୁପ୍ରସନ୍ନ ଥିଲେ ମରିବାକୁ କେତେ ଘଡ଼ି ଭଉଣୀ ! ଶୁଣିଲି, ବିଚରା ପନ୍ଦର ଦିନ ହେଲା ମଲାଣି ।

 

ଭାରତୀ ଅତିଶୟ ବିରକ୍ତ ସତ୍ତ୍ୱେ ବି ହସିପକାଇଲା । କହିଲା–ହୁଏତ ମିଛ କଥା ।

 

ତା ଛଡ଼ା ଗୋଟାଏ ବର୍ଷ ତ ଅନ୍ତତଃ ଅପେକ୍ଷା କରିବା ଉଚିତ, ନ ହେଲେ ଖୁବ୍‌ଅସୁନ୍ଦର ହେବ ।

 

ଡାକ୍ତର ମୁହଁ ଗମ୍ଭୀର କରି କହିଲେ–ବେଶ୍‌, ପଚାରିବି । ତେବେ ଅପେକ୍ଷା କଲେ ଅସୁନ୍ଦର ହେବ କି ନ କଲେ ହେବ, ସେଇଟା ବିଚାର୍ଯ୍ୟ ।

 

ଏଇ ଇଙ୍ଗିତପରେ ଭାରତୀ ଲଜ୍ଜାରେ ନୀରବ ରହିଲା । ଶିଡ଼ିରେ ଉଠୁ ଉଠୁ ଡାକ୍ତର ଧୀରେ ଧୀରେ କହିଲେ–ପାଗଳାଟା ପାଇଁ ମୋ ମନରେ ଖୁବ୍‌ଦୁଃଖ ହୁଏ–ସେ କୁଆଡ଼େ ଏ ସ୍ତ୍ରୀ ଲୋକଟିକୁ ସତରେ ଖୁବ୍‌ଭଲ ପାଏ । ଆଉ କାହାକୁ ଯଦି ଭଲପାଇଥାନ୍ତା....ହଠାତ୍‌ ସେ ଦୀର୍ଘ ନିଃଶ୍ଵାସ ପକାଇଲେ । କହିଲେ, ସଂସାରରେ ଭଲମନ୍ଦର ବିଚାର, ବନ୍ଧୁ ମାନଙ୍କ ଅଭିରୁଚି–ଏ ସବୁ ଅତି ତୁଚ୍ଛ କଥା ଭାରତୀ ! କେବଳ ଏତିକି ମୋର କାମନା, ତା ଭଲ ପାଇବା ଭିତରେ ଯଦି କିଛି ସତ୍ୟ ଥାଏ, ସେ ସତ୍ୟ ଯେଭଳି ତାକୁ ରକ୍ଷାକରେ ।

 

ଭାରତୀ ଚମକି ଉଠି ପଚାରିଲା–ସଂସାରରେ କ’ଣ ତା ହୁଏ ଭାଇ ?

 

ଡାକ୍ତର ଅନ୍ଧାରରେ ଥରେ ଫେରି ଚାହିଁଲେ ଓ ପୁଣି ଆଗେଇଯାଇ ଦୁଆରେ ହାତ ମାରି ଡାକିଲେ । ଡାକ ଶୁଣି ବେହେଲା ଅଟକିଗଲା । କିଛିକ୍ଷଣ ପରେ ଭିତରୁ ଦ୍ଵାର ଖୋଲି ଶଶିପଦ ବାହାରକୁ ଆସିଲା ଡାକ୍ତରଙ୍କୁ ଚିହ୍ନି ପାରିଲା, ତା ପରେ ଭାରତୀକୁ ଠଉରେଇ ଚିତ୍କାର କଲା–ଏଁ ଆପଣ ? ଭାରତୀ ଦେବୀ ? ଆସନ୍ତୁ, ମୋ ଘରକୁ ଆସନ୍ତୁ । ଏହା କହି ସେ ସେମାନଙ୍କୁ ଭିତରକୁ ନେଇଗଲା । ତାର ଆନନ୍ଦଦୀପ୍ତ ଅକପଟ ଅହ୍ଵାନନ ଓ ଅକୃତ୍ରିମ ଉଚ୍ଛ୍ଵସିତ ଆଦର ଦେଖି ଭାରତୀର ଦ୍ଵିଧା ଉଭେଇଗଲା । ଶଶୀ ବିଛଣା ଭିତରୁ ଗୋଟାଏ ବଡ଼ ଲଫାଫା ବାହାର କରି ଭାରତୀ ହାତରେ ଦେଇ କହିଲା–ଖୋଲି ପଢ଼ନ୍ତୁ ତ । ପଅର ଦିନ ଦଶହଜାର ଟଙ୍କାର ବ୍ୟାଙ୍କ୍ ଡ୍ରାଫଟ୍‌ଆସୁଛି–ନଟ୍‌ଏ ପାଇ ଲେଶ୍‌ ! କହୁଥିଲି ନା ? ମୁଁ କୁଆଡ଼େ ଜୁଆଚୋର, ମିଥ୍ୟାବାଦୀ, ମାତାଲ୍‌ ! ଏଥର ହେଲା ତ ! ଦଶ ହଜାର ! ନଟ୍‌ଏ ପାଇ ଲେଶ୍‌ !

 

ଏଇ ଦଶ ହଜାର ଟଙ୍କା ଡ୍ରାଫ୍‌ଟର ଗୋଟାଏ ଇତିହାସ ଅଛି–ତାହା ଏଠାରେ କହିରଖିବା ପ୍ରୟୋଜନ । ଶଶୀର ବନ୍ଧୁ ବାନ୍ଧବ, ଶତ୍ରୁ ମିତ୍ର–ଏଭଳି କେହି ନ ଥିଲା ଯେ ଅଦୂର ଭବିଷ୍ୟତରେ ତାର ଟଙ୍କା ପ୍ରାପ୍ତି ସମ୍ବନ୍ଧରେ ଶୁଣିନାହିଁ । କେହି ବିଶ୍ଵାସ କରନ୍ତି ନାହିଁ; ବରଂ ଥଟ୍ଟା ତାମସା କରନ୍ତି । ଏଇ ଥିଲା କିନ୍ତୁ ଓସ୍ତାଦ୍‌ଜୀଙ୍କର ମୂଳଧନ–ଏହି କଥା କହି ସେ ସଙ୍କୋଚହୀନଭାବେ ଲୋକଙ୍କଠାରୁ ଧାର ଚାହେଁ ଏବଂ ଶୀଘ୍ର ଟଙ୍କା ପାଇଲେ ସୁଧମୂଳ ଫେରାଇଦେବ, ଏ କଥା ଶପଥ କରି କହେ । ଏଇ ଅତ୍ୟନ୍ତ ଅନିଶ୍ଚିତ ଅର୍ଥାଗମ ଉପରେ ତାର ବହୁ ଆଶା ଭରସା ଜଡ଼ିତ ଥିଲା । ପାଞ୍ଚ ସାତ ବର୍ଷ ପୂର୍ବେ ତାର ଅଜା ଯେତେବେଳେ ମରିଗଲେ, ସେତେବେଳେ ମାଉସୀପୁଅ ଭାଇମାନଙ୍କ ସହ ସେ ବି ସମ୍ପତ୍ତିର ଗୋଟାଏ ଅଂଶ ପାଇଥିଲା । ଏତେଦିନ ଧରି ସେଇଟା ବିକ୍ରି ହେବାର କଥାବାର୍ତ୍ତା ଚାଲିଥିଲା–ଏଇ ମାସେ ତଳେ ସବୁ ମୀମାଂସା ହେଲା । ଲଫାଫା ଭିତରେ କଲିକତାର ଜଣେ ବଡ଼ ଆଟର୍ଣ୍ଣିଙ୍କ ଚିଠି ଥିଲା–ଟଙ୍କାଟା ଦିନେ ଦୁଇଦିନ ଭିତରେ ଶଶୀ ପାଇବ ବୋଲି ସେ ଲେଖିଛନ୍ତି ।

 

ଭାରତୀ ଚିଠି ପଢ଼ି ଶେଷ କଲା ପରେ ଡାକ୍ତର କହିଲେ–କୋଡ଼ିଏ ହଜାର ଟଙ୍କା ପାଇବାର ଥିଲା ନା କଣ, ଶଶୀ ?

 

ଶଶୀ ହାତ ହଲାଇ କହିଲା–ଆହା, ଦଶ ହଜାର ଟଙ୍କା କଣ ସହଜ ! ତା’ ଛଡ଼ା ନିଜର ମାଉସୀପୁଅ ଭାଇ–ସମ୍ପତ୍ତି ତ ଏକରକମ ଘରେ ରହିଲା କହିଲେ ଚଳେ, ଡାକ୍ତରବାବୁ ! ସେଇ କଥା ଭାଇ ଲେଖିଛନ୍ତି । କେମିତି ଲେଖିଛନ୍ତି ଦେଖିବେ ? ଏହା କହି ଶଶୀ ଚିଠି ଖୋଲିବାର ଉପକ୍ରମ କରିବାରୁ ଡାକ୍ତର କହିଲେ–ଥାଉ, ଥାଉ-ଭାଇଙ୍କ ଚିଠି ପଢ଼ିବାର କୌତୁହଳ ମୋର ନାହିଁ-। ଭାରତୀକୁ ଚାହିଁ କହିଲେ–ଏଇଭଳି ଗୋଟାଏ ପାଗଳ ଭାଇ ମୋର ଥିଲେ....

 

ଶଶୀ ଏ କଥା ଶୁଣି ଖୁସି ହୋଇ ପାରିଲା ନାହିଁ । ସେ ପ୍ରାଣପଣ ପ୍ରମାଣ କରିବାକୁ ଲାଗିଲା ଯେ ସମ୍ପତ୍ତିଟା ବିକ୍ରି ନ ହୋଇ ଏତେଗୁଡ଼ାଏ ଟଙ୍କା ମିଳିଲା; କାରଣ ଭାଇଙ୍କ ଭଳି ଆଦର୍ଶପୁରୁଷ ସଂସାରରେ ଥିଲେ ବୋଲି ।

 

ଭାରତୀ ମୁରୁକି ହସି କହିଲା–ସେ ଠିକ୍‌କଥା, ଭାଇଙ୍କୁ ନ ଦେଖି ବି ତାଙ୍କ ଦେବଚରିତ ଆମର ହୃଦୟଙ୍ଗମ ହେଲାଣି । ସେ କଥା ଆଉ ପ୍ରମାଣ କରିବା ଦରକାର ନାହିଁ ।

 

ଶଶୀ ତତ୍‌କ୍ଷଣାତ୍‌ କହିଲା–କାଲି କିନ୍ତୁ ମତେ ଆଉ ଦଶଟା ଟଙ୍କା ଦେବାକୁ ହେବ । ତା ହେଲେ ସେଦିନର ଦଶ, କାଲିର ଦଶ, ଆଉ ଅପୂର୍ବ ବାବୁଙ୍କ ଆଡ଼କୁ ସାଢ଼େ ଆଠଟଙ୍କା ପୂରାପୂରି ତିରିଶ ଟଙ୍କା ପରଦିନ ଦେଇଦେବି । ଆପଣଙ୍କୁ ନବାକୁ ହେବ– ନାହିଁ କଲେ ଚଳିବନି ।

 

ଭରତୀ ହସିବାକୁ ଲାଗିଲା । ଶଶୀ କହିଲା–ଡ୍ରାଫ୍‌ଟଟା ଆସିଲାମାତ୍ରେ ବ୍ୟାଙ୍କରେ ଜମା ଦେଇଦେବି । ମାତାଲ, ଜୁଆଚୋର, ସ୍ପେଣ୍ଡ୍‌ଥ୍ରଫ୍‌ଟ–ଯାହା ଆସୁଛି ଲୋକେ କହୁଛନ୍ତି । ମୂଳରେ ହାତ ପଡ଼ିବନି, ଖାଲି ସୁଧରେ ସଂସାର ଚଳେଇନେବି; ବରଂ ବଳକା ହୋଇପାରେ–ପୋଷ୍ଟ ଅଫିସ୍‌ରେ ଗୋଟାଏ ଆକାଉଣ୍ଟ ଖୋଲିବାକୁ ହେବ–ଘରେ କିଛି ରଖିବି ନାହିଁ । ପାଞ୍ଚବର୍ଷ ଭିତରେ ଗୋଟାଏ ଘର କିଣିବି । କିଣିବାକୁ ତ ହେବ ନିଶ୍ଚୟ–ସଂସାର ମୁଣ୍ଡରେ ପଡ଼ିଲାଣି ନା ! ଆଜିକାଲିକାର ବଜାରରେ ଚଳିବା ତ ସହଜ ନୁହେଁ !

 

ଭାରତୀ ମୁହଁକୁ ଚାହିଁ ଡାକ୍ତର ଠୋ-ଠୋ ହସିବାକୁ ଲାଗିଲେ; ସେ କିନ୍ତୁ ମୁହଁ ଗମ୍ଭୀର କଲା ।

 

ଶଶୀ କହିଲା–ମଦ ଛାଡ଼ିଦେଲିଣି, ଶୁଣିଛନ୍ତି ବୋଧହୁଏ ?

 

ଡାକ୍ତର କହିଲେ–ନା ।

 

ଶଶୀ କହିଲା–ହଁ, ସଂପୂର୍ଣ୍ଣ ଛାଡ଼ିଦେଲି । ନବତାରା ପ୍ରତିଜ୍ଞା କରେଇ ନେଇଛନ୍ତି ।

 

ଏହି ବିଷୟ ନେଇ ଦୀର୍ଘ ଆଲୋଚନା ହୋଇପାରିଥାନ୍ତା; କିନ୍ତୁ ଜଣକର ସକୌତୁକ ପ୍ରଶ୍ନମାଳା ଓ ଅପରର ଉତ୍ସାହ ଦୀପ୍ତ ଉତ୍ତରଦାନରେ ଭାରତୀ ବ୍ୟସ୍ତ ହୋଇଉଠିଲା । ସେ ଯୋଗଦେଇପାରୁନି ଦେଖି ଡାକ୍ତର ଅନ୍ୟ ପ୍ରସଙ୍ଗର ଅବତାରଣା କଲେ । କହିଲେ–ଶଶୀ, ତମେ ତା ହେଲେ ବର୍ତ୍ତମାନ ଏଠୁ ଘୁଞ୍ଚୁନାହଁ ?

 

ଶଶୀ କହିଲା–ଘୁଞ୍ଚିବା ଅସମ୍ଭବ ।

 

ଡାକ୍ତର କହିଲେ–ବେଶ୍‌, ଆମର ତା’ ହେଲେ ଏଠି ଗୋଟାଏ ସ୍ଥାୟୀ ଆଡ଼୍‌ଡ଼ା ରହିଲା ।

 

ଶଶୀ ତତ୍‌କ୍ଷଣାତ୍‌ କହିଲା–ସେ କଥା କେମିତି ହେବ ? ଆପଣମାନଙ୍କ ସାଙ୍ଗରେ ମୁଁ ତ ସମ୍ବନ୍ଧ ରଖିପାରିବି ନାହିଁ । ମୋର ଆଉ ଲାଇଫ୍‌ରିସ୍‌କ କରି ହେବନି ।

 

ଡାକ୍ତର ଭାରତୀକୁ ଚାହିଁ ହସି ହସି କହିଲେ–ଆମ ଓସ୍ତାଦ୍‌ଙ୍କର ଆଉ ଯାହା ଦୋଷ ଥାଉ ଭାରତୀ, ଚକ୍ଷୁଲଜ୍ଜା ଅଛି–ଏ ଅପବାଦ ପରମଶତ୍ରୁ, ବି ଦେଇ ପାରିବିନି । ଯଦି ପାରିବ, ତାଙ୍କଠୁ ଏ ବିଦ୍ୟାଟା ଶିଖିନିଅ ।

 

ଭାରତୀ ଶଶୀର ପକ୍ଷ ନେଇ ନିରୀହଭାବେ କହିଲା–ମିଥ୍ୟା ଆଶା ଦେବା ଅପେକ୍ଷା ସ୍ପଷ୍ଟ କଥା କହିବା ଭଲ । ମୁଁ ପାରେନି, କିନ୍ତୁ ଶିଖିପାରିଲେ ରକ୍ଷା ମିଳିଯାଆନ୍ତା ଭାଇ ! ତା କଥାଗୁଡ଼ାକ ଶେଷ ଆଡ଼କୁ ଭାରି ଜଣାଗଲା । ଶଶୀ ମନୋନିବେଶ କରି ନ ଥିଲା, କରିଥିଲେ ବି ତାତ୍ପର୍ଯ୍ୟ ବୁଝି ପାରି ନ ଥାନ୍ତା । କିନ୍ତୁ ଯାହାଙ୍କୁ କୁହାଯାଇଥିଲା, ତାଙ୍କର ବୁଝିବାକୁ ବିଳମ୍ବ ହେଲାନାହିଁ ।

 

କିଛି ସମୟ ନୀରବ ରହିବା ପରେ ଡାକ୍ତର କହିଲେ–ଶଶୀ, ମୁଁ ଦୁଇଦିନ ଭିତରେ ଚାଲିଯାଉଛି । ଚଲାବାଟରେ ଚୀନ ଭିତରଦେଇ ପ୍ୟାସିଫିକ୍‌ର ସବୁ ଦୀପଗୁଡ଼ାକ ଆଉ ଥରେ ବୁଲିବି । ବୋଧହୁଏ ଜାପାନରୁ ଆମେରିକା ଯିବି । କେବେ ଫେରିବି ଜାଣେନା, ଫେରିବ କି ନାହିଁ ତା ବି କିଏ ଜାଣେ-କିନ୍ତୁ ହଠାତ୍‌ ଯଦି ଫେରେ ଶଶୀ, ତମ ଘରେ ମୋର ବୋଧହୁଏ ସ୍ଥାନ ହେବନି-?

 

ଶଶୀ କିଛି ସମୟ ତାଙ୍କ ମୁହଁକୁ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଲା, ତା ପରେ ତାର ମୁହଁ ଓ କଣ୍ଠସ୍ଵର ଆଶ୍ଚର୍ଯ୍ୟଭାବେ ପରିବର୍ତ୍ତିତ ହୋଇଗଲା । ସେ କହିଲା–ହେବ, ମୋ ଘରେ ଆପଣଙ୍କ ପାଇଁ ଚିରଦିନ ସ୍ଥାନ ରହିବ ।

 

ଡାକ୍ତର ହସି ହସି ପଚାରିଲେ–କି କଥା କହୁଛ ଶଶୀ, ମୋତେ ସ୍ଥାନ ଦେବା ଅପେକ୍ଷା ଆଉ ବଡ଼ ବିପଦ କଣ ? ଶଶୀ କହିଲା–ତା-ଜାଣେ, ମୋର ଜେଲ୍‌ ହେବ, ହେଉ ! ସେ କିଛି ସମୟ ଚୁପ ରହିଲା ଓ ଭାରତୀକୁ ଚାହିଁ କହିଲା–ଏଭଳିବନ୍ଧ ଆଉ ହେବନି । ୧୯୧୧ ମସିହାରେ ଜାପାନର ଟୋକିଓ ସହରରେ ବୋମା ପକାଇବାରୁ ଯେତେବେଳେ କୋଟୋକୁର ପୂରା ଦଳଟାକୁ ପ୍ରାଣଦଣ୍ଡ ଦିଆଗଲା । ଡାକ୍ତର ସେତେବେଳେ ତାର ଇଂରେଜୀ ଜାଗଜର ସବ୍‌ଏଡଟର୍‌ । ବସା ଆଗରେ ପୋଲିସ ଭର୍ତ୍ତି, ମୁଁ କାନ୍ଦିବାକୁ ଲାଗିଲି । ଡାକ୍ତର କହିଲେ–ମରିଲେ ହେବନି ଶଶୀ, ଆମକୁ ପଳାଇଯିବାକୁ ହେବ । ପଛପଟ ଝରକାରେ ଦଉଡ଼ି ବାନ୍ଧି ମତେ ଖସେଇ ଦେଇ ନିଜେ ଡେଇଁ ପଡ଼ିଲେ–ଡାକ୍ତରବାବୁ, ଓ, ଆପଣଙ୍କର ମନେ ଅଛି ? ଏହା କହି ସେ ସ୍ମୃତିର ଜାଗରଣରେ କଣ୍ଟକିତ ହୋଇଗଲା ।

 

ଡାକ୍ତର ହସି ହସି କହିଲେ–ମନେ ଅଛି ନିଶ୍ଚୟ ।

 

ଶଶୀ କହିଲା–କିନ୍ତୁ ଆପଣ ସାହାଯ୍ୟ ନ କରିଥିଲେ ସେଥର ମୋର ଇହଲୀଳା ସାଙ୍ଗ ହୋଇଥାନ୍ତା–ସାଙ୍ଘାଇ ବୋଟ୍‌ରେ ଆଉ ପାଦ ଦେଇ ନ ଥାନ୍ତି । ସେ ଗେଟେମ୍‌ ବଦ୍‌ମାସଙ୍କ ପରି ଜାତି ପୃଥିବୀରେ ନାହିଁ । ମୁଁ ତ ପ୍ରକୃତରେ ଆପଣଙ୍କ ବୋମାଦଳରେ ନ ଥିଲି–ବେହେଲା ଶିଖାଉଥିଲି । କିନ୍ତୁ ସେ କଥା କିଏ ଶୁଣୁଛି ? ଶୟତାନଙ୍କର ଆଇନ୍‌ ଅଦାଲତ କିଛି ନାହିଁ, ଧରିଥିଲେ ମତେ ନିଶ୍ଚେ କତଲ୍‌ କରିଥାନ୍ତେ । ଆଜି ଯେ ବଞ୍ଚି ରହି କଥା କହୁଛ, ଏ ଖାଲି ୟାଙ୍କର କୃପାରୁ–କହି ସେ ଡାକ୍ତରଙ୍କୁ ଦେଖାଇ ଦେଲା । କହିଲା–ଏଭଳି ବନ୍ଧୁ ଦୁନିଆଁରେ ନାହାନ୍ତି ଭାରତୀ, ଏପରି ଦୟାମାୟା ବି କାହାର ନାହିଁ ।

 

ଭାରତୀର ଆଖି ସଜଳ ହୋଇଗଲା, କହିଲା–ତମର ସବୁ ଘଟଣା ମତେ ଦିନେ ଶୁଣାଅ ନା ଭାଇ ! ଭଗବାନ ତମକୁ ଏତେ ବୁଦ୍ଧି ଦେଇଛନ୍ତି, ଖାଲି ଏଇ ଅମୂଲ୍ୟ ପ୍ରାଣଟାର ଦାମ୍‌ ବୁଝିବାର ବୁଦ୍ଧି ଦେଇ ନାହାନ୍ତି ! ତୁମେ ପୁଣି ସେଇ ଜାପାନକୁ ଫେରିବାକୁ ଚାହୁଁଛ !

 

ଶଶୀ କହିଲା–ମୁଁ ଠିକ୍‌ ସେଇକଥା କହୁଛି, ଭାରତୀ ! ଏତେ ବଡ଼ ସ୍ଵାର୍ଥପର, ଲୋଭୀ ଜାତି ପାଖରେ କିଛି ପ୍ରତ୍ୟାଶା କରିବା ବୃଥା ! ସେମାନେ କେବେ ଆପଣଙ୍କୁ ସାହାଯ୍ୟ କରିବେନି ।

 

ଡାକ୍ତର ହସି ହସି କହିଲେ–ଅଣ୍ଟାରେ ଦଉଡ଼ି ବାନ୍ଧିବା ଘଟଣା ଶଶୀ ଭୁଲପାରିଲା ନାହିଁ କି ଜାପାନୀମାନଙ୍କୁ ଏ ଜୀବନରେ କ୍ଷମା କରିପାରିଲେ ନାହିଁ । କିନ୍ତୁ ଏଇ ତ ସେମାନଙ୍କର ସର୍ବସ୍ଵ ନୁହେଁ, ଭାରତୀ ! ଏତେ ବଡ଼ ଆଶ୍ଚର୍ଯ୍ୟ ଜାତି ବି ପୃଥିବୀରେ ନାହିଁ । ଅଢ଼େଇଶ’ ବର୍ଷ ଆଗରେ ଯେ ଜାତି ଆଇନ କରିପାରିଥିଲା ସେ ଚନ୍ଦ୍ର, ସୂର୍ଯ୍ୟ ଯେତେ ଦିନ ବିଦ୍ୟମାନ ଥିବେ, ଖ୍ରୀଷ୍ଟାନ ଯେଭଳି ତାଙ୍କ ରାଜ୍ୟରେ ପଶିବ ନାହିଁ ଏବଂ ପଶିଲେ ଚରମ ଶାସ୍ତି ଭୋଗକରିବ–ସେ ଜାତି ଯାହା କଲେ ବି ମୋର ନମସ୍ୟ ।

 

ଡାକ୍ତରଙ୍କ ଦୁଇ ଆଖି ଅଗ୍ନି ଶିଖା ଭଳି ଉଜ୍ଜ୍ୱଳ ହୋଇ ଉଠିଲା । ସେ ବଜ୍ରଗର୍ଭ ଭୟଙ୍କର ଦୃଷ୍ଟି ଦେଖି ଶଶୀ ଉଦ୍‌ଭ୍ରାନ୍ତ ଭଳି କହିଲା–ସେ କଥା ଠିକ୍‌ ! ସେ କଥା ଠିକ୍‌ !

 

ଭାରତୀର ମୁହଁରୁ କଥା କଥା ବାହାରିଲା ନାହିଁ । ତା ଛଡା ଭିତରଟା ଗୋଟାଏ ଅବ୍ୟକ୍ତ ଭୟରେ ଥରଥର କମ୍ପିବାକୁ ଲାଗିଲା । ତାର ମନେହେଲା, ଆଜି ଏଇ ଗଭୀର ନିଶୀଥରେ ଆସନ୍ନ ବିଦାୟର ପ୍ରାକ୍‌କାଳରେ ସେ ଯେପରି ଏଇ ଲୋକଟିର ଯଥାର୍ଥରୂପ ଦେଖିପାରିଲା ।

 

ଡାକ୍ତର ନିଜକୁ ଅଙ୍ଗୁଳି ନର୍ଦ୍ଦେଶ କରି କହିଲେ–କଣ କହୁଥିଲ ଭାରତୀ, ନିଜର ମୂଲ୍ୟ ବୁଝିବାର ବୁଦ୍ଧି ଭଗବାନ୍‌ ମତେ ଦେଇନାହାନ୍ତି ? ମିଛ କଥା । ଶୁଣିବ ଇତିହାସ ? କ୍ୟାଣ୍ଟନ୍‌ର ଗୋଟାଏ ଗୁପ୍ତସଭାରେ ସନୟାତ୍‌ ସେନ୍‌ ଥରେ କହିଥିଲେ.....

 

ଭାରତୀ ହଠାତ୍‌ ଭୟଭୀତ ହୋଇ କହିଲା–କିଏ ସବୁ ସିଡ଼ିରେ ଆସୁଛନ୍ତି ।

 

ଡାକ୍ତର କାନ ଦେଇ ଶୁଣିଲେ, ପକେଟରୁ ଧୀରେ ପିସ୍ତଲ ବାହାର କରି କହିଲେ–ଏଇ ଅନ୍ଧାର ରାତିରେ ମତେ ବାନ୍ଧି ପାରିବା ଭଳି ଶକ୍ତି ପୃଥିବୀରେ କାହାର ନାହିଁ । ଏହା କହି ସେ ଉଠି ଠିଆହେଲେ; କିନ୍ତୁ ତାଙ୍କ ମୁହଁରେ ଉଦ୍‌ବେଗର ଚିହ୍ନ ଦେଖାଗଲା ।

 

କେବଳ ଶଶୀ ବିଚଳିତ ନ ହୋଇ କହିଲା–ଆଜି ନବତାରା ପ୍ରଭୃତି ଆସିବାର ଥିଲା, ବୋଧହୁଏ...

 

ଡାକ୍ତର ହସିପକାଇ କହିଲେ–ବୋଧହୁଏ ନୁହେଁ, ସେଇ । ଅତ୍ୟନ୍ତ ଲଘୁ ପଦକ୍ଷେପ । କିନ୍ତୁ ‘ପ୍ରଭୃତି’ କିଏ ?

 

ଶଶୀ କହିଲା–ଆପଣ ଜାଣନ୍ତି ନାହିଁ ? ଆମ ପ୍ରେସିଡେଣ୍ଟ୍‌ ଆସୁଛନ୍ତି ସେ ବୋଧହୁଏ...

 

ଭାରତୀ ଅତିମାତ୍ରାରେ ବିସ୍ମିତ ହୋଇ କହିଲା–କିଏ ପ୍ରେସିଡ଼େଣ୍ଟ୍ ? ସୁମିତ୍ରା ଦିଦି ?

 

ଶଶୀ କହିଲା–ହଁ । । ତା ପରେ ସେ ଯାଇ ଦ୍ଵାର ଖୋଲିଦେଲା ।

 

ଭାରତୀ ଡାକ୍ତରଙ୍କ ମୁହଁକୁ ଚାହିଁଲା । ତା’ର ମନେହେଲା, ଏତେବେଳକୁ ସେ ଡାକ୍ତରଙ୍କ ଆସିବାର କାରଣ ଜାଣିଲା । ଆଜି ରାତିଟା ବୃଥା ଯିବନି, ପ୍ରତ୍ୟାସନ୍ନ ବିପଦ ପୂର୍ବରୁ ଶେଷ ମୀମାଂସା ଆଜି ଅନିବାର୍ଯ୍ୟ । ହୁଏତ ଆୟାର ଅଛି, ତଲୱାରକାର ଅଛି । ହୁଏତ ନିରାପଦ ଭାବି ବ୍ରଜେନ୍ଦ୍ର ବି ଏଇ ଜଙ୍ଗଲ ଭିତରେ ଆଶ୍ରୟ ନେଇଛି । ଡାକ୍ତର ତାଙ୍କ ଅଭ୍ୟାସ ଅନୁଯାୟୀ ପିସ୍ତଲ୍‌ଟା ଗୋପନ କଲେ ନାହିଁ, ସେଟାକୁ ସେମିତି ବାଁ ହାତରେ ଧରିଥିଲେ । ତାଙ୍କ ଶାନ୍ତ ମୁହଁରୁ ଅନ୍ତର ଭିତର କଥା କିଛି ଜାଣିହେଲାନି ସତ; କିନ୍ତୁ ଭାରତୀର ମୁହଁ କଳା ପଡ଼ିଗଲା ।

 

ଗୋଟି ଗୋଟି ହୋଇ ଯେଉଁମାନେ ଘର ଭିତରେ ପ୍ରବେଶ କଲେ ସେମାନେ ସମସ୍ତେ ପରିଚିତ । ଡାକ୍ତର କହିଲେ–ଭିତରକୁ ଆସ । କିନ୍ତୁ ତାଙ୍କ ମୁହଁ ଦେଖି ଭାରତୀର ମନେହେଲା, ଅନ୍ତତଃ ଆଜି ପାଇଁ ସେ ପ୍ରସ୍ତୁତ ନ ଥିଲେ ।

 

ସୁମିତ୍ରା ଆସିବ ଏକଥା ସେ ଜାଣିଥିଲେ; କିନ୍ତୁ ଏ ଭିତରେ ଏମାନେ ସମସ୍ତେ ତାକୁ ଅନୁସରଣ କରି ଏକତ୍ରିତ ହୋଇଛନ୍ତି, ଏ କଥା ଡାକ୍ତର ଜାଣି ନ ଥିଲେ । ଏଇଟା ସେ ଆକସ୍ମିକ ନୁହେଁ ଏବଂ ତାଙ୍କ ଅଜ୍ଞାତସାରରେ ଗୋଟାଏ କିଛି ଗୂଢ଼ ଆଲୋଚନା ନିଶ୍ଚୟ ହୋଇଛି, ଏଥିରେ ସନ୍ଦେହ ନାହିଁ । ଆଗନ୍ତୁକ ଗଣ ଆସି ଘରେ ବସିଲେ । କାହାର ଆଚରଣରେ ସାମାନ୍ୟ ମାତ୍ର ବିସ୍ମୟ ବା ଚାଞ୍ଚଲ୍ୟ ପ୍ରକାଶ ପାଇଲା ନାହିଁ । ସ୍ପଷ୍ଟ ଜଣାଗଲା ଯେ ଭାରତୀ କଥା ନ ହେଲେ ବି ଡାକ୍ତରଙ୍କ ଆସିବା ବିଷୟ ସେମାନେ ଆଗରୁ ଜାଣିଥିଲେ । ଅପୂର୍ବ ଘଟଣା ନେଇ ଦଳ ଭିତରେ ଗୋଟାଏ କିଛି ଘଟିବ–ଭାରତୀର ଆଗରୁ ଏ ଆଶଙ୍କା ଥିଲା । ତାର ଛାତି ଭିତରଟା ଥରିବାକୁ ଲାଗିଲା ।

 

ସୁମିତ୍ରାଙ୍କ ମୁଖ ଶୁଷ୍କ ଓ ବିବର୍ଣ୍ଣ । ଭାରତୀ ସହ ସେ କଥା କହିଲେ ନାହିଁ, ଭଲ କରି ଚାହିଁଲେ ବି ନାହିଁ । ବ୍ରଜେନ୍ଦ୍ର ତାର ଗେରୁଆ ପଗଡ଼ିଟା ଖୋଲି ଧରିଥିବା ମୋଟା ଠେଙ୍ଗାଟା ପାଖରେ ରଖିଲା ଏବଂ କାନ୍ଥକୁ ଆଉଜି ବସିଲା । ତାର ଗୋଲକାର ଚକ୍ଷୁର ହିଂସ୍ର ଦୃଷ୍ଟି ଥରେ ଭାରତୀ ଓ ଥରେ ଡାକ୍ତରଙ୍କ ମୁହଁକୁ ଦେଖିବାକୁ ଲାଗିଲା । ରାମଦାସ ତଲ୍‌ୱାର୍‌କାର ନୀରବ ଓ ସ୍ଥିର । ବାରିଷ୍ଟର କୃଷ୍ଣ ଆୟାର୍‌ ଧୂମପାନ କରିବାକୁ ଲାଗିଲେ । ନବତାରା ସମସ୍ତଙ୍କଠାରୁ ଦୂରରେ ବସିଲା, କାହା ସଙ୍ଗେ ତାର ଯେପରି କିଛି ସମ୍ପର୍କ ନାହିଁ । ସେ ଭାରତୀକୁ ଯେପରି ଚିହ୍ନି ନାହିଁ, ସେପରି ଭାବ ପ୍ରକାଶ କଲା ।

 

ସେଦିନ ଭଳି ଆଜି ବି ଭାରତୀ ଉଠି ଆସି ଡାକ୍ତରଙ୍କ ପାଖକୁ ଲାଗି ବସିପଡ଼ିଲା । ଡାକ୍ତର ସାମାନ୍ୟ ହସି କହିଲେ–ତମ ସମସ୍ତଙ୍କୁ ଭାରତୀ ଭୟ କରୁଛି, କେବଳ ତାର ମତେ ଭୟ ନାହିଁ ।

 

ଏ ମନ୍ତବ୍ୟର କୌଣସି ପ୍ରୟୋଜନ ନ ଥିଲା ଏବଂ ଭାରତୀ ଭିନ୍ନ ଆଉ କେହି ଦେଖି ପାରିଲେ ନାହିଁ ଯେ ସୁମିତ୍ରା ବ୍ରଜେନ୍ଦ୍ରକୁ କଣ ଗୋଟାଏ ପାଇଁ ନିଷେଧର ଇଙ୍ଗିତ କରୁଛନ୍ତି; କିନ୍ତୁ କିଛି ଫଳ ହେଲାନି । ହୁଏତ ସେ ଧରିପାରିଲା ନାହିଁ ତାର କର୍କଶ ସ୍ଵରରେ ସେ କହିଲା–ଆପଣଙ୍କ ସ୍ଵେଚ୍ଛାଚାରର ଆମେ ନିନ୍ଦା କରୁଛୁ ଓ ତୀବ୍ର ପ୍ରତିବାଦ କରୁଛୁ । ମୁଁ ଯଦି କେବେ ଅପୂର୍ବକୁ ପାଏ....

 

‘ତେବେ ତାର ପ୍ରାଣ ନେବ’ ଏଇ ଅସମ୍ପୂର୍ଣ୍ଣ ବାକ୍ୟକୁ ଡାକ୍ତର ପୂରଣ କରିଦେଲେ । ଏହା ପରେ ସେ ସୁମିତ୍ରା ପ୍ରତି ଦୃଷ୍ଟି ନିବଦ୍ଧ କରି ପଚାରିଲେ–ତମେ ସମସ୍ତେ କଣ ବ୍ରଜେନ୍ଦ୍ରକୁ ସମର୍ଥନ କର ? ସୁମିତ୍ରା ମୁଣ୍ଡ ପୋତି ରହିଲା ଓ ଅନ୍ୟ କେହି ଏ ପ୍ରଶ୍ନର ଉତ୍ତର ଦେଲେ ନାହିଁ । କେତେ ମୁହୂର୍ତ୍ତ ସ୍ଥିର ରହି ସେ କହିଲେ–ମନେ ହେଉଛି ତୁମେ ସବୁ ସମର୍ଥନ କରୁଛ ଏବଂ ଏ ମଧ୍ୟରେ ତୁମର ଏ ସମ୍ପର୍କରେ ଆଲୋଚନା ହୋଇଯାଇଛି ।

 

ବ୍ରଜେନ୍ଦ୍ର କହିଲା–ହଁ, ହୋଇଛି ଓ ଏହାର ପ୍ରତିବିଧାନ କରିବା ଆବଶ୍ୟକ ବୋଲି ଆମେ ମନେକରୁ ।

 

ଡାକ୍ତର କହିଲେ–ମୁଁ ବି ସେଇକଥା ମନେକରେ । ତେବେ ତା ପୂର୍ବରୁ ଆଉ ଗୋଟାଏ ପ୍ରୟୋଜନୀୟ କଥା ସ୍ମରଣ କରାଇଦେବାକୁ ଚାହେଁ, ଯାହା ରାଗବେଳେ ତମର ମନେ ନଥିଲା । ଅହମ୍ମଦ ଦୁରାନୀ ଆମର ସମଗ୍ର ଉତ୍ତର ଚୀନ୍‌ର ସେକ୍ରେଟେରୀ ଥିଲା । ତା’ ଭଳି ନର୍ଭୀକ କର୍ମଦକ୍ଷ ଲୋକ ଆମ ଦଳରେ ଆଉ ନଥିଲେ । ୧୯୧୦ ମସିହାରେ ଜାପାନ କୋରିଆ ଆତ୍ମସାତ୍‌ କରିବାର ମାସେ ଖଣ୍ଡେ ପରେ ସେ ମାଞ୍ଚୁରିଆର କୌଣସି ଗୋଟାଏ ଷ୍ଟେସନ୍‌ରେ ଧରାପଡ଼ିଲା । ସାଂହାଇରେ ତାର ଫାଶୀ ହେଲା । ସୁମିତ୍ରା, ତୁମେ ତ ଦୂରାନୀକୁ ଦେଖିବ ?

 

ସୁମିତ୍ରା କହିଲେ–ହଁ ।

 

ଡାକ୍ତର କହିଲେ–ମୁଁ ସେତେବେଳେ ଛିତାରେ ଭଙ୍ଗାଦଳ ଗଢ଼ିବାରେ ବ୍ୟସ୍ତ ଥିଲି ।

 

ଗୋଟାଏ ଖବର ପର୍ଯ୍ୟନ୍ତ ପାଇଲି ନାହିଁ ଯେ ସେଠି ମୋର ଗୋଟାଏ ହାଡ଼ ଭାଙ୍ଗିଗଲା-। ଅଥଚ ଦୁରାନୀ ବିରୁଦ୍ଧରେ ଅଦାଲତରେ ବିଚାରର ତମାସା ଯେତେବେଳେ ପୂରାଦମ୍‌ ଚାଲିଥିଲା, ସେତେବେଳେ ତାକୁ ରକ୍ଷା କରିବା ଅସମ୍ଭବ ନଥିଲା । ଆମର ଅଧିକାଂଶ ଲୋକ ସେତେବେଳେ ପାଖଆଖରେ ରହୁଥିଲେ । ତେବେ ଏତେ ବଡ଼ ଦୁର୍ଘଟଣା କାହିଁକି ହେଲା ଜାଣ ? ଫୟଜାବାଦର ମଥୁରା ଦୁବେ ଅତି ତୁଚ୍ଛ ଅବିଚାରର ପୁନଃ ପୁନଃ ଅଭିଯୋଗ କରି ଦଳର ମନକୁ ବିଷାକ୍ତ କରି ଦେଇଥିଲା । ଦୁରାନୀର ମୃତ୍ୟୁରେ ସମସ୍ତେ ଯେମିତି ମୁକ୍ତି ପାଇଲେ । ମୁଁ ଫେରିଆସିଲା ପରେ କ୍ୟାଣ୍ଟନ୍‌ମିଟିଙ୍ଗ୍‌ରେ ସବୁ କଥା ଜଣାଗଲା ସେତେବେଳକୁ ଦୁରାନୀ ନାହିଁ, ମଥୁରା ବି ଟାଇଫଏଡ୍‌ରେ ମରିଯାଇଛି । ପ୍ରତିକାରର କିଛି ଉପାୟ ନ ଥିଲା । କିନ୍ତୁ ଭବିଷ୍ୟତରେ ଏଭଳି ନ ଘଟିବା ପାଇଁ ସେ ରାତିରେ ଅତିଶୟ ଦୁଇଟା କଠିନ ଆଇନ୍‌ ପାଶ୍‌ ହୋଇଥିଲା । କୃଷ୍ଣ ଆୟାର୍‌, ତୁମେ ତ ସେଠି ଉପସ୍ଥିତ ଥିଲ, ତୁମେ କୁହ । କୃଷ୍ଣ ଆୟାର୍‌ଙ୍କ ମୁହଁ ଶୁଖିଗଲା । ସେ କହିଲେ–ଆପଣ କାହାକୁ ଇଙ୍ଗିତ କରୁଛନ୍ତି ମୁଁ ତ ବୁଝିପାରୁନି ଡାକ୍ତର ?

 

ଡାକ୍ତର ସାମାନ୍ୟ ଇତସ୍ତତଃ ନ ହୋଇ କହିଲେ–ବ୍ରଜେନ୍ଦ୍ରକୁ । ଗୋଟାଏ ଆଇନ ଥିଲା ଯେ ମୋ ଅଜ୍ଞାତରେ ମୋ କାମର ଆଲୋଚନା ହେବ ନାହିଁ ।

 

ବ୍ରଜେନ୍ଦ୍ର ବିଦ୍ରୂପଭରା କଣ୍ଠରେ କହିଲା–ଆଲୋଚନା ବି ହେବ ନାହିଁ ?

 

ଡାକ୍ତର କହିଲେ–ନା, ମୋ ଅନ୍ତରାଳରେ ହୋଇ ପାରିବ ନାହିଁ । କିନ୍ତୁ ହୁଏ, ତା ମୁଁ ଜାଣେ । ତାର କାରଣ ସେଦିନ କ୍ୟାଣ୍ଟନ୍‌ର ସଭାରେ ଯେଉଁମାନେ ଉପସ୍ଥିତ ଥିଲେ, ଦୁରାନୀର ମୃତ୍ୟୁରେ ସେମାନେ ଯେତେ ଉଦ୍‌ବିଗ୍ନ ହୋଇଥିଲେ, ମୁଁ ସେତେ ହୋଇନି । ସୁତରାଂ ଏ କଥା ଚାଲିଆସିଛି, ମୁଁ ବି ଅବହେଳା କରି ଆସିଛି । କିନ୍ତୁ ଦ୍ଵିତୀୟଟା ଗୁରୁତର ଅପରାଧ, ବ୍ରଜେନ୍ଦ୍ର !

 

ବ୍ରଜେନ୍ଦ୍ର ସେଇଭଳି ଉପେକ୍ଷାସହ କହିଲା–ସେଇଟା ବି ପ୍ରକାଶ କରନ୍ତୁ ।

 

ଡାକ୍ତର କହିଲେ–ଦ୍ଵିତୀୟଟା ହେଲେ ମୋ ବିରୁଦ୍ଧରେ ବିଦ୍ରୋହ ସୃଷ୍ଟି କରିବା ମାରତ୍ମକ ଅପରାଧ । ଦୁରାନୀର ମୃତ୍ୟୁ ପରେ ଏ ବିଷୟରେ ମୋର ସାବଧାନ ହେବା ଦରକାର ।

 

ବ୍ରଜେନ୍ଦ୍ର କଠିନ ସ୍ୱରରେ କହିଲା–ସାବଧାନ ହେବା ସେଇଭଳି ଅନ୍ୟର ବି ଦରକାର ହୋଇପାରେ । ଜଗତରେ ପ୍ରୟୋଜନ ଆପଣଙ୍କର ଏକଚାଟିଆ ଅଧିକାର ନୁହେଁ । ଏହା କହି ସେ ସମସ୍ତଙ୍କ ମୁହଁକୁ ଚାହିଁଲା; କିନ୍ତୁ ସମସ୍ତେ ମୌନ ରହିଲେ, କେହି କିଛି କହିଲେ ନାହିଁ ।

 

ଡାକ୍ତର ନିଜେ ଅନେକ ସମୟ ନିର୍ବାକ୍‌ ହୋଇ ରହିଲେ । ପରେ ଧୀରେ ଧୀରେ କହିଲେ–ଏହାର ଶାସ୍ତି ହେଉଛି ଚରମ ଦଣ୍ଡ । ଭାବିଥିଲି ଯିବା ପୂର୍ବରୁ ଆଉ କିଛି କରିବି ନାହିଁ । କିନ୍ତୁ ବ୍ରଜେନ୍ଦ୍ର–ତମର ନିଜର ଅପେକ୍ଷା ସହିଲା ନାହିଁ ପରର ପ୍ରାଣ ନେବାକୁ । ତମେ ତ ସବୁବେଳେ ପ୍ରସ୍ତୁତ, କିନ୍ତୁ ନିଜ ବେଳକୁ କିଭଳି ମନେହେବ ?

 

ବ୍ରଜେନ୍ଦ୍ରର ମୁହଁ କଳା ପଡ଼ିଗଲା । କିଛି ସମୟ ଚୁପରହି ସେ କହିଲା–ମୁଁ ଆନାର୍କିଷ୍ଟ, ରିଭଲ୍ୟୁସନାରୀ, ପ୍ରାଣ ମୋ ପାଖରେ କିଛି ନୁହେଁ–ନେଇ ବି ପାରେ, ଦେଇ ବି ପାରେ ।

 

ଡାକ୍ତର ଶାନ୍ତ କଣ୍ଠରେ କହିଲେ–ତାହେଲେ ଆଜି ସେଟା ଦେବାକୁ ହେବ । ବେଲ୍‌ଟରୁ ସେଟା ବାହାର କରିବାକୁ ସମୟ ହେବନି ବ୍ରଜେନ୍ଦ୍ର–ମୋର ଆଖି ଅଛି । ମୁଁ ତମକୁ ଠିକ୍‌ ଚିହ୍ନିଛି । ଏହା କହି ସେ ପିସ୍ତଲ ସହ ନିଜର ବାଁ ହାତଟା ଉଠାଇଲେ । ଭାରତୀ ବ୍ୟାକୁଳ ହୋଇ ସେ ହାତଟା ଟାଣି ଧରିବାରୁ ସେ ଡାହାଣ ହାତରେ ତାକୁ ଘୁଞ୍ଚାଇ ଦେଇ କହିଲେ–ଛିଃ ।

 

ଘର ଭିତରେ ହଠାତ୍‌ ଯେମିତି ବଜ୍ରପାତ ହେଲା । ସୁମିତ୍ରାଙ୍କ ଓଠ କମ୍ପିବାକୁ ଲାଗିଲା । ସେ କହିଲେ–ନିଜ ଭିତରେ ଏସବୁ କଣ କହନ୍ତୁ ତ ?

 

ତଲ୍‌ୱାର୍‌କାର୍‌ ଏ ପର୍ଯ୍ୟନ୍ତ କିଛି କହି ନ ଥିଲା । ସେ ଆସ୍ତେ ଆସ୍ତେ ପଚାରିଲା– ଆପଣଙ୍କ ଦଳର ସବୁ ନିୟମ ମୁଁ ଜାଣେନା । ଆପଣଙ୍କ ସଙ୍ଗେ ମତଭେଦର ଶାସ୍ତି କଣ ଏ କ୍ଷେତ୍ରରେ ମୃତ୍ୟୁ ? ଅପୂର୍ବବାବୁ ବଞ୍ଚିଗଲେ, ଏଥିପାଇଁ ମୁଁ ମନେ ମନେ ଖୁସି; କିନ୍ତୁ ସେଥିରେ ଆପଣଙ୍କର ଯେ ଅନ୍ୟାୟ କମ୍‌ ହୋଇନି–ଏ ସତ୍ୟ ମୁଁ କହିବାକୁ ବାଧ୍ୟ ।

 

କୃଷ୍ଣ ଆୟାର୍‌ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ ।

 

ବ୍ରଜେନ୍ଦ୍ର କଥାରେ ଆଉ ଉପହାସର ସ୍ପର୍ଦ୍ଧା ନ ଥିଲା । ତଥାପି ସେ ଅନ୍ୟମାନଙ୍କ ସହାନୁଭୂତିର ବଳ ପାଇ କହିଲା–ଜଣକର ଯଦି ପ୍ରାଣ ଯିବା ଦରକାର, ତେବେ ମୋର ତାହେଲେ ହେଉ । ମୁଁ ପ୍ରସ୍ଥୁତ ।

 

ସୁମିତ୍ରା କହିଲା–ଟ୍ରେଟର ବଦଳରେ ଜଣେ ଟ୍ରାଏଡ଼ । କମ୍ରେଡ଼୍‌ର ରକ୍ତ ଯଦି ତମର ଦରକାର, ତାହେଲେ ମୁଁ ବି ତ ପ୍ରାଣ ଦେଇପାରିବି, ଡାକ୍ତର !

 

ଡାକ୍ତର ସ୍ଥିର ହୋଇ ବସି ରହିଲେ, ଏ କଥାର ଜବାବ ଦେବା ପାଇଁ ଚେଷ୍ଟା କଲେ ନାହିଁ-। ଦୁଇ ମିନଟ୍ ପରେ ମନକୁ ମନ ସାମାନ୍ୟ ହସି କହିଲେ–ସେସବୁ ବହୁଦିନ ତଳର କଥା, ସେତେବେଳେ ତମେ ସବୁ ବା କେଉଁଠି ? ଏହି ଟ୍ରାୟେଡ୍‌ କମ୍ରେଡ଼ଟିକୁ ମୁଁ ସେଇ ଦିନଠୁ ଜାଣେ । ସେ କଥା ଥାଉ । ଟୋକିଓର ଗୋଟିଏ ହୋଟେଲରେ ଥରେ ସାନ୍ୟାତ୍‌ ସେନ୍‌ କହିଥିଲେ–‘ନୈରାଶ୍ୟ ସହ୍ୟ କରିବାର ଶକ୍ତି ଯାହାର କମ୍‌, ସେ ଯେମିତି ଏ ରାସ୍ତାରୁ ଦୂରେଇ ଚାଲେ ।” ଅତଏବ ଏସବୁ ମୋର ସହ୍ୟ ହେବ । କିନ୍ତୁ ବ୍ରଜେନ୍ଦ୍ର, ତମକୁ ମୁଁ ମିଥ୍ୟା ଭୟ ଦେଖାଇନି-। ମତେ ଅନ୍ୟତ୍ର ଯିବାକୁ ହେଉଛି; କିନ୍ତୁ ଡିସିପ୍ଲିନ୍‌ ଭାଙ୍ଗିଗଲେ ଚଳିବ ନାହିଁ । ସୁମିତ୍ରାକୁ ଯଦି ତମ ଦଳରେ ପାଅ, ଆଇ ଉଇସ୍‌ ଇଉ ଗୁଡ଼ ଲକ୍‌ । ମୋ ବାଟରୁ ତମେ ଆଡ଼େଇ ହେଇଯାଅ-। ସୁରଭାୟାରେ ଥରେ ଆଟେମ୍ପଟ୍‌ କରିଛ, ପରଦିନ ଆଉଥରେ କରିଛ, କିନ୍ତୁ ଏହା ପରେ–ଇଫ୍‌ ଇଉ ମିଟ୍‌ ମି–ଇଉ ନୋ.... ।

 

ସୁମିତ୍ରା ଚକିତ କଣ୍ଠରେ ପଚାରିଲା–ଏ ସବୁ କଥାର ମାନେ କଣ ? ଆଟେମ୍ପଟ୍‌ କରିବାର ଅର୍ଥ ?

 

ଡାକ୍ତର ଏ ପ୍ରଶ୍ନ ପ୍ରତି କାନ ଦେଲେ ନାହିଁ । କହିଲେ–କୃଷ୍ଣ ଆୟାର, ଆଇ ଆମ୍‌ ସରି ।

 

ଆୟାର ମୁହଁପୋତି ବସିଲେ, ଉତ୍ତର ଦେଲେ ନାହିଁ । ଡାକ୍ତର ପକେଟରୁ ଘଡ଼ି ବାହାର କରି ଦେଖିଲେ । ଭାରତୀର ହାତକୁ ଟାଣି କହିଲେ–ଏଥର ଚାଲ ଭାରତୀ, ତୁମକୁ ବସାରେ ଛାଡ଼ିଦେଇଆସେ । ଉଠ ।

 

ଭାରତୀ ସ୍ଵପ୍ନାବିଷ୍ଟ ପରି ବସିଥିଲା, ଉଠି ଠିଆହେଲା । ତାକୁ ଆଗରେ ରଖି ସେ ଘରୁ ବାହାରି ଆସିଲେ । କେବଳ ଦ୍ଵାରପାଖେ ଠିଆହୋଇ ସମସ୍ତଙ୍କୁ କହିଲେ–ଗୁଡ଼୍‌ ନାଇଟ୍‌ !

 

କେହି ତାଙ୍କୁ ଉତ୍ତର ଦେଲେ ନାହିଁ, ସମସ୍ତେ ଅଭିଭୂତ ହେଲା ପରି ବସି ରହିଲେ । ଭାରତୀ ତଳକୁ ଓହ୍ଲାଇ ଆସିବାରୁ ଡାକ୍ତର ଧୀରେ ଧୀରେ ତଳକୁ ଓହ୍ଲାଇଲେ । ହଠାତ୍‌ ଦ୍ଵାର ଖୋଲି ଶଶୀ ବାହାରି ଆସିଲା । କହିଲା–ମୁଁ ମଣିଷ ଭିତରେ ଗଣା ନୁହେଁ ଡାକ୍ତରବାବୁ, କୌଣସି ଦିନ ଆପଣଙ୍କର କୌଣସି କାମରେ ଲାଗିବାର ଶକ୍ତି ମୋର ନାହିଁ । କିନ୍ତୁ ଆପଣଙ୍କ କଥା ମୋର ଚିରଦିନ ମନେରହିବ । ମୁଁ କେବେ ଭୁଲି ପାରିବି ନାହିଁ ।

 

ଡାକ୍ତର ସ୍ନେହରେ ତା ହାତ ଧରିପକାଇ କହିଲେ–କିଏ କହିଲା ତମେ ମଣିଷ ନୁହଁ ଶଶୀ ? ତୁମେ କବି, ତୁମେ ଗୁଣୀ, ତୁମେ ସବୁ ମଣିଷଠାରୁ ବହୁ ଉପରେ । ଆଉ ପ୍ରକୃତରେ ମୋ ପାଖରେ ଯଦି ତମର କିଛି ଋଣ ଥାଏ, ତେବେ ନ ଭୁଲିବା ଭଲ ।

 

ଶଶୀ କହିଲା–ନାଁ, ଭୁଲିବି ନାହିଁ । କିନ୍ତୁ ଯେଉଁଠି ଥାଆନ୍ତୁ, ମୋର ଯାହା କିଛି ଅଛି ସବୁ ଆପଣଙ୍କର–ଏ କଥା ଆପଣ ବି ଭୁଲିବେ ନାହିଁ ।

 

ଭାରତୀ ଉତ୍ସୁକ ହୋଇ ଉଭୟଙ୍କ ପାଖକୁ ଆସି କହିଲା–କଣ ଭାଇ ?

 

ଡାକ୍ତର ହସି ହସି କହିଲେ–ଅସମୟରେ ଶଶୀର କିଛି ବିପଦ ନ ଥିଲା; କିନ୍ତୁ ହଠାତ୍‌ ସମୟଟା ଭଲ ପଡ଼ିଆସିବାରୁ ତାର ଖୁବ୍‌ ଚିନ୍ତା ଯେ କାଳେ ତାର କୃତଜ୍ଞତା ମନେ ନ ରହେ । ତେଣୁ ଛୁଟିଆସି କହିଲା–ତାର ଯାହା କିଛି ଅଛି ସମସ୍ତ ମୋର ।

 

ଭାରତୀ କହିଲା–ସତରେ ଶଶୀବାବୁ !

 

ଶଶୀ ଚୁପ୍‌ ରହିଲା । ଡାକ୍ତର ସ୍ନିଗ୍‌ଧ କଣ୍ଠରେ କହିଲେ–ମନେ ରହିବ ଶଶୀ, ନିଶ୍ଚୟ ମନେ ରହିବ । ଏ ବସ୍ତୁ ଏତେ ସୁଲଭ ନୁହେଁ ଯେ ମୁଁ ଭୁଲିଯିବି ।

 

ଶଶୀ କହିଲା–ଆପଣ କେବେ ଯିବେ ? ତା ପୂର୍ବରୁ ଆଉ କଣ ଦେଖା ହେବନି ?

 

ଡାକ୍ତର କହିଲେ–ଧରିନିଅ ଦେଖା ହେବନି । ତମେ ତ ମୋ’ ଠାରୁ ବୟସରେ ଛୋଟ–ମୁଁ ଆଶୀର୍ବାଦ କରୁଛି, ତମେ ଜୀବନରେ ସୁଖୀ ହେବ ।

 

ଶଶୀ ବିନୟ ସହ କହିଲା–ଆସନ୍ତା ଶନିବାର ପର୍ଯ୍ୟନ୍ତ କଣ ରହି ପାରିବେ ନାହିଁ ?

 

ଭାରତୀ କହିଲା–ଶନିବାର ଦିନ ତାଙ୍କର ବିବାହ ।

 

ଡାକ୍ତର ହସିଲେ, କିଛି କହିଲେ ନାହିଁ । ଧୀରେ ଧୀରେ ଭାରତୀର ହାତ ଧରି ଛୋଟ ଡଙ୍ଗାଟି ଉପରକୁ ଉଠାଇ ନେଲେ ।

 

ଶଶୀ କହିଲା–ଶନିବାର ଦିନ ଆପଣଙ୍କୁ ରହିବାକୁ ହେବ । ଜୀବନରେ ଅନେକ ଭିକ୍ଷା ଦେଇଛନ୍ତି, ଏଇଟି ବି ଦିଅନ୍ତୁ । ଭାରତୀ, ଆପଣ ବି ସେଦିନ ଆସିବେ ।

 

ଭାରତୀ ମୌନ ରହିଲା । ଡାକ୍ତର କହିଲେ–ସେ ଆସିବନି ଶଶୀ, କିନ୍ତୁ ମୁଁ ଯଦି ରହିପାରେ, ଅନ୍ଧାରରେ ଆତ୍ମଗୋପନ କରି ତମକୁ ଆଶୀର୍ବାଦ କରି ଯିବ, କଥା ଦେଉଛି । ଆଉ ଯଦି ଆସି ନ ପାରେ, ତେବେ ନିଶ୍ଚିତଭାବେ ଜାଣିବ ଯେ ସବ୍ୟସାଚୀ ପକ୍ଷରେ ବି ତା ସମ୍ଭବ ହେଲା ନାହିଁ । କିନ୍ତୁ ଯେଉଁଠି ଥାଏ, ଏହି ପ୍ରାର୍ଥନା କରିବି, ବାକୀ ଜୀବନଟା ତମର ଯେମିତି ସୁଖରେ କଟେ । ଏହା କହି ସେ ନାଆକୁ ପାଣି ଭିତରକୁ ଠେଲିଦେଲେ ।

 

ଜୁଆର ସେ ଯାଏଁ ଆରମ୍ଭ ହୋଇନାହିଁ, ଭଟ୍ଟା ଅବଶ୍ୟ କମିଆସିଲାଣି । ସେଇ ମନ୍ଦସ୍ରୋତରେ ତାଙ୍କର କ୍ଷୁଦ୍ର ନାଆଟି ଧୀରେ ଧୀରେ ଗତିକଲା । ଶାନ୍ତ ଭାରତୀ ଡାକ୍ତରଙ୍କ କୋଡ଼ ଉପରେ କହୁଣି ରଖି ଆଉଜି ବସି କହିଲା–ଭାଇ, ଏକୁଟିଆ ଥିଲେ ମୁଁ ଆଜି ଏମିତି କାନ୍ଦିଥାନ୍ତି ଯେ ନଈର ପାଣି ଉଛୁଳ ପଡ଼ିଥାନ୍ତା । ଭବିଷ୍ୟତରେ ସମସ୍ତଙ୍କର ସୁଖୀ ହେବାର ଅଧିକାର ଅଛି; ନାହିଁ ଖାଲି ତମର ? ଶଶୀବାବୁ ଗୋଟାଏ ଅସୁନ୍ଦର କାମ କରିବାକୁ ଯାଉଛନ୍ତି–ଅଥଚ ତମେ ତାଙ୍କୁ ମନ ଖୋଲି ଆଶୀର୍ବାଦ କଲ । ପୃଥିବୀରେ ତମକୁ ଆଶୀର୍ବାଦ କରିବାକୁ କଣ କେହି ନାହିଁ ? ତୁମେ ଗୁରୁଜନ ହୁଅ ପଛେ, ମୁଁ ବି ତମକୁ ଆଜି ଆଶୀର୍ବାଦ ଦେବି ଯେ ତୁମେ ଭବିଷ୍ୟତରେ ସୁଖୀ ହୁଅ ।

 

ଡାକ୍ତର ହସି ହସି କହିଲେ–ଛୋଟମାନଙ୍କର ଆଶୀର୍ବାଦ କାମ ଦିଏନି, ଓଲଟା ହୁଏ ।

 

ଭାରତୀ କହିଲା–ମିଛ କଥା । ତା’ ଛଡ଼ା ମୁଁ ଛୋଟ ନୁହେଁ, ଗୋଟାଏ ଦିଗରୁ ତମଠୁ ବଡ଼ । ଯିବା ଆଗରୁ ତମେ ସବୁ ନଷ୍ଟ କରି ସୁମିତ୍ରାଦି’ ସହ ଚିରବିଚ୍ଛେଦ ଘଟାଇବାକୁ ଚେଷ୍ଟା କରୁଛ-। ସେ କଥା ମୁଁ କରାଇ ଦେବିନି । କିଛି ସମୟ ଚୁପ୍‌ ରହି ସେ କହିଲା ତୁମେ କହ–ତୁମେ ସୁମିତ୍ରାଙ୍କୁ ଭଲ ପାଅନା । ନ ପାଅ, କଣ ହେଲା ସେଇଠୁ ? ତମ ପୁରୁଷମାନଙ୍କର ଭଲ ପାଇବାର ଦାମ୍‌ କେତେ ଭାଇ ? ଏହା କହି ସେ ଉତ୍ତର ଆଶାରେ କିଛି ସମୟ ଅପେକ୍ଷା କରି କହିଲା–ଭାଇ, ତମେ କଣ ମନେ ମନେ ହସୁଛ ?

 

ନାଇଁ ତ !

 

ନିଶ୍ଚୟ, ନ ହେଲେ ତମେ ଉତ୍ତର ଦେଲନି କାହିଁକି ? –ଏହା କହି ସେ ଡାକ୍ତରଙ୍କ ମୁହଁକୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁରହିଲା ।

 

ଡାକ୍ତର ତାକୁ ଚାହିଁ କହିଲେ–ଜବାବ୍‌ ଦେବାର କିଛି ନାହିଁ ଭାରତୀ ! ତମର ବିଶ୍ଵନିୟନ୍ତା ପ୍ରଭୁଙ୍କୁ ଏଇ ଜବରଦସ୍ତି ମାନି ଚଳିଲେ ତମ ସୁମିତ୍ରାଦିଙ୍କର କଣ ହୁଅନ୍ତା ଜାଣ ? ବ୍ରଜେନ୍ଦ୍ର ହାତରେ ନିଜକୁ ସର୍ବପ୍ରକାର ସମର୍ପଣ କରିଦେବାକୁ ପଡ଼ନ୍ତା ।

 

ଭାରତୀ ବିଶେଷ ଆଶ୍ଚର୍ଯ୍ୟାନ୍ଵିତ ହେଲା ନାହିଁ । ଆଜିର ଘଟଣା ପରେ ଏଇଭଳି ଗୋଟାଏ ସନ୍ଦେହ ତା ମନରେ ଘନୀଭୂତ ହୋଇ ଉଠିଥିଲା; ପଚାରିଲା–ବ୍ରଜେନ୍ଦ୍ର କଣ ତାଙ୍କୁ, ତମ ଅପେକ୍ଷା–ମାନେ, ବହୁତ ବେଶି ଭଲ ପାଆନ୍ତି ?

 

ଡାକ୍ତର ହଠାତ ଉତ୍ତର ଦେଇ ପାରିଲେ ନାହିଁ । ତା’ ପରେ କହିଲେ–କହିବା କଠିନ । ଏଇଟା ଯଦି ଗୋଟାଏ ନିଚ୍ଛକ ଆକର୍ଷଣ ହୋଇଥାଏ, ତେବେ ତାର ତୁଳନା ନାହିଁ । ଲଜ୍ଜା ନାଇଁ, ସଂଭ୍ରମ ନାହିଁ–ହିତାହତବୋଧ ଲୁପ୍ତ ଜାନୋଆର ଭଳି ସେ ଉନ୍ମତ୍ତ ଆବେଗ ଯେ ଆଖିରେ ନ ଦେଖିଛି ସେ ତା ମନର ପରିଚୟ ପାଇ ପାରିବ ନାହିଁ । ଭାରତୀ, ତମ ଭାଇର ଏଇ ହାତ ଦୁଇଟା ସଂସାରରେ ନ ଥିଲେ ସୁମିତ୍ରାପାଇଁ ବୋଧହୁଏ ଆତ୍ମହତ୍ୟା ଛଡ଼ା ଅନ୍ୟ କୌଣସି ବାଟ ଖୋଲା ନ ଥାନ୍ତା । ତମ ବିଶ୍ଵନିୟନ୍ତା ତେଣୁ ସେ ଦୁଇଟାର ବେଖାତିର୍‌ କରି ନାହାନ୍ତି । ଏହା କହି ସେ ଭାରତୀର ମୁଣ୍ଡ ଉପରେ ତାଙ୍କ ହାତ ରଖିଲେ ।

 

ଭାରତୀ ଶଙ୍କିତ ହୋଇ କହିଲା–ଭାଇ, ଏକଥା ଜାଣି ମଧ୍ୟ ତୁମେ ସୁମିତ୍ରାଦି’ଙ୍କୁ ସେମାନଙ୍କ ଭିତରେ ଛାଡ଼ି ଦେଇ ଆସିଲ ? ତମେ ଯେ ଏତେ ନିଷ୍ଠୁର ମୁଁ ତ ଜାଣି ନଥିଲି !

 

ଡାକ୍ତର କହିଲେ–ସେଇଥିପାଇଁ ତ ଆଜି ଯିବା ପୂର୍ବରୁ ସବୁ ତୁଟେଇ ଦେବାକୁ ବସିଥିଲି-। ସୁମିତ୍ରା ବାଧାଦେଲା ।

 

ଭାରତୀ ଭୟରେ ପଚାରିଲା–ବାଧା କଣ ଦେଲେ ? ତୁମେ କଣ ସତରେ ବ୍ରଜେନ୍ଦ୍ରକୁ ଜୀବନରେ ମାରିଦେଇଥାନ୍ତ ?

 

ଡାକ୍ତର କହିଲେ–ହଁ । ଏ ଭିତରେ ପୋଲିସ୍ ତାକୁ ଧରି ଜେଲ୍ ନ ଦେଲେ ମତେ ଦିନେ ଫେରିଆସି ଏ କାର୍ଯ୍ୟ ସମାଧାନ କରିବାକୁ ପଡ଼ିବ ।

 

ଏ ପର୍ଯ୍ୟନ୍ତ ଭାରତୀ ତାଙ୍କ ଉପରକୁ ଆଉଜି ବସିଥିଲା । ଏକଥା ଶୁଣି ଉଠିପଡ଼ିଲା । ସେ ଯେ ଭିତରେ ଗୋଟାଏ କଠିନ ଆଘାତ ପାଇଲା, ଡାକ୍ତର ଏ କଥା ବୁଝିପାରିଲେ । କିନ୍ତୁ କୌଣସି କଥା ନ କହି ଆରପାଖକୁ ଯିବାପାଇଁ କାତ ମାରିବାରେ ଲାଗିଲେ ।

 

ଅନେକ ସମୟ ପରେ ଭାରତୀ ପଚାରିଲା–ଆଚ୍ଛା ଭାଇ, ମୁଁ ଯଦି ସୁମିତ୍ରା ହୋଇଥାନ୍ତି, ତମେ କଣ ମତେ ଏଇଭଳି ଛାଡ଼ିଦେଇ ଆସିପାରିଥାନ୍ତ ?

 

ଡାକ୍ତର ହସି ହସି କହିଲେ–କିନ୍ତୁ ତମେ ତ ସୁମିତ୍ରା ନୁହଁ, ତମେ ଭାରତୀ । ତେଣୁ ତମକୁ ଛାଡ଼ିଦେଇ ଯିବିନି, କାମ ପାଇଁ ରଖିଯିବି ।

 

ଭାରତୀ ବ୍ୟଗ୍ର ହୋଇ କହିଲା–ରକ୍ଷା କର ଭାଇ, ତମର ଏ ସବୁ ଖୁନ୍‌ଜଖମ ଭିତରେ ମୁଁ ରହି ପାରିବି ନାହିଁ । ତମ ଗୁପ୍ତ ସମିତିର କାମ ମୋ ଦ୍ଵାରା ହେବ ନାହିଁ ।

 

ଡାକ୍ତର କହିଲେ–ତା ମାନେ, ଏମାନଙ୍କ ଭଳି ତୁମେ ବି ମତେ ଛାଡ଼ି ଦେବାକୁ ଚାହଁ ?

 

ଭାରତୀ କ୍ଷୁବ୍‍ଧ ହୋଇ ବ୍ୟାକୁଳ କଣ୍ଠରେ କହିଲା–ଏତେ ବଡ଼ କଥା ତମେ ମତେ କହିପାରିଲ ଭାଇ ? ତୁମେ ଯା ଇଚ୍ଛା ତା କର; କିନ୍ତୁ ମୁଁ ନିଜେ ତମକୁ ଛାଡ଼ି ଦେଇଛି, ଏ କଥା ମୁଁ ଦିନକ ପାଇଁ ବି ଭାବି ପାରେନା । ତମେ ଯେ ପର୍ଯ୍ୟନ୍ତ ମତେ ଛୁଟି ନ ଦେଇଛ, ମୁଁ ତମ କାମ କରିଯିବି । ଟିକିଏ ରହି କହିଲା–ମୁଁ ତ ଜାଣେ, ମଣିଷ ଖୁନ୍‌ କରିବା ତମର ଅସଲ କାମ ନୁହେଁ । ତମର କାମ ମଣିଷକୁ ମଣିଷ ଭଳି ବଞ୍ଚାଇ ରଖିବା–ମୁଁ ତମର ସେଇ କାମରେ ଲାଗିପାରିବି ଓ ସେଇ କଥା ଭାବି ମୁଁ ପ୍ରଥମେ ଏଠିକି ଆସିଥିଲି ।

 

ଡାକ୍ତର କହିଲେ–ସେ କାମଟା କଣ ?

 

ଭାରତୀ କହିଲା–ଆମର ‘ଚଲାପଥର ଦାବୀ’ ଅନୁଷ୍ଠାନ ତ ଏକ ଗୁପ୍ତ ସମିତି ହୋଇଉଠିବାର କୌଣସି କାରଣ ନ ଥିଲା । କାରଖାନା ମଜଦୁର ମିସ୍ତ୍ରୀଙ୍କ ଅବସ୍ଥା ମୁଁ ନିଜ ଆଖିରେ ଦେଖିଆସିଛି । ସେମାନଙ୍କ ପାପ, ସେମାନଙ୍କ କୁଶିକ୍ଷା, ପଶୁ ଭଳି ଅବସ୍ଥା–ଏ ସବୁର ଯଦି ବିନ୍ଦୁ ଏ ବି ପ୍ରତିକାର ମୁଁ ସାରା ଜୀବନ ଲାଗି କରିପାରେ, ତେବେ ତା’ ଠାରୁ ବଡ଼ ସାର୍ଥକତା ଜୀବନରେ ଆଉ କଣ ଅଛି ? ସତ କହ ଭାଇ, ଏ କଣ ତମ କାମ ନୁହେଁ ?

 

ଡାକ୍ତର ହଠାତ୍‌ କିଛି ଉତ୍ତର ଦେଲେ ନାହିଁ । କାତ ଦୁଇଟି ପାଣିରୁ ଉଠାଇ କହିଲେ–କିନ୍ତୁ ତମର ତ ଏ କାମ ନୁହେଁ ଭାରତୀ, ଏ କାମ ସୁମିତ୍ରାର । ତମର ଅନ୍ୟ କର୍ତ୍ତବ୍ୟ ଅଛି । ମୁଁ ସେଥିପାଇଁ ସୁମିତ୍ରା ଉପରେ ଏ ଭାର ନ୍ୟସ୍ତ କରିଛି ।

 

ନଈରେ ସେତେବେଳକୁ ଜୁଆର ଆରମ୍ଭ ହେଲାଣି । କ୍ଷୁଦ୍ର ତରଣୀଟି ମନ୍ଦ-ମନ୍ଥର ଗତିରେ ନଈରେ ଭାସିଚାଲିଛି । ଡାକ୍ତର ସେଇଭଳି ମୃଦୁକଣ୍ଠରେ କହିଲେ–ତମକୁ କହି ରଖିବା ଉଚିତ ଭାରତୀ, କେତେ ଜଣ କୁଲି ମଜୁରିଆଙ୍କର ଭଲ କରିବା ପାଇଁ ମୁଁ ଏ ଅନୁଷ୍ଠାନ ଗଢ଼ି ନାହଁ । ଏହାର ଲକ୍ଷ୍ୟ ଆହୁରି ଢେର୍‌ ବଡ଼ । ଏଇ ଲକ୍ଷ୍ୟ ପାଇଁ ହୁଏତ ଦିନେ ଏମାନଙ୍କୁ ଛେଳି ମେଣ୍ଢା ଭଳି ବଳି ପଡ଼ିବାକୁ ହେବ । ତୁମେ ୟା ଭିତରେ ରହନି ଭଉଣୀ, ତୁମେ ଏ ସବୁ ପାରିବନି ।

 

ଭାରତୀ ଚମକିଉଠି କହିଲା–ଏ ସବୁ ତମେ କଣ କହୁଛ ଭାଇ ? ମଣିଷକୁ ବଳିଦବ ?

 

ଡାକ୍ତର କହିଲେ–ମଣିଷ କାହାନ୍ତି ? ପଶୁ ତ ମଧ୍ୟ ନୁହେଁ !

 

ଭାରତୀ ଭୀତ ହୋଇ କହିଲା–ସବୁ ସମୟରେ ତମ କଥା ବୁଝା ଯାଏନା-ମୁଁ ବୁଝି ପାରେନା; କିନ୍ତୁ ତମ ମୁହଁର କଥା ଅପେକ୍ଷା ମୁଁ ତମକୁ ଢେର୍‌ ବେଶି ବୁଝେ ଭାଇ-ମତେ ମିଛରେ ଭୟ ଦେଖାଇବାର ଚେଷ୍ଟା କରନି ।

 

ଡାକ୍ତର କହିଲେ–ମିଛ ନୁହେଁ ଭାରତୀ, ସତ । ମୁଁ ଯିବାପରେ ତମେ ଆଉ କାରଖାନାର କୁଲି ମଜୁରିଆଙ୍କ ଭିତରେ ରହନାହିଁ । ଏଭଳି ଏମାନଙ୍କର ଭଲ କରାଯାଏନା-ଏମାନଙ୍କର ଭଲ କରାଯାଇ ପାରେ କେବଳ ବିପ୍ଳବ ଭିତରେ ଏବଂ ସେଇ ବିପ୍ଳବର ପଥ ଚାଳନା କରିବା ପାଇଁ ମୋ ଅନୁଷ୍ଠାନର ସୃଷ୍ଟି । ବିପ୍ଳବ ଶାନ୍ତି ନୁହେଁ । ହିଂସା ମଧ୍ୟରେ ତାକୁ ସବୁବେଳେ ପଦଚାଳନା କରିବାକୁ ପଡ଼େ । ମଣିଷ ଚାଲିବାପାଇଁ ମଣିଷ କେବେ ବିନା ବିପ୍ଳବରେ ବାଟ ଛାଡ଼ିଦିଏନା, ଭାରତୀ !

 

ଭାରତୀ ଶିହରି ଉଠି କହିଲା–ସେ କଥା ମୁଁ ଜାଣେନା, କିନ୍ତୁ ଏସବୁ ଭୟଙ୍କର ବିପ୍ଳବ ଦ୍ଵାରା ତମେ କଣ ଏ ଦେଶକୁ ଟାଣି ଆଣିବ ? ଯେଉଁମାନଙ୍କର ଟିକିଏ ଉନ୍ନତି କରିବା ପାଇଁ ଆମେ ଦିନରାତି ପରିଶ୍ରମ କରୁଛୁ; ତମେ ସେଇମାନଙ୍କ ରକ୍ତରେ କାରଖାନାର ରାସ୍ତାରେ ନଈ ବୁହାଇବାକୁ ଚାହଁ ?

 

ଡାକ୍ତର ଅବଲୀଳାକ୍ରମେ କହିଲେ–ନିଶ୍ଚୟ ଚାହେଁ । ମହାମାନବର ମୁକ୍ତି ସାଗରକୁ ମାନବର ରକ୍ତଧାର ଛୁଟି ଚାଲିବ-ସେହି ତ ମୋର ସ୍ଵପ୍ନ । ଏତେ କାଳର ପର୍ବତ ପ୍ରମାଣ ପାପ ତା ନହେଲେ ଧୋଇ ହେବ କେମିତି ? ଆଉ ସେହି ଧୋଇବା ପାଇଁ ତମ ଭାଇର ଦୁଇ ବିନ୍ଦୁ ରକ୍ତ ଯଦି ଦରକାର ହୁଏ ଭାରତୀ, ମୁଁ ଆପତ୍ତି କରିବିନାହିଁ ।

 

ଭାରତୀ କହିଲା–ସେ କଥା ମୁଁ ଜାଣେ ଭାଇ; କିନ୍ତୁ ୟା ଛଡ଼ା ବଡ଼ ଆଦର୍ଶ କଣ ଆଉ ନାହିଁ ?

 

ଡାକ୍ତର କହିଲେ–ଆଜି ବି ତ ପାଇନି ଭଉଣି ! ଅନେକ ବୁଲିଛି, ଅନେକ ପଢ଼ିଛି, ଅନେକ ଭାବିଛି; କିନ୍ତୁ ମୁଁ ତ ତମକୁ ଆଗରୁ କହିଛି, ଅଶାନ୍ତି ଘଟିବା ଅର୍ଥ ଅକଲ୍ୟାଣ ଘଟିବା ନୁହେଁ-। ଅଶାନ୍ତି ମାନେ କଣ ପାପ, ଅମଙ୍ଗଳ ! ବନ୍ଧା ଗୋରୁ ଉପାସରେ ମରିବା ଦେଖିଛ ? ସେ ଠିଆହୋଇ ମରେ; ତେବେ ବି ସେ ଜୀର୍ଣ୍ଣ ଦଉଡ଼ିଟା ଛିଣ୍ଡେଇ ମାଲିକର ଶାନ୍ତି ନଷ୍ଟ କରେ ନା । ଏ ମତ ଯେତେ ପ୍ରାଚୀନ, ଯେତେ ପବିତ୍ର, ଯେତେ ସନାତନ ହେଉ ପଛେ, ମଣିଷଠାରୁ ବଡ଼ ନୁହେଁ । ଆଜି ଆମକୁ ତାକୁ ଭାଙ୍ଗିବାକୁ ପଡ଼ିବ । ଧୂଳି ତ ଉଡ଼ିବ, ବାଲି ବି ଖସିବ, ଇଟା ପଥର ମଣିଷ ମୁଣ୍ଡରେ ପଡ଼ିବ ନିଶ୍ଚୟ । ଏ ତ ସ୍ଵାଭାବିକ ଭାରତୀ !

 

ଭାରତୀ କହିଲା–ତା ହେଲେ ପ୍ରଥମରୁ ଶାନ୍ତିର ପଥ ତ୍ୟାଗ କରି ଅଶାନ୍ତି ବାଟରେ ଗୋଡ଼ ବଢ଼ାଇବ କାହିଁକି ?

 

କାରଣ, ଶାନ୍ତିର ବାଟ ଏ ସନାତନ, ପବିତ୍ର, ସୁପ୍ରାଚୀନ ସଭ୍ୟତା ସହ ବନ୍ଧା । କେବଳ ବିପ୍ଳବର ବାଟଟା ଖୋଲା ।

 

ଭାରତୀ ପଚାରିଲା–ଆମେ ଯେ ସେଦିନ କାରଖାନାର ଶ୍ରମିକକୁ ସଂଘବଦ୍ଧ କରି ନିରୁପଦ୍ରକ ଧର୍ମଘଟ କରିବା ପାଇଁ ବ୍ୟବସ୍ଥା କରିଥିଲୁ, ତା କଣ ସେମାନଙ୍କ ମଙ୍ଗଳ ପାଇଁ ନୁହେଁ ? ତୁମେ ଚାଲିଗଲା ପରେ କଣ ଅନୁଷ୍ଠାନର କାର୍ଯ୍ୟ ବନ୍ଦ କରାହେବ ?

 

ଡାକ୍ତର କହିଲେ–ନାଁ, କିନ୍ତୁ ସେ କାମ ତମର ନୁହେଁ, ସୁମିତ୍ରାର । ଭାରତୀ, ଧର୍ମଘଟ ବୋଲି ଗୋଟିଏ ଜିନିଷ ଅଛି, କିନ୍ତୁ ନିରୁପଦ୍ରବ ଧର୍ମଘଟ ବୋଲି କିଛି ନାହିଁ । ଧର୍ମଘଟ ପଛରେ ବାହୁବଳ ନ ଥିଲେ ସଂସାରରେ କୌଣସି ଧର୍ମଘଟ ସଫଳ ହୁଏନା । ଶେଷ ପରୀକ୍ଷା ସେଇଠି ହୁଏ-

 

ଭାରତୀ କହିଲା–କାହାକୁ ପରୀକ୍ଷା ଦେବାକୁ ହେବ ? ଶ୍ରମିକକୁ ?

 

ଡାକ୍ତର କହିଲେ-ହଁ, ତୁମେ ଜାଣନା; କିନ୍ତୁ ସୁମିତ୍ରା ଭଲରୂପେ ଜାଣେ ଯେ ଧନୀର ଆର୍ଥିକ କ୍ଷତି ଓ ଦରିଦ୍ରର ଅନଶନ ଏକା କଥା ନୁହେଁ । ତାର କର୍ମହୀନ ଦିନଗୁଡ଼ାକ ତାକୁ ଉପବାସ ଭିତରକୁ ଠେଲିନିଏ । ତାର ସ୍ତ୍ରୀ ପୁତ୍ର କ୍ଷୁଧାରେ କାନ୍ଦନ୍ତି-ସେମାନଙ୍କ ଅବିଶ୍ରାନ୍ତ କ୍ରନ୍ଦନ ତାକୁ ଦିନେ ପାଗଳ କରିଦିଏ-ତାପରେ ପରଠୁଁ ଅନ୍ନ ଛଡ଼େଇ ନେବା ଛଡ଼ା ଜୀବନଧାରଣର ଅନ୍ୟ ପନ୍ଥା ସେ ଖୋଜି ପାଏନା । ଧନୀ ସେଇ ଶୁଭଦିନର ପ୍ରତୀକ୍ଷା କରି ଥାଏ । ଅର୍ଥବଳ, ସୈନ୍ୟବଳ, ଅସ୍ତ୍ରବଳ-ସବୁ ତା ହାତରେ-ସେଇ ତ ରାଜଶକ୍ତି ! ସେ ଦିନେ ସେ ଆଉ ଅବହେଳା କରେ ନା-ତମର ଏଇ ସନାତନ ଶାନ୍ତି ଓ ପବିତ୍ର ଶୃଙ୍ଖଳାର ଜୟଜୟକାର ହୁଏ-ସେଦିନ ନିରସ୍ତ୍ର ଓ ନିରନ୍ନ ଦରିଦ୍ରର ରକ୍ତନଦୀ ବହିଯାଏ ।

 

ଭାରତୀ ରୁଦ୍ଧଶ୍ୱାସ ପ୍ରତୀକ୍ଷାସହ କହିଲା–ତା ପରେ ?

 

ଡାକ୍ତର କହିଲେ–ତା ପରେ ଆଉ ଦିନେ ପୁଣି ସେ ସବୁ ପୀଡ଼ିତ, ପରାଭୂତ, କ୍ଷୂଧାତୁର ଶ୍ରମିକ ଦଳ ଆସି ସେଇ ହତ୍ୟାକାରୀ ଦୁଆରେ ହାତ ପାତି ଠିଆ ହୁଅନ୍ତି-ଭିକ୍ଷା ପାଇଁ ।

 

ଭାରତୀ କହିଲା–ତା ପରେ ?

 

ଡାକ୍ତର କହିଲେ–ତା ପରେ ? ତା’ପରେ ସେମାନେ ପୁଣି ଆଉ ଥରେ ଦଳବଦ୍ଧ ହୋଇ ପୂର୍ବ ଅତ୍ୟାଚାରର ପ୍ରତିକାର ଆଶାରେ ଧର୍ମଘଟ କରି ବସନ୍ତି, ପୁଣି ଥରେ ସେଇ ପୁରାତନ କାହାଣୀର ପୁନରାଭିନୟ ହୁଏ ।

 

ଭାରତୀର ମନ ନିରାଶାରେ ଭରିଗଲା । ଧୀରେ ଧୀରେ କହିଲା–ତା ହେଲେ ଧର୍ମଘଟ କରି ଲାଭ କଣ ?

 

ଡାକ୍ତରଙ୍କ ଆଖି ଦୁଇଟା ଅନ୍ଧାର ଭିତରେ ନିଆଁ ଭଳି ଜଳି ଉଠିଲା । ସେ କହିଲେ– ଲାଭ-? ଏଇତ ପରମ ଲାଭ ଭାରତୀ ! ଏଇ ତ ଆମ ବିପ୍ଳବର ରାଜପଥ । ବସ୍ତ୍ରହୀନ, ଅନ୍ନହୀନ, ଜ୍ଞାନହୀନ ଦରିଦ୍ରର ପରାଜୟଟା ସତ୍ୟ ହେଲା, ଆଉ ତା ବୁକୁ ଭିତରୁ ଯେ ବିଷ ଉଛୁଳି ପଡ଼ିଲା, ଜଗତରେ ସେଇଟା କଣ ସତ୍ୟ ନୁହେଁ ? ସେଇ ତ ମୋର ମୂଳଧନ ।

 

ଭାରତୀ ହଠାତ୍‌ କହିଲା–ନାଆ ବୋଧହୁଏ ଆମର ବହୁତ ବେଶି ଆଗେଇ ଗଲାଣି ଭାଇ ?

 

ଡାକ୍ତର ହସିଲେ, କହିଲେ–ସେ ଆଡ଼େ ବି ମୋର ଦୃଷ୍ଟି ଅଛି ଭଉଣୀ । କେଉଁଠିକି ଯିବାକୁ ହେବ ତା ମୁଁ ଭୁଲିନି ।

 

ଭାରତୀ କହିଲା–ତମେ ଯେ କାହିଁକି ମତେ ଏ ଭିତରୁ ବିଦାୟ ଦେବାକୁ ଚାହୁଁଛ, ବର୍ତ୍ତମାନ ମୁଁ ତା ଜାଣି ପାରିଲି । ମୁଁ ଭାରି ଦୁର୍ବଳ-ହୁଏତ ଅପୂର୍ବବାବୁଙ୍କ ପରି ଦୁର୍ବଳ । ମୁଁ କିଛି ନୁହେଁ-ଆଜି ତମର ସମସ୍ତ ଭରସା ସେଇ ସୁମିତ୍ରା ଦିଦିଙ୍କ ଉପରେ । ଜଣକର ମଙ୍ଗଳ ପାଇଁ ଆଉ ଜଣକର ଅମଙ୍ଗଳ କରିବାକୁ ହେବ, ଏ କଥା ମୁଁ କୌଣସି ମତେ ସତ୍ୟ ବୋଲି ଗ୍ରହଣ କରି ପାରିବି ନାହିଁ–ତୁମେ କହିଲେ ବି ନୁହେଁ ।

 

ସେ କଥା ମୁଁ ଜାଣେ ଭଉଣୀ ।

 

କିନ୍ତୁ ତମ କାମ ଛାଡ଼ି ମୁଁ କୁଆଡ଼େ ଯିବି ? କଣ ନେଇ ବଞ୍ଚି ରହିବି ? ତମେ ଯଦି ଆଉ ଥରେ ଫେରି ନ ଆସ, ତେବେ ରହିବି କେମିତି ?

 

ସେ କଥା ବି ଜାଣେ ।

 

ଭାରତୀ କହିଲା–ତମେ ସବୁ ଜାଣ ତେବେ ?

 

କିଛି ସମୟ ନିଃଶବ୍ଦରେ କଟିଲା । ଉତ୍ତର ନ ପାଇ ଭାରତୀ ଧୀରେ ଧୀରେ କହିଲା–ବିପ୍ଳବ ଯେ କଣ, କାହିଁକି ତାର ପ୍ରୟୋଜନ, ମୁଁ ଧାରଣା ବି କରିପାରୁନାହିଁ । ତେବେ ତମ ମୁହଁରୁ ଯେତେବେଳେ ଶୁଣେ, ସେତେବେଳେ ମନ ଭିତରଟା ଅଶ୍ରୁରେ ଭରିଯାଏ । ମନେହୁଏ ମଣିଷ ଦୁଃଖର କେତେ ଇତିହାସ ତମେ ନ ଦେଖିଛ । ନହେଲେ କିଏ ବା ତମକୁ ଏ ଭଳି ପାଗଳ କଲା ! ଆଚ୍ଛା, ଯିବାବେଳେ ତମେ ମୋତେ ସାଙ୍ଗରେ ନେଇ ପାରିବନି ଭାଇ ?

 

ଡାକ୍ତର ହସି ହସି କହେଲେ-ପାଗଳ ହୋଇଛ ଭାରତୀ ?

 

ପାଗଳ ? ହୋଇଥିବି । ଟିକିଏ ଅଟକି ରହି କହିଲା–ମନେ ହେଉଛି ମୁଁ ଯେମିତି ତମ କାମର ବାଧା । ତେଣୁ ତମେ ମତେ ଧୀରେ ଧୀରେ ଆଡ଼େଇ ଦେଉଛ । କିନ୍ତୁ ମୁଁ କଣ ଦେଶର କୌଣସି ଭଲ କାମରେ ଲାଗି ପାରିବି ନାହିଁ ? ସେଭଳି କାମ କଣ କିଛି ନାହିଁ ?

 

ଡାକ୍ତର କହିଲେ–ଦେଶ କାମ କରିବାକୁ ଅସଂଖ୍ୟ ସୁବିଧା ଅଛି ଭାରତୀ, କିନ୍ତୁ ସୁଯୋଗ ନିଜେ ତିଆରି କରିନେବାକୁ ହେବ ।

 

ଭାରତୀ କହିଲା–ମୁଁ କରିପାରିବିନି ଭାଇ, ତମେ କରିଦିଅ ।

 

ଡାକ୍ତର ଚୁପ୍‌ ରହିଲେ । ତାଙ୍କର ମୁହଁ ଯେ ଗମ୍ଭୀର ହୋଇଗଲା ଭାରତୀ ଅନ୍ଧାରରେ ଦେଖି ପାରିଲା ନାହିଁ । କହିଲେ–ଦେଶ ଭିତରେ ଛୋଟ ବଡ଼ ବହୁ ଅନୁଷ୍ଠାନ ଅଛି, ଯେଉଁମାନେ ବହୁତ ଭଲ କାମକରନ୍ତି । ଆର୍ତ୍ତସେବା, ନରନାରୀଙ୍କୁ ପୁଣ୍ୟ ସଂଚୟର ସୁଯୋଗ, ଜର ଓ ପେଟରୋଗରେ ଔଷଧ ଯୋଗାଣ, ବଢ଼ି ମରୁଡ଼ିରେ ସାହାଯ୍ୟ ବିତରଣ ସେମାନେ ତମକୁ ବାଟ ଦେଖାଇଦେବେ ଭାରତୀ, ମୁଁ ପାରିବିନି । ମୁଁ ବିପ୍ଳବୀ । ମୋର ମାୟା ନାହିଁ, ଦୟା ନାହିଁ, ସ୍ନେହ ନାହିଁ–ପାପ ପୁଣ୍ୟ, ମୋ ପାଖରେ ମିଥ୍ୟା ପରିହାସ । ଏଇ ସବୁ ଭଲ କାମ ମୋ ପାଖରେ ପିଲାଖେଳ । ଭାରତର ସ୍ଵାଧୀନତା ମୋର ଏକମାତ୍ର ଲକ୍ଷ୍ୟ, ମୋର ଗୋଟିଏ ସାଧନା । ସେଇ ମୋର ଭଲ ମନ୍ଦ-ୟା ଛଡ଼ା ଏ ଜୀବନରେ ଆଉ କିଛି ନାହିଁ । ଭାରତୀ, ମତେ ତମେ ଆଉ ଟାଣ ନାହିଁ ।

 

ଭାରତୀ ଏକ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁଥିଲା । ରୁଦ୍ଧନିଃଶ୍ଵାସ ତ୍ୟାଗ କରି ସ୍ତବ୍‌ଧ ହୋଇ ବସି ରହିଲା କେବଳ ।

 

ତେଇଶ

 

ଆଜି ଶନିବାର । ଶଶୀ ଓ ନବତାରାଙ୍କ ବିବାହ ଦିବସ । ଶଶୀ ସନିର୍ବନ୍ଧ ଅନୁରୋଧ କରିଯାଇଛି ଯେ ରାତିରେ ଡାକ୍ତର ଯେମିତି ଭାରତୀକୁ ସାଙ୍ଗରେ ଧରି ତାକୁ ଆଶୀର୍ବାଦ କରି ଆସନ୍ତି । ପଞ୍ଚମୀର ଖଣ୍ଡଚଦ୍ର ବୁଡ଼ିଗଲାଣି-ଭାରତୀ ଗୋଟାଏ କଳା ରାପର ଦେହରେ ଘୋଡ଼େଇ ହୋଇ ନିଃଶବ୍ଦରେ ସେଇ ଜନଶୂନ୍ୟ ଘାଟରେ ଆସି ଠିଆହେଲା । ଡାକ୍ତର ନାଆଧରି ଅପେକ୍ଷା କରିଥିଲେ । ଭାରତୀ ନାଆରେ ବସି କହିଲା–କେତେ ଯେ କଣ ଭାବି ଆସୁଥିଲି ତାର ଇୟତ୍ତା ନାହିଁ । ଜାଣିଛି, ତମେ ମତେ ନ କହି କେବେ ପଳାଇ ଯିବନାହିଁ । ତଥାପି ଭୟ ଘୁଞ୍ଚିଲା ନାହିଁ । ମନେହେଲା ଯେମିତି କେତେ ଯୁଗ ଧରି ତମକୁ ଦେଖିନି । ମୁଁ ତମକୁ କହି ରଖୁଛି ଭାଇ, ତମ ସଙ୍ଗେ ମୁଁ ନିଶ୍ଚୟ ଚୀନ ଚାଲିଯିବି ।

 

ଡାକ୍ତର ହସି ହସି କହିଲେ–ମୁଁ ବି କହି ରଖୁଛି, ତମେ ଏ ଭଳି ପାଗଳାମି କେବେ କରିବନି । ତା,ପରେ କହିଲେ–ବର୍ତ୍ତମାନ ସୁବିଧାରେ ନାଆ ଚାଲିବ-କିନ୍ତୁ ବଡ଼ ନଦୀରେ ଉଜାଣି ବାହି ଗଲାବେଳକୁ ବହୁତ ସମୟ ଲାଗିବ ।

 

ଭାରତୀ କହିଲା–ଡେରି ହେଲେ ହେଲା, କୋଉ ଗୋଟାଏ ଶୁଭକାମରେ ଯୋଗଦେବାକୁ ଯାଉଛେ ଯେ ! ମୋର ତ ମୋଟେ ଯିବା ପାଇଁ ଇଚ୍ଛା ନ ଥିଲା, ଖାଲି ତମେ ଯାଉଛ ବୋଲି ! କି କଦର୍ଯ୍ୟ ଘଟଣା କହ ତ !

 

ଡାକ୍ତର କହିଲେ–ଶଶୀର ନବତାରା ସଙ୍ଗେ ବିବାହ ଅନେକ ଲୋକଙ୍କ ସଂସ୍କାରବିରୁଦ୍ଧ, ହୁଏତ ଆଇନ ବିରୁଦ୍ଧ; କିନ୍ତୁ ସେ ଦୋଷ ତ ଶଶୀର ନୁହେଁ-ଆଇନ କରିବା ପାଇଁ ଯେଉଁମାନେ ଦାୟୀ, ଅପରାଧ ତାଙ୍କର । ମୋର ଗୋଟାଏ ଦୁଃଖ-ଶଶୀ ଯଦି ଆଉ କାହାକୁ ଭଲପାଇଥାନ୍ତା !

 

ଭାରତୀ ହସି ପକାଇ କହିଲା–ଶଶୀବାବୁ ଭଲ ପାଇଲେ ବି ଆଉ କିଏ ତାକୁ ଭଲ ପାଇବ କାହିଁକି ? ତାଙ୍କ ଭଳି ମଣିଷକୁ ବୁଦ୍ଧିଥିବା କୌଣସି ସ୍ତ୍ରୀଲୋକ ଭଲ ପାଇପାରିବ ଏ କଥା ତ ମୁଁ ଭାବି ପାରୁନି ଭାଇ ! ଆଚ୍ଛା ତୁମେ କହ ,ଏ କଣ ସମ୍ଭବ ?

 

ଡାକ୍ତର ହସି ହସି କହିଲେ–ତାକୁ ଭଲ ପାଇବା କଷ୍ଟକର ନିଶ୍ଚୟ । ସେଥିପାଇଁ ତ ରହିଗଲି ତାକୁ ଆଶୀର୍ବାଦ କରିବା ପାଇଁ । ମନେହେଲା, ପ୍ରକୃତରେ ଶୁଭକାମନାର ଯଦି କିଛି ଫଳଥାଏ, ଶଶୀ ଯେମିତି ତାର ଫଳ ପାଇବ । ତାଙ୍କ କଣ୍ଠର ଆକସ୍ମିକ ପରିବର୍ତ୍ତନ ଦେଖି ଭାରତୀ କିଛି ସମୟ ଚୁପ୍‌ ରହିଗଲା । ତା’ପରେ ପଚାରିଲା–ଶଶୀବାବୁଙ୍କୁ ତମେ ଅନ୍ତରସହ ଭଲ ପାଅ, ନା ଭାଇ ?

 

ଡାକ୍ତର କହିଲେ–ହଁ ।

 

କାହିଁକି ?

 

ତମକୁ ବା ଏତେ ଭଲ ପାଏ କାହିଁକି, ତାର କ’ଣ କିଛି କାରଣ ଦେଇପାରିବି ? ବୋଧହୁଏ ଏମିତି ।

 

ଭାରତୀ ପଚାରିଲା–ଭାଇ, ତମ ପାଖରେ କଣ ଆମ ଉଭୟଙ୍କ ଦାମ୍‌ ସମାନ ? ତା ପରେ ହସି ହସି କହିଲା–ଭାଇ, ଏତେଦିନରେ ମୋ ନିଜ ଦାମ୍‌ କେତେ ବୁଝିପାରିଲି । ଚାଲ, ମୁଁ ବି ତମ ସଙ୍ଗେ ଯାଇ ତାଙ୍କୁ ଆଶୀର୍ବାଦ-ନା, ପ୍ରଣାମ କରି ଆସିବି ।

 

ଡାକ୍ତର ହସି ହସି କହିଲେ–ହେଉ !

 

ଭାରତୀ କହିଲା–ବହୁଦିନ ଧରି ଗୋଟାଏ କଥା ମୋର ମନେ ହେଉଛି ଭାଇ ! ସମୁଦ୍ରର ଯେପରି ତଳ ନାହିଁ, ତମର ସେପରି ତଳ ନାହିଁ । ସ୍ନେହ, ପ୍ରେମ-କିଛି ତମ ଭିତରେ ନିଜ ସ୍ଥାନ ନିରୂପଣ କରିପାରିବେ ନାହିଁ । ସବୁ ଯେପରି କୁଆଡ଼େ ମିଳେଇ ଯାଆନ୍ତି ।

 

ଡାକ୍ତର କହିଲେ–ପ୍ରଥମତଃ ସମୁଦ୍ରର ତଳ ଅଛି, ତେଣୁ ତମର ଏ ଉପମା ଅଚଳ ।

 

ଭାରତୀ କହିଲା ସେଥିପାଇଁ ତମକୁ ଶହେ ଥର କହିଲିଣି-ତମ ଛଡ଼ା ସଂସାରରେ ମୋର ଆଉ କେହି ନାହିଁ । ତମେ ଚାଲିଗଲେ ମୁଁ ଚଳିବି କେମିତି ? କିନ୍ତୁ ଏ କଥା ତମେ କାନକୁ ନେଉନା । ତା’ପରେ ନେବ ବା କେମିତି ? ତମର ତ ହୃଦୟ ନାହିଁ ! ମୁଁ ଜାଣେ ଯେ ଆଖି ଆଗରୁ ଆଡ଼େଇ ହେଲେ ତମେ ମତେ ଭୁଲିଯିବ ।

 

ଡାକ୍ତର କହିଲେ–ନା ତମକଥା ନିଶ୍ଚୟ ମନେ ରହିବ ।

 

ଭାରତୀ କହିଲା–କି ଆଶ୍ରୟ ନେଇ ମୁଁ ବଞ୍ଚିରହିବି ?

 

ଡାକ୍ତର କହିଲେ–ଭାଗ୍ୟବତୀ ନାରୀଗଣ ଯାହା ନେଇ ରହନ୍ତି–ସ୍ଵାମୀ, ପୁତ୍ରକନ୍ୟା, ବିଷୟସଂପତ୍ତି, ଘରଦ୍ଵାର !

 

ଭାରତୀ ରାଗି ଉଠି କହିଲା-ମୁଁ ଯେ ଅପୂର୍ବବାବୁଙ୍କୁ ଏକାନ୍ତ ଭାବେ ଭଲପାଇଛି ଏ ସତ୍ୟ ତମ ପାଖେ ଲୁଚାଇ ନାହଁ; କିନ୍ତୁ ତା ବୋଲି ତମେ ମତେ ଅପମାନ କରିବ କାହିଁକି ?

 

ଡାକ୍ତର ଆଶ୍ଚର୍ଯ୍ୟ ହୋଇ କହିଲେ–ଅପମାନ ! ମୁଁ ତ ତମକୁ ଟିକିଏ ବି ଅପମାନ କରିନି ଭାରତୀ ?

 

ହଠାତ୍‌ ଭାରତୀ ଅଶ୍ରୁ ଗଦ୍‌ଗଦ କଣ୍ଠରେ କହିଲା–ଅପମାନ ନୁହେଁ ତ ଆଉ କଣ ? ତୁମେ କ’ଣ କେତେ ବାଧା, ତୁମେ ଜାଣ ସେ ମତେ ଗ୍ରହଣ କରି ପାରିବେ ନାହିଁ–ତେବେ ବି ତୁମେ ଏ ସବୁ କଥା କହିବ ?

 

ଡାକ୍ତର ଈଷତ୍‌ ହସି କହିଲେ–ଏଇ ତ ଝିଅମାନଙ୍କର ଦୋଷ ! ସେମାନେ ନିଜେ ଯାହା କହନ୍ତି, ସେଇ କଥାଟା ଆଉ ଜଣେ କିଏ କହିଦେଲେ ସେମାନେ ମାରି ଗୋଡ଼ାନ୍ତି । ସେଦିନ ସୁମିତ୍ରା ବିଷୟରେ କହିଲ ଯେ, କାହାକୁ ପାଦତଳକୁ ଟାଣି ଆଣିବ । ଆଜି ମୁଁ ସେଇ କଥା କହିଲାରୁ କାନ୍ଦ !

 

ଭାରତୀ ଆଖି ପୋଛି କହିଲା–ନା, ତମେ ଏସବୁ କେବେ ମତେ କହିପାରିବ ନାହିଁ ।

 

ଡାକ୍ତର କହିଲେ–ବେଶ୍ କହିବିନାହିଁ; କିନ୍ତୁ ଏଥର ଯଦି ବଞ୍ଚିକରି ଫେରିଆସେ ଭଉଣି, ମୋ ଆଗରେ ବେକରେ ପଣତ ଗୁଡ଼େଇ ମୁଣ୍ଡିଆ ମାରି ତମକୁ ସ୍ଵୀକାର କରିବାକୁ ହେବ ଯେ-ଭାଇ, ମୋର କୋଟି କୋଟି ଅପରାଧ ହୋଇଛି । ନିଶ୍ଚୟ ତମେ ହାତ ଦେଖି ଜାଣ, ନହେଲେ ମୋ ବିଷୟରେ ଏମିତି ଆଗରୁ କହିଲ କେମିତି ?

 

ଭାରତୀ ଏ କଥାର ଉତ୍ତର ଦେଲାନାହିଁ ।

 

କିଛି ସମୟ ଚୁପ୍‌ ରହି ଡାକ୍ତର କହିଲେ–ସେ ଦିନ ରାତିରେ ସୁମିତ୍ରା କଥା ଯେତେବେଳେ କହୁଥିଲ, ସେତେବେଳେ ମୁଁ ଉତ୍ତର ଦେଇ ପାରିଲି ନାହିଁ । ମୁଁ ସେ ପଥର ପଥିକ ନୁହେଁ, ତେବେ ତମ ମୁହଁରୁ ସୁମିତ୍ରା କଥା ଶୁଣି ମୋ ଦେହ ଶିହରି ଉଠିଥିଲା । ଦୁନିଆ ଘୂରି ଅନେକ ସତ୍ୟର ସନ୍ଧାନ ପାଇଛି, ଖାଲି ପାଇନାହିଁ ଏଇ ନର-ନାରୀଙ୍କ ପ୍ରେମର ତତ୍ତ୍ଵ । ଭଉଣୀ, ଅସମ୍ଭବ ବୋଲି ଶବ୍ଦଟା ବୋଧହୁଏ ସଂସାରରେ କେବଳ ଏମାନଙ୍କ ଅଭିଧାନରେ ହିଁ ନାହିଁ ।

 

ଭାରତୀ ଉଦାସ ଓ ନିସ୍ପୃହ କଣ୍ଠରେ କହିଲା–ତମ କଥା ସତ ହେଉ ଭାଇ, ଏ ଶବ୍ଦଟା ସେମାନଙ୍କ ଅଭିଧାନରୁ ନିଶ୍ଚିହ୍ନ ହୋଇଯାଉ । ସୁମିତ୍ରା ଦି’ର ଅଦୃଷ୍ଟ ପ୍ରସନ୍ନ ହେଉ । ମୁଁ ଅନେକ ଭାବି ଦେଖିଛି, ମୋର ନିଜର ଆଉ ଏଥିରେ ଆନନ୍ଦ ନାହିଁ, ମୁଁ ଆଉ କାମନା ବି କରୁନାହିଁ । ସେ କିଛି ସମୟ ନୀରବ ରହି ପୁଣି କହିଲା–ଅପୂର୍ବବାବୁଙ୍କୁ ମୁଁ ପ୍ରକୃତରେ ଭଲପାଏ; କିନ୍ତୁ ତା ବୋଲି ତାଙ୍କ ସ୍ତ୍ରୀ ହୋଇ ତାଙ୍କ ଘର ସଂସାର ନ କଲେ ଜୀବନଟା ବ୍ୟର୍ଥ ହୋଇଯିବ କାହିଁକି ? ଏ ମୋର ରାଗର କଥା ନୁହେଁ ଭାଇ-ତମକୁ ଅକପଟ ହୃଦୟରେ କହୁଛି, ମତେ ତୁମେ ଆଶୀର୍ବାଦ କରି ଯଥାର୍ଥ ବାଟ ଦେଖାଇଦେଇ ଯାଅ–ତମପରି ମୁଁ ଯେପରି ଅପରର କାର୍ଯ୍ୟ କରି ଏ ଜୀବନଟା ସାର୍ଥକ କରିନିଏ । ନିଅ ଭାଇ, ତମର ଏଇ ନିରାଶ୍ରୟ ଛୋଟ ଭଉଣୀଟିକି ସାଥିରେ ।

 

ଡାକ୍ତର ଏହି ସନିର୍ବନ୍ଧ ଅନୁରୋଧର କିଛି ଉତ୍ତର ନ ଦେଇ ନାଆ ବାହିବାରେ ଲାଗିଲେ-। ଭାରତୀ ତାଙ୍କର ମୁହଁ ଦେଖିପାରିଲା ନାହିଁ, ତେଣୁ ଆଶାନ୍ୱିତା ହୋଇଉଠିଲା । ସେ ଅନୁନୟ କରି କହିଲା–ତମ ଛଡ଼ା ମୁଁ ଏ ଅନ୍ଧାରରେ କେଉଁଠି ବିନ୍ଦୁଏ ବି ଆଲୋକ ଦେଖି ପାରୁନି, ମତେ ସାଙ୍ଗରେ ନେବ ଭାଇ !

 

ଡାକ୍ତର ମୁଣ୍ଡ ହଲାଇ କହିଲେ–ଅସମ୍ଭବ ଭାରତୀ ! ତମ କଥା ଶୁଣିଲେ ମୋର ଜୋଆ ମନେ ପଡ଼େ । ତମ ପରି ଗୋଟିଏ ଅମୂଲ୍ୟ ଜୀବନ ଏଭଳି ନଷ୍ଟ ହୋଇଯାଇଛି । ଭାରତର ସ୍ଵାଧୀନତା ଛଡ଼ା ମୋର ଆଉ ଦ୍ଵିତୀୟ ଲକ୍ଷ୍ୟ ନାହିଁ; କିନ୍ତୁ ମଣିଷ ଜୀବନରେ ଏହା ଛଡ଼ା ବୃହତ୍ତର କାମ୍ୟ କିଛି ହୋଇପାରେନା-ଏ କଥା ମୁଁ କେବେ ଭୁଲକ୍ରମେ ବି ଭାବି ନାହିଁ ! ତମ ଭିତରେ ଯେ ହୃଦୟ, ସ୍ନେହ, ପ୍ରେମ, କରୁଣାର ମାଧୂରୀରେ ପରିପୂର୍ଣ୍ଣ, ତା ମୋ ପ୍ରୟୋଜନକୁ ଅତିକ୍ରମ କରି ବହୁ ଉପରକୁ ଉଠିଯାଇଛି-ତାର ସୀମା ମୁଁ ହାତ ବଢ଼ାଇ ଛୁଇଁପାରିବି ନାହିଁ ।

 

ଭାରତୀର ସର୍ବାଙ୍ଗ ପୁଲକିତ ହୋଇଗଲା-ସେ ସବ୍ୟସାଚୀ ଚରିତ୍ରର ଏକ ଅପରୂପ ମୂର୍ତ୍ତି ଦେଖିପାରିଲା । ଭକ୍ତି ଓ ଆନନ୍ଦରେ ଗଦ୍‌ଗଦ୍‌ ହୋଇ ସେ କହିଲା–ମୁଁ ତ ସେଇ କଥା ଭାବେ ଭାଇ, ତମର ଅଜଣା ସଂସାରରେ କ’ଣ ଅଛି । ସେଥିପାଇଁ ମୁଁ କହେ, ତମେ ଏ ଷଡ଼ଯନ୍ତ୍ରରେ ଅଛ କାହିଁକି ? ଦେଶ ବିଦେଶରେ ଗୁପ୍ତ ସମିତି ଗଠନକରି ବୁଲୁଛ କାହିଁକି ?

 

ମଣିଷର କୌଣସି ଚରମ କଲ୍ୟାଣ ତ ୟା ଦ୍ଵାରା ହୋଇପାରେ ନା !

 

ଡାକ୍ତର କହିଲେ ତା ଅବଶ୍ୟ ଠିକ୍‌, ତେବେ ଚରମ କଲ୍ୟାଣର ଦାୟୀତ୍ଵ ବିଧାତାଙ୍କ ହାତରେ ଛାଡ଼ି ଦେଇ କ୍ଷୁଦ୍ର ମଣିଷ ହିସାବରେ ଯାହା କରିପାରିବ, ସେଇ ଚେଷ୍ଟାରେ ଅଛି । ନିଜ ଦେଶ ଭିତରେ ସ୍ଵାଧୀନ ଭାବେ କଥା କହିବା, ସ୍ଵାଧୀନ ଭାବେ ବୁଲିପାରିବା ଅତି ତୁଚ୍ଛ ଅଧିକାର-ତା ଠାରୁ ଅଧିକ ଆମେ ବର୍ତ୍ତମାନ ଚାହୁଁନା ।

 

ଭାରତୀ କହିଲା–ସେ କଥା ତ ସମସ୍ତେ ଚାହାନ୍ତି, ଭାଇ ! କିନ୍ତୁ ସେଥିପାଇଁ ନର-ହତ୍ୟା କାହିଁକି ? କଣ ପ୍ରୟୋଜନ ? କହିସାରିଲେ ପରେ ଭାରତୀ ଲଜ୍ଜିତା ହେଲା । କାରଣ ଏ ଅଭିଯୋଗ କେବଳ ରୂଢ଼ ନୁହେଁ, ଅସତ୍ୟ ମଧ୍ୟ । ସେ ସଙ୍ଗେ ସଙ୍ଗେ ଅନୁତାପ ସହ କହିଲା–ମତେ ମାଫ୍‌କର ଭାଇ, ଏ କଥା ମୁଁ ଖାଲି ରାଗରେ କହିଦେଲି । ମତେ ତମେ ଛାଡ଼ି ଚାଲିଯିବ, ଏ କଥା ମୁଁ ଭାବି ପାରୁନି ।

 

ଡାକ୍ତର ହସିହସି କହିଲେ–ତା ମୁଁ ଜାଣେ ।

 

ଏହାପରେ ବହୁ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହେଲା ନାହିଁ । କିଛି ଦିନ ଧରି ଭାରତ-ବର୍ଷରେ ‘ସ୍ଵଦେଶୀ ଆନ୍ଦୋଳନ’ ବ୍ୟାପକ ହୋଇ ଉଠିଥିଲା । ଭକ୍ତିଭାଜନ ନେତୃବୃନ୍ଦ ଦେଶୋଦ୍ଧାର ପାଇଁ ଆଇନକୁ ଜଗି ଯେ ସମସ୍ତ ଜ୍ଵାଳାମୟୀ ବକ୍ତୃତା ସୁବିଧା ଦେଖି ଦେଉଥିଲେ, ତାର ସାରାଂଶ ସମ୍ବାଦ ପତ୍ରର ସ୍ତମ୍ଭରେ ପାଠକରି ଭାରତୀ ଆପ୍ଳୁତ ହୋଇ ଉଠେ । ଗତ ରାତିରେ ଏମିତି ଗୋଟାଏ ଖବର ସେ ପଢ଼ିଥିଲା । ସେଇ କଥା ସ୍ମରଣ କରି କହିଲା–ମୁଁ ଜାଣେ ଇଂରେଜ ରାଜତ୍ଵରେ ତମର ସ୍ଥାନ ନାହିଁ; କିନ୍ତୁ ଦୁନିଆସାରା ତ ତାଙ୍କର ନୁହେଁ ? ଅନ୍ୟ ଜାଗାକୁ ଯାଇ ସରଳ ପ୍ରକାଶ୍ୟ ଭାବେ ତମ ଉଦ୍ଦେଶ୍ୟ ସିଦ୍ଧି ପାଇଁ ଚେଷ୍ଟା କରିପାରନ୍ତି ।

 

ପ୍ରଶ୍ନକରି ଭାରତୀ ଉତ୍ତର ପାଇଁ ଅପେକ୍ଷା କଲା । ତା’ପରେ କହିଲା–ଅନ୍ଧାରରେ ତମ ମୁହଁ ଦେଖିପାରୁନି ସିନା, କିନ୍ତୁ ବୁଝି ପାରୁଛି ଯେ ତମେ ମନେ ମନେ ଖୁବ୍ ହସୁଛ । କିନ୍ତୁ ତମେ ଓ ତମ ଦଳ ତ ଖାଲି ନୁହେଁ, ଆଉ ଯେଉଁ ପ୍ରବୀଣ, ବିଜ୍ଞ, ରାଜନୀତି ପାରଙ୍ଗମ ଲୋକେ ଦେଶ କାମରେ ଲାଗିଛନ୍ତି-ଅଚ୍ଛା ଭାଇ, କାଲିର ବଙ୍ଗଳା କାଗଜ ଦେଖିଛ ?

କଥା ଶେଷ ନ ହେଉଣୁ ଡାକ୍ତର କହିଲେ–ରକ୍ଷାକର ଭାରତୀ ! ମୋ ସଙ୍ଗେ ତୁଳନା କରି ପୂଜନୀୟ ନେତୃବର୍ଗଙ୍କର ଅସମ୍ମାନ କରନାହିଁ ।

ଭାରତୀ କହିଲା–ନା, ତମେ ବରଂ ସେମାନଙ୍କୁ ବିଦ୍ରୂପ କରୁଛ ।

ଡାକ୍ତର କହିଲେ–ମୋଟେ ନୁହେଁ । ସେମାନଙ୍କୁ ମୁଁ ଭକ୍ତିକରେ ଓ ସେମାନଙ୍କ ଦେଶୋଦ୍ଧାରର ବକ୍ତୃକ୍ତା ମୋ ଅପେକ୍ଷା ଅନ୍ୟ କେହି ବେଶି ଉପଭୋଗ କରେ ନା ।

ଭାରତୀ କ୍ଷୁଣ୍ଣ ହୋଇ କହିଲା–ତମର ବାଟ ସମାନ ନ ହୋଇପାରେ, କିନ୍ତୁ ଲକ୍ଷ୍ୟ ତ ସମାନ ?

ଡାକ୍ତର କିଛି ସମୟ ଚୁପ୍‌ ରହି କହିଲେ–ଏତେ ସମୟ ହସୁଥିଲି ସିନା, ଏଥର ରାଗିଯିବି । ବାଟ ଆମର ଏକା ନୁହେଁ । ଏ ତ ଜଣା କଥା-କିନ୍ତୁ ଲକ୍ଷ୍ୟ ଯେ ଆମର ସେମାନଙ୍କଠାରୁ ସ୍ଵତନ୍ତ୍ର, ତମେ କଣ ଏ ଯାଏଁ ବୁଝିନ ? ଚିରଦିନ ପରାଧୀନ ରହିବା ଏ ଦେଶର ଆଇନ । ସୁତରାଂ ଆଇନର ବାହାରେ ଏଇ ସବୁ ପ୍ରବୀଣ ପୂଜ୍ୟ ବ୍ୟକ୍ତିମାନେ କେବେ କିଛି ଦାବୀ କରନ୍ତିନାହିଁ । ଚୀନ୍‌ଦେଶରେ ମାଞ୍ଚୁ ରାଜାଙ୍କ ପରି ଇଂରେଜମାନେଯଦି ଆଇନ୍‌ କରନ୍ତେ ଯେ ସମସ୍ତଙ୍କୁ ଅଢ଼େଇ ହାତ ଚୁଟି ରଖିବାକୁ ହେବ, ତେବେ ଚୁଟି ବିରୁଦ୍ଧରେ ଏମାନେ ବେଆଇନ ଅନ୍ଦୋଳନ କରନ୍ତେନାହିଁ । ଏମାନେ କହନ୍ତେ ଯେ ଅଢ଼େଇ ହାତ ଆଇନଦ୍ଵାରା ଦେଶ ପ୍ରତି ଅତ୍ୟନ୍ତ ଅବିଚାର କରାଯାଇଛି-ଏଥିରେ ଦେଶର ସର୍ବନାଶ ହୋଇଯିବ, ଅତଏବ ଏହାକୁ ସୱା ଦୁଇହାତ କରିଦିଆଯାଉ । ଏହା କହି ଡାକ୍ତର ନିଜର ରସିକତାରେ ଉତ୍‌ଫୁଲ୍ଲ ହୋଇ ହସିବାକୁ ଲାଗିଲେ ।

ହସ କମିଲା ପରେ ଭାରତୀ କହିଲା–ତମେ ଯାହା କହନା କାହିଁକି, ସେମାନେ ଯେ ଏ ଦେଶର ନମସ୍ୟ ନୁହନ୍ତି, ଏ କଥା ତମେ କହିପାରିବ ନାହିଁ । ମୁଁ ସମସ୍ତଙ୍କ କଥା କହୁନି; କିନ୍ତୁ ଯେଉଁମାନେ ପ୍ରକୃତ ରାଷ୍ଟ୍ରନୀତିବିତ୍‌, ଦେଶର ଶୁଭାକାଂକ୍ଷୀ-ସେମାନେ ସମସ୍ତେ ଚେଷ୍ଟା ବୃଥା ଶ୍ରମ, ଏ କଥା ନିଃସଙ୍କୋଚରେ ଗ୍ରହଣ କରିବା କଠିନ । ସୁତରାଂ ପଥ ଭିନ୍ନ ବୋଲି ସେମାନଙ୍କୁ ଥଟ୍ଟା କରିବା ଉଚିତ୍‌ ନୁହେଁ ।

ତାହାର ସ୍ଵରରେ ଗମ୍ଭୀରତା ଲକ୍ଷ୍ୟକରି ଡାକ୍ତର ଧୀରେ ଧୀରେ କହିଲେ–ତମକୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନୁହେଁ, ତମର ନମସ୍ୟଗଣଙ୍କୁ ଉପହାସ କରିବା ବି ମୋର ଇଚ୍ଛା ନୁହେଁ । ସେମାନଙ୍କ ରାଜନୀତି ବିଦ୍ୟାର ପାଣ୍ଡିତ୍ୟ ସମ୍ପର୍କରେ ମୋର କମ୍‌ ଭକ୍ତି ନାହିଁ; କିନ୍ତୁ ଜାଣ ଭଉଣି, ଗୃହସ୍ଥ ଯେତେବେଳେ ଗୋରୁକୁ ଛୋଟ ପଘାରେ ବାନ୍ଧେ, ସେତେବେଳେ ସେ ଛୋଟ ଦଉଡ଼ିରେ ଗୋଟିଏ ମାତ୍ର ନୀତି ଥାଏ । ମୁଁ ସେଇତକ ଜାଣେ । ଗୋରୁର ସୀମା ବାହାରେ ଥିବା ଖାଦ୍ୟବସ୍ତ୍ର ପ୍ରତି ମୁଣ୍ଡ ଓ ଜିଉ ବାହାର କରି ଲେହନ କରିବାର ଚେଷ୍ଟା ଭିତରେ ଅବୈଧତା କିଛି ନାହିଁ, ଏପରିକି ତା ଆଇନସଙ୍ଗତ । ଉତ୍ସାହ ଦେବାର ଇଚ୍ଛାଥିଲେ ଦେଇପାର, ରାଜାର ଆଇନରେ ନିଷେଧ ନାହିଁ; କିନ୍ତୁ ବୃକ୍ଷର ଏହି ଆନ୍ତରିକ ପ୍ରବଳ ଉଦ୍ୟମ ଦେଖି ହାସ୍ୟ ସମ୍ବରଣ କରିବା କଠିନ ।

ଭାରତୀ ହସି ପକାଇ କହିଲା–ଭାଇ, ତମେ ଭାରି ଦୁଷ୍ଟ । ତା’ ପରେ କହିଲା–ପ୍ରାଣ ଯାହାର ସୂତା ଖିଅକରେ ଝୁଲୁଛି, ମୁଁ ବୁଝି ପାରୁନି ।

ଡାକ୍ତର କହିଲେ–କାରଣ ଏ ସମସ୍ୟାର ସମାଧାନ ପୁର୍ବରୁ ହୋଇଯାଇଛି ଭାରତୀ, ଯେଉଁଦିନ ବିପ୍ଳବରେ ଯୋଗଦେଇଛି । ଆଉ ମୋର ଭାବିବାର କିଛି ନାହିଁ, ଆପତ୍ତି କରିବାର କିଛି ନାହିଁ । ମୁଁ ଜାଣେ ଯେ ରାଜଶକ୍ତି ମତେ ହାତରେ ପାଇ ଛାଡ଼ିଦେବ, ହୁଏତ ସେ ସଂପୂର୍ଣ୍ଣ ପାଗଳ କିମ୍ବା ଫାଶୀ ଦେବାର ଦଉଡ଼ି ବି ତା ହାତରେ ନାହିଁ ।

ଭାରତୀ କହିଲା–ସେଥିପାଇଁ ମୁଁ ତମ ପାଖରେ ରହିବାକୁ ଚାହେଁ । ମୁଁ ଥିଲେ ତମ ପ୍ରାଣ କେହି ନେଇପାରିବ ନାହିଁ–ମୁଁ ବଞ୍ଚି ଥାଇ ଏ କଥା କରେଇ ଦେବିନି । କହୁ କହୁ ତା ଆଖିରେ ପାଣି ଆସିଗଲା ।

ଡାକ୍ତର କହିଲେ–ଜୁଆର ଲାଗିଗଲାଣି ଭାରତୀ, ପହଞ୍ଚିବାକୁ ଆମକୁ ଆଉ ଡେରି ଲାଗିବନାହି ।

ଉତ୍ତରରେ ଭାରତୀ କହିଲା–ମତେ କିଛି ଭଲଲାଗୁନି । ତା’ ପରେ କହିଲା–ଏତେ ବଡ଼ ରାଜଶକ୍ତିକୁ ତମେ ଟଳେଇ ଦେଇ ପାରିବ, ଏ କଥା ତମେ କଣ ବିଶ୍ଵାସ କର ଭାଇ ?

ଡାକ୍ତର ଦ୍ଵିଧାହୀନ ଭାବେ ଉତ୍ତରଦେଲେ–ନିଶ୍ଚୟ ବିଶ୍ଵାସ କରେ ଓ ମନ ପ୍ରାଣ ଦେଇ ବିଶ୍ଵାସ କରେ । ଏ ବିଶ୍ଵାସ ନ ଥିଲେ । ଏ ବ୍ରତ ମୋର କେବଠୁଁ ଭାଙ୍ଗି ଯାଆନ୍ତାଣି ଭାରତୀ !

 

ଡାକ୍ତର କହିଲା–ସେଇଥିପାଇଁ ବୋଧହୁଏ ମତେ ଧୀରେ ଧୀରେ ତମ କାମରୁ ବିଦାୟ କରି ଦେଉଛ, ନା ?

 

ଡାକ୍ତର ହସି ହସି କହିଲେ–ନା’ ତା ନୁହେଁ ଭାରତୀ ! କିନ୍ତୁ ବିଶ୍ଵାସ ତ ଶକ୍ତି !

 

ବିଶ୍ଵାସ ନଥିଲେ କର୍ତ୍ତବ୍ୟ ଯେ ସଂଶୟ ଭିତରେ ପଦେ ପଦେ ଭାରି ହୋଇ ଉଠିବ । ସଂସାରରେ ତମର ଅନ୍ୟ କାମ ଅଛି ଭଉଣୀ-କଲ୍ୟାଣ, ଶାନ୍ତିର ପଥ–ଯାହା ତମେ ସର୍ବାନ୍ତଃକରଣରେ ବିଶ୍ୱାସକର । ତମେ ସେଇକଥା କରିବ ।

 

ଅପରିସୀମା ସ୍ନେହ ହେତୁ ସେ ଯେ ତାକୁ ବିପ୍ଳବୀର ପନ୍ଥାରୁ ଅପସାରିତ କରିଦେବାକୁ ଚାହୁଁଛନ୍ତି, ଏ କଥା ବୁଝିପାରି ଭାରତୀ ଆଖି ସକଳ ହୋଇଗଲା । ଅନ୍ଧାରରେ ଆଖି ପୋଛି ପୋଛି ସେ କହିଲା–

 

ଗୋଟିଏ କଥା ପଚାରିବି ଭାଇ । ଏତେ ବଡ଼ ରାଜଶକ୍ତି–କେତେ ସୈନ୍ୟବଳ, କେତେ ଉପକରଣ, ଯୁଦ୍ଧର କେତେ ଭୟଙ୍କର ଅୟୋଜନ–ତା ପାଖରେ ତମର ବିପ୍ଳବୀ ଦଳ ବା କି ସାମାନ୍ୟ ! ସମୁଦ୍ର ପାଖରେ ଗୋସ୍ପଦ ଅପେକ୍ଷା ବି ଛୋଟ । ତେଣୁ ତାଙ୍କ ସଙ୍ଗେ ତମେ ଶକ୍ତି ପରୀକ୍ଷା ଦେବାକୁ ଯାଉଛ କେମିତି ? ନିଛକ ଅତ୍ମହତ୍ୟା କରି କଣ କେଉଁ ଦେଶ ସ୍ଵାଧୀନ ହୋଇଛି-? ମୁଁ ଯେ କେବଳ ବଞ୍ଚିରହିବାକୁ ଚାହେଁ, ଏ କଥା ତମେ ଭୁଲ ବୁଝିବନି ଭାଇ ।

 

ଡାକ୍ତର କହିଲେ–ମୋ ସମ୍ପର୍କରେ ଗୋଟାଏ ଭୁଲ୍‌ଧାରଣା ହେଇଯାଇଛି ତମର । ଭାରତୀ, ବିପ୍ଳବ ମାନେ କେବଳ ହଣା ହଣି ନୁହେଁ ବିପ୍ଳବ ମାନେ ଅତ୍ୟନ୍ତ ଦ୍ରୁତ ଆମୂଳ ପରିବର୍ତ୍ତନ-। ତାପରେ ସେ ସାମାନ୍ୟ ଚିନ୍ତା କରି କହିଲେ–କଣ କହିଲ ଭାରତୀ, ଗୋଷ୍ଠି ? ହୁଏତ ସେଇଆ-କିନ୍ତୁ ସେ ଅଗ୍ନିସ୍ଫୁଲିଙ୍ଗ ସମ୍ପୂର୍ଣ୍ଣ ଜନପଦକୁ ଭସ୍ମସାତ୍‌ କରିଦେଇ ପାରେ, ତାର ବା ଆୟତନ କେତେ-? ସହର ଯେତେବେଳେ ପୋଡ଼ିଯାଏ, ସେ ଆପଣାର ଇନ୍ଧନ ଯୋଗାଡ଼ କରିନିଏ ।

 

ଭାରତୀ କହିଲା–ଭାଇ, ତମ କଥା ଶୁଣିଲେ ଦେହ ଥରି ଉଠୁଛି । ଯେ ରାଜଶକ୍ତିକୁ ତୁମେ ଦଗ୍‌ଧ କରିବାକୁ ଚାହଁ, ତାର ଇନ୍ଧନ ତ ଆମ ଦେଶର ଲୋକ । ଏତେ ବଡ଼ ଧ୍ଵଂସ କଳ୍ପନା କଲାବେଳେ ତମ ମନରେ ଦୁଃଖ ଆସେନା ?

 

ଡାକ୍ତର କହିଲେ–ନା, ପ୍ରାୟଶ୍ଚିତ୍ତ କଥାଟା କଣ ଖାଲି ମୁହଁର କଥା ? ପୂର୍ବ ପିତାମହଗଣଙ୍କର ସଞ୍ଚିତ ପାପର ଅପରିମେୟ ସ୍ତୁପ ନିଃଶେଷ ହେବ କିପରି ? କରୁଣା ବା ଦୁଃଖ ଅପେକ୍ଷା ନ୍ୟାୟଧର୍ମ ଢେର ବଡ଼ ବସ୍ତୁ, ଭାରତୀ ।

 

ଭାରତୀ ବାଧାଦେଇ କହିଲା–ଏ ତମର ସେଇ ପୁରୁଣା କଥା, ଭାଇ । ଭାରତର ସ୍ଵାଧୀନତା ପାଇଁ ତମେ ଯେ କେତେ ନିଷ୍ଠୁର ହୋଇପାର ତା ଭାବି ହେବନି । ରକ୍ତପାତ ଛଡ଼ା ତମ ମନକୁ ଆଉ କିଛି ଛୁଉଁନାହିଁ । ମଣିଷ ଓ ମଣିଷଙ୍କ ଭିତରେ ହଣାହଣି ଛଡ଼ା ସେମାନେ ପାଖପଡ଼ିଶା ହୋଇ ରହିପାରିବେନି ?

 

ଡାକ୍ତର କହିଲେ–ଜଣେ ବଡ଼ ଇଂରେଜ କବି କହିଛନ୍ତି-ପୂର୍ବ ଓ ପଶ୍ଚିମ କୌଣସି ଦିନ ମିଶି ପାରିବେ ନାହିଁ ।

 

ଭାରତୀ ରୁଷ୍ଟ ହୋଇ କହିଲା–ରଖ ତମ କବି ! ତମେ ତ ପରମଜ୍ଞାନୀ-ତମକୁ ଅନେକ ଥର ପଚାରିଛି, ଆଜି ପଚାରୁଛି-ସେମାନେ ପଶ୍ଚିମର ହୁଅନ୍ତୁ ବା ଇଉରୋପର ହୁଅନ୍ତୁ, ସେମାନେ ବି ତ ମଣିଷ ! ମଣିଷ ସଙ୍ଗେ ମଣିଷ କଣ ବାନ୍ଧୁତ୍ଵ କରି ପାରେନା ?

 

ଭାଇ, ମୁଁ ଖ୍ରୀଷ୍ଟିଆନ୍‌, ଇଂରେଜଙ୍କ ପାଖରେ ମୁଁ ବହୁ ଋଣରେ ଋଣୀ । ସେମାନଙ୍କର ଅନେକ ସଦ୍‌ଗୁଣ ମୁଁ ଆଖିରେ ଦେଖିଛି-ସେମାନଙ୍କୁ ମନ୍ଦ ବୋଲି ଭାବିଲେ ମତେ କଷ୍ଟ ଲାଗେ ।

 

ଡାକ୍ତର ନୀରବରେ ନୌକା ବାହିବାକୁ ଲଗିଲେ । ଭାରତୀର ମନେହେଲା ହୁଏତ ସେ ଏ ପ୍ରଶ୍ନର ଉତ୍ତର ଦେବେ ନାହିଁ । ତା’ପରେ ଡାକ୍ତର ସିଗ୍ନ ଓ ମୃଦୁସ୍ଵରରେ କହିଲେ–ଗୋଟାଏ ରକମର ସାପ ଅଛନ୍ତି ଭାରତୀ, ସେମାନେ ସାପ ଖାଇ ଜୀବନ ଧାରଣ କରନ୍ତି ।

 

ଦେଖିଛ ?

 

ଭାରତୀ କହିଲା–ନା, ଦେଖିନି, ଶୁଣିଛି ।

 

ଡାକ୍ତର କହିଲେ–ପଶୁଶାଳାରେ ଅଛି । ଏଥର କଲିକତା ଗଲେ ଅପୂର୍ବକୁ ହୁକୁମ୍‌ କରିବ, ସେ ଦେଖେଇ ଆଣିବ ।

 

ବାରମ୍ବାର ଥଟ୍ଟା କରନି ଭାଇ, ଭଲ କଥା ହେବନି ।

 

ମୁଁ ତ ଠିକ୍‌ ସେଇ କଥା କହୁଛି । ପାଖାପାଖି ବାସ କରିବା, ସମ୍ଭବ ନ ହେଲେ ବି ଜଣେ ଆଉ ଜଣଙ୍କ ପେଟ ଭିତରେ ବେଶ୍‌ ନିରାପଦରେ ସ୍ଥାନ ପାଏ । ବିଶ୍ଵାସ ନ ହେଲେ ‘ଜୁ’ ର ଅଧ୍ୟକ୍ଷଙ୍କୁ ପଚାରି ବୁଝିବ ।

 

ଭାରତୀ ଚୁପ୍‌କରି ରହିଲା । ଡାକ୍ତର କହିଲେ–ତମେ ତାଙ୍କର ସମଧର୍ମାଲମ୍ବୀ, ସେମାନଙ୍କ ନିକଟରେ ଋଣୀ-ସେମାନଙ୍କ ସଦ୍‌ଗୁଣଟା କେବଳ ଦେଖିଛ । ଦେଖିଛ ତାଙ୍କର ବିଶ୍ଵଗ୍ରାସୀ କ୍ଷୁଧାର ରୂପ । ଏ ଦେଶର ମାଲିକ ସେମାନେ ଆଜି । ଜାଣ, ଏଇ ବିରାଟ ଐଶ୍ଚର୍ଯ୍ୟର ଉତ୍ସ କେଉଁଠି ? ନିଜକୁ ବଙ୍ଗଳା ଦେଶର ଝିଅ କହୁଥିଲ ନା ? ଏଇ ବଙ୍ଗଳାର ଦଶ ଲକ୍ଷ ନରନାରୀ ପ୍ରତିବର୍ଷ ମାଲେରିଆରେ ମରନ୍ତି । ଗୋଟାଏ ଗୋଟାଏ ଯୁଦ୍ଧ ଜାହାଜର ଦାମ୍‌ କେତେ ଜାଣ ? ଏଥିରୁ ଗୋଟାକର ଖର୍ଚ୍ଚ’ରେ ଦଶଲକ୍ଷ ମା’ଙ୍କ ଆଖିର ଲୁହ ପୋଛି ହୁଅନ୍ତା । କେବେ ଭାବିଛ ଏ କଥା ? ଦେଶରେ ଖାଦ୍ୟ ନାଇଁ, ବସ୍ତ୍ରନାହିଁ, ଗୃହସ୍ଥର ସର୍ବୋତ୍ତମ ସଂପଦ ଗୋଧନ ନାହିଁ–ଦୁଧ ଅଭାବରେ ଶହ ଶହ ଶିଶୁ ମରିବାର ଦେଖିଛ ଭାରତୀ ?

 

ସବ୍ୟସାଚୀଙ୍କ ସେଇ ଧୀର, ସଂଯତ କଣ୍ଠସ୍ଵର ଅନ୍ତର୍ହିତ ହୋଇଗଲା ? ସେ କହିଲେ ତମେ ଖ୍ରୀଷ୍ଟାନ୍‍, ମନେପଡ଼େ ଦିନେ ଇଉରୋପର ଖ୍ରୀଷ୍ଟାନ୍‍ସଭ୍ୟତାର ଯଥାର୍ଥ ସ୍ଵରୂପ ଜାଣିବାକୁ ଚାହିଁଥିଲ । ସେଦିନ ଆଘାତ ଲାଗିବା ଭୟରେ କହି ନ ଥିଲି । ତମ ବହିରେ କଣ ଅଛି ଜାଣେନା, ଶୁଣିଛି ଅନେକ ଭଲ କଥା ଲେଖାହୋଇଛି; କିନ୍ତୁ ବହୁଦିନ ସେଠାରେ ବସବାସ କରିଥିବାରୁ ତାର ପ୍ରକୃତ ଚେହେରା ମୋର ଅଗୋଚର ନାହିଁ । ଲଜ୍ଜାହୀନ ଉଲଗ୍ନ ସ୍ଵାର୍ଥ ଓ ପଶୁଶକ୍ତିର ଏକାନ୍ତ ପ୍ରାଧାନ୍ୟ ସେମାନଙ୍କ ମୂଳମନ୍ତ୍ର । ଦେଶର ମାଟି ଦେଶର ସଂପଦରୁ ଦେଶର ସନ୍ତାନଗଣ ବଞ୍ଚିତ ହୋଇଛନ୍ତି କାହିଁକି କହି ପାରିବ ଭାରତୀ ? ଏକମାତ୍ର ଶକ୍ତିହୀନତାର ଅପରାଧରେ । ଅଥଚ ନ୍ୟାୟଧର୍ମ ସବୁଠାରୁ ବଡ଼ ଓ ବିଜିତର ଅଶେଷ କଲ୍ୟାଣ ପାଇଁ ଏଇ ଶୃଙ୍ଖଳା ତା ପାଦରେ ଦେଇ ସେଇ ପଙ୍ଗୁର ସମସ୍ତ ଦାୟିତ୍ଵ ବହନ କରିବା ଇଉରୋପୀୟ ସଭ୍ୟତାର ଶ୍ରେଷ୍ଠ କର୍ତ୍ତବ୍ୟ-ଏଇ ପରମ ଅସତ୍ୟ ଲେଖାରେ, ବକ୍ତୃତାରେ ମିଶନାରୀଙ୍କ ଧର୍ମ ପ୍ରଚାରରେ ଓ ପିଲାଙ୍କ ପାଠ୍ୟ ପୁସ୍ତକରେ ଅବିଶ୍ରାନ୍ତ ପ୍ରଚାର କରିବା ଖ୍ରୀଷ୍ଟିୟାନ୍‌ ସଭ୍ୟତାର ରାଜନୀତି ।

 

ଭାରତୀ ମିଶନାରୀମାନଙ୍କ ହାତରେ ମଣିଷ ହୋଇଛି, ଅନେକ ମହତ୍‌ପାଦ୍ରୀଙ୍କୁ ସେ ଆଖିରେ ଦେଖିଛି । ତାର ଧର୍ମବିଶ୍ଵାସ ପ୍ରତି ଏପରି ଅହେତୁକ ଆକ୍ରମଣରେ ସେ ବ୍ୟଥିତ ହେଲା । କହିଲା–ଭାଇ, ଯାହାହେଉନା କାହିଁକି, ତମର ଶାନ୍ତ ଚିତ୍ତ ଆଜି ବିକ୍ଷୁବ୍‌ଧ ହୋଇ ଉଠିଛି । ଖ୍ରୀଷ୍ଟିୟାନ୍‌ ଧର୍ମ ପ୍ରଚାର କରିବାକୁ ଯେଉଁମାନେ ଏ ଦେଶକୁ ଆସିଛନ୍ତି, ସେମାନଙ୍କ ସମ୍ବନ୍ଧରେ ତମ ଅପେକ୍ଷା ମୁଁ ଖୁବ୍‌ବେଶି ଜାଣେ । ତମେ ସେମାନଙ୍କ ପ୍ରତି ପକ୍ଷପାତିତା କରୁଛ କେବଳ । ଇଉରୋପୀୟ ସଭ୍ୟନ୍ତା କଣ ତମର କିଛି ଉପକାର କରିନାହିଁ । ସତୀଦାହ, ଗଙ୍ଗାସାଗରରେ ସମ୍ମାନ ବିସର୍ଜନ–

 

ଡାକ୍ତର ବାଧାଦେଇ କହି ଉଠିଲେ-ସନ୍ନ୍ୟାସୀମାନଙ୍କର ଖଣ୍ଡାଡ଼ିଆଁ, ଡକାୟତି, ଠଗଙ୍କ ଲୁଣ୍ଠନ, ବର୍ଗୀଙ୍କ ହାଙ୍ଗାମା, ଗଣ୍ଡ ଓ ଖାସିଆମାନଙ୍କର ଆସାମରେ ନରବଳି-ଆଉ ତ ମନେ ପଡ଼ୁନି ଭାରତୀ ।

 

-ଭାରତୀ କିଛି କହିଲା ନାହିଁ ।

 

ଡାକ୍ତର କହିଲେ–ହଁ, ମନେ ପଡ଼ିଲା–ବାଦଶାଙ୍କ ଅମଳରେ ଘରେ ଝିଅବୋହୁ ରଖେଇ ଦେଉ ନ ଥିଲେ, ନବାବମାନେ ଗର୍ଭିଣୀର ପେଟଚିରି ଛୁଆ ଦେଖନ୍ତି–ଏମିତି ବିଦେଶୀଙ୍କ ଲେଖା ଇତିହାସ, ସାମାନ୍ୟ ଓ ତୁଚ୍ଛ ଘଟଣାକୁ ବିପୁଳ ଓ ବିରାଟ ରୂପେ ତିଆରି କରି ସ୍ଵଦେଶ ପ୍ରତି ଲୋକଙ୍କୁ ବିମୁଖ କରିଦେଇଛି । ମନେଅଛି-ପିଲାଦିନେ ଥରେ ସ୍କୁଲରେ ପଢ଼ି ଥିଲି, ବିଲାତରେ ବସି ଭାରତବାସୀଙ୍କ କଲ୍ୟାଣ ଚିନ୍ତାକରି ଭାରତମନ୍ତ୍ରୀଙ୍କ ଆଖିକୁ ନିଦ ଆସୁନି, ସେ ଅଳ୍ପ ଜଳ ଛାଡ଼ି ଦେଲେଣି ! ଏଇ ସବୁ ଇତିହାସ ପିଲାମାନଙ୍କୁ କଣ୍ଠସ୍ଥ କରିବାକୁ ହୁଏ ଏବଂ ଉଦର ଚିନ୍ତାରେ ଶିକ୍ଷକମାନଙ୍କୁ କରାଇବାକୁ ପଡ଼େ । ସଭ୍ୟ ରାଜତନ୍ତ୍ରର ଏଇ ତ ମୂଳନୀତି, ଭାରତୀ ! ଅଜି ଅପୂର୍ବକୁ ଦୋଷ ଦେବା ବୃଥା ।

 

ଅପୂର୍ବ କଥା ପଡ଼ିବାରୁ ଭାରତୀ ମନେ ମନେ ଲଜ୍ଜିତ ଓ ରୁଷ୍ଟହେଲା । କହିଲା–ତୁମେ ଯାହା କହୁଛ, ସତ୍ୟ ହୋଇପାରେ, ହୁଏତ କେଉଁଠି କିଏ ଅତି ଭକ୍ତ ରାଜକର୍ମଚାରୀ ଏପରି କହିଥିବ; କିନ୍ତୁ ଏତେ ବଡ଼ ସାମ୍ରାଜ୍ୟର ମୂଳନୀତି କେବେ ଅସତ୍ୟ ହୋଇ ପାରେନା । ଯଦି ଏହା ଉପରେ ଏହି ବିପୁଳ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇଥାନ୍ତା, ତେବେ ଗୋଟାଏ ଦିନ ବି ସ୍ଥିର ହୋଇ ରହିପାରନ୍ତା ନାହିଁ । ସ୍ଵାଧିନତା ତ ତମେ ବହୁଦିନ ଧରି ହରେଇଛ, ଏ ଭିତରେ ରାଜଶକ୍ତି ପରିବର୍ତ୍ତନ ହୋଇଛି ମାତ୍ର-କିନ୍ତୁ ତମ ଭାଗ୍ୟର ତ ପରିବର୍ତ୍ତନ ହୋଇନି । ଖ୍ରୀଷ୍ଟାନ୍‍ବୋଲି ତମେ ମତେ ଓଲ୍‌ଟା ବୁଝନି ଭାଇ, କିନ୍ତୁ ନିଜର ସମସ୍ତ ଅପରାଧକୁ ବିଦେଶଙ୍କ ମୁଣ୍ଡରେ ଲଦିଦେବା ଯଦି ତମ ସ୍ଵଦେଶପ୍ରେମର ଆଦର୍ଶ ହୁଏ,ସେ ଆଦର୍ଶ ମୁଁ ତମଠାରୁ ଗ୍ରହଣ କରିପାରିବି ନାହିଁ । ଏତେ ବିଦ୍ଵେଷ ମନରେ ରଖି ତମେ ହୁଏତ ଇଂରେଜ ସାମ୍ରାଜ୍ୟର କ୍ଷତି କରିପାର; କିନ୍ତୁ ସେଥିରେ ଗ୍ରାମବାସୀଙ୍କର କିଛି କଲ୍ୟାଣ ହେବନାହିଁ ।

 

ଭାରତୀର ଉଚ୍ଛ୍ଵସିତ ତୀକ୍ଷ୍‌ଣ ସ୍ଵର ଡାକ୍ତରଙ୍କ କାନରେ ବାଜିଲା ଓ ସେ ଚମତ୍କୃତ ହୋଇଗଲେ । ଭାରତୀର ଏ ରୂପ ଅପରିଚିତ, ଏ ମନୋଭାବ ଅପ୍ରତ୍ୟାଶିତ । ତଥାପି ସେ ଧର୍ମବିଶ୍ଵାସ ଓ ସଭ୍ୟତାର ଘନିଷ୍ଠ ପ୍ରଭାବରେ ସେ ବାଲ୍ୟକାଳରୁ ମଣିଷ ହେଇଛି, ସେଇଠି ଆଘାତ ହେବାରୁ ସେ ଚଞ୍ଚଳ ଓ ଅସହିଷ୍ଣୁ ହୋଇ ଏ ନିର୍ଭୀକ ପ୍ରତିବାଦ କରିବସିଲା । ତାର ମତ ଯେତେ ପ୍ରତିକୂଳ ହେଲେ ବି ସବ୍ୟସାଚୀଙ୍କ ଆଖିରେ ତାହା ଏକ ନୂତନ ମର୍ଯ୍ୟାଦା ଲାଭକଲା ।

 

ତାଙ୍କୁ ନିରୁତ୍ତର ଦେଖି ଭାରତୀ କହିଲା–କିଛି କହୁନ ଯେ ଭାଇ ? ଏତେ ବଡ଼ ହିଂସାର ନିଆଁ ଛାତିଭିତରେ ରଖି ତମେ ଦେଶର ମଙ୍ଗଳ କରିପାରିବ ନାହିଁ ।

 

ଡାକ୍ତର କହିଲେ–ତମକୁ ତ ଅନେକ ଥର କହିଛି, ଯେଉଁମାନେ ଦେଶର ଭଲ କରିବେ, ସେମାନେ ଚାନ୍ଦା ଉଠାଇ ଅନାଥାଶ୍ରମ, ବ୍ରହ୍ମଚର୍ଯ୍ୟାଶ୍ରମ, ବେଦାନ୍ତଆଶ୍ରମ,ଦଶଦ୍ରଭଣ୍ଡାର ପ୍ରଭୃତି ନାନା ଜନହିତକର କାର୍ଯ୍ୟ କରୁଛନ୍ତି-ସେମାନେ ମହତ୍‌ବ୍ୟକ୍ତି, ମୁଁ ସେମାନଙ୍କୁ ଭକ୍ତିକରେ । ମୁଁ ତ ଦେଶର ମଙ୍ଗଳ କରିବାର ଦାୟିତ୍ଵ ନେଇନାହିଁ, ସ୍ଵାଧୀନ କରିବାର ଭାର ନେଇଛି । ମୋ ଛାତି ଭିତରର ନିଆଁ ଲିଭିବ ଦୁଇଟା ଜିନିଷରେ-ହୁଏତ ନିଜର ଚିତାଭସ୍ମରେ କିମ୍ବା ଯେଉଁଦିନ ଶୁଣିବି ଇଉରୋପ ସଭ୍ୟତା, ଧର୍ମ, ନୀତି ସମୁଦ୍ରରେ ବୁଡ଼ିଯାଇଛି ।

 

ଭାରତୀ ସ୍ତବ୍‌ଧ ହୋଇଗଲା । ଡାକ୍ତର କହିବାକୁ ଲାଗିଲେ-ଏଇ ବିଷାକ୍ତ ସଉଦା ନେଇ ଇଉରୋପ ଯେତେବେଳେ ସମୁଦ୍ରପାର ହୋଇ ପ୍ରଥମେ ବ୍ୟବସାୟ କରିବାକୁ ଆସିଥିଲା, ସେତେବେଲେ ଚିହ୍ନି, ପାରିଥିଲା କେବଳ ଜାପାନ । ତେଣୁ ଆଜି ତାର ଏ ସୌଭାଗ୍ୟ, ତେଣୁ ସେ ଦେଶ ଆଜି ଇଉରୋପ ସମ୍ଭ୍ରାନ୍ତ ବଂଧୁ; କିନ୍ତୁ ଚିହ୍ନି ପାରିଲାନି ଭାରତ, ଚିହ୍ନିଲାନି ଚୀନ୍‌ । ସେତେବେଳେ ସ୍ପେନ୍‌ର ପୃଥିବୀମୟ ରାଜ୍ୟ । କ୍ଷୁଦ୍ର ଜାପାନର ଜଣେ ଅଧିବାସୀ ସ୍ପେନ୍‌ର ନାବିକକୁ ପଚାରିଲା–ତମର ଏତେ ଶୂନ୍ୟ ରାଜ୍ୟ ହେଲା କେମିତ ? ନାବିକ କହିଲା–ଅତି ସହଜରେ । ଯେଉଁ ଦେଶକୁ ଆତ୍ମସାତ୍‌ କରିବାକୁ ଚାହିଁଲୁ, ସେଠିକି ପ୍ରଥମେ ନେଇଗଲୁ ମାଲ୍‌ । ହାତ ଗୋଡ଼ ଧରି ସେ ଦେଶର ରାଜାଙ୍କ ଠାରୁ ମାଗିନେଲୁ ଟିକିଏ ଜମି । ତା ପରେ ଆଣିଲୁ ମିଶନାରି । ସେମାନେ ଯେତେ ଲୋକଙ୍କୁ ଖ୍ରୀଷ୍ଟାନ୍‍ ନ କଲେ, ତାଠାରୁ ବେଶି ସେ ଦେଶର ଧର୍ମକୁ ଗାଳିଗୁଲଜ୍‌ କଲେ । ଲୋକେ ରାଗି ଉଠି ଜଣେ ଦୁଇଜଣଙ୍କୁ ଧରି ମାରିଦେଲେ । ତାପରେ ଆସିଲା ଆମର କମାଣ ବନ୍ଧୁକ, ଆମର ସୈନ୍ୟସାମନ୍ତ । ଆମର ସଭ୍ୟ ଦେଶର ମଣିଷମରା କଳ ଅସଭ୍ୟ ଦେଶଠାରୁ କେତେ ବଡ଼ ତା ଅଚିରେ ପ୍ରମାଣିତ ହେଲା । ଏକଥା ଶୁଣି ଜାପାନ କହିଲା–ପ୍ରଭୁ, ଆପଣମାନେ ତା ହେଲେ ଉଠନ୍ତୁ, ଆମର ବ୍ୟବସାୟ ଦରକାର ନାହିଁ । ଏହା କହି ସେମାନଙ୍କୁ ବିଦାୟ ଦେଇ ଦେଶରେ ଆଇନ୍‌ଜାରୀ କଲା ଯେ–ଯେତେଦିନ ପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟ ଉଦୟ ହେବେ, ଖ୍ରୀଷ୍ଟାନ୍‍ ଯେପରି ସେମାନଙ୍କ ଦେଶରେ ପାଦ ନ ଦିଏ, ଦେଲେ ପ୍ରାଣଦଣ୍ଡ ।

 

ଖ୍ରୀଷ୍ଟାନ୍‍ଧର୍ମ ଓ ଧର୍ମଯାଜକଙ୍କ ପ୍ରତି ଏ ମନ୍ତବ୍ୟରେ ଭାରତୀ ବିଷର୍ଣ୍ଣ ହୋଇ କହିଲା–ଏ କଥା ତମ ମୁହଁରୁ ମୁଁ ଆଗରୁ ଶୁଣିଛି; କିନ୍ତୁ ଯେଉଁ ଜାପାନୀମାନଙ୍କୁ ତମେ ଭକ୍ତିକର, ସେମାନେ କଣ-?

 

ଡାକ୍ତର କହିଲେ–ଭକ୍ତି କରେ ? ମିଥ୍ୟା କଥା । ସେମାନଙ୍କୁ ମୁଁ ଘୃଣାକରେ । କୋରିଆରେ ବାରମ୍ବାର ପ୍ରତିଶ୍ରୁତି ଓ ଅଭୟ ଦେଇ ମଧ୍ୟ ବିନାଦୋଷରେ ମିଥ୍ୟାକାରଣରେ ଜାପାନ ଯେତେବେଳେ ସେମାନଙ୍କ ରାଜାଙ୍କୁ ୧୯୧୦ ମସିହାରେ ବନ୍ଦୀ କରେ, ମୁଁ ସେତେବେଳେ ସାଂହାଇରେ । ସେ ଦିନର ସେ ଅମାନୁଷିକ ଅତ୍ୟାଚାର ଭୁଲି ହେବନି, ଭାରତୀ ! ଆଉ ପ୍ରତିଶ୍ରୁତି କଣ ଖାଲି ଜାପାନ ଦେଇଥିଲା ? ଇଉରୋପ ବି ଦେଇଥିଲା । ଶକ୍ତିମାନ୍‌ ଜାପାନ ବିରୁଦ୍ଧରେ ଇଂରେଜମାନେ କଥା କହିଲେନାହିଁ । କହିଲେ ଆମେ ଆଂଲୋ-ଜାପାନୀ ଚୁକ୍ତିସୂତ୍ରରେ ଆବଦ୍ଧ ଏବଂ ସେଇକଥା ଯୁକ୍ତରାଷ୍ଟ୍ର ଆମେରିକା ସଭାପତି ସ୍ପଷ୍ଟ ଭାଷାରେ କହିଲେ–ପ୍ରତିଶ୍ରୁତିର ମୂଲ୍ୟ କଣ-? ଯେଉଁ ଅକ୍ଷମ ଶକ୍ତିହୀନ ରାଜ୍ୟ ଆତ୍ମରକ୍ଷା କରି ନ ପାରେ, ସେମାନଙ୍କ ରାଜ୍ୟ ଯିବନି ତ ଯିବ କାହାର ? ଏହା କହି ମୁହୂର୍ତ୍ତେ ଅପେକ୍ଷା କରି ଡାକ୍ତର କହିଲେ–ମୁଁ ବି କହିବି ଭାରତୀ, ଅସମ୍ଭବ; କାରଣ ପ୍ରବଳ କାହିଁକକି ଦୁର୍ବଳର ସମ୍ପଦ ଛଡ଼େଇ ନ ନେବ, ଏକଥା ସଭ୍ୟ ଇଉରୋପର ନୈତକ ବୁଦ୍ଧିରେ କଳ୍ପନା କରିଯାଇ ପାରେନା ।

 

ଭାରତୀ ନିର୍ବାକ୍‌ହୋଇ ରହଲା । ଡାକ୍ତର କହିବାକୁ ଲାଗିଲେ-ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଲଡ଼ ମ୍ୟାକାଟର୍ଣ୍ଣ ଗଲେ ଚୀନ ଦରବାରରେ କିଞ୍ଚିତ୍‌ ବ୍ୟବସାୟର ସୁବିଧା ପାଇଁ । ମାଞ୍ଚୁରାଜା ଶିନ୍‌ଲଂ ଅତି ଦୟାଳୁ-ସେ ସମଗ୍ର ଚୀନ୍‌ର ସମ୍ରାଟ୍‌ । ଦୂତର ବିନୀତ ଆବେଦନରେ ଖୁସିହୋଇ କହିଲେ–ଦେଖ ବାବା, ଆମର ସ୍ଵର୍ଗୀୟ ସାମ୍ରାଜ୍ୟରେ କିଛି ଅଭାବ ନାହିଁ । ତମେ ଅନେକ ଦୂରରୁ ଆସିଛ । ଆଚ୍ଛା, କ୍ୟାଣ୍ଟନ୍‌ ସହରରେ ବ୍ୟବସାୟ କର । ଭଲ ହେବ ନିଶ୍ଚୟ । ରାଜଆଶୀର୍ବାଦ ନିଷ୍ଫଳ ହେଇନାହିଁ । ଭଲ ହେଲା ସେମାନଙ୍କର । ପଚାଶ ବର୍ଷ ନ ପୁରୁଣୁ ଚୀନ ସହ ଇଂରେଜମାନଙ୍କର ଯୁଦ୍ଧ ହେଲା ।

 

ଭାରତୀ ବିସ୍ମିତ ହୋଇ ପଚାରିଲା–କାହିଁକି ଭାଇ ?

 

ଡାକ୍ତର କହିଲେ–ଚୀନ୍‌ର ଅନ୍ୟାୟ । ହଠାତ୍‌ ଦିନେ କହିବସିଲା-ଅଫିମ ଖାଇ ଖାଇ ଆଖିକାନ ଫିଟୁନି; ବୁଦ୍ଧିଶୁଦ୍ଧି ଲୋପ ପାଇଲାଣି । ଦୟାକରି ସେ ଜିନିଷର ଆମଦାନୀ ବନ୍ଦକର ।

 

ତା ପରେ ?

 

ତା ପରେ ତ ଇତିହାସ ଖୁବ୍ ଛୋଟ । ଦୁଇବର୍ଷ ପରେ ପୁଣି ଅଫିମ ଖାଇବାକୁ ରାଜିହୋଇ, ଆଉ ପାଞ୍ଚଟା ବନ୍ଦରରେ ବାର୍ଷିକ ପାଞ୍ଚଟଙ୍କା ମାତ୍ର ଶୂଳକରେ ବାଣିଜ୍ୟପାଇଁ ବାଣିଜ୍ୟପାଇଁ ମଞ୍ଜୁରୀ ପରୱାନା ଦେଇ ଏବଂ ସର୍ବଶେଷରେ ହଙ୍ଗକଙ୍ଗ୍‌ ଦକ୍ଷିଣା ଦେଇ ବୟାଳିଶି ମସିହାରେ ଯଜ୍ଞ ସମାପ୍ତ ହେଲା । ଠିକ୍‌ ହୋଇଛି-ଏତେ ଶସ୍ତାରେ ଅଫିମ ଖାଇବାକୁ ଯେଉଁ ମୂର୍ଖ ଆପତ୍ତି କରେ, ତାର ଏପରି ଦଣ୍ଡ ହେବା ଉଚିତ ।

 

ଭାରତୀ କହିଲେ–ଏ ଖାଲି ଗଳ୍ପ ।

 

ଡାକ୍ତର କହିଲେ–ଶୁଣିବାକୁ ମଜା ଲଗୁଛି ନା ନାହିଁ ? ଏ ହାଲ ଦେଖି ଫ୍ରାନ୍ସର ଫରାସୀ ସରକାର କହିଲେ, ଆମର ତ ଅଫିମ ନାହିଁ, ଭଲ ମଣିଷମରା ଯନ୍ତ୍ର ଅଛି, ଅତଏବ ଯୁଦ୍ଧ ଦେହି । ଯୁଦ୍ଧ ହେଲା-ଫରାସୀମାନେ ଚୀନ୍‌ ସାମ୍ରାଜ୍ୟର ଆନାମ୍ ପ୍ରଦେଶଟା ଛଡ଼େଇ ନେଲେ । ତାଛଡ଼ା ଯୁଦ୍ଧର ଖର୍ଚ୍ଚ, ଅଧିକତର ବାଣିଜ୍ୟ ସୁବିଧା, ଟ୍ରିଟିପୋର୍ଟ ଇତ୍ୟାଦି ତୁଚ୍ଛ କଥା । ଆଉ–

 

ଭାରତୀ କହିଲା–ଭାଇ, ତାଳି କଣ ଗୋଟାଏ ହାତରେ ବାଜେ ? ଚୀନର କଣ କିଛି ଅନ୍ୟାୟ ନାହିଁ ?

 

ଡାକ୍ତର କହିଲେ–ଥାଇପାରେ, କିନ୍ତୁ ଇଉରୋପୀୟ ସଭ୍ୟତାର ଅନ୍ୟାୟବୋଧ କେବଳ ଅନ୍ୟର ଘର ଚଢ଼ାଉ କରି-ନିଜ ଦେଶ ଭିତରେ ଘଟିବାର ଦେଖାଯାଏନାହିଁ ।

 

ତା’ ପରେ ?

 

କହୁଛି । ଜର୍ମ୍ମାନମାନେ ଦେଖିଲେ ବେଶ୍‌ମଜା କଥା, ଆମେ ତ ଫାଙ୍କ୍‌ ରହିଗଲୁ । ସେମାନେ ହଜାରେ ମିଶନାରି ଆଣି ଛାଡ଼ିଦେଲେ । ସତାନବେ ମସିହାରେ ସେମାନେ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କର ମହିମା ଓ ଶାନ୍ତି ପ୍ରଚାରରେ ବ୍ୟାପୃକ୍ତ, ସେତେବେଳେ ଦଳେ’ ଚୀନାଲୋକ ସେଥିରୁ ଦୁଇଜଣଙ୍କର ମୁଣ୍ଡ କାଟିଦେଲେ । ଅନ୍ୟାୟ, ଚୀନ୍‌ର ଅନ୍ୟାୟ । ଅତଏବ ଶ୍ୟାନ୍‌ଟଙ୍ଗ୍‌ ପ୍ରଦେଶଟା ଜର୍ମ୍ମାନଙ୍କ ଉଦରରେ ପ୍ରବେଶ କଲା । ତା’ପରେ ବକ୍‌ସାର ବିଦ୍ରୋହ । ଇଉରୋପ ସଭ୍ୟତା ଏକଜୁଟ୍‌ ହୋଇ ତାର ଯେ ପ୍ରତିଶୋଧ ନେଲା, ଇତିହାସରେ ତାର ପଟାନ୍ତର ନାହିଁ । ତାର ଅପରିମେୟ ଖେସାରତ କେତେକାଳରେ ଯେ ଚୀନ୍‌ଶୁଝିବ, ତା ପ୍ରଭୁ ଯୀଶୁଖ୍ରୀଷ୍ଟ ଜାଣନ୍ତି କେବଳ । ଏ ଭିତରେ ବ୍ରିଟିଶ୍‌ ସିଂହ, ଜାରଙ୍କ ଭଲ୍ଲୁକ, ଜାପାନର ସୂର୍ଯ୍ୟଦେବ-ନା ଭଉଣୀ, ଚୀନ୍‌ର ଦୁଃଖ ତୁଳନାରେ କେବଳ ଭାରତ ଛଡ଼ା ବୋଧହୁଏ ଆଉ କେହି ସଙ୍ଗୀ ନାହିଁ । ସମ୍ରାଟ୍‌ ଶିନ୍‌ଲୁଂଙ୍କର ନିର୍ବାଣ ହେଉ, ତାଙ୍କ ଆଶୀର୍ବାଦର ଜୋର୍‌ଅଛି ।

 

ଭରତୀ ଗୋଟାଏ ଦୀର୍ଘଶ୍ଵାସ ପକାଇଲା" କେବଳ ।

 

ଡାକ୍ତର କହିଲେ–ଭାରତୀ !

 

କଣ ଭାଇ ?

 

ଚୁପ୍‌ଚାପ ରହିଗଲ ଯେ ?

 

ତମ କଥାଟା ଭାବୁଛି । ଏଇଥିପାଇଁ କଣ ତମେ ଚୀନ୍‌ଦେଶରେ ତମ କାର୍ଯ୍ୟକ୍ଷେତ୍ର ବାଛି ନେଇଛ ? ଯେଉଁମାନେ ଶତ ଅତ୍ୟାଚାରରେ ଜର୍ଜରିତ, ସେମାନଙ୍କୁ ଉତ୍ତେଜିତ କରିବା କଠିନ ନୁହେଁ, ଏଇ କଣ ତମର ଧାରଣା ? ଏସବୁ ନରୀହ ଚଷାଭୂଷାଙ୍କର ଦୁଃଖ ଯଥେଷ୍ଟ । ସେମାନଙ୍କୁ ପୁଣି ହଣାକଟାରେ ପୂରେଇଲେ ତାଙ୍କ ଦୁଃଖର ସୀମା ରହିବନାହିଁ ।

 

ଡାକ୍ତର କହିଲେ–ନିରୀହ ଚଷାଭୂଷାଙ୍କ ପାଇଁ ତମର ଦୁଶ୍ଚିନ୍ତାର କାରଣ ନାହିଁ ଭାରତୀ । କୌଣସି ଦେଶରେ ସେମାନେ ସ୍ଵାଧୀନତା ପାଇଁ ଯୋଗ ଦେଇପାରନ୍ତି ନାହିଁ, ବରଂ ବାଧା ଦିଅନ୍ତି । ମୋର କାମ ଶିକ୍ଷିତ ମଧବିତ୍ତମାନଙ୍କୁ ନେଇ କୌଣସିଦିନ ଯଦି ମୋ କାମରେ ଯୋଗଦେବାକୁ ଚାହଁ ଭାରତୀ, ଏ କଥାଟା ଭୁଲିବନି । ଆଇଡ଼ିଆ ପାଇଁ ଶାନ୍ତିପ୍ରିୟ, ନିର୍ବିରୋଧ, ନିରୀହ କୃଷକ ପ୍ରାଣଦେଇ ପାରେନା । ସେମାନେ ସ୍ଵାଧୀନତା ଚାହାନ୍ତି ନାହିଁ, ଚାହାନ୍ତି ଶାନ୍ତି । ସେ ଶାନ୍ତି ଅକ୍ଷମ, ଅଶକ୍ତିର ଶାନ୍ତି-ପଙ୍ଗୁର ଜଡ଼ତ୍ଵ ସେମାନଙ୍କର ଢେର ବେଶି କାମ୍ୟ ।

 

ଭାରତୀ ବ୍ୟାକୁଳ ହୋଇ କହିଲେ–ମୁଁ ତ ସେଇଆ ଚାହେଁ ଭାଇ, ମତେ ବରଂ ତମେ ଏଇ ଜଡ଼ କାର୍ଯ୍ୟରେ ନିଯୁକ୍ତ କର । ତମ ଅନୁଷ୍ଠାନର ଷଡ଼ଯନ୍ତ୍ରର ବାଷ୍ପରେ ମୋର ଶ୍ଵାସରୁଦ୍ଧ ହୋଇଯାଉଛି ।

 

ଡାକ୍ତର ସାମାନ୍ୟ ହସି କହିଲେ–ଆଚ୍ଛା ହେଉ । ଆମେ ବର୍ତ୍ତମାନ ଆସିଗଲେଣି । ତା’ପରେ ସେ କୌଶଳକ୍ରମେ ନାଆକୁ ନେଇ କୂଳରେ ଲଗାଇଲେ । ଭାରତୀକୁ ଧରିବାପାଇଁ ହାତ ବଢ଼ାଇ କହିଲେ–କାଦୁଅ ନାହିଁ ଭାରତୀ, କାଠ ପଡ଼ିଛି ଧୀରେ ପାଦଦେଇ ଆସ ।

 

ଉଭୟେ ଅନ୍ଧାରରେ କିଛି ବାଟ ଆଗେଇଲା ପରେ ଡାକ୍ତର ବିସ୍ମିତ ହୋଇ କହିଲେ–ଏ କି ବିଭାଘର ? ଆଲୁଅ ନାହିଁ, କୋଳାହଳ ଶୁଣାଯାଉନି–ଏମାନେ ସବୁ କୁଆଡ଼େ ଚାଲିଯାଇଛନ୍ତି କି-?

 

ଆଉ କିଛବାଟ ପରେ ଆଖିରେ ପଡ଼ିଲା ଶିଡ଼ିରେ ବନ୍ଧା ସେଇ କାଗଜ ଲଣ୍ଠନ । ଭାରତୀ ଆଶ୍ଵସ୍ତ ହୋଇ କହିଲା–ହେଇଟି ଆଲୁଅ ଜଳୁଛି ।

 

ଦୁଇଜଣ ଶିଡ଼ିରେ ଉଠି ଆସି ଘରେ ପହଞ୍ଚିଲେ । ଦେଖିଲେ, ଶଶୀ ମନୋଯୋଗ ସହ କଣ ଗୋଟାଏ କାଗଜ ପଢ଼ୁଛି । ଭାରତୀ ଆନନ୍ଦିତ ହୋଇ କହିଲା–ଶଶୀବାବୁ, ଆମେ ଆସିଲୁଣି । ଖାଇବା ପିଇବା ବ୍ୟବସ୍ଥା କରନ୍ତୁ । ନବତାରା କାହିଁ ? ନବତାରା ! ନବତାରା !

 

ଶଶୀ ମୁହଁଟେକି କହିଲା–ଆସନ୍ତୁ, ନବତାରା ଏଠି ନାହାନ୍ତି ।

 

ଡାକ୍ତର ବିସ୍ମିତ ହୋଇ କହିଲେ–ଗୃହିଣୀଶୂନ୍ୟ ଗୃହ କିଭଳି କବି ? ତାଙ୍କୁ ଡାକ, ଆମକୁ ଆଦର ଅଭ୍ୟର୍ଥନା କରିବେ, ନହେଲେ ଠିଆହୋଇ ରହିବୁ ।

 

ଶଶୀ ବିଷର୍ଣ୍ଣ ଭାବେ କହିଲା–ନବତାରା ଏଠି ନାହାନ୍ତି, ଡାକ୍ତର : ସେମାନେ ସବୁ ବୁଲି ଯାଇଛନ୍ତି ।

 

ଭାରତୀ ତା ମୁହଁକୁ ଚାହିଁ କହିଲା–କେଉଁଠିକୁ ବୁଲିଗଲେ ଆଜିପରା ଦିନରେ ? କି ଚମତ୍କାର ବିଚାର !

 

ଶଶୀ କହିଲା–ସେମାନେ ବିବାହ ପରେ ରେଙ୍ଗୁନ୍‌ ଯାଇଛନ୍ତି । ନା, ମୋ ସଙ୍ଗେ ନୁହେଁ, ସେଇ ଯେ ଆହମଦ-ଗୋରା-ଦେଖିବାକୁ ସୁନ୍ଦର ଚେହେରା-କୁଟ୍‌ସାହେବର ଟାଇମ୍‌କିପର୍‌-ଦେଖିଛନ୍ତି ତ ? ଆଜି ଦି’ପହର ବେଳେ ନବତାରା ସହ ତାର ବିବାହ ହେଲା । ସବୁ ତାଙ୍କର ଠିକ୍‌ଥିଲା, ମତେ କିଛି କହିନଥିଲେ ।

 

ଆଗନ୍ତୁକ ଦୁଇଜଣ ବିସ୍ଫାରିତ ଦୃଷ୍ଟି ରେ ଚାହିଁରହିଲେ । ଡାକ୍ତର କହିଲେ–କଣ ତମେ କହୁଛ, ଶଶୀ !

 

ଶଶୀ ଘର ଭିତରୁ ଗୋଟାଏ କନାର ଥଳି ଆଣି ଡାକ୍ତରଙ୍କ ପାଦତଳେ ଅଜାଡ଼ି ଦେଇ କହିଲା–ଟଙ୍କା ପାଇଛି ଡାକ୍ତର ! ନବତାରାଙ୍କୁ ପାଞ୍ଚହଜାର ଦେବି କହିଥିଲି, ଦେଇଛି । ବାକୀ ସାଢ଼େ ଚାରିହଜାର ଅଛି-ମୁଁ ମୋ ପାଖେ ପଚାଶଟି ଟଙ୍କା ରଖିଲି ।

 

ଡାକ୍ତର କହିଲେ–ଟଙ୍କା କଣ ମତେ ଦେଉଛ ?

 

ଶଶୀ କହିଲା–ହଁ । ମୋର କଣ ହେବ ? ଆପଣ ନିଅନ୍ତୁ, କାମରେ ଲାଗିବ ।

 

ଭାରତୀ କହିଲା–ତାକୁ କେତେବେଳେ ଟଙ୍କା ଦେଲେ ?

 

ଶଶୀ କହିଲା–କାଲି ଟଙ୍କା ପାଇଲାମାତ୍ରେ ଦେଇଆସିଲି ।

 

ନେଲା ?

 

ଶଶୀ କହିଲା–ହଁ, ଆହମଦ ତ ମୋଟେ ତିରିଶଟି ଟଙ୍କା ଦରମା ପାଏ । ସେମାନେ ଗୋଟାଏ ଘର କିଣିବେ ।

 

ନିଶ୍ଚୟ କିଣିବେ–ଏହା କହି ଡାକ୍ତର ହସି ହସି ଭାରତୀକୁ ଚାହିଁଲେ । ଭାରତୀ ପଣନ୍ତ କାନିରେ ଆଖି ପୋଛୁ ପୋଛୁ ବାରଣ୍ଡାକୁ ଚାଲିଗଲା ।

 

ଶଶୀ କହିଲା–ପ୍ରେସିଡ଼େଣ୍ଟ୍‌ ଆପଣଙ୍କୁ ଥରେ ଦେଖା କରିବାକୁ କହିଛନ୍ତି । ସେ ସୁରବାୟା ଚାଲି ଯାଉଛନ୍ତି ।

 

ଡାକ୍ତର ବିସ୍ମୟ ପ୍ରକାଶ ନ କରି କହିଲେ–କେବେ ଯିବେ ?

 

ଶଶୀ କହିଲା–କହିଲେ ଖୁବ୍‌ଶୀଘ୍ର । ତାଙ୍କୁ ନେବାକୁ ଲୋକ ଆସିଛି ।

 

ଏ କଥା ଭାରତୀ କାନରେ ପଡ଼ିଲା ସେ ପଚାରିଲା–ସୁମିତ୍ରାଦି’ କଣ ସତରେ ଚାଲିଯାଉଛନ୍ତି, ଶଶୀବାବୁ ?

 

ଶଶୀ କହିଲା–ହଁ । ତାଙ୍କ ମା’ଙ୍କ କକାଙ୍କର ଅଗାଧ ସମ୍ପତ୍ତି । ସେ ନିକଟରେ ମରିଗଲେ-। ତାଙ୍କଛଡ଼ା ଉତ୍ତରଧିକାରୀ କେହି ନାହିଁ । ସେ ନଗଲେ ଚଳିବନି ।

 

ଡାକ୍ତର କହିଲେ–ଚଳିବନି ଯେତେବେଳେ ଯିବେନି କେମିତି ?

 

ଶଶୀ ଭାରତୀକୁ ଚାହିଁ କହିଲା–ଖାଇବା ଜିନିଷ ପ୍ରଚୁର ଅଛି, କିଛି ଖାଇବେନି ?

 

ଭାରତୀ କିଛି କହିବା ପୂର୍ବରୁ ଡାକ୍ତର କହିଲେ–ନିଶ୍ଚୟ, ନିଶ୍ଚୟ, ଚାଲ ଦେଖିବା କଣ ରଖିଛ । ଏହା କହି ସେ ଶଶୀର ହାତଧରି ଘର ଭିତରକୁ ଟାଣିନେଲେ ।

 

ଯାଉ ଯାଉ ଶଶୀ କହିଲା–ଆଉ ଗୋଟାଏ ଖବର ଅଛି । ଅପୂର୍ବବାବୁ ଫେରି ଆସିଛନ୍ତି-

 

ଡାକ୍ତର ବିସ୍ମିତ ହୋଇ କହିଲେ–କିଏ ତମକୁ କହିଲା ?

 

Unknown

ଚବିଶ

 

ଶଶୀର କଥାରେ ଅତିଶୟୋକ୍ତି ନାହିଁ । ଦେଖାଗଲା, ଘରର ଦକ୍ଷିଣ ଦିଗରେ ପ୍ରଚୁର ଖାଦ୍ୟସାମଗ୍ରୀ ରଖାଯାଇଛି । ଛୋଟ ବଡ଼ ଡେକ୍‌ଚି, ପ୍ଲେଟ, କାଗଜ ଠୁଙ୍ଗା, ମାଟିଗ୍ଲାସରେ ପୂର୍ଣ୍ଣକରି ନାନାବିଧ ଆହାର୍ଯ୍ୟ ଦ୍ରବ୍ୟ ହୋଟେଲ୍‌ବାଲା ରଖିଦେଇ ଯାଇଛି; କେବଳ ସେ ଗୁଡ଼ିକ ବ୍ୟବହାର କରିବା ପାଇଁ ଲୋକର ଅଭାବ । ଡାକ୍ତର କିଛି ସମୟ ଚାହିଁରହି ଖୁସିରେ କହିଲେ–ତୋଫା ! ତୋଫା ! ଚମତ୍କାର ! ଶଶୀ କେଡ଼େ ବୁଦ୍ଧିମାନ, ଦେଖିଲ ଭାରତୀ ! କିଏ କଣ ଖାଇବ ଭାବିଚିନ୍ତି ରଖିଛି ।

 

ଭାରତୀ ମୁହଁ ବୁଲଇ ନେଲା ଓ ଶଶୀ ହସିବାର ଦୁର୍ବଳ ଚେଷ୍ଟାକଲା ମାତ୍ର । କୌଣସି ଆଡୁ, ସନ୍ତୋଷଜନକ ଉତ୍ତର ନ ପାଇ ଡାକ୍ତର ଅଟ୍ଟହାସ୍ୟ କରି ଉଠିଲେ-ହାଃ, ହାଃ ହାଃ-ଗୃହସ୍ଥର ଜୟହେଉ-ଶଶୀ ! କବି ! ହାଃ, ହାଃ !

 

ଭାରତୀ ଆଉ ସହିପାରିଲା ନାହିଁ । ମୁହଁ ଫେରାଇ କହିଲା–ତମ ମନରେ କଣ ସାମାନ୍ୟ ଦୟା ମାୟା ନାହିଁ, ଭାଇ ? କଣ କରୁଛ କହ ତ !

 

ହାଃ, ଯାହା ଦୟାରୁ ଆଜି ଏତେ ଭଲ ଭଲ ଜିନିଷ ପେଟ ପୂରାଇ ଖାଇବି, ତାକୁ ଟିକିଏ ଆଶୀର୍ବାଦ-ହାଃ, ହାଃ ! ଭାରତୀ ରାଗି ବାରଣ୍ଡାକୁ ଚାଲିଗଲା । ତା’ପରେ ଶଶୀ ତାକୁ ଯାଇ ଡାକି ଆଣିବାରୁ ସେ ପ୍ଲେଟରେ ପଲାଉ, ମାଂସ, ଫଳମୂଳ ଓ ମିଠା ସଜାଇ ଡାକ୍ତରଙ୍କ ଆଗରେ ଆଣି ରଖିଲା । ତା’ ପରେ କୃତ୍ରିମକ୍ରୋଧରେ କହିଲା–ନିଅ, ଦୁଇ ହାତରେ ଗିଳି ପକାଅ । ହସ ବନ୍ଦ ହେଉ, ସାହି ଲୋକଙ୍କର ନିଦ ଭାଙ୍ଗି ଯିବ ନ ହେଲେ ।

 

ଡାକ୍ତର ନିଃଶ୍ୱାସ ପକାଇ କହିଲେ–ଆଃ, ଉପାଦେୟ ଖାଦ୍ୟ । ଏହାର ସ୍ଵାଦ ଗନ୍ଧ ପର୍ଯ୍ୟନ୍ତ ଭୁଲିଗଲିଣି ।

 

ଭାରତୀର ସେଦିନ ରାତିର ଶୁଖିଲା ଭାତ ଓ ମାଛପୋଡ଼ା କଥା ମନେପଡ଼ିଲା ।

 

ଡାକ୍ତର କହିଲେ–ଶଶୀକୁ ଦେଲନି ଭାରତୀ !

 

‘ହଁ ଦେଉଛି’ କହି ଭାରତୀ ଶଶୀ ପାଖରେ ପ୍ଲେଟ୍‌ ସଜାଇ ଆଣି ଥୋଇଲା । ତା’ପରେ ଡାକ୍ତରଙ୍କ ପାଖେ ବସି କହିଲା–ସବୁ ଖାଇବାକୁ ହେବ ଭାଇ, କିଛି ଛାଡ଼ିବ ନାହିଁ ।

 

ନା, ନା, ଛାଡ଼ିବି କାହଁକି ? ତମେ ଖାଇବନି ?

 

ମୁଁ ଖାଇବି ? କୌଣସି ସ୍ତ୍ରୀଲୋକ ଏ ଖାଦ୍ୟ ଖାଇ ପାରିବ ?

 

କିନ୍ତୁ ଅମୃତ ପରି ରାନ୍ଧିଛି ।

 

ଭାରତୀ କହିଲା–ୟା’ଠୁ ଶତଗୁଣରେ ଭଲ ରାନ୍ଧି ମୁଁ ତମକୁ ନିତି ଖାଇବାକୁ ଦେଇପାରେ ଭାଇ !

 

ଡାକ୍ତର ବାଁ ହାତଟା କପାଳରେ ମାରି କହିଲେ–କଣ କରିବି ଭଉଣି ! ଅଦୃଷ୍ଟ ! ଯାହାକୁ ଖୁଆଇବାର କଥା ସେ ଖାଇବନି, ଯେ ଖାଇବ ତାକୁ ଓଳିଏ ଖୁଆଇଲେ ବି ସେ ସାଇ ସାଇ ବୁଲି ତମ ସୁଖ୍ୟାତି ଗାଇବ । ଭଗବାନର ଏଇଭଳି ବିଚାର ! ନା, କଣ କହୁଛ କବି ! ହାଃ, ହାଃ !

 

ଏଥର ଭାରତୀ ନିଜେ ହସି ପକାଇଲା । ତା ପରେ କହିଲା–ତମର ଏ ସବୁ କଥାରେ ନ ହସି ରହି ହେବନି । ତା ପରେ ପେଟପୁରା ଖାଇସାରି, ଟଙ୍କାଥଳିଟି ଧରି ଚାଲିଯିବ ନା କଣ ?

 

ଡାକ୍ତର କହିଲେ–ନିଶ୍ଚୟ, ନିଶ୍ଚୟ । ଅଧେତ ଯାଇଛି ନବତାରାର ଘର ପାଇଁ, ଆଉ ଅଧେ କଣ ଛାଡ଼ିଯିବି ଆହମ୍ମଦର ଗାଡ଼ି କିଣିବାକୁ ? ନା କଣ କହୁଛ ଶଶି ! ହାଃ, ହାଃ !

 

ଭରତୀ କହିଲା–ଭାଇ, ତମର ଥଟ୍ଟା ତାମସା ଆଗରୁ ଦେଖିଛି, ହେଲେ ଏମିତି ପାଗଳ ଭଳି ହସିବାର କେବେ ଦେଖିନି ।

 

ଡାକ୍ତର କଣ କହିବାକୁ ଯାଉଥିଲେ, ଭାରତୀ କହିଲା–ସ୍ତ୍ରୀ ପୁରୁଷଙ୍କ ଭଲ ପାଇବା କଣ ତମ ପରି ସମସ୍ତଙ୍କର ଉପହାସର ବସ୍ତୁ ? ସ୍ଵାଧୀନତା ଓ ପରଧୀନତା ଛଡ଼ା ମଣିଷର କଣ ଦୁଃଖ ପାଇବା ପାଇଁ ଦୁନିଆଁରେ କିଛି ଥାଇପାରନା ? ଥରେ ଶଶୀବାବୁଙ୍କ ମୁହଁକୁ ଚାହଁ ତ-ଗୋଟାଏ ଓଳିରେ ସେ କଣ ହେଇଗଲେଣି । ଅପୂର୍ବବାବୁ ଯେଉଁଦିନ ଗଲେ, ସେ ଦିନ ବୋଧହୁଏ ମତେ ଲକ୍ଷ୍ୟକରି ତମେ ଏମିତି ହସିଥିବ ।

 

ନା, ନା, ସେ ହେଲା–

 

ଭାରତୀ ବାଧାଦେଇ କହିଲେ–ନା, ନା, କହୁଛ କାହିଁକି ? ଶଶୀବାବୁ ତମର ସ୍ନେହର ପାତ୍ର-ତମେ ଖୁସି ହେଇଛ ଯେ ନିର୍ବୋଧଟାକୁ ଫାନ୍ଦରେ ପକାଇ ନବତାରା ଅନେକ କଷ୍ଟ ଦେଇଥାନ୍ତା । ଭବିଷ୍ୟତର ସେଇ ଦୁଃଖରୁ ସେ ରକ୍ଷା ପାଇଗଲା । ତମେ ଆଉ ସେକଥା କିଭଳି ଜାଣିବ, ତମେ ତ କେବେ କାହାକୁ ଭଲ ପାଇନ !

 

ଶଶୀ ଅତିଶୟ ଅପ୍ରତିଭ ହୋଇ କହିବାକୁ ଲାଗିଲା ଯେ,ଏଇଟା ପ୍ରକୃତରେ ତା ନିଜର ଦୋଷ । ତାର ସାଂସାରିକ ସାଧାରଣ ବୃଦ୍ଧି ନ ଥିବାରୁ–

 

ଭାରତୀ ବ୍ୟଗ୍ର ହୋଇ କହିଉଠିଲା–ଲଜ୍ଜା କାହିଁକି ଶଶୀବାବୁ ! ଏ ଭୁଲ କଣ ସଂସାରରେ ଏକା ଆପଣ କରିଛନ୍ତି ? ଆପଣଙ୍କରଠାରୁ ଶହେ ଗୁଣ ଭୁଲ ତ ମୁଁ କରିଛି । ତାଠାରୁ ସହସ୍ର ଗୁଣ ଭୁଲ କରି ଯେ ଅଭାଗିନୀ ଆଜି ନିଃଶବ୍ଦରେ ଏ ଦେଶ ଛାଡ଼ିଯିବା ପାଇଁ ପ୍ରସ୍ତୁତ, ତାକୁ କଣ ଡାକ୍ତର ଜାଣନ୍ତି ନାହିଁ ? ନବତାରା ଠକିଛି ? ଠକୁ-ତେବେ ବି ଏଇ ବଞ୍ଚନାର ଗୀତ ଗାଇ ପୃଥବୀର ଅର୍ଦ୍ଧେକ କାବ୍ୟ ଅମର ।

 

ଡାକ୍ତର ବିସ୍ମିତ ହୋଇ ତା ଆଡ଼କୁ ଚାହିଁରହିଲେ; କିନ୍ତୁ ଭାରତୀ ଗ୍ରାହ୍ୟ ନକରି କହିଲା–ଶଶୀ ବାବୁ, ଆପଣଙ୍କର ହୁଏତ ସାଂସାରିକ ବୁଦ୍ଧି କମ୍‌; କିନ୍ତୁ ମୋର ତ ଯଥେଷ୍ଟ ଥିଲା ? ସୁମିତ୍ରାଦି’ଙ୍କର ବୁଦ୍ଧିର ତ ତୁଳନା ନାହିଁ, ଅଥଚ କିଛି କାମରେ ଲାଗିଲାନାହିଁ । ଏ କେବଳ ପରାଭୂତ ହେଲା, ତମ ବୁଦ୍ଧି ପାଖରେ ଭାଇ ! ଯେ ଚିରଦିନ ଅଜେୟ, ଯାର ପଥ କେହି କେବେ ବନ୍ଦ କରିପାରିନି, ସେ ବି ତମ ପାଖରେ ପାରିଲାନାହିଁ–ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା ।

 

ଡାକ୍ତର ଏ ଅଭିଯୋଗର ଉତ୍ତର ଦେଲେନାହିଁ–ସାମାନ୍ୟ ହସିଲେ ମାତ୍ର । ଭାରତୀ କହିଲା–ଶଶୀବାବୁ, ମୁଁ ଆପଣଙ୍କ ପ୍ରତି ଭୀଷଣ ଅନ୍ୟାୟ କରିଛି, ଆଜି ସେଥିପାଇଁ କ୍ଷମା ଚାହେଁ ।

 

ଶଶୀ ବୁଝିପାରିଲା ନାହିଁ, ଖାଲି ଚାହିଁ ରହିଲା । ଭାରତୀ କହିଲା–ଦିନେ ଭାଇଙ୍କୁ କହିଥିଲି, କୌଣସି ସ୍ତ୍ରୀ ଲୋକ ଆପଣଙ୍କୁ ଭଲ ପାଇପାରେନା । ସେଦିନ ମୁଁ ଆପଣଙ୍କୁ ଚିହ୍ନି ନ ଥିଲି । ଆଜି ମନେହେଉଛି-ଅପୂର୍ବ ବାବୁଙ୍କୁ ଯେ ଭଲପାଇଛି ସେ ଆପଣଙ୍କୁ ପାଇଥିଲେ ଧନ୍ୟ ହୋଇଥାନ୍ତା । ସମସ୍ତେ ଆପଣଙ୍କୁ ଉପେକ୍ଷା କରିଛନ୍ତି-କେବଳ ଏଇ ଡାକ୍ତରଙ୍କ ଛଡ଼ା ।

 

ଡାକ୍ତର ମୁହଁପୋତି ଖଣ୍ଡେ ମାଂସ ହାଡ଼ରୁ ଛଡ଼ାଇ ଖାଇବାର ଚେଷ୍ଟା କରୁଥିଲେ । ଭାରତୀ ତାଙ୍କୁ ସମ୍ବୋଧନ କରି କହିଲେ–ଭାଇ, ମଣିଷ ଚିହ୍ନିବାରେ ତମର କେବେ ଭୁଲ୍‌ ହୁଏନା । ସେଥିପାଇଁ ସେଦିନ ଦୁଃଖ କରି କହିଲ-ଶଶୀ ଯଦି ଆଉ କାହାକୁ ଭଲ ପାଇଥାନ୍ତା । କିନ୍ତୁ ଦିନେ ବି ତମେ ମତେ ଚେତାଇ ଦେଇନ-ଭାରତୀ, ଏଭଳି କାମ ତୁ କରନା ।

 

ଡାକ୍ତର ମାଂସ ଖଣ୍ଡ ଖାଉ ଖାଉ ପଚାରିଲେ-ଅପୂର୍ବ କଣ କହିଲା, ଶଶୀ ?

 

ଶଶୀ କଥା ନ କହୁଣୁ ଭାରତୀ କହିଲା–ମା’ ପୀଡ଼ିତ, ଚିକିତ୍ସା ପ୍ରୟୋଜନ | ଅତଏବ ଟଙ୍କା ଦରକାର । ଫେରି ଆସି ଲୁଚି ଲୁଚି ଗୋଲାମି କଲେ କେହି ଜାଣି ପାଇବେନି । ଭୟ ତଲ୍‌ଓ୍ୱାରକାର୍‌କୁ, ବ୍ରଜେନ୍ଦ୍ରକୁ; କିନ୍ତୁ କାକା ପୋଲିସ୍‌ସାହେବ, ସେ ବ୍ୟବସ୍ଥା ସେ ନିଶ୍ଚୟ କରିଥିବେ । ତମେ ଆଉ ମୁଁ ବି ବୋଧହୁଏ ବାଦ ଯିବାନି । ଛୋଟଲୋକ,ଲୋଭୀ ! ଭୀରୁ !

 

ଡାକ୍ତର ମୁରୁକି ହସି କହିଲେ–ଯଥାର୍ଥ ଭଲ ନ ପାଇଲେ ଏମିତି ପ୍ରାଣ ଖୋଲି ଯଶୋଗାନ କରାଯାଇପାରେନା । କବି, ଏଥର ତମର ପାଳି । ବାଗ୍‌ଦେବୀଙ୍କୁ ସ୍ମରଣ କରି ତମେ ଏଥର ନବତାରାର ଗୁଣ କୀର୍ତ୍ତନ କର-ମୁଁ ଶୁଣେ ।

 

ଭାରତୀ କହିଲା–ତମେ କଣ ମତେ ଗାଳି ଦେଉଛ ଭାଇ ?

 

ଡାକ୍ତର କହିଲେ–ହେଇପାରେ ।

 

ଅଭିମାନ, ଦୁଃଖ ଓ କ୍ରୋଧରେ ଭାରତୀର ମୁହଁ ଆରକ୍ତ ହୋଇଉଠିଲା । କହିଲା–ନା, ତମେ ମତେ ଗାଳି ଦେଇ ପାରିବନି । ତମେ କଣ ଭାବିଛ ସମସ୍ତେ ଶଶୀ ବାବୁଙ୍କ ଭଳି ମୁହଁ ବନ୍ଦ କରି ସହି ପାରିବେ ? ତମେ ଜାଣ ମଣିଷର କଣ ହୁଏ ଏ ଅବସ୍ଥାରେ । ଉଚ୍ଛ୍ଵସିତ ଯନ୍ତ୍ରଣାରେ ତାର କଣ୍ଠ ରୁଦ୍ଧ ହୋଇଆସିଲା । କହିଲା–ସେ ଫେରି ଆସିଛନ୍ତି । ଏଥର ତମେ ମତେ କେଉଁଠିକି ନେଇ ଚାଲ ଭାଇ, ମୁଁ ଆଉ ଏଠି ମୁହୁର୍ତ୍ତେ ରହିପାରିବିନି । କହୁ କହୁ ଟେବୁଲ ଉପରେ ମୁଣ୍ଡ ରଖି ସେ ଶିଶୁଭଳି କାନ୍ଦିବାକୁ ଲାଗିଲା ।

 

ଡାକ୍ତର ଖାଇବାକୁ ଲାଗିଲେ । ତାଙ୍କର ନିର୍ବିକାର ଭାବ ଦେଖିଲେ ମନେହୁଏନି ଯେ ଏ ସବୁ ପ୍ରଣୟଉଚ୍ଛ୍ୱାସ ତାଙ୍କୁ ସାମାନ୍ୟ ବିଚଳିତ କରିଛି । ପାଞ୍ଚ ସାତ ମିନଟ୍‌ ପରେ ଭାରତୀ ପାଖ ଘରକୁ ଉଠିଗଲା । ମୁହଁ ଧୋଇ ଫେରିଆସି କହିଲା–ତମକୁ ଆଉ କିଛି ଦେବି ଭାଇ ?

 

ଡାକ୍ତର ପକେଟ୍‌ରୁ ରୁମାଲ୍‌ ବାହାର କରି କହିଲେ–-ବ୍ରାହ୍ମଣ ସନ୍ତାନ ତ, କିଛି ପାଥେୟ ବାନ୍ଧିଦିଅ, ଦିନେ ଦୁଇଦିନ ଚଳିଯିବି ।

 

ମଇଳା ରୁମାଲ୍‌ଟା ଫେରାଇ ଦେଇ ଭାରତୀ ପାଖ ଘରୁ ଖଣ୍ଡେ ସଫା କନା ଆଣିଲା ଓ ତହିଁରେ ବିଭିନ୍ନ ଖାଦ୍ୟ ପଦାର୍ଥର ଗୋଟିଏ ପୁଟଳି ବାନ୍ଧିଦେଲା । କହିଲା–ଏ ତ ହେଲା ବ୍ରାହ୍ମଣ ସନ୍ତାନ ପାଇଁ ପାଥେୟ, ଆଉ ଏ ଟଙ୍କା ମୁଣିଟି ?

 

ଡାକ୍ତର ହସି ହସି କହିଲେ–ସେଟା ହେଲା ଭୋଜନ ଦକ୍ଷିଣା ।

 

ଭାରତୀ କହିଲା–ଅର୍ଥାତ୍‌ ତୁଚ୍ଛ ବିବାହ କଥାଟାକୁ ଛାଡ଼ିଦେଲେ ତମର ଅସଲ ଦରକାରୀ କାମ ଗୁଡ଼ାକ ସମାଧାନ ହୋଇଗଲା ।

 

ଅକସ୍ମାତ୍‌ ‘ହାଃ ହାଃ’ କରି ଡାକ୍ତର ଜୋର୍‌ରେ ମୁହଁ ଉପରେ ହାତ ଚାପି ଗମ୍ଭୀର ହୋଇ କହିଲେ–ଭଗବାନଙ୍କର କି ଅଭିଶାପ ଭାରତୀ, ହସିଲେ ମୋ ମୁହଁରୁ ଅଟ୍ଟହାସ୍ୟ ଛଡ଼ା ଆଉ କିଛି ବାହାରେ ନାହିଁ । ତମକୁ ନ ଆଣିଥିଲେ ଆଜି ଅଟ୍ଟକ୍ରନ୍ଦନ ଦେଖିବାର ସୁଯୋଗ ନ ଥିଲା ।

 

ଭାଇ, ପୁଣି ମୋ ସାଥିରେ ଲାଗୁଛ ?

 

ଲାଗୁଛି ? ମୁଁ ତ କୃତଜ୍ଞତା ପ୍ରକାଶ କରୁଛି ମାତ୍ର ।

 

ଭାରତୀ ରାଗି ମୁହଁ ବୁଲାଇ ନେଲା, ଉତ୍ତର ଦେଲାନାହିଁ । ଶଶୀ ଏ ପର୍ଯ୍ୟନ୍ତ କିଛି କହି ନଥିଲା । ଅକସ୍ମାତ୍‌ ଗମ୍ଭୀର ହୋଇ କହିଲା–ଆପଣମାନେ ନ-ରାଗିଲେ ଗୋଟାଏ କଥା କହିବି । କେହି କେହି ସନ୍ଦେହ କରନ୍ତି ଯେ, ଆପଣଙ୍କ ସହ ଭାରତୀର ବିବାହ ହେବ ।

 

ଡାକ୍ତର ମୁହୂର୍ତ୍ତକ ପାଇଁ ଚମକି ଉଠିଲେ, କିନ୍ତୁ ପରେ ପରେ ଆତ୍ମସଂବରଣ କରି କହିଲେ–କଣ କହୁଛ ଶଶୀ, ତମ ମୁହଁରେ ଫୁଲଚନ୍ଦନ ପଡ଼ୁ, ଏତେ ବଡ଼ ସୁଦିନ କଣ ଏ ଦୁର୍ଭାଗାର ଜୀବନରେ ଆସିବ ? ଏତ ସ୍ଵପ୍ନ ଅତୀତ, କବି !

 

ଶଶୀ କହିଲା–କିନ୍ତୁ ଅନେକ ଲୋକ ସେଭଳି ଭାବନ୍ତି ।

 

ଡାକ୍ତର କହିଲେ–ହାୟ, ହାୟ, ଅନେକ ଲୋକ ନ ଭାବି ଜଣେ ଯଦି ସେଭଳି ଭାବିଥାନ୍ତା !

 

ଭାରତୀ ହସି ପକାଇଲା । ଡାକ୍ତରଙ୍କୁ ଚାହିଁ କହିଲା–ଦୁର୍ଭାଗାର ଭାଗ୍ୟ ତ ଗୋଟିଏ ମୁହୁର୍ତ୍ତରେ ବଦଳିଯିବ । ତମେ ଯଦି ହୁକୁମ୍‌ କରିବ-ଭାରତୀ, କାଲି ତମେ ମତେ ବିବାହ କରିବ, ମୁଁ ତମକୁ ରାଣ ପକାଇ କହୁଛି, ମୁଁ କହିବି-ଦିନେ ବି ସବୁର୍‍ କରିବି ନାହିଁ ।

 

ଡାକ୍ତର କହିଲେ–କିନ୍ତୁ ବିଚରା ଅପୂର୍ବ ପ୍ରାଣର ମାୟା ଛାଡ଼ି ଫେରି ଆସିଲା, ତା ବ୍ୟବସ୍ଥା କଣ ହେବ ?

 

ଭାରତୀ କହିଲା–ତାଙ୍କ ପାଇଁ ଗାଁରେ ବୋହୁ ଖୋଜା ଚାଲିଛି, ତମର ଦୁଶ୍ଚିନ୍ତାର କୌଣସି କାରଣ ନାହିଁ । ସେ ଛାତି ଫାଟି ମରିଯିବେନି ।

 

ଡାକ୍ତର ଗମ୍ଭୀର ହୋଇ କହିଲେ–ମତେ ବିବାହ କରିବାକୁ ରାଜି ହେଇ ଯାଉଛ, ତମର ତ ସାହସ କମ୍‌ ନୁହେଁ ଭାରତୀ ?

 

ଭାରତୀ କହିଲା–ତମ ହାତରେ ପଡ଼ିଲେ ଆଉ ଭୟ କାହାକୁ ?

 

ଡାକ୍ତର ଶଶୀକୁ ଚାହିଁ କହିଲେ–ଶୁଣିଥାଅ ଶଶୀ । ଭବିଷ୍ୟତରେ ଅସ୍ଵୀକାର କଲେ ତମକୁ ସାକ୍ଷୀ ଦେବାକୁ ହେବ ।

 

ଭାରତୀ କହିଲା–କାହାର ସାକ୍ଷୀ ଦେବା ଦରକାର ନାହିଁ । ମୁଁ ତମ ରାଣ ପକାଇ ଏତେ ବଡ଼ ଶପଥ କେବେ ଅସ୍ଵୀକାର କରିବିନାହିଁ । ଖାଲି ତମେ ରାଜି ହେଲେ ହେଲା ।

 

ଡାକ୍ତର କହିଲେ–ସେତେବେଳେ ଦେଖାଯିବ ଯେ ।

 

ଆଚ୍ଛା ହେଉ, କହି ଭାରତୀ ହସିଲା । କହିଲା–ଭାଇ, ମୁଁ ଆଉ ସୁମିତ୍ରା କଣ, ସ୍ଵର୍ଗର ଇନ୍ଦ୍ର, ଯଦି ଉର୍ବଶୀ, ରମ୍ଭା ବା ମେନକାଙ୍କୁ କହନ୍ତି ଯେ ମୁନି ଋଷିଙ୍କ ବଦଳରେ ସେମାନଙ୍କୁ ସବ୍ୟସାଚୀଙ୍କ ତପସ୍ୟା ଭଙ୍ଗ କରିବାକୁ ହେବ-ମୁଁ ଠିକ୍‌ କହୁଛି ଭାଇ, ମୁହଁରେ କଳା ବୋଳି ସେମାନେ ଫେରିଯାନ୍ତେ । ରକ୍ତ ମାଂସର ହୃଦୟ ଜୟ କରାଯାଇ ପାରେ, ପଥର ସାଙ୍ଗରେ କଣ ଲଢ଼େଇ ହୁଏ । ପରାଧୀନତାର ନିଆଁରେ ପୋଡ଼ିହୋଇ ତମର ସମସ୍ତ ବୁକୁ ପଥର ହୋଇ ଯାଇଛି-

 

ଡାକ୍ତର ହସିଲେ କେବଳ । ଭାରତୀ ଶ୍ରଦ୍ଧା ଓ ସ୍ନେହ ବିଗଳିତ କଣ୍ଠରେ କହିଲା–ଏ ବିଶ୍ଵାସ ନ ଥିଲେ କଣ ମୁଁ ଏଭଳି ତମକୁ ଆତ୍ମସମର୍ପଣ କରି ପାରିଥାନ୍ତି ? ମୁଁ ତ ନବତାରା ନୁହେଁ ! ମୁଁ ଜାଣେ ଏ ଜନ୍ମପାଇଁ ମୁଁ କି ଭୁଲ୍‌ କରିଛି ।

 

ଭାରତୀ ଆଖିରେ ପୁଣି ଲୁହ ଜମିଗଲା । ସେ ତରତରରେ ଆଖି ପୋଛି ପକାଇ କହିଲା–ଭାଇ, ଫେରିବା ପାଇଁ ବେଳ ହେଇନି ? ଜୁଆର ଆଉ କେତେ ସମୟ ବାକୀ ? ଡାକ୍ତର କାନ୍ଥଘଡ଼ିକୁ ଚାହିଁ କହିଲେ–ଡେରି ଅଛି ଭଉଣୀ । ତା’ପରେ ତାଙ୍କ ଡାହାଣ ହାତଟି ଭାରତୀ ମୁଣ୍ଡ ଉପରେ ରଖି କହିଲେ–ଆଶ୍ଚର୍ଯ୍ୟ, ଏତେ ଦୁର୍ଦ୍ଦଶାରେ ବି ଏ ଅମୂଲ୍ୟ ରନ୍ନଟି ଦେଶରୁ ହଜି ଯାଇନି । ତା’ପରେ କହିଲେ–ଶଶୀ, ତମ ମଦ ବୋତଲ କାହିଁ ?

 

ଏ ପ୍ରଶ୍ନ ଶୁଣି ଶଶୀ ସାମାନ୍ୟ ଲଜ୍ଜିତ ହୋଇ କହିଲା-କିଣିନି ଡାକ୍ତର, ମୁଁ ଆଉ ମଦ ଖାଇବିନି ।

 

ଭାରତୀ କହିଲା–ତମର ମନେ ନାଇଁ ଭାଇ, ନବତାରା ତାଙ୍କୁ ମଦ ନ ଛୁଇଁବାକୁ ପ୍ରତିଜ୍ଞା କରାଇ ନେଇଛନ୍ତି ।

 

ଶଶୀ ସମ୍ମତି ଜଣାଇ କହିଲା–ହଁ, ସେ ସତ୍ୟ କରାଇ ଥିଲେ । ମୁଁ ତାକୁ ଭାଙ୍ଗିବିନି ।

 

ଡାକ୍ତର ହସି ହସି କହିଲେ–କିନ୍ତୁ ବଞ୍ଚିବ ତମେ କେମିତି ? ମଦ ଗଲା, ନବତାରା ଗଲା, ଯଥାସର୍ବସ୍ଵ ଅର୍ଥଗଲା । ଏକାଠି ଏତେ ଲୋକସାନ ସହିବ କେମିତି ?

 

ଭାରତୀ ଶଶୀ ମୁହଁକୁ ଚାହିଁ ଦୁଃଖିତ ହୋଇ କହିଲା–ଥଟ୍ଟା କରିବା ସହଜ ଭାଇ, କିନ୍ତୁ ସତରେ ଭାବି ଦେଖିଲ !

 

ଡାକ୍ତର କହିଲେ–ମୁଁ ତ ଭାବିକରି କହୁଛି ଭାରତୀ । ଏଇ ଟଙ୍କା ଉପରେ ଶଶୀର ଯେ କେତେ ଆଶା ଭରସା ଥିଲା, ତା ମୋ ଠାରୁ କେହି ବେଶି ଜାଣେନା । ତାର ପରିଚିତ ଜଣେ ବି ଲୋକ ନାହିଁ ଯେ ଏକଥା ଶୁଣିନି । ତା ପରେ ଆସିଲା ନବତାରା । ଛ’ ସାତ ମାସ କାଳ ସେଇ ଥିଲା ତାର ଧ୍ୟାନ । ଆଉ ମଦ, ସେ ତ ଶଶୀର ସୁଖଦୁଃଖର ସାଥୀ । କାଲି ସବୁ ଥିଲା, ଆଜି ତା ଜୀବନରେ ଯାହା କିଛି ଆନନ୍ଦ ସମସ୍ତେ ଏକାଠି ଚାଲିଗଲେ । ତେବେ ବି କାହା ବିରୁଦ୍ଧରେ ତାର ନାଲିସ୍‌ନାହିଁ ।

 

ଭାରତୀ କହିଲା–ସେଇଥିପାଇଁ ତମର ତାଙ୍କ ପ୍ରତି ଏତେ ସ୍ନେହ !

 

ଡାକ୍ତର କହିଲେ–ଖାଲି ସ୍ନେହ ନୁହେଁ; ଶ୍ରଦ୍ଧା ବି । ଶଶୀ ସାଧୁବ୍ୟକ୍ତି, ତାର ଅନ୍ତର ଗଙ୍ଗାଜଳ ପରି ଶୁଦ୍ଧ, ପବିତ୍ର । ଭାରତୀ, ମୁଁ ଚାଲିଗଲେ ଭଉଣୀ, ତମେ ଟିକିଏ ଶଶୀକୁ ଦେଖିବ । ତମ ହାତରେ ମୁଁ ଶଶୀକୁ ଦେଇଯାଉଛି । ସେ ଦୁଃଖ ପାଇଲେ ବି କେବେ କାହାକୁ ଦୁଃଖ ଦେଇନି ।

 

ଶଶୀ ଲଜ୍ଜାରେ ଆରକ୍ତ ହୋଇଗଲା ।

 

ଡାକ୍ତର ପଚାରିଲେ–କିନ୍ତୁ ଏଣିକି କଣ କରିବ ଶଶୀ ? ତମର ତ ଖାଲି ବାକୀ ରହିଲା ଏଇ ବେହେଲାଟି । ଆଗପରି ପୁଣି ଦେଶ ବିଦେଶରେ ବଜେଇ ବୁଲିବ ?

 

ଏଥର ଶଶୀ ହସିଲା, କହିଲା–ତମ କାମରେ ମତେ ଭର୍ତ୍ତି କରିଦିଅ ଡାକ୍ତର । ପ୍ରକୃତରେ ମୁଁ ଆଉ ମଦ ଖାଇବିନି ।

 

ଡାକ୍ତର ସ୍ନେହାର୍ଦ୍ର କଣ୍ଠରେ କହିଲେ–ନା କବି, ସେଥିରେ ଯୋଗଦେଇ ତମର ଲାଭ ହେବନି । ତମେ ମୋର ଏଇ ଭଉଣୀଟି ପାଖରେ ରହ, ମୋତେ ଯଥେଷ୍ଟ ସାହାଯ୍ୟ କରିବ ।

 

ଶଶୀ ସମ୍ମତି ଜଣାଇଲା । ତା’ପରେ ସଙ୍କୋଚ ସହ କହିଲା–ଆଗେ ମୁଁ କବିତା ଲେଖୁଥିଲି-ହୁଏତ ଏବେ ବି ପାରିବି ।

 

ଡାକ୍ତର ଖୁସି ହୋଇ କହିଲେ–ନିଶ୍ଚୟ, ନିଶ୍ଚୟ । ସେଥିରେ ତ ମୋର କାମ ହେବ ଶଶୀ ।

 

ଶଶୀ କହିଲା–ମୁଁ ଏଥର ପୁଣି ଲେଖିବି । ଚାଷୀ, ମଜୁରିଆଙ୍କ ପାଇଁ ଖାଲି ଲେଖିବି ।

 

କିନ୍ତୁ ସେମାନେ ତ ପଢ଼ି ଜାଣନ୍ତି ନାହିଁ ଶଶୀ !

 

ଶଶୀ କହିଲା–ନ ଜାଣିଲେ କଣ ହେଲା, ମୁଁ ସେମାନଙ୍କ ପାଇଁ ଲେଖିବି ।

 

ଡାକ୍ତର କହିଲେ–ସେଇଟା ଅସ୍ଵାଭାବିକ ହେବ ଏବଂ ଅସ୍ଵାଭାବିକ ଜିନିଷ ସ୍ଥାୟୀ ହୁଏନା-। ଅଶିକ୍ଷିତ ପାଇଁ ଅନ୍ନଚ୍ଛତ୍ର ଖୋଲାଅଛି, କାରଣ ତାର କ୍ଷୁଧାବୋଧ ଅଛି; କିନ୍ତୁ ସାହିତ୍ୟ ପରିବେଷଣ ହୁଏନା । ସେମାନଙ୍କ ସୁଖଦୁଃଖ ବର୍ଣ୍ଣନା କଲେ ବି ସେମାନଙ୍କ ସାହିତ୍ୟ ହେବନି । କୌଣସିଦିନ ସମ୍ଭବ ହେଲେ ସେମାନେ ନିଜ ପାଇଁ ସାହିତ୍ୟ ରଚନା କରିବେ । ତମେ ଏ ଅସମ୍ଭବ ପ୍ରୟାସ କରନି କବି !

 

ଶଶୀ ଠିକ୍‌ ବୁଝି ନ ପାରି ସନ୍ଦିଗ୍‌ଧ ହୋଇ ପଚାରିଲେ–ତେବେ ମୁଁ କଣ କରିବି ?

 

ଡାକ୍ତର କହିଲେ–ତମେ ମୋ ବିପ୍ଳବର ଗୀତ ଗାଅ । ଯେଉଁଠି ଜନ୍ମ ହୋଇଛ, ଯେଉଁଠି ମଣିଷ ହେଇଛ, ସେଇ ମଧ୍ୟବିତ୍ତ ଭଦ୍ର ସମାଜର ସୁଖଦୁଃଖର ଗୀତ ।

 

ଭାରତୀ ବିସ୍ମିତ ହୋଇ କହିଲା–ଭାଇ, ତମେ ବି ଜାତିଭେଦ ମାନ ? ତମ ଲକ୍ଷ୍ୟ କଣ ସେଇ ମଧ୍ୟବିତ୍ତ ଭଦ୍ର-ସମାଜ ?

 

ଡାକ୍ତର କହିଲେ–ମୁଁ ତ ବୈଦିକ ବର୍ଣ୍ଣାଶ୍ରମ କଥା କହିନି ଭାରତୀ, ମୁଁ ସେ ଜବରଦସ୍ତି ଜାତିଭେଦର ସୂଚନା ଦେଇ ନ ଥିଲି । କିନ୍ତୁ ଶିକ୍ଷିତର ଓ ଅଶିକ୍ଷିତର ପ୍ରଭେଦ-ତା ତ ନ ମାନିଲେ ଚଳିବନି । ଏ ତ ପ୍ରକୃତ ଜାତି-ଭଗବାନଙ୍କ ସୃଷ୍ଟି । ଖ୍ରୀଷ୍ଟାନ ବୋଲି ମୁଁ ତ କେବେ ତମଠୁ ଦୂରେଇ ଯାଇନି, ଭାରତୀ ! ତମଠୁ ବଳି ମୋର ଆଉ କିଏ ଆପଣାର ଅଛି ?

 

ଭାରତୀ କହିଲା–ତମ ବିପ୍ଲବର କବିତା ଶଶୀବାବୁଙ୍କଦ୍ଵାରା ହେବ ନି ଭାଇ ! ତମର ବିଦ୍ରୋହ,ତମର ଗୁପ୍ତସମିତି–

 

ଡାକ୍ତର ବାଧା ଦେଇ କହିଲେ–ନା, ନା, ମୋ ଗୁପ୍ତସମିତିର ଭାର ମୋ ଉପରେ ଥାଉ ଭଉଣୀ; ସେ ବୋଝ ବୋହିବାର ଦାୟିତ୍ଵ ମୋର । ତମକୁ ତ ମୁଁ ଅନେକଥର କହିଛି, ବିପ୍ଳବ ମାନେ ଖାଲି ହଣାହଣି ନୁହେଁ-ବିପ୍ଳବ ମାନେ ଦ୍ରୁତ ଆମୂଲ ପରିବର୍ତ୍ତନ । ରାଜନୈତିକ ବିପ୍ଳବର ଦାୟିତ୍ଵ ମୋର । ଶଶୀ, ତମେ କେବଳ ସାମାଜିକ ବିପ୍ଳବର ସଙ୍ଗୀତ ଗାଅ ! ଯାହା କିଛି ସନାତନ, ପ୍ରାଚୀନ, ଜୀର୍ଣ୍ଣ, ପୁରାତନ-ଧର୍ମ, ସମାଜ ସଂସ୍କାର-ସବୁ ଚରି ଧ୍ୱଂସ ହୋଇଯାଉ । ତମେ କେବଳ ଏହି ମହାସତ୍ୟ ମୁକ୍ତ କଣ୍ଠରେ ପ୍ରଚାର କର-ତାଠାରୁ ଭାରତର ବଡ଼ ଶତ୍ରୁ କେହି ନାହିଁ । ତାପରେ ଦେଶର ସ୍ଵାଧୀନତାର ଭାର ମୋ ମୁଣ୍ଡରେ ।

 

ଶଶୀ ହଠାତ୍‌ ଦ୍ଵାର ଆଡ଼କୁ କାନ ଦେଇ କହିଲା–ଶିଡ଼ିରେ କାହାର ପାଦଶବ୍ଦ ଶୁଭୁଛି ।

 

ଡାକ୍ତର ପଲକରେ ପକେଟ୍‌ରେ ହାତ ପୂରାଇ ଦ୍ରୁତଗତିରେ ଅନ୍ଧାରୁଆ ବାରଣ୍ଡାକୁ ଚାଲିଗଲେ । ତାପରେ ଫେରିଆସି କହିଲେ–ଭାରତୀ, ସୁମିତ୍ରା ଆସୁଛନ୍ତି ।

 

ପଚିଶ

 

ଏଇ ରାତି ଅଧରେ ସୁମିତ୍ରାଙ୍କ ଆଗମନ ସମ୍ବାଦ ଅପ୍ରତ୍ୟାଶିତ । ଭାରତୀ ବ୍ୟସ୍ତ ହୋଇ ଉଠିଲା । କିଛି ସମୟ ପରେ ଡାକ୍ତର ପ୍ରବେଶ କରି ସହଜ କଣ୍ଠରେ ସୁମିତ୍ରାଙ୍କୁ ଅଭ୍ୟର୍ଥନା କରି କହିଲେ–ବସ ସୁମିତ୍ରା ! ତମେ କଣ ଏକୁଟିଆ ଆସିଛ ?

 

ସୁମିତ୍ରା କହିଲେ–ହଁ । ତା’ପରେ ଭାରତୀକୁ ଚାହିଁ କହିଲେ–ଭଲ ଅଛ ଭାରତୀ ?

 

ଏହି ଅଳ୍ପ ସମୟ ଭିତରେ ଭାରତୀ ଅନେକ କିଛି ଭାବି ନେଇଥିଲା । ସେଦିନ ପରି ଆଜି ବି ସୁମିତ୍ରା ତାକୁ ଗ୍ରହଣ କରିବେ ନାହିଁ, ଏ ଭୟ ତାର ଥିଲା; କିନ୍ତୁ ଏଇ କୁଶଳ ପ୍ରଶ୍ନ ଓ ସିଗ୍‌ଧ କଣ୍ଠ ଶୁଣି ସେ ଯେମିତ ହାତରେ ଚାନ୍ଦ ପାଇଲା । ସେ କହିଲା–ମୁଁ ଭଲ ଅଛି ଦିଦି, ଆପଣଙ୍କର ସବୁ ଭଲ ତ ?

 

ହଁ, ଏକରକମ-କହି ସୁମିତ୍ରା ବସିଲେ । ବେଶି କଥାବାର୍ତ୍ତା କରିବା ତାଙ୍କର ପ୍ରକୃତି ନୁହେଁ–ଗୋଟାଏ ଶାନ୍ତ ଗମ୍ଭୀର ବ୍ୟବଧାନ ରଖି ସେ ସବୁବେଳେ ଯେମିତ ଚଳନ୍ତି ବର୍ତ୍ତମାନ ବି ସେଥିରେ ପରିବର୍ତ୍ତନ ନାହିଁ ।

 

ଡାକ୍ତର କହିଲେ–ଶଶୀ ମୁହଁରୁ ଶୁଣିଲି ତମେ ପ୍ରଚୁର ବିଷୟ ସମ୍ପତ୍ତିର ଅଧିକାରଣୀ ହୋଇ ଜାଭା ଫେରିଯାଉଛ ।

 

ସୁମିତ୍ରା କହିଲେ–ହଁ, ମତେ ନେବାପାଇଁ ଲୋକ ଆସିଛନ୍ତି ।

 

କେବେ ଯିବ ?

 

ଏଇ ଆସନ୍ତା ଷ୍ଟୀମର ପାଳି ଦିନ-ଶନିବାର ।

 

ଡାକ୍ତର ଟିକିଏ ହସି କହିଲେ–ଯାହା ହେଉ ତମେ ଏଥର ପ୍ରକୃତରେ ବଡ଼ଲୋକ ହେଲ-

 

ସୁମିତ୍ରା । କହିଲେ–ହଁ, ସବୁ ପାଇଲେ ହୁଏତ–

 

ଡାକ୍ତର କହିଲେ–ପାଇବ ନିଶ୍ଚୟ । ଓକିଲ ପରାମର୍ଶ ଛଡ଼ା କେବେ କିଛି କରିବନି । ଆଉ, ଟିକିଏ ସାବଧାନରେ ରହିବ । ଯେଉଁମାନେ ତମକୁ ନେବାକୁ ଆସିଛନ୍ତି, ସେମାନେ ପରିଚିତ ଲୋକ ତ ?

 

ସୁମିତ୍ରା କହିଲେ–ହଁ, ସେମାନେ ସମସ୍ତେ ବିଶ୍ଵସ୍ତ । ମୁଁ ସେମାନଙ୍କୁ ଭଲ କରି ଜାଣିଛି ।

 

ତା’ହେଲେ ତ ଖୁବ୍‌ ଭଲକଥା-କହି ଡାକ୍ତର ଭାରତୀକୁ ଚାହିଁ କଣ କହିବାକୁ ଯାଉଥିଲେ, ଶଶୀ ହଠାତ୍‌ କହି ଉଠିଲା–ଯେ ତିନିଜଣ ମହିଳାଙ୍କୁ ଆପଣ ନେଇଥିଲେ ଡାକ୍ତର-ନବତାରା ଗଲେ, ସ୍ଵୟଂ ପ୍ରେସିଡ଼େଣ୍ଟ୍‌ ଯିବାକୁ ଉଦ୍ୟତ, ଖାଲି ଭାରତୀ–

 

ଡାକ୍ତର ହସି ହସି କହିଲେ–ତମର ଦୁଶ୍ଚିନ୍ତାର କାରଣ ନାହିଁ ଶଶୀ, ଭାରତୀ ବି ମହାଜନମାନଙ୍କର ପନ୍ଥା ଅନୁସରଣ କରିବେ ।

 

ଭାରତୀ ଏ କଥା ଶୁଣି ଡାକ୍ତରଙ୍କୁ କୁପିତ ଦୃଷ୍ଟିରେ ଚାହିଁଲା କେବଳ ।

 

ଡାକ୍ତରଙ୍କ କଥା ଭିତରେ କୌଣସିଠାରେ ଲୁକ୍‌କାୟିତ ଦୁଃଖ ରହିଛି, ଏଇଆ ଅନୁମାନକରି ଶଶୀ କହିଲା–ଆପଣଙ୍କୁ ଶୀଘ୍ର ଚାଲି ଯିବାକୁ ହେଉଛି । ତା ହେଲେ ଦେଖନ୍ତୁ,ଆପଣଙ୍କ ଅନୁଷ୍ଠାନର କ୍ରିୟାକଳାପ ବର୍ମାରେ ଅନ୍ତତଃ ଶେଷ ହୋଇଗଲ । କିଏ ଆଉ ଚଲେଇବ ? ଏହା କହି ସେ ଦୀର୍ଘନିଃଶ୍ଵାସ ପକାଇଲା; କିନ୍ତୁ ଡାକ୍ତରଙ୍କ ଉପରେ ଏହାର ଲେଶମାତ୍ର ପ୍ରଭାବ ପଡ଼ିଲାନାହିଁ । ସେ ସେଇଭଳି ହସି ହସି କହିଲେ–ଇଏ କି କଥା କବି ? ଏତେ କାଳ ଏତେ ଦେଖି ଶୁଣି ତମ ମୁହଁ ରୁ ସବ୍ୟସାଚୀର ଏଇ ସାର୍ଟିଫିକେଟ୍‌ ? ତିନିଜଣ ମହିଳା ଚାଲିଯିବେ ବୋଲି ମୋ ଅନୁଷ୍ଠାନ ଶେଷ ହୋଇଯିବ ? ମଦ ଛାଡ଼ିଦେଇ ତମର ଏଇ ଦଶା ହେଲେ ନା କଣ ? ତା ହେଲେ ବରଂ ଆଉ ଥରେ ଆରମ୍ଭ କର ।

 

କଥାଟା ଥଟ୍ଟା ଭଳି ଶୁଣାଗଲେ ବି ପ୍ରକୃତରେ ଥଟ୍ଟା କି ନୁହେଁ, ଭାରତୀ ଧରି ପାରିଲାନାହିଁ । ଦେଖିଲା ସୁମିତ୍ରା ସେଭଳି ନିଃଶବ୍ଦରେ ମୁଣ୍ଡପୋତି ବସିଛନ୍ତି । ସେ ଡାକ୍ତରଙ୍କୁ ସ୍ଥିର ଦୃଷ୍ଟି ରେ ଚାହିଁ କହିଲା–ଭାଇ, ମୋର ତ ବୁଝିବା ପାଇଁ ମଦର ଆବଶ୍ୟକତା ନାହିଁ, ମୁଁ କିନ୍ତୁ ବୁଝିପାରିଲି ନାହିଁ । ନବତାରା ଓ ମୁଁ କୌଣସି ହିସାବରେ ଆସିବୁ ନାହିଁ–କିନ୍ତୁ ସୁମିତ୍ରା ଦିଦି-ଯାହାଙ୍କୁ ତମେ ପ୍ରେସିଡ଼େଣ୍ଟ୍‌ କରିଥିଲ-ସେ ଚାଲିଗଲେ କଣ ତମ ଅନୁଷ୍ଠାନରେ କିଛି ଆଘାତ ଲାଗିବନାହିଁ ? ଏହା କହି ଭାରତୀ ସୁମିତ୍ରାଙ୍କୁ ଚାହିଁ ତାଙ୍କର ମନୋଭାବ ଜାଣିବାକୁ ଚେଷ୍ଟା କଲା; କିନ୍ତୁ ସୁମିତ୍ରା ମୁଣ୍ଡ ଟେକିଲେ ନାହିଁ । ସେ ସେମିତ ନିର୍ବାକ୍‌ମୂର୍ତ୍ତି ଭଳି ବସି ରହିଲେ ।

 

ଡାକ୍ତର ଧୀରେ ଧୀରେ କହିଲେ–ମୁଁ ରାଗକରି କହି ନଥିଲି ଭାରତୀ । ସୁମିତ୍ରା ପ୍ରକୃତରେ ଅବହେଳାର ପାତ୍ରୀ ନୁହନ୍ତି; କିନ୍ତୁ ତମେ ହୁଏତ ଜାଣନ, କିନ୍ତୁ ନିଜେ ସୁମିତ୍ରା ଖୁବ୍‌ ଭଲଭାବେ ଜାଣନ୍ତି ଯେ ଏ ସବୁ ଘଟଣାରେ ଆମର ଲାଭ କ୍ଷତି ହିସାବରେ କୌଣସି ଗଣନା କରାଯାଏନି । ତା ଛଡ଼ା ଜୀବନ ଯାହାର ଅନିଶ୍ଚିତ, ତାର ମୂଲ୍ୟ ସ୍ଥିର କରଯିବ କିଭଳି ? ମଣିଷ ତ ଯିବ ନିଶ୍ଚୟ । ଯେତେ ବଡ଼ ହେଉନା କାହିଁକି, କାହାର ଅଭାବ ଆମେ ଯେମିତ ସର୍ବନାଶ ବୋଲି ମନେ ନ କରୁ–ଏକ ଜଣର ସ୍ଥାନ ଜଳସ୍ରୋତଭଳି ଆଉ ଜଣେ ଯେପରି ସ୍ଵଚ୍ଛନ୍ଦ ଓ ଅନାୟାସରେ ପୂରଣ କରିପାରେ, ତାହା ହିଁ ଅମର ପ୍ରଥମ ଓ ପ୍ରଧାନ ଶିକ୍ଷା ଭାରତୀ ।

 

ଭାରତୀ କହିଲା–କିନ୍ତୁ ଏମିତି ତ ଆଉ ବାସ୍ତବ ଜୀବନରେ ଘଟେନା । ଏଇ ଧର ତମ କଥା । ତମର ଅଭାବ ଯେ ଆଉ କିଏ ପୂର୍ଣ୍ଣକରି ପାରିବି, ମୁଁ ତ ଏକଥା ଭାବି ପାରୁନି ।

 

ଡାକ୍ତର କହିଲେ–ତମର ଚିନ୍ତାର ଧାରା ସ୍ଵତନ୍ତ୍ର । ଯେଉଁଦିନ ତାର ସୂଚନା ମୁଁ ପାଇଛି, ସେଇଦିନଠାରୁ ଦଳର କାର୍ଯ୍ୟରେ ମୁଁ ତମକୁ ଟାଣିନାହିଁ । ମନେ ହେଉଛି, ଜଗତରେ ତମ ପାଇଁ ଅନ୍ୟ କାମ ରହିଛି ।

 

ଭାରତୀ କହିଲା–ମୋର କିନ୍ତୁ ମନେ ହେଉଛି ଯେ ମୁଁ ଅଯୋଗ୍ୟ ବୋଲି ତମେ ମତେ ଦୂରକୁ ଠେଲି ଦେଉଛ; କିନ୍ତୁ ମୋ ପ୍ରଶ୍ନର ତ ଉତ୍ତର ମିଲିଳାନି ଭାଇ । ତମର ଅଭାବ ଜଳସ୍ରୋତପରି ପୂର୍ଣ୍ଣ ହୋଇ ପାରେ କି ନା-ତମେ କହୁଛ ପାରେ, ମୁଁ କହୁଛି ନା । କାରଣ ମୁଁ ଜାଣେ ମଣିଷ କେବଳ ଜଳସ୍ରୋତ ପରି ନୁହେଁ । ତମେ ତ ନିଶ୍ଚୟ ନୁହଁ । କିଛି ସମୟ ରହି କହିଲା–ଏଇ କଥାଟା ଜାଣିବା ପାଇଁ ମୁଁ ତମକୁ ଜୋର କରନ୍ତି-ନାହିଁ; କିନ୍ତୁ ଯାହା ସତ ନୁହେଁ-ତମେ ନିଜେ ବି ଜାଣ ସତ ନୁହେଁ-ସେଇ କଥାଟା କହି ମତେ ଭୁଲାଉଛ କାହିଁକି ?

 

ଡାକ୍ତର ହଠାତ୍‌ ଏହାର ଉତ୍ତର ଦେଇପାରିଲେ ନାହିଁ । ଭାରତୀ ଉତ୍ତରକୁ ଅପେକ୍ଷା ନ କରି କହିଲା-ଏ ଦେଶରେ ତମେ ଆଉ ରହି ପାରିବନି-ତମେ ଯିବା ପାଇଁ ବାହାରିଲଣି । ଆଉଥରେ ତମକୁ ଫେରି ପାଇବା ଖୁବ୍‌ ଅନିଶ୍ଚିତ । ଆଜି ମୋର ବହୁ ପ୍ରଶ୍ନ ଜମାହୋଇ ରହିଛି ଭାଇ, ମୋର ମନେ ହେଉଛି, ମୋର ଜୀବନର କଲ୍ୟାଣପଥ ତମେ ନିର୍ଦ୍ଦିଷ୍ଟ କରି ଦେଇପାରନ୍ତ । ତମକୁ ରାଣ ଭାଇ, ଆଉ ଲୁଚାଇ ନ ରଖି ତମ ପାଇଁ, ଆମ ସମସ୍ତଙ୍କ ପାଇଁ ଯାହା ପରମ ସତ୍ୟ, ତା ପ୍ରକାଶ କର ।

 

ଏହି ଅଦ୍ଭୁତ ଅନୁରୋଧ ବୁଝି ନ ପାରି ଶଶୀ ଓ ସୁମିତ୍ରା ବିସ୍ମିତ ହେଲେ । ସେମାନଙ୍କ ଉତ୍ସୁକ ଦୃଷ୍ଟି ଦେଖିଲା କ୍ଷଣି ଭାରତୀ ଅତିମାତ୍ରାରେ ଲଜ୍ଜିତ ହେଲା ।

 

ଡାକ୍ତର କହିଲେ–ସତ୍ୟ, ମିଥ୍ୟା, ଆଉ ସତ୍ୟ ଓ ମିଥ୍ୟା ଯୋଡ଼ି ତ ସମସ୍ତେ କଥା କହନ୍ତି-! ମୋର ଆଉ ବିଶେଷ ଦୋଷ କଣ ଭାରତୀ ? ତା ଛଡ଼ା-ଲଜ୍ଜିତ ହେଲେ ତ ମୋର ହେବା କଥା ଭାରତୀ ?

 

ଭାରତୀ ମୁଣ୍ଡପୋତି ନୀରବରେ ବସି ରହିଲା । ସୁମିତ୍ରା କହିଲେ–ଲଜ୍ଜା ତମର ନ ଥାଇ ପାରେ ଡାକ୍ତର, କିନ୍ତୁ ଝିଅମାନେ ସତକଥାଟା ମୁହଁଉପରେ ସ୍ପଷ୍ଟକରି କହିବାରୁ ଲଜ୍ଜାବୋଧ କରନ୍ତି-କେହି କେହି କହି ବି ପାରନ୍ତି ନାହିଁ ।

 

ଏ ମନ୍ତବ୍ୟ କାହିଁକି କରାଗଲା, ବୁଝିବାକୁ କାହାର ବାକୀ ରହିଲାନାହିଁ । ଡାକ୍ତର ଭାରତୀକୁ ଚାହିଁ କହିଲେ–ଭାରତୀ, ସୁମିତ୍ରା କହିଲେ ମୋର ଲଜ୍ଜା ନାହିଁ, ତମେ ଦୋଷ ଦେଲ ଯେ ମୁଁ ସୁବିଧା ଅନୁଯାୟୀ ସତ ଓ ମିଛ ଉଭୟ କହେ । ଆଜି ବି ସେମିତି କିଛି ଗୋଟାଏ କହି ଏ ପ୍ରସଙ୍ଗ ଶେଷ କରିଦେଇ ପାରନ୍ତି, ଯଦି ଏହା ସାଙ୍ଗରେ ମୋ ଅନୁଷ୍ଠାନର ସମ୍ବନ୍ଧ ନ ଥାନ୍ତା । ତାର ଭଲ ମନ୍ଦଦ୍ଵାରା ସତ୍ୟ ମିଥ୍ୟା ନିର୍ଦ୍ଧାରିତ ହୁଏ । ଏଇ ମୋର ନୀତିଶାସ୍ତ୍ର, ଏଇ ମୋର ଅକପଟ ସ୍ଵରୂପ ।

 

ଭାରତୀ ଆବାକ୍‌ହୋଇ କହିଲା–ସତ କହୁଛି ଭାଇ ? ଅନୁଷ୍ଠାନର ଭଲ ମନ୍ଦ, କିଏ ସତ୍ୟ ଓ କିଏ ମିଥ୍ୟା ନିର୍ଦ୍ଧାରଣ କରେ ? ଏଇ ତମର ନୀତିଶାସ୍ତ୍ର ?

 

ସୁମିତ୍ରା କହିଲା–ହଁ, ପ୍ରକୃତରେ ଏହା ହିଁ ତାଙ୍କର ଅସଲ ପରିଚୟ । ସେଠି ଦୟା, ମାୟା, ଧର୍ମ-କିଛି ନାହିଁ ଭାରତୀ । ମୁଁ ଏ ପରିଚୟ ପାଇଛି ।

 

ଭାରତୀ ସ୍ତବଧ ହୋଇ ଚାହିଁ ରହିଲା କେବଳ ।

 

ଡାକ୍ତର କହିଲେ–ତମେ ସବୁ କହ ଚରମସତ୍ୟ, ପରମସତ୍ୟ-ଏଇ ଅର୍ଥହୀନ ନିଷ୍ଫଳ ଶବ୍ଦଗୁଡ଼ିକ ତମ ପାଖରେ ମହାମୂଲ୍ୟବାନ୍‌ । ଜଣେ ମୂର୍ଖକୁ ଭୁଲାଇବା ପାଇଁ ଏହାଠାରୁ ଅଧିକ ଯାଦୁମନ୍ତ୍ର ଆଉ ନାହିଁ । ତମେ ଭାବୁଛ ମିଥ୍ୟାକୁ ଦେଖି ତିଆରି କରାଯାଏ ସତ୍ୟ-ଶାଶ୍ୱତ, ସନାତନ, ଅପୌରୁଷେୟ ? ନା, ମିଥ୍ୟାପରି ସତ୍ୟକୁ ମଧ୍ୟ ଅହରହ ମାନବଜାତି ସୃଷ୍ଟି କରେ । ଶାଶ୍ଵତ, ସନାତନ ନୁହେଁ-ତାର ଜନ୍ମ ଅଛି, ମୃତ୍ୟୁ ବି ଅଛି । ମୁଁ ମିଥ୍ୟା କହେନି, ମୁଁ ପ୍ରୟୋଜନ ଅନୁଯାୟୀ ସତ୍ୟ ସୃଷ୍ଟି କରେ ।

 

ଏସବୁ କେବଳ ଯୁକ୍ତି ନୁହେଁ-ସବ୍ୟସାଚୀଙ୍କ ଅନ୍ତରର ବାଣୀ । ଭାରତୀର ମୁହଁ କଳା ପଡ଼ିଗଲା । ସେ ଅସ୍ପଷ୍ଟ ସ୍ଵରରେ କହିଲା–ଭାଇ, ଏଇ କଣ ତମ ଅନୁଷ୍ଠାନର ନୀତି ?

 

ଡାକ୍ତର କହିଲେ–ଭାରତୀ, ‘ଚଲାପଥର ଦାବୀ’ ତର୍କଶାସ୍ତ୍ରର ଟୋଲ୍‌ ନୁହେଁ-ଏ ମୋର ବାଟ ଚାଲିବାର ଅଧିକାରର ଜୋର୍‌ । କିଏ କେବେ କେଉଁ ଅଜଣା ପ୍ରୟୋଜନ ପାଇଁ ନୀତିବାକ୍ୟ ରଚନା କରି ଦେଇଗଲା-ସେଇ ହେବ ମୋ ଅନୁଷ୍ଠାନର ସତ୍ୟ ? ଆଉ ଏଇଥିପାଇଁ ଯେଉଁମାନଙ୍କ ଗଳାରେ ଫାଶୀ ଦଉଡ଼ି ଝୁଲୁଛି, ସେମାନଙ୍କ ହୃଦୟର କଥା ହେବ ମିଥ୍ୟା ? ତମର ପରମ ସତ୍ୟ କଣ ମୁଁ ଜାଣେନା, କିନ୍ତୁ ୟାଠାରୁ ପରମ ମିଥ୍ୟା ଆଉ କିଛି ନାହିଁ ।

 

ଏକଥା ଶୁଣି ଭାରତୀ ଶଙ୍କା ଓ ସଂଶୟରେ ଅଭିଭୂତ ହୋଇ ପଡ଼ିଲା ।

 

କବି ?

 

ଆଜ୍ଞା ।

 

ଶଶୀର କିଭଳି ଭକ୍ତି ଦେଖୁଛ । ଏହା କହି ଡାକ୍ତର ହସିଲେ । ତାପରେ କାନ୍ଥ ଘଡ଼ିକୁ ଚାହିଁ କହିଲେ–ଜୁଆର ଶେଷ ହେବାକୁ ଆଉ ଡେରି ନାହିଁ, ମୋର ଯିବା ସମୟ ହୋଇଗଲା । ତମର ତାରାବିହୀନ ଶଶୀତାରା ଲଜ୍‌କୁ ଆଉ ଆସି ପାରିବନି ଶଶୀ !

 

ଶଶୀ କହିଲା–କାଲି ମୁଁ ଏ ବସା ଛାଡ଼ିଦେବି ।

 

ଯିବ କୁଆଡ଼େ ?

 

ଶଶୀ କହିଲା–ଆପଣଙ୍କ ଆଦେଶ ଅନୁଯାୟୀ ଭାରତୀଙ୍କ ପାଖରେ ଯାଇ ରହିବି ।

 

ଡାକ୍ତର ହସି ହସି କହିଲେ–ଦେଖିଲ ଭାରତୀ, ଶଶୀ ମୋ ଆଦେଶ ଅମାନ୍ୟ କରେନା-। ସେ ଘର ନାଁ କଣ ଦେବ କବି ? ଶଶୀ-ଭାରତୀ ଲଜ୍‌ ? ତିନିଥର ଖସିଯିବାର ତ ମୁଁ ଦେଖିଲି, ଏଥର ହୁଏତ କୂଳରେ ଲାଗିଯିବ । ଭାରତୀ ଭଲ ଝିଅଟିଏ-ତା ଭିତରେ ଦୟାମୟା ଅଛି-। ଭାରତୀ ଓ ସୁମିତ୍ରା ହସିଲେ ।

 

ଡାକ୍ତର କହିଲେ–ତମ ଟଙ୍କା ଥଳୀଟି ମୁଁ ଧରି ଯାଉଛି । ଭାରତୀପାଖେ ରଖିଯିବି–ସେ ଗୋଟାଏ ଘର କିଣିବ ।

 

ଭାରତୀ କହିଲା–ଭାଇ, କଟା ଘାରେ ଲୁଣ ନ ଦେଲେ ତମକୁ କଣ ସୁଖ ଲାଗେନି ?

 

ଶଶୀ କହିଲା–ଟଙ୍କା ଆପଣ ନିଅନ୍ତୁ ଡାକ୍ତରବାବୁ, ଆପଣଙ୍କୁ ମୁଁ ଦେଲି । ମୋର ଘରଦ୍ଵାର ସର୍ବସ୍ଵ ବିକାହୋଇଥିବା ପଇସା ଯେମିତି ଦେଶକାମରେ ଲାଗେ ।

 

ଡାକ୍ତର ହସିଲେ, କିନ୍ତୁ ତାଙ୍କ ଆଖି ଛଳଛଳ ହୋଇଗଲା । କହିଲେ–ଟଙ୍କା ମୋର ଅଛି ଶଶୀ, ଏହିକ୍ଷଣି ଆଉ ଦରକାର ନାହିଁ । ତା ଛଡ଼ା ଆଉ ବୋଧହୁଏ ଟଙ୍କାର ଦରକାର ହେବନି । ଏହା କହି ସେ ସୁମିତ୍ରା ମୁହଁକୁ ଚାହିଁଲେ ।

 

ସୁମିତ୍ରାଙ୍କ ଆଖିରେ କୃତଜ୍ଞତାର ଚିହ୍ନ ଉଚ୍ଛ୍ଵ ସ୍ଥିତ ହୋଇଉଠିଲା–ମୁହଁରେ ସେ କିଛି କହିଲେ ନାହିଁ ଅବଶ୍ୟ ।

 

ଡାକ୍ତର ଶଶୀକୁ କହିଲେ–କବି !

 

କହନ୍ତୁ ।

 

ବ୍ରାହ୍ମଣଭୋଜନଟା ଟିକିଏ ଆଗରୁ ସାରିନେଲି ବୋଲି ତମେ ଦୁଃଖ କରନାହିଁ । କାରଣ ଶୁଭମୁହୂର୍ତ୍ତ ସତରେ ଯେତେବେଳେ ପହଞ୍ଚିବ, ସେତେବେଳେ ମତେ ହୁଏତ ଆଉ ଫୁରୁସତ୍‌ ହେବନାହିଁ । ମୁଁ ତମକୁ ଆଶୀର୍ବାଦ କରୁଛି-ସେ ଦିନ ନିଶ୍ଚୟ ଆସିବ, ତମେ ସୁଖୀ ହେବ ନିଶ୍ଚୟ; କିନ୍ତୁ ଦୁଇଟି କାମ ତମେ କରନାହିଁ । ମଦ ଖାଇବନି ଆଉ ରାଜନୈତିକ ବିପ୍ଳବ ଭିତରକୁ ଯିବନାହିଁ-। ତୁମେ କବି, ତୁମେ ଦେଶର ଶିଳ୍ପୀ-ରାଜନୀତି ଅପେକ୍ଷା ତୁମେ ବଡ଼, ଏକଥା ଭୁଲନା-

 

ଶଶୀ କହିଲା–ଆପଣ ଯେଉଁଥିରେ ଅଛନ୍ତି, ମୁଁ ସେଥିରେ ରହିଲେ ଦୋଷ ହେବ ? ମୁଁ କଣ ଆପଣଙ୍କ ଅପେକ୍ଷା ବଡ଼ ?

 

ଡାକ୍ତର କହିଲେ–ନିଶ୍ଚୟ ବଡ଼ । ତମର ପରିଚୟ ତ ଜାତିର ପ୍ରକୃତ ପରିଚୟ । ତମ ଛଡ଼ା ଏହାର ଓଜନ ଜଣାଯିବ କିଭଳି ? ଦିନେ ଏଇ ପରାଧୀନତା ସମସ୍ୟାର ସମାଧାନ ହେବ ନିଶ୍ଚୟ । ଏହାର ଦୁଃଖଦୈନ୍ୟର କାହାଣୀ ସେଦିନ ଜନଶ୍ରୁତିଠାରୁ ଅଧିକ ମୂଲ୍ୟ ପାଇବନାହିଁ; କିନ୍ତୁ ତମ କାମର ମୂଲ୍ୟ ନିରୂପଣ କିଏ କରିବ ? ତମେ ତ ଦେଶର ସମସ୍ତ ବିଚ୍ଛିନ୍ନ ବିକ୍ଷିପ୍ତ ଧାରାକୁ ମାଳା ପରି ଗୁନ୍ଥି ଦେଇଯିବ ।

 

ସୁମିତ୍ରା କହିଲେ–କବି ଯେ କେତେବେଳେ ଗୁନ୍ଥିବେ ସେ କଥା ସେ ଜାଣନ୍ତି; କିନ୍ତୁ ତମେ କଥା ଗୁନ୍ଥି ଗୁନ୍ଥି ତାଙ୍କର ଯେ ବର୍ତ୍ତମାନ ଦାମ୍‌ ବଢ଼େଇ ଦେଲ, ଭାରତୀ ତାଙ୍କୁ ସମ୍ଭାଳିବ କେମିତି ?

 

ଏ କଥା ଶୁଣି ସମସ୍ତେ ହସିଲେ । ଡାକ୍ତର କହିଲେ–ଶଶୀ ହେବ ଆମର ଜାତୀୟ କବି-। ହିନ୍ଦୁର ନୁହେଁ, ମୁସଲମାନର ନୁହେଁ, ଖ୍ରୀଷ୍ଟାନ୍‍ର ନୁହେଁ-ସମଗ୍ର ଦେଶର କବି । ସହସ୍ର ନଦନଦୀପ୍ରବାହିତ ଆମର ମାତୃଭୂମି–ଆମର ସୁଜଲା, ସୁଫଳା, ଶସ୍ୟଶ୍ୟାମଳା ଦେଶମାତୃକା, ଯେଉଁଠି ମିଥ୍ୟା ରୋଗର ଦୁଃଖ ନାହିଁ, ଦୁର୍ଭିକ୍ଷର କ୍ଷୁଧା ନାହିଁ, ବିଦେଶୀ ଶାସନର ଦୁଃସହ ଅପମାନର ଜ୍ଵାଳା ନାହିଁ, ମନୁଷ୍ୟତ୍ଵହୀନତାର ଲାଞ୍ଛନା ନାହିଁ–ତମେ ହେବ ତାର ଚାରଣ କବି । ପାରିବ ନାହିଁ ?

 

ଶଶୀ ଉଦ୍‌ବୁଦ୍ଧ ହୋଇ କହିଲା–ଡାକ୍ତର, ଚେଷ୍ଟା କଲେ ମୁଁ ଇଂରାଜୀରେ ବି କବିତା ଲେଖିପାରେ । ଏପରି କି–

 

ଡାକ୍ତର ବାଧାଦେଇ କହିଲେ–ନା, ନା, ଇଂରେଜୀ ନୁହେଁ, ଇଂରେଜୀ ନୁହେଁ, କେବଳ ତମର ମାତୃଭାଷା-ବଙ୍ଗଳା !

 

ଭାରତୀ ଗଦ୍‌ଗଦ ହୋଇ କହିଲେ–ଭାଇ, ଅନେକ ସମୟରେ ମୁଁ ଭାବେ, ଦେଶକୁ ଏତେ ଭଲପାଇବା ତମକୁ କିଏ ଶିଖାଇଥିଲା ! ଏହାର ଯେମିତି ସୀମା ନାହିଁ !

 

ଶଶୀ ଏହି କଥାର ଖିଅ ଧରି କହିଲା–ଦେଶର ଏଇ ବିଗତ ଗୌରବର ଗୀତି ହେବ ମୋର ସଙ୍ଗୀତ, ଏଇ ଦେଶପ୍ରୀତିର ଛନ୍ଦ ହେବ ମୋର କବିତାର ଛନ୍ଦ । ନିଜର ଦେଶକୁ ଲୋକେ ଯେପରି ପୁଣି ଥରେ ପୂର୍ବପରି ଭଲ ପାଇପାରନ୍ତି, ତାହା ହିଁ ହେବ ମୋର ଶିକ୍ଷା ।

 

ଡାକ୍ତର ବିସ୍ମିତ ହୋଇ ମୁହୂର୍ତ୍ତକ ପାଇଁ ଶଶୀ ମୁହଁକୁ ଚାହିଁଲେ, ତା’ପରେ ସୁମିତ୍ରାକୁ ଚାହିଁବାରୁ ଉଭୟ ହସିଲେ; କିନ୍ତୁ ଅନ୍ୟ ଦୁଇଜଣ ଏ ହସର ଅର୍ଥ ବୁଝିପାରିଲେ ନାହିଁ । ଡାକ୍ତର କହିଲେ–ଆଉଥରେ ପୂର୍ବପରି ଭଲ ପାଇବାର ଅର୍ଥ କଣ ଶଶୀ ? ବଙ୍ଗାଳୀ କସ୍ମିନ୍‌କାଳେ ବଙ୍ଗଦେଶକୁ ଭଲ ପାଇନାହିଁ । ଭଲ ପାଇବାର ତିଳାର୍ଦ୍ଧ ଥିଲେ ବଙ୍ଗାଳୀ ବିଦେଶୀ ସହ ଷଡ଼ଯନ୍ତ୍ର କରି ଏଇ ସାତକୋଟି ଭାଇ ଭଉଣୀଙ୍କୁ ଅବଲୀଳା କ୍ରମେ ବିଦେଶୀ ହାତରେ ସମର୍ପି ଦେଇଥାନ୍ତା ? ଜନନୀ ଜନ୍ମଭୂମି କେବଳ କଥାରେ ଥିଲା । ମୁସଲମାନ ବାଦ୍‌ସା ହାତରେ ସମର୍ପି ଦେବାପାଇଁ ହିନ୍ଦୁ ମାନସିଂ ହିନ୍ଦୁ, ପ୍ରତାପ ସିଂକୁ ପଶୁ ଭଳି ବାନ୍ଧି ନେଇଥିଲା ଏବଂ ତାକୁ ରସଦ ଯୋଗାଇଥିଲା ବଙ୍ଗାଳୀ । ବର୍ଗୀ ଦେଶ ଲୁଣ୍ଠନ କରିବାକୁ ଆସନ୍ତି, ବଙ୍ଗାଳୀ ଲଢ଼େଇ କରୁ ନ ଥିଲା, ମୁଣ୍ଡରେ ହାଣ୍ଡି ଘୋଡ଼େଇ ପାଣି ଭିତରେ ଲୁଚି ରହୁଥିଲା । ମୁସଲମାନ ଦସ୍ୟୁମାନେ ମନ୍ଦିର ଧ୍ଵଂସ କରିଦିଅନ୍ତି, ବଙ୍ଗାଳୀ ଦୌଡ଼ି ପଳାଇ-ଯାଏ-ଧର୍ମ ପାଇଁ ପ୍ରାଣ ଦିଏ ନାହିଁ । ସେ ବଙ୍ଗାଳୀ ଆମର କେହି ନୁହେଁ କବି-ସେମାନଙ୍କୁ ନେଇ ଗୌରବ କରିବାର କିଛି ନାହିଁ । ସେମାନଙ୍କୁ ଆମେ ସମ୍ପୂର୍ଣ୍ଣ ଅସ୍ଵୀକାର କରି ଆଗେଇବା–ସେମାନଙ୍କର ଧର୍ମ, ସେମାନଙ୍କ ଅନୁଶାସନ, ସେମାନଙ୍କ ଭୀରୁତା, ସେମାନଙ୍କ ଦେଶଦ୍ରୋହିତା, ସେମାନଙ୍କର ଯାହା କିଛି ଥିଲା ସବୁ, ସେଇ ହେବ ତମର ବିପ୍ଳବର ଗୀତ । ସେଇ ହେବ ତମର ଯଥାର୍ଥ ଦେଶପ୍ରେମ ।

 

ଶଶୀ ବିମୂଢ଼ ହୋଇ ଚାହିଁ ରହିଲା । ଏ ଉକ୍ତିର ଅର୍ଥ ବୁଝି ପାରିଲାନାହିଁ ।

 

ଡାକ୍ତର କହିଲେ–ସେମାନଙ୍କର କାପୁରୁଷତା ଯୋଗୁଁ ଆମେ ବିଶ୍ଵ ଦରବାରରେ ହେୟ, ସ୍ଵାର୍ଥପରତା ଯୋଗୁଁ ଭାରପ୍ରାପ୍ତ, ପଙ୍ଗୁ । ଖାଲି କଣ ଦେଶ ? ଯେ ଧର୍ମ ସେମାନେ ନିଜେ ମାନୁ ନଥିଲେ, ଯେ ଦେବତା ପ୍ରତି ସେମାନଙ୍କର ନିଜର ଅସ୍ଥା ନ ଥିଲା, ତା’ର ଦ୍ଵାହି ଦେଇ ସମସ୍ତ ଜାତିର ଆପାଦମସ୍ତକ ସେମାନେ ସହସ୍ର ବନ୍ଧନରେ ବାନ୍ଧିଦେଇ ଯାଇଛନ୍ତି । ଏ ଅଧୀନତା ଅନେକ ଦୁଃଖର ମୂଳ କାରଣ ।

 

ଶଶୀ ଧୀରେ ଧୀରେ କହିଲା–ଏ ସବୁ ଆପଣ କଣ କହୁଛନ୍ତି ?

 

ଭାରତୀ କ୍ଷୁବ୍‌ଧ ହୋଇ କହିଲା–ଭାଇ ଆଜି ମୁଁ ଖ୍ରୀଷ୍ଟାନ୍‌, କିନ୍ତୁ ସେମାନେ ମୋର ପୂର୍ବପୁରୁଷ । ସେମାନଙ୍କର ଆଉ ଯାହା ଦୋଷ ଥାଉନା କାହିଁକି, ଧର୍ମ ବିଶ୍ଵାସରେ ପ୍ରବଞ୍ଚନା ଥିଲା, ଏ ଭଳି ଅନ୍ୟାୟ କଟୂକ୍ତି ତମେ କରନି ।

 

ସୁମିତ୍ରା ଏ କଥାର ଉତ୍ତର ଦେଲେ । କହିଲେ–କାହା ସମ୍ପର୍କରେ କଟୂକ୍ତି କରିବା ଅନ୍ୟାୟ; କିନ୍ତୁ ଅଶ୍ରଦ୍ଧେୟକୁ ଶ୍ରଦ୍ଧା କରିବା ଅନ୍ୟାୟ–ସେମାନେ ପୂର୍ବପୁରୁଷ ହେଲେ ବି । ଏଥିରେ ଯୁକ୍ତି ନାହିଁ ଭାରତୀ, ଯାହା କୁସଂସ୍କାର ତାକୁ ପରିତ୍ୟାଗ କରିବାକୁ ଶିଖ ।

 

ଡାକ୍ତର ଶଶୀକୁ ଚାହିଁ କହିଲେ–କୌଣସି ନୀତି କେବଳ ପ୍ରାଚୀନତାର ଜୋର୍‌ରେ ସତ୍ୟ ହୋଇ ଉଠେନା କବି । ପୁରାତନର ଗୁଣଗାନ କରିବା ବଡ଼ ଗୁଣ ନୁହେଁ । ତା ଛଡ଼ା ଆମେ ବିପ୍ଳବୀ, ପୁରାତନର ମୋହ ଆମ ପାଇଁ ନୁହେଁ । ଆମର ଦୃଷ୍ଟି, ଆମର ଗତି, ଆମର ଲକ୍ଷ୍ୟ ସବୁବେଳେ ଆଗକୁ, ପୁରାତନକୁ ଧ୍ଵଂସ କରି ଆମକୁ ଆଗେଇବାର ବାଟ ତିଆରି କରିବାକୁ ହୁଏ । ୟା ଭିତରେ ମାୟାମମତାର ଅବକାଶ ନାହିଁ । ଜୀର୍ଣ୍ଣ, ମୃତ ପଥରେ ପଡ଼ି ରହିଲେ ଆମର ଚଲାବାଟ ପାଇଁ ପଥ ପାଇବା କେଉଁଠୁ ?

 

ଭାରତୀ କହିଲା–ମୁଁ କେବଳ ଯୁକ୍ତି ପାଇଁ କହୁନି, ମୁଁ ପ୍ରକୃତରେ ତମଠାରୁ ଜୀବନର ସତ୍ୟ ଅନ୍ଵେଷଣ କରୁଛି । ତମେ ପୁରାତନ ଶତ୍ରୁ; କିନ୍ତୁ କୌଣସି ଗୋଟାଏ ସଂସ୍କାର ବା ରାଜନୀତି କେବଳ ମାତ୍ର ପ୍ରାଚୀନ ବୋଲି କଣ ନିଷ୍ଫଳ, ବୃଥା ଏବଂ ପରିତ୍ୟଜ୍ୟ ? ମଣିଷ ତା ହେଲେ କାହା ଉପରେ ଭରା ଦେଇ ଠିଆ ହେବ ?

 

ଡାକ୍ତର କହିଲେ–ଭରାଦେଇ ଠିଆ ହେବାପାଇଁ ଗୋଟାଏ ବସ୍ତୁର କି ଦରକାର ଅଛି, ମୁଁ ଜାଣେ ନା । ତେବେ ଭାରତୀ, ବୟସ ସଙ୍ଗେ ସଙ୍ଗେ ଦିନେ ସମସ୍ତ ଜିନିଷ ପ୍ରାଚୀନ ଜୀର୍ଣ୍ଣ ଓ ଅକାମୀ ଏଣୁ ପରିତ୍ୟଜ୍ୟ ହୋଇଯାଏ । କେବଳ ମାତ୍ର ବର୍ଷର ସଂଖ୍ୟାଦ୍ଵାରା କୌଣସି ଗୋଟାଏ ସଂସ୍କାରର ପ୍ରାଚୀନତା ନିରୂପଣ କରାଯାଏନା । ତା ହୋଇଥିଲେ ତମେ ଆଜି ମୋ ସଙ୍ଗେ ସ୍ଵର ମିଳେଇ ଯାହା କିଛି ଜୀର୍ଣ୍ଣ ପୂରାତନ ତାକୁ ନିର୍ବିଚାରରେ ଧ୍ଵଂସ କରିବାକୁ ଆଗେଇ ଆସନ୍ତ ।

 

ଭାରତୀ କହିଲା–ଭାଇ, ତମେ କଣ ନିଜେ ପାରିବ ?

 

କଣ ପାରିବି ?

 

ଯାହା ସବୁ ପ୍ରାଚୀନ ଓ ପବିତ୍ର, ତାକୁ ଧ୍ଵଂସ କରିଦେଇ ପାରିବ ?

 

ଡାକ୍ତର କହିଲେ–ନିଶ୍ଚୟ । ସେଇ ତ ମୋର ବ୍ରତ । ପୁରାତନ ମାତ୍ରେ ପବିତ୍ର ନୁହେଁ ଭାରତୀ । ମଣିଷ ସତୁରୀ ବର୍ଷର ପ୍ରାଚୀନ ବୋଲି ସେ ଦଶ ବର୍ଷର ଶିଶୁଠାରୁ ପବିତ୍ରତର ହୋଇଯାଏନା । ତମ ନିଜ କଥା ଦେଖ, ମଣିଷର ଅବିଶ୍ରାମ ପ୍ରଗତିରେ ଭାରତର ବର୍ଣ୍ଣାଶ୍ରମ ଧର୍ମ ସବୁ ଦିଗରୁ ମିଥ୍ୟା ହୋଇଯାଇଛି । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର କେହି ତ ଆଉ ବର୍ଣ୍ଣା-ଶ୍ରମ ନୀତି ଅବଲମ୍ବନ କରୁନାହାନ୍ତି । ତେବେ ବି ତାକୁ କିଏ ପବିତ୍ର ମନେ କରେ ଜାଣ ଭାରତୀ ? ବ୍ରାହ୍ମଣ । ଚିରସ୍ଥାୟୀ ବନ୍ଦୋବସ୍ତକୁ ସଂମ୍ପୂର୍ଣ୍ଣ ପବିତ୍ର ବୋଲି କିଏ ଧରି ରଖିଛି ? ଜମିଦାର । ଏହାର ସ୍ଵରୂପ ବୁଝିବା ତ ଶକ୍ତ ନୁହେଁ ଭଉଣୀ । ଯେ ସଂସ୍କାରର ମୋହରେ ଅପୂର୍ବ ଆଜି ତମକୁ ଛାଡ଼ିଦେଇ ଯାଇପାରିଲା, ତାଠାରୁ ବଡ଼ ଅସତ୍ୟ ଆଉ ଅଛି କି ? ଖାଲି କଣ ଅପୂର୍ବର ସଂସ୍କାର ? ତମର ଖ୍ରୀଷ୍ଟାନ୍‌ ଧର୍ମ ବି ଆଜି ସେଇ ଭଳି ଅସତ୍ୟ ହୋଇ ଯାଇଛି ।

 

ଭାରତୀ ! ଏହାର ପ୍ରାଚୀନ ମୋହ ତମକୁ ଛାଡ଼ିବାକୁ ହେବ ।

 

ଭାରତୀ ଭୟପାଇ କହିଲା–ଯେ ଧର୍ମକୁ ଭଲପାଏ, ବିଶ୍ଵାସ କରେ, ତମେ ଛାଡ଼ିବାକୁ କହୁଛ ଭାଇ ?

 

ଡାକ୍ତର କହିଲେ–ନିଶ୍ଚୟ, କାରଣ ଧର୍ମ ମିଥ୍ୟା-ଆଦିମ ମଣିଷର କୁସଂସ୍କାର । ବିଶ୍ଵମାନବତାର ଏତେ ବଡ଼ ପରମ ଶତ୍ରୁ ଆଉ ନାହିଁ ।

 

ଭାରତୀର ମୁହଁ ଶୁଖିଗଲା । ବହୁ ସମୟ ପରେ କହିଲା–ଭାଇ, ଯେଉଁଠି ଥାଅ ନା କାହିଁକି, ମୁଁ ତମକୁ ସବୁବେଳେ ଭଲ ପାଇବି; କିନ୍ତୁ ଏଇ ଯଦି ତମର ପ୍ରକୃତ ମତ ହୁଏ, ଆଜିଠାରୁ ତମର ମୋର ପଥ ଭିନ୍ନ । ଗୋଟାଏ ଦିନ ବି ମୁଁ ଭାବି ନଥିଲି ସେ ଏ ପଥ ଏପରି ପାପର ପଥ ।

 

ଡାକ୍ତର ମୁରୁକି ମୁରୁକି ହସୁଥିଲେ ।

 

ଭାରତୀ କହିଲା–ମୁଁ ନିଶ୍ଚୟ ଜାଣେ, ତମର ଏଇ ଦୟାହୀନ ନିଷ୍ଠୁର ଧ୍ଵଂସର ପଥରେ କଲ୍ୟାଣ ନାହିଁ । ମୋର ସ୍ନେହର ପଥ, କରୁଣାର ପଥ, ଧର୍ମବିଶ୍ଵାସର ପଥ-ସେଇ ପଥ ମୋର ଶ୍ରେୟ, ସେଇ ପଥ ମୋର ସତ୍ୟ ।

 

ସେଇଥିପାଇଁ ତମକୁ ମୁଁ ମୋ ବାଟରେ ଟାଣି ଆଣିନି ଭାରତୀ । ତମ ସମ୍ପର୍କରେ ସୁମିତ୍ରା ଭୁଲ କରିଥିଲେ; କିନ୍ତୁ ମୋର କେବେ ଭୁଲ ହୋଇନି । ସ୍ନେହର ଆୟୋଜନ, କରୁଣାର ପ୍ରତିଷ୍ଠାନ, ପୃଥିବୀରେ ଅନେକ ମିଳିବ । ପାଇବନି କେବଳ ‘ଚଲାପଥର ଦାବୀ’-କହୁ କହୁ ତାଙ୍କ ଆଖି କ୍ଷଣକପାଇଁ ଉଜ୍ଵଳ ହୋଇ ଉଠିଲା । କଣ୍ଠସ୍ଵର ସ୍ଥିର, ଗମ୍ଭୀର । ଭାରତୀ ଓ ସୁମିତ୍ରା ଉଭୟେ ବୁଝିଲେ, ସବ୍ୟସାଚୀର ଏଇ ଶାନ୍ତ ଶ୍ରୀମୁଖ, ଏଇ ସଂଯତ ଅଚଞ୍ଚଳ ଭାଷା ସବୁଠାରୁ ଭୀଷଣ । ସେ ମୁହଁ ଟେକି କହିଲେ–ତମକୁ ତ ଅନେକ ଥର କହିଛି ଭାରତୀ, କଲ୍ୟାଣ ମୋର କାମ୍ୟ ନୁହେଁ, କାମ୍ୟ ସ୍ଵାଧିନତା । ପ୍ରତାପ ଯେତେବେଳେ ଚିତୋରକୁ ଜନହୀନ ଅରଣ୍ୟରେ ପରିଣତ କରିଦେଲେ, ସେତେବେଳେ ସମସ୍ତ ରାଜ–ପୁତାନାରେ ତାଠାରୁ ଅକଲ୍ୟାଣକର କିଛି ନ ଥିଲା-ସେଇ ଅକଲ୍ୟାଣ ଆଜି କଲ୍ୟାଣ ଠାରୁ ବହୁଗୁଣ ମୂଲ୍ୟବାନ୍‌; କିନ୍ତୁ ଏ ସବୁ ନିଷ୍ଫଳ ତର୍କ ଥାଉ । ମୋ ବ୍ରତ ନିକଟରେ କିଛି ଅସତ୍ୟ, କିଛି ଅକଲ୍ୟାଣ ନାହିଁ । ଭାରତୀ ଚୁପ୍‌ହୋଇ ବସି ରହିଲା । ତାଙ୍କର ଅନେକଥର ତର୍କ ଓ ମତଭେଦ ହୋଇଛି, କିନ୍ତୁ ଏଭଳି କେବେ ହୋଇନି । ଆଜି ତାହାର ସମସ୍ତ ମନ ବିଷଷ୍ଣ ଓ ଭାରାକ୍ରାନ୍ତ ହୋଇଗଲା ।

 

ଡାକ୍ତର ଘଡ଼ିକୁ ଚାହିଁଲେ, ତା’ପରେ ସହଜ କଣ୍ଠରେ ଭାରତୀକୁ କହିଲେ–ଜୁଆର ଆସିବାର ସମୟ ହେଲାଣି ଭାରତୀ, ଉଠ ।

 

ଭାରତୀ ଠିଆହୋଇ କହିଲା–ଚାଲ ।

 

ଡାକ୍ତର ଖାଦ୍ୟ ପୁଟୁଳିଟି ହାତରେ ଧରି ଉଠିଲେ । ସୁମିତ୍ରାଙ୍କୁ ପଚାରିଲେ–ସୁମିତ୍ରା ବଜେନ୍ଦ୍ର, କେଉଁଠି ? ସୁମିତ୍ରା ଉତ୍ତର ନ ଦେଇ ମୁଣ୍ଡ ପୋତି ବସିଲେ ।

 

ତମକୁ ଛାଡ଼ିଦେଇ ଆସିବି ?

 

ନା ।

 

ଡାକ୍ତର କହିଲେ–ଆଚ୍ଛା । ତାପରେ ଭାରତୀକୁ କହିଲେ–ଆଉ ଡେରି କରନା, ଚାଲ । ତା’ପରେ ସେମାନେ ଓହ୍ଲାଇଗଲେ ।

 

ସୁମିତ୍ରା ସେଭଳି ମୁଣ୍ଡପୋତି ବସି ରହିଲେ ।

 

ଛବିଶ

 

ସ୍ଵପ୍ନଚାଳିତପରି ଭାରତୀ ଆସି ନାଆରେ ବସିଲା । ରାତି ବୋଧହୁଏ ତୃତୀୟ ପ୍ରହର ହେବ । ଆକାଶର ଅସଂଖ୍ୟ ନକ୍ଷତ୍ରଙ୍କ ଆଲୋକରେ ପୃଥିବୀ ଆଲୋକିତ । ନୌକା ଆସି ପୂର୍ବକଥିର ଘାଟରେ ପହଞ୍ଚିଲା । ସବ୍ୟସାଚୀ ହାତଧରି ଭାରତୀକୁ ଓହ୍ଲାଇଦେଇ ନିଜେ ଓହ୍ଲାଇବାର ଉପକ୍ରମ କରିବାରୁ, ଭାରତୀ କହିଲା–ମତେ ଘରେ ଛାଡ଼ିବାର ଦରକାର ନାହିଁ ଭାଇ, ମୁଁ ନିଜେ ଯାଇପାରିବି ।

 

ରାତିରେରେ ଏକୁଟିଆ ଯିବାକୁ ଭୟ ଲାଗିବନାହିଁ ?

 

ଲାଗିବ ହୁଏତ, କିନ୍ତୁ ସେଥିପାଇଁ ତମକୁ ଆସିବାକୁ ହେବନାହିଁ ।

 

ସବ୍ୟସାଚୀ କହିଲେ–ଚାଲ, ମୁଁ ତମକୁ ଛାଡ଼ିଦେଇ ସଙ୍ଗେ ସଙ୍ଗେ ଫେରିଆସିବି ।

 

ଭାରତୀ ହାତଯୋଡ଼ି କହିଲା–ତମେ ସାଙ୍ଗରେ ଆସି ମୋ ଭୟ ହଜାର ଗୁଣ ବଢ଼ାଇ ଦେବ ମାତ୍ର । ତମେ ତମ ବସାକୁ ଯାଅ ।

 

ବାସ୍ତବିକ୍‌ ସାଙ୍ଗରେ ଯିବା ବିପଜ୍ଜନକ, ତେଣୁ ଡାକ୍ତର ଆଉ ଜିଦ୍‌ ନ ଧରି ନଈକୂଳରେ ଠିଆହୋଇ ରହିଲେ, ଭାରତୀ ବସାକୁ ଗଲା ।

 

ବସାକୁ ଆସି ସେ ଚାବି ଖୋଲି ଘର ଭତରେ ପ୍ରବେଶକଲା । ଆଲୋକ ଜଳେଇ ଚାରିଆଡ଼କୁ ସାବଧାନରେ ନିରୀକ୍ଷଣ କରି ଦେଖିଲା । ତା’ପରେ କୌଣସି ମତେ ଗୋଟାଏ ଶେଯ ପକାଇ ଶୋଇପଡ଼ିଲା । ଦେହ ଅବଶ, ମନ ଅବସନ୍ନ । ତନ୍ଦ୍ରାତୁର ଆଖି ଶାନ୍ତିରେ ମୁଦି ହୋଇ ଆସିଲା କିନ୍ତୁ କୌଣସି ମତେ ଶୋଇ ପାରିଲାନାହିଁ । ସବ୍ୟସାଚୀଙ୍କର ଗୋଟାଏ କଥା ତା ମନକୁ ବାରମ୍ବାର ଆସିଲା ଯେ, ସଂସାରରେ ଚିରସ୍ଥାୟୀ ସତ୍ୟ ବୋଲି କିଛି ନାହିଁ । ତାର ଜନ୍ମ ଅଛି, ମୃତ୍ୟୁ ଅଛି-ଯୁଗେ ଯୁଗେ, କାଳେ କାଳେ ମଣିଷର ପ୍ରୟୋଜନ ଅନୁଯାୟୀ ତାକୁ ନୂତନ ରୂପରେ ଆସିବାକୁ ହୁଏ । ଅତୀତର ସତ୍ୟରୁ ବର୍ତ୍ତମାନ ଗ୍ରହଣ କରିବାକୁ ହେବ, ଏ ବିଶ୍ଵାସ ଭ୍ରାନ୍ତ, ଏ ଧାରଣା କୁସଂସ୍କାର । ଦିନେ ସବ୍ୟସାଚୀ କହିଥିଲେ, ପରାଧିନ ଦେଶର ଶାସକ ଏବଂ ଶାସିତଙ୍କର ନୈତିକ ବୁଦ୍ଧି ଯେତେବେଳେ ସମଦୃଷ୍ଟି କୋଣସଂପନ୍ନ ହୋଇଯାଏ, ସେତେବେଳେ ତା ଦେଶପାଇଁ ସବୁଠାରୁ ବଡ଼ ଦୁର୍ଭାଗ୍ୟ । ସେ ଦିନ ଭାରତୀ ଏ କଥାର ତାତ୍ପର୍ଯ୍ୟ ବୁଝିପାରି ନ ଥିଲା, ବର୍ତ୍ତମାନ କିନ୍ତୁ ଏ କଥାର ଅର୍ଥ ତା ପାଖରେ ପରିଷ୍କାର ହୋଇଗଲା ।

 

ଘଡ଼ିରେ ତିନିଟା ବାଜିଲା । କେତେବେଳେ ଯେ ସେ ଶୋଇପଡ଼ିଛି ସେ ଜାଣେନା; କିନ୍ତୁ ନିଦବାଉଳାରେ ସେ କହୁଥିଲା–ଭାଇ, ତମେ ଅତିମାନବ, ତମ ପ୍ରତି ମୋର ଭକ୍ତି, ଶ୍ରଦ୍ଧା, ସ୍ନେହ ସବୁବେଳେ ଅଟଳ ରହିବ, କିନ୍ତୁ ତମର ଏ ଯୁକ୍ତି ମୁଁ କୌଣସିମତେ ଗ୍ରହଣ କରିପାରିବି ନାହିଁ । ଜଗଦୀଶ୍ଵର କରନ୍ତୁ, ତମଦ୍ଵାରା ଯେପରି ଏ ଦେଶ ସ୍ଵାଧୀନତା ଲାଭ କରେ; କିନ୍ତୁ ସେଥିପାଇଁ ଅନ୍ୟାୟକୁ ନ୍ୟାୟର ରୂପଦେଇ ଠିଆକରାଅ ନାହିଁ ।

 

ତା ପରଦିନ ଅନେକ ଡେରିରେ ଭାରତୀର ନିଦ ଭାଙ୍ଗିଲା । ପିଲାମାନେ ସ୍କୁଲଦ୍ଵାର ମୁହଁରେ ଠିଆହୋଇ ଡାକୁଛନ୍ତି । ସେ ତରତରରେ ହାତମୁହଁ ଧୋଇ ତଳକୁ ଆସି କବାଟ ଖୋଲିବାମାତ୍ରେ କେତୋଟି ଶିଶୁ ସ୍ଲେଟ୍‌ ବସ୍ତାନି ଧରି ଘର ଭିତରକୁ ପଶିଆସିଲେ । ସେମାନଙ୍କୁ ବସିବାକୁ କହି ଭାରତୀ ଲୁଗା ବଦଳାଇବାକୁ ଯାଉଥିଲା, ହୋଟେଲ୍‌ର ମାଲିକ ଆସି ପହଞ୍ଚିଲା । କହିଲା–ଅପୂର୍ବବାବୁ ତମକୁ କାଲି ରତିଠୁଁ ଖୋଜୁଛନ୍ତି ଦିଦି ।

 

ଭାରତୀ ବୁଲିପଡ଼ି ପଚାରିଲା–କାଲି ରାତିରେ ଆସିଥିଲେ ?

 

ପୂଜାରୀ କହିଲା–ହଁ । ଏବେ ସକାଳୁ ଆସି ହୋଟେଲ୍‌ରେ ଅପେକ୍ଷା କରିଛନ୍ତି । ଯାଉଛି ପଠେଇଦେବି ।

 

ଭାରତୀର ମୁହଁ ଶୁଷ୍କ ଓ କଠୋର ହୋଇଗଲା । ସେ କହିଲା–ମୋଠାରେ ତାଙ୍କର କଣ ଦରକାର ?

 

ପୂଜାରୀ କହିଲା-ସେ କଥା ମୁଁ କହିପାରିବିନି । ତାଙ୍କ ମା’ଙ୍କର ଦେହ ଖରାପ, ସେଇ ବିଷୟରେ ବୋଧହୁଏ କଣ ପଚାରିବେ ।

 

ଭାରତୀ ଚିଡ଼ିଉଠି କହିଲା–କେଉଁଠି ତାଙ୍କ ମା’ଙ୍କର କଣ ହେଇଛି-ମୁଁ ସେଥିରେ କଣ କରିବି ?

 

ପୂଜାରୀ ବିସ୍ମିତ ହେଲା । ଅପୂର୍ବବାବୁଙ୍କୁ ସେ ଭଲକରି ଚିହ୍ନେ-ସେ ଉଚ୍ଚପଦସ୍ଥ ବ୍ୟକ୍ତି । ଆଗେ ଏଇ ଘରେ ତାଙ୍କର ଯତ୍ନ ଓ ଆଦରର କେବେ ତ୍ରୁଟି ହୋଇନାହିଁ । ଆଜି ହଠାତ୍‌ ଏଇ ରାଗର କାରଣ ସେ ବୁଝିପାରିଲା ନାହିଁ । କହିଲା–ମୁଁ ସେ ସବୁ ଜାଣେନା, ଯାଉଛି ତାଙ୍କୁ ପଠେଇଦେବି । ଏହା କହି ସେ ଯିବାପାଇଁ ଉଦ୍ୟତ ହେବାମାତ୍ରେ ଭାରତୀ ତାକୁ ପଛରୁ ଡାକି କହିଲା–ସକାଳେ ମୋର ଅନେକ କାମ, ପିଲମାନେ ଆସିଲେଣି । ସେମାନଙ୍କ ପଢ଼ାପଢ଼ି ଦେଖିବାକୁ ହେବ । ଯାଇ କହିଦିଅ–ଏଇଲେ ଦେଖା କରିବାକୁ ସମୟ ହେବନି ।

 

ପୂଜାରୀ କହିଲା–ତାହେଲେ କଣ କହିବି–ଖରାବେଳେ ବା ସଂଧ୍ୟାରେ ଆସିବାକୁ ?

 

ଭାରତୀ କହିଲା–ନା, ମୋର ସମୟ ନାହିଁ ।

 

ଗାଧୋଇ ସାରି ଘଣ୍ଟାଏ ପରେ ସେ ତଳକୁ ଓହ୍ଲାଇଆସିଲା । ସେତେବେଳକୁ ପିଲମାନେ ସମସ୍ତେ ଆସିଗଲେଣି । ପଢ଼ାପଢ଼ି ଜୋର୍‌ସୋର୍‌ ଚାଲିଛି । ଆଗେ ଦୁଇବେଳା ସ୍କୁଲ ହେଉଥିଲା, ଏବେ ଲୋକ ଅଭାବରୁ ନୈଶବିଦ୍ୟାଳୟଟା ବନ୍ଦ କରିଦିଆଯାଇଛି । ସୁମିତ୍ରା ନାହାନ୍ତି, ଡାକ୍ତର ଆତ୍ମଗୋପନ କରିଛନ୍ତି, ନବତାରା ଅନ୍ୟତ୍ର ଯାଇଛି-ଖାଲି ନିଜ ବସାବୋଲି ଭାରତୀ କୌଣସିମତେ ସକାଳ ଓଳିଟା ଚଳେଇ ନେଉଥିଲା । ନିୟମ ଅନୁଯାୟୀ ସେ ପଢ଼େଇ ବସିଲା, କିନ୍ତୁ ମନ ଦେଇପାରିଲା ନାହିଁ । ତେବେ କୌଣସି ପ୍ରକାରେ ଦୁଇ-ଘଣ୍ଟା କଟେଇ ଦେଇ ସେ ପିଲାମାନଙ୍କୁ ଛାଡ଼ିଦେଲା । ତା’ପରେ କିପରି ତାର ଦିନସାରା କଟିବ ସେ ବୁଝିପାରିଲା ନାହିଁ । ସବୁ ଭାବନା ଭିତରେ ମଝିରେ ମଝିରେ ଅପୂର୍ବ କଥା ତାର ମନକୁ ଆସୁଥିଲା । ତାକୁ ଏପରି ପ୍ରତ୍ୟାଖ୍ୟାନ କରିବା ଭିତରେ ଯେତେ ଅଶୋଭନୀୟତା ଥିଲେ ବି ତାକୁ ପ୍ରଶ୍ରୟଦେବା ଯେ ଆଉରି ଖରାପ ହୋଇଥାନ୍ତା । ଏ ସଂପର୍କରେ ତାର ସନ୍ଦେହ ନ ଥିଲା । ରୁଗ୍‌ଣା ମାତା ପାଖକୁ ଅପୂର୍ବ ସାହସ କରି ଯାଇପାରୁନଥିବ, ଏ କଥା ଭାବି ଭାରତୀ ଗୋଟାଏ ଆଡ଼ୁ ଯେତିକି ଦୟା ହେଲା, ଅନ୍ୟ ଦିଗରୁ ତାର ଏଇ ଅସହ୍ୟ ଭୀରୁତା ପାଇଁ ସେ ରାଗରେ ଜଳିବାକୁ ଲାଗିଲା । ସେ ମନେ ମନେ କହିଲା–ଶୁଶ୍ରୁଷା କରି ପାରିବନି ବୋଲି କଣ ପୀଡ଼ତା ମା’ଙ୍କ ପାଖରେ ରହିବା କଥା ନୁହେଁ-? ଅପୂର୍ବ କଣ ମୋ ଠାରୁ ଏଇ ଉପଦେଶ ଆଶାକରେ ?

 

ଏଇଭଳି ଭାରତୀ ନାନାଆଡ଼ୁ ଚିନ୍ତା କରିବାକୁ ଲାଗିଲା । ମା’ଙ୍କ ସ୍ଵାସ୍ଥ୍ୟ ବିଷୟ ଛଡ଼ା ଅପୂର୍ବର ଯେ ଅନ୍ୟ କିଛି ପଚାରିବା ଥାଇପାରେ, ଏହା ବ୍ୟତୀତ ଅନ୍ୟ କିଛି ଯେ ଘଟି ପାରିଥାଏ, ଏ କଥା ତା ମନକୁ ଛୁଇଁଲାନାହିଁ ।

 

ଭୋକ ନ ହେବାରୁ ଭାରତୀ ଆଜି ରାନ୍ଧିବାର ଚେଷ୍ଟା କଲାନାହିଁ । ବେଳ ଗଡ଼ିବା ପରେ ଗୋଟାଏ ଘୋଡାଗାଡ଼ି ଆସି ତା ଦ୍ଵାରମୁହଁରେ ଠିଆହେଲା । ଭାରତୀ ଉପରମହଲାରୁ ଝରକାରେ ମୁହଁଗଳାଇ ଦେଖିଲା–ସବୁ ଜନଷପତ୍ର ଗାଡ଼ିରେ ଲଦି ଶଶୀ ଆସି ଉପସ୍ଥିତ । ଗତ ରାତିରେ ଯାହାକୁ ସେ ଥଟ୍ଟା ବୋଲି ଭାବିଥିଲା, ତାକୁ ଯେ କେହି ବାସ୍ତବ ବୋଲି ବିଚାରି ତା ଅନୁସାରେ କାମ କରିପାରେ, ଏ କଥା ସେ କଳ୍ପନା ବି କରିନଥିଲା; କିନ୍ତୁ ଶଶୀ ପାଖରେ ଅସମ୍ଭବ କିଛି ନାହିଁ ।

 

ଭାରତୀ ତଳକୁ ଓଲ୍ଲାଇ ଆସି ପଚାରିଲା–ଘଟଣା କଣ ଶଶୀବାବୁ ?

 

ଶଶୀ ହସି ହସି କହିଲା–ବସା ଛାଡ଼ିଦେଇ ଚାଲି ଆସିଲି । ତା’ପରେ ହଠାତ୍‌ ଗାଡ଼ିବାଲାକୁ କହିଲା–ସାମାନ୍‌ ସବ୍‌ ଉପରମେ ଲେଯାଓ ।

 

ଭାରତୀ ବିରକ୍ତ ହୋଇ କହିଲା–ଉପରେ ଜାଗା କାହିଁ ?

 

ଶଶୀ କହିଲା–ତା ହେଲେ ତଳଘରେ ରଖୁ ।

 

ଭାରତୀ କହିଲା–ତଳଘରେ ତ ସ୍କୁଲ ହୁଏ, ସେଠି ସୁବିଧା ହେବନି ।

 

ଶଶୀ ଚିନ୍ତିତ ହେଲା । ତଳଘରେ ତାକୁ ଭରସା ଦେଇ କହିଲା–ଗୋଟିଏ କାମ କରନ୍ତୁ ଶଶୀବାବୁ-ହୋଟେଲରେ ଡାକ୍ତରଙ୍କ ଘରଟା ଏ ପର୍ଯ୍ୟନ୍ତ ଖାଲି ଅଛି, ଆପଣ ସେଇଠି ଯାଇ ରହିଯାଅନ୍ତୁ । ଖାଇବା ପିଇବା ପାଇଁ ବି ଅସୁବିଧା ହେବନି ।

 

କିନ୍ତୁ ଉଡ଼ା ପଡ଼ିବ ତ ?

 

ଭାରତୀ ହସି ପକାଇଲା-ନା, ଭଡ଼ା ବି ଲାଗିବନି । ଛ’ମାସର ଭଡ଼ା ଭାଇ ଦେଇ ଯାଇଛନ୍ତି ।

 

ଶଶୀ ଏ ବ୍ୟବସ୍ଥାରେ ରାଜି ହେଲା । ସମସ୍ତ ଜିନିଷପତ୍ର ସମେତ ଶଶୀକୁ ହୋଟେଲରେ ରହିବାର ବ୍ୟବସ୍ଥା କରିଦେଇ ଆସିଲାବେଳକୁ ରାତି ହେଲାଣି । ଆଜି ସବୁ ଦିଗରୁ ତା ମନଟା ଖରାପ ଥିଲା । ତେଣୁ କାଳେ ଶଶୀ ବା ଅନ୍ୟ କେହି ଆସି ତା ନିର୍ଜନତା ବ୍ୟାଘାତ କରିବ, ଏହି ଆଶଙ୍କାରେ ସେ ତଳ ଓ ଉପର ଘରର ଝରକା ଦୁଆର ବନ୍ଦକରି ଶୋଇବା ଘରକୁ ଗଲା ।

 

ଅଭ୍ୟାସାନୁଯାୟୀ ସକାଳୁ ଉଠି ଭାରତୀ ଦେଖିଲା ଯେ ପୂର୍ବଦିନର ଉପବାସ ହେତୁ ତାର ସମସ୍ତ ଶରୀର ଅବସନ୍ନ । ଛୁଆଁ ଛୁଇଁ ବିଚାର ନ ଥିଲେ ବି ଯେଉଁଠି ମନ ସେଇଠି, ଯାହା ତା ହାତରେ ଖାଇବାକୁ ତାକୁ ଘୃଣା ଲାଗେ । ମାଙ୍କ ମୃତ୍ୟୁ ପରଠାରୁ ଖର୍ଚ୍ଚର ଦ୍ଵାହି ଦେଇ ସେ ନିଜ ହାତରେ ରାନ୍ଧି ଖାଏ । କେବଳ ଅସୁସ୍ଥ ହୋଇ ପଡ଼ିଲେ ବା ଅତି ବେଶି କାମ ପଡ଼ିଲେ, ସେ କଦାଚିତ୍‌ ବ୍ରାହ୍ମଣ ହୋଟେଲରୁ ମଗେଇ ଆଣି ଖାଏ । ବିଛଣାରୁ ଉଠି ସେ ହାତମୁହଁ ଧୋଇ ଅନ୍ୟ ଦିନ ପରି ପ୍ରସ୍ତୁତ ହେଲା । ଆଜି ରାନ୍ଧିବାର ପ୍ରବୃତ୍ତି ନ ଥିବାରୁ ହୋଟେଲରୁ ରୁଟି ଓ ତରକାରି ପଠେଇ ଦେବାକୁ ଖବର ଦେଲା । ସୋମବାର ଦିନ ତାର ସ୍କୁଲ ବନ୍ଦ ଥିବାରୁ ତାକୁ ସେ ବାବଦରେ ହଇରାଣ ହେବାକୁ ପଡ଼ିଲାନାହିଁ ।

 

ଅନେକ ଡେରିରେ ଖାଇବାକୁ ନେଇ ହୋଟେଲ ଚାକରାଣୀ ପହଞ୍ଚି କହିଲା–ବହୁତ ଡେରି ହୋଇଗଲା, ଦିଦି ।

 

ଭାରତୀ ତାର ଥାଳି ଓ ଗିନା ଆଣି ଟେବୁଲ ଉପରେ ରଖିଲା । ରୁଟି ଓ ତରକାରି ସେଥିରେ ଢାଳି ଦେଉ ଦେଉ ଚାକରାଣୀ କହିଲା–ଏଥର ବସ, ଖାଅ !

 

ଭାରତୀ ତା’ ମୁହଁକୁ ଚାହିଁରହିଲା । ସେ କହିଲା–ସେଠୁ ଫେରି ଆସି ଶୁଣିଲି ତମ ଦେହ ଖରାପ । ଏକୁଟିଆ କେତେ ଚାରିଆଡ଼କୁ ହେବି ? ଦି’ ଖଣ୍ଡ ରୁଟି ବେଲିଦେବାକୁ ବି କେହି ନାହିଁ । ଆଉ ଡେରି କରନି, ଥଣ୍ଡା ହେଇଯିବ ।

 

ଭାରତୀ ମୃଦୁ ସ୍ଵରରେ କହିଲା–ତୁମେ ଯାଅ, ମୁଁ ଖାଇବସିବି ।

 

ସେ କହିଲା–ଯାଉଛି । ଚାକରଟା ତ ସାଙ୍ଗରେ ଗଲାନି, ଏକୁଟିଆ ସବୁ ଧୁଆଧୋଇ କଲି–ଶେଷରେ ବାବୁ ମୋ ହାତରେ କୋଡ଼ିଏଟି ଟଙ୍କା ଦେଇ କାନ୍ଦି ପକାଇଲେ । କହିଲେ–ତମେ ଯାହା କଲ, ମୋର ଭଉଣୀ ଥିଲେ ବି ମା ପାଇଁ ଏହା କରି ନ ଥାନ୍ତା । ମତେ ବି କାନ୍ଦ ଲାଗିଲା ଦିଦି । ବିଦେଶ ଭୂଇଁ, ଆପଣାର ଲୋକ ପାଖରେ କେହି ନାହିଁ । ସମୁଦ୍ର ରାସ୍ତା, ଟେଲିଗ୍ରାମ୍‌ କଲେ ତ ଆଉ ପୁଅବୋହୁ ଉଡ଼ି ଆସିପାରିବେ ନାହିଁ–ତାଙ୍କର ବା ଦୋଷ କଣ ?

 

ଅଜଣା ଆଶଙ୍କାରେ ଭାରତୀର ଛାତି ଭିତରଟା ଥରି ଉଠିଲା । ସେ ମୁହଁ ଫିଟାଇ କିଛି ପଚାରିପାରିଲା ନାହିଁ, ଖାଲି ତା ମୁହଁକୁ ଚାହିଁ ରହିଲା । ସେ କହିବାକୁ ଲାଗିଲା ନନା ମତେ ଡାକି ପଠାଇ କହିଲେ–ବାବୁଙ୍କ ମା’ଙ୍କର ବାନ୍ତି ହେଉଛି, ତତେ ଯିବାକୁ ହେବ । ମୁଁ ଆଉ ନାହିଁ କରିପାରିଲି ନାହିଁ । ନିମୋନିଆ ରୋଗୀ, ତା’ପରେ ଧର୍ମଶାଳାରେ ଯୋଉ ଭିଡ଼; ଝରକା କବାଟ ସବୁ ଭଙ୍ଗା, ଗୋଟାଏ ବି ବନ୍ଦ କରି ହେଉନି । ପ୍ରାୟ ପାଞ୍ଚଟାବେଳକୁ ବୁଢୀଙ୍କ ପ୍ରାଣ ଛାଡ଼ିଲା । ମେସ୍‌ର ବାବୁମାନଙ୍କୁ ଡକାହକା କରି ମଡ଼ା ଉଠିଲାବେଳକୁ ରାତି ଦୁଇଟା ହେଲା । ଏକୁଟିଆ ସବୁ ଧୁଆଧୋଇ–

 

ଏଥର ଭାରତୀର ଆଉ ବୁଝିବାକୁ ଅସୁବିଧା ହେଲାନି । ସେ ପଚାରିଲା–ଅପୂର୍ବ ବାବୁଙ୍କ ମା’ ମରିଗଲେ କି ?

 

ଚାକରାଣୀଟି କହିଲା–ହଁ ଦିଦି, ବର୍ମ୍ମାରେ ତାଙ୍କର ମାଟି କିଣା ଥିଲା । କଥାରେ କହନ୍ତିନି-ଯୁଆଡ଼େ ଇଚ୍ଛା ସିଆଡ଼େ ଯା, କର୍ମ ଘିନି ବୁଲୁଥା । ଅପୂର୍ବବାବୁ ଇଆଡୁ ବାହାରିଛନ୍ତି, ବୁଢ଼ୀ ବି ସିଆଡ଼ୁ ପୁଅ ବୋହୁଙ୍କ ସଙ୍ଗେ ଝଗଡ଼ା କରି ଜାହାଜରେ ଚଢ଼ିଛନ୍ତି । ସାଙ୍ଗରେ ଖାଲି ଜଣେ ଚାକର । ଜାହାଜରେ ଜର ହେଲା, ଧର୍ମଶାଳାରେ ପହଞ୍ଚୁ ପହଞ୍ଚୁ, ଚେତାଶୂନ୍ୟ । ଘରେ ପାଦ ଦେଇ ବାବୁ ଲେଉଟାଣି ଜାହାଜରେ ଆସି ଦେଖନ୍ତି ଯେ ମା ଯିବା ଉପରେ । ହଁ, ମୁଁ ଯାଉଛି ଦିଦି, ଆଉ ଠିଆହେବାକୁ ବେଳ ନାହିଁ–କହି ସେ ବାହାରି ଗଲା ।

 

ରୁଟି ତରକାରି ସେମିତି ପଡ଼ିରହିଲା । ଭାରତୀ ଚୁପ୍‌ହୋଇ ବାହାରକୁ ପଲକ ନ ପକାଇ ଚାହିଁରହିଲା କେବଳ । ଅପୂର୍ବ ମା’ଙ୍କୁ ସେ ଦେଖିନାହିଁ । ତେବେ ସେ ସ୍ଵାମୀ ଓ ପୁଅଙ୍କ ପାଇଁ ଅନେକ ଦୁଃଖ ସହିଛନ୍ତି, ଏ କଥା ସେ ଜାଣେ । ଧର୍ମ ମତଭେଦ ଏ ସଂସାରରେ ମଣିଷର ଚରମ ମତଭେଦ କି ନୁହେଁ, ଏ ସତ୍ୟ ପରୀକ୍ଷା କରି ଦେଖିବା ପାଇଁ ଚରମ ଦୁଃଖ ଯେତେବେଳେ ତାଙ୍କ ଜୀବନରେ ଦେଖାଦେଇଥିଲା, ସେତେବେଳେ ଭାରତୀ ସୁଯୋଗ ହରାଇ ବସିଲା । ଏ ରହସ୍ୟ ତା ଜୀବନରେ ଅମୀମାଂସିତ ରହିଗଲା ।

 

ଆଉ ଅପୂର୍ବ ! ସେ ଯେ ଆଜି କେତେଦୂର ନିଃସହାୟ, ଏକା-ଭାରତୀ ଅପେକ୍ଷା ସେ କଥା କିଏ ବା ବେଶି ଜାଣେ ! ହୁଏତ ଯେଉଁ ମାଆର ଆଶୀର୍ବାଦ ଆଜି ପର୍ଯ୍ୟନ୍ତ ତାକୁ ସମସ୍ତ ବିପଦରୁ ରକ୍ଷା କରିଆସିଥିଲା, ତା ଆଜି ଅନ୍ତର୍ହିତ ହେଲା । ଏଇ ଦେଶ ଭୂମିରେ ଅପୂର୍ବର କିଛି କାମ ନାହିଁ, ସମସ୍ତ ଆତ୍ମୀୟସ୍ଵଜନ ତାକୁ ତ୍ୟାଗ କରିଛନ୍ତି । ଭୀରୁ, ଲୋଭୀ, ନୀଚ ବୋଲି ବନ୍ଧୁମାନଙ୍କ ମଧ୍ୟରେ ସେ ନିନ୍ଦିତ-ଆଜି ତାର ମା’ ଲୋକାନ୍ତରିତ । ଭାରତୀର ମନେହେଲା ସେ, ପରିଚିତ କାହା ପାଖକୁ ଯାଇ ପାରିଲାନି ବୋଲି ଅପୂର୍ବ ସମସ୍ତ ଲଜ୍ଜା ବିସର୍ଜନ ଦେଇ ତା ପାଖକୁ ବାରମ୍ବାର ଦଉଡ଼ି ଆସିଥିଲା ।

 

ଭାବୁ ଭାବୁ ଭାରତୀ ମନରେ ନୂତନ ପ୍ରଶ୍ନ ଉଦୟହେଲା । କର୍ମଦୋଷରେ ଯେତେବେଳେ ସେ ସମସ୍ତଙ୍କର ବିରାଗ ଭାଜନ, ସେତିକିବେଳେ ଜଣେ ଲୋକ, ଯାହାଙ୍କ ସହାନୁଭୂତିରୁ ସେ ବଞ୍ଚିତ ହୋଇନାହିଁ–ସେ ଡାକ୍ତର, ତା କଣ କେବଳ ଭାରତୀ ପ୍ରତି ସମବେଦନା ଯୋଗୁଁ ? ଡାକ୍ତରଙ୍କ ସ୍ନେହଲାଭ କରିବା ପାଇଁ ଅପୂର୍ବର କଣ ନିଜସ୍ଵ ସମ୍ବଳ କିଛି ନ ଥିଲା ?

 

ଏଇଭଳି ଗୋଟାଏ ଜାଗାରେ ବସିରହି ଭାରତୀ ଭାବୁ ଭାବୁ ଦୁଇ ଘଣ୍ଟା ପ୍ରାୟ ପାର ହୋଇଗଲାଣି, ସେ ଜାଣିନାହିଁ । ପୂର୍ବୋକ୍ତ ଚାକରାଣୀ ଫେରି ଆସିଲା । ଅପୂର୍ବ ଓ ଭାରତୀ ଭିତରେ କିଛି ରହସ୍ୟାବୃତ ମଧୁର ସମ୍ପର୍କ ରହିଛି, ଏ କଥା ସମସ୍ତେ ଜାଣନ୍ତି, ସେ ବି ଯେ ନ ଜାଣେ ତ ନୁହେଁ । ତେବେ ହଠାତ୍‌ କଣ ହେଲା ସେ ଅପୂର୍ବର ଏଇ ଦୁର୍ଦ୍ଦିନରେ ବି ଭାରତୀ ତା ପାଖରେ ଯାଇ ଠିଆ ହେଲାନି ? ଏଇ କୌତୂହଳର ନିବୃତ୍ତି ପାଇଁ ସେ ଫେରି ଆସି ଦେଖିଲା ଯେ, ଭାରତୀ କିଛି ଛୁଇଁ ନାହିଁ ଦିଦି । ସେ ଅବାକ୍‌ ହୋଇ କହିଲା–କିଛି ତ ଛୁଇଁ ନା ଦିଦି !

 

ଭାରତୀ ହଠାତ୍‌ ନିଜକୁ ସଜାଡ଼ି ନେଇ କହିଲା–ନା, ଖାଇବାକୁ ଇଚ୍ଛା ହେଉନି ।

 

ସେ ସହାନୁଭୂତି ସହ କହିଲା–ଖାଇ ହେବନି ଦିଦି, ସେ କଥା ଶୁଣିଲେ । ଯାହା ଦେଖିଲି ନା-

 

ତାର ଅବାଞ୍ଛିତ ସମବେଦନା ଭାରତୀକୁ ଭଲଲାଗିଲା ନାହିଁ । ସେ ଜୋର୍‌କରି ହସିବାର ଚେଷ୍ଟାକଲା ଓ କହିଲା–କାହାକୁ ପଠେଇ ଗୋଟାଏ ଘୋଡ଼ାଗାଡ଼ି ଡକେଇ ଦେବନି ?

 

ଯିବ କି ସେଠିକି ?

 

ହଁ, ଯାଇ ଦେଖିଆସନ୍ତି । ପରିଚୟ ଥାଇ ଏତେବେଳେ ନଗଲେ ଅସୁନ୍ଦର ।

 

ଚାକରାଣୀଟି ନିଜ କ୍ଷିପ୍ରତା ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ କହିବାକୁ ଆରମ୍ଭ କରୁଥିଲେ । ସେଇ ଭୟରେ ଭାରତୀ କହିଲା–ତମେ ଯାହା କରିଛ ନା, ଅନ୍ୟ ମଣିଷ ତା କରିପାରିବନି । ତେବେ ଆଉ ଡେରି ନ କରି ଖଣ୍ଡେ ଗାଡ଼ି ଡକେଇ ଦିଅ । ସନ୍ଧ୍ୟା ଆଗରୁ ମତେ ଫେରି ଆସିବାକୁ ହେବ ।

 

ପନ୍ଦର ମିନିଟ୍‌ପରେ ଗାଡ଼ି ଆସି ପହଞ୍ଚିବାରୁ ଭାରତୀ କିଛି ଟଙ୍କା ଧରି ଘରେ ତାଲା ପକାଇ ବାହାରିଲା । ଧର୍ମଶାଳାରେ ଯାଇ ପହଞ୍ଚିବେଳକୁ ବେଳବୁଡ଼ । ଜଣେ ହିନ୍ଦୁସ୍ଥାନୀ ଦରଓ୍ୱାନ୍‌ ଅପୂର୍ବର ଘର ଦେଖାଇ ଦେଇ କହିଲା ଯେ ବଙ୍ଗାଳୀ ବାବୁ ଭିତରେ ଅଛନ୍ତି; ତିନି ଦିନରୁ ବେଶି ରହିବାର ନିୟମ ନାହିଁ । ଖାଲି ତାଙ୍କ ଅସୁବିଧା ହେଲାବୋଲି ନିଜ ଚାକିରି ଯିବାର ଭୟ ଥିଲେ ବି ସେ ଛଅଦିନ ରଖେଇ ଦେଇଛି, ଇତ୍ୟାଦି । ଭାରତୀ ତାର ଇଙ୍ଗିତ ବୁଝିପାରି ତାକୁ ଦୁଇଟି ଟଙ୍କା ବଢ଼େଇ ଦେଲା । ଘର ଭିତରକୁ ଆସି ଦେଖିଲା ଯେ ଘରେ ସେ ପର୍ଯ୍ୟନ୍ତ ପାଣି ଲହଡ଼ା ମାରୁଛି, ଜିନିଷପତ୍ର ଚାରିଆଡ଼େ ପଡ଼ିଛି । ଗୋଟାଏ କଣରେ ମୁହଁମାଡ଼ି କମ୍ବଳଟା ଉପରେ ପଡ଼ିରହିଛି ଅପୂର୍ବ । ଖଣ୍ଡେ ନୂଆଁଲୁଗା ମୁହଁ ଉପରେ ଘୋଡ଼େଇଛି । ଶୋଇଛି କି ଚେଇଁଛି, ଭାରତୀ ପ୍ରଥମେ ଜାଣିପାରିଲା ନାହିଁ ।

 

ଭାରତୀ ଶୁଣିଥିଲା ଜଣେ ଚାକର ସାଙ୍ଗରେ ଆସିଛି ବୋଲି, କାହାକୁ କିନ୍ତୁ ସେ ଦେଖିଲା ନାହିଁ । ପାଞ୍ଚ ମିନଟ୍‌ ଏହି ଭଳି ଠିଆହେବା ପରେ ସେ ଡାକିଲା-ଅପୂର୍ବବାବୁ !

 

ଅପୂର୍ବ ଉଠି ବସିଲା ଓ ତାର ମୁହଁକୁ ଥରେ ଚାହିଁଲା । ତା’ପରେ ଦୁଇ ଆଣ୍ଠୁ ମଝିରେ ମୁହଁ ଗୁଞ୍ଜି ସ୍ଥିର ଭାବେ ବସି ରହିଲା । ସଦ୍ୟ ମାତୃବିୟୋଗର ସୀମାହୀନ ଦୁଃଖ ତା ମୁହଁରେ ଜମାଟ ବାନ୍ଧି ରହିଛି-ଶୋକାଚ୍ଛନ୍ନ ଦୃଷ୍ଟି ସମ୍ମୁଖରେ ପୃଥିବୀର ସମସ୍ତ ସତ୍ୟ ମିଥ୍ୟା ହୋଇ ଯାଇଛି । ମାଆର ପକ୍ଷପୁଟଚ୍ଛାୟାବାସୀ ଯେ ଅପୂର୍ବକୁ ଭାରତୀ ଦିନେ ଚିହ୍ନିଥିଲା, ଏ ସେ ମଣିଷ ନୁହେଁ । ଭାରତୀ ତାକୁ ଏକ ନୂଆ ରୂପରେ ଦେଖି ଅବାକ୍‌ ହୋଇଗଲା ।

 

ଅପୂର୍ବ ପ୍ରଥମେ କଥା କହିଲା । କହିଲା–ଏ ଘରେ ବସିବା ପାଇଁ ଜାଗା ନାହିଁ ଭାରତୀ ସବୁ ଓଦା । ତମେ ସେଇ ଟ୍ରଙ୍କ୍‌ଟା ଉପରେ ବସ ।

 

ଭାରତୀ ଉତ୍ତର ଦେଲାନାହିଁ । କବାଟ ଧାର ଧରି ଯେଉଁଭଳି ଠିଆ ହୋଇଥିଲା, ସେଇଭଳି ଠିଆହୋଇ ରହିଲା ।

 

ଅପୂର୍ବ କହିଲା–ବସ ଭାରତୀ !

 

ଭାରତୀ କହିଲା–ଆଉ ତ ବେଳ ନାହିଁ, ସନ୍ଧ୍ୟା ହୋଇଯିବ ।

 

ଅପୂର୍ବ କହିଲା–ଏକ୍ଷଣି ଯିବ, ଟିକିଏ ବସିପାରିବ ନାହିଁ ?

 

ଭାରତୀ ଯାଇ ଟ୍ରଙ୍କ୍‌ ଉପରେ ବସିଲା । ତା ପରେ ଧୀରେ ଧୀରେ କହିଲା–ମା’ ଏଠାକୁ ଆସିଥିଲେ ବୋଲି ମୁଁ ଜାଣି ନ ଥିଲି । ତାଙ୍କୁ କେବେ ଦେଖିନି । ସେ ବିଷୟ ଭାବିଲେ ଛାତି ଭିତରଟା ମୋର ଦୁଃଖରେ ଜଳିଯାଉଛି । ସେ କଥା କହି ତମେ ମତେ ଆଉ କଷ୍ଟ ଦିଅନି । କହୁ କହୁ ତା ଆଖିରୁ ଧାର ଧାର ଲୁହ ଗଡ଼ିପଡ଼ିଲା ।

 

ଅପୂର୍ବ ସ୍ତବ୍‌ଧ ହୋଇ ବସି ରହିଲା । ଭାରତୀ କାନିରେ ଲୁହ ପୋଛି କହିଲା–ସମୟ ହୋଇଥିଲା, ମା’ ସ୍ଵର୍ଗବାସୀ ହେଲେ । ପ୍ରଥମେ ମନେ ହେଉଥିଲା–ଏ ଜନ୍ମରେ ମୁଁ ଆଉ ତମକୁ ଏମିତି ମୁହଁ ଦେଖାଇ ପାରିବିନାହିଁ; କିନ୍ତୁ ତମକୁ ଏମିତି ଛାଡ଼ିଦେଇ ଯିବି କେମିତି ? ମୁଁ ଗାଡ଼ିରେ ଆସିଛି-ଚାଲ; ମୋ ସାଙ୍ଗରେ ବସାକୁ ଯିବ । ପୁଣି ତା ଆଖିରେ ଲୁହ ଦେଖାଦେଲା ।

 

ଭାରତୀର ଭୟ ଥିଲା ଯେ ଅପୂର୍ବ ହୁଏତ ଶେଷକୁ ଭାଙ୍ଗି ପଡ଼ିବ; କିନ୍ତୁ ତା ଆଖିରେ ଲୁହ ବି ଆସିଲାନାହିଁ । ସେ ଶାନ୍ତସ୍ଵରରେ କହିଲା–ଅଶୌଚରେ ଅନେକ ହାଙ୍ଗାମା ଭାରତୀ, ସେଠି ସୁବଧା ହେବନି । ତା’ ଛଡ଼ା ଏଇ ଶନିବାର ଦିନ ଷ୍ଟୀମର୍‌ରେ ମୁଁ ଘରକୁ ଫେରିଯିବି ।

 

ଭାରତୀ କହିଲା–ଶନବାର ତ ଆଉରି ଚାରିଦିନ ଅଛି । ମା’ ମରିଗଲେ ଯେ ଅନେକ କାମ କରିବାକୁ ହୁଏ, ତା ମୁଁ ଜାଣେ । କିନ୍ତୁ ମୁଁ ସମ୍ଭାଳି ପାରିବି ନାହିଁ ଆଉ ପାରିବେ ଏଇ ଧର୍ମଶାଳାର ଲୋକେ ? ଚାଲ !

 

ଅପୂର୍ବ କହିଲା–ନା ।

 

ଭାରତୀ କହିଲା–ତମେ ନା କହିଲେ ମୁଁ ଯଦି ଛାଡ଼ିଦେଇ ଚାଲିଯାଇ ପାରନ୍ତି, ତା ହେଲେ ମୁଁ ଆସି ନ ଥାନ୍ତି, ଅପୂର୍ବବାବୁ । ତା’ପରେ କିଛି ସମୟ ଚୁପ୍‌ ରହି କହିଲା–ଏରେ ଘଟଣା ପରେ ତମେ ଆଉ ଲାଜ କରିବାର କିଛି ନାହିଁ । ମା’ଙ୍କର ଶେଷକୃତ୍ୟ କରିବାକୁ ହେବ । ଶନିବାରର ଜାହାଜରେ ତମେ ଘରକୁ ଫେରିଯିବ ଓ ତା ପରେ କଣ ହେବ, ତା ବି ମୁଁ ଜାଣେ । ତମର କୌଣସି ବ୍ୟବସ୍ଥାରେ ମୁଁ ବାଧା ଦେବିନାହିଁ; କିନ୍ତୁ ବର୍ତ୍ତମାନ କେତେଟା ଦିନ ଯଦି ତମକୁ ଆଖି ଉପରେ ରଖି ନ ପାରେ, ତା ହେଲେ ତମକୁ ରାଣ ପକାଇ କହୁଛି, ମୁଁ ଏଠୁ ଫେରିଯାଇ ଆଜି ବିଷ ଖାଇ ମରିବି ।

 

ଅପୂର୍ବ ମୁହଁ ପୋତି ଦୁଇ ମିନିଟ୍‌ ଚୁପ୍‌ ହୋଇ ବସି ରହିଲା । ତା ପରେ କହିଲା–ତା ହେଲେ ଚାକରଟାକୁ ଡାକ, ଜିନିଷପତ୍ର ଗୁଡ଼ିକ ବନ୍ଧାବନ୍ଧି କରୁ ।

 

ଜିନିଷପତ୍ର ସାମାନ୍ୟ, ବନ୍ଧାବନ୍ଧି କରି ଗାଡ଼ିରେ ଉଠାଇବାକୁ ଅଧଘଣ୍ଟାକରୁ ବେଶି ଲାଗିଲାନି । ବାଟରେ ଭାରତୀ ପଚାରିଲା–ଭାଇ ଆସି ପାରିଲେ ନାହିଁ ?

 

ଅପୂର୍ବ କହିଲା–ତାଙ୍କର ଛୁଟି ନ ଥିଲା ।

 

ଏଠା ଚାକିରି କ’ଣ ଛାଡ଼ି ଦେଇଛ ?

 

ହଁ, ପ୍ରାୟ ଛାଡ଼ିଦେବା କହିଲେ ଚଳେ ।

 

ମା’ଙ୍କର ଏଇ କାମ ସରିଗଲେ କଣ କଲିକତା ଘରେ ରହିବ ?

 

ଅପୂର୍ବ କହିଲା–ନା, ମା’ ନାହିଁ, ପ୍ରୟୋଜନରୁ ଅତିରିକ୍ତ ଗୋଟାଏ ମୁହୂର୍ତ୍ତ ବି ମୁଁ ସେଠି ରହିବି ନାହିଁ ।

 

ଭାରତୀ ଦୀର୍ଘଶ୍ଵାସ ତ୍ୟାଗକଲା ।

 

ସତେଇଶ

 

ପରିତ୍ୟକ୍ତ ଘନବନାଚ୍ଛନ୍ନ ଯେଉଁ ମଠ ଭିତରେ ଦିନେ ଅପୂର୍ବର ଅପରାଧର ବିଚାର ହେଉଥିଲା, ଆଜି ପୁଣି ସେଇଠି ‘ଚଲାପଥର ଦାବୀ’ର ଅଧିବେଶନ ବସିଛି । ସେଦିନ ସେ ଘର ଭିତରେ ସେ ଦୁର୍ଚ୍ଛୟ କ୍ରୋଧ ଓ ପ୍ରତିହିଂସାର ବର୍ହ୍ନି ଦେଖାଦେଇଥିଲା, ଆଜି ତାର ସ୍ଫୁଲିଙ୍ଗ ସୁଦ୍ଧା ନାହିଁ-। ସେ ବାଦୀ ବା ପ୍ରତିବାଦୀ ନାହାନ୍ତି, କାହା ବିରୁଦ୍ଧରେ କାହାର ନାଲିସ୍‌ ନାହିଁ; କେବଳ ଟଙ୍କା ଓ ନୈରାଶ୍ୟ ଭିତରେ ସମସ୍ତ ସଭା ନିଷ୍ପ୍ରଭ । ଭାରତୀର ଆଖିରେ ଅଶ୍ରୁ । ସୁମିତ୍ରା ମୁଣ୍ଡ ପୋତି ବସିଛନ୍ତି । ତଲୱାର୍‌କର ଧରାପଡ଼ିଛି । ରକ୍ତାକ୍ତ, କ୍ଷତବିକ୍ଷତର ହୋଇ ସେ ଜେଲ ହସ୍‌ପିଟାଲରେ । ବର୍ତ୍ତମାନ ସୁଦ୍ଧା ତାହାର ଚେତା ଫେରି ନାହିଁ । ତାର ସ୍ତ୍ରୀ ଓ କନ୍ୟା ଦୁଆର ଦୁଆର ବୁଲି କାଲି ସନ୍ଧ୍ୟାରେ ଜଣେ ମରାଠୀ ବ୍ରାହ୍ମଣଙ୍କ ଘରେ ଆଶ୍ରୟ ନେଇଛନ୍ତି । ସୁମିତ୍ରା ତାଙ୍କ ଘରକୁ ଆଜି ତାର କରିଛନ୍ତି, ଏ ଯାଏଁ ଉତ୍ତର ଆସି ନାହିଁ ।

 

ଭାରତୀ ପଚାରିଲା–ତଲୱାର୍‌କାର ବାବୁଙ୍କର କଣ ହେବ ଭାଇ ?

 

ଡାକ୍ତର କହିଲେ–ଡାକ୍ତରଖାନାରେ ବଞ୍ଚିଗଲେଲେ ଜେଲ ଖଟିବ ।

 

ଭାରତୀ ଶିହରି ଉଠି କହିଲା–ନ ବଞ୍ଚି ବି ପାରନ୍ତି !

 

ଡାକ୍ତର କହିଲେ–ଅସମ୍ଭବ ନୁହେଁ । ତା’ ପରେ ସୁଦୀର୍ଘ କାରାବାସ ।

 

ଭାରତୀ କିଛି ସମୟ ଚୁପ୍‌ରହି କହିଲା–ତାଙ୍କ ସ୍ତ୍ରୀ, ତାଙ୍କ ଛୋଟ ଝିଅ–ସେମାନଙ୍କର କଣ ହେବ ?

 

ସୁମିତ୍ରା କହିଲା–ତାଙ୍କ ସ୍ତ୍ରୀଙ୍କ ବାପଘରର କେହି ତାଙ୍କୁ ନେବାକୁ ହୁଏତ ଆସି ପାରନ୍ତି ।

 

ଭାରତୀ କହିଲା–ଧର; କେହି ଯଦି ନ ଆସନ୍ତି ? ଯଦି ତାଙ୍କର ବାପଘରେ କେହି ନ ଥବେ ?

 

ଡାକ୍ତର ହସିଲେ, କହିଲେ–ବିଚିତ୍ର ନୁହେଁ । ସେ କ୍ଷେତ୍ରରେ ମଣିଷ ହଠାତ୍‌ ମରିଗଲେ ନିରୁପାୟ ବିଧବାର ଯେ ଦଶା ହୁଏ, ତାହାହିଁ ହେବ । ବନ୍ୟପଶୁ ଭଳି ଆମେ ବଣ ଜଙ୍ଗଲରେ ଲୁଚି ବୁଲୁ-ସଂସାରୀ ବ୍ୟକ୍ତିର ଦୁଃଖମୋଚନ କରିବାର ଶକ୍ତି ଆମର ନାହିଁ ଭାରତୀ ।

 

ଭାରତୀ ବ୍ୟଥିତ ହୋଇ କହିଲା–ତମର ନାହିଁ, କିନ୍ତୁ ଯାହାର ଏସବୁ ଅଛି-ଆମ ଦେଶର ଅନ୍ୟାନ୍ୟ ଲୋକେ-ସେମାନେ କଣ ଏମାନଙ୍କ ଦୁଃଖ ଦୂର କରିପାରନ୍ତେ ନାହିଁ ?

 

ଡାକ୍ତର ସାମାନ୍ୟ ହସି କହିଲେ–କିନ୍ତୁ କାହିଁକି କରିବେ ଭଉଣୀ ? ସେମାନେ ତ ବିପ୍ଳବ କରିବା ପାଇଁ ଆମକୁ କହି ନ ଥିଲେ ? ବରଂ ଆମେ ସେମାନଙ୍କ ଶାନ୍ତିରେ ବାଧା, ଆରାମର ଅନ୍ତରାୟ–ଆମକୁ ସେମାନେ ସୁଚକ୍ଷୁରେ ଦେଖନ୍ତିନାହିଁ । ଇଂରେଜ ସରକାର ଯେତେବେଳେ ସଦମ୍ଭେ ପ୍ରଚାରକରନ୍ତି ଯେ ଭରାତବାସୀ ସ୍ଵାଧୀନତା ଚାହାନ୍ତି ନାହିଁ, ପରାଧୀନତା କାମନା କରନ୍ତି–ସେତେବେଳେ ସେମାନେ ତ ନହାତି ମିଛ କହନ୍ତି ନାହିଁ । ଯୁଗ ଯୁଗାନ୍ତର ଅନ୍ଧାର ଭିତରେ ବସି ବସି ଚକ୍ଷୁର ଦୃଷ୍ଟି ଯାର ନିଃଶେଷ, ତା ସମ୍ପର୍କରେ ଦୁଃଖ କରିବାର କିଛି ନାହିଁ । ଡାକ୍ତର ମୂହୁର୍ତ୍ତକ ପାଇଁ ଚୁପ୍‌ ରହି କହିଲେ–ଜେଲ୍‌ଭିତରେ ଯଦି ଆଜି ତଲ୍‌ୱାରକାର୍‌ ମରିଯାଏ, ତେବେ ପରଲୋକରୁ ତା ସ୍ତ୍ରୀ କନ୍ୟାଙ୍କୁ ଭିକ୍ଷା କରିବାର ଦେଖିଲେ, ହୁଏତ ସେ କାନ୍ଦି ପକାଇବ; କିନ୍ତୁ ଏକଥା ନିଶ୍ଚିତ ଯେ ସ୍ଵଦେଶବାସୀଙ୍କ ବିରୁଦ୍ଧରେ ସେ ଭଗବାନଙ୍କ ପାଖେ ନାଲିସ୍‌ କରିବନାହିଁ । ମୁଁ ତାକୁ ଠିକ୍‌ ଜାଣେ ଭାରତୀ-ଲଜ୍ଜାରେ ତା ମୁହଁରୁ କଥା ବାହାରିବ ନାହିଁ ।

 

କୃଷ୍ଣ ଆୟା୍‌ର ଏମାନଙ୍କ କଥାବାର୍ତ୍ତା ପୂରା ନବୁଝି ପାରିଲେ ବି ଏଇ କଥାଟା ଧରିପାରି କହିଲେ–ଟ୍ରୁ !

 

ଡାକ୍ତର କହିଲେ–ଏଇତ ବିପ୍ଳବୀର ଚରମ ଶିକ୍ଷା । କାନ୍ଦିବ କାହାପାଖେ ? ନାଲିସ୍‌ କାହା ନିକଟରେ ? ତମ ଭାଇର ଫାଶୀ ହୋଇଛି ବୋଲି ଶୁଣିଲେ ବୁଝିବ ଭାରତୀ, ବିଦେଶୀ ହୁକୁମରେ ମୋ ଦେଶର ଲୋକେ ମୋ ଗଳାରେ ଦଉଡ଼ି ପିନ୍ଧେଇ ଦେଇଛନ୍ତି । କଂସେଇ-ଖାନାରୁ ଗୋରୁମାଂସ ତ ଗାଡ଼ିରେ ଗୋରୁ ବୋହିଆଣେ । ତାର ପୁଣି ନାଲିସ୍‌ କେଉଁଠି ?

 

ଭାରତୀ କହିଲା–ଭାଇ, ଏଇ କଣ ତମମାନଙ୍କର ପରିଣାମ ?

 

ଡାକ୍ତର କହିଲେ–ଏ କଣ ତୁଚ୍ଛ ପରିଣାମ ଭାରତୀ ! ଜାଣେ, ସ୍ଵଦେଶର ଲୋକେ ଏହାର ଦାମ୍‌ ବୁଝିବେନାହିଁ, ହୁଏତ ଉପହାସ କରିବେ; କିନ୍ତୁ ଯାହାକୁ ଏଇ ଋଣ କଡ଼ା ଗଣ୍ଡା ଶୁଝିବାକୁ ହେବ, ସେ ହସିପାରିବ ନାହିଁ । ଏହା ପରେ କହିଲେ–ଭାରତୀ, ଯୀଶୁଖ୍ରୀଷ୍ମାନ ହୋଇ ତମେ ତମ ଧର୍ମର ମୂଳକଥା ଭୁଲିଗଲ ? ଯୀଶୁଖ୍ରୀଷ୍ଟ୍ରଙ୍କ ରକ୍ତପାତ କଣ ବ୍ୟର୍ଥ ହୋଇଛି ?

 

ସମସ୍ତେ ସ୍ତବ୍‌ଧ ହୋଇ ବସି ରହିଲେ । ଡାକ୍ତର କହିଲେ–ତମେ ସମସ୍ତେ ଜାଣ ମୁଁ ବୃଥା ରକ୍ତପାତରେ ପକ୍ଷପାତର ପକ୍ଷପାତୀ ନୁହେଁ, ମୁଁ ତାକୁ ସର୍ବାନ୍ତଃକରଣରେ ଘୃଣାକରେ । ତୁଚ୍ଛା ଗୋଟାଏ ପିମ୍ପୁଡି ବି ମାରିବାକୁ ମୋର ହାତ ଯାଏନି; କିନ୍ତୁ ପ୍ରୟୋଜନ ହେଲେ-କଣ ସୁମିତ୍ରା ?

 

ସୁମିତ୍ରା ଏକମତ ହୋଇ କହିଲେ–ନିଜ ଆଖିରେ ତ ମୁଁ ଦୁଇଥର ଦେଖିଛି ।

 

ଡାକ୍ତର କହିଲେ–ଯେଉଁମାନେ ଆମର ଜନ୍ମଭୂମି ଦଖଲ କରିଛନ୍ତି-ଆମ ମନୁଷ୍ୟତ୍ଵ, କ୍ଷୁଧାର ଅନ୍ନ, ତୃଷାର ଜଳ-ସବୁ ସେ କାଢ଼ି ନେଇଛନ୍ତି, ସେମାନଙ୍କର ଅଛି ଆମକୁ ହତ୍ୟା କରିବାର ଅଧିକାର; ଆଉ ମୋର ନାହିଁ ? ଏ ଧର୍ମବୁଦ୍ଧି ତମେ କେଉଁଠୁ ପାଇଲ ଭାରତୀ ?

 

ଭାରତୀ କିନ୍ତୁ ଦବି ନ ଯାଇ କହିଲା–ନା ଭାଇ, ଆଜି ତମେ ମତେ ଏ କଥା କହି ଅଟକେଇ ପାରିବ ନାହିଁ । ଏସବୁ ପୁରୁଣା କଥା । ଯେଉଁମାନେ ହିଂସାମାର୍ଗର ପଥିକ ସେମାନେ ଉତ୍ସାହ ଦେବାପାଇଁ ଏଭଳି କହିଥାନ୍ତି । ଏଇଟା ତ ଶେଷ କଥା ନୁହେଁ,ଜଗତରେ ଏହାଠାରୁ ଅନେକ ବଡ଼ କଥା ଅଛି ।

 

ଡାକ୍ତର କହିଲେ–କଣ ଅଛି କହି ତ ?

 

ଭାରତୀ ଉଚ୍ଛ୍ଵସିତ ସ୍ଵରରେ କହିଲା–ମୁଁ ଜାଣେନି, କିନ୍ତୁ ତମେ ଜାଣ । ଯେ ବିଦ୍ଵେଷ ତମର ସତ୍ୟବୃଦ୍ଧିକୁ ସମ୍ପୂର୍ଣ୍ଣ ଆଚ୍ଛନ୍ନକରି ରଖିଛି, ତାକୁ ତ୍ୟାଗକରି ଥରେ ଶାନ୍ତିର ମାର୍ଗକୁ ଫେରିଆସ; ଦେଖିବ, ତମ ଜ୍ଞାନ ଓ ପ୍ରତିଭା ନିକଟରେ ହାର ନ ମାନିବାଭଳି ସମସ୍ୟା ପୃଥିବୀରେ ନାହିଁ । ଶକ୍ତି ବିରୁଦ୍ଧରେ ଶକ୍ତି, ହିଂସା ବଦଳରେ ହିଂସା ଅତ୍ୟାଚାର ପରିବର୍ତ୍ତେ ଅତ୍ୟାଚାର-ଏ ଟ ଆଦିମ ଯୁଗରୁ ଚଳିଆସିଛି । ଏହାଠାରୁ ମହତ୍ତର କଣ କିଛି ନାହିଁ ?

 

କିଏ କହିବ–ଡାକ୍ତର କହିଲେ ।

 

ତୁମେ-ଭାରତୀ ଉତ୍ତର ଦେଲା ।

 

ମତେ ମାଫ୍‌ କରିବ ଭଉଣି ! ସାହେବମାନଙ୍କ ବୁଟ୍‌ ତଳେ ଚିତ୍‍ ହୋଇ ଶୋଇ ମୋ ମୁହଁରୁ ଶାନ୍ତିର ବାଣୀ ବାହାରି ପାରିବନାହିଁ–ଅଟକିଯିବ । ଏ ଭାର ତମେ ଶଶୀକୁ ଦିଅ କମ ଖାତିରରେ ସେ କରିପାରେ ।

 

ଭାରତୀ କ୍ଷୁଣ୍ଣ ହୋଇ କହିଲା–ତମେ ହୁଏତ ଥଟ୍ଟା କରୁଛ; କିନ୍ତୁ ତମର ଯେଉଁମାନଙ୍କ ଉପରେ ଏତେ ବିଦ୍ଵେଷ, ସେଇ ଇଂରେଜ ମିଶନାରୀମାନେ ଶାନ୍ତିର ବାଣୀ ପ୍ରଚାର କରି ଗଭୀର ଆନନ୍ଦ ଲାଭ କରନ୍ତି ।

 

ଡାକ୍ତର କହିଲେ–ହେବାକଥା ଭାରତୀ, ସୁନ୍ଦରବଣ ଭିତରେ ନିରସ୍ତ୍ର ଠିଆହୋଇ ଶାନ୍ତିବାଣୀ ପ୍ରଚାରକଲେ ବାଘ ଭାଲୁ ଖୁସି ହେବାର କଥା । ସେମାନେ ସାଧୁ ବ୍ୟକ୍ତି ।

 

ଭାରତୀ ଏ ବିଦ୍ରୂପ ପ୍ରତି କାନ ନ ଦେଇ କହିଲା–ଆଜି ମତେ ଦୁର୍ଦ୍ଦିନ ହେଲେ ବି ସବୁବେଳେ ଭାରତ ଏଭଳି ନଥିଲା । ଦିନେ ଭାରତ ସଭ୍ୟତାର ଉଚ୍ଚଶିଖରରେ ଆରୋହଣ କରିଥିଲା, ସେ ଦିନ ହିଂସା ବିଦ୍ୱେଷ ନୁହେଁ–ଧର୍ମ ଏବଂ ଶାନ୍ତିମନ୍ତ୍ର ଏଇ ଭାରତରୁ ଦିଗ୍‌ବିଦିଗ ପ୍ରଚାରିତ ହୋଇଥିଲା । ମୋର ବିଶ୍ଵାସ ସେ ଦିନ ପୁଣି ଫେରିଆସିବ ।

 

ଭାରତୀର କଥାରେ ଶଶୀର କବିଚିତ୍ତ ଶ୍ରଦ୍ଧାରେ ଆପ୍ଳୁତ ହୋଇଗଲା । ସେ ଗଦ୍‌ଗଦ କଣ୍ଠରେ କହିଲା–ଭାରତୀଙ୍କ କଥାର ମୁଁ ସଂପୂର୍ଣ୍ଣ ଅନୁମୋଦନ କରେ, ଡାକ୍ତର ! ମୋର ବି ବିଶ୍ଵାସ-ଭାରତର ସେ ସଭ୍ୟତା ନିଶ୍ଚୟ ଦିନେ ଫେରି ଆସିବ ।

 

ଡାକ୍ତର ଉଭୟଙ୍କ ମୁହଁକୁ କିଛିସମୟ ଚାହିଁରହି କହିଲେ–ତୁମେ କେଉଁ ଯୁଗର ସଭ୍ୟତା କଥା କହୁଛ, ମୁଁ ବୁଝି ପାରୁନି; କିନ୍ତୁ ସଭ୍ୟତାର ଗୋଟାଏ ସୀମା ଅଛି । ଧର୍ମ, ଅହିଂସା ଏବଂ ଶାନ୍ତି ନିଶାରେ ସେ ସୀମା ଅତିକ୍ରମ କରିଗଲେ ସଭ୍ୟତାର ମରଣ ହୁଏ-କୌଣସି ଦୈବୀଶକ୍ତି ରକ୍ଷା କରିପାରେନା । ଭାରତବର୍ଷ କେବେ ହୁନ୍‌ମାନଙ୍କ ପାଖେ ପରାସ୍ତ ହୋଇଥିଲା ଜାଣ ? ସମଗ୍ର ଭାରତବର୍ଷ ଯେତେବେଳେ ବୌଦ୍ଧଧର୍ମର ଶାନ୍ତି ଓ ଅହିଂସା ଦୀକ୍ଷାରେ ବିଭୋର, ସେତେବେଳେ ସେମାନେ ଭାରତୀୟ ଶିଶୁମାନଙ୍କୁ ମଶାଲ୍‌କରି ଜାଳିଲେ, ସ୍ତ୍ରୀଲୋକମାନଙ୍କ ପିଠିରୁ ଚମଡ଼ା ଉତାରି ସେଥିରେ ଲଢ଼େଇର ବାଜା ତିଆରିକଲେ । ସେ ନୃଶଂସତାର ଜବାବ୍‌ ଭାରତବର୍ଷ ଦେଇନି । ଦେଶ ଗଲା, ରାଜ୍ୟ ଗଲା, ଦେବମନ୍ଦିର ଧୂସ୍ତବିଧ୍ଵସ୍ତ ହୋଇଗଲା-ସେ ଅକ୍ଷମତାର ଶାସ୍ତି ଆଜି ବି ଆମର ପୂରିନି ।

 

ଭାରତୀକୁ ଲକ୍ଷ୍ୟକରି କହିଲେ–ତମେମାନେ ସବୁବେଳେ କବିଙ୍କ ଗୀତ ବୋଲ–

 

ଦେଶଯାଉ, ଦୁଃଖ ନାହିଁ

ମନୁଷ୍ୟତା ଭୁଲନାରେ ଭାଇ ।

 

କିନ୍ତୁ ଦେଶ ଫେରିପାଇବା ଭଳି ମଣିଷ ହେବା କାହାକୁ କୁହାଯାଏ ଜାଣ ଭାରତୀ ? ଭାବିଚ, ମଣିଷ ହେବାପାଇଁ ତମର ପଥ ଅବାରିତ, ମୁକ୍ତ ? ଭାବିଚି ଦରିଦ୍ର ନାରାୟଣ ସେବା ଓ ମେଲେରିଆବେଳେ କୁଇନାଇନ୍‌ ବାଣ୍ଟି ବୁଲିବାକୁ ମନୁଷ୍ୟ ମଣିଷ ଜନ୍ମହେବାର ମର୍ଯ୍ୟାଦାବୋଧକୁ ମଣିଷ ହେବା କୁହାଯାଏ; ମୃତ୍ୟୁ ଭୟରେ ମୁକ୍ତି ପାଇବାକୁ ମନୁଷ୍ୟତ୍ଵ କୁହାଯାଏ ।

 

ସାମାନ୍ୟ ନୀରବ ରହି ଡାକ୍ତର ପୁଣି କହିଲେ–ତମର ବିଶେଷ ଦୋଷ ନାହିଁ ଭାରତୀ । ସେମାନଙ୍କ ଆବହାୱା ଭିତରେ ତମେ ପ୍ରତିପାଳିତ, ତେଣୁ ତମର ମନେହୁଏ ଇଉରୋପର ଖ୍ରୀଷ୍ଟାନ୍‌ସଭ୍ୟତା ଠାରୁ ବଡ଼ ସଭ୍ୟତା ଆଉ ନାହିଁ–ଅଥଚ ଏ ଏକ ମିଥ୍ୟା କଥା । ସଭ୍ୟତାର ଯଦି କୌଣସି ତାତ୍ପର୍ଯ୍ୟ ଥାଏ, ତା ହେଉଛି ସବଳ ବ୍ୟକ୍ତି ଶକ୍ତି ଜୋରରେ ଯେପରି ଦୁର୍ବଳ ବ୍ୟକ୍ତିଠାରୁ ତାର ନ୍ୟାର୍ଯ୍ୟ ଅଧିକାର ଛଡ଼ାଇ ନ ନିଏ । କୌଣସିଠାରେ ଦେଖିଛ, ସେମାନେ ଏଇ ନୀତିକୁ ନ୍ୟାୟର ଗୌରବ ଦେଇଛନ୍ତି ? ଉଦ୍ଦେଶ୍ୟସିଦ୍ଧି ପାଇଁ ଯେ କୌଣସି ପଥ, ଯେ କୌଣସି ଉପାୟ-ଏମାନଙ୍କ ପାଇଁ ପବିତ୍ର । ନୀତିର ବାଧା, ଧର୍ମର ନିଷେଧ କଣ କେବଳ ପଦଦଳିତ, ନିର୍ବାସିତ ପାଇଁ-?

 

ଭାରତୀ ଚୁପ୍‌ ରହିଲା । ଏସବୁ ଅଭିଯୋଗର କି ଉତ୍ତର ବା ସେ ଜାଣେ ? ଯେ ନିର୍ମମ, ଏକାନ୍ତ ଦୃଢ଼ଚିତ୍ତ, କ୍ଷମାହୀନ, ଶଙ୍ଖାହୀନ, ବିପ୍ଳବୀ-ଯାହାର ଜ୍ଞାନ, ବୃଦ୍ଧି ବା ପାଣ୍ଡିତ୍ୟ ଅନନ୍ତ, ପରାଧୀନତା ଅନିର୍ବାଣ ଅଗ୍ନିରେ ଯାହାର ସମସ୍ତ ଦେହ ମନ ଅହର୍ନିଶ ଶିଖାପରି ପ୍ରଜ୍ଜ୍ୱଳିତ-ତାକୁ ଯୁକ୍ତ ସାହାଯ୍ୟରେ ସେ ପରାସ୍ତ କରିବ କେଉଁଠୁ ? କେବଳ ତାର କଳୁଷହୀନ ନାରୀମନ କରୁଣାରେ ଅନ୍ଧ ହୋଇ ମଥା ପିଟି କାନ୍ଦୁଥିଲା ଯେଭଳି !

 

ସୁମିତ୍ରା ଏ ବାଦ ପ୍ରତିବାଦରେ ଯୋଗ ନ ଦେଇ ଚୁପ୍‌ ରହିଥିଲେ । କୃଷ୍ଣ ଆୟାର୍‌ ଅସହିଷ୍ଣୁ ହୋଇ କହି ଉଠିଲେ-ଆମ ସଭା କାମ ଆରମ୍ଭ ହେବାକୁ ଆଉ କେତେ ଡେରି ?

 

ଡାକ୍ତର କହିଲେ–ମୋଟେ ଡେରି ନାହିଁ । ସୁମିତ୍ରା, ତମର ଜାଭା ଫେରିଯିବା କଣ ସ୍ଥିର-?

 

ହଁ ?

 

କେବେ ?

 

ବୋଧହୁଏ ଏଇ ବୁଧବାର ଦିନ । ଗତ ଶନିବାର ଦିନ ଯାଇ ପାରିଲିନି ।

 

ତମେ ଆମ ଅନୁଷ୍ଠାନର ସମସ୍ତ ସମ୍ପର୍କ କଣ ତ୍ୟାଗ କଲ ?

 

ସୁମିତ୍ରା କହିଲେ–ହିଁ ।

 

ଡାକ୍ତର ସାମାନ୍ୟ ହସିଲେ ଓ ପକେଟରୁ କେତେଖଣ୍ଡ ଟେଲିଗାମ୍‌ ବାହାର କରି ସୁମିତ୍ରାଙ୍କ ହାତରେ ଦେଲେ । କହିଲେ ପଢ଼ି ଦେଖ, କାଲି ରାତିରେ ହୀରାସିଂ ଦେଇ-ଯାଇଛି ।

 

ଆୟାରଝୁଙ୍କି ପଡ଼ିଲେ, ଭାରତୀ ମହମବତୀଟା ଟେକିଧରିଲେ । ଦୀର୍ଘ ଟେଲିଗ୍ରାମ, ଭାଷା ଇଂରାଜୀ, ଅର୍ଥ ବି ସ୍ପଷ୍ଟ; କିନ୍ତୁ ସୁମିତ୍ରାଙ୍କ ମୁହଁ ଗମ୍ଭୀର ହୋଇଉଠିଲା । ଦୁଇ ତିନି ମିନଟ୍‌ ପରେ ସେ ମୁହଁ ଉଠାଇ କହିଲେ–କୋଡ଼୍‌ର ସବୁ କଥା ମୋର ମନେ ନାହିଁ । ଆମର ସାଂହାଇର ଜାମାଇକା କ୍ଳବ ଓ କ୍ରୁଗାର୍‌ ତାର କରିଛି-ଏହା ଛଡ଼ା ଆଉ କିଛି ବୁଝି ପାରୁନି ।

 

ଡାକ୍ତର କହିଲେ–କ୍ରୁଗାର୍‌ କ୍ୟାଣ୍ଟନ୍‌ରୁ ତାର କରିଛି । ସାଂହାଇର ଜାମାଇକା କ୍ଳବ ରାତି ଅଧରେ ପୋଲିସ ଚଢ଼ାଉ କଲା-ତିନିଜଣ ସିପାହୀ ଓ ଆମର ବିନୋଦ ମିରିଛନ୍ତି । ଦୁଇଭାଇ ମହତପ୍‌ ଓ ସୂର୍ଯ୍ୟ ସିଂ ଏକାଠି ଧରାପଡ଼ିଛନ୍ତି । ଅଯୋଧ୍ୟା ହଂକଂରେ, ଦୁର୍ଗା ଓ ସୁରେଶ ପେନାଙ୍ଗରେ-ସିଙ୍ଗାପୁରର ଜାମାଇକା କ୍ଳବପାଇଁ ପୋଲିସ ସହର ସାର ଓଲଟ ପାଲଟ କରି ଖୋଜୁଛନ୍ତି । ମୋଟ ସମ୍ବାଦ ଏଇ ।

 

ଏ ଖବର ଶୁଣି କୃଷ୍ଣ ଆୟାରଙ୍କ ମୁହଁ ଶୁଖିଗଲ । ତାଙ୍କ ମୁହଁରୁ ବାହାରଲା-ଡ୍ୟାମ !

 

ଡାକ୍ତର କହିଲେ–ସେ ଦୁଇଭାଇ ରେଜିମେଣ୍ଟ ଛାଡ଼ି କେବେ ଓ କାହିଁକି ସାଂହାଇ ଆସିଲେ, ମୁଁ ଜାଣେନା । ସୁମିତ୍ରା, ବ୍ରଜେନ୍ଦ୍ର ପ୍ରକୃତରେ କେଉଁଠି ଅଛି ଜାଣ କି ?

 

ଏ ପ୍ରଶ୍ନ ଶୁଣି ସୁମିତ୍ରା ନିରୁତ୍ତର ରହିଲେ ।

 

ଜାଣ ?

 

ପ୍ରଥମେ ତାଙ୍କ ପାଟିରୁ କଥା ବାହାରିଲା ନାହିଁ, ତା ପରେ ଅସ୍ପୁଟ ସ୍ଵରରେ କହିଲେ–ନା-

 

କୃଷ୍ଣ ଆୟାର କହିଲେ–ସେ ଯେ ଏ କାମ କରିପାରେ ମୋର ବିଶ୍ୱାସ ହେଉନି ।

 

ଶଶୀ କହିଲା–ବ୍ରଜେନ୍ଦ୍ର ଜାଣେ, ଆପଣ ଚଲାବାଟରେ ବର୍ମାରୁ ଚାଲିଯାଇଛନ୍ତି ।

 

ଡାକ୍ତର କିଛି ଉତ୍ତର ନ ଦେଇ ଚୁପ୍‌ହୋଇ ବସି ରହିଲେ । କାହା ମୁହଁରେ କଥା ନାହିଁ । ସମସ୍ତେ ପଥର ମୂର୍ତ୍ତିପରି ବସିଛନ୍ତି । ଆଗରେ ସେଇ ଟେଲିଗ୍ରାମ କାଗଜଗୁଡ଼ାକ ପଡ଼ିଛି । ବତି ପୋଡି ଶେଷହୋଇଗଲା । ଶଶୀ ଆଉ ଗୋଟାଏ ମହମବତି ଲଗାଇ ଥୋଇଲେ । ଏଭଳି ଦଶମିନଟ୍‌ କଟିଲା ପରେ ଆୟାର ପକେଟ୍‌ରୁ ସିଗାରେଟ୍‌ କାଢ଼ି ମହମବତିରେ ଲଗାଇଲେ ଓ କହିଲେ–ନାଓ ଫିନିସ୍‌ଡ୍‌ ।

 

ଡାକ୍ତର ତା ମୁହଁକୁ ଚାହିଁଲେ । ଶଶୀ କେବେ ଚୁରୁଟ୍‌ ଗନ୍ଧ ସହି ପାରେନି । ହଠାତ୍‌ ସେ ଗୋଟାଏ ଚରୁଖ୍‌ ଲଗାଇ ଘନ ଘନ ଧୂଆଁ ଛାଡ଼ିବାକୁ ଲାଗିଲା ।

 

ଆୟାର କହିଲେ–ବ୍ୟାଡ୍‌ ଲକ୍‌, ଇଉ ମଷ୍ଟ୍‌ ଷ୍ଟପ୍‌ ।

 

ଶଶୀ କହିଲା–ମୁଁ ଆଗରୁ ଜାଣେ, କିଛି ହେବନି, ଖାଲି–

 

ଡାକ୍ତର ହଠାତ୍‌ କହିଲେ–ତମେ କେବେ ଯିବ କହିଲ ସୁମିତ୍ରା ? ବୁଧବାର ?

 

ସୁମିତ୍ରା କହିଲେ–ହଁ ।

 

ଶଶୀ ପୁଣି କହିଲା–ପୃଥିବୀବ୍ୟାପୀ ଏତେ ବଡ଼ ଶକ୍ତିମାନ ରାଜଶକ୍ତି ବିରୁଦ୍ଧରେ ବିପ୍ଲବ ଚେଷ୍ଟା-ଖାଲି ନିଷ୍ଫଳ ନୁହେଁ, ପାଗଳାମି । ମୁଁ ତ ବରାବର କହି ଆସିଛି ଡାକ୍ତର, ଶେଷ ପର୍ଯ୍ୟନ୍ତ କେହି ରହିବେନି ।

 

ଆୟର କଣ ବୁଝିଲେ କେଜାଣି, ମୁଣ୍ଡହଲାଇ କହିଲେ–ଟ୍ରୁ ।

 

ଡାକ୍ତର ଠିଆହୋଇପଡ଼ି କହିଲେ–ଆଜି ପାଇଁ ଆମର ସଭା ଶେଷହେଲା ।

 

ସଙ୍ଗେ ସଙ୍ଗେ ସମସ୍ତେ ଉଠି ଠିଆହେଲେ । ଭାରତୀ ଡାକ୍ତରଙ୍କ ହାତଟି ନିଜ ହାତରେ ଧରି କହିଲା–ଭାଇ, ମୋତେ ନ କହି କୁଆଡ଼େ ଚାଲିଯିବନି, କୁହ ।

 

ଡାକ୍ତର କଥା ନ କହି ତା ହାତକୁ ଆସ୍ତେ ଦାବିଦେଇ ବାହାରି ଗଲେ ।

 

ତା’ ପରଦିନ ସକାଳୁ ଧୀରେ ଧୀରେ ଆକାଶରେ ମେଘ ଜମି ଆସୁଥିଲା । ରାତିରେ ଟିକିଏ ବର୍ଷା ହୋଇଥିଲା, କିନ୍ତୁ ଖରାବେଳକୁ ବୃଷ୍ଟି ଓ ଝଡ଼ ମାଡ଼ିଆସିଲା । ପୂର୍ବ ରାତିରେ ଭାରତୀ ସୁମିତ୍ରାଙ୍କୁ ଛାଡ଼ିଲାନାହିଁ–କଥା ଥିଲା ଯେ ଆଜି ସକାଳୁ ଖିଆପିଆ ସାରି ସେ ବିଦାୟ ନେଇ ଯିବେ; କିନ୍ତୁ ଏଭଳି ବର୍ଷା ଓ ଝଡ଼ ହେଲା ଯେ ଘରୁ ପଦାକୁ ପାଦ ବଢ଼ାଇବାକୁ କଷ୍ଟ, ନଦୀ ପାର ହେବା ଦୂରର କଥା । ଆସ୍ତେ ଆସ୍ତେ ଝଡ଼ ଓ ବୃଷ୍ଟି ସନ୍ଧ୍ୟାବେଳକୁ ବଢ଼ିବାକୁ ଲାଗିଲା । ଶଶୀ ହୋଟେଲରେ ରହେ, ଖରା ବେଳେ ବୁଲି ଆସିଥିଲା, ଫେରି ପାରିଲା ନାହିଁ । କେତେବେଳେ ଯେ, ବେଳ ବୁଡ଼ି ସନ୍ଧ୍ୟା ହେଲା, ଜଣାପଡ଼ିଲା ନାହିଁ । ଭାରତୀର ଉପର ଘରେ ଝରକା ଦୁଆର ବନ୍ଦ କରି ଆଲୁଅ ଜାଳି ସମସ୍ତେ ବସିଚନ୍ତି । ସୁମିତ୍ରା ଆପାଦମସ୍ତକ ଘୋଡ଼େଇହୋଇ ଆରାମ ଚଉକିରେ ଶୋଇଛନ୍ତି । ଶଶୀ ଖଟ ଉପରେ ବସିଛି । ତଳେ ଅପୂର୍ବ କମ୍ବଳ ଉପରେ ବସିଛି । ତାର ଜଳଖିଆ ପାଇଁ ପନିକି ପକାଇ ଭାରତୀ ଫଳ କାଟୁଛି । ଅଳ୍ପ ଦୂରରେ ଷ୍ଟୋଭ ଉପରେ ଖେଚୁଡ଼ି ଟକ୍‌ମକ୍‌ ହୋଇ ଫୁଟୁଛି ।

 

ଅପୂର୍ବ କହୁଥିଲା ଯେ ତାର ଆଉ ସଂସାରରେ ରୁଚି ନାହିଁ; ସନ୍ନ୍ୟାସବ୍ରତ ତା ପାଇଁ ଶ୍ରେୟ । ଶଶୀ ଏ ପ୍ରସ୍ତାବ ଅନୁମୋଦନ ନ କରିପାରି ଯୁକ୍ତିଦ୍ଵାରା ବୁଝାଉ ଥିଲା ଯେ ଏପରି ଉଦ୍ଦେଶ୍ୟ ଭଲ ନୁହେଁ । ସନ୍ନ୍ୟାସରେ ଆଜିକାଲି ମଜା ନାହିଁ, ବରଂ ବରିଶାଲ୍‌ କଲେଜରେ ପ୍ରଫେସର ହେବା ପାଇଁ ଯଦି ଆବେଦନ ମଞ୍ଜୁର ହୁଏ, ତାହା ଢେର୍‌ ଭଲ ।

 

ଅପୂର୍ବ କ୍ଷୁଣ୍ଣ ହେଲା । ଭାରତୀ ସବୁକଥା ଜାଣେ, ସେ ଉତ୍ତର ଦେଲା-ସଂସାରରେ ମଜାକରି ବୁଲିବା ଛଡ଼ା କଣ ମଣିଷର ଆଉ କିଛି ବଡ଼ ଉଦ୍ଦେଶ୍ୟ ନାହିଁ, ଶଶୀବାବୁ ! ସମସ୍ତଙ୍କ ଦୃଷ୍ଟିକୋଣ ତ ସମାନ ନୁହେଁ । ଶଶୀ ତା କଥା ଶୁଣି ଅପ୍ରତିଭ ହେଲା । ଭାରତୀ ପୁଣି କହିଲା–ତାଙ୍କ ମନର ଅବସ୍ଥା ବର୍ତ୍ତମାନ ଭଲନାହିଁ । ତେଣୁ ତାଙ୍କ ଭବିଷ୍ୟତ ସଂପର୍କରେ ବର୍ତ୍ତମାନ ଆଲୋଚନା କରିବା ଅବିହିତ ।

 

ମୋର ମନେ ନ ଥିଲା, ଭାରତୀ !

 

ଶଶୀର ମନେ ନ ଥିବା ବିଚିତ୍ର ନୁହେଁ । ଏ ଭିତରେ ଆଉ ଗୋଟାଏ ଘଟଣା ଘଟିଛି, ଯାହା ଭାରତୀ ବ୍ୟତୀତ ଆଉ କେହି ଜାଣନ୍ତି ନାହିଁ । ମାଆଙ୍କ ମୃତ୍ୟୁ ସମ୍ବାଦ ପାଇ ଅପୂର୍ବର ଭାଇ ବିନୋଦବାବୁ ଦୁଃଖ କରି ତାର କରିଛନ୍ତି, ତା ଛଡ଼ା ଆଉ କିଛି ଅଧିକ ନୁହେଁ । ମା’ ହୁଏତ ଘରେ ଅତ୍ୟନ୍ତ ଅପମାନିତା ହୋଇ ସହି ନ ପାରି ଗଙ୍ଗାବିହୀନ ବର୍ମା ଦେଶକୁ ଆସିଥିଲେ । ଏ କଥା ଜାଣି ଅପୂର୍ବ ଦୁଃଖରେ ଆତ୍ମହରା ହୋଇପଡ଼ିଥିଲା ।

 

ଆଜି ସକାଳେ ଅପୂର୍ବ ଭାରତୀକୁ କହିଲା ଯେ ପୁରୋହିତ ଏଠି ବି ଅଛନ୍ତି । ସେ କଲିକତା ଯିବନି, ଯେ କୌଣସି ପ୍ରକାରେ ଏଇଠି ମାତୃଶ୍ରାଦ୍ଧ କରିବ ।

 

ଝଡ଼ ଓ ବର୍ଷାର ଅବିରାମ ଶବ୍ଦରେ କିଛି ଶୁଣି ପାରିବା କଠିନ । ସମସ୍ତେ ଶଙ୍କିତ ହୋଇ ଉଠିଲେ, କିନ୍ତୁ ପରମୂହୁର୍ତ୍ତରେ ଶିଡ଼ିରେ ପରିଚିତ ପାଦଶବ୍ଦ ଶୁଣି ଭାରତୀ ଆନନ୍ଦାତିଶଯ୍ୟରେ ଚିତ୍କାର କରି ଉଠିଲା ଆରେ, ଏ ତ ଭାଇ ! ଏକହଜାର, ଦଶହଜାର ଓୟେଲ୍‌ କମ୍‌ ! ହାତର ଫଳ ଓ ପନିକି ଫିଙ୍ଗିଦେଇ ଶିଡ଼ି ପାଖରୁ ଛୁଟି ଯାଇ କହିଲା–କୋଟିଏ, ଦଶକୋଟି, କୋଡ଼ିଏ କୋଟି, ହଜାର ହଜାର କୋଟି ଗୁଡ଼୍‌ଇଭ୍‌ନିଂ ଭାଇ; ଶୀଘ୍ର ଆସ !

 

ସବ୍ୟସାଚୀ ଘରେ ପହଞ୍ଚି ପିଠି ଉପରୁ ପ୍ରକାଣ୍ଡ ବୁଜୁଳାଟି ଓହ୍ଲାଇଦେଇ ହସି ହସି କହିଲେ–ଗୁଡ୍‌ ଇଭ୍‌ନିଂ ! ଗୁଡ଼୍‌ ଇଭ୍‌ନିଂ ! ଗୁଡ଼୍‌ ଇଭ୍‌ନିଂ !

 

ଭାରତୀ ତାଙ୍କ ଦୁଇ ହାତକୁ ଧରି ପକାଇ କହିଲା–ଦେଖ ଭାଇ, ତମ ପାଇଁ ଖେଚୁଡ଼ି ରାନ୍ଧୁଛି । ଓଭର୍‌କୋଟ୍‌ଟା ଆଗେ ଖୋଲ । ଇଃ-ଜୋତା ମୋଜା ସବୁ ଓଦା ହୋଇଯାଇଛି; ଠିଆ ହୁଅ-ମୁଁ ଆଗେ ଖୋଲି ଦିଏ । ଏହା କହି ସେ ଆଗ ଓଭର୍‌-କୋଟ୍‌ ଖୋଲିବ ନା ଜୋତା ଖୋଲିବ-ଠିକ୍‌ କରିପାରିଲା ନାହିଁ । ଚଉକୀ ପାଖକୁ ତାଙ୍କୁ ଟାଣିନେଇ ଜୋର୍‌କରି ବସାଇ ଦେଇ କହିଲା–ଆଗ ଜୋତା ଖୋଲୁଛି । ଆଚ୍ଛା, ଏ ବର୍ଷାରେ ଗୋଟାଏ ଗାଡ଼ି କରି ଆସନ୍ତ ନାଇଁ ? ହଁ ଭାଇ, ସକାଳଓଳି କଣ ଖାଇଥିଲ ? ପେଟ ଭରିଥିଲା ? ଭଲକଥା-ହୋଟେଲରେ ଆଜି ମାଂସ ରନ୍ଧା ହେଉଛି-ଦୌଡ଼ିଯାଇ ତମ ପାଇଁ ଆଣିବି ? ଖାଇବ ? ସତ କହ ।

 

ଡାକ୍ତର ହସି ହସି କହିଲେ–ଆରେ ! ଏ କଣ ମତେ ଆଜି ପାଗଳ କରିଦେବ କି ?

 

ଭାରତୀ ଜୋତା ଖୋଲି ଠିଆହୋଇ ତାଙ୍କ ମୁଣ୍ଡରେ ହାତମାରି କହିଲା–ଯାହା ଭାବିଥିଲି, ସେଇ କଥା । ବର୍ଷାରେ ପୂରା ଗାଧୋଇ ପକେଇଛ । ଏହା କହି ସେ ଅଲଗୁଣିରୁ ତଉଲିଆ ଆଣିବାକୁ ଧାଇଁଗଲା ।

 

ତାର ଏ ସବୁ ଘଟଣା ଦେଖି ଶଶୀ ହସି ପକାଇ କହିଲା–ମନେହେଉଛି, ଭାରତୀ ଯେମିତି ଆପଣଙ୍କୁ ଦଶ, କୋଡ଼ିଏ ବର୍ଷ ପରେ ଦେଖିଲେ ।

 

ଡାକ୍ତର କହିଲେ–ତାଠାରୁ ବେଶି । ଏହା କହି ତା’ଠାରୁ ତଉଲିଆଟା ଆଣି କହିଲେ–ୟାର ଆଦରରେ ମୋ ପ୍ରାଣ ଗଲା ଆଜି !

 

ଭାରତୀ କୃତିମ କୋପସହ କହିଲା–ପ୍ରାଣ ଗଲା ! ବସିଥାଅ ତାହେଲେ ! ଏହା କହି ପନିକି ଧରି ଫଳ କାଟିବାରେ ବସିଗଲା । ତାର ବନ୍ଧୁ, ସଖା, ସହୋଦରଠାରୁ ପରମ ଆତ୍ମୀୟ-ଆଜି ତାଙ୍କର ଏଇ ଅପ୍ରତ୍ୟାଶିତ ଆଗମନରେ ସ୍ନେହ, ଶ୍ରଦ୍ଧା, ଗର୍ବ ଓ ସ୍ଵାର୍ଥହୀନ ନିଷ୍ପାପ ପ୍ରୀତିରେ ହୃଦୟ ତାର ଉଛୁଳି ଉଠିଲା–ନିଜକୁ ସେ କିଭଳି ସମ୍ବରଣ କରିବ ? ସୁମିତ୍ରା ନୀରବରେ ବସି ଦେଖୁଥିଲେ-ଘୃଣା ଓ ଗୂଢ଼ ଈର୍ଷାରେ ରଚିତ ଯେ ଦୁର୍ଭେଦ୍ୟ ଯବନିକା ତାଙ୍କ ଆଖି ଆଗରେ ଆଜି ପର୍ଯ୍ୟନ୍ତ ଥିଲା, ଅକସ୍ମାତ୍‌ ଆଜି ଅପସାରିତ ହୋଇଗଲା । ସେ ଏଇ ଦୁଇଟି ନରନାରୀଙ୍କ ଭିତରେ ଅନାବିଳ ସୌହାର୍ଦ୍ଦ୍ୟର ଏକ ସ୍ଵଚ୍ଛ ସ୍ରୋତସ୍ଵତୀ ପ୍ରବାହିତ ହେଉଥିବାର ଦେଖି ପାରିଲେ । ଗୋପନ କରିବା ପାଇଁ, ଲଜ୍ଜାକରିବା ପାଇଁ ଭାରତୀର କିଛି ନ ଥିଲା ବୋଲି ସେ ସବ୍ୟସାଚୀଙ୍କର ଏତେ ଆପଣାର ହୋଇ ପାରିଥିଲା ବୋଲି ସୁମିତ୍ରା ବୁଝି ପାରିଲେ ।

 

ଭାରତୀର ଦୃଷ୍ଟି ଏଥର ଡାକ୍ତରଙ୍କ ବୁଜୁଳାଟି ଉପରେ ପଡ଼ିଲା । ସେ ଉଦ୍‌ବିଗ୍ନ ହୋଇ ପଚାରିଲା–ଆଚ୍ଛା, ଏଇ ଝଡ଼ବର୍ଷା ଭିତରେ ସହଚରଟିକୁ ଧରି କାହିଁକି ଆସିଛ ଭାଇ ? ମିଛ କହିବନି–କୁଆଡ଼େ ଚାଲିଯାଉନ ତ ?

 

ଡାକ୍ତର ହସିବାର ଚେଷ୍ଟାକଲେ, କିନ୍ତୁ ହସିପାରିଲେ ନାହିଁ । ତଥାପି ଥଟ୍ଟା କଲାଭଳି କହିଲେ–ଯିବିନି ତ କଣ ରାମଦାସ ପରି ଧରାପଡ଼ିବି ?

 

ଶଶୀ କହିଲା–ଠିକ୍‌ କଥା ।

 

ଭାରତୀ ଧମକ୍‌ଦେଇ କହିଲା–କଣ ଠିକ୍‌ କଥା ? ଆପଣ କଣ ଜାଣନ୍ତି ଶଶୀବାବୁ, ଗୋଟାଏ ମତାମତ ଦେଉଛନ୍ତି ?

 

ବାଃ, ମୁଁ ଜାଣିନି !

 

କିଛି ଜାଣି ନାହାନ୍ତି ।

 

ଡାକ୍ତର ହସି ହସି କହିଲେ–ଝଗଡ଼ା କଲେ ଖେଚୁଡ଼ି ନଷ୍ଟ ହେବ ସିନା ! ଆଚ୍ଛା ଅପୂର୍ବବାବୁ, କାଲି ଜାହାଜରେ ନ ଗଲେ ତ ଆପଣ ଠିକ୍‌ସମୟରେ ଯାଇ ପହଞ୍ଚି ପାରିବେ ନାହିଁ ?

 

ଅପୂର୍ବ ଗମ୍ଭୀର ହୋଇ କହିଲା–ମୁଁ ମାଆଙ୍କ ଶ୍ରାଦ୍ଧ ଏଇଠି କରିବି ଡାକ୍ତରବାବୁ ।

 

ଏଇଠି ? କାରଣ ?

 

ଅପୂର୍ବ ଚୁପ୍‌ ରହିଲା, ଭାରତୀ ବି କିଛି କହିଲେ ନାହିଁ । ଡାକ୍ତର ବୁଝିଲେ, ଗୋଟାଏ କିଛି ହୋଇଛି, ଯାହା ପ୍ରକାଶ କରାଯିବାର ନୁହେଁ । କହିଲେ–ବେଶ୍‌ ! ତା’ ହେଲେ ଫେରିଯିବା କି ଦରକାର ? ଆପଣଙ୍କ ଚାକିରିଟା ଅଛି ତ ?

 

ଅପୂର୍ବ ଏ କଥାର ବି କିଛି ଉତ୍ତର ଦେଲାନାହିଁ ।

 

ଶଶୀ କହିଲା–ଅପୂର୍ବବାବୁ ସନ୍ନ୍ୟାସ ଗ୍ରହଣ କରିବେ ।

 

ଡାକ୍ତର ହସି ପକାଇ କହିଲେ–ସନ୍ନ୍ୟାସ ! ସେ ପୁଣି କି କଥା !

 

ଅପୂର୍ବ ତାଙ୍କ ହସିବା ଦେଖି କ୍ଷୁଣ୍ଣ ହୋଇ କହିଲା–ଯାହାର ସଂସାରରେ ରୁଚି ନାହିଁ, ଜୀବନ ଅସ୍ଵାଦ ହୋଇଯାଇଛି, ତା ପାଇଁ ଆଉ କଣ ବାଟ ଅଛି, ଡାକ୍ତରବାବୁ ?

 

ଡାକ୍ତର କହିଲେ–ଏ ସବୁ ବଡ଼ ବଡ଼ ଆଦ୍ଧାତ୍ମିକ ବ୍ୟାପାର ଅପୂର୍ବବାବୁ-ତା ସମ୍ପର୍କରେ ଅନଧିକାର ଚର୍ଚ୍ଚା କରିବା ପାଇଁ ମତେ ପ୍ରଲୁବ୍‌ଧ କରନ୍ତୁନାହିଁ । ତା ଅପେକ୍ଷା ବରଂ ଶଶୀର ମତ ନିଅନ୍ତୁ-ସେ ସେସବୁ କଥା ଜାଣେ । ସ୍କୁଲରେ ଫେଲ୍‌ ହୋଇ ବର୍ଷେ ଖଣ୍ଡେ ଜଣେ ସାଧୁଙ୍କର ଚେଲାଗିରି, କରିଥିଲା ।

 

ଶଶୀ ସଂଶୋଧନ କରି କହିଲା–ଦେଢ଼ବର୍ଷ ଉପରେ, ପ୍ରାୟ ଦୁଇବରଷ ।

 

ସୁମିତ୍ରା ଓ ଭାରତୀ ହସିଲେ । ଅପୂର୍ବ ପୂର୍ବପରି ଗମ୍ଭୀର ହୋଇ କହିଲେ–ମାଆର ମୃତ୍ୟୁରେ ମତେ ନିଜକୁ ଅପରାଧୀ ମନେହୁଏ, ଡାକ୍ତରବାବୁ ! ସେଦିନଠାରୁ ମୁଁ ନିରନ୍ତର ଏଇ କଥା ଭାବି ଆସିଛି । ପ୍ରକୃତରେ ମୋର ସଂସାରରେ ପ୍ରୟୋଜନ ନାହିଁ–ସଂସାର ମୋ ପାଇଁ ତିକ୍ତ ହୋଇଉଠିଲାଣି ।

 

ଡାକ୍ତର କିଛି ସମୟ ତା ମୁହଁକୁ ଚାହିଁ ରହି ସସ୍ନେହ ମୃଦୁ କଣ୍ଠରେ କହିଲେ–ମଣିଷର ଏ ଦିଗ ବିଷୟରେ ଭାବିବା ମୋ ପାଇଁ ଅବଶ୍ୟକ ହେଇନି, ଅପୂର୍ବବାବୁ ! କିନ୍ତୁ ସହଜବୁଦ୍ଧିରେ ମନେହୁଏ, ହୁଏତ ଏ ଭୁଲ୍‌ ହେବ । ତିକ୍ତତା ଭିତରେ ସଂସାର ଛାଡ଼ି କେବଳ ହତଭାଗ୍ୟ ଲକ୍ଷ୍ମୀଛଡ଼ା ଜୀବନ ଯାପନ କରିହେବ; କିନ୍ତୁ ବୈରାଗ୍ୟସାଧନ ହେବନି; କରୁଣା,ଆନନ୍ଦ ଭିତରଦେଇ ନ ଗଲେ କଣ-ଅବଶ୍ୟ ମୁଁ ଏସବୁ ଜାଣେନା–

 

ଭାରତୀ ଆକସ୍ମାତ୍‌ ଯେପରି ଏକ ନୂତନ ଜ୍ଞାନ ଲାଭକଲା । ବ୍ୟଗ୍ର ହୋଇ କହିଲା–ତମେ ଠିକ୍‌ ଜାଣିଛ ଭାଇ, ତମ ମୁହଁରୁ କେବେ କିଛି ଭୁଲ୍‌ ବାହାରେ ନା-ଏଇ ସତ୍ୟ ।

 

ଡାକ୍ତର କହିଲେ–ମୋର ତ ସେଇ କଥା ମନେହୁଏ । ମା’ ମରିଗଲେ । କାହିଁକି ଆସିଥିଲେ, ଆପଣ କାହିଁକି ଘରକୁ ଯିବେନାହିଁ–ଏସବୁ ମୁଁ ଜାଣିନି, ଜାଣିବାପାଇଁ ମୋର ବି କୌତୂହଳ ନାହିଁ । କିନ୍ତୁ କାହାର ବ୍ୟବହାରରେ ଯଦି ଆପଣ ତିକ୍ତତା ପାଇଥାନ୍ତି, ତେବେ ସମସ୍ତ ଅନାଗତକାଳ ପାଇଁ ତାହା ହିଁ ସତ୍ୟ ହୋଇ ରହିବ; ଆଉ ଅମୃତ ଯଦି କେଉଁଠି ପାଇଥାନ୍ତି, ତାର କିଛି ଦାମ୍‌ ନାହିଁ ?

 

ଅପୂର୍ବ କହିଲା–ସଂସାରରେ ଭାଇ ଯଦି....

 

ଡାକ୍ତର କହିଲେ–ସଂସାରରେ ଅପୂର୍ବର ଭଇ ବିନୋଦ ବାବୁ ଅଛନ୍ତି; ଭାରତୀର ଭାଇ ସବ୍ୟସାଚୀ କଣ ନାହିଁ ? ସେ ଘରେ ଯଦି ଆପଣଙ୍କର ସ୍ଥାନ ନ ହେଲା, କଲିକତାର ସେଇ ଛୋଟ ଘରଟି କଣ ବାମନଙ୍କ ବିଶ୍ଵବ୍ୟାପୀ ପାଦତଳ ପରି ? ପୃଥିବୀରେ ଆଉ କେଉଁଠି କଣ ଆପଣଙ୍କ ପାଇଁ ସ୍ଥାନ ନାହିଁ ? ଅପୂର୍ବବାବୁ, ହୃଦୟାବେଗ ଦୁର୍ମୂଲ୍ୟ, କିନ୍ତୁ ତାହା ଚୈତନ୍ୟକୁ ଆଚ୍ଛନ୍ନ କରିଦେଲେ, ମଣିଷର ଏତେ ବଡ଼ ଶତ୍ରୁ ଆଉ କେଉଁଠି ନାହିଁ ।

 

ଅପୂର୍ବ ଅନେକ ସମୟ ଚୁପ୍‌ ରହିଲା । କହିଲା–ମୁଁ ତ ଧର୍ମସାଧନ କରିବା ପାଇଁ ବା ଅତ୍ମାର ମୁକ୍ତି ପାଇଁ ସଂସାର ତ୍ୟାଗ କରିବାକୁ ଚାହୁଁନି; ଯଦି କରେ, ତେବେ ପରାର୍ଥ ସଂସାର ତ୍ୟାଗ କରିବି । ଆପଣ ମତେ ବିଶ୍ଵାସ କରିବା ସମ୍ଭବ ନୁହେଁ, ନ କରିଲେ ବି ଦୋଷ ଦେବାର କିଛି ନାହିଁ । କିନ୍ତୁ ଆପଣ ଦିନେ ଯେ ଅପୂର୍ବକୁ ଜାଣିଥିଲେ, ମାଆର ମୃତ୍ୟୁପରେ ମୁଁ ଆଉ ସେ ଅପୂର୍ବ ନୁହେଁ ।

 

ଡାକ୍ତର ଉଠି ଆସି ତା କାନ୍ଧରେ ହାତ ରଖି କହିଲେ–ଏ କଥାଟା ଯେପରି ସତ୍ୟ ହୁଏ, ଅପୂର୍ବ !

 

ଅପୂର୍ବ ଗମ୍ଭୀର ସ୍ଵରରେ କହିଲା–ଆଜିଠାରୁ ମୁଁ ଦେଶକାମରେ ଦୀନଦରିଦ୍ରଙ୍କ ସେବାରେ ଆତ୍ମନିୟୋଗ କରିବି । ସେ କିଛି ସମୟ ଚୁପ୍‌ରହି କହିଲା କଲିକତାରେ ଆମର ଘର, ମୁଁ ସହରର ମଣିଷ, କିନ୍ତୁ ସହର ସାଙ୍ଗେ ମୋର ଆଉ କିଛି ସମ୍ପର୍କ ରହିବ ନାହିଁ । ଆଜିଠାରୁ ପଲ୍ଲୀସେବା ହେବ ମୋ ଜୀବନର ବ୍ରତ । ଦିନେ କୃଷିପ୍ରଧାନ ଭାରତୀର ପଲ୍ଲୀ ଥିଲା ପ୍ରାଣକେନ୍ଦ୍ର । ପଲ୍ଲୀ ଆଜି ଧ୍ୱଂସୋନ୍ନୁଖ । ଆଜିଠାରୁ ମୁଁ ସେମାନଙ୍କ କଲ୍ୟାଣ ପାଇଁ ଆତ୍ମନିୟୋଗ କରିବି । ଭାରତୀ ମତେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗାଁ-ଗାଁରେ ପାଠଶାଳା ଖୋଲି, ଦରକାର ହେଲେ ଘର ଘର ବୁଲି ଶିକ୍ଷିତ କରାଇବାର ଦାୟିତ୍ଵ ସେ ନେବେ । ମୋର ସନ୍ନ୍ୟାସ ଦେଶ ପାଇଁ; ନିଜ ପାଇଁ ନୁହେଁ ।

 

ଡାକ୍ତର କହିଲେ–ସାଧୁ ପ୍ରସ୍ତାବ ।

 

ତାଙ୍କ ମୁହଁରୁ ଏହି ଛୋଟ ମନ୍ତବ୍ୟଟି କେହି ଆଶା କରି ନ ଥିଲେ । ଭାରତୀ କ୍ଷୁଣ୍ଣ ହୋଇ କହିଲା–ଗୋଟାଏ ଦିଗରୁ ଦେଖିଲେ ଏ ତ ତମ କାମ ଭାଇ ! ଏଇ କୃଷିପ୍ରଧାନ ଦେଶରେ କୃଷକ ଜାଗ୍ରତ ନ ହେଲେ ତ କିଛି ହୋଇ ପାରିବନି ।

 

ଡାକ୍ତର କହିଲେ–ମୁଁ ତ ମନା କରୁନି, ଭାରତୀ !

 

କିନ୍ତୁ ତମର ସେଭଳି ଉତ୍ସାହ ନାହିଁ, ଭାଇ !

 

ଡାକ୍ତର କହିଲେ–ଦରିଦ୍ର କୃଷକର ଭଲ କରିବାକୁ ଚାହୁଁଛ, ମୁଁ ତମକୁ ଆଶୀର୍ବାଦ କରୁଛି-। କିନ୍ତୁ ମୋ କାମରେ ସାହାଯ୍ୟ କରୁଛ ବୋଲି ମନେ କରିବାର କୌଣସି କାରଣ ନାହିଁ । ଚାଷୀମାନେ ଧନଜନ-ଗୋପଲକ୍ଷ୍ମୀ ଲାଭ କରନ୍ତୁ; କିନ୍ତୁ ମୁଁ ସେମାନଙ୍କଠାରୁ ସାହାଯ୍ୟ ଆଶା କରେନି । ଅପୂର୍ବ ପ୍ରତି ଚାହିଁ ଡାକ୍ତର କହିଲେ–କାହାର ଭଲ କରିବାକୁ ହେବ ବୋଲି କାହାକୁ ଗାଳିଦେବାକୁ ହେବ, ଏହାର କୌଣସି ଅର୍ଥ ନାହିଁ, ଅପୂର୍ବବାବୁ ! ସେମାନଙ୍କ ଦୁଃଖଦୈନ୍ୟ ମୂଳରେ ଶିକ୍ଷିତ ଭଦ୍ରଜାତି ନାହାନ୍ତି, ତାର ମୂଳ କାରଣ ଦେଖିବାକୁ ହେଲେ ତମକୁ ଅନ୍ୟଦିଗରେ ଖୋଜିବାକୁ ପଡ଼ିବ ।

ଅପୂର୍ବ କୁଣ୍ଠିତ ହୋଇ କହିଲା–କିନ୍ତୁ ଏଇ କଥା ତ ଆଜିକାଲି ସମସ୍ତେ କହନ୍ତି ।

କହନ୍ତୁ । ଯାହା ଭୁଲ୍‌ ତା ତେତିଶକୋଟି ଲୋକ ମିଶି କହିଲେ ବି ଭୁଲ୍‌ । ଏଇ ଭଦ୍ର ଶିକ୍ଷିତ ଗୋଷ୍ଠୀଠାରୁ ଲାଞ୍ଛିତ, ଅପମାନିତ, ଦୁର୍ଦ୍ଦଶାଗ୍ରସ୍ତ ସମସ୍ତ ଦେଶରେ କେହି ନାହିଁ । ତାଙ୍କ ଉପରେ ଆଉ ମିଥ୍ୟା କଳଙ୍କର ବୋଝ ଲଦିଦେଇ ତାଙ୍କୁ ବୁଡ଼େଇ ଦେବାକୁ ଚେଷ୍ଟା କରୁଛ କାହିଁକି-? ନିଜ ବିପକ୍ଷରେ ନିଜର ଦୁର୍ନାମ ଘୋଷଣାରେ ଗୋଟାଏ ନିରପେକ୍ଷ ସ୍ପଷ୍ଟବାଦିତା ଦମ୍ଭ ଅଛି ହୁଏତ, ଗୋଟିଏ ଶସ୍ତା ସୁଖ୍ୟାତି ମିଳେ । କିନ୍ତୁ ଏ ଖାଲି ଭୁଲ୍‌ ନୁହେଁ, ମିଥ୍ୟା । ତମେ ଯାଇ ସେମାନଙ୍କର ମଙ୍ଗଳ କର; କିନ୍ତୁ ଅପରର କଳଙ୍କ ରଟନା କରି ନୁହେଁ । ଏକର ପ୍ରତିକୂଳରେ ଅପରକୁ ଉତ୍ତେଜିତ କରି ନୁହେଁ । ଦୂର ଭବିଷ୍ୟତରେ ହୁଏତ ସେଥିପାଇଁ ଦିନ ଆସିବ; କିନ୍ତୁ ଆଜି ସେ ସମୟ ନୁହେଁ ।

ସମସ୍ତେ ନୀରବ ରହିଲେ । କେବଳ ଭାରତୀ କହିଲା–କିଛି ମନେ କରିବନି ଭାଇ, କିନ୍ତୁ ମୁଁ ବରାବର ଦେଖି ଆସିଛି, ପଲ୍ଲୀ ପ୍ରତି ତମର ସହାନୁଭୂତି କମ୍‌, ତମ ଦୃଷ୍ଟି ସବୁବେଳେ ସହର ଉପରେ । କୃଷକମାନଙ୍କ ପ୍ରତି ତମର ଦୃଷ୍ଟି ନାହିଁ, ତମର ନଜର ଅଛି କାରଖାନାର କୁଲି ମଜୁରିଆଙ୍କ ଉପରେ । ତେଣୁ ତମର ‘ଚଲାପଥର ଦାବୀ’ ଏଇମାନଙ୍କ ଭିତରେ ଖୋଲିଥିଲା । ତମ ମନ ପଡ଼ିରହିଛି ଶିକ୍ଷିତ ମଧ୍ୟବିତ୍ତ ଭଦ୍ରଗୋଷ୍ଠୀ ଭିତରେ । ଏଇମାନେ ତମର ଆଶା ଭରସା, ତମର ନିଜଲୋକ । ଏ କଣ ମିଛ ?

ଡାକ୍ତର କହିଲେ–ମିଛ ନୁହେଁ ଭଉଣୀ, ସଂପୂର୍ଣ୍ଣ ସତ୍ୟ । କେତେଥର ତ ତମକୁ କହିଛି, ମୋ ଅନୁଷ୍ଠାନ ଚାଷୀହିତକାରିଣୀ ଅନୁଷ୍ଠାନ ନୁହେଁ-ଏ ମୋର ସ୍ଵାଧୀନତା ଅର୍ଜନର ଅସ୍ତ୍ର । ଶ୍ରମିକ ଏବଂ କୃଷକ ଏକ ନୁହନ୍ତି, ଭାରତୀ ! ତେଣୁ ମତେ ପାଇବ କୁଲିମଜୁରିଆଙ୍କ ଭିତରେ, କାରଖାନାର ବ୍ୟାରାକ୍‍ରେ-କିନ୍ତୁ ପାଇବନି ଚାଷୀର କୁଟୀରରେ । ସେ ଯାହାହେଉ, ବର୍ତ୍ତମାନ ସେ ପ୍ରଧାନ କର୍ତ୍ତବ୍ୟଟି ଭୁଲିଯାଅନି । ଏହା କହି ସେ ଷ୍ଟୋଭ ପ୍ରତି ଦୃଷ୍ଟି ଆକର୍ଷଣ କରି କହିଲେ–ଦେଶୋଦ୍ଧାର ଦୁଇଦିନ ଡେରି ହେଲେ ଚଳିବ, କିନ୍ତୁ ଖେଚୁଡ଼ି ପୋଡ଼ିଗଲେ ଚଳିବନି ।

ଭାରତୀ ଦୌଡ଼ିଯାଇ ହାଣ୍ଡିର ଘୋଡ଼ଣୀ ଖୋଲି ଦେଖି ଆସି କହିଲା–ଭୟ ନାହିଁ ଭାଇ, ବର୍ଷାରାତିରେ ତମର ଖେଚୁଡ଼ି ଭୋଗ ନଷ୍ଟ ହେବନି ।

କିନ୍ତୁ ବିଳମ୍ବ କେତେ ?

ଭାରତୀ କହିଲା–ପନ୍ଦର କୋଡ଼ିଏ ମିନଟ୍‌ ମାତ୍ର । କିନ୍ତୁ ବ୍ୟସ୍ତ କାହିଁକି ?

ଡାକ୍ତର ହସି ହସି କହିଲେ–ଆଜି ପରା ତମଠାରୁ ବିଦାୟ ନେବାକୁ ଆସିଲି ।

ତାଙ୍କର ହସ ହସ ମୁହଁକୁ ଚାହିଁ କେହି ଏକଥା ବିଶ୍ଵାସ କଲେନାହିଁ । ବାହାରେ ଝଡ଼ବର୍ଷାର ବିରାମ ନାହିଁ, ଭାରତୀ ଝରକା ଖୋଲି କ୍ଷଣକ ପାଇଁ ଚାହିଁ ଦେଇ ଆସି କହିଲା–ବାପ୍‌ରେ ବାପ୍‌ । ପୃଥିବୀ ବୋଧହୁଏ ଓଲଟପାଲଟ ହୋଇଯିବ । ବିଦାୟ ନେବାପାଇଁ ଯଥାର୍ଥ ସମୟ ଭାଇ ! ତାପରେ ସେ କହିଲା–ଆଜି କିନ୍ତୁ ତମଙ୍କୁ ଏଇ ଘରଟିରେ ଶୋଇବାକୁ ହେବ, ମୁଁ ନିଜ ହାତରେ ଚମତ୍କାର ବିଛଣା କରିଦେବି । ତା’ପରେ ସେ ଖାଇବା ଯୋଗାଡ଼ କରିବାରେ ଲାଗିଲା, କିନ୍ତୁ ଏ କଥାର କିଛି ଉତ୍ତର ମିଳିଲା କି ନାହିଁ, ଲକ୍ଷ୍ୟ କଲା ନାହିଁ ।

ଖାଇବା ଜିନିଷ ପ୍ରସ୍ତୁତ ହୋଇଗଲା ପରେ ଡାକ୍ତର କହିଲେ–ତମେ ଆଜି ବାଢ଼ିବା ଛଳନାରେ ବାକୀ ରହିଲେ ଚଳିବ ନାହିଁ । ଆଜି ଆମେ ସମସ୍ତେ ଏକାସାଙ୍ଗରେ ବସି ଖାଇବା ।

ଭାରତୀ ସମ୍ମତି ପ୍ରକାଶ କରି କହିଲା–ସେଇକଥା ହେବ । ଆମେ ଚାରିଜଣ ଟେବୁଲ୍‌ରେ ଗୋଲ୍‌ହୋଇ ବସି ଖାଇବା ।

ଡାକ୍ତର କହିଲେ–ଗୋଲ୍‌ହୋଇ ବସି ଖାଇବା ଯେ, କିନ୍ତୁ ବୁଭୁକ୍ଷୁ ଅପୂର୍ବବାବୁଙ୍କ ଦୃଷ୍ଟି ପଡ଼ିଲେ ପେଟ ଗୋଳମାଳ ହେବ । ସେ କଥାଟା ତାଙ୍କୁ କହ ।

ଅପୂର୍ବ ହସିଲା । ଭାରତୀ ହସି ହସି କହିଲା–ସେ ଭୟ ଆମର ଥାଇପାରେ, କିନ୍ତୁ ତମ ପେଟରେ କିଏ ଗୋଳମାଳ ସୃଷ୍ଟି କରି ପାରିବ ଭାଇ ? ଅଗ୍ନିରେ ପାହାଡ଼ ପର୍ବତ ବି ଭସ୍ମ ହୋଇଯିବ । ମୁଁ ଯେଉଁ ଖାଇବା ଦେଖିଛି ! ଆଉ ଦିନକର ଖାଇବା କଥା ମନେ ପକାଇ ଭାରତୀ ଶିହରି ଉଠିଲା ।

ଭୋଜନ ଆରମ୍ଭ ହେଲା । ଅନ୍ନ-ବ୍ୟଞ୍ଜନର ସୁଖ୍ୟାତି ଏବଂ ଲଘୁ ହାସ୍ୟରସରେ ଘରର ଆବହାୱା ପରବର୍ତ୍ତିତ ହୋଇଗଲା । ଖାଇବା ଯେତେବେଳେ ଜୋର୍‌ସୋର୍‌ରେ ଚାଲିଛି, ସେତିକିବେଳେ ରସଭଙ୍ଗ କଲା ଅପୂର୍ବ । ସେ କହିଲା– ଦୁଇଦିନ ଆଗରୁ ଖବରକାଗଜରେ ଗୋଟାଏ ସମ୍ବାଦ ପଢ଼ିଲି, ଡାକ୍ତରବାବୁ ? ଯଦି ସତ ହୋଇଥାଏ, ତେବେ ଆପଣଙ୍କ ବିପ୍ଳବର ପ୍ରୟାସ ବ୍ୟର୍ଥ ହୋଇଯିବ । ଭାରତ ସରକାର ତାଙ୍କ ଶାସନପଦ୍ଧତିର ଆମୂଳ ସଂସ୍କାର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଶଶୀ କହିଉଠିଲା–ମିଥ୍ୟା କଥା ! ଛଳନା !

ଭାରତୀ ପୂର୍ଣ୍ଣ ବିଶ୍ଵାସ ନ କଲେ ବି କହିଲା–ଛଳନା ନ ହୋଇ ବି ପାରିଥାଏ ଶଶୀ ବାବୁ-! ଯେଉଁମାନେ ନେତା, ଯେଉଁମାନେ ଅର୍ଦ୍ଧଶତାବ୍ଦୀ ବ୍ୟାପୀ-ନା, ଭାଇ, ତମେ ହସିଲେ ହେବନି–ସେମାନଙ୍କ ପ୍ରାଣପଣ ଆନ୍ଦୋଳନର କଣ କିଛି ଫଳ ହେବନି, ଭାବୁଛ ? ବିଦେଶୀ ଶାସକ ହେଲେ ବି ତ ସେମାନେ ମଣିଷ ! ଧର୍ମ୍ମବୁଦ୍ଧି ଓ ନୈତିକ ଜ୍ଞାନ ଫେରି ଆସିବା ତ ସପୂର୍ଣ୍ଣ ଅସମ୍ଭବ ନୁହେଁ ।

ଶଶୀ ଅସଙ୍କୋଚ ସ୍ଵରରେ ଚିତ୍କାର କଲା-ଅସମ୍ଭବ ! ମିଥ୍ୟା ! ଧପ୍‌ପାବାଜି !

ଅପୂର୍ବକହିଲା–ଅନେକ ଲୋକ ଅବଶ୍ୟ ସନ୍ଦେହ କରୁଛନ୍ତି ।

ଭାରତୀ କହିଲା–ସେମାନଙ୍କ ସନ୍ଦେହ ଭୁଲ । ଭଗବାନ କଣ ନାହାନ୍ତି ? ତା ପରେ ଆଗ୍ରହର ସହ କହିଲା–ଶାସନ ପଦ୍ଧତିର ପରିବର୍ତ୍ତନ, ଅତ୍ୟାଚାରର ଲୋପ, ଏସବୁ ଯଦି ସତ୍ୟ ହୁଏ, ତମର ବିପ୍ଲବର ପ୍ରୟୋଜନ, ବିଦ୍ରୋହ ସୃଷ୍ଟି ତ ଅର୍ଥହୀନ ହୋଇଯିବ, ଭାଇ !

ଶଶୀ କହିଲା–ନିଶ୍ଚୟ ।

ଅପୂର୍ବ କହିଲା–ନିଃସନ୍ଦେହ ।

ଭାରତୀ ଡାକ୍ତରଙ୍କ ମୁହଁକୁ ଚାହିଁ କହିଲା–ଭାଇ, ସେତେବେଳେ ତମେ ଭୟଙ୍କର ମୂର୍ତ୍ତି ତ୍ୟାଗକରି ପୁଣି ଶାନ୍ତମୂର୍ତ୍ତି ଗ୍ରହଣ କରିବ ତ ?

ଡାକ୍ତର କାନ୍ଥର ଘଡ଼ିକୁ ଚାହିଁ ମନେ ମନେ କଣ ହିସାବ କରିନେଲେ, ତାପରେ ମନକୁ ମନ କହିଲେ–ଆଉ ବେଶୀ ଡେରି ନାହିଁ । ଭାରତୀକୁ ଚାହିଁ କହିଲେ–ଭାରତୀ, ଏ ମୋର ଭୟଙ୍କର କି ସ୍ନିଗ୍‌ଧ ରୂପ ମୁଁ ଜାଣେ ନା, କିନ୍ତୁ ଏ ଜୀବନରେ ଏ ରୂପ ପରିବର୍ତ୍ତନ ହେବାର ନାହିଁ । ଆଉ ତମର ନମସ୍ୟ ନେତାଗଣ-ଆଜି ଅବଶ୍ୟ ମୁଁ ସେମାନଙ୍କୁ ଥଟ୍ଟା କରୁନି । ବିଦେଶୀ ଶାସନର ସଂସ୍କାର କଣ, ପ୍ରାଣପଣେ ଆନ୍ଦୋଳନ କରି ସେମାନେ କଣ ଚାହାଁନ୍ତି, ସେଥିରୁ କେତେ ଖାଣ୍ଟି ଏବଂ କେତେ ନକଲ–କଣ ପାଇଲେ ଶଶୀ ଧପ୍‌ପାବାଜି କହିବନି ଏବଂ ନମସ୍ୟଗଣଙ୍କର ରୋଦନ ବନ୍ଦ ହେବ, ମୁଁ କିଛି ଜାଣେନି । ବିଦେଶୀ ସରକାର ବିରୁଦ୍ଧରେ ସେମାନେ ଯେତେବେଳେ ଆଖି ଲାଲ୍‌କରି ଚରମବାଣୀ ପ୍ରଚାର କରନ୍ତି-ଆମେ ଆଉ ଶୋଇନାହୁଁ, ଜାଗିଲୁଣି, ଆମ ଆତ୍ମସମ୍ମାନରେ ଭୀଷଣ ଆଘାତ ଲାଗିଛି, ହୁଏତ ଆମ କଥା ଶୁଣ, ନ ହେଲେ ବନ୍ଦେମାତରଂ ରାଣ ପକାଇ କହୁଛୁ, ତମ ଅଧୀନରେ ଆମେ ନିଶ୍ଚୟ ସ୍ଵାଧୀନ ହେବୁ, ଦେଖି କିଏ ଆମକୁ ଅଟକେଇବ-ଏ ଯେ କି ପ୍ରକାର ପ୍ରାର୍ଥନା, ମୋର ବୁଦ୍ଧିର ଅଗମ୍ୟ । କେବଳ ଏତିକି ଜାଣେ ଯେ ସେମାନଙ୍କ ଦାବୀ ଓ ପ୍ରାପ୍ତ ସହ ମୋର କୌଣସି ସମ୍ବନ୍ଧ ନାହିଁ ।

 

ଅଳ୍ପ ସମୟ ଚୁପ୍‌ ରହି ସେ କହିଲେ–ସଂସ୍କାର ମାନେ ମରାମତି, ଉଚ୍ଛେଦ ନୁହେଁ-ଗୁରୁଭାର ହେତୁ ଯେ ଅପରାଧ ଆଜି ଦୁଃସହ ହୋଇ ଉଠିଛି, ତାକୁ ସୁସହ କରିବା । ଯେ ଯନ୍ତ୍ର ବିକଳ ହୋଇଗଲାଣି, ତାକୁ ମରାମତି କରି ସୁପ୍ରତିଷ୍ଠିତ କରିବାର କୌଶଳ ବୋଧହୁଏ ଶାସନ ସଂସ୍କାର । ଦିନକ ପାଇଁ ବି ମୁଁ ଏ ଫାଙ୍କି ଚାହିଁନି-ଗୋଟାଏ ଦିନ ସୁଦ୍ଧା କହିନି ଯେ ମୋର କାରାଗାରର ପରିସର ଆଉ ଟିକେଏ ବଢ଼େଇ ଦେଇ ମତେ ଧନ୍ୟ କର । ଭାରତୀ, ମୋର କାମନା, ମୋର ତପସ୍ୟାରେ ଆତ୍ମପ୍ରବଞ୍ଚନାର ପ୍ରଶ୍ନ ନାହିଁ । ଏ ତପସ୍ୟା ଶେଷ ହେବାର ଦୁଇଟି ମାତ୍ର ବାଟ ଖୋଲା ଅଛି-ଗୋଟିଏ ମୃତ୍ୟୁ, ଅନ୍ୟଟି ଭାରତର ସ୍ଵାଧୀନତା ।

 

ଡାକ୍ତରଙ୍କର ଏ ଉକ୍ତିରେ ନୂତନ କିଛି ନ ଥିଲା, ତଥାପି ମୃତ୍ୟୁ ଓ ଏ ଭୟଙ୍କର ସଙ୍କଳ୍ପର ପୁନରୁଚ୍ଚାରଣ ଭାରତୀକୁ ଗମ୍ଭୀରଭାବେ ଆଲୋଡ଼ିତ କଲା । ସେ କହିଲା–ତମେ ଏକୁଟିଆ କଣ କରିପାରିବ ଭାଇ ? ଜଣେ ଜଣେ ହେଇ ଯେ ସମସ୍ତେ ଚାଲିଗଲେ ?

 

ଡାକ୍ତର କହିଲେ–ଯିବେ ନିଶ୍ଚୟ । ମୋର ମୁକ୍ତିର ଦେବତା ଫାଙ୍କି ସହି ପାରନ୍ତି ନାହିଁ ।

 

ଖାଇବା ଶେଷ ହେବା ପରେ ଡାକ୍ତର ହାତ ମୁହଁ ଧୋଇ ଚେୟାରରେ ବସିଲେ । କେହି ଲକ୍ଷ୍ୟକରି ପାରିଲେ ନାହିଁ ଯେ ସେ ଯେପରି କାହା ଅପେକ୍ଷାରେ ଉତ୍କଣ୍ଠା । ତଳେ ଗୋଟାଏ କଣ ଶବ୍ଦ ଶୁଣାଗଲା, ଆଉ କେହି ଶୁଣି ପାରିଲେ ନାହିଁ । ଡାକ୍ତର ଉଠିପଡ଼ି କହିଲେ–ତଳେ ଅପୂର୍ବବାବୁଙ୍କ ଚାକର ଅଛି ନା ? ଆରେ, ଆରେ ଦୁଆରଟା ଖୋଲି ଦେଲୁ ।

 

କେଉଁଠି କାହାର ଶେଯ ପଡ଼ିବ, ଭାରତୀ ସେ ବିଷୟରେ ସୁମିତ୍ରାଙ୍କ ସହ କଥାବାର୍ତ୍ତା କରୁଥିଲା । ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲା–କିଏ ଭାଇ ? କିଏ ଆସିବ ?

 

ଡାକ୍ତର କହିଲେ–ହୀରା ସିଂ । ତାର ଆସିବା ଆଶାରେ ବାଟ ଚାହିଁ ବସିଛି । କଣ କବି, କବିତା ଭଳି ଶୁଭିଲା ନାହିଁ ।

 

ଭାରତୀ କହିଲା–ଏ ବର୍ଷାରେ ଏକୁଟିଆ ତମର କାବ୍ୟଜ୍ଵାଳାରେ ଆମେ ନୟାନ୍ତ, ଆଉ ଭଗ୍ନଦୁତ କାହଁକି ?

 

ଶଶୀ କହିଲା–ଭଗ୍ନଦୂତ ନ ଥିଲେ ଏତେ ବଡ଼ ‘ମେଘନାଦବଧ’ କାବ୍ୟ ରଚନା ହୋଇ ପାରି ନ ଥାନ୍ତା ।

 

“ଦେଖି, ଏ କେଉଁ କାବ୍ୟ ରଚନା କରୁଛନ୍ତି” କହି ଭାରତୀ ଉଙ୍କି ମାରି ଚାହିଁଲା । ଦୁଆର ଖୋଲିବାରୁ ହୀରା ସିଂ ଆସି ପ୍ରବେଶ କଲା । ସେ ସମସ୍ତଙ୍କୁ ନମସ୍କାର କଲା ଓ ସବ୍ୟସାଚୀଙ୍କୁ ହାତଯୋଡ଼ି ପ୍ରଣାମ କଲା । ସେଇ ସରକାରୀ ପୋଷାକ ପିନ୍ଧା ହୋଇଛି । ଅଣ୍ଟାରେ ସରକାରୀ ଟେଲିଗ୍ରାମ ପିଅନ୍‌ର ବ୍ୟାଜ୍‌-ସବୁ ଓଦା ହୋଇ ଯାଇଛି । ବିପୁଳ ଦାଢ଼ୀ ନିଶରୁ ଥପ୍‌ଥପ୍‌ ପାଣି ଗଡୁଛି–ବାଁ ହାତରେ ମୁହଁ ପୋଛୁ ପୋଛୁ ହୀରା ସିଂ କହିଲା–ରେଡ଼ି ।

 

ଡାକ୍ତର କହିଲେ–ଥ୍ୟାଙ୍କ୍‌ ଇଉ ! ଥ୍ୟାଙ୍କ୍‌ ଇଉ ସର୍ଦ୍ଦାରଜୀ ! କେତେବେଳେ ? ‘ନାଓ’ ଏତିକି କହି ସେ ତଳକୁ ଓହ୍ଳାଇ ଯାଉଥିଲା । ସମସ୍ତେ ଚିତ୍କାର କରି ପଚାରିଲେ–ଘଟଣା କଣ ସର୍ଦ୍ଦାରଜୀ ?

 

ଅଥଚ ସମସ୍ତେ ଜାଣନ୍ତି ଯେ ଏ ଲୋକଟିର ବେକରେ ଛୁରୀ ବସାଇ ଦେଲେ ବି ଏ ସମ୍ପର୍କରେ ସେ କିଛି କହିବ ନାହିଁ । ତାର ନିନ୍ଦା-ଖ୍ୟାତି, ମାନ-ଅପମାନ, ଶତ୍ରୁ–ମିତ୍ର ବିଚାର ନାହିଁ । ଦେଶ ପାଇଁ ସବ୍ୟସାଚୀଙ୍କୁ ସର୍ଦ୍ଦାର ବୋଲି ଗ୍ରହଣ କରି ସେ କଠୋର ସୈନିକ ବ୍ରତ ଗ୍ରହଣ କରିଛି-। ଏମାନଙ୍କର କୌତୂହଳ ନିବୃତ୍ତି ପାଇଁ ଡାକ୍ତର ଏକ ସଂକ୍ଷିପ୍ତ ବିବରଣୀ ଦେଲେ । ତାହା ଏହି ଯେ-ଡାକ୍ତରଙ୍କୁ ବର୍ତ୍ତମାନ ଦୁଇଟା କାମ କରିବାକୁ ହେବ । ସିଙ୍ଗାପୁରରେ ‘ଜାମାଇକା କ୍ଲବ’ର ଯେ ଅଂଶଟା ଅଛି, ତାକୁ ରକ୍ଷା କରିବାକୁ ହେବ ଏବଂ ଯେକୌଣସି ପ୍ରକାରେ ବ୍ରଜେନ୍ଦ୍ରକୁ ଖୋଜି ବାହାର କରିବାକୁ ହେବ । ସିରିଅମ୍‌ ପାଖରେ ଖଣ୍ଡେ ଚୀନା ଜାହାଜ ମାଲ୍‌ ବୋଝେଇ କରି ଚୀନ ଯାଉଛି, କାଲି ସକାଳୁ ତାହା ବନ୍ଦର ଛାଡ଼ିବ । ସେଇ ଜାହାଜରେ ଗୋଟାଏ ସ୍ଥାନ ମିଳିଛି । ସେଇ ସମ୍ବାଦ ହୀରା ସିଂ ଦେଇଗଲା ।

 

ଏ କଥା ଶୁଣି ସୁମିତ୍ରାଙ୍କର ମୁହଁ କଳା ପଡ଼ିଗଲା । ଖୁବ୍‌ ସମ୍ଭବ ବ୍ରଜେନ୍ଦ୍ର, ବର୍ତ୍ତମାନ ସିଙ୍ଗାପୁରରେ ଏବଂ ଯେ ବ୍ୟକ୍ତି ତା ସନ୍ଧାନରେ ବାହାରିଲା, ତା ଦୃଷ୍ଟିରୁ ସ୍ଵଗ ମର୍ତ୍ତ୍ୟ ପାତାଳରେ କେଉଁଠି ତାର ତ୍ରାଣ ନାହିଁ । ସେତେବେଳେ ବିଶ୍ଵାସଘାତକତାର ବିଚାର ପାଇଁ ସମୟ ଆସିବ । ଏହାର ଦଣ୍ଡ କଣ, ସୁମିତ୍ରା ତା ଜାଣନ୍ତି । ବଜେନ୍ଦ୍ର ତାର ଅପରାଧ ପାଇଁ ଦଣ୍ଡ ପାଉ କିନ୍ତୁ ସୁମିତ୍ରା ସେଥିପାଇଁ ଆତଙ୍କିତ ହେଲେ ନାହିଁ । ବ୍ରଜେନ୍ଦ୍ର, ବି ସାଧାରଣ ବ୍ୟକ୍ତି ନୁହେଁ; ସେ ଆତ୍ମରକ୍ଷା କରି ଜାଣେ । ତା ପରି ଧୂର୍ତ୍ତ, କୌଶଳୀ ଓ ସତର୍କ ବ୍ୟକ୍ତି ବିରଳ । ତାର ଗୋଟାଏ ଭୁଲ୍‌ ଏଇ ଯେ ସେ ନିର୍ଭର ବିଶ୍ଵାସ କରିଛି–ଡାକ୍ତର ଚଲାବାଟରେ ବର୍ମା ତ୍ୟାଗକରି ଚୀନ୍‌ ଯାଇଛନ୍ତି । ଏହିକ୍ଷଣି ଯଦି ସେ ଡାକ୍ତରଙ୍କ ସନ୍ଧାନ ପାଏ, ତେବେ ନିଷ୍ଠୁର ଭାବେ ହତ୍ୟା କରିବାକୁ ପଛେଇବ ନାହିଁ ।

 

ଭାରତୀର ମନେପଡ଼ିଲା ଯେ ମୌଲ୍‌ମୀନ୍‌ରେ ଥରେ ଗୋଟାଏ ଜନ୍ମଦିନର ଭୋଜି ଓ ଆନନ୍ଦ ଉତ୍ସବ ଭିତରେ ହଠାତ୍‌ ରେଭେରେଣ୍ଡ୍‌ ଲରେନ୍‌ସ ଖାଇବା ଟେବୁଲ ଉପରେ ହୃଦ୍‌ରୋଗରେ ମରିଗଲେ-। ଆଜି ବି ହୀରା ସିଂ ଘରେ ପ୍ରବେଶ କରି ମୃତ୍ୟୁଦୂତ ଭଳି ସବୁ ଆନନ୍ଦ ନଷ୍ଟ କରିଦେଲା-

 

ହଠାତ୍‌ ଶଶୀ କହିଉଠିଲା–ସବୁ ଯେପରି ଫାଙ୍କା ହୋଇଗଲା, ଡାକ୍ତର !

 

ଡାକ୍ତର ହସିଲେ । ଶଶୀ କହିଲା–ହସନ୍ତୁ ବା ଯାହା କରନ୍ତୁ, ସତ କଥା । ଆପଣ ପାଖରେ ନାହାନ୍ତି ଭାବିଲେ ସବୁ ଯେମିତି ଫାଙ୍କା, ଝାପ୍‌ସା ହୋଇଯାଏ । କିନ୍ତୁ ମୁଁ ଆପଣଙ୍କର ସବୁ ହୁକୁମ୍‌ ମାନି ଚଳିବି ।

 

ଅର୍ଥାତ୍‌ ?

 

ଅର୍ଥାତ୍‌ ମଦ ଖାଇବି ନାହିଁ, ପଲିଟିକ୍‌ସରେ ମିଶିବି ନାହିଁ, ଭାରତୀଙ୍କ ପାଖରେ ରହିବି ଏବଂ କବିତା ଲେଖିବି ।

 

ଡାକ୍ତର ଭାରତୀ ମୁହଁକୁ ଚାହିଁଲେ ଏବଂ କହିଲେ–ଚାଷୀଙ୍କ ପାଇଁ କବିତା ଲେଖିବ ନାହିଁ-?

 

ଶଶୀ କହିଲା–ନା, ସେମାନେ ତାଙ୍କ କାବ୍ୟ ଲେଖି ପାରିଲେ ଲେଖନ୍ତୁ, ମୁଁ ଲେଖିବି ନାହିଁ । ଆପଣଙ୍କ କଥା ମୁଁ ଅନେକ ଭାବୁଛି । ଆପଣଙ୍କର ଗୋଟିଏ ଉପଦେଶ ଭୁଲିବି ନାହିଁ ଯେ ଆଇଡ଼ିଆ ପାଇଁ କେବଳ ଶିକ୍ଷିତ ଭଦ୍ରଗୋଷ୍ଠୀ ଅତ୍ମବିସର୍ଜ୍ଜନ କରି ପାରନ୍ତି-ଅଶିକ୍ଷିତ କୃଷକ ପାରିବ ନାହିଁ । ମୁଁ ହେବି ସେଇମାନଙ୍କର କବି ।

 

ଡାକ୍ତର କହିଲେ–ଭଲ କଥା । କିନ୍ତୁ ଏଇ ତ ଶେଷକଥା ନୁହେଁ । ମଣିଷର ଅଗ୍ରଗତି ଏଇଠି ନଶ୍ଚଳ ରହିବ ନାହିଁ । କୃଷକର ସମୟ ବି ଦିନେ ଆସିବ, ଯେତେବେଳେ ଜାତିର ସମସ୍ତ କଲ୍ୟାଣର ଭାର ସେମାନଙ୍କ ଉପରେ ଅର୍ପଣ କରାଯିବ ।

 

ଶଶୀ କହିଲା–ସେ ଦିନ ଆସୁ । ସେତେବେଳେ ସ୍ଵଚ୍ଛନ୍ଦ ଶାନ୍ତ, ମନରେ ସେମାନଙ୍କ ହାତରେ ଦାୟିତ୍ଵ ଦେଇ ଆମେ ବିଦାୟ ନେବୁ । କିନ୍ତୁ ଆଜି ନୁହେଁ-ଆଜି ଅତ୍ମବଳୀର ଗୁରୁଭାର ସେମାନେ ସହିପାରିବେ ନାହିଁ ।

ଡାକ୍ତର ତା କାନ୍ଧ ଉପରେ ହାତ ରଖିଲେ । ଅପୂର୍ବ ଏ ପର୍ଯ୍ୟନ୍ତ ଏମାନଙ୍କ ଆଲୋଚନା ଚୁପ୍‌ହୋଇ ଶୁଶୁଥିଲା । ଶଶୀର ଶେଷ ମନ୍ତବ୍ୟ ତାକୁ ଭଲ ଲାଗିଲା ନାହିଁ । ସେ କୃଷକର ଉନ୍ନତି ନିମିତ୍ତ ଅତ୍ମନିୟୋଗ କରିବ ବୋଲି ମନସ୍ଥ କରିଛି; ତେଣୁ ସେ ସମ୍ପର୍କରେ ଏସବୁ ମନ୍ତବ୍ୟରେ କ୍ଷୁବ୍‌ଧ ହୋଇ ସେ କହିଲା–ମଦ ଖାଇବା ଖରାପ, ଛାଡ଼ି ଦିଅନ୍ତୁ । କାବ୍ୟଚର୍ଚ୍ଚା ଭଲ, ତା କରନ୍ତୁ । କିନ୍ତୁ କୃଷିପ୍ରଧାନ ଭରତବର୍ଷରେ କୃଷକ କଣ ଏଭଳି ଅବହେଳାର ପାତ୍ର ? ଏମାନେ ଯଦି ବଡ଼ ନ ହେବେ, ଆପଣଙ୍କ ବିପ୍ଳବ କରିବ କିଏ ? ଆଉ ପଲିଟିକ୍‌ସ-ମୁଁ ସତ କହୁଛି ଡାକ୍ତରବାବୁ, କୃଷକ-କଲାଣ-ବ୍ରତ ନ ନେଇ-ଥିଲେ ଆଜି ସ୍ଵଦେଶର ରାଜନୀତି ମୋ ଜୀବନର ଏକମାତ୍ର କର୍ତ୍ତବ୍ୟ ହୋଇଥାନ୍ତା ।

ଡାକ୍ତର କିଛି ସମୟ ତା ମୁହଁକୁ ଚାହିଁ ରହିଲେ । ପ୍ରସନ୍ନ ମୁଁ ସ୍ନିଗ୍‌ଧୋଜ୍ଵଳ ହସରେ ତାଙ୍କ ମୁହଁ ପ୍ରଦୀପ୍ତ ହୋଇ ଉଠିଲା । କହିଲେ–ମୁଁ କାୟମନୋବାକ୍ୟରେ କାମନା କରୁଛି, ତମର ଉଦ୍ଦେଶ୍ୟ ଯେପରି ସଫଳ ହୁଏ । ମୁଁ ଖାଲି କହୁଛି ଯେ-ସମସ୍ତେ ତ ସବୁ କାମ ପାଇଁ ଯୋଗ୍ୟ ନୁହନ୍ତି ।

ଅପୂର୍ବ ସଙ୍ଗେ ସଙ୍ଗେ ସ୍ଵୀକାର କରି କହିଲା–ମୋଠାରୁ କାହାର ଏ ସମ୍ପର୍କରେ ବଡ଼ ଶିକ୍ଷା ଅଛି ଡାକ୍ତରବାବୁ ? ଆପଣ ଦୟା ନ କରୁଥିଲେ ଏ ଭ୍ରମପାଇଁ ମୁଁ ଚରମଦଣ୍ଡ ପାଇଥାନ୍ତି; କହୁ... କହୁ ସେ ଶିହରି ଉଠିଲା ।

ଶଶୀ । ଏ ଘଟଣା ଜାଣେନା । ତେଣୁ ଏ କଥାକୁ ସେ ଅପୂର୍ବର ଭକ୍ତି ଓ ବିନୟର ପ୍ରକାଶ ବୋଲି ଭାବି କହିଲା–ଭ୍ରମ ତ ସମସ୍ତେ କରନ୍ତି, କିନ୍ତୁ ଜନ୍ମଭୂମି ସେଥିପାଇଁ ଦଣ୍ଡ ପାଏ । ମୁଁ ଭାବୁଛି ଡାକ୍ତରବାବୁ, ଆପଣଙ୍କଠାରୁ ଯୋଗ୍ୟତର ବ୍ୟକ୍ତି ବା କିଏ ଅଛି ? କାହାର ଏତେ ଜ୍ଞାନ, ଜାତି ଓ ଦେଶ ନିର୍ବିଶେଷରେ କାହାର ରାଷ୍ଟ୍ରତନ୍ତ୍ର ସମ୍ପର୍କରେ ଏତେ ଅଭିଜ୍ଞତା-ଅଥଚ କିଛି କାମରେ ଲାଗିଲା ନାହିଁ । ଚୀନ୍‌ର ବ୍ୟବସ୍ଥା ନଷ୍ଟ ହୋଇଗଲା, ପିନାଙ୍ଗ୍‌ରେ ଗଲା, ବର୍ମାରେ କିଛି ରହିଲା ନାହିଁ, ସିଙ୍ଗାପୁରରେ ବି ଯିବ ନିଶ୍ଚୟ-ଗୋଟାଏ କଥାରେ ଆପଣଙ୍କର ଏତେ କାଳର ସମସ୍ତ ଚେଷ୍ଟା ଧ୍ଵଂସ ହୋଇଗଲା । କେବଳ ପ୍ରାଣଟା ଅଛି, ସେ ବି କେଉଁ ଦିନ ଯିବ ।

ଡାକ୍ତର ସାମାନ୍ୟ ହସିଲେ । ଶଶୀ କହିଲା–ହସନ୍ତୁ ପଛେ ମୁଁ କିନ୍ତୁ ଏଇ କଥା ଦିବ୍ୟଦୃଷ୍ଟିରେ ଦେଖିପାରୁଛି ।

ଡାକ୍ତର କହିଲେ–ଆଉ କଣ ଦେଖିପାରୁଛ କବି ?

ଶଶୀ କହିଲା–ହଁ, ଅନେକ । ସେଥିପାଇଁ ତ ଆପଣଙ୍କୁ ଦେଖିଲେ ମନେହୁଏ, ନିରୁପଦ୍ରବ ଶାନ୍ତିର ମାର୍ଗରେ ଯଦି ଆପଣଙ୍କ ଚଲାବାଟର ଦାବୀ ପାଇଁ ସୂଚ୍ୟଗ୍ର ରାସ୍ତା ଖୋଲା ଥାଆନ୍ତା !

ଅପୂର୍ବ କହିଲା–ବାଃ, ଏକାସଙ୍ଗରେ ଦୁଇଟା ଓଲଟା କଥା ।

ସୁମିତ୍ରା ହସିଲେ । ଡାକ୍ତର ନିଜେ ହସି ହସି କହିଲେ–ତାର କାରଣ, ତା ଭିତରେ ଦୁଇଟା ସତ୍ତା ଅଛି ଅପୂର୍ବ ବାବୁ ! ଗୋଟାଏ ଶଶୀ, ଆଉ ଜଣେ କବି । ଜଣଙ୍କ ମନର କଥା ଆଉ ଜଣଙ୍କ କଥା ସହ ଧକ୍‌କା ଖାଇ ଏହିଭଳି ବେସୁରା ଶୁଭେ । ଭାରତୀ, ଜୀବନଯାତ୍ରାରେ ଯଦି ଦେବେ ଆଘାତ ପାଇବ ଭଉଣୀ, ମୋର ଏ କଥାଟି ମନେ ରଖିବ ଯେମିତି । ଆଚ୍ଛା, ଏଥର ମୁଁ ଯାଏ । ଘାଟରେ ନାଆ ବନ୍ଧା ହୋଇଛି । ଭଟ୍ଟାବେଳେ ବହୁତ ସମୟ ଆହୁଲା ମାରିବାକୁ ପଡ଼ିବ–ନହେଲେ ଭୋର୍‌ରୁ ଜାହାଜ ଧରି ପାରିବି ନାହିଁ ।

ଭାରତୀ ବ୍ୟାକୁଳ ହୋଇ କହିଲା–ଏଇ ଭୟଙ୍କର ଝଡ଼ ଭିତରେ ତମେ ଚାଲିଯିବ ?

ତାର ବ୍ୟାକୁଳ ସ୍ଵର ଶୁଣି ସୁମିତ୍ରାଙ୍କର ଆତ୍ମସଂଯମ ଭାଙ୍ଗି ପଡ଼ିଲା । ଯେ ପଚାରିଲେ–ତମେ କଣ ସତରେ ସିଙ୍ଗାପୁରରେ ଓହ୍ଲାଇବ ? ଏ କାମ ତମେ କେବେ କରନି-ସେଠିକାର ପୋଲିସ୍‌ ତମକୁ ଖୁବ୍‌ ଭଲଭାବେ ଚିହ୍ନନ୍ତି । ଏଥର ତାଙ୍କ ହାତରୁ....କଥା ଶେଷ ନ ହେଉଣୁ ଡାକ୍ତର କହିଲେ–ଏଠି କଣ ସେମାନେ ମତେ ଚିହ୍ନନ୍ତି ନାହିଁ ସୁମିତ୍ରା ?

 

ଏ କଥା ନେଇ ଯୁକ୍ତି କରିବାର ବେଳ ନାହିଁ । ସୁମିତ୍ରା ବ୍ୟାକୁଳ ହୋଇ କହିଲେ–ଥରେ ମାତ୍ର ତମେ ମୋ ଉପରେ ନିର୍ଭର କରି ଦେଖ, ମୁଁ ତମକୁ ସୁରବାୟାରେ ପହଞ୍ଚେଇ ପାରିବି କି ନା । ତାପରେ, ଟଙ୍କାରେ କଣ ନ ହେଇ ପାରେ, କୁହ ?

 

ଡାକ୍ତର ନଇଁପଡ଼ି ଜୋତାର ଫିତା ବାନ୍ଧୁ ଥିଲେ । ଶେଷକରି ସିଧାହୋଇ କହିଲେ–ଟଙ୍କାଦ୍ଵାରା ଅନେକ କାମ ହୁଏ ସୁମିତ୍ରା, ତାର ଅପଚୟ କରିବନି । ସମସ୍ତେ ବୁଝିଲେ ଏ ଆଲୋଚନା ବୃଥା । ଭାରତୀ କହିଲା–ମତେ ତମେ ଅକୂଳ ସମୁଦ୍ରରେ ଭସେଇ ଦେଇ ଯାଉଛ ଭାଇ ! ଅଥଚ ତମେ ବାରମ୍ବାର କହ, ମୋ ପ୍ରତି, ମୋ ବୟସର ସବୁ ଝିଅଙ୍କ ପ୍ରତି ତମର ଅନେକ ଶ୍ରଦ୍ଧା–ଏଇ କଣ ତାର ନିଦର୍ଶନ ।

 

ଡାକ୍ତର କହିଲେ–ମୁଁ ତମକୁ ପ୍ରକୃତରେ ଭଲପାଏ ଭାରତୀ । ତାପରେ, ଝିଅମାନଙ୍କ ପ୍ରତି ମୋର କେତେ ଶ୍ରଦ୍ଧା, କେତେ ଭରସା–ତା’ ତମମାନଙ୍କୁ ଜଣେଇବାର ସୁଯୋଗ ମୋର ହେଲାନି । ମୋ ତରଫରୁ ତମେ ଏଇ କଥାଟା ଜଣେଇ ଦେବ ଭଉଣୀ ।

 

ଭାରତୀ କାନ୍ଦି ପକାଇ କହିଲା–ହଁ, ଏଇକଥା କହିବି ଯେ ଆମକୁ ତମେ ବଳିଦେବାକୁ ଚାହଁ ।

 

ଡାକ୍ତର ତା ମୁହଁକୁ କିଛି ସମୟ ଚାହିଁ ରହି କହିଲେ–ବେଶ୍‌, ସେଇ କଥା କହିବ । ସ୍ଵଦେଶର ଗୋଟିଏ ଝିଅ ଯଦି ଏ କଥାର ଅର୍ଥ ବୁଝେ, ତେବେ ମୁଁ ଧନ୍ୟ ହେବି । ଏହା କହି ସେ ତାଙ୍କ ବିରାଟ ବୁଜୁଳିଟି ଉଠେଇ କାନ୍ଧରେ ପକେଇଲେ । ତାଙ୍କ ପଛେ ପଛେ ସମସ୍ତେ ତଳକୁ ଓହ୍ଲାଇ ଆସିଲେ ।

 

ଭାରତୀ କହିଲା–ନିଜ ଦେଶରେ ଯଦି ସବୁ ଆୟୋଜନ ବିଫଳ ହୁଏ, ତେବେ ବିଦେଶରେ ବା କଣ କରିହେବ ଭାଇ ? ଯେଉଁମାନେ ଅନ୍ତରଙ୍ଗ ବନ୍ଧୁ, ସେମାନେ ତ ଗୋଟି-ଗୋଟି ହୋଇ ଓହରି ଗଲେ, ବର୍ତ୍ତମାନ ଯେ ତମେ ନିଃସଙ୍ଗ-ଏକା ।

 

ଡାକ୍ତର କହିଲେ–ହଁ, କିନ୍ତୁ ଏକା ତ ଆରମ୍ଭ କରିଥିଲି ଭାରତୀ ! ଆଉ ବିଦେଶ-ଭଗବାନଙ୍କ ଦୟାରୁ ମଣିଷର ମର୍ଜି ଅନୁଯାୟୀ ପୃଥିବୀଟା ଛୋଟ ବଡ଼ ଅନେକ କାରାକକ୍ଷରେ ବିଭକ୍ତ ନୁହେଁ । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ–ବିଧାତାଙ୍କ ରାଜପଥ ସମ୍ପୂର୍ଣ୍ଣ ଉନ୍ନୁକ୍ତ ।

 

ବାହାରେ ପ୍ରକୃତିର ରୁଦ୍ରତାଣ୍ଡବ ଘର ଭିତରୁ ଜାଣିହେଉ ନ ଥିଲା । ବିଦ୍ୟୁତ୍‌, ଝଞ୍ଜା, ବର୍ଷା ଓ ବଜ୍ରପାତର ପ୍ରଳୟ-ଡାକ୍ତର ଦୁଆର ଖୋଲିଲା ମାତ୍ରେ ବର୍ଷାପାଣି ଘର ଭିତରକୁ ପଶି ଆସିଲା ଓ ପବନରେ ଆଲୁଅ ଲିଭିଯାଇ ଘର ବାହାର ସବୁ ଅନ୍ଧାର ହୋଇଗଲା ।

 

ଡାକ୍ତର ଡାକିଲେ–ସର୍ଦ୍ଦାର୍‌ଜୀ !

 

ବାହାରୁ ସ୍ଵର ଶୁଭିଲା–ଇଏସ୍‌ ଡକ୍ଟର ! ରେଡ଼ି !

 

ଏଇ ଦୁଃସହ ଝଡ଼ ଓ ମୂଷଳଧାରରାର ବୃଷ୍ଟିରେ, ଏଇ ସୂଚୀଭେଦ୍ୟ ଅନ୍ଧାରରେ ନିଶ୍ଚଳ ନିଃଶବ୍ଦଭାବେ ଠିଆହୋଇ କେହି ପହରା ଦେଇପାରେ, ଏ କଥା ଭାବି ହୁଏ ନା ।

 

ଡାକ୍ତର କହିଲେ–ତାହେଲେ ମୁଁ ବର୍ତ୍ତମାନ ଯାଏ । ଏହା କହି ସେ ବାହାରକୁ ଗୋଡ଼ ବଢ଼ାଇଲାକ୍ଷଣି ଅପୂର୍ବ ବ୍ୟଗ୍ର ଓ ବ୍ୟାକୁଳ ହୋଇ କହିଲା–ମୁଁ ଯେ ଦିନେ ଜୀବନ ପାଇଥିଲି, ଏକଥା ମୋର ମନେ ରହିବ ଡାକ୍ତର ବାବୁ ।

 

ଅନ୍ଧାର ଭିତରୁ ଉତ୍ତର ଆସିଲା–ଖାଲି ପାଇବାଟା ମନେ ରଖିଲ, ଯେ ଦେଲା ତା କଥାଟା ମନେ ରହିଲା ନାହିଁ ଅପୂର୍ବବାବୁ !

 

ଅପୂର୍ବ ଚିତ୍କାର କରି କହିଲା–ଏ ଜୀବନରେ ଭୁଲିବି ନାହିଁ । ଏ ଋଣ ମୁଁ ମରଣ ପର୍ଯ୍ୟନ୍ତ–

 

ଅନ୍ଧାର ଭିତରୁ ମୁଁ ପ୍ରାର୍ଥନା କରୁଛି, ତମେ ଯେମିତି ଅସଲ ଦାତାକୁ ଦିନେ ଚିହ୍ନି ପାରିବ-। ସେଦିନ ସବ୍ୟସାଚୀର ଋଣ–କଥାଟାର ଶେଷଅଂଶ ଶୁଣାଗଲା ନାହିଁ । ଜଡ଼ଭଳି ସମସ୍ତେ କିଛି ସମୟ ରହିଲେ,ତାପରେ ଭାରତୀ ଓ ଅନ୍ୟମାନେ ଉପରକୁ ଉଠି ଆସିଲେ । ଭାରତୀ, କ୍ଷିପ୍ରଗତିରେ ଯାଇ ଝରକା ଖୋଲିଦେଇ ଅନ୍ଧାର ଭିତରକୁ ଏକ ଦୃଷ୍ଟିରେ ଚାହିଁ ରହିଲା । ହଠାତ୍‌ ଭିଷଣ ଗର୍ଜନସହ ଘଡ଼ଘଡ଼ି ମାରିଲା ଓ ତୀବ୍ର ବିଦ୍ୟୁତ୍‌ ଆଲୋକରେ ପୃଥବୀ ଉଦ୍ଭାସିତ ହୋଇଗଲା-। ମୂହୁର୍ତ୍ତକପାଇଁ ଭାରତୀ ଦେଖିଲା ଯେ ପ୍ରଧାନ ରାସ୍ତା ଛାଡ଼ି ଉଭୟେ ଧୀରେ ଧୀରେ ଆଗେଇ ଯାଉଛନ୍ତି । ଏଇ ସୂଚୀଭେଦ୍ୟ ଅନ୍ଧାରରେ ପିଚ୍ଛିଳ ପଥରେ ଜଣେ ସେଇ ବିରାଟ ବୁଜୁଳାଟି ଧରି ସତର୍କତାସହ ଅଗ୍ରସର ହେଉଛନ୍ତି ଓ ଅନ୍ୟଜଣକ ପ୍ରଚଣ୍ଡ ବାରିପାତରୁ ପଗଡ଼ି ସାହାଯ୍ୟରେ ନିଜକୁ ସାମାନ୍ୟ ବଞ୍ଚାଇ ତାଙ୍କର ଅନୁସରଣ କରୁଛି । ନିମିଷକ ପରେ ପୁଣି ଅନ୍ଧାର ମାଡ଼ି ଆସିଲା-

 

ହଠାତ୍‌ ଦୀର୍ଘନିଃଶ୍ଵାସ ତ୍ୟାଗକରି ଶଶୀ କହିଲା–ଦୁର୍ଦ୍ଦିନର ବନ୍ଧୁ, ସର୍ଦ୍ଦାରଜୀ ! ନମସ୍ତେ !

 

ଅପୂର୍ବ ସଙ୍ଗେ ସଙ୍ଗେ ତାର ଦୁଇହାତ କପାଳରେ ଲଗାଇ ନିଃଶବ୍ଦରେ ନମସ୍କାର କଲା-

 

ଭାରତୀ ଅନ୍ଧାରକୁ ଚାହିଁ ସେମିତି ପାଷାଣ ଭଳି ଠିଆହୋଇ ରହିଲା । ଶଶୀର କଥା ତା କାନରେ ପଶିଲା ନାହିଁ–ସେ ଜାଣିପାରିଲା ନାହିଁ ଯେ, ତା ଭଳି ଆଉଜଣେ ନାରୀର ଦୁଇଚକ୍ଷୁ ପ୍ଲାବନ କରି ଅଶ୍ରୁଧାରା ପ୍ରବାହିତ ହେଉଛି ।

Image